କୁଆଁର ପୁନେଇଁ ଜହ୍ନ ଗୋ’
କୁଆଁର ପୁନେଇଁ ଜହ୍ନ ଗୋ’
[୧]
ଜହ୍ନ ଠିକ୍ ପ୍ରେମ ପରି, ଭାରି ଅବୁଝା । ଦିନେ ଏଡ଼ିକି ବକଟେ, ଅଧା କଟା । ଆର ଦିନକୁ ପୁରି ପରିକା ଫୁଲି ପୁରା ଗୋଲ୍ । ଏ ବୋଉଗୁଡ଼ା କୋଉ ବୁଝା ଯେ ! ଷଷ୍ଠ ଶ୍ରେଣୀର ପାଟୀ ଗଣିତ ହେଉ କି ଦଶମର ପରିମିତି । କଲେଜ ବେଳର ଡିଫରେନସିଏସନ ବି ହେଉ ନା କାହିଁକି । ସେଗୁଡ଼ିକୁ ସମାଧାନ କରିବା ବରଂ ସହଜ ।
- ଲୋ ବୋଉ... !!!
- ସନା ଆଇଲାଣି ନା କ’ଣ ଆଉ ? ଏ ସନା ବାପା ! ଗଲୁ ଗଲୁ । ଲଣ୍ଠୁନାଟା ତେଜି ଗଲୁ ଟିକେ ।
- ଧେତ୍ ! ଅଞ୍ଜନକୁ କହି ଡେଙ୍ଗା ଗଛ ତାଡ଼ିରୁ ଢୋକେ ପିଇଥିଲି ଯେ... ! ଶଃ ! ସବୁ ନିଶା ଉତୁରେଇ ଦେଲା । ଏ ବ୍ଲଡ଼ି ମାଈକିନାଙ୍କୁ ବୁଝିବା ବି ଭାରି କଷ୍ଟ ।
-କ’ଣ କହିଲୁ ?
-କାଇଁ ? କିଛି ନାଇଁ ତ !
ଢୁଳେଇ ଢୁଳେଇ ଦି’ ଖୋଜ ନଯାଉଣୁ, ସନା ଆସି ଦୁଆରେ । ଡବଡବ କରି ପାଣି ଢାଳି ଗୋଡ଼ ଧୋଇ ବୁଲିପଡିଲା ବେଳକୁ, ସବୁଦିନ ପରି ବୋଉ ଗାମୁଛା ଧରି ଠିଆ ହେଇଛି । ବର୍ଷା-କାଦୁଅକୁ ଟିପ ଟେକେ ବୋଲି ସଞ୍ଜ ନବୁଡୁଣୁ କୂଅ ମୂଳୁ ବାଲଟିଏ ପାଣି ଆଣି ଦାଣ୍ଡ ପିଣ୍ଢାରେ ଥୋଇ ଦେଇଥାଏ ବୋଉ । ନିଜେ ନଆଣି ପାରିଲେ ବାପାକୁ ବରାଦ କରେ ।
- କ’ଣ ହେଲା ଏବେ କହ…ଝିଅ ପସନ୍ଦ ହେଲା ?
- ଗୋରୀ, ସୁନ୍ଦରୀ ।
- ତା’ହେଲେ ମୋ ଧନ ମନକୁ ପାଇଛି ଟି’ ? ତୋ ବାପା କହୁଥିଲା, ସେ କାଳେ ଗୋଟିଏ ଚାଉଳରେ ଗଢା !
- କେଜାଣି ? ଅଧା ପାଠୁଆ । ତା’ କାଣି ଆଙ୍ଗୁଠିଟା ବି ଟେକି ହେଇଥିଲା ।
- ମୁଁ କିଛି ଶୁଣିବିନି ସନା । ଏସନ ତୁ ବାହା ହଉଛୁ ମାନେ ବାହା ହଉଛୁ । ସେ ଛୋଟି ହଉ କି କେମ୍ପି ହଉ । ଆଉ କେବେ ବାହା ହେବୁ ? ବୟସ ଆସି ୨୫ ହେଲା...
[୨]
ବାଜା ବାଜିଲା, ବାଣ ଫୁଟିଲା । ସନାତନ ହାତରୁ ଦି’ ହାତ ହେଲା । ମନରେ ତାର ଲଡୁ ଫୁଟିଲା । କାଇଁଚ କେବଳ ଦେଖିବାକୁ ସୁନ୍ଦରୀ ନଥିଲା, ସମତଙ୍କ ମନ ଜିଣି ଦଶଭୂଜା ଦୂର୍ଗା ଭଳି ନଅ ଭଜା, ଛଅ ତିଅଣ ସାଙ୍ଗକୁ ଆରିସା, କାକରା, ମଣ୍ଡା, ଏଣ୍ଡୁରି ଆଦି ଭଳିକି ଭଳି ପିଠା ଗଢୁଥିଲା । ଗୁଡ଼ିଆ ହେଇ ପକୁଡ଼ି-ବରା ଛାଣୁଥିଲା । ଧୋବଣୀ ହେଇ କନ୍ଥା-ଗୋଦଡ଼ି କାଚୁଥିଲା । ଚିତ୍ରକର ସାଜି ଦାଣ୍ଡଦୁଆର ଝୋଟିଚିତା ଆଙ୍କୁଥିଲା । ବାର ମାସ ତେର ପର୍ବରେ ଉପାସ ରହି ଲମ୍ବା ଆୟୁଷ ପାଇଁ ଓଷା କରୁଥିଲା । ଦେହ ଖରାପ ହେଲେ ରାତି ରାତି ଅନିଦ୍ରା ରହି ସେବା-ଯତ୍ନ ବି କରୁଥିଲା । ସତେ ଯେମିତି ରୂପ ସାଙ୍ଗରେ ଗୁଣଗୁଡ଼ା ସୁଧରେ ମିଳିଥିଲା ସନାତନକୁ ! ନୂଆ ଫଟଫଟିଆରେ ବସେଇ ବଜାର ଗଲେ, ଛାତି ତାର ଆପେ ଚଉଡ଼ା ହେଇଯାଉଥିଲା । ୪/୬ ଫୁଟିଆ ଖଟରେ ଫିକ୍ସ ଥିଲା ସନାର ସପନ । କାଇଁଚ ସେ ଆଉ ଗୋଟିଏ ମାତ୍ର ପୁଅ । କିନ୍ତୁ...
[୩]
ଏପାଖ ସେପାଖ ହେଉଥାଏ ସନା, ମେଡିକାଲ୍ କରେଡରରେ । ଲେବର୍ ରୁମରେ କାଇଁଚ କଷ୍ଟ ପାଉଥିଲା ବେଳେ ଝାଳରେ ଗାଧଉଥାଏ ସନା । ପୁଅ ଯେମିତି ଟିକିଏ ବି ଅବହେଳା ନହୁଏ, ସେପାଇଁ ବୋଉକୁ ବି ନେଇ ଆଇଛି ଆଗୁଆ । ନର୍ସମାନେ ଧାଁ-ଦୌଡ଼ କଲାବେଳେ ତା’ ସପନ ଦୌଡୁଥାଏ ଶିରା-ପ୍ରଶିରାରେ । କ୍ଷଣଟିଏ ଘଣ୍ଟା କଣ୍ଟାରୁ ଆଖି ହଟୁ ନଥାଏ ତାର । କୁଆଁ କୁଆଁ... କଳରବରେ ଚାହିଁଲାବେଳକୁ ୧୧ ଟା ୧୧ । ପ୍ରତିକ୍ଷିତ ଲୁହ ଦୁଇ ବୁନ୍ଦା ଖୁସିରେ ବାହାରି ଆସିଲେ ଆଖି ଦେଇ । ହେଲେ,
- କ’ଣ ହେଲା ? ଲକ୍ଷ୍ମୀ ଆସିଛି ଆମ ଘରକୁ ! ତମେ ଖୁସି ନାହଁ ?
ଏକ ଦୀର୍ଘ ନିଶ୍ଵାସ ପରେ ସନା କହିଲା,
- ଜାଣିଛୁ କାଇଁଚ ! କାଲି ଅଧରାତିରେ ଗୋଟେ ସପନ ଦେଖିଥିଲି ।
- କି ସପନ ? ପୁଅ ହେବ ବୋଲି !
- କେଜାଣି ? କିନ୍ତୁ ଗୋଟେ ଛୁଆ । କଅଁଳା ଛୁଆ । ହାଃ ହାଃ ହାଃ ହେଇ ହସୁଛି । ଏକ ବିକଟାଳ ହସ । ଏକ ରହସ୍ୟମୟୀ ହସ । ଆଉ ମୁଁ ତାକୁ କଚାଡି ମାରିଲାବେଳକୁ ସେ ଜମାରୁ ମରୁନି । ଉଡିଯାଇ ପୁଣି ହସୁଛି । ଠୋ ଠୋ ହସୁଛି । ଏଥର ଲାଗୁଛି ଯେମିତି ସେ ମୋତେ ଅଟ୍ଟହାସ୍ୟ କରୁଛି ।
- ତମ ମୁଣ୍ଡ ବାଇୟା ହେଇଗଲାଣି । ଦେଖିଲ ଦେଖିଲ ! ୟା’ ଆଖି ଆଉ ଓଠ । କାକର ଭଳି ନିଷ୍ପ୍ରଭ ଓ ନିରାସକ୍ତ ନୁହେଁ ?
- କାଳି, କୋତରୀ.... ଖାଲି ଚିନ୍ତା ବଢେଇବ ସିନା ! ଏ ବ୍ଲଡ଼ି ମାଈକିନାଙ୍କୁ ବୁଝେଇବା ବି ଭାରି କଷ୍ଟ ।
- କ’ଣ କହିଲ ?
- କିଛି ନାଇଁ ! ତମେ ରେଷ୍ଟ୍ ନିଅ । ମୁଁ ରିଲିଜ୍ ପେପର ରେଡ଼ି କରିଆସୁଛି ।
[୪]
ଚାଇନା ପ୍ରଡ଼କ୍ଟ ଭଳି କାଇଁଚ । ୨୧ ବର୍ଷରେ ବାହା ହେଇ ଆସିଥିଲା ଆଉ ବର୍ଷ କେଇଟା ଅଭିଯୋଗର ସୁଯୋଗଟିଏ ଦେଇନି । ହେଲେ ଲୀନାକୁ ୧୪ ନପୂରୁଣୁ ବିଛଣା ଧଇଲା ସେ । ରୋଗ ଖାଇଗଲା କି କାମ କରିକରି ରଦ୍ଦି ହେଇଗଲା ? କଉଟା ସତ ଜଣା ନାହିଁ । କିନ୍ତୁ ନିଶ୍ଚିନ୍ତ ବୋଝଟିଏ ହେଲାଣି ଏବେ ସେ ସନା ପାଇଁ, ସେଇଟା ଜମା ମିଛ ନୁହେଁ ।
- ବୋଉ ! ତୁ ତ ତୋ ଝିଅବେଳେ କୁଆଁର ପୁନେଇଁ କରୁଥିବୁ ?
- ହଁ ! (ଆଖିରେ ଏକ ଅପୂର୍ବ ଚମକ ସହିତ ଖୁବ୍ ସହଜ ଉତ୍ତର ଫେରେଇଲା କାଇଁଚ)
- ଜହ୍ନ ପରି ନ ହେଇ ତୋ ଗେରସ୍ତ କେମିତି ଏତେ ନିଷ୍ଠୁର ଓ ସ୍ଵାର୍ଥପର ହେଲା, ବୋଉ ?