Satyabati Swain

Children Stories

3  

Satyabati Swain

Children Stories

ମୋ ନାଆଁ

ମୋ ନାଆଁ

4 mins
200


ବାପା ମୋ ନାଆଁ ସତ୍ୟବତୀ କାହିଁକି ? ଏତେ ବଡ଼ ପୁଣି ପୁରୁଣା କାଳିଆ ନାଆଁଟିଏ । ସେଦିନର ଏଇ ପ୍ରଶ୍ନର ସଠିକ୍ ଉତ୍ତର ଖଣ୍ଡେ ବହିରୁ ମୋତେ ବଡ଼ ହେଲା ପରେ ମିଳିଥିଲା । 


ବାପା ଓ ମାଆ ପିଲାର ଆଦ୍ୟ ଗୁରୁ । ବା; ବାୟୁ, ପା ; ପାଣି, ଓ; ଓଜ ବା ଅଗ୍ନି, ମାଆ ; ମାଟି ଓ ଆ ; ଆକାଶ । ଏ ପଞ୍ଚ ଭୁତକୁ ନେଇ ଶରୀର । ଆଉ ଏ ପଞ୍ଚଭୂତର ଚଳନ୍ତି ପ୍ରତିମା ହେଲେ ବାପା ଓ ମାଆ । ଏମାନଙ୍କ ଉଚ୍ଚାରଣ, ଆଚରଣ, ସଂଯମତା, ଶୃଙ୍ଖଳା, ଗୁରୁଜନେ ଭକ୍ତି ଓ ଲଘୁଜନେ ସ୍ନେହ, ପାରସ୍ପରିକ ବୁଝାମଣା, ସହଯୋଗ,ସହନଶୀଳତା ତଥା ସଂସ୍କାରର ପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡିଥାଏ । 


ମୋ ଜୀବନ ସମସ୍ତ ଶିକ୍ଷା ଦୀକ୍ଷା, ସଂସ୍କାର ଓ ପ୍ରେରଣାର ଉତ୍ସ ମୋ ବାପା । 


ବିରାଟ କ୍ଷତଟିଏ ମୋ ହୃଦୟରେ । ସମୟ କ୍ରମେ ମେଲି ମେଲି ଯାଉଛି ସିନା ଶୁଖିବା ନାଆଁ ନେଉନାହିଁ । ନିରବରେ ସେ କ୍ଷତ ମୋତେ ଖୁବ୍ ଯନ୍ତ୍ରଣା ଦିଅନ୍ତି । ଝୁରାପଣ ମୋତେ ଭାରି ରଙ୍କୁଣୀ କରି ଦିଅନ୍ତି । ସବୁରି ଭିତରେ ସେଇ ଚାହିଁବା ଚିଜଟି ଖୋଜେ । ପାଇବି ନାହିଁ ଜାଣିଛି, ତଥାପି ଭଣ୍ଡାଏ ନିଜକୁ । 


ବେଳେ ବେଳେ ଆମେ ନିଜକୁ ମିଛ ଆଶ୍ୱାସନା ଦେଉ ଓ ଭଣ୍ଡାଉ । 


ପ୍ରାୟ ସେ ମନେ ପଡନ୍ତି । କେହି ବାପା ପାଖେ ଗେହ୍ଲା ହେବା କିବା ବାପାଙ୍କ କଥା କହିଲେ ମୁଁ ଭିତରେ ଭୋ ଭୋ ବାଜେ । ଅଧିର ହୋଇ ଅଣ୍ଡାଳେ ତାଙ୍କୁ । 


ପିଲାଦିନେ କୌତୁହଳି ହୋଇ ବାପାଙ୍କୁ ଦିନେ ପଚାରିଲି ମୋ ନାଆଁ ସତ୍ୟବତୀ କାହିଁକି?


ସେ ଟିକେ ଗମ୍ଭୀର ହୋଇ ଗଲେ । ତାଙ୍କ ଗମ୍ଭୀର ମୁହଁ ଦେଖିଲି ଆଉ କିଛି ପଚାରିବାର ସାମର୍ଥ୍ୟ ରଖିପାରେନାହିଁ । ଚୁପ୍ ଚାପ୍ ବସେ । ବହି ତ ମୋର ସାଙ୍ଗ । ଯେ କୌଣସି ଗୋଟେ ବହି ଟାଣି ଆଣି ଖାଲି ପୃଷ୍ଠା ଓଲଟାଏ । ମୋ ଗୁମ୍ ଭାଵ ଦେଖି ବାପା ବୁଝିଯାଆନ୍ତି ଯେ ମୁଁ ଉତ୍ତର ପାଉନାହିଁ ବୋଲି ଅସନ୍ତୁଷ୍ଟ । 


ମୋ ବାପା ଏଇଥି ପାଇଁ ଶ୍ରେଷ୍ଠ ଭାବେ କି ସେ ସବୁ ବେଳେ ଚେଷ୍ଟିତ ଥାଆନ୍ତି ମୋ କଅଁଳ ବୟସର କୋମଳ ଜିଜ୍ଞାସାରୁ ସୃଷ୍ଟ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ । ଯାହା ମୋତେ ଅନେକ କ୍ଷେତ୍ରରେ ସାହାଯ୍ୟ କରିବାର ମୂଳ ସମ୍ବଳ ହୋଇଛି । 


ବାପା କଲିକତାରେ ଚାକିରୀ କରୁଥିଲେ । ସେଇଥି ପାଇଁ ବୋଧହୁଏ ଆମ ଜୀବନରେ ବଙ୍ଗଳା ଚାଲି ଚଳନ ପ୍ରଭାବ ବେଶୀ ଅନୁଭୂତ ହୁଏ । ମୋର ଜନ୍ମରୁ ଅଧିକାଂଶ ସମୟ କଲିକତାରେ କଟିଛି । ଗଙ୍ଗା ଧାର ଉପର ଦୁଇ ମହଲା କଂପାନୀ କ୍ୱାର୍ଟର୍ସ୍ ରେ ରହୁଥିଲୁ ଆମେ । ଗଙ୍ଗା ମୋତେ ବେଶୀ ପ୍ରଭାବିତ କରେ । ତାର ତିନିଧାର ପାଣି ହେଉ କିବା ବାହାନର ନଡିଆ ଗଛଠୁ ଉଚ୍ଚା ଆସୁଥିବା ହେଁସ ଗୁରା ପରି ଲହରୀ ଦେଖି ମୋ ପିଲା ମନ କୁରୁଳି ଉଠେ । 


ମୁଁ ପ୍ରାୟତଃ ଆମେ ରହୁଥିବା କ୍ୱାର୍ଟର୍ସ୍ ଝରକା ପାଖେ ପଡିଥିବା ଟେବୁଲ୍ ଉପରେ ରେଲିଂ ଧରି ଅହରହ ଅନେଇଁଥିବି ଗଙ୍ଗାର କ୍ଷଣକୁ କ୍ଷଣ ବଦଳୁଥିବା ରୂପ । ବାପା କୁହନ୍ତି ତଳକୁ ଯାଉନ ପାଖରୁ ଏ ସବୁ ଦେଖିବୁ । କିନ୍ତୁ ସୁକୁମାର ମିତ୍ର ଦାଙ୍କ କୁକୁର ଯେଉଁ ଭୁକ୍ ଭୁକ୍ ହୁଏ ମୋତେ ବା ଡର ଲାଗେ ମନେ ମନେ କୁହେ । 


ସେଦିନ ମୋ ନାଆଁ ସତ୍ୟବତୀ କାହିଁକି ପଚାରିଦେଲି । ବାପା କିଛି ସମୟ ନିରବ ରହିବା ପରେ ଗୋଟିଏ ବହି ଦେଖେଇ କହିଲେ ଯାହାର ନାଆଁ "ପ୍ରଥମ ପ୍ରତିଶୃତି" ଥିଲା । ଏହାର ଲେଖିକା ଥିଲେ ବଙ୍ଗଳା ଭାଷାକୁ ସମୃଦ୍ଧ କରିଥିବା ବହୁ ଚର୍ଚ୍ଚିତ ନାରୀ କବି, ଲେଖିକା ଓ କାଳଜୟୀ ଔପନାସିକା ଜ୍ଞାନ ପୀଠ ବିଜୟିନୀ ପ୍ରଥମ ଭାରତୀୟ ମହିଳା "ଆଶାପୂର୍ଣ୍ଣା ଦେବୀ" । ଯଦିଓ ମୁଁ ବଙ୍ଗଳା ଅକ୍ଷର ସହ ପରିଚିତ ଥିଲି;କିନ୍ତୁ ଏତେ ବଡ଼ ବହି ପଢି ବୁଝିବା ବୟସ ମୋର ହୋଇ ନ ଥିଲା । କେବଳ ଠାକି ଠାକି ବହିର ନାମ "ପ୍ରଥମ ପ୍ରତିଶ୍ରୁତି" ବୋଲି ପଢି ପାରିବାକୁ ସକ୍ଷମ ହୋଇଥିଲି । 


ତାପରେ ବାପା କି ଆଉ ରକ୍ଷା ପାଆନ୍ତି?


ଏଇଟା କି ବହି?


ୟାକୁ କିଏ ଲେଖିଛନ୍ତି?


ଏଥିରେ କଣ ମୁଁ ପଢିବା ପାଇଁ ଗପ ଲେଖା ହୋଇଛି?


ଯଦି ହୋଇଛି ଏତେ ଟିକି ଟିକି ଅକ୍ଷରରେ ଲେଖା ଯାଇଛି କାହିଁକି?


ମୁଁ ବି ଏମିତି ବହି ଲେଖି ପାରିବି ?


ଏ ବହି ସହ ମୋ ନାମ କି ସମ୍ପର୍କ ଅଛି ଇତ୍ୟାଦି ଅନେକ ପ୍ରଶ୍ନ ବାଣର ସହଜ ଉତ୍ତରଟିଏ ଦେଇ ବାପା ଖସି ଯାଇଥିଲେ । ସେଇଟି ଥିଲା--


"ତୁ ପଢିଲେ ଓ ବଡ଼ ହେଲେ ଜାଣିବୁ"


ଏଇ ଛୋଟିଆ ବାକ୍ୟଟି ମୋତେ ସବୁ ବେଳେ ତୁନି ପକେଇବାରେ ଏକ ଅମୋଘ ବ୍ରହ୍ମାସ୍ତ୍ର ହୁଏ । ଚିନ୍ତାରେ ପଡ଼ିଯାଏ କେବେ ବଡ଼ ହେବି?


ବଡ଼ କାହାକୁ କୁହନ୍ତି?


ବାପା ପରି କି?


ଏବେ ବି ତ ପଢୁଛି । ବୁଝି ପାରୁ ନାହିଁ କେବଳ ବଡ଼ ହୋଇ ନାହିଁ ବୋଲି ! ସେତେବେଳେ ଭାରି ଆକୁଳ ହେଉଥିଲି ବଡ଼ କେମିତି ହେବି?


କିନ୍ତୁ ଆଶ୍ଚର୍ଯ୍ୟ ବଡ଼ ହେଲା ପରେ ଭାବୁଛି ପିଲା ହୋଇ ଯାଆନ୍ତି କି?


ହଁ ବଡ଼ ହେଲି । ସେତେବେଳେକୁ ପାଖରେ ନଥିଲେ ବାପା । ଥିଲା କିନ୍ତୁ "ପ୍ରଥମ ପ୍ରତିଶ୍ରୁତି" ବହିଟି । ପଢ଼ିଲି; ସବୁ ଶବ୍ଦ ଅର୍ଥ ବୁଝିବା ସମ୍ଭବ ହେଲା ନାହିଁ ବୋଲି ମୋ ଭାଇର ସାହାଯ୍ୟ ନେଲି । ସ୍ତମ୍ଭିଭୂତ ହେଲି ମୋ ନାଆଁ ସତ୍ୟବତୀ ଉତ୍ତର ପାଇ ଗଲି ଯେବେ । ବାପା ତେବେ ଚାହୁଁଥିଲେ ପ୍ରତିଶ୍ରୁତି ଉପନ୍ୟାସ ନାୟିକା ସତ୍ୟବତୀ ପରି ମୁଁ ହୁଏ? ବା..ପା...କେତେ ବଡ଼ ଆଶା ମୋ ଉପରେ କରିଥିଲେ !! ଗଳି ପଡିଲା ବାପାଙ୍କ ଫଟୋ ଉପରେ କେଇ ବୁନ୍ଦା ମୋ ଆତ୍ମାରୁ ନିଗିଡା ପାଣି । 


ବାପା ମୋ ପ୍ରଥମ ଗୁରୁ । ବିଦ୍ୟାଳୟକୁ ଯିବା ପୂର୍ବରୁ ଅନେକ କଥା ଶିଖି ଯାଇଥିଲି । କିନ୍ତୁ ମୋର ଦୁର୍ଭାଗ୍ୟ ଯାହାଙ୍କ ପାଇଁ ମୁଁ ଅଳିଅଳି ରାଜକୁମାରୀ ଥିଲି ଯିଏ ମୋ ସମସ୍ତ ଖୁସିର ନିଶ୍ଚିତ ଠିକଣା ଥିଲେ ସେ ମୋତେ ଖୁବ୍ କମ୍ ବୟସରେ ଛାଡି ଫଟୋ ହୋଇ କର୍ପୁରମାଳ ନାଇଁ ଝୁଲିଲେ । 


ବାପା ତୁମେ ମୋତେ ଛାଡ଼ି ଏତେ ଶୀଘ୍ର କାହିଁକି ଆକାଶର ତାରା ହେଲ ? ଦେଖ ବାପା ତୁମ କଥା ମାନିଛି । କେବେ କାନ୍ଦୁନି ଜୀବନରେ । ତୁମେ କହିଥିଲ ଅନ୍ୟ ଆଗେ ଆଦୌ କାନ୍ଦିବୁନି । ତୋ ଦୁର୍ବଳତା କାହା ଆଗେ ପ୍ରକାଶ କରିବୁ ନାହିଁ । କାନ୍ଦ ବି ଭବିଷ୍ୟତ ରାସ୍ତାକୁ ଝାପ୍ସା କରିବ । ସେବେଠାରୁ କୌଣସି ଦିନ କାନ୍ଦିନି ବାପା । 


ସେଇ ଯେଉଁ କହିଥିଲ, ଜୀବନରେ ସବୁଠାରୁ ପ୍ରିୟ ମିତ୍ର ହେଉଛି ବହି । ତୁମେ ଠିକ୍ କହିଥିଲ । ବହି ସହ ଯିଏ ସାଙ୍ଗ ହେବ ତାର ଅନ୍ୟ କେହି ସାଙ୍ଗ ଦରକାର ପଡେନି । ବହି ସବୁକଥା ପାଟି ନ ଖୋଲି ବି କହି ପାରେ । 


ବହିକୁ ମୋର ସାଙ୍ଗ କରି ଯେଉଁଦିନ ସ୍କୁଲରେ ମୋ ନାଆଁ ଲେଖେଇଲ, ସେଦିନ ମୁଁ ମହା ଖୁସି ଥିଲି । ସେଦିନ ମୋତେ କହିଲ ଏ ସ୍କୁଲର ସମସ୍ତ ସାର୍ ତୋର ଗୁରୁ । ସମସ୍ତଙ୍କୁ ମୁଣ୍ଡିଆ ମାରି ପାଦ ଧୂଳି ଆଣେ । 


ଗୁରୁ କଣ ବାପା ?


ଗୁ ଅର୍ଥ ଅନ୍ଧାର ରୁ ଅର୍ଥ ଆଲୋକ । ଅର୍ଥାତ ଯିଏ ତୋତେ ଅନ୍ଧାରରୁ ଆଲୋକ ଆଡକୁ ବାଟ କଣ୍ଢେଇ ନେବେ ସେ ହିଁ ତୋ ଗୁରୁ । 


ଆହୁରି ଗୁ ଅର୍ଥ ଗୁଣମୁକ୍ତ ରୁ ଅର୍ଥ ନିରାକାର । ଯିଏ ଗୁରୁ ସେ ପାର୍ଥିବ ଜଗତର ସତ୍ତ୍ୱ,ରଜ, ତମ ଆଦି ଗୁଣରୁ ବହୁ ଉର୍ଦ୍ଧ୍ବରେ । ଗୁରୁଙ୍କର କୌଣସି ଆକାର ନାହିଁ । ଗୁରୁ ଏକ ଅନୁଭବ ଏକ ସତ୍ତା । 


ମୁଁ ପ୍ରଥମେ ବାପାଙ୍କ ପାଦ ଧୂଳି ନେଲି । ତାପରେ ସବୁ ସାରଙ୍କର ପାଦ ଧୂଳି ଆଣିଲି । ସେଦିନ ନାଆଁ ଲେଖେଇ ଘରକୁ ଫେରିବା ବାଟରେ ବାପା ପଚାରିଲେ, ତୁ କାହିଁକି ମୋ ପାଦ ଧୂଳି ଆଗ ନେଲୁ ?


ଗୁରୁ ଅର୍ଥ ଯାହା ସବୁ କହିଲେ ତୁମେ ତ ମୋର ସେଇ "ଆଦ୍ୟ ଗୁରୁ "


ବାପା ମୋ ମୁଣ୍ଡ ସାଉଁଳେଇ ଦେଇ କହିଲେ ମୋ ସୁନାଟା । 



Rate this content
Log in