STORYMIRROR

Satyabati Swain

Children Stories

4  

Satyabati Swain

Children Stories

ମୋ ସର୍ବକାଳୀନ ହିରୋ

ମୋ ସର୍ବକାଳୀନ ହିରୋ

4 mins
285


       ' ବାପା ' ଯାହାଙ୍କୁ ଦେଖିନି ଆଖିରେ ସେ ହେଉଛନ୍ତି "ମୋ ସର୍ବକାଳୀନ ହିରୋ।" ସେ ମୋ ପାଖରେ ଦୃଶ୍ୟ ହୋଇ ନ ଥାନ୍ତି କିନ୍ତୁ ଲାଗେ ଅଦୃଶ୍ୟରେ ମୋ ପାଖେ ପାଖେ ଥାଆନ୍ତି। 

       ବାପା ଦୁଇଟି ଅକ୍ଷର ସହ ଆକାର ମାତ୍ରା ଲାଗିଥିବା ଶବ୍ଦ କୋଷର ଏକ ଶବ୍ଦ ନୁହେଁ । ଏହା  ସାମଗ୍ରିକ ଜୀବନର ଜୀଵ ସତ୍ତା ,ପରିଚୟ, ସମସ୍ତ ଖୁସିର ଉତ୍ସ , ଜୀଇଁବା ସାଧନର ଅନ୍ୟନାମ।

        କାଠ ଆଲମୀରାର ଗୋଟିଏ ଥାକରେ ମିଲିଟାରୀ ୟୁନିଫର୍ମ ସହ କେତେ ଗୁଡିଏ ନୂଆ ପୁରୁଣା ସାର୍ଟ, ପ୍ୟାଣ୍ଟ ସ୍ବେଟର ସଫା ସଫି ହୋଇ ସୁନ୍ଦର ଭାବେ ସାଇତା ହୋଇ ରହିବା ଦେଖି ଆସୁଛି ପିଲା ବେଳୁ।

        ଅନେକ ସମୟରେ ମାଆ ଆଲମୀରା ଖୋଲି ସେଗୁଡିକରେ ଧୀରେ ଧୀରେ ହାତ ଚଲାଏ। ଲୁହ ଲୁହ ହୋଇଯାଏ ତା ମୁହଁ ଦିହ। କେବେ କେବେ ସେ ସବୁ ଆଣି ଛାତିରେ ଚାପି ଧରି ବାପାଙ୍କ ଫଟୋକୁ ଚାହିଁ ଖୁବ୍ କାନ୍ଦେ।

         ଆମ ଘରେ ମୋ ମୁକୁଲ୍  ଦି, ମୁଁ ,ମାଆ ସହ ଜେଜେବାପା ଓ ଜେଜେମା ରୁହନ୍ତି। ସମସ୍ତଙ୍କ ବାପା ଥିଲା ବେଳେ ମୋ ବାପା ଫଟୋ  ହୋଇ କାନ୍ଥରେ।

ପଚାରିଲେ ଜେଜେ କୁହନ୍ତି ତୋ ବାପା ମାଟି ମାଆର ବୀର ଶହୀଦ ପୁଅ। ସେ ମାଟିରେ ମିଶି ଅମର ହୋଇ ଯାଇଛି।


ବାପା କେବେ ଆଉ ଆସିବେ ନାହିଁ ?


ସେଠିକୁ ଗଲେ କେହି କଣ ଫେରନ୍ତି ବଂଶ ?


ଯଦି ନ ଫେରିବେ ସେଠିକୁ ଯାଆନ୍ତି କାହିଁକି ?


ଆମେ ସମସ୍ତେ ଯିବାରେ ବଂଶ ।


ସମସ୍ତେ ! ତୁମେ ଓ  ମୁଁ ବି ?

     ହଁ ରେ ଧନ । ଯିବା ନିଶ୍ଚିତ।କିନ୍ତୁ ଯିବା ସମୟ ପୂର୍ବରୁ ତୋ ବାପା ଚାଲି ଯାଇଛି। ମୁଁ ଆଗ ଯାଇଥାନ୍ତି ତାପରେ ସିଏ ଯାଇଥାନ୍ତା। କିନ୍ତୁ ଓଲଟା ହୋଇ ଗଲା।

        ନା ଜେଜେ ଆଗ ମୁଁ ଯାଇଥାନ୍ତି। ମୋ ପାଟିରେ ହାତ ଦେଇ ଜେଜେ କୁହନ୍ତି ଏମିତି କଥା ଆଉ ଦିନେ କହୁବୁ ନାହିଁ ରେ ରାଜା। ତୁ ବା ତୋ ମାଆ, ଭଉଣୀ ମୋର ଓ ତୋ ଜେଜେମାଆର ଆଖି। ଆମ ବୁଢା ବୁଢ଼ୀ ଦୁଇଟିକୁ ତୁ ତ ବିଦା କରିବୁ। ତାପରେ ତୋ ମାଆକୁ ପଠେଇବୁ। ତୁ ଯୁଗ ରାଇଜ କରି  ଦୀର୍ଘଜିବୀ ହେବୁ। ଏମିତି କାଳତୁଣ୍ଡ କଥା ଆଉ ଦିନେ କହିବୁ ନାହିଁ।


ବୁଝେ କି ନ ବୁଝେ ମୁଣ୍ଡ ଟୁଙ୍ଗାରି କୁହେ ହଉ।


ଜେଜେ! ମୋ ବାପା କେମିତିଆ ଥିଲେ?

      ସୁନ୍ଦର ,ବୀର, ଯୋଦ୍ଧା,ସାହସୀ। ପାଠ ଶାଠ ସବୁଥିରେ ଆଗରେ । ଭାରି ପରୋପକାରୀ । ଏ ଖଣ୍ଡ ମଣ୍ଡଳରେ ଚାକିରୀ ନ କରିବା ପୂର୍ବରୁ ଯାହାର ଯାହା ଅସୁବିଧା ହୁଏ ସେ ଦେହ, ପଢା ,ଜମିବାଡ଼ି କି ପୂଜା ପାର୍ବଣ ସବୁଥିରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗଭର ହୋଇ ପଡେ ତୋ ବାପା। ରାତି ଅଧ ହେଉ କି ଝଡ଼ ତୋଫାନ  କାହାର ଅସୁବିଧା ପଡିଲା ଏବଂ ସେ ଖବର ଯଦି ତୋ ବାପା କାନରେ ପଡିଲା  ତ ଯେତେ ଅସୁବିଧା ହେଉ ପଛେ ତୋ ବାପା ଜୀବନକୁ ପାଣି ଛଡେଇ ଆଗତୁରା ବାହାରି ପଡିବ। ଗରିବ ଗୁରୁବାଙ୍କ ତ୍ରାଣାକର୍ତ୍ତା ଥିଲା ତୋ ବାପା। ସମସ୍ତେ କୁହନ୍ତି ହର୍ଷ ସ୍ବାଇଁ ଜଣେ ଦେବତା। ମଣିଷ ହୋଇ ଜନ୍ମ ନେଇଛନ୍ତି।

        ଏତେ ଭଲ ଥିଲେ ତ ଆମକୁ କାହିଁକି ଛାଡି ଏକା ପଳେଇଲେ ?

         ଆରେ ସେ ପଳେଇଲା କେତେବେଳେ ? ସେ ପରା ବୀର ଶହୀଦ ହୋଇଛି ! ଫୁଲୱାମାରେ ଆତଙ୍କବାଦୀଙ୍କ ବର୍ବରୋଚିତ ବିସ୍ଫୋରଣରେ ତୋ ବାପା ଶହୀଦ ହୋଇ ଯାଇଛିରେ ବଂଶ।

       ମୋ ଦିକୁ ତିନି ବର୍ଷ ହୋଇଥାଏ। ମୁଁ ମାଆ ପେଟରେ ଛଅ ମାସର ହୋଇ ଦିନ ଗଣୁଥାଏ ବାହାର ଆଲୋକ ଦେଖିବା ପାଇଁ। ଠିକ୍ ସେତିକିବେଳେ ମୋ ବାପା ଶହୀଦ ହୋଇ ଗଲେ ବୋଲି ଜେଜେ ଓ ଜେଜେମା କହି ଖୁବ୍ କାନ୍ଦନ୍ତି।

       ପିଲା ଦିନେ ଏସବୁ ବୁଝି ପାରୁ ନ ଥିଲି। ଭାରି ଝୁରି ହେଉଥିଲି ବାପାଟିଏ ପାଇଁ। କିନ୍ତୁ ଆଶ୍ଚର୍ଯ୍ୟ ବାପା ନ ଥାଇ ବି ଦିନକୁ ଦିନ ନିଜକୁ ବାପା ପରି ଗଢୁଥିଲି।ବୟସ ବଢ଼ିବା ସହ ମୁଁ କୁଆଡେ ଅବିକଳ ବାପାଙ୍କର କାର୍ବନ କପି ଲାଗୁଲି। ବାପାଙ୍କ ସବୁଗୁଣ ମୋ ଭିତରେ ପୁରି ରହିଥାଏ। ଶହୀଦ ପୁଅ ଭାବି ଦେଲେ  ମେଞ୍ଚେ ଅଦ୍ଭୁତ ଖୁସି ହୋଇଯାଏ ମନ ଭିତର।

        ପିଲାଦିନେ  ଯେତେବେଳେ  ସ୍କୁଲ ଗଲି ମୋ ପ୍ରୋଗ୍ରେସ ରିପୋର୍ଟରେ କ୍ଳାସ ଟିଚର ମନ୍ତବ୍ୟ ଲେଖିଥିଲେ : ଆପଣଙ୍କ ଶିଶୁ କାହା ସହ ମିଶୁ ନାହିଁ; ଖେଳ କୁଦରେ ଆଗ୍ରହ ରଖୁନାହିଁ । ଏପରିକି ଶିଶୁ ସୁଲଭ କୌଣସି ଚପଳତା ନାହିଁ ବଂଶ ପାଖରେ। ନା କାହାକୁ ପେଲୁଛି ,ମାରୁଛି ନା ମିଶୁଛି  ।ଖୁବ୍ ବିରସ ଚୁପ୍ ଚାପ୍ ରହୁଛି। ଦୟାକରି ଶିଶୁର ଏତାଦୃଶ୍ୟ ସ୍ଵଭାବ ପରିବର୍ତ୍ତନ ଚେଷ୍ଟାରେ ରୁହନ୍ତୁ। କିମ୍ଵା ଏପରି ସ୍ଵଭାବ କାହିଁକି କରୁଛି  ତାର କାରଣ ଖୋଜି ପ୍ରତିକାର କରନ୍ତୁ , ପ୍ଲିଜ଼ ।

       ଜେଜେ ମୋତେ ନେଇ ସ୍କୁଲ ଗଲେ।ପ୍ରିନ୍ସିପାଲ୍ ଙ୍କୁ ଦେଖା କରି କହିଲେ , ତା ବାପା ପରି ହୋଇଛି ଆଜ୍ଞା। ଠିକ୍ ମୋ ପୁଅ ତା ପିଲାଦିନେ ଏହିପରି ଥିଲା। ପିଲାଦିନ ଡରୁଆ ପୁଅ ମୋର  ବଡ଼ ହୋଇ କେତେ ନାଁ କଲା। ବୀର ସାହସୀ ଯୋଦ୍ଧା ବୋଲି କେତେ ମେଡେଲ ପାଇଛି । ବଡ଼ ହେଲେ ବାପା ପରି ବଂଶ ହୋଇଯିବ ଆଜ୍ଞା।

      ବାପା ନ ଥିଲେ ସତ ମୁଁ କିନ୍ତୁ ତାଙ୍କ କଥା ଶୁଣି ଶୁଣି ତାଙ୍କ ପରି ହେବା ଚେଷ୍ଟାରେ ଅହରହ ଥିଲି। ତାଙ୍କୁ ଅନୁଭବ କରୁଥିଲି ହୃଦୟରେ। ଯହୁଁ ବଡ଼ ହେଉଥିଲି ସେତେ ଅଧିକ ବାପା ବାପା ଲାଗୁଥିଲି ମୁଁ। ଜେଜେମା ମୋତେ ଦେଖି କହୁଥିଲା କିଏ କହିବ ଇଏ ମୋ ଅମୂଲ୍ୟ ନୁହଁ ବଂଶ ବୋଲି।

      ଦିନେ ସ୍କୁଲରେ ତୁମ ଜୀବନର ଆଦର୍ଶ ହିରୋ ବିଷୟରେ ଷ୍ଟେଜ୍ ରେ ସବୁ ପିଲା କହିବାର ଥିଲା ତ ମୁଁ ମୋ ଜୀବନର ସର୍ବ କାଳୀନ ଆଦର୍ଶ ହିରୋ ମୋ ବାପା ବୋଲି କହିଥିଲି। ବାପାଙ୍କ ସମସ୍ତ ଭଲ ଗୁଣ ଅନୁସରି ମୁଁ ବି ଦିନେ ବୀର ଶହୀଦ ହେବି । ଏହା  ମୋ ଜୀବନର ଲକ୍ଷ୍ୟ ।ସମସ୍ତେ ଆଶ୍ଚର୍ଯ୍ୟ ହୋଇ କହିଲେ ବାପାଙ୍କୁ ନ ଦେଖି ବି ଅବିକଳ ବାପା ପରି ଗୁଣ ଗାରିମା ଆଣି ଜନ୍ମ ନେଇଛି କେମିତି !

    ଦିନେ ବାପାଙ୍କ ପୁରୁଣା ୟୁନିଫର୍ମ ପିନ୍ଧି କହିଲି ଦେଖିଲୁ ମାଆ ଭଲ ମାନୁନି  ମୋ ହିରୋ ଡ୍ରେସ ମୋତେ !

        ମାଆ ମୋତେ ଛାତିରେ ଜାକି ସମୁଦ୍ର ସମୁଦ୍ର ହୋଇ ଯାଉଥିଲା। ବାପାଙ୍କ ପୁରୁଣା ୟୁନିଫର୍ମ ମୋତେ ବାପା ବାପା ବାସୁଥିଲେ।




Rate this content
Log in