କୁନା ର ବହିପଢା
କୁନା ର ବହିପଢା
ବିଶ୍ବ ସାହିତ୍ୟ ଗ୍ରନ୍ଥମାଳା ର ସବୁ ବହି କୁନାର ଭାରି ପସନ୍ଦ। 'ଗଲିଭର ଭ୍ରମଣ କାହାଣୀ' ବହିଟି ସେ ସେଦିନ ଲାଇବ୍ରେରୀ ସାର୍ ଙ୍କ ପାଖରୁ ଆଣିଥିଲା। ସ୍କୁଲ୍ ସରିବାପରେ ସେ ବହିଟି ଆଣି ଟେବୁଲ୍ ଉପରେ ରଖି ଖେଳିବାକୁ ଚାଲିଗଲା। ଗପବହି ପଢ଼ିବା ସହିତ, କୁନାର ଖେଳକୁଦ ରେ ମନ। ସେହି ସମୟରେ ତା ସାନ ଭଉଣୀ ମିନୁ ଦେଖିଲା ଟେବୁଲ୍ ଉପରେ ଗପ ବହିଟିଏ। ବହିଟିକୁ ଦେଖି ଖେଳିବାକୁ ନଯାଇ ପଢିବାରେ ଲାଗିଗଲା। ଭାବିଲା ବହିଟିକୁ ସାରିଦେଇ ରଖିଦେବ। ମିନୁ ବି ଗପବହି ପଢିବାକୁ ବହୁତ ଭଲପାଏ। ବହିଟି ଅଧାପଢିଛି କି ନାହିଁ, ଟ୍ଯୁସନ୍ ସାର୍ ଆସିବାରୁ, ସେ ଦୁଇ ଭାଇ ଭଉଣୀ ପାଠପଢି ବସିଗଲେ। ଟ୍ଯୁସନ୍ ସରିଲା ପରେ ମା ଖାଇବାକୁ ଡାକିଲେ। ଖିଆ ପିଆ ସାରି ରାତି ହୋଇଯାଇଥିବାରୁ ଘରେ ସମସ୍ତଙ୍କ ସହ କୁନା ଓ ମିନୁ ମଧ୍ୟ ଶୋଇପଡ଼ିଲେ। ତା ପର ଦୁଇଦିନ କୁନା ର କ୍ଲାସ୍ ଟେଷ୍ଟ୍ ଥିବାରୁ ସେ ବ୍ୟସ୍ତ ରହିଲା ପଢାପଢିରେ।
ମିନୁ ରାତିସାରା ଗପବହିରେ ପଢିଥିବା ଲିଲିପୁଟ୍ ମାନଙ୍କୁ ସ୍ବପ୍ନରେ ଦେଖିଲା । ସେମାନେ ଉଚ୍ଚତାରେ ଛୋଟ ହେଲେ ବି କେତେକାମ ସହଜ ଭାବରେ କରିପାରନ୍ତି। ସ୍ବପ୍ନରେ ଆହୁରି ଦେଖିଲା ଆଙ୍ଗୁଳି ଆକାରର ମଣିଷମାନେ ଯେପରି ଗଲିଭର କୁ ବାନ୍ଧିକି ରଖିଥିଲେ, ତାକୁ ବି ସେପରି ବାନ୍ଧିକି ରଖିଛନ୍ତି।
କ୍ଲାସ୍ ଟେଷ୍ଟ ସରିବା ପରେ କୁନାର ମନେପଡିଲା ଗଲିଭର ଭ୍ରମଣ କାହାଣୀ ବହି କଥା। ତା ବହିଥାକ ରେ ଖୋଜିଲା, କିନ୍ତୁ ପାଇଲାନି।
ଦୁଇଦିନ ପରେ ଲାଇବ୍ରେରୀ କ୍ଲାସରେ ସେଇଟା ଫେରେଇବାକୁ ପଡିବ। ନଫେରେଇ ପାରିଲେ, ଫାଇନ୍ ଦେବାକୁ ପଡ଼ିବ। ଆଉ ନୂଆବହି ବି ମିଳିବନି। ବ୍ଯସ୍ତ ହେଇଗଲା କୁନା। ଭାବିଲା କୋଉଠି ବୋଧେ ବହିଟା ପଡ଼ିଯାଇଛି। ସେଦିନ ଲାଇବ୍ରେରୀ ସାର୍ କୁନାକୁ ତାଗିଦ୍ କରି କହିଲେ, " ତୁମେ ଯଦି ବହିଟି ଫେରେଇ ପାରୁନ, ତେବେ ବହି ମୂଲ୍ୟ ର ଦେଢଗୁଣ ଫାଇନ୍ ଦବ। ଅବଶ୍ୟ ମୁଁ ତୁମକୁ ଆଉ ଏକ ସପ୍ତାହ ସମୟ ଦେଉଛି। ବଡ଼ ମନଦୁଃଖ ରେ ଘରକୁ ଆସିଲା। ଭୟରେ କାହାକୁ କିଛି କ଼ହୁ ନଥାଏ। ଆଉଥରେ ଖୋଜା ଚଲେଇଲା ଘରେ। କିନ୍ତୁ ଅସଫଳ ହେଲା। ପୁଣି ପରବର୍ତ୍ତୀ ଲାଇବ୍ରେରୀ ପିରିୟଡ଼ ପାଖେଇ ଆସିଲା। କୁନାର ସବୁଠାରୁ ପ୍ରିୟ ସାଙ୍ଗ ତାର ଏ ବ୍ଯସ୍ତତା ଦେଖି ତାକୁ ଏକ ପରାମର୍ଶ ଦେଲା।
"ତୁ ଦୋକାନକୁ ଯାଇ ଏ ବହି ଟି କିଣିଆଣେ , ଆଉ ସାର୍ ଙ୍କୁ ଦେଇଦେ। ତାହେଲେ ଖାଲି ବହିର ଦାମ୍ ଯାହା ଦେବୁ। ସେଥିରେ ବହିଦାମ୍ ର ଅଧା ଫାଇନ୍ ପଡ଼ିବନି।" କୁନା ମନକୁ ସେଇଟା ପାଇଗଲା। ସେଇୟା କରିବ ଭାବି ନିଜ ସଞ୍ଚିତ ବକସିସ୍ ପଇସା କାଢିଲା ଓ ସ୍କୁଲ୍ ଛୁଟି ପରେ ଫେରିଲା ବେଳେ ବାଟରେ ବହି ଦୋକାନ ଗଲା। ଦୋକାନ ରେ ସେ ବହି ନାହିଁ ବୋଲି ଦୋକାନୀ କହିଲା।
କୁନା ପୁଣିଥରେ ପଚାରିଲା, ଆଉଟିକେ ଖୋଜନ୍ତୁ। "ନା ନାହିଁ, କିନ୍ତୁ ସପ୍ତାହେ ପରେ ଆସିବ।"
କୁନାର ଏ ବିକଳ ଭାବ, ତା ମୁହଁ ରେ ସ୍ପଷ୍ଟ ପ୍ରତିଫଳିତ ହେଉଥିଲା। ସେ ପୁରା କାନ୍ଦ କାନ୍ଦ ହୋଇଗଲା ପରି ଲାଗୁଥିଲା। ଏହି ସମୟରେ କୁନା ସାଙ୍ଗର ବଡ଼ଭାଇ ସେଇଠୁ କିଛି ବହି କିଣୁଥିଲେ। ସେ କୁନାର ମୁହଁ ଦେଖି ପଚାରିଲେ, ତୋର ଏ ବହି କଣ ଜରୁରୀ ଦରକାର ? ଏଇଟା ତ ପାଠ ବହି ନୁହେଁ। କୁନା ମୁଣ୍ଡକୁ ହଲେଇ ନାହିଁ କଲା।
ତାଙ୍କର ମନେ ପଡ଼ିଲା, ଏଇ ନାମର ବହିଟି ସେ କିଛିଦିନ ତଳେ ତାଙ୍କ ଘରେ ଦେଖିଛନ୍ତି। ତାପରେ ସେ କୁନାକୁ ଡାକି ଘରକୁ ନେଲେ ଓ ସାନ ଭାଇ ଭଉଣୀଙ୍କ ପଢାଘର ଥାକ ଖୋଜିବାରୁ 'ଗଲିଭର ଭ୍ରମଣ କାହାଣୀ' ବହିଟି ଦେଖିପାରିଲେ। ବହିଟି ଆଣି ଖୋଲିକି ଦେଖିବାରୁ, ସେଥିରେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ଷ୍ଟାମ୍ପ୍ ବାଜିଥିଲା। କୁନା ବି ଚିହ୍ନିଦେଲା ସେ ବହିଟା। କାରଣ ବହିଟିର ପଛମଲାଟ ଭିତରପଟେ ଗୋଟେ ଗାରପକା କାଗଜ ଅଠା ମରାହୋଇଥିଲା । ଯେଉଁଥିରେ କି କୁନାର ଦସ୍ତଖତ ଓ ତାରିଖ ଲେଖାଥିଲା। କୁନା ବହୁତ ଖୁସି ହୋଇ ସେ ବହିନେଇ ଫେରିଲା।
ପ୍ରକୃତ କଥା ହେଲା, ଯେଉଁଦିନ କୁନା ବହି ଆଣିଥିଲା, ସେଦିନ ତା ସାନ ଭଉଣୀ ମିନୁ ସେ ବହିଟି ଅଧା ପଢି ଥିଲା। ତାକୁ ସେ ବହିଟା ଏତେ ଭଲ ଲାଗିଥିଲା ଯେ ତାପରଦିନ ବହିଟା ଖେଳଛୁଟି ରେ ପଢି ଶେଷ କରିବ ବୋଲି ସ୍କୁଲ୍ ନେଇଯାଇଥିଲା। ସ୍କୁଲ୍ ରେ ମିନୁର ସାଙ୍ଗ ସରିତା ବି ତା ସହିତ ବସି ସେ ବହି ପଢ଼ିଲା। ପଢିସାରି ସେମାନେ ଶ୍ରେଣୀ କକ୍ଷକୁ ଆସିବାପରେ ଭୁଲ୍ ରେ ସରିତା ନିଜ ବ୍ୟାଗ୍ ଭିତରେ ସେ ବହିଟି ପୁରେଇଦେଲା ଓ ସ୍କୁଲ ଛୁଟି ପରେ ବହି ସରିତା ସହିତ ତା ଘରକୁ ଚାଲିଗଲା। ତାପରଦିନ ସରିତା କୁ ଜର ହେଲା ଓ ସେ ଚାରି ପାଞ୍ଚଦିନ ସ୍କୁଲ ଆସିଲାନି। ମିନୁ ଗାଳି ଖାଇବା ଭୟରେ କାହାକୁ କିଛି ନକହି ଚୁପ୍ ରହିଥିଲା।
ଏଥର କୁନା ନୂଆ ବହିଟିଏ ଲାଇବ୍ରେରୀ ରୁ ଆଣି, ମନଖୁସି ରେ ପଢିଲା ଆଉ ତାକୁ ମନେକରି ଠିକଣା ଜାଗାରେ ରଖିଲା।
