STORYMIRROR

Sambit Srikumar

Others

3  

Sambit Srikumar

Others

ମାଗଣାଖିଆ

ମାଗଣାଖିଆ

2 mins
125

ଅଭିରାମ ବାବୁ ମଙ୍ଗଳପୁର ବ୍ଲକ୍.ର ସହକାରୀ ବିଡିଓ। ନୂଆ ନୂଆ ଚାକିରିରେ ଯୋଗ ଦେଇଛନ୍ତି ଏଇ କିଛି ମାସ ତଳେ। ଯଦିଓ ଏ ଅଞ୍ଚଳ ତାଙ୍କର ଗୃହ ଜିଲ୍ଲା ନୁହେଁ ତଥାପି ଏଠାରେ ତାଙ୍କର କାଟତି କିଛି ବି କମ୍ ନାହିଁ। ଗେଜେଟେଡ୍ ଅଫିସର ବୋଲି ଗର୍ବ ଅନୁଭବ କରନ୍ତି। ଅଧସ୍ତନ ସ୍ଥାନୀୟ କର୍ମଚାରୀମାନଙ୍କ ପ୍ରତି ହେୟ ମନୋଭାବ ପୋଷଣ କରନ୍ତି। 


ତାଙ୍କର ପୋଷାକ ପରିଧାନର ଶୈଳୀରୁ ଆରମ୍ଭ କରି କଥାବାର୍ତ୍ତା ସବୁଥିରେ ଗୋଟେ ନିଆରା ଆଭିଜାତ୍ୟର ଝଲକ ଦେଖିବାକୁ ମିଳେ। କଥା କଥାକେ ଅମୁକ ମନ୍ତ୍ରୀଙ୍କ ସହିତ ତାଙ୍କର ପରିଚୟ, ସମୁକ ଅଫିସର ତାଙ୍କର ସମ୍ପର୍କୀୟ ବୋଲି କୁହନ୍ତି ସିଏ। ସବୁବେଳେ ସବୁକଥାରେ ବେପରୁଆ ବେଖାତିର ଢଙ୍ଗ। ହଁ, ନହେବ ବା କେମିତି? ଯାହା ଆଖପାଖ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହୁଏ, ବେତନ ଠାରୁ ଉପୁରି ଟା ଯେତେବେଳେ ବଳି ପଡେ ଏମିତି ସମ୍ଭ୍ରାନ୍ତପଣ ଆପେଆପେ ଉଛୁଳି ଉଠେ। 


ସାଧାରଣତଃ ବ୍ଲକ୍ ମାନେ ଗୋଟିଏ ଲାଭଜନକ କାର୍ଯ୍ୟାଳୟ। ଏଇଠି ହିଁ ଗ୍ରାମ୍ଯ ଉନ୍ନୟନର ଅସଲି ହିସାବ ନିକାଶ ହୁଏ। ଦିଆନିଆର ଭାଗବଣ୍ଟା ହୁଏ। ତାଳୁରୁ ତଳିପା ଯାଏଁ ଉବୁଟୁବୁ ସଭିଏଁ। ଉପରିସ୍ଥ ଓ ଅଧସ୍ତନ ସଭିଙ୍କୁ ଖୁସ୍ କରି ପାରିଲେ ଅମଲାତନ୍ତ୍ରୀ ଜୀବନ ସୁଖମୟ ହୁଏ। ଅନ୍ୟଥା ବଦଳି, ବଦଳି ଆଉ ବଦଳି! ଏମିତି ଜୀବନର ଚକ ଆଉ ଅଖ ଯାଏ ହୁଗୁଳି! 


ବ୍ଲକ୍ ପାଖ ଗାଁ ବାଜପୁର। ସେଇ ଗାଁର ଦିନମଜୁରିଆ ନଟିଆ ରାଉତ। ବହୁ କୁଟୁମ୍ବୀ ପରିବାର ତା'ର ମୂଲ ଖଟିବା ଉପରେ ନିର୍ଭରଶୀଳ। ଧୋୟା ଅଞ୍ଚଳ, ବର୍ଷକୁ ଚାରିମାସ କାମ ବନ୍ଦ। ଯେତିକି ଦିନ ଖଟିବ, ଖାଇବ ନଚେତ୍ ଉପାସ। ରାଜନୈତିକ ଦଳର ଅନୁଗ୍ରହରେ ଯାହିତାହି ବନ୍ଯା ବାତ୍ଯା ପାଇଁ ରିଲିଫ ମିଳେ ତାହା ସମୁଦ୍ରକୁ ଶଙ୍ଖେ। 


ଏଥିପାଇଁ ନଟିଆର ପରିବାର ଲୋକେ ଦେଶୀ କୁକୁଡା ଚାଷ କରି ଦି ପଇସା ରୋଜଗାର କରନ୍ତି। ସମ୍ପୂର୍ଣ୍ଣ ପାରମ୍ପରିକ ରୀତିରେ ପାଳନ କରନ୍ତି ଏଇ କୁକୁଡା ଗୁଡ଼ିକୁ। ଗାଁ ଗହଳିରେ ଯାହାର ଯେତେବେଳେ କୁକୁଡା ଦରକାର ହୁଏ ନଟିଆ ଦୁଆରେ ହାଜର ହୁଅନ୍ତି। ଉଚିତ୍ ମୂଲ୍ୟରେ ଯୋଗାଇ ଦିଏ ସେ। କାହାରିକୁ ଠକେ ନାହିଁ କି ଅଧିକା ଦାମ୍ ନିଏ ନାହିଁ। 


ଦିନେ ଉନ୍ନୟନ କାର୍ଯ୍ୟକ୍ରମ ତଦାରଖ କରିବାକୁ କ୍ଷେତ୍ର ପରିଦର୍ଶନରେ ଆସିଥିବା ଅଭିରାମ ବାବୁଙ୍କ ନଜର ପଡିଲା ନଟିଆର କୁକୁଡା ଭାଡି ଉପରେ। ବିଶେଷ କରି ଗୋଟିଏ ଛନଛନିଆ ଗଞ୍ଜା ଥାଏ ସେଇ କୁକୁଡା ଗୁଡ଼ିକ ମଧ୍ୟରେ। ଲଢେଇ କରିବା ପାଇଁ ଅତି ଯତ୍ନପୂର୍ବକ ବଢେଇ ଥାଏ ତାକୁ। ଯିଏ ଯେତେ କହିଲେ ମଧ୍ୟ ନଟିଆ ତାକୁ ଆଦୌ ବିକ୍ରି କରେ ନାହିଁ। 


ଅଭିରାମ ବାବୁ ସେଇ ଗଞ୍ଜାଟିକୁ ନେବାକୁ ଲାଳାୟିତ ହୋଇ ଅଧସ୍ତନ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲେ। ନଟିଆ ଅମଙ୍ଗ ହେବାରୁ ବିନା କୌଣସି ଦେୟରେ ଜୋର ଜବରଦସ୍ତ ଗଞ୍ଜାଟିକୁ ନେଇଗଲେ ବ୍ଲକ୍ କର୍ମଚାରୀ ସହକାରୀ ବିଡିଓ ମହୋଦୟଙ୍କୁ ଭେଟି ଦେବା ପାଇଁ। ପଞ୍ଚାୟତ ଅଫିସ୍ ହତାରେ ଭୋଜିଭାତର ଆସର ଜମୁଥାଏ। ନଟିଆ ଭାଗ୍ୟକୁ ନିନ୍ଦି କଇଁ କଇଁ ହୋଇ କାନ୍ଦୁଥାଏ। କିନ୍ତୁ ତା'ର କାନ୍ଦ କାହାରିକୁ ଶୁଭୁନଥିଲା କି ଦିଶୁନଥିଲା। 


Rate this content
Log in