Ranjit Sahu

Others

3  

Ranjit Sahu

Others

ମାଆର ମମତା

ମାଆର ମମତା

3 mins
12.4K


ଏଣ୍ଟିସେପ୍ଟିକ ବାସ୍ନା ଆଉ ତାହା ସହିତ ଛୋଟ ଛୁଆଟିର ଦେହର ହରକତ  ଯେମିତି କ୍ଷଣଟିଏ ଲାଗି ବିଚଳିତ କରିଦେଲା ଡ଼ଃ ସୁଧାକୁ I ନର୍ସ  ଇଞ୍ଜେକ୍ସନଟିଏ ଦେଉ ଦେଉ ସ୍ଥିର  ହେଇସାରିଥିଲା ଛୁଆଟିଏ I ନିଜର ସ୍ଟେଥୋସ୍କାପକୁ ତାହାର ଛାତିରେ ଦେଇ ପ୍ରୟାସ କଲେ ଶୁଣିବାକୁ ଚିର ପରିଚିତ ଶରୀରର ଶବ୍ଦ ସବୁ, ତନ୍ମଧ୍ୟରୁ ଚିର ପରିଚିତ ହୃତପିଣ୍ଡର ଧକ ଧକ ଶବ୍ଦଟି I ଶାନ୍ତ ପଡିଯାଇଥିଲା ସବୁ ଧ୍ଵନି  ଆଉ ପ୍ରତିଧ୍ଵନି  ଯେମିତି ପଞ୍ଜରା ହାଡ଼ ତଳେ I "ସି. ପି.  ଆର., ଦରକାର ଏହି କ୍ଷଣେ," ଚିତ୍କାର କଲେ ଡ଼ଃ ସୁଧା  I ନିରାଶ ହୋଇ ନିଜର ସ୍ଟେଥୋସ୍କପ ଟେବୁଲ ଉପରେ ରଖି ବସିଗଲେ ସିଏ ଆଉ କାଶିବାକୁ ଲାଗିଲେ I ଦୁଇ କ୍ଷଣ ଭିତରେ ସାଥିରେ ଥିବା   ଡ଼ାକ୍ତର ଶେଖର  ଆରମ୍ଭ କରିଦେଇଥିଲେ ସି. ପି. ଆର. I


 ଆଖି ବୁଜି ବସି ଯାଇ ଥିଲେ ଡ଼ଃ ସୁଧା ଯେପରି ମନେ ମନେ ଭଗବାନଙ୍କୁ ଡାକୁ ଥିଲେ ଛୁଆଟିର ଜୀବନ ବଞ୍ଚେଇ ଦେବାକୁ I "ହି ଉଇଲ  ବି ଓକେ, ଆଇ କ୍ୟାନ ହିଆର ଦି ବିଟସ" ଶବ୍ଦ ଗୁଡିକ ଯେପରି ଧୀରେ ଧୀରେ ଶୂନ ପଡ଼ିଗଲା ଡ଼ଃ ସୁଧାଙ୍କ କାନରେ  I ପର କ୍ଷଣରେ ତାଙ୍କୁ ଲାଗିଲା ଯେପରି କେହି ଉଠେଇ ନେଉଛି ତାଙ୍କୁ I  ଅନ୍ଧକାର ଛାଇ ଯାଇଥିଲା ସବୁ ଆଡ଼େ ଯେମିତି ତାଙ୍କ ଆଖି ଆଗରେ I 


ଦେଢ଼  ଘଣ୍ଟା  ପରେ ହୋସ ଫେରିଛି ଡ଼ଃ ସୁଧାଙ୍କର I ଆଖି ଖୋଲି ଦେଖିଲେ, ସାମ୍ନାରେ ଡ଼ଃ ଶେଖର ଠିଆ ହେଇଛନ୍ତି, ସେହି ହସ ହସ  ମୁଁହରେ I ଭାବିବାକୁ ଲାଗିଲେ ଅଳ୍ପ ସମୟ ପୂର୍ବର ଘଟଣା ଗୁଡିକ I ବସ ଦୁର୍ଘଟଣା ଆଉ ହସ୍ପିଟାଲରେ ଭର୍ତ୍ତି  ହେଇଥିବା ତେତିଶି ଜଣ ଆହତ ବ୍ୟକ୍ତିଙ୍କ ବିଷୟରେ  I ଏମିତି ବିଭତ୍ସ ଦୃଶ୍ୟ ସେ କେବେ ଦେଖି ନଥିଲେ I ଦୀର୍ଘ ଅଠର  ଘଣ୍ଟା କାଳ ଜଣକ ପରେ ଜଣେ ଆହତ ବ୍ୟକ୍ତିର ଚିକିତ୍ସା କରି ଏକ ପ୍ରକାର କ୍ଳାନ୍ତ ହୋଇ ପଡ଼ିଥିଲେ ଡଃ ସୁଧା I ଭୁଲି ଯାଇଥିଲେ ସିଏ ନିଜେ ଜଣେ ଶ୍ଵାସ ରୋଗୀ ପାଲଟି ଯାଆନ୍ତି ବସନ୍ତ ଋତୁରେ I କିନ୍ତୁ ନିଜକୁ ଅଟକାଇ ପାରି ନଥିଲେ ନିଜର କାର୍ଯ୍ୟରୁ I "ଆପଣ ଏତେ ଷ୍ଟ୍ରେସ ନେବାର ନଥିଲା I ଆପଣଙ୍କର ଡିଉଟି ତ ଛଅ ଘଣ୍ଟା ଆଗରୁ ସରି ଯାଇଥିଲା I ବରଂ ଆପଣ କ୍ଵାଟରକୁ ଯାଇ କିଛିଟା ବିଶ୍ରାମ ନେଇକି ଫେରିବାର ଥିଲା," ଡ଼ଃ ଶେଖର କହିଲେ I 


"ମୁଁ ଜାଣି  ନଥିଲି ପପୁନି ସେହି ବସ୍ ରେ ଥିଲା ! ତାକୁ ଏମିତି ଅବସ୍ଥାରେ ଦେଖିଲା ପରେ  ଅଟକେଇ ପାରିଲିନି ନିଜକୁ I ତୁମେ ତ ଜାଣିଛ ପପୁନି ବିଷୟରେ I ସିଏ ମୋର ଦୁର୍ବଳତା ହେଇ ସାରିଛି, ଯେଉଁ ଦିନ ଠାରୁ ତାକୁ ଚାଇଲଡ ଟ୍ରଫିକିଙ୍ଗରୁ ରେସକ୍ୟୁ କରି ଅନାଥାଶ୍ରମରେ ରଖା  ହେଇଛି I ବର୍ଷେ ହେଇଗଲାଣି ପ୍ରତି  ସପ୍ତାହ  ତାହାକୁ ଦେଖା କରିବାକୁ ଯାଉଛି I ଏମିତି  ପରିସ୍ଥିତିରେ କଣ ତାକୁ ଛାଡ଼ି ଚାଲି ଯାଇ ଥାଆନ୍ତି ? ସି. ପି. ଆର ଦେବା ପାଇଁ ମୋର ଅବସ୍ଥା ନଥିଲା, ହଠାତ୍ ଶ୍ବାସ ବାହାରିଗଲା I ଧନ୍ୟବାଦ ଆପଣଙ୍କୁ ," କହିଲେ ଡ଼ଃ ସୁଧା I 

"ମୁଁ କଣ କଲି, ଆପଣ ତ ସବୁ ମୁଖ୍ୟ କାମ କରିଛନ୍ତି,  ତାକୁ ଛଅ ଘଣ୍ଟା କାଳ ସମ୍ଭାଳିକି ଅପେରସନ ଥିଏଟରରେ ! ଆପଣ ବିଶ୍ରାମ   ନିଅନ୍ତୁ I ଅନ୍ୟ ସବୁ ଆହତ ମାନଙ୍କର ଯୋଗାଡ଼ ହୋଇ ସାରିଛି I ମୁଁ ଆପଣଙ୍କ ହୋସ ଆସିବାକୁ ଅପେକ୍ଷା କରିଥିଲି I କାଲି ଦେଖା ହେବ ପୁଣି," କହୁ କହୁ ବାହାରିଗଲେ ଡ଼ଃ ଶେଖର ନର୍ସଙ୍କୁ କିଛି  ଅନୁଦେଶ ଦେଇ I 

"ପ୍ରଥମ ଥର ପାଇଁ ଦେଖିଲି ମ୍ୟାଡମ୍ ଏମିତି ଅବସ୍ଥାରେ ଏତେ ଭାବ ବିହ୍ଵଳ ହୋଇଗଲେ I ନଚେତ ସିଏ ତ ସବୁ ବେଳେ ପଥର ଭଳି ଟାଣ ହୋଇ ସବୁ ପ୍ରକାର ପରିସ୍ଥିତି ସମ୍ଭାଳି ନିଅନ୍ତି," ସାଥିରେ ଚାଲୁଥିବା  ନର୍ସ ଜଣକ ଟିପ୍ପଣୀ ଦେଲେ I 

"ହଁ ସୁଧା କେସ ଅନ୍ୟ କାହାକୁ ହ୍ୟାଣ୍ଡ ଓଭର  କରିବାର ଥିଲା I କିନ୍ତୁ ଏକ ପ୍ରକାର ଭଲ ହେଇଛି ସିଏ ହିଁ ହ୍ୟାଣ୍ଡଲ କଲା I ତାହା ଠାରୁ ଭଲ ବିଶେଷଜ୍ଞ ଏହି ମାମଲାରେ ଆଉ କେହି ନାହାନ୍ତି I ତାହାର ଶ୍ଵାସ ବାହାରି ନଥିଲେ, ହୁଏତ ସିଏ ସି.ପି.ଆର ମଧ୍ୟ କରି ଦେଇଥାଆନ୍ତା I ସିଏ ଏଲେର୍ଜି  ପାଇଁ ଔଷଧ ଖାଇ ଥିଲା ମଧ୍ୟ କିନ୍ତୁ ମଣିଷ ଶରୀର ବେଳେ ବେଳେ ଅଲଗା ପ୍ରତିକ୍ରିୟା କରେ ପରିସ୍ଥିତିକୁ I ଭଲ ହେଇଛି ମୁଁ ପାଖରେ ଥିଲି I କେଜାଣି କେମିତି ମନେ ହେଲା ଥରେ ଆସି ଦେଖିବି କେତେ ଦୂର ଗଲା ଅସ୍ତ୍ରପଚାର," କହିଲେ ଡ଼ଃ ଶେଖର  I 

"କିନ୍ତୁ ପପୁନି କିଏ? ଡ଼ାକ୍ତର ସୁଧା ସହ ତାହାର ସମ୍ପର୍କ କଣ?" ପଚାରିଲେ ନର୍ସ ଜଣକ I

 "ଆଜିଠୁ ପ୍ରାୟଃ ବର୍ଷେ ତଳେ, ପୁଲିସ ଶିଶୁ ଚୋରା ଚାଲାଣ କରୁଥିବା ଗୋଟାଏ ଗ୍ୟାଙ୍ଗର ଆଡ଼ଡ଼ାସ୍ଥଳୀରେ ଚଢ଼ାଉ କରି ଅନେକ ଛୁଆଙ୍କୁ ଉଦ୍ଧାର କରିଥିଲା I ପପୁନି ସେମାନଙ୍କ ମଧ୍ୟରୁ ଜଣେ I ଡ଼ଃ ସୁଧା ସେମାନଙ୍କ ପ୍ରାଥମିକ ପରୀକ୍ଷା କରିଥିଲେ, ସେମାନଙ୍କୁ ବିଭିନ୍ନ ଚାଇଲଡ କେରକୁ ପଠାଯିବା ପୂର୍ବରୁ I ପପୁନି  ପ୍ରତି କେମିତି ଏକ ପ୍ରକାର ଅଲଗା ମମତା ଗଢି ଉଠିଛି ତାଙ୍କ ମନରେ  I ତାହାର ଭଲ ମନ୍ଦ ବୁଝନ୍ତି ପ୍ରତି ସପ୍ତାହରେ ଯାଇ," ଡ଼ଃ ଶେଖର କହିଲେ I


 "ବୁଝି ପାରୁଛି , ମାଆର ମମତା ନିଶ୍ଚୟ I ଅବିବାହିତା ରହି ଅନେକ ବର୍ଷ ହେଲା ସମାଜ ସେବାରେ ଲାଗିଛନ୍ତି ଡଃ ସୁଧା I କିନ୍ତୁ ମଣିଷର ଭାବନା କୁ କିଏ ଅଟକେଇ ପାରେ !" କହିଲେ ନର୍ସ I 


"ଡାକ୍ତରର ଧଳା କୋଟ ତଳେ ଜଣେ ମଣିଷ ଥାଏ ସିସ୍ଟର, ହାଡ଼ ଆଉ ମାଂସରେ ଗଢା  ଡାକ୍ତର ମଧ୍ୟ ବେଳେ ବେଳେ ଶାରୀରିକ ହେଉ ଅଥବା ମାନସିକ ଯନ୍ତ୍ରଣା ଅନୁଭବ କରେ, ଯାହାକୁ ସେ ସହି ପାରେନା,  I ଏହି ତଥ୍ୟଟିକୁ ଆମେ ଏଡେଇ ଦେଇ ପାରିବା ନାହିଁ," କହୁ କହୁ ନିଜର ସ୍ଟେଥୋସ୍କୋପ ଟେବୁଲ ଉପରେ ଥୋଇ କିଛି ଔଷଧ ଲେଖିଦେଲେ I 

"ଏଇଟା ଡ଼ଃ ସୁଧାଙ୍କ ପାଇଁ ମଗେଇ ନିଅ ଷ୍ଟୋରରୁ ଆଉ ଡିସ୍ଚାର୍ଜ କଲା ବେଳେ ଦେଇ ଦିଅ I ଜଣେ ଡ଼ଃ ନିଜେ ନିଜର ଅଥବା ନିଜର ପରିବାରର ସଦସ୍ୟଙ୍କର  ଚିକିତ୍ସା କରିବା ଅନୁଚିତ," କହିଲେ ଡ଼ଃ ଶେଖର ଆଉ ବଢ଼େଇଦେଲେ କାଗଜ଼ ଖଣ୍ଡିକ ନର୍ସ ହାତକୁ I 

 "ହଁ ମାଆର ମମତା ବହୁତ ବଡ ଶକ୍ତିଟିଏ, ପର ପିଲାକୁ ମଧ୍ୟ ନିଜର ପରିବାରର ଅଂଶ କରିପାରେ," କହିଲେ ନର୍ସ ଜଣକ ଚିଠା ଧରୁ ଧରୁ  I 


Rate this content
Log in