Kailash Chandra Behera

Children Stories

4  

Kailash Chandra Behera

Children Stories

ମାଆର ଗାଳି ଦାଣ୍ଡର ଧୂଳି

ମାଆର ଗାଳି ଦାଣ୍ଡର ଧୂଳି

3 mins
356



     ସତ୍ୟ ଯୁଗର କଥା । ସ୍ବର୍ଗରେ ସୂର୍ଯ୍ୟ ଦେବତାଙ୍କର ଦୁଇପୁଅ ଥିଲେ । ବଡ଼ ପୁଅର ନାମ ଶନି ଓ ସାନ ପୁଅର ନାମ ଯମ । ଶନି ଓ ଯମ ଦୁଇଜଣ ଯାକ ପିଲାବେଳୁ ଭାରି ଚଗଲା ଥିଲେ । ଟିକିଏ କଥାରେ ଦୁଇ ଜଣଯାକ ରାଗିଯାଇ ଯାହାପାରୁ ତାହା

କରି ପକାଉ ଥିଲେ । ସାନ ଭାଇ ଯମ ଶନିଙ୍କ ଠାରୁ ଅଧିକ ଦୁଷ୍ଟ ପ୍ରକୃତିର ଥିଲେ । ସେ ସାନ ବଡ଼ କାହାରିକୁ ଖାତିର କରୁ ନ ଥିଲେ । 

     ସୂର୍ଯ୍ୟଙ୍କର ଦୁଇ ପତ୍ନୀ ଥିଲେ ।ଜଣକର ନାମ ଛାୟା ,ଅନ୍ୟ ଜଣକର ନାମ ମାୟା । ସାବତ ମାଆ ମାୟା ଯମଙ୍କର ଦୁଷ୍ଟାମୀକୁ ସହ୍ୟ କରି ପାରୁ ନ ଥିଲେ । 

      ଦିନେ ସ୍ବର୍ଗପୁରୀରେ ଦେବତାମାନଙ୍କର ଗୋଟିଏ ବଡ଼ ଭୋଜି ହେଲା । ଭୋଜିରେ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ଅନ୍ନ ବ୍ୟଞ୍ଜନର ବ୍ୟବସ୍ଥା ହୋଇଥିଲା । ଭୋଜିକୁ ସବୁ ଦେବତାମାନଙ୍କୁ ନିମନ୍ତ୍ରଣ କରା ଯାଇଥିଲା । ସୂର୍ଯ୍ୟ ଦେବତାଙ୍କୁ ମଧ୍ୟ ଏହି ଭୋଜି ପାଇଁ ନିମନ୍ତଣ କରାଯାଇଥିଲା । ତାଙ୍କର ଦୁଇ ପୁଅ ଶନି ଓ ଯମ ପାଖରେ ନ ଥିବାରୁ ସୂର୍ଯ୍ୟ ଏକାକୀ ସେହି ଭୋଜିରେ ଯୋଗ ଦେଲେ । ଖାଇସାରିବା ପରେ ଦୁଇ ପୁଅ ପାଇଁ କିଛି ଖାଦ୍ୟ ଧରି ଆସି ଘରେ ପହଞ୍ଚିଲେ । ଘରେ ପହଞ୍ଚି ଦେଖିଲେ ସାନ ପତ୍ନୀ ମାୟା ଅଛନ୍ତି । କିନ୍ତୁ ଦୁଇ ପୁଅ ନାହାନ୍ତି । ସୂର୍ଯ୍ଯଦେବତା ଆଣିଥିବା ଖାଦ୍ୟକୁ ମାୟାକୁ ଦେଇ କହିଲେ - " ଏହି।ଖାଦ୍ୟ ରଖିଥାଅ । ଦୁଇପୁଅ ଆସିଲେ ସେମାନଙ୍କୁ ଖାଇବାକୁ ଦେବ ।" ଏହାକହି ସୂର୍ଯ୍ୟ ଦେବତା ବାହାରକୁ ଚାଲିଗଲେ । 

     କିଛି ସମୟ ପରେ ଶନି ଓ ଯମ ଦୁଇଭାଇ ବୁଲି ବୁଲି ଆସି ଘରେ ପହଞ୍ଚିଲେ । ମାଆଙ୍କ ଠାରୁ ଦେବତାଙ୍କ ଭୋଜିରୁ ବାପା ଖାଦ୍ୟ ଆଣିଥିବା କଥା ଶୁଣି ଦୁଇ ଭାଇଯାକ ଖାଇବାକୁ ଦେବାକୁ କହିଲେ । ମାୟା ଜାଣିଛନ୍ତି ଯମ ଭାରି ଦୁଷ୍ଟ ପ୍ରକୃତିର । ଏହି ସାଧାରଣ କଥାରେ ହୁଏତ ଝଗଡ଼ା ହେଇ ପାରେ । ତେଣୁ ସେ କହିଲେ - " କିଛି ସମୟ ଅପେକ୍ଷା କର । ବାପା ଆସିଲେ ଦୁହିଁଙ୍କୁ ଖାଦ୍ୟ ବାଣ୍ଟିକରି ଦେବି । " ମାଆଙ୍କ କଥାରେ ଶନି ବୁଝିଗଲେ । କିନ୍ତୁ ଯମ ଉତ୍ କ୍ଷିପ୍ତ ହୋଇ ଏହିକ୍ଷଣି ଖାଇବାକୁ ଦେବାପାଇଁ ଜିଦ୍ ଧରିଲେ । ମାଆ ଯେତେ ବୁଝାଇଲେ ହେଲେ ବୁଝିଲେ ନାହିଁ । ଖାଦ୍ୟ ନ ଦେବାରୁ ଯମ ମାଆଙ୍କୁ ଗୋଇଠାଟିଏ ମାରିଦେଲେ ।

ସାବତ ମାଆ ମାୟା ହଠାତ୍ ରାଗିଯାଇ ଯମ ଯେଉଁ ଗୋଡ଼ରେ ଗୋଇଠା ମାରିଛି , ସେହି ଗୋଡ଼କୁ କୁଷ୍ଠ ରୋଗ ହୋଇଯାଉ ବୋଲି ଅଭିଶାପ ଦେଇଦେଲେ । ସଙ୍ଗେ ସଙ୍ଗେ ଯମଙ୍କର ଗୋଟିଏ ଗୋଡ଼ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଗଲା ଓ ଗୋଡ଼ରୁ ପୂଜ ରକ୍ତ ବହିବାକୁ ଲାଗିଲା । ଯମ ଏହା ଦେଖି ଦୁଃଖରେ କାନ୍ଦିବାକୁ ଲାଗିଲେ ।

     କିଛି ସମୟ ପରେ ସୂର୍ଯ୍ୟ ଦେବତା ଆସି ଘରେ ପହଞ୍ଚି ଗଲେ । ଯମଙ୍କର ଗୋଡ଼ର ଅବସ୍ଥା ଦେଖି ତାଙ୍କୁ ଏହାର କାରଣ ପଚାରିଲେ । ଯମ ବାପାଙ୍କୁ ସବୁକଥା ଖୋଲି କହିଲେ । ସୂର୍ଯ୍ୟଦେବ ମାୟାଙ୍କର ଏହି କାର୍ଯ୍ୟରେ ହୋଇ ତାଙ୍କୁ ବିରକ୍ତ ହେଲେ । ଭାଵିଲେ ପୃଥିବୀରେ ଯେଉଁ ମଣିଷମାନେ ବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ ମାଆମାନେ ସେମାନଙ୍କର ସନ୍ତାନମାନଙ୍କର ଦୁଷ୍ଟାମୀକୁ ସହ୍ୟ କରି ନ ପାରି - " ତୋତେ ବାଘ ଖାଉ , ସାପ ଖାଉ , ମଶାଣିକୁ ଯା' , ଗଧ , କୁକୁର , ଘୁଷୁରୀ ଇତ୍ୟାଦି କହି ଗାଳି ଦେଉଛନ୍ତି । ଯଦି ଏସବୁ ଗାଳି ସତ୍ୟରୈ ପରିଣତ ହୋଇଯାଏ ତା' ହେଲେ ସନ୍ତାନମାନଙ୍କର ବ୍ୟହୁତ କ୍ଷତି ହେବ ।" । ତେଣୁ ସୂର୍ଯ୍ୟଦେବ କହିଲେ - " ଆଜିଠାରୁ ମାଆର ଗାଳି ଦାଣ୍ଡର ଧୂଳି " । ଅର୍ଥାତ୍ ମାଆମାନଙ୍କର ଗାଳି ନିଜ ସନ୍ତାନର କୌଣସି କ୍ଷତି ସାଧନ ନ କରି ଦାଣ୍ଡର ଧୂଳିଭଳି ଉଡ଼ି ଚାଲିଯିବ । " । ସେହି ଦିନଠାରୁ ମାଆମାନେ ବିରକ୍ତ ହୋଇ ବା ରାଗିଯାଇ ନିଜର ସନ୍ତାନମାନଙ୍କୁ ଯେଉଁ ଗାଳି ଗୁଲଜ କରୁଛନ୍ତି ତାହା ସନ୍ତାନ ଉପରେ କୌଣସି ପ୍ରଭାବ ପକାଇ ପାରୁ ନାହିଁ । ବର° ତାହା ଦାଣ୍ଡର ଧୂଳିଭଳି ଉଡ଼ି ଯାଉଛି ।


*ନୀତିଶିକ୍ଷା*-

  *ମାଆଙ୍କ ଗାଳି ସନ୍ତାନର କ୍ଷତି ପାଇଁ ଉଦ୍ଦିଷ୍ଟ ନୁହେଁ ବର° ଭବିଷ୍ୟତରେ ସଚେତନତା ପାଇଁ ଉଦ୍ଦିଷ୍ଟ ।


Rate this content
Log in