Satyabati Swain

Children Stories

3  

Satyabati Swain

Children Stories

କୁହୁକ ଦୀପ

କୁହୁକ ଦୀପ

4 mins
221



ଏବେ ଘର ଅନ୍ଧାର କରି ଅଂଶୁ ପ୍ରାୟତଃ ଶୋଉ ରହୁଛି।ନା ଖାଇବା ପିଇବା ନା ଖେଳ କୁଦ କିଛି ନାହିଁ।ଗୋଟିଏ ଛୁଆ ହେଲେ ବି ଘରଟାକୁ ଉଠଉ ପକାଉଥିଲା। ସତେ ଯେମିତି ପଲେ ଛୁଆ ଏ ଘରେ ଅଛନ୍ତି।

ପଲେ ଛୁଆ ! କୁଆଡୁ ଆସିବେ ଲୋ ମା ଆଜିକାଲି ଗୋଟିଏ ହୋଇଗଲେ ଯଥେଷ୍ଟ।ଦିଟାକୁ ବାପା ମା ମନ କରୁ ନାହାନ୍ତି। ଆମ ବେଳେ ସିନା ଔଷଧ ମୋୖଷଧ ନଥିଲା ବୋଲି ଗୋଟେ କୋଠାରେ ହେଲେ ଆଉ ଗୋଟେ ପେଟରେ ଛୁଆ ହେଉଥିଲେ।ଏବେ ତ ଔଷଧ ଖାଇ ପିଲା ବନ୍ଦ।

ଏକ୍ ଆଖି ଆଖି ନୁହଁ କି ଏକ୍ ସାକ୍ଷୀ ସାକ୍ଷୀ ନୁହଁ କୁହନ୍ତି। ଏଇ ଦେଖୁନ ଆଉ ଗୋଟେ ଭାଇ କି ଭଉଣୀ ଥିଲେ ଅଂଶୁଟି କଣ ଏମିତି ହେଉଥାନ୍ତା! ଭାଇ ଭଉଣୀ ମିଶି ସାଙ୍ଗ ହୋଇ ଖେଳୁଥାନ୍ତେ ସିନା। ଆଉ ଗୋଟେ ପୁଅ କି ଝିଅ କର କହିବାରୁ ପୁଅ ତ ଖଡ୍ଗ ହସ୍ତ।ଏ ମହରଗ କାଳରେ ଗୋଟାକୁ ମଣିଷ କରିବା କାଠିକର ପାଠ ମା।ଗୋଟିଏ ପିଲା ତ ଅଛି, ଆଉ କଣ ହେବ!!

ଏବେ ଅଂଶୁକୁ ଦେଖରେ ଅମୁ।କେମିତି ଏକା ଏକା ନିରବି ଯାଉଛି ପିଲାଟା।ଆଉ ଗୋଟେ ଛୁଆ ଥିଲେ ଦିହେଁ ସାଙ୍ଗ ହେଉ ନଥାନ୍ତେ ! କିଏ କହିବ ଲୋ ମା ଏବେକାର ବାପାମାଙ୍କୁ  ! ପିଲା ଜନ୍ମ କରିବାରେ ହିସାବ ପତ୍ର କରୁଛନ୍ତି।

ଗୋଟିଏ ବୋଲି ଛୁଆ ଅଂଶୁ ଟାର କଣ ହୋଇଛି କେଜାଣି ସବୁବେଳେ ନଟ୍ ଖଟ୍ ହେଉଥିବା , ଭଙ୍ଗା ରୁଜା କରୁଥିବା , ହଜାରେ ପ୍ରଶ୍ନ ପଚାରି ପଚାରି ନୟାନ୍ତ କରି ଦେଉଥିବା ଅଂଶୁ ଏବେ ପୁରା ଚୁପ୍ ଚାପ୍।

ଇରେ ଅଂଶୁ ! କଣ ହୋଇଛି କି ବାପା,ସବୁବେଳେ ମୁହଁ ଶୁଖାଇ ବସୁଛୁ?  ଧନରେ  ଯା ସକାଳ ହେଲାଣି ପରା ଦାନ୍ତ ପତ୍ର ଘଷି କଣ ଟିକେ ଖାଇନେ। ସାତ ଟାରେ  ତୋ ଅନ୍ ଲାଇନ୍ କ୍ଲାସ ଅଛି? ନିତ୍ୟ କର୍ମ ସାରୁନୁ, ତୋ ମା ଏଇଲେ ଆସିବ, ଗେଜେରେ ଗେଜେରେ ହୋଇ କହିବ ଜେଜେ ମା ମୁହଁ ପାଇ ଅଂଶୁ ଦୁଷ୍ଟ ହୋଇ ଯାଉଛି। ଉଠ ଧନ।

ପେଟେଇ ପଡି ଗଦିରେ ମୁହଁ ଗୁଞ୍ଜି ପୁଣି ଶୋଇ ପଡ଼ିଲା ଅଂଶୁ।

ଅଂଶୁ ସୁନା ! ଆଜି ତୁ ଗାଳି ଖାଇବୁ ତା ସହ ମୋତେ ବି ଗାଳି ଖୁଆଇବୁ। ସୁନା ପୁଅଟା ତ ମୋର।ସବୁଦିନେ ଉଠି ଦାନ୍ତ ପତ୍ର ଘଷି ରେଡି ହୋଇଯାଉ ପଢିବାକୁ।ଆଜି କଣ ହୋଇଛି ବାବା?

ମା ଟା ତୋର କେତେ ଖଟିବ କହିଲୁ? ତୋ ଜେଜେ କୁଆ କା କରି ନଥିବ ଦିଅ ଚା, ଦିଅ ଜଳଖିଆ ରଡି ଛାଡିବେ।ବସିଲା ଲୋକର କଣ ଅଛି; କେବଳ ଭଲ ମନ୍ଦ ଖାଇବା ଚିନ୍ତା।।ସକାଳ ଦଶଟା ଭିତରେ ଦଶ ଥର ଚା।ଆଉ ତୋ ବାପା କେଉଁ କମ୍ କି ! ଯାହା ଜେଜେଙ୍କ ପାଇଁ ଜଳଖିଆ ହେବ, ତା ତୋ ବାପା ଦେହରେ ଯିବନି। ତାର ଅଲଗା ,ତୋର ଅଲଗା।ଯେତେ ଭୋରୁ ଉଠି କାମ କଲେ ବି ତୋ ମା କାମ ସରେନି। ଘର ପୋଛା,ଠାକୁର ପୂଜା ପୁଣି ତୁମମାନଙ୍କ ଫର୍ମାଇସ୍ ପୂରଣ କରୁ କରୁ ସୁନା ପ୍ରତିମା ପରି ବୋହୁଟି ମୋର ଶୁଝି ଡାଙ୍ଗ।

ତୁ ତୋ ନିଜ କାମଟି ଅନ୍ତତଃ କରି ଦେଉଥିଲୁ ବୋଲି ସିନା ସେ ତୋ ପାଖେ ସାତଟାରୁ ନଅଟା ଆସି ପାଠ କରଉଥିଲା।ଏଇଲେ ତୋ କାମ ସରିନି ଦେଖି କେତେ ବ୍ୟସ୍ତ ହେବ କହିଲୁ ? ଉଠିଯା ମୋ ସୁନା ଟା।

କାଳିଆ ବଳଦ ଆଇଲା ଆଇଲା ହାଣ୍ଡି ଧୁଡୁ ଧୁଡୁ କଲା କହି ମୁଁ ତାକୁ କୁତୁରୁ କାଳିଆ କଲାରୁ ଉଠି ମୋ ବେକରେ ଓହଳି ପଡି କହିଲା , ଜେଜିମା ମୋର କୁହୁକ ଦୀପ ଦରକାର। ମୋତେ କୁହୁକ ଦୀପ ଦେ।

କୁହୁକ ଦୀପ !! ସେଇଟା ପୁଣି କଣ ?କେଉଁଠି ମିଳେ? ସେଥିରେ କଣ ହୁଏ? ତୋ ବାପାଙ୍କୁ କହିବୁ ଚାରି ନମ୍ବର ମାର୍କେଟ ରୁ ନେଇ ଆସିବେ।

ସେ ମାର୍କେଟରେ ମିଳେନି।ଆଲ୍ଲାଦିନ ପାଖରେ ଥାଏ।ସେ ଦୀପକୁ ଘଷି ଯା ଇଚ୍ଛା କରିବ ମିଳିଯାଏ ସଂଗେ ସଂଗେ। ମୋର ସେଇ ଦୀପ ଟି ଦରକାର।

ଏଁ ଏ ଏ ଆଲ୍ଲାଦିନ କୁହୁକ ଦୀପ ! ହଁ ମୁଁ ଗପ ବହିରେ ପଢ଼ିଛି।ତା ଭିତରୁ ଜିନ୍ ବାହାରି କୁହେ ଟି "ବୋଲ୍ ମେରୀ ଆକ୍କା" ।

ହଁ ଜେଜିମା ସେଇ ଦୀପ।ମୋତେ ସେଇ ଦୀପଟି ଆଣି ଦିଅ ପ୍ଲିଜ୍ ପ୍ଲିଜ୍ ଜେଜିମା।

ହଇରେ ସେ ଗପର ଦୀପ ତୋତେ କେଉଁଠୁ ମିଳିବ।ଏଇ ଧର ମିଳିଲା ତାକୁ ନେଇ କେଉଁ ଇଚ୍ଛା ଟା ପୂରଣ କରିବୁ? ଓଡ଼ିଆ ରେ ଫେଲ୍ ହେଉଛୁ, ମା ବାବା ରାଗୁଛନ୍ତୁ। କୁହୁକ ଦୀପ ପାଇଲେ ଘଷିବୁ ସେଥିରୁ ଜିନ୍ ବାହାରିବ। ତାକୁ ବୋଧେ କହିବୁ ମୋର ଓଡ଼ିଆରେ ଭଲ ନମ୍ବର ରଖିଦିଅ, ନଲେ ସବୁବେଳେ ଭଉଣୀ ଟିଏ ପାଇଁ କାନ୍ଦୁଛୁ।କହିବୁ ମୋତେ ଗୋଟେ ଭଉଣୀ ଦିଅ।ଠିକ୍ ନା ଅଂଶୁ।

ମୁହଁ ଶୁଖାଇ, ମୁଣ୍ଡ ହଲାଇ ସାତ ବର୍ଷର ଅଂଶୁ କହିଲା ନା..ନା ଏସବୁ ଇଚ୍ଛା କରିବି ନାହିଁ।

ଆଉ !!!

ମୋ ବେକକୁ ଆହୁରି ଟିକେ ତା କୁନି ହାତ ଭିତରେ ରଖି ମୋ ପିଠିରେ ନଦି ହୋଇ କହିଲା ,ଜେଜିମା ମୁଁ ଦୀପ ଘଷିବି।

ହଁ ଠିକ୍।

ଜିନ୍ ବାହାରିବ।

ତା ବି ଠିକ୍।

ମୁଁ କହିବି....

ହଁ କଣ କହିବୁ?

ମୁଁ କହିବି କରୋନା ଭାଇରସ୍ କୁ ମାରି ଦେବାକୁ।ମୋ ସାଙ୍ଗ ପାପା ପରି ଯେଉଁମାନେ କରୋନାରେ ମରି ଯାଇଛନ୍ତି ତାଙ୍କୁ ବଞ୍ଚାଇ ଦେବାକୁ।

ଅଂଶୁ ମୋ ଧନ କହି ମୁଁ ତାକୁ କୋଳେଇ ନେଲି। ବାପରେ ମୋ ସୁନା, ଧନ,ରାଜା ମଲା ଲୋକେ କେବେ କଣ ଫେରି ଆସନ୍ତି? ସତରେ କେହି ଜିନ୍ ଆସନ୍ତା କି ,କରୋନା କୁ ବିଦା କରନ୍ତା ବିଶ୍ୱରୁ ମୁଁ ମନେ ମନେ କହିଲି।

ଅଂଶୁ ଆଖିରେ କରୁଣ ଚାହାଣି।

ମୋର ସେଇ କୁହୁକ ଦୀପ ଟି ଦରକାର।ଦିଅ ମୋତେ ସେ କୁହୁକ ଦୀପ କହି ହାତ ମୁଠା ମୁଠା କଲା ଅଂଶୁ।ଆଖି ଏଡ଼େ ଏଡ଼େ।ନିଃଶ୍ବାସ ଖର।

ମୁଁ ତାକୁ ମୋ ଛାତିରେ ଜାକି ଧରି ଥାପୁଡ଼େଇ ସ୍ୱର୍ଗକ୍ତି ତୋଳି କହିଲି ସେଇଟା ଗପର ଦୀପରେ ଅଂଶୁ ,ସତରେ କଣ ସେମିତି ଗୋଟେ କୁହୁକ ଦୀପ ଥିବ। ଯଦି ଥାଆନ୍ତା ଲୋକେ ଯେମିତି ହେଉ ଆଣି ଏ କରୋନାକୁ ସାବାଡ଼ କରି ଦିଅନ୍ତେଣି, ଆଜି ଯାଏ ଥାଆନ୍ତା କି ?

ଅଂଶୁ ମୁହଁ ଫୁଲେଇ କହିଲା,କେତେଦିନ ଘରେ ରହିବୁ ଜେଜିମା।ସ୍କୁଲ ନାହିଁ,ଖେଳ ନାହିଁ, ସାଙ୍ଗ ସାଥୀ ନାହାଁନ୍ତି। ମୁଁ ଆଉ ସେ ଅନ୍ ଲାଇନ୍ ରେ ପଢି ପାରିବି ନାହିଁ, ଯା।ମୋର କୁହୁକ ଦୀପ ଦରକାର, ଦରକାର, ଦରକାର।

ଅଂଶୁର ମାମା କିରଣ ଏସବୁ ଆଢୁ ଆଳେ ଥାଇ ଶୁଣୁଥିଲେ।ଘର ଭିତରକୁ ଆସି ଅଂଶୁ କୁ କାଖେଇ ନେଇ କହିଲେ କୁହୁକ ଦୀପ ଜିଦ୍ କରୁଥିବା,ପଢୁ ନଥିବା ,ଅଳସୁଆ ହୋଇ ସାତଟା ଯାଏ ଶୋଇଥିବା ପିଲାଙ୍କୁ କଣ ମିଳେ?

ଆଉ ?

ଗୁଡ୍ ବଏ ଙ୍କୁ ମିଳେ।

କାହାକୁ କିଛି ନ କହି କାଖରୁ ଓହ୍ଲେଇ ଅଂଶୁ ବ୍ରସ କରିବାକୁ ଯାଉ ଯାଉ କହିଲା ମୁଁ ଗୁଡ଼ ବଏ ହେବି।ମୋର କୁହୁକ ଦୀପ ଦରକାର। ଜିନ୍ ଆସିଲେ କରୋନାକୁ ମାରିବ।ଆମ ସ୍କୁଲ ଖୋଲିବ।ଆମେ ସାଙ୍ଗ ହୋଇ ଖେଳିବୁ।ବାବା କହିଛନ୍ତି ସମର ଭ୍ୟାକେସନ୍ ରେ ଆମେ ଏଥର ଶିମିଳି ପାଳ ବାଘ ଦେଖିବାକୁ ଯିବା।

ମିରର୍ ରେ ଦାନ୍ତ ଦେଖେଇ ଇ ଇ ହେଉଥିଲା ଅଂଶୁ।

କାସ୍ କୁହୁକ ଦୀପ ଟି ମିଳି ଯାଆନ୍ତା କି ଅଂଶୁର ମାମା ଦୀର୍ଘଶ୍ଵାସ ଟିଏ ଟାଣିଲେ।


Rate this content
Log in