Narendra Prasad Behera

Others

2  

Narendra Prasad Behera

Others

ମହର୍ଷି ବିଶ୍ବାମିତ୍ର

ମହର୍ଷି ବିଶ୍ବାମିତ୍ର

2 mins
559


*ରାମାୟଣରୁ କିଛି .......୩୭*


*ମହର୍ଷି ବିଶ୍ବାମିତ୍ର ରାମ ଲକ୍ଷ୍ମଣଙ୍କୁ କେଉଁ ଦୁଇଟି ବିଦ୍ଯା ଶିଖାଇଲେ ଏବଂ ସ୍ଥାନଟିର ନାମ ଅଙ୍ଗ କିପରି ହେଲା*


ମହର୍ଷିଙ୍କ ମୁଖରୁ ରାମଙ୍କ କଥା ଶୁଣି ରାଜା ଦଶରଥ ରାମଙ୍କୁ ମହର୍ଷି ବିଶ୍ବାମିତ୍ରଙ୍କ ସହିତ ପଠାଇବା ପାଇଁ ସମ୍ମତି ଦେଲେ । ରାମଙ୍କ ସହିତ ଲକ୍ଷ୍ମଣ ଯିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ରାମ ଓ ଦଶରଥ ଉଭୟେ ତାଙ୍କୁ ଅନୁମତି ଦେଲେ । ତହୁଁ ରାମଚନ୍ଦ୍ର ମାତାଙ୍କୁ ପ୍ରବୋଧନା ଦେବା ପାଇଁ ଉଆସ ଭିତରକୁ ଗଲେ ।ରାମଙ୍କୁ ଛାଡିବା ପାଇଁ କୌଶଲ୍ଯା ଏକାନ୍ତ ଅନିଚ୍ଛୁକା ଥିଲେ । ତେଣୁ ସେ କାନ୍ଦିକାନ୍ଦି ଅସ୍ଥିରହୋଇ ପଡିଲେ । ତାଙ୍କୁ ପ୍ରବୋଧନା ଦେଇ ରାମ କହିଲେ--ମାଆ,ଯୁଦ୍ଧ ହେଉଛି କ୍ଷତ୍ରିୟର ଧର୍ମ । ମୁଁ ଆଜି ପ୍ରଥମେ ଯୁଦ୍ଧକୁ ବାହାରିଛି । ମୋତେ ଆର୍ଶୀବାଦ କର,ମାଆ । କୌଶଲ୍ଯା ରାମଙ୍କୁ ଆର୍ଶୀବାଦ ଦେଇ ରାମଙ୍କର ଶିରଶ୍ଚୁମ୍ବନ କଲେ ଓ ଶୀଘ୍ର ଫେରିଆସିବା ପାଇଁ କହିଲେ । ଏହାପରେ ରାମ ପିତାଙ୍କଠାରୁ ବିଦାୟ ନେଇ ମହର୍ଷି ବିଶ୍ବାମିତ୍ରଙ୍କ ସହିତ ଗହନ ଅରଣ୍ଯ ଉଦ୍ଦେଶ୍ୟରେ ଯାତ୍ରାକଲେ । ରାମଙ୍କ ସହିତ ଲକ୍ଷ୍ମଣ ମଧ୍ଯ ଯାତ୍ରାକଲେ । 

   ସରଯୂନଦୀ ଆଉ ଅଳ୍ପ ବାଟ ଅଛି,ଭରତଙ୍କୁ ବିଶ୍ବାମିତ୍ର ଯେଉଁ କଥା ପଚାରିଥିଲେ, ବର୍ତ୍ତମାନ ରାମଙ୍କୁ ସେହିକଥା ପଚାରିଲେ । ରାମ କହିଲେ-ଯେଉଁ ବାଟେ ଗଲେ ଆମେ ଶୀଘ୍ର ପହଞ୍ଚିବା ସେହି ବାଟଦେଇ ଯିବା । ସେବାଟେ ଗଲେ ବିପଦ ପଡିବ ତ ପଡୁ । ସେଥିପାଇଁ ବିଚଳିତ ହେବାର କୌଣସି କାରଣ ନାହିଁ । ସକଳ ବିପଦକୁ ଖଣ୍ଡନ କରିବାର ଶକ୍ତି ଓ ସାହସ ମୋଠାରେ ଅଛି । ଦୀର୍ଘ ପଥରେ ଯାଇ ଅଯଥା ବିଳମ୍ବରେ ପହଞ୍ଚିବାର କୌଣସି ଆବଶ୍ୟକତା ନାହିଁ । ରାମଙ୍କ ମୁଖରୁ ଏହା ଶୁଣିବାକୁ ପାଇ ମହର୍ଷି ବିଶ୍ବାମିତ୍ର ସନ୍ତୁଷ୍ଟ ହେଲେ ଓ ରାମ ଲକ୍ଷ୍ମଣଙ୍କୁ ସଙ୍ଗରେ ଘେନି ଗନ୍ତବ୍ଯ ପଥରେ ଚାଲିବାରେ ଲାଗିଲେ । ସରଯୂନଦୀ କୂଳରେ ଉପସ୍ଥିତ ହୁଅନ୍ତେ ରାମ ଲକ୍ଷ୍ମଣଙ୍କୁ ବିଶ୍ବାମିତ୍ର କହିଲେ, ଏହି ନଦୀ ଜଳରେ ଦି' ଭାଇଯାକ ସ୍ନାନକରି ଆସ ।ମୋ ପାଖରେ "ବଳା" ଓ "ଅତିବଳା" ନାମକ ଦୁଇଟି ବିଦ୍ଯା ଅଛି । ସେହି ଦୁଇଟି ବିଦ୍ଯା ମୁଁ ତୁମ ଦି' ଜଣଙ୍କୁ ଦେବି । ସେହି ଦୁଇଟି ବିଦ୍ଯା ମୋଠାରୁ ତୁମେ ଗ୍ରହଣ କଲେ ତୁମକୁ ଭୋକ,ଶୋଷ ଓ ରୋଗବ୍ଯାଧି ଜନିତ କଷ୍ଟ ଲାଗିବ ନାହିଁ । ଯୁଦ୍ଧକରି କ୍ଲାନ୍ତ ହେଲେ ସେହି କ୍ଲାନ୍ତି ତୁମକୁ ବାଧିବ ନାହିଁ । କେହି ତୁମକୁ ଯୁଦ୍ଧରେ ଜିଣିପାରିବେ ନାହିଁ । ସବୁ ସ୍ଥାନରେ ତୁମେ ଜୟଲାଭ କରିବ । କୌଣସି ଅସ୍ତ୍ରଶସ୍ତ୍ର ମଧ୍ଯ ତୁମ ଦେହରେ ବିଦ୍ଧ ହେବ ନାହିଁ । ତୁମେମାନେ ଆହୁରି ତେଜସ୍ବୀ ହେବ । ଶତ୍ରୁମାନେ ତୁମକୁ ଦୂରରୁ ଦେଖିଲେ ଭୟରେ ପଳାୟନ କରିବେ । ମହର୍ଷି ବିଶ୍ବାମିତ୍ରଙ୍କଠାରୁ ରାମ ଲକ୍ଷ୍ମଣ ବଳା ଓ ଅତିବଳା ବିଦ୍ଯା ଦୁଇଟି ଗ୍ରହଣ କଲାମାତ୍ରେ ସେ ଦିହେଁ ନିଜ ନିଜ ଦେହ ମଧ୍ଯରେ ପ୍ରଚଣ୍ଡ ଶକ୍ତି ଅନୁଭବ କଲେ । ସେମାନଙ୍କ ଶରୀର ବିପୁଳ ଭାବରେ ତେଜୋଦୀପ୍ତ ହୋଇଉଠିଲା । 

   ସେଦିନ ରାତ୍ରରେ ତିନିଜଣଯାକ ସେହିଠାରେ କୁଶ ଶଯ୍ଯାକରି ଶୋଇଲେ । ପ୍ରଭାତରେ ନିତ୍ମକର୍ମ ସାରି ତିନିଜଣଯାକ ଯାତ୍ରାରମ୍ଭ କଲେ ଓ ଚାଲିଚାଲି ଯାଇ ଗଙ୍ଗାନଦୀ ଓ ସରଯୂନଦୀର ସଙ୍ଗମ ସ୍ଥଳରେ ପହଞ୍ଚିଲେ । ସେଠାରେ ମୁନି ଆଶ୍ରମମାନ ଥିବାର ଦେଖି ରାମଚନ୍ଦ୍ର ସେହି ସ୍ଥାନର ମହାତ୍ମ୍ଯ ଜାଣିବା ପାଇଁ ଇଛା ପ୍ରକାଶ କରିବାରୁ ବିଶ୍ବାମିତ୍ର କହିଲେ--ପୂର୍ବକାଳରେ କନ୍ଦର୍ପ ଏହିଠାରେ ବାସ କରୁଥିଲେ । କିଛିକାଳ ପରେ ଶିବ ଏଠାକୁ ଆସି ତପସ୍ଯାରେ ବସିଲେ । କନ୍ଦର୍ପ ଦିନେ କୌତୁହଳରେ ଶିବଙ୍କ ଦେହକୁ ଫୁଲ ଧନୁରୁ ଫୁଲଶର ମାରିଲେ । ଏଥିରେ କ୍ରୋଧାନ୍ବିତ ହୋଇ ଶିବ ତାଙ୍କ ତୃତୀୟ ନୟନରୁ ଅଗ୍ନି ନିକ୍ଷେପ କରନ୍ତେ ସେହି ଅଗ୍ନିରେ କନ୍ଦର୍ପ ପୋଡିଜଳି ଭସ୍ମ ହୋଇଗଲା । ଯେଉଁ ସ୍ଥାନରେ କନ୍ଦର୍ପ ଭସ୍ମହୋଇ ଅନଙ୍ଗ ହେଲା ସେହି ସ୍ଥାନର ନାମ ହୋଇଛି ଅଙ୍ଗ । ଶୈବମାନେ ଅଦ୍ଯାବଧି ସେଠାରେ ଅବସ୍ଥାନ କରୁଛନ୍ତି । 


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, ମୋ--୯୮୫୩୧୪୨୫୧୦*


Rate this content
Log in