Dharitri Das

Children Stories Inspirational

4.0  

Dharitri Das

Children Stories Inspirational

ମାନବିକତା

ମାନବିକତା

3 mins
214


   ଦିନକର କଥା କୁନା ଓ ମୁନା ଦୁହେଁ ଚାଲି ଚାଲି ଘରଠାରୁ ବିଦ୍ୟାଳୟ ଯାଉଥିଲେ । ଯାଉଯାଉ ବାଟରେ ଦେଖିଲେ ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଲହୁଲୁହାଣ ହୋଇ ଛଟପଟ ହେଉଥିଲା । ତାର ସ୍ୱର ଧିରେଧିରେ କ୍ଷୀଣ ହେବାକୁ ଲାଗୁଥିଲା। ଏ ଦୃଶ୍ୟରେ ବ୍ୟତିବ୍ୟସ୍ତ ହୋଇ କୁନା ଧାଇଁଗଲା ପାଖକୁ ଏବଂ ପାଖ ଟ୍ୟୁବ୍ ୱେଲରୁ ପାଣି ଆଣି ପିଇବାକୁ ଦେଲା । ତାପରେ ରାସ୍ତା ଉପରେ ଛିଡା ହୋଇ ଲୋକଟିକୁ ମେଡିକାଲ ନେବା ପାଇଁ ହାତ ହଲାଇ ଗାଡି ଅଟକାଇବାକୁ ଚେଷ୍ଟା କରୁଥିଲା, ହେଲେ କୌଣସି ବି ଗାଡିବାଲା ତାକୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ। ଏସବୁ ଦେଖି ମୁନା କହୁଥିଲା ସାଙ୍ଗ ବଡ଼ବଡ଼ ଲୋକମାନେ ଅଣ ଦେଖା କରି ଚାଲିଯାଉଥିଲା ବେଳେ ଆମେ ଛୋଟପିଲା ଦୁଇଜଣ କ'ଣ କରିବା, ଚାଲ ବିଦ୍ୟାଳୟକୁ ପଳାଇବା। କୁନା କିନ୍ତୁ ଅଲଗା ରାଇଜରେ ଥିଲା, ମୁନାର କଥା ତାକୁ କିଛି ଶୁଭୁନଥିଲା। ସେ ଚାରିଆଡ଼କୁ ଆଖି ବୁଲାଉଥିଲା । ଶେଷରେ ସେ ଦେଖିଲା କିଛି ଦୂରରେ ଗୋଟିଏ ଟ୍ରଲି ଥୁଆ ହୋଇଥିଲା । ତେଣୁ ସେ ଧାଇଁଯାଇ ଟ୍ରଲିଟିକୁ ନେଇ ଆସିଲା । ଦୁହେଁ ମିଶି ବହୁତ କଷ୍ଟରେ ଲୋକଟିକୁ ଉଠାଇ ଟ୍ରଲି ଉପରେ ପକାଇ ଠେଲିଠେଲି ନେଇ ମେଡିକାଲରେ ପହଞ୍ଚିଥିଲେ ।

ଡାକ୍ତରଖାନା ଦୁଆର ମୁହଁରେ ପହଞ୍ଚିବା କ୍ଷଣି ସ୍ୱାସ୍ଥ୍ୟକର୍ମୀମାନେ ଧାଇଁ ଆସି ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଯାଇଥିଲେ। ଡାକ୍ତର ମଧ୍ୟ ସଙ୍ଗେସଙ୍ଗେ ଚିକିତ୍ସା ଆରମ୍ଭ କରିଦେଇଥିଲେ। ଦୁଇଘଣ୍ଟା ପରେ ଲୋକଟିର ଚେତା ଫେରିଥିଲା । ଦୁର୍ଘଟଣା ଜନିତ ସମସ୍ୟା ଥିବାରୁ ପୋଲିସ ଆସି ପହଞ୍ଚିଥିଲେ । ପିଲା ଦୁଇଟିକୁ କିଛି ପଚରାଉଚରା କରି ତାଙ୍କୁ ଧନ୍ୟବାଦ ଦେଇ ନେଇ ବିଦ୍ୟାଳୟରେ ଛାଡ଼ିଥିଲେ।

   ଏଣେ ଲୋକଟିର ଚେତା ଫେରିବା ପରେ ପୋଲିସ ତାଙ୍କୁ ପଚାରି ବୁଝିଥିଲେ ଯେ ସେ ବ୍ୟକ୍ତି ଜଣକ ସେ ଅଞ୍ଚଳରେ ନୂଆକରି ଆସି ଭଡ଼ାଘରେ ରହୁଥିଲେ। ତାଙ୍କର ନିଜର ବୋଲି କେହିନଥିଲେ। ତାଙ୍କୁ ଏକ ଟ୍ରକ ବାଡେଇ ଦେଇ ଚାଲିଗଲା। ସେତେବେଳେକୁ ତାଙ୍କର ଚେତା ଥିଲା। ସେ କେତେ ଲୋକଙ୍କୁ ସାହାଯ୍ୟ ମାଗିଥିଲେ ବି ପୋଲିସ କେଶ କହି କେତେ ଲୋକ ମୁହଁ ଫେରାଇ ନେଇଥିଲେ। ତାପରେ ସେ ବେହୋସ ହୋଇ ଯାଇଥିଲେ।

ଟିକେ ସୁସ୍ଥହେବା ପରେ ସେ ଡାକ୍ତରବାବୁ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପଚାରି ବୁଝିଥିଲେ ଯେ ପାଖ ବିଦ୍ୟାଳୟର ଦୁଇ ଜଣ ଛାତ୍ର, କୁନା ଓ ମୁନା ତାଙ୍କୁ ଟ୍ରଲିରେ ପକାଇ ଡାକ୍ତରଖାନା ଆଣିଥିଲେ।

   ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଲୋକଟି ଘରକୁ ନ ଫେରି ପ୍ରଥମେ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକଙ୍କୁ ଦେଖାକରି କୁନା ମୁନାଙ୍କୁ ପାଖକୁ ଡାକିବାକୁ କହିଥିଲେ । ଦେଖା କରିବାର ସର୍ବଶେଷ ବିବରଣୀ ନେବାପରେ ପ୍ରଧାନ ଶିକ୍ଷକ କୁନା ଓ ମୁନାକୁ ଅଫିସକୁ ଡାକିଥିଲେ। ମାତ୍ର କୁନା ଓ ମୁନା ସାର କାହିଁକି ଡାକିଛନ୍ତି ବୋଲି ଭାବି ଭୟଭୀତ ହୋଇ ଯାଇଥିଲେ ଏବଂ ଡରିଡରି ଯାଇ ସାରଙ୍କ ପାଖରେ ପହଁଚିଥିଲେ।

   ସେଠାରେ ସେ ବ୍ୟକ୍ତି ଜଣକ ପିଲା ଦୁହିଁଙ୍କୁ ଦେଖି ନିଜ ଆଖିକୁ ବିଶ୍ୱାସ କରି ପାରୁ ନଥିଲେ । ସେ ଭାବୁଥିଲେ ଏତେ ଛୋଟ ପିଲା କିପରି ମୋତେ ଆଣି ପାରିଥିଲେ।ପିଲା ଦୁହିଁଙ୍କୁ ପାଖକୁନେଇ ତାଙ୍କୁ କିପରି ସାହାଯ୍ୟ କରିଥିଲେ ସେ କଥା ଭାବି ତାଙ୍କୁ କୁଣ୍ଢେଇ ପକାଇଥିଲେ। ତାଙ୍କ ଆଖିରୁ ଆନନ୍ଦାଶ୍ରୁ ବହିଯାଇଥିଲା । ତାପରେ ସେ ପ୍ରଧାନଶିକ୍ଷକଙ୍କ ପରାର୍ମଶ ନେଇ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାଧାରଣ ସଭାର ଆୟୋଜନ କରିଥିଲେ । ଏହି ସଭାକୁ ସେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଗୁରୁଜୀଗୁରୁମା ଓ ଅଭିଭାବକଙ୍କୁ ନିମନ୍ତ୍ରଣ କରିଥିଲେ। ଡାକ୍ତର ବାବୁ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିବାକୁ ଭୁଲି ନ ଥିଲେ।

   ଏହି ସଭାରେ ସେ ସେହି ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ଓ କୁନାମୁନାଙ୍କୁ ପୁରସ୍କୃତ କରିଥିଲେ। ତାଙ୍କ ଅଭିଭାଷଣରେ ସେ କହିଥିଲେ ଯେ ଆଜି ଯଦି କୁନା ଓ ମୁନା ନଥାନ୍ତେ ତେବେ ମୋତେ ଆପଣମାନେ ଏଠାରେ ଦେଖିବାକୁ ପାଇନଥାନ୍ତେ। ତେଣୁ ହେ ଛାତ୍ରଛାତ୍ରୀଗଣ ତୁମେମାନେ କୁନା ଓ ମୁନା ଏବଂ ଡ଼ାକ୍ତରଖାନାର କର୍ମଚାରୀ ଓ ଡ଼ାକ୍ତରଙ୍କର ମାନବିକତା ଓ କର୍ତ୍ତବ୍ୟନିଷ୍ଠତାରୁ କିଛି ଶିକ୍ଷା ଲାଭ କରି ତାକୁ କାର୍ଯ୍ୟରେ ପରିଣତ କଲେ ଆମ ସମାଜର ଅନେକ ମୋ ପରି ଅକିଞ୍ଚନଙ୍କର ଜୀବନ ରକ୍ଷା ହୋଇପାରିବ ନିଶ୍ଚିତଭାବେ।ଏଣୁ ପିଲାମାନଙ୍କୁ ଏପରି ନିର୍ଭୟ ହୋଇ ନିଃସ୍ୱାର୍ଥପର ଭାବେ ମାନବିକତା ପ୍ରଦର୍ଶନ କରିବାକୁ ପ୍ରେରଣା ପ୍ରଦାନ ପୂର୍ବକ ସଭାସାଙ୍ଗ କରିଥିଲେ।  



Rate this content
Log in