Sanuja Meghamala

Others


3  

Sanuja Meghamala

Others


ମାନସିକତା

ମାନସିକତା

5 mins 11.3K 5 mins 11.3K


ବେଡ୍ ପାଖରେ ଠିଆ ହୋଇ ରୋଗୀର ଗତ କାଲି ରାତିର ରିପୋଟ ଚାଟଟା ଦେଖି..ପେସେଣ୍ଟ ବିଷୟରେ ଦାୟିତ୍ଵରେ ଥିବା ନର୍ସଙ୍କ ସହିତ ଆଲୋଚନା କଲା ବେଳେ ବିଭୂତି ବାବୁ ଡକ୍ଟର ବିଜୟଙ୍କ ହାତଟାକୁ ଜୋରରେ ଭିଡ଼ି ଧରି ଥିଲେ.।ଆଇ ସି ଇଉରେ ଉପସ୍ଥିତ ଥିବା ନର୍ସ ଏବଂ ରେଶିଡେନସିଆଲ୍ ଡକ୍ଟର ମଧ୍ୟ କିଛି ଅସୁବିଧା ହେଲା ବୋଲି ଭାବି ଆସି ସେଠାରେ ଉପସ୍ଥିତ ହୋଇ ଗଲେ । ସମ୍ପୂର୍ଣ୍ଣ ଶରୀର ତାଙ୍କର ଆପ୍ରନ ଭିତରେ ଅଛି ମୁହଁଟି ମଧ୍ୟ ମାସ୍କ ଭିତରେ ତଥାପି ବିଭୂତି ବାବୁ ତାଙ୍କୁ ଚିହ୍ନି ପାରିଲେ ! ଡକ୍ଟର ବିଜୟ ହଡବଡେଇ ଗଲେ....।ହାତଟା ଖସେଇ ଦେଇ ଆଗକୁ ଚାଲିଯିବେ କି ତାଙ୍କ ସହିତ କଥା ହେବେ ସ୍ଥିର କରି ପାରୁ ନ ଥାଆନ୍ତି..।ଏଇ ସମୟରେ ବିଭୂତି ବାବୁ ଧୀର ଭାବରେ କହିଲେ ...ପାରିବ ତ ମୋତେ କ୍ଷମା କରିଦେବ ବିଜୟ ।

ଆଗକୁ ଚାଲି ଯାଉଥିବା ବିଜୟ ବାବୁ ପଛକୁ ଫେରିଯାଇ ତାଙ୍କ ହାତ ଧରି ପକେଇଲେ ସେମିତି କୁହନ୍ତୁ ନାହିଁ ମଉସା....ଆପଣା ମୋ ବାପାଙ୍କ ପରି..।ଆପଣଙ୍କୁ ବେଶୀ କଥା କହିବା ମନା ....ତା ଛଡା ଆପଣ ହୁଏତ ମୋତେ ଦେଖି ବିରକ୍ତ ହୋଇ ଯାଇପାରନ୍ତି ତେଣୁ ମୁଁ ଫେରି ଯାଉଥିଲି.. ଆପଣ ଟିକେ ସୁସ୍ଥ ହେଇ କ୍ୟାବିନକୁ ଆସିଲେ କଥା ହେବା..। ଆପଣଙ୍କ ବାଇପାସ ସର୍ଜରୀଟା ମୁଁ କରିଛି..ଏବେ ଯେତେ ଦିନ ହସ୍ପିଟାଲ୍ରେ ରହିବେ ମୁଁ ଆପଣଙ୍କୁ ଦେଖିବାକୁ ଆସିବି..। ଆପଣ ରେଷ୍ଟ ନିଅନ୍ତୁ..ଏବଂ ସୁସ୍ଥ ହୋଇ କିପରି ଶୀଘ୍ର ଘରକୁ ଫେରିବେ ସେ କାମ ଆମର..।

ବେଡରୁ ଅଳ୍ପ ଉଠି ବିଭୂତି ବାବୁ କହିଲେ ତମର ବେଶୀ ସମୟ ନେଵିନି..ବିଜୟ...। ତମ ସହିତ ଦି ପଦ କଥା ହେବି କେମିତି ଆରମ୍ଭ କରିବି ଜାଣି ପାରୁନି..ତମ ଯତ୍ନ ତମ ସେବା ଦେଖି ମୋ ମୁଣ୍ଡ ତଳକୁ ହେଇ ଯାଉଚି ।.ତମେ କେଉଁ ଉପାଦାନରେ ଗଢା ..ମୋ ମିଛ ଅହଙ୍କାରରେ ମୁଁ ତମକୁ ତମ ବାପାଙ୍କୁ ଏତେ ଅପମାନିତ କଲା ପରେ ବି ତମେ ମୋର ଚିକିତ୍ସା କରି ପୁଣି ଥରେ ଜୀବନ ଦାନ କରିଛ..ତୁମ ହାତରେ ଥିଲା ତମେ ଚନିଥିଲେ ମୋତେ ମାରି ଦେଇ ପାରିଥାନ୍ତ। ଏବେ ଭାବିଲେ ମୁଁ ନିଜ ଆଗରେ ନିଜେ ଛୋଟ ହେଇ ଯାଇଛି...। ମୋତେ ଭୁଲ୍ ପ୍ରମାଣିତ କରି ତୁମେ ମୋର ସବୁ ଗର୍ବ ଅହଙ୍କାରକୁ ମାଟିରେ ମିଶେଇ ଦେଲ..।

ଡକ୍ଟର ବିଜୟ ଟିକେ ଭାବ ବିହ୍ୱଳ ହୋଇଗଲେ...ମୁଁ ଆପଣଙ୍କ ପାଇଁ କିଛି କରିନି. ଆଜ୍ଞା...ଜଣେ ଡାକ୍ତର ହିସାବରେ ମୁଁ ମୋ ଧର୍ମ ଏବଂ କର୍ତ୍ତବ୍ୟ ପାଳନ କରିଚି.ଆଜି ଆପଣ ନ ହୋଇ ଆଉ କିଏ ହୋଇ ଥିଲେ ମଧ୍ୟ ଏତିକି ଯତ୍ନ ନେଇଥାନ୍ତି... ମୁଁ ନ ହୋଇ ମଧ୍ୟ ଅନ୍ୟ ଯେ କୌଣସି ଡାକ୍ତର ଆପଣଙ୍କର ଟ୍ରିଟମେଣ୍ଟ କରୁଥିଲେ ଏମିତି ହିଁ କରି ଥାଆନ୍ତେ..।ଚିକିତ୍ସା କଲା ବେଳେ ରୋଗୀ ଏବଂ ରୋଗ ସହିତ ଡାକ୍ତରର ସମ୍ପର୍କ..ଅତି ଘନିଷ୍ଠ...। ଜଣେ ଡାକ୍ତର ପାଇଁ ଧନୀ ଗରିବ ସମସ୍ତେ ସମାନ.ଡାକ୍ତର ରୋଗୀଙ୍କୁ ନିଜ ଚିକିତ୍ସା ଦ୍ବାରା ସୁସ୍ଥ କରି ପାରିଲେ.. ତା ପରିଶ୍ରମ ସଫଳ ହୁଏ.....ଆମର ବ୍ୟକ୍ତିଗତ ସମ୍ପର୍କ କିଛି ହୋଇପାରେ କିନ୍ତୁ ପେଶାକୁ ଦେଖିଲେ ଆପଣ ଜଣେ ରୋଗୀ ଏବଂ ମୁଁ ଜଣେ ଡାକ୍ତର..। ସେବା ଡାକ୍ତରଙ୍କ ଧର୍ମ। ଆପଣଙ୍କ ପାଇଁ ମୁଁ ଅଧିକ କିଛି କରିନି..। ଏସବୁ ସତ୍ୱେ ଯାହା ହେଲେ ବି ଆପଣ ଆମ ଗାଁର ଲୋକ , ତା ଠାରୁ ଗୁରୁତ୍ଵ ପୂର୍ଣ୍ଣ ହେଲା ଆପଣ ରାଗିଣୀର ବାପା.…।, ତାଙ୍କ ପାଟି ଶେଷ କଥା ବେଳକୁ ଟିକେ ଭାରି ଭାରି ହୋଇଗଲା..ଆପଣ ସେ ପଛ କଥା ଭୁଲି ଜାନ୍ତୁ...ଏବେ ଟିକେ ବିଶ୍ରାମ ନିଅନ୍ତୁ..ମୁଁ ଆସୁଛି ,ନମସ୍କାର କହି ଆଇସି ଇଉରୁ ବାହାରି ଯାଇ..ନିଜ କେବିନି ଭିତରେ ଚୁପ୍ ହୋଇ ବସି ପଡ଼ିଲେ ବିଜୟ...।

ସେ ତ ବିଭୂତି ବାବୁଙ୍କୁ ପଛ କଥା ଭୁଲି ଯିବାକୁ କହିଦେଲେ..ନିଜେ ଭୁଲି ପାରିଛନ୍ତି କି,?ରାଗିଣୀର ନାଆଁ ଉଚ୍ଚାରଣ କରିବା ମାତ୍ରେ ସେ ଯେମିତି ଶକ୍ତି ରହିତ ହୋଇଗଲେ.. .ପଛକୁ ଫେରିଗଲେ... ଦିନଥିଲା ରାଗିଣୀକୁ ନେଇ ମେଞ୍ଚା ମେଞ୍ଚା ସ୍ବପ୍ନ ତାଙ୍କୁ ଶୋଇ ଦେଉନଥିଲା..।ଗାଆଁ ସ୍କୁଲ୍ରେ ପାଠ ପଢିଲା ବେଳର ଦୁର୍ବଳତା କଲେଜ ବେଳକୁ ଏକ ପ୍ରକାର ନିଶା ହୋଇ ଯାଇଥିଲା... ତଥାପି ..ସାହସନଥିଲା. ଗାଁର ସମ୍ଭ୍ରାନ୍ତ ବିଭୂତି ମହାପାତ୍ରଙ୍କ ଝିଅକୁ .ସେ.କେମିତି ପ୍ରେମ ନିବେଦନ କରିବ..। ବିଭୂତି ବାବୁଙ୍କୁ ଦେଖିଲେ ଲୋକ ମାନେ ସାତ ହାତ ଦୂରରୁ ବସିବା ଜାଗାରୁ ଉଠି ଠିଆ ହେଉଥିଲେ....ଆଉ ତା ବାପା ରାଜୁ ଓରଫ ରାଜକିଶୋର ସାମଲ ଗାଆଁ ଉଚ୍ଚ ବିଦ୍ୟାଳୟରେ ପିଅନଟେ..। ଆକାଶ ପାତାଳର ଫରକଟା ବାରି ହେଇ ପଡୁଥିଲା..।ସେ କିପରି ସାହସ କରିବ ନିଜର ଭଲ ପାଇବାକୁ ପ୍ରକାଶ କରିବାକୁ। ମନକୁ ଲଗାମ ଦେଇ ଆଗେଇ ଯିବାକୁ ଚାହୁଁଥିଲା..।ବାପାଙ୍କ ସ୍ବପ୍ନ ପୂରଣ ପାଇଁ ତାକୁ ଯେମିତି ହେଲେପାଠ ପଢି ଡକ୍ଟର ଟିଏ ହେବା ପାଇଁ ସବୁ ପ୍ରଚେଷ୍ଟା କରିବାକୁ ପଡ଼ିବ..। ବୋଉ ଦେହ ଖରାପ ବେଳେ ତା ବାପା ପଇସା ଯୋଗାଡ଼ କରି ପାରିନଥିଲେ... ଉପଯୁକ୍ତ ଚିକିତ୍ସା ଅଭାବରୁ ସବୁଦିନ ପାଇଁ ବୋଉ ଆରପାରିକୁ ଚାଲିଗଲା..।ବାପା ତାକୁ ଉଭୟ ବାପା ମାର ସ୍ନେହ ଦେଇ ପାଳିଚନ୍ତି.. ତା ଖୁସି ପାଇଁ ଦ୍ଵିତୀୟ ବିବାହ କରିନାହାନ୍ତି..।ବାପାଙ୍କ ସ୍ବପ୍ନ ତାର ସ୍ବପ୍ନ... ବାପାଙ୍କ ଖୁସି ମଧ୍ୟ ତାର ଖୁସି..।ସେ ରାଗିଣୀକୁ ମନରୁ ବାହାର କରି ଦେବା ଉଚିତ ବୋଲି ଭାବି ଆଗକୁ ବଢିଲା ବେଳେ ଦିନେ ତାକୁ ଆଶ୍ଚର୍ଯ୍ୟ କରି ରାଗିଣୀ ନିଜେ ହିଁ କହିଥିଲା ସେ ଭଲ ପାଏ ବୋଲି.... ।

.ବିଜୟ ବିଶ୍ୱାସ କରି ପାରିନଥିଲା ..କହିଲା..ଭଲ କରି ଭାବି ଦେଖ ରାଗିଣୀ..ତମ ମୋ ଭିତରେ ଅନେକ ଫରକ୍..ଆମେ ଭଲ ବନ୍ଧୁ ହୋଇ ପାରିବା.କିନ୍ତୁ ପ୍ରେମ କରି ସାରା ଜୀବନ ଏକାଠି ହୋଇ ରହିବା ସଂକଳ୍ପ ହୁଏତ ପୂରଣ ହେବା ଏତେ ସହଜ ନୁହେଁ.।. ସବୁ ଇଚ୍ଛା ସବୁ ଆଶା ପୂରଣ ହୁଏନି..ଭବିଷ୍ୟତରେ କଷ୍ଟ ପାଇବା ଅପେକ୍ଷା ଏବେ ନିଜକୁ ଦୂରେଇ ରଖିଲେ ଭଲ ହେବ..।

ରାଗିଣୀର ସଂକ୍ଷିପ୍ତ ପ୍ରଶ୍ନ ଥିଲା ତମେ ମୋତେ ଭଲ ପାଅ ?

ବିଜୟ କିଛି କହିବା ପୂର୍ବରୁ ସେ କହିଲା ମୁଁ ଜାଣେ ତମେ ସାହସରେ କହିପାରିବ ନାହିଁ.. ତା ହାତଟାକୁ ଜୋରରେ ଭିଡ଼ି ଧରି କହିଲା ଏବେ ଶୁଣ ! ..ଭଲ ପାଉଛି ମାନେ ଭଲ ପାଉଥିବି..ତୁମ ବ୍ୟତୀତ ଆଉ କେହି ମୋ ଜୀବନରେ ଆସିବେ ନାହିଁ..। .ସେହି ଅଳ୍ପ ସମୟର ଗୋଟେ ଛୋଟ ପ୍ରତି ଶୃତି ଜୀବନର ପଥକୁ ବଦଳେଇ ଦେଇଥିଲା..... ସେମାନଙ୍କ ସମ୍ପର୍କ ବଢ଼ି ଚାଲିଥିଲା.ଆଗକୁ ଆଗକୁ...।ବିଜୟ ଡାକ୍ତରୀ ପାଠ ପଢାରେ ବ୍ୟସ୍ତ ରହିଲା..ଭାବିଥିଲା..ଡାକ୍ତର ଟିଏ ହୋଇ ଗଲେ ସେମାନଙ୍କ ସମ୍ପର୍କକୁ ସହଜରେ ସୀକୃତି ମିଳି ଯିବ..ବିଭୂତି ବାବୁଙ୍କ ପରିବାରରେ । ସମୟ ଗଡ଼େଇ ଦେବା ଯୋଜନା କରି . ରାଗିଣୀ ମଧ୍ୟ ଗଲା ପଣ୍ଡିଚେରୀ ତାର ଉଚ୍ଚ ଶିକ୍ଷା ପାଇଁ..।..ବିଜୟ ଉଚ୍ଚ ଶିକ୍ଷା ସମାପ୍ତ କରି ଚାକିରୀ କରି ବା ପର୍ଯ୍ୟନ୍ତ ଅପେକ୍ଷା କରିବ ।..।ପରସ୍ପର ଭିତରେ ସୁନ୍ଦର ବୁଝାମଣା ଥିଲା ଭବିଷ୍ୟତ ପାଇଁ।

ଝିଅର ବାହାଘର ପାଇଁ ବ୍ୟସ୍ତ ବିଭୂତି ବାବୁ ଭଲ ଭଲ ପ୍ରସ୍ତାବ ଆସିବା ଦେଖି ବାହାଘର କାମଟା ଯଥା ଶୀଘ୍ର ସାରିଦେବାକୁ ଉଚିତ୍ ମଣିଲେ,। ପ୍ରସ୍ତାବ ଆଗକୁ ବଢିଲା ପରେ ସତ ସାମନାକୁ ଆସିଗଲା..।ଝିଅ ରାଗିଣୀ ବାପାଙ୍କ ମୁହଁ ଉପରେ ଦମ୍ଭର ସହିତ କହିଲା ଯେ ସେ ବାହା ହେବ ତ କେବଳ ବିଜୟକୁ...ସେତେବେଳେ ବିଭୂତି ବାବୁଙ୍କ ଅହଂକାରୀ ପିତୃତ୍ଵଟା ହାର ମାନିଯିବ କେମିତି..? ବିଜୟ ହୋଇପାରେ .. ଜଣେ ସୁଛାତ୍ର ..ହୋଇପାରେ ଡାକ୍ତର.. ପି.ଜି. କରୁ ଥାଇ ପାରେ .କିନ୍ତୁ ବିଭୂତି ବାବୁଙ୍କ ପରିବାର ଆଗରେ ତାର ଓଜନ କେତେ? ଗୋଟେ ପିଅନର ପୁଅ..ଚାରି ଖଣ୍ଡ ଗାଆଁରେ ତାଙ୍କର ଯେଉଁ ସମ୍ମାନ ସେ ରାଜୁ ସାମଲର ପୁଅ ସହିତ ଝିଅ ବାହା ଦେଇ ତାକୁ ସମୁଦୀ ବୋଲି ଡ଼ାକିବେ..ସେ ବଞ୍ଚିଥାଉଁ ଥାଉଁ ସେମିତି କରେଇଦେବେନି..। ସମ୍ମାନ ତାଙ୍କର ମାଟିରେ ମିଶିଯିବ...।

 କ୍ରମଶଃ ସେ ଯେଉଁଠି ରାଜୁକୁ ଦେଖିଲେ ଗାଳିଦେବା ଆରମ୍ଭ କଲେ..ପୁଅକୁ ଲଗେଇ ସମ୍ପତ୍ତି ହଡ଼ପ କରି ଧନୀ ହେବା ଲୋଭରେ ଗୋଟେ ବଡ଼ ଯୋଜନା କରି ତାଙ୍କ ଝିଅକୁ ଫସେଇ ଦେଇଛନ୍ତି..।ବିଜୟ ମଧ୍ୟ ତାଙ୍କ ଆକ୍ରୋଶରୁ ବଞ୍ଚି ପାରିଲାନି..।ବାରମ୍ବାର ବିଭୂତି ବାବୁଙ୍କ ଦ୍ଵାରା ଅପମାନିତ ହେଲା ପରେ ବିଜୟ ବାଧ୍ୟ କଲା ରାଗିଣୀକୁ ବିଭୂତି ବାବୁଙ୍କ କଥା ମାନି ଅନ୍ୟତ୍ର ବାହା ହେବାକୁ..।ସ୍ଵାଭିମାନୀ ରାଗିଣୀ କିଛି ନ କହିଲେ ମଧ୍ୟ ବିଜୟ ସହିତ ସମସ୍ତ ସମ୍ପର୍କ ଭାଙ୍ଗି ଦେଲା..ଯଦି ସେ ଝିଅଟେ ହୋଇ ନିଜ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ପାରିଲା..ତେବେ 

ପୁଅଟେ ହୋଇ ବିଜୟ ତାକୁ ଗ୍ରହଣ କରିବା ବଦଳରେ ଅନ୍ୟତ୍ର ବିବାହ କରିବା ପରାମର୍ଶକୁ ସେ ଗ୍ରହଣ କଲା ନାହିଁ..।ବାପାଙ୍କ ଜିଦ୍ଦିକୁ ଝିଅର ଜିଦ୍ଦି ବାପାଙ୍କୁ ରୋକ୍ ଠୋକ୍ ମନା କରିଦେଲା ସେ ବାହା ହେବ ନାହିଁ..। ବିଜୟକୁ ନୁହେଁ କି ଅନ୍ୟ କେଉଁଠି ନୁହେଁ । ସେବେଠାରୁ ରାଗିଣୀ ବାପା ମା ଏବଂ ବିଜୟ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ଏକୁଟିଆ ରହିଛି. ପଣ୍ଡିଚେରୀରେ ।

ଡକ୍ଟର ବିଜୟ ଆଖି ବନ୍ଦ କରି ଭାବୁଥିଲେ..ଆଗକୁ କଣ ହେବ.?ପ୍ରକୃତରେ ତାକୁ କଣ କହିବାକୁ ଚାହୁଁଛନ୍ତି ବିଭୂତି ମଉସା..।

ସେ ଏବେ ନିଜ ମତ ପରିବର୍ତ୍ତନ କରି ରାଗିଣୀ ସହିତ ତା ସମ୍ପର୍କକୁ ସ୍ବୀକାର କରିବେ କି?ଏତେ ଦିନ ହେଲା ଅଭିମାନରେ ସମ୍ପର୍କ କାଟି ଦେଇଥିବା ରାଗିଣୀ କଣ୍ ଆଉ ଥରେ ଫେରି ଆସିବ ତାଙ୍କ ଜୀବନରେ ଖୁସିର ଫଗୁଣ ବିଞ୍ଚି ଦେବାକୁ..?

ଡୋରରେ ନକ୍ ହେଇଥିବା ଜାଣି ସେ ଅନ୍ୟମନସ୍କ ଭାବେ କହି ଦେଲେ.. ୟେଶ୍...କମ୍ ଇନ। ଭିତରକୁ ମୁହଁ ପୋତି ପଶି ଆସୁଥିବା ମହିଳାଙ୍କୁ ଦେଖି ଠିଆ ହୋଇ ଗଲେ..ତାଙ୍କ ପାଟିରୁ ବାହାରି ପଡ଼ିଲା..ରା ...ଗି.. ଣୀ....।

ମୋ ବାପାଙ୍କ ଜୀବନ ବଞ୍ଚେଇ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଡକ୍ଟର ବିଜୟ ସାମଲ..ଏତିକି କହି ଯେମିତି ଝଡ ବେଗରେ ଭିତରକୁ ପଶିଥିଲା ସେମିତି ପବନ ବେଗରେ ବାହାରକୁ ବାହାରି ଗଲା ରାଗିଣୀ..। ତା ଯିବା ବାଟକୁ ଚାହିଁ କିଛି ବୁଝି ପାରୁନଥିଲେ..ବିଜୟ କଣ୍ ଥିଲା ରାଗିଣୀର ଏ ବ୍ୟବହାରର ମାନେ..ରାଗ..ଅଭିମାନ

...ଅହଙ୍କାର... ନା ଘୃଣା..।ପହଞ୍ଚି ପାରୁନଥିଲେ ରାଗିଣୀର ମାନସିକତା ପର୍ଯ୍ୟନ୍ତ..।




Rate this content
Log in