ABADHOOT PANDA

Children Stories

3  

ABADHOOT PANDA

Children Stories

ମାଷ୍ଟର ରାଜୁ ଓରଫ ହିରୋ ରାଜା

ମାଷ୍ଟର ରାଜୁ ଓରଫ ହିରୋ ରାଜା

6 mins
224


  

ଥରେ ଗୋଟିଏ ଗାଆଁରେ ବୋଉ ବାପା ସେମାନଙ୍କ ଛଅ ବର୍ଷର ପୁଅ ସାଙ୍ଗରେ ରହୁଥିଲେ l ବାପା କାମରେ ବାହାରକୁ ଗଲେ ବୋଉ ପୁଅଟିର ଯତ୍ନ ନିଅନ୍ତି l ରାତିରେ ପୁଅ କାନ୍ଦିଲେ ଭୂତ ଆସିଲାଣି ଭୂତ ଆସିଲାଣି କହି ତୁନି କରେଇ ଦିଅନ୍ତି l ପିଲାଟି ଭୂତ ନାଆଁ ଶୁଣି ଡରିଯାଏ l ପ୍ରତିଦିନ ବୋଉ ରାତିରେ ପୁଅକୁ ଭୂତ ଗପ କହି ଶୁଆଇ ପକାନ୍ତି l ଗୋଟିଏ ପୁଅ ଥିବାରୁ ସେ ଭାରି ଗେହ୍ଲା ହୋଇଥାଏ l ସ୍ୱାମୀ ସ୍ତ୍ରୀ ଦୁଇଜଣ ଶିକ୍ଷିତ l ଘରେ ନିଜ ପୁଅକୁ ପାଠ ପଢ଼ାନ୍ତି l ପୁଅ ଯାହା ଦରକାର କରେ ସାଙ୍ଗେ ସାଙ୍ଗେ ଯୋଗାଇ ଦିଅନ୍ତି l ବୋଉ ବାପାଙ୍କ ଅତି ସ୍ନେହ ଆଉ ଯତ୍ନରେ ଶଶିକଳା ପରି ବଢ଼ୁ ଥାଏ l ଗେହ୍ଲା ପୁଅର ସବୁଗୁଡ଼ା ଜିଦି ପୂରଣ କରୁଥାନ୍ତି l ଚାହୁଁ ଚାହୁଁ ପୁଅକୁ ଆଠ ବର୍ଷ ହେଲା l ପୁଅ ଭଲ ପାଠ ପଢ଼ୁଥିବାରୁ ବାପା ଗାଆଁ ସ୍କୁଲରେ ଏକାଥରେ ପଞ୍ଚମ ଶ୍ରେଣୀରେ ନାଆଁ ଲେଖାଇ ଦେଲେ l ମେଧାବୀ ଛାତ୍ର ଥିବାରୁ ସାର ଓ ଦିଦି ମାନେ ତାକୁ ଖୁବ ଭଲ ପାଇବାକୁ ଲାଗିଲେ l ଅତି ସ୍ନେହରେ ସେମାନେ ତାର ଡାକ ନାଆଁ କଣ ପଚାରିଲେ l ପିଲାଟି ଉତ୍ତର ଦେଲା - ମୋ ନାଆଁ ରାଜୁ - ସେଇ ନାଆଁଧରି ସ୍କୁଲ ସାରା ସମସ୍ତେ ତାକୁ ମାଷ୍ଟର ରାଜୁ ବୋଲି ଡାକିବାକୁ ଲାଗିଲେ l


ପିଲାବେଳୁ ବୋଉଙ୍କ ଠାରୁ ଭୂତ ଗପ ଶୁଣି ଶୁଣି ମନ ଭିତରେ ଭୂତ ଦେଖିବା ପାଇଁ ରାଜୁ ମନରେ ପ୍ରବଳ ଇଚ୍ଛା ଆସିଲା l ବୟସ ବଢ଼ିବା ସହିତ ଭୂତ ଦେଖିବାର ରାଜୁର ଇଚ୍ଛା ଆହୁରି ବଢ଼ିବାକୁ ଲାଗିଲା l ରାଜୁକୁ ଦଶ ବର୍ଷ ଟପିଲା l ଦିନେ ବୋଉଙ୍କୁ ପଚାରିଲା, "ବୋଉ ମୋତେ କହ ଭୂତକୁ କେମିତି ଦେଖିବି l ଭୂତକୁ ଦେଖା କରି ତା ସହିତ କଥାବର୍ତ୍ତା କରି ପାରିବି l କୋଉ ଜାଗାରେ ଭୂତକୁ ଦେଖି ପାରିବି?" ରାଜୁର ଅଳି ବୋଉଙ୍କୁ ବ୍ୟସ୍ତ କରି ପକାଇଲା l ଯଦି ସେ ତାକୁ ଠିକ ଉତ୍ତର ନଦେଇ ପାରିବେ ତେବେ ରାଜୁ ଖାଇବା ପିଇବା ଛାଡ଼ିଦବ l ତେଣୁ ବୋଉ ଉତ୍ତର ଦେଲେ, " ମଶାଣିରେ ଭୂତ ରୁହନ୍ତି l ମଲା ମଣିଷର ଆତ୍ମା ଭୂତ ପାଲଟି ଯାଏ l ସାହସୀ ଲୋକ ଭୂତକୁ ଡରନ୍ତିନି l ସେଇ ଆତ୍ମା ଅତୃପ୍ତ ହୋଇ ଘୁରି ବୁଲନ୍ତି l ଭଲ ଲୋକର ଆତ୍ମା ଲୋକଙ୍କ ଉପକାର କରନ୍ତି l ଆଉ ଖରାପ ଲୋକର ଆତ୍ମା କ୍ଷତି କରନ୍ତି l ଏଥର ବୁଝିଲୁ ତ??? " ବୋଉଙ୍କ କଥା ରାଜୁ ମନକୁ ପାଇଲା l ବୋଉକୁ କହିଲା, " ହଁ ବୋଉ ଭୂତ ଦେଖିବାକୁ ଆମ ଗାଆଁ ମଶାଣୀକୁ ଦିନେ ରାତିରେ ଯିବି l " ରାଜୁର ଜିଦିଆ ଗୁଣ ଦେଖି ବୋଉ କହିଲେ, "ଜମା ଯାନା ତୁ ପିଲା ଲୋକ ଡରିବୁ l ବାପା ଜାଣିଲେ ବିଗିଡ଼ିବେ l" ରାଜୁ କହିଲା, " ହଉ ହେଲା ଯିବିନି "l ବୋଉ ମନ ବୁଝିବାକୁ ଆଉ ବାପାଙ୍କ ଗାଳି ନଶୁଣିବାକୁ ଏମିତି କହିଦେଲା ରାଜୁ l କିନ୍ତୁ ମନ ଭିତରେ କୌତୁହଳକୁ ବଜାୟ ରଖିଲା l ରାଜୁ ଜଣେ ସାହସୀ ପିଲା l ତାର ସାହସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି l କାହିଁକିନା ଦିନେ ଗୋଟାଏ ମାରଣା ଷଣ୍ଢର ସିଂଘ ଧରି ତାକୁ ଓଲଟେଇ ଦେଇଥିଲା l


ଏମିତି ପ୍ରାୟ ମାସେ ବିତିଗଲା l ଖରାଦିନ ଆସିଲା l ସେଦିନ ଅମାବାସ୍ୟା l ରାତି ନଅଟା l ରାଜୁ ରାତିରେ ଲୁଚି ମଶାଣିକୁ ଘରୁ ଖସି ପଳେଇଲା l ମଶାଣିରେ ଜୁଇ ଜଳୁଥାଏ ହୁତୁ ହୁତୁ ହେଇ l ହଠାତ ରାଜୁ ଲକ୍ଷ୍ୟ କଲା ଯେ ପାଞ୍ଚ ଜଣ ଲୋକ ଗୋଟାଏ ବଡ଼ ବସ୍ତାରୁ ସୁନା ଗହଣା କଂସା ବାସନ ଟଙ୍କା ବିଡ଼ା ଇତ୍ୟାଦି ବାହାର କରି ମଶାଣି ପାଖ ବରଗଛ ମୂଳେ ଗଣି ଚାଲିଥାନ୍ତି l ଏ ଘଟଣା ଦେଖି ତାର ଗୁରୁମାଙ୍କ କଥା ମନେ ପଡ଼ିଗଲା -- ଚୋରମାନେ ରାତିରେ ବୁଲନ୍ତି l ରାତି ଅଧରେ ଲୋକେ ଶୋଇଥିବା ଅବସ୍ଥାରେ ସେମାନଙ୍କ ଘରୁ ଜିନିଷ ପତ୍ର ଅଳଙ୍କାର ଆଦି ଲୁଟି ନିଅନ୍ତି ଓ ନିଜ ନିଜ ଭିତରେ ବାଣ୍ଟି ନିଅନ୍ତି l ପୋଲିସ ଚୋରକୁ ଧରି ଦଣ୍ଡ ଦିଅନ୍ତି -- ରାଜୁ ଏଥର ଜାଣିପାରିଲା ଯେ ସେମାନେ ଠାଉରିଆ ଚୋର l ରାଜୁ ମୁଣ୍ଡରେ ପଶିଲା, ଚୋରଙ୍କୁ ଦଣ୍ଡ ଦେବା ନିହାତି ଦରକାର l ତେଣୁ ଭୂତ ଦେଖା ଭୁଲିଯାଇ ସିଧା ତାଙ୍କ ଗାଆଁର ପୁଲିସ ଫାଣ୍ଡିକୁ ସିଧା ପଟପଟିଆ ଧାଇଁଲା l ରାତି ସେତେବେଳକୁ ଏଗାରଟା ପାଖା ପାଖି l ଦାରୋଗା ବାବୁ ଚୌକି ଉପରେ ବସି କଣ ଲେଖି ଚାଲିଥାନ୍ତି l ରାଜୁ ବାବୁଙ୍କୁ ନମସ୍କାର କଲା l ଏତେ ରାତିରେ ରାଜୁକୁ ଦେଖି ସେ ପଚାରିଲେ," କଣ ହେଲା ପୁଅ? ଧଇଁସଇଁ ହେଇ ଗଲୁଣି l ତୋ ଦେହରୁ ଗମଗମ ଝାଳ ବୋହୁଛି l ସେଇ ଚୌକି ଉପରେ ଟିକେ ବସିଯା lକଥା କଣ କହ l ମୋ ପାଖକୁ କାହିଁକି ଆସିଲୁ l କଣ ଅସୁବିଧା ହେଲା? " 


ଦାରୋଗା ବାବୁଙ୍କ ମୁହଁରୁ ଏ କଥା ଶୁଣି ରାଜୁର ସାହସ ଆସିଲା l ତେଣୁ ସେ ମଶାଣିରେ ଦେଖିଥିବା ଲୋକଙ୍କ ବିଷୟରେ ସବୁ ଟିକି ନିକି ଦାରୋଗା ବାବୁଙ୍କୁ ବତାଇ ଦେଲା l ତାପରେ ଦାରୋଗା ବାବୁ କହିଲେ, " ଠିକ ଅଛି ତୁ ଜଣେ ସାହସୀ ପିଲା l ଭଲ ଖବର ଦେଲୁ l ଶୀଘ୍ର ମଶାଣିରେ ପହଞ୍ଚିବା ଦରକାର l ଆଚ୍ଛା ତୁ ମୋ ଜିପରେ ଯାଇ ବସ l ଅନ୍ୟ ରୁମରେ ବିଶ୍ରାମ କରୁଥିବା କନେଷ୍ଟବଳ ପାଞ୍ଚ ଜଣଙ୍କୁ ଦାରୋଗା ବାବୁ ଡାକି ବନ୍ଧୁକ ଆଉ ହାତକଡ଼ି ରୁଲବାଡ଼ି ସବୁ ଜିପରେ ରଖିବାକୁ ଆଦେଶ ଦେଲେ l ସମସ୍ତେ ଗାଡ଼ିରେ ବସିଲା ପରେ ସେ ଗାଡ଼ି ଷ୍ଟାର୍ଟ କଲେ l ନିଜେ ଜିପ ଚଳେଇ ସିଧା ଯାଇ ମଶାଣିଲେ ଢୁକି ଗଲେ l ସେ ପର୍ଯ୍ୟନ୍ତ ଚୋରମାନଙ୍କ ହିସାବ କିତାବ ସରି ନଥିଲା l ରାଜୁ ଜିପ ଭିତରେ ବସିଲା l ଦାରୋଗା ଓ କନଷ୍ଟେବଳ ସେହି ଲୋକଙ୍କ ପାଖକୁ ଗଲେ l ଦାରୋଗା ରାଗି ଯାଇ କହିଲେ, " ଆବେ ଏତେ ରାତିରେ ଏଠି ବସି ତୁମେମାନେ ବସି କଣ କରୁଛ? ତୁମେ ସବୁ କିଏ? ତୁମ ଘର କୋଉଠି? " ଜେରା କରିବା ସହିତ ଲାଠି ମାଡ଼ ଖାଇ କାନ୍ଦି କାନ୍ଦି ସେହି ଲୋକମାନେ ସତ କଥା ମାନିଗଲେ ଯେ ସେମାନେ ପ୍ରକୃତରେ ଚୋର l ସେଇ ବସ୍ତା ଭିତରେ ସବୁ ଗୁଡ଼ା ଚୋରି ମାଲ l ଲାଠି ମାଡ଼ରେ ଚୋର ମାନେ ଥରିବାକୁ ଲାଗିଲେ l ତାପରେ କନଷ୍ଟେବଳମାନେ ଚୋର ଗୁଡ଼ାଙ୍କୁ ଥୋପେଇ ଥୋପେଇ ବସ୍ତା ସାଙ୍ଗରେ ଜିପ ଭିତରେ ପୁରେଇଲେ l ଥାନାକୁ ନେଇ ପୁଣି ସେମାନଙ୍କୁ ଦାରୋଗା ବାବୁ ଜେରା କଲେ l ଚୋରମାନେ ଚୋରା ମାଲ ଫେରାଇ ଦେବାକୁ ରାଜି ହୋଇଗଲେ l ଦାରୋଗା ବାବୁଙ୍କ ନିର୍ଦ୍ଦେଶ ଅନୁଯାୟୀ କନଷ୍ଟେବଳମାନେ ପୋଲିସ ଜିପରେ ଚୋରଙ୍କୁ ସାଙ୍ଗରେ ନେଇ , ବସ୍ତାକୁ ନଦି ଯେଉଁମାନଙ୍କ ଘରୁ ଚୋରି ହୋଇଥିଲା ସେମାନଙ୍କ ଜିନିଷ ଫେରାଇ ଦେବାକୁ ଚାଲିଗଲେ l ଏଣେ ଦାରୋଗା ବାବୁ ରାଜୁ ପିଠିରେ ଥାପୁଡ଼େଇ କହିଲେ, " ସାବାସ ବାହାଦୁର ବେଟା l କୋଉ ଶ୍ରେଣୀରେ ପାଠ ପଢ଼ୁଛୁ? ତମ ସ୍କୁଲ ନା କଣ? ତୁମ ଘର କୋଉଠି? ତୁମ ବାପାଙ୍କ ନା କଣ "? ରାଜୁ ତାଙ୍କ ପ୍ରଶ୍ନର ରୋକ ଠୋକ ଜବାବ ଦେଲା l ରାଜୁ ଠାରୁ ସବୁ ଉତ୍ତର ଶୁଣି ଦାରୋଗା ବାବୁ ଭାରି ଖୁସି ହୋଇଗଲେ l


ଦାରୋଗା ବାବୁ ପୁଣି ପଚାରିଲେ," ଆଚ୍ଛା ପୁଅ କହିଲୁ ତୁ ଏତେ ରାତିରେ କାହିଁକି ଯାଇଥିଲୁ? ଘରୁ କଣ ରୁଷି କି ଚାଲିଆସିଲୁ କି? " ରାଜୁ ଉତ୍ତର ଦେଲା, " ପିଲାବେଳୁ ମାଆଙ୍କ ଠାରୁ ଭୂତ ଗପ ଶୁଣି ଶୁଣି ଭୂତ ଦେଖିବାକୁ ଭାରି ଇଚ୍ଛା ହେଲା l ତେଣୁ ଘରେ ନକହି ପଳାଇଆସିଥିଲି l " ଦାରୋଗା ବାବୁ କହିଲେ, " ଆରେ ମଲା ଭୂତ ଦେଖି କଣ ମିଳିଥାନ୍ତା ତତେ? ତୁ ତ ଜିଅନ୍ତା ଭୂତ ଦେଖିଲୁ ଆଉ ଭୂତଗୁଡ଼ାଙ୍କୁ ପୋଲିସ ହାତରେ ଧରେଇ ଦେଇ ଖୁବ ଭଲ କାମ କଲୁ l ଠିକ କରିଛୁ l ତୁ ବଡ଼ ହେଲେ ଜଣେ ପୋଲିସ ଅଫିସର ହେବୁ l ମୁଁ ତୋତେ ଆଶୀର୍ବାଦ କରୁଛି l ଆଚ୍ଛା ରାତି ବେଶୀ ହେଲାଣି l ଘରେ ଖୋଜୁଥିବେ l ମୋ ମଟର ସାଇକେଲ ପଛରେ ବସ l ମୁଁ ତୋତେ ତମ ଘରେ ଛାଡ଼ିଦେବି ଆଉ ତୋ ବାପାମାଙ୍କ ସହିତ କଥା ହେବି l କାଲି ତୁମ ସ୍କୁଲକୁ ଯାଇ ତୁମ ଗୁରୁ ଗୁରୁମାଙ୍କ ସହିତ ଦେଖା କରି ତୋ ବିଷୟରେ କହିବି l " ଦାରୋଗାବାବୁଙ୍କ କଥା ଶୁଣି ରାଜୁ ମନ ଆହୁରି ଖୁସି ହୋଇଗଲା l ଡେଇଁ ପଡ଼ି ବାଇକର ପଛ ସିଟରେ ବସି ପଡ଼ିଲା l ଦାରୋଗା ବାବୁ ତାକୁ ଘରେ ବାପାମାଙ୍କ ଜିମା ଦେଇ କହିଲେ, " ଆପଣଙ୍କ ପୁଅ ରାଜୁ ଖୁବ ଭଲ ପିଲା l ଆଜି ଚୋର ଧରେଇ ଦେଇଛି l ଆମର କର୍ତ୍ତବ୍ୟର ମର୍ଯ୍ୟାଦା ରଖିଛି l ତେଣୁ ଆପଣଙ୍କୁ ଅନୁରୋଧ ତାକୁ ବାଡ଼ା ବାଡ଼ି କରିବେନି " ରାଜୁର ବାପା ଦାରୋଗା ବାବୁଙ୍କ କଥାରେ ରାଜି ହୋଇ ଟିକେ ଚାହା ଜଳଖିଆ ସେବନ କରିବାକୁ ଅନୁରୋଧ କଲେ l ମାତ୍ର ଦାରୋଗା ବାବୁ ଫାଣ୍ଡିରେ କେହି ନାହାନ୍ତି କହି ଫେରିଗଲେ l


ସକାଳ ହେଲା l ଦିନ ଏଗାରଟା ବେଳେ ଦାରୋଗା ବାବୁ ରାଜୁର ସ୍କୁଲରେ ପହଞ୍ଚି ତାଙ୍କ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟି ରାଜୁର ସାହାସିକତା ବିଷୟରେ କହିଲେ l ରାଜୁକୁ ଶ୍ରେଣୀ ଗୃହରୁ ଡାକି କାଡବରିଜ ଚକୋଲେଟ ଓ ମୋନାକୋ ଲୁଣି ବିସ୍କୁଟ ଦୁଇ ପ୍ୟାକେଟ ଦେଲେ ଏବଂ ପ୍ରଧାନଶିକ୍ଷୟିତ୍ରୀଙ୍କ ଦ୍ଵାରା ଚା ଜଳଖିଆରେ ଆପ୍ୟାୟିତ ହୋଇ ନିଜ ଫାଣ୍ଡିକୁ ଫେରି ଗଲେ l ତାପରେ ସ୍କୁଲର ସମସ୍ତ ଗୁରୁ ଗୁରୁମାଆ ରାଜୁକୁ ଖୁବ ପ୍ରଶଂସା କଲେ l ପରେ ପରେ ସ୍କୁଲର ମ୍ୟାନେଜିଙ୍ଗ ଡିରେକଟରମାନଙ୍କୁ ଜଣାଇ ରାଜୁ ପାଇଁ ଏକ ପ୍ରଶଂସା ପତ୍ର ସ୍କୁଲ ତରଫରୁ ପ୍ରଦାନ କଲେ l ସେହି ଦିନଠାରୁ ଗାଆଁ ଵାଲା ବନ୍ଧୁ ବାନ୍ଧବ ଗୁରୁଜନ ଓ ଗୁରୁ ଗୁରୁମାଆମାନେ ସମସ୍ତେ ଖୁସିରେ ରାଜୁକୁ " ହିରୋ ରାଜା " ନାଆଁରେ ଡାକିବାକୁ ଲାଗିଲେ l ସେ ମାଷ୍ଟର ରାଜୁ ନାଆରୁ ହିରୋ ରାଜା ନାଆଁରେ ଗାଆଁ ସାରା ପ୍ରସିଦ୍ଧ ହୋଇଗଲା l ଭଲ ପାଠ ପଢ଼ି ଶ୍ରେଣୀରେ ସର୍ବଦା ଫାଷ୍ଟ ହେଲା l ଭଲ ପିଲାର ଭଲ ବୁଦ୍ଧିକୁ ସମସ୍ତେ ଭୁରି ଭୁରି ପ୍ରଶଂସାଗାନ କରନ୍ତି l ଅନ୍ୟ ଡରୁଆ ଛାତ୍ର ଛାତ୍ରୀମାନଙ୍କୁ ହିରୋ ରାଜୁର ଉଦାହରଣ ଦେଇ ଗୁରୁଗୁରୁମାମାନେ ସେମାନଙ୍କ ମନରେ ସାହସ ଭରି ଦେଲେ l ରାଜୁର ସମାଜ ସେବା ଗୁଣରେ ସମସ୍ତ ଛାତ୍ର ଛାତ୍ରୀଗଣ ପ୍ରଭାବିତ ହୋଇ ସ୍କୁଲର ତଥା ପିତାମାତାଙ୍କ ନାଆଁ ରଖିଲେ l



Rate this content
Log in