କୁମ୍ଭୀର ର ଶାଗ ପଟାଳି
କୁମ୍ଭୀର ର ଶାଗ ପଟାଳି
ମୋ ଜେଜେ ବାପା ତ ନଥିଲେ , ମୋର ଜେଜେ ମାଆ କହୁଥିଲା ଏ ଗପଟି , ପୂରା ଫାଣ୍ଟାସି । ରାତିରେ ସେ ଗପଟି ନ ଶୁଣିବା ଯାଏଁ ମୋତେ ନିଦ ଆସୁ ନଥିଲା । ଗପଟି ଏହିପରି :-
ଗୋଟିଏ ଥିଲା ସାଧବ , ଗୋଟିଏ ଥିଲା ସାଧବାଣୀ । ବାହାଘରର ଅନେକ ବର୍ଷ ପରେ ସାଧବାଣୀ ଗର୍ଭବତୀ ହେଲା । ସାଧବର ଭାରି ଆନନ୍ଦ । ସାଧବାଣୀ ଯାହା ମନ କଲା ତାକୁ ଆଣି ଦେଲା ।
ସାଧଵର ତଳ ବାଡ଼ି ଗଡି଼ଆରେ କୁମ୍ଭୀର ଟାଏ ରହିଥାଏ । ଗଡି଼ଆକୁ ଲାଗି କୁମ୍ଭୀରର ଶାଗ ପଟାଳି ମାଡ଼ି ଥାଏ । ଛନଛନିଆ ଶାଗ ଦେଖିଲେ ଯାହାର ହେଲେ ଲୋଭ ଆସିବ । ଶାଗ ଲୋଭରେ ଯେଉଁ ଲୋକ ଯାଏ ତାର ଗୋଡ଼ ଟାଣି କୁମ୍ଭୀର ନେଇ ଯାଇ ଆହାର କରେ । ସାଧବ କହିଥାଏ ସାଧବାଣୀକୁ ,
- ତଳବାଡି଼କୁ ଯିବୁ ନାହିଁଟି ଏକା ।
ମାଇପି ମାନଙ୍କର ବଦ୍ ଗୁଣ । ଯେଉଁ କଥାକୁ ମନା କରିବ ସେଇ କଥା ସେମାନେ କରିବେ ।
ଦିନକର କଥା , ସାଧବ ଯାଇଥାଏ ବଣିଜ କରି । ପୋଖତୀ ମଣିଷ । ସାଧବାଣୀର ମନ ହେଲା ଶାଗ ଖାଇବା ପାଇଁ । କାହାକୁ କହିବ । ଭାବିଲା , ଯାଏ , ତଳବାଡି଼ ଆଡ଼େ , କଣ ମଦରଙ୍ଗା କି ପିତାଶାଗ ଯୁଡେ଼ ତୋଳି ଆଣି ଖରଡ଼ି ଦେଲେ ଟିକେ ଭାତ ରୁଚିବ । ଅରୁଚାରେ ଜୀଭଟା ପିତା ଲାଗିଲାଣି । ତଳ ବାଡ଼ିକୁ ଯାଉ ଯାଉ ତାର ନଜର ପଡି ଯାଏ କୁମ୍ଭୀରର ଶାଗ ପଟାଳି ଉପରେ । ଆଉ କି ସେ ସମ୍ଭଳା ପଡେ । ଯାଇ ଶୀଘ୍ର ଶୀଘ୍ର ଶାଗ ତୋଳି ଲାଗିଲା । ଏହାଦେଖି କୁମ୍ଭୀର ଝପଟି ଆସି ସାଧବାଣୀର ଗୋଡ଼କୁ କାମୁଡି ଧଇଲା । ସାଧବାଣୀ କାନ୍ଦ କାନ୍ଦ ହୋଇ କାକୁତି ମିନତି ହେଲା , ତାକୁ ଛାଡ଼ି ଦେବାପାଇଁ । କୁମ୍ଭୀର ନାଛୋଡ଼ବନ୍ଧା । ଅନେକ ସମୟ ପରେ କୁମ୍ଭୀର କହିଲା ,
- ତୋତେ ଛାଡ଼ିବି ଗୋଟେ ସର୍ତ୍ତରେ । ସତ୍ୟ କର , ପୁଅ ହେଲେ ମୋ ସହିତ ମୈତ୍ର ବସେଇବୁ , ଝିଅ ହେଲେ ବିଭା କରେଇବୁ ।
ନିରୁପାୟ ସାଧବାଣୀ କହିଲା ,
- ସତ୍ୟ ସତ୍ୟ ତ୍ରିବାର ସତ୍ୟ ।
କୁମ୍ଭୀର ତାକୁ ଛାଡ଼ି ଦେଇ କହିଲା ,
- ଯାଆ , ଆଜିଠାରୁ ପ୍ରତିଦିନ ଶାଗ କେରେ ଲେଖାଁ ନେଇ
ଯିବୁ ।
କିଛି ଦିନ ଉତ୍ତାରୁ ସାଧବାଣୀର ଝିଅ ଟିଏ ହେଲା । ଚନ୍ଦ୍ର ଉଦିଆ ମୁହଁ । ପଦ୍ମଫୁଲ ପରି ରଙ୍ଗ ।
ସାଧବ ସାଧବାଣୀର ସ୍ନେହ ଶ୍ରଦ୍ଧା ପାଇ ଝିଅଟି ଶଶିକଳା ପରି ବଢ଼ିବାରେ ଲାଗିଲା । ଷୋହଳ ବର୍ଷ ବୟସରେ ସେ ଏକ ଅପୂର୍ବ ସୁନ୍ଦରୀ ତରୁଣୀରେ ପରିଣତ ହେଲା । ସାଧବାଣୀର ତ କୁମ୍ଭୀରକୁ ଭୟ । ତେଣୁ ଝିଅକୁ ଆଖିରେ ଆଖିରେ ରଖି ଥାଏ । ତଳ ବାଡ଼ିକୁ ଯିବାକୁ ଦିଏ ନାହିଁ । ଏଣେ କୁମ୍ଭୀର ଛଟପଟ । ଝିଅକୁ ଟିକେ ଦେଖିବା ପାଇଁ ଓର ଉଣ୍ଡୁଥାଏ । ମନେ ମନେ ଭାବୁଥାଏ , ଏ ମଣିଷ ଗୁଡ଼। ଏଡ଼େ ଠକ । ମୋତେ ଭଣ୍ଡିଦେଲା । ଆଚ୍ଛା , ଦେଖଲେଙ୍ଗା ।
ଦିନେ ଝିଅ ଖେଳୁଥାଏ କୋଠା ଉପରେ । କୁମ୍ଭୀର ବଜାଇଲା ସୁସୁରି । ଝିଅ ଚାହିଁ ଦେଲା ବେଳକୁ ତଳବାଡି଼ ଗଡ଼ିଆରେ ଅପୂର୍ବ ସୁନ୍ଦର ଏକ ସୁବର୍ଣ୍ଣ ପଦ୍ମଫୁଲ ଫୁଟିଛି । ମାଆ ତ ମନା କ
ରିଛି ତଳ ବାଡ଼ିକୁ ଯିବାପାଇଁ । ତେଣୁ ସେ ସେଆଡ଼କୁ ମନ ଦେଲା ନାହିଁ । କୁମ୍ଭୀର ଏହା ଦେଖି ଏକ ଉପାୟ ପାଞ୍ଚିଲା । ସାଧବର ରୂପ ନେଇ ଝିଅକୁ ଡାକିଲା ,
- ଆ ଲୋ ମାଆ , ସୁନା ପଦ୍ମଫୁଲ ନେବୁ ଯଦି ।
ଏଥର ଝିଅ ଖୁସି ହୋଇ ତଳବାଡି଼କୁ ଗଲା । ଗଡି଼ଆରେ ପାଦେ ପାଣିରେ ଫୁଲଟା ଥାଏ । ସେ ପାଣିକୁ ପଶିଗଲା । ଫୁଲଟା ଘୁଞ୍ଚି ଗଲା ପଛକୁ । ଝିଅ କହିଲା ,
- ପାଦେ ପାଣିକୁ ଗଲି ଗୋ ବାପା , ଫୁଲ ଘୁଞ୍ଚି ଘୁଞ୍ଚି ଯାଉଛି ।
କୁମ୍ଭୀର ତା ବାପର ସ୍ଵରରେ କହିଲା ,
ଆଉ ଟିକିଏ ଆଗକୁ ଯାଆ ।
ଝିଅ ଆଗକୁ ଗଲା ପୁଣି କୁମ୍ଭୀର ପାଟିରେ ଯାକିଥିବା ଫୁଲଟିକୁ ଆଉ ଟିକିଏ ଭିତରକୁ ନେଇଗଲା । ଝିଅ କହିଲା ,
- ଆଣ୍ଠୁଏ ପାଣିକୁ ଗଲି ଗୋ ବାପା ଫୁଲ ଘୁଞ୍ଚି ଘୁଞ୍ଚି ଯାଉଛି ।
ବାପାର ସ୍ଵର ଶୁଭିଲା ,
- ଆଉ ଟିକିଏ ଯା ,
ଝିଅ - ଜଙ୍ଘେ ପାଣିକୁ ଗଲି ଗୋ ବାପା ଫୁଲ ......
ବାପା - ଆଉ ଟିକିଏ ଲୋ ମାଆ ।
ଝିଅ - ଅଣ୍ଟାଏ ପାଣିକୁ .......
ବାପା - ଆଉ ଟିକିଏ ଝିଅ ।
ଝିଅ - ଛାତିଏ ପାଣିକୁ .......
ବାପା - ବାସ୍ ଆଉ ଟିକିଏ ।
ଝିଅ - ବେକେ ପାଣିକୁ ......
ବାପା - ସରିଲା ଝିଅ , ଆଉ ଟିକିଏ ।
ଝିଅର ଯେମିତି ମୁଣ୍ଡ ବୁଡ଼ିଲା କୁମ୍ଭୀର ତ ତାକୁ ସଟ୍ କିନା ଟାଣି ନେଲା ତା ଉଆସକୁ ।
ଝିଅ ପାଇଁ ସେଠି ସବୁ ସୂଖ ସୁବିଧା ଖଞ୍ଜି ଦେଲା । ହେଲେ ଝିଅ ଖୁସି ହେବ କେମିତି । କାନ୍ଦିଲା ଅହରହ ।
ସବୁଦିନ ରାତିରେ କୁମ୍ଭୀର ପଚାରେ ,
- ମୋତେ ବାହା ହବୁ ।
ଝିଅ ଆଉ ଯୋରରେ କାନ୍ଦେ । ଶେଷକୁ ସେ ଗୋଟାଏ ଉପାୟ ପାଞ୍ଚିଲା । ସୁନା ଝିଅ ପରି ସେଦିନ ହଁ ମାରିଲା । ତା ପରଦିନ ଠାରୁ ଭାତ ତିଅଣ ରାନ୍ଧି କୁମ୍ଭୀରକୁ ଖାଇବାକୁ ଦେଲା । କୁମ୍ଭୀର ନିଶ୍ଚିନ୍ତ ହୋଇ ପହୁଡ଼ ଗଲା । ଏହି ଅବସରରେ ଝିଅ କଟୁରୀରେ ଦେଲା ଗୋଟଜ ଚୋଟ କୁମ୍ଭୀର ବେକକୁ । କୁମ୍ଭୀରଟା ଦିଫାଳ ହୋଇଗଲା । ଝିଅ ତାଟକା ! କୁମ୍ଭୀର କାହିଁ ? ତା ଯାଗାରେ ଠିଆ ହେଇଛି କନ୍ଦର୍ପ ପରି ଏକ ରଜାପୁଅ । ଝିଅ ଲାଜେଇ ଗଲା । ସେମାନେ ସାଧବ ଘରକୁ ଗଲେ । ସାଧବାଣୀ କାନ୍ଦି କାନ୍ଦି ନୟାନ୍ତ । ଝିଅକୁ ଦେଖି ପ୍ରାଣ ପଶିଲା । ଝିଅ ସବୁ ଘଟଣା କହିଲା । ରଜାପୁଅକୁ ବୁଢ଼ୀ ଅସୁରୁଣୀ କୁମ୍ଭୀର କରିଦେଇଥିଲା ବୋଲି।
କିଛି ଦିନ ପରେ ଜାକଜମକରେ ଝିଅର ଓ ରଜାପୁଅର ବାହାଘର ହେଲା । ବହୁତ ବଡ଼ ଭୋଜି ହେଲା । କେତେଲୋକ ଖାଇଲେ । ମୁଁ ଯାଇଥଲି ଯେ ମୋତେ ପଚାରିଲେ ନାହିଁ ।
ମୋ କଥାଟି ସରିଲା
ଫୁଲ ଗଛଟି ମରିଲା ।
ଆରତୀ ସାହୁ ( ଆଶା )
ବସନ୍ତ ବିହାର
ନୂଆଦିଲ୍ଲୀ