Lopamudra Parida

Others

3  

Lopamudra Parida

Others

କଳାଯାଇ

କଳାଯାଇ

7 mins
166


ପାରଦର୍ଶି କାଚ ଦରଜା ।

ତା' ଆଗରେ ଠିଆ ହେଲେ ଆପେ ଖୋଲିଯାଇ ପାଛୋଟିନାଏ ଅନ୍ଦରମହଲକୁ ।

ପେନସିଲ ପରି ଝିଅଟି ।

କଣ୍ଢେଇ ଛାନ୍ଚ ପରି ଗଢଣ ।ନକନକ।

ମୋ ପଛ ଚଉକିରେ ବସିଥାଏ ।ଏକା ଥାଏ କି ତା' ସାଙ୍ଗରେ କିଏ ମୁଁ ଜାଣେନି ।

ମୋର ଏଇ ସହର ଦେଖା ପ୍ରଥମ ।ବେକିଆ ଖାଇ ଘରୁ ତଡା ହେଇଛି ବରଷେ ହେଲା ଚାକିରୀ ଖୋଜିବି ବୋଲି ଏକ ପ୍ରକାରେ । ନହେଲେ ବୋଉ ପଣତରୁ କିଏ ବାହାରେ ଆପେ କଣ !ଏଠି ସେଠି କାଗଜ ପକେଇ ଅନେଇ ରହୁଛି ।

କୁଳସାରେଙ୍କର ନହକା ବେତ ମନେପଡିଯାଉଥାଏ ସେଇ ପଛପଟ ଝିଅଟିର ପ୍ରତିବିମ୍ବିତ ଛବି ମୋ ଆଗ ପଟ ଆଇନାରେ ଦିଶିଗଲା ବେଳକୁ ।କଣି ବାଉଁଶ ।

ମୋ ସାଙ୍ଗରେ ଆସିଥାଏ ଅଭିଭାଇ ।ମୋର ବଡଭାଇ ମାପର ହବ ।ମାନେ ମୋ ସଙ୍ଗାତର ବଡ ଭାଇ ।ଏଇଠି ରହେ ।ଏଇ ସହରରେ ।ଲାଗ ଲାଗ ଛ ବର୍ଷ ପୁରିବ ବୋଧେ ଏଇ ବର୍ଷ ମିଶେଇକି ।ତାରି ପାଖରେ ରହିବି ଇଲେ ।ଚାକିରି ଗୋଟେ କୋଉଠି ଲାଗି ହି ତ ଯିବ ।ଶହେ ରୁ ଶହେ ରଖିଥିଲି ମୁଁ ସବୁଥେରେ ।ପାଠରେ ଆମ ଅଞ୍ଚଳରେ କିଏ ପାରେ କଣ ମତେ ! ହେଲେ ଅଭିଭାଇ ଟାକେରା ଫୁଟେଇ କହେ," ହେ! ଯାଃ .... ମରୁଭୂମି ରେ ଘାସ କହେ ମୁଁ ରଜା ।ବୁଡବକ କହିଁକା । ଖାଲି ବାଲିଟିଏ ପାଠ ନୁହଁରେ ସାଠରେ ଶହେ ସରିକି ରଖିଲେ ଯାଇ ଚାକିରୀ ।ଏ ଓଡପଣ ଛାଡେ ।ଏ କଲିକତି କଲି କାଟେ ।ଏ ଫୁଲୁବାବୁ ସାଟ ଆଉ ଢୋଲା ଢୋଙ୍ଗଳା ପେଣ୍ଟ ପିନ୍ଧା ଆଉ କା' ଆଖିକୁ ରୁଚୁଚି କଣ ! ଭେକ ଥିଲେ ପରା ଭିକ ।ରଃ .... ମୁଁ ତତେ ଦିନାକେଇଟାରେ କେମିତି ଚଇଟି ଚିକଣ କରି ଚୋଖା ଟୋକା ବନେଦେବି।ଚାକିରି ଗୋଡେଇବ ବା ତତେ ।ଦୁଆର ବାଡେଇବ ।ତୋର କଣ ଖୋଜିବା ଦରକାର । "

ମତେ ତାର ଏ ପରିପାଟିଆ ଫାଡୁ କଥା ଫାଙ୍କା ଲାଗେ ।ଗୁଡି ସୂତା ନଟେଇରେ ଗୁଡେଇଲା ପରି ଲଟଉଥାଏ ଯାହା ,ପବନା ।ତା' କଥା ଯେ ପୁରା ମିଛ ... ସେ କଥା ନୁହଁ ।ତମେ ଯେମିତି ଯଦି ସେମିତି ଗଲ ଗୋଟେ କୋଉଠିକି, ସେମାନେ ତମକୁ ଏମିତି ଚାହିଁବେ ଯେମିତି ତମେ କୋଉ ଅନ୍ଯ ଗ୍ରହରୁ ଆସିଛ! ତାଙ୍କ ଆଖିର ଚାହାଣୀ ଭଙ୍ଗୀ ତଣ୍ଟିଆ ମାରି ମାରି ସେ କବାଟ ବାହାରକୁ ତଡି ହେଇଯିବ ତମେ ନିଜେ ।ନାଲିଚୁଡା, ନାଲିଚୁଡା ।

ହେଲେ ତାଙ୍କୁ କି ଜଣା ସବୁ ତକ ପୋଷକ ଏଇ ନାଲିରେ ବୋଲି ।ଫାଇନି ଫରଫର ଚୁଡାରେ କଣ ଟାଣ ଥାଏ ନା ପଣ ଥାଏ !

ଅଭିଭାଇ ତାର କଣ ସବୁ ମଗେଇଥାଏ ।ସବୁ ଏକା ପରି ଲାଲି। ଲାଗୁଥାଏ ଯେମିତି ଗୋଟାଏ ମସଲାରେ ଅଲଗା ଅଲଗା ଚିଜ ଗୋଳେଇଛି ଯାହା ।ବିନସ୍ ପରିବା ତ ଦରସିଝା ବି ନୁହଁ ।କାଡୁ କାଡୁ ଶୁଭୁଥାଏ ଚୋବେଇଲା ବେଳକୁ ।କହିଲାରୁ ଅଭିଭାଇ ତେରେଡେଇକି ଚାହିଁଲା ।ଆଉ ନ ଶୁଭିଲା ଭଳିଆ କହିଲା, " ଶଃ ମଫ " ।

ସେ ଖାଇବା ସବୁର ନାଁ କୋଉ ମୁଁ ଏ ଜନମେ କହି ପାରିବି ଭଲା!ତଥାପି ଜିଭପାଟିରେ ସ୍ବପ୍ନ ଭରିବା ପରି କୌତୁହଳିଆ ନାଁ ତକ ।ତମକୁ ଲାଗିବ କଣ କଣ ସବୁ ଆସିବ ।ଦେଖିଲା ବେଳକୁ ଏ ଟିପେ, ଏଇ ଧାପେ ।ନା ପାଟିକୁ, ନା ପେଟକୁ ।ପକେଟର ସବୁ ଗରମ ଓହ୍ଲେଇ ଯିବ ପଛେ ଦାନା ତୁଣ୍ଡକୁ ନା କଳକୁ, ତମେ ବିଚାରି ପାରିବନି ।ଛାଡ ! ସହର କଥା ।ଏଇ ଟୁକୁ ଟୁକୁ ଖାଇବାରେ ଚିରୁଳିଆ ସହରି ପେଟ ସାଏଁ କି ଭରୁଥବ ।ଆମ ଆଡେ ତ ପତରେ ଖିରି ସୁଡୁସାଡ ନ ହାପୁଡିଲା ଯାଏ ଦାବତ ଉଠେନି ।

ଯାଦୁପୁରୀ ଭଳିଆ ସଜାହେଇଛି ଏ ଖାଇବା ଘର ।ଜକମକ ଝଲମଲ ।ଟଙ୍ଗାହେଇଛନ୍ତି କେତେ ରୋଷଣୀ ଆଉ ନକଲି ଫୁଲତୋଡା ।ଚାରିପଟେ କାଚ ।ମୁହଁ ଦିଶୁଚି ।ଆଉ ଆଦବକାରୀ ଅଦବରେ ଆସି ଘଡିକି ଘଡି "ହାଁ ଜୀ" କହିଯାଉଛନ୍ତି ।ଗୋଟା ରଜା ମେହେଫିଲି ଜାଣି ।

ସେ ଝିଅ ଉପରେ ପୁଣି ଆଖି ପଡିଗଲାକି ,କାଚ ଦେଇ ।ମୁଁ ମାଗେଣାଟାରେ କୁରୁଳିଉଠିଲି ।ମନେ ପଡିଯାଉଥିଲା ମୋ ଶ୍ରେଣୀର ନମିତା ।ଅନୀତାଦେଇ.... ଯିଏ ଚତୁର୍ଥ, ପଞ୍ଚମ ରେ ଆମକୁ ଗଣିତ ପଢାଏ ଆଉ ହାତକୁ ହାତକୁ ଖୁବୁ କୁଟେ ଫାଳିକିଆ ପଟାରେ ... ତାରି ସାନ ଭଉଣୀ ।ଆହାଃ କି ମନଚୋରା ଚାହାଣୀ ତାର ।କଲିଜା ତଳଟା ଝିମ୍ ଝିମେଇ ଯାଏ ।ହେଲେ ବୋଉ ମୋର ତାକୁ ଡାକିବ "ନହକା ବେଣ୍ଟି" ।କହିବ ," ମଲା ମୋର! ହଳଦୀ ଗଣ୍ଠି ପରିକା ବଳିଲା ବଳିଲା ଭୁଜ_ ପାଦ ସିନା ସୁନ୍ଦର ।ଦେଉଳ ସଖୀ ପରି ଡଉଲଡାଉଲ, ଖୁନ୍ଦିଲା ଖୁନ୍ଦିଲା ଅବୟବ ସିନା ରାଇ ପରି ଦିଶେ ।ଲକ୍ଷ୍ମୀ ସାରନ୍ତାଣି କାଟ ।

ଆଉ ଏ ଝିପିପିଟିପରି ଧଳାଛାଲ, ତହିଁକି କଞ୍ଚା ମରିଚ, କି ଡାଙ୍ଗ ଛୁଇଁ ପରିକା ସେମେଟା ମୁହଁ ।ହୁଁ ।ବେତ ବି ତା' ଠଉ ମୋଟ ।ନା କୋଳକୁ ନା କାଖକୁ ।" ତା' ସାଙ୍ଗକୁ ପୁଣି ଆମ ଖଞ୍ଜା ବିନଖୁଡି ପାଳିଧରିଲା ଭଳିଆ ଧନିଆଗୁଣ୍ଡି କଳେ ଡେବିରି ହାତରେ ମଳିଦେଇ ପାଟିକୁ ପକେଇ କହିବେ, " ହୁଁ, ଯ ହେ ନାନୀ ଏଗୁରା କେମିତି କେଜାଣି ବରଘର ଯାଇ ସଂସାର କରିବେ? ଖରଡିବେ, ବାଢିବେ,ପରଶିବେ ? ଆଠିଣିକର ପେଟ ଥାନ୍ତା କାଇଁ ! ତୋଡି ପୀତାଶୁଖୁଆ ତକ । ଠାକେରା ମୁହଁ ରେ ପାଉଁଡର ।ଯୋଉ ମାନୁଛି ଆଗେ ।ସାକ୍ଷାତ ପୀତାଶୁଣି ।ଭେଟେଣା ହେଇଯିବ ମାଛିଅନ୍ଧାରୁଆ ଭେଟ ହେଲେ ।ସବୁ ,ସବୁ ସେଇ ଟିଭିର ମାୟା ହେ ନୂଆଉ ।ସେଇ ଯୋଉ ସିଲିମିଫିଲିମି କଣ ହଉନାହାନ୍ତି ସବୁ ,ପୋତେ ଲେପ ଚମରେ ପୋତିକି, ସେଇ ହବାକୁ ସଭିଁଙ୍କ ମନ ତ ଖାଲି ଖଲବଲ ଆ ।ଆଲୋ ଖଣ୍ଡ ହଳଦୀ ମୁଠେ ଛେଚି ବତୁରେଇ ଶିଳରେ ପାଲିସିକି ବାଟି ରାତିରେ ରକଟି ମରୁକୁଟି ଛଡେଇ ଶୋଉନ ଦେଖି ।କେମିତି ସୁବର୍ଣ୍ଣ ଛଳଛଳ ନ ଦିଶିବ ଛାଉଣୀ !ନାଃ ସେ କଥା କୁ ସବୁ କଣ ମନ ? କର୍ମକୁଣ୍ଠ ।କାମ କଲେ ଦିହହାତ ଘୋରି ତରଳି ବହି ଯାଏ କି ସତେ !

ବନ ମାଟିରେ ଆମେ ମୁଣ୍ଡ ଧୋଉଥିଲୁ ।ମରା ନଡିଆ ଘିଅ ,ପେଡା ଶୋରିଷ ତେଲ କି ରାଶି ତେଲ ମାଲିସି କରୁଥିଲୁ ।ଝୁଣାଧୂଆଁ ଦେଇ ଶୁଖଉଥିଲୁ ।ଦେଖିଲ ,ହେଇ ଏ ଯାଏ ଗଣ୍ଠିଟେ ପଡିଛି ନାଉ ମଥାରେ ।ଆଉ ଚମ ! ଏ ଯାଏ ଗାଲେରେ ଗୋଟା ବରୁଣ କି ଶୁନୁଫୋଟକା ଆଗେ ହେଲାଣି ନା ! ଆଉ ଆଙ୍କର ସବୁ .... ଛିଃ ଛିଃ ।  "

ମତେ କିନ୍ତୁ ତା' ଲମ୍ବା ଛାଟବେଣୀ ଯାଗାରେ ଥାକଥାକିଆ ଅଧା ବାବୁରି ଆଉ ଅଧା ପିଠିଯାଏ ଚୁଟି ସହ ହରିଣୀ ଚାହାଣୀ ହଣା ଭାରି ରୁଣୁଝୁଣାଏ ।ଆଉ ତା ବାଁ ପଟ କାନ ଗାଲ ମଝିରେ ଯୋ କଳାଯାଇଟା ... ନଇଁ ପଡି ଅଙ୍କ ଲେଖିଲା ବେଳେ ଦିଶେ ହେଇଟା ।ଉଫ୍ ... ।

ଏ କଥା ବୋଧେ ଏ ବୋଉଭରିଆଙ୍କ ଆଖିରେ ପଡିଯାଇଛି କୋଉ ଦିନ ।ସେଇଥିଲାଗି ଏତେ କଥା କାଢୁଛନ୍ତି ।ନହେଲେ ନମିଟା କଣ ସତରେ ଏତେ ଖରାପ ଦେଖିବାକୁ ।ଆମ ଇସ୍କୁଲ ଯାକେରେ କିଏ କାଇଁ ତା' ପାସଙ୍ଗେ ପଡିବ!

ଆମର ତ ଏକଫଳି ବାଉଁଶ ଘର ।ଖାଲି ପୁଅ ମାଳ ମାଳ ।ଘର ଯାକେରେ କାଇଁ ଗୋଟେ ଝିଅ ଥାନ୍ତା ।ଭଉଣୀଟେ ନାହିଁ ମାନେ କୁଆଁରପୁନେଇ,ଜହ୍ନିଓଷା ଠୁ ରାକ୍ଷୀ ଯାଏ ନାହିଁ ।ପୁଚିତୁଚି ଖେଳ ହେଲେ ସିନା ଭଉଣୀର ସାଙ୍ଗ ସବୁ ଆସନ୍ତେ ଯାନ୍ତେ କେଡେ ସରାଗରେ ।ଆମକୁ ବି ଭଲ ଲାଗନ୍ତା ।ଆଉ ବାହାରେ ଯଦି ତମେ କୋଉ ଝିଅଟିକୁ ଟିକେ ମନ ପାଇଲା ପାଇଲା ହେଲ , ଏ ମାଆଖୁଡୀଙ୍କର ତ ବ୍ଯୋମକେଶ ବକ୍ସିର ଟର୍ଚ୍ଚ ପରି ଆଖି ।ବିଲେଇ ପରି ନାକ ।ସବୁ ଶୁଙ୍ଗିଦେବେ ପବନରେ ଜନମ ନ ହଉଣୁ ।

ସେ ଯା ହଉ ସପ୍ତମ ପରେ ଗାଁ ଛାଡି ହଷ୍ଟେଲ ପଢା ।ସେଠି ତ ୱାଡେନ ପୁରା ନୀମପିତିଆ ଚରିତ୍ର ।

ଏ ଭିତରେ ଖାଇବା ସରିଥିଲା ଆମର ।ମୋର ଅର୍ଶ ଯୋଗୁଁ ବୋଉ ମନା କରିଥିଲା "ମରିଚ ଘୋଟି ଖାଇବୁନୁ" ।ଇଏ ତ କଣ କଞ୍ଚା ଅଦା ଖଣ୍ଡର ଝୋଳ ।ଯା ହବ ! ମାଆ ଗଙ୍ଗେଇଙ୍କୁ ଜଣା ।ଅଭିଭାଇର କିଏ ଗୋଟେ ଫୋନ କଲା ।ସିଏ ଠାରରେ ମୋ କାନ୍ଧରେ ଟିପଟେ ମାରିଦେଇ ବାହାର ମେଲାକୁ ଉଠିଗଲା ।ସେଠି ଆହୁରି କେତେ ଲୋକ ଗୋଲେଇ ହେଇ ସବୁ ଗପୁଥିଲେ, ହସୁଥିଲେ, ଖାଉଥିଲେ ।ପୁଣି ଖାଇବାର ଫଟୋ କାଢୁଥିଲେ ।ବୋଉ ଆମର ବହେ ଗରଜି ସାରନ୍ତାଣି ଖାଇବା ଫଟୋ ଲଗେଇଛ ଦେଖିଲେ ।କୁଆଡେ ଡାହାଣିଆ ଦୃଷ୍ଟି ପଡିବ ।ନାଳ ମୋଡିହେଇ ପେଟ କାଟିବ ।ଦେହ ଶୁଖି ତେଣିକି କଣ୍ଟା ।ଆଜିକାଲି ତ ଲୋକେ ପୋଖରୀପାଣି ଯାଇ ଗାଧୁଆତୁଠଠି ବୁଡ ପକେଇଲେ ବି ଫଟୋଟେ ନବାକୁ ପଛଉନାହାନ୍ତି ।ମୁଖପୁସ୍ତିକା ର ମୁଖସାଜ ନେଇ ଏତେ ଲୀଳା ।ପଇସାକର ଲାଭ କାଇଁ ଥାନ୍ତା ତହିଁରେ ।

ହଁ ,ସେ ଝିଅ ଏଇଲେ ସେପଟକୁ କୁଆଡେ ଉଠିକି ଗଲା ।ଆଣ୍ଠୁଯାଏ ଖଣ୍ଡିକିଆ ସାଟଟେ ଗଳେଇଛି ।ଗାଢରଙ୍ଗ ।ଭଲ ମାନୁଛି ।ଆଖି ଫେରେଇ ହଉନି ମ ।ସିଏ ଫେରୁଛି ।ମୋ ପଛ ପଟ ତା' ଯାଗାରେ ବସୁଛି ।ଫୋନରେ କଣ ଟିପିଦେଇ ଅଳପ ଅଳପ ବୋଧେ ହସୁଛି ।ମତେ ଦିଶୁନି ତା ' ମୁହଁ ।ହେଲେ ମୁଁ ସବୁ ଜାଣୁଛି ।କେମିତି? ପଚାରନି ।ଜାଣିଥିଲେ ସିନା କହନ୍ତି ।

ଏ ଅଭିଭାଇଟା ଗଡଖାଇ ଭଳିଆ ମତେ ଏଠି କଳାପାହାଡ କରିଦେଇ ଏ ଯାଏ କୁଆଡେ ଗଲା କେଜାଣି ।ଭଲା ରାମଚଣ୍ଡି ଭଲାରେ, କଳା ପାହାଡକୁ ଦୁଆରେ ବସେଇ ପାଣି ଆଣିବାକୁ ଗଲାରେ ।

ଏତିକି ବେଳକୁ ହୋଟେଲର ଟୋକାଟା ସୁନ୍ଦରିଆ ଚେକା ଗିନାଟିରେ ଫାଳେ ଲେମ୍ବୁଭସା ପାଣି ଆଣି ଆଖି ଆଗରେ ଥୋଇଲା ।ଚିପୁଡା ଲେମ୍ବୁ ପରି ଜବରଦସ୍ତିଆ ହସଟେ ଖେଳେଇଦେଇ ଅଣ୍ଟା ନୁଆଁଇ ଚାଲିଗଲା ।ମୁଁ ଦେଖିଛି ବାପା ଆମର ଅବେଳସବେଳରେ ଏମିତି ପାଣିରେ ଲେମ୍ବୁ ଚିପୁଡି ପିଅନ୍ତି ।ଯା ହଉ ।ଏ ଭଲ ହୋଟେଲଟି ଆ ।ଖାଇବା ହଜମାଉପାୟ କୁ ଲେମ୍ବୁରସ ମିଶା ପାଣିପଥି ଦେଲାଣି ଆଉ ।ମୁଁ ମନଖୁସିଆ ସେ ଉଷୁମ ପାଣି ତକ କାଚ ଗ୍ଲାସରେ ଓଜାଡି ଫାଳକ ଲେମ୍ବୁ ଚିପୁଡି ଦେଲି ।ଜାଣିଛି ମ ବେଶୀ ଲେମ୍ବୁ ଚିପୁଡିଲେ ପିତା ।ହାଲକେଇକି ଚିପୁଡିଲି ।ରସ ନିଗିଡି ଅଇଲା ।ପିଇବି ବୋଲି ତ ଓଠ କତିକି ନଉଛି, କୁଆଡେ ଥିଲା ଅଭିଭାଇ ଧୂମକେତୁ ପରିକା ଝାମ୍ପି ଅଇଲା ଆଉ ଧରିପକେଇଲା ମୋ କଚଟି ।" ହେ ରହ ରହ ।ଏଇଟା ପିଇବାକୁ ନୁହଁ ରେ ଓଡ ।ହାତ ବୁଡେଇ ଧୋଇବାକୁ ।ପାଗଳ କୋଉଠିକାର ।" ତା ହାଉଳାରେ ସେ ଝିଅ ଟା ସମେତ ଆଉ ଚାରିଆଠ ଜଣ ବୁଲି ଚାହିଁଲେ ।ମୁଁ ମନେ ମନେ ବିଜାର ହେଲି ।ଏଡେ ତରକା କଣ ଯେ ।କହିଥିଲେ ହେଇନଥାନ୍ତା ଥିରି କି ! ନାଇଁ ।ସହରରେ ରହୁଛି ବୋଲି ଗୋଟେ ତାଉ ।ମତେ ଇଲିତିଆ ଲାଗିଲା ।ସେଇ ଝିଅଟାର ନରମା ଦୟା କଲା ପରି ନଜର ଭାରି କାଟିଲା ଖାସ୍ କରି ।କଣ ଭାବିଥିବ ନା ସିଏ ! ଭାବିଦେଇ ମୋ ବେକ ତଳକୁ ଜର ପୁରେଇ ଆସିଲା । ସେ ଝିଅଟା କାଇଁ କେଜାଣି ମତେ କୋଉଠି ଦେଖିଲା ଦେଖିଲା ପରି ଲାଗୁଥାଏ ।ହେଲେ ଏ ସହରୀ ଛାନ୍ଚ କାଇଁ କୋଉଠି ଦେଖିଥିବି ଆଗରୁ ବୋଲି ପରତେ ଯାଉନଥାଏ ନିଜକୁ ନିଜେ ।

ଅଭିଭାଇ ମେରୁନ ରଙ୍ଗ ବିଲ୍ ଖାତା ଭିତରେ କଣ କେତେ ରଖିଦେଇ ବକବେକିଆ ଲୋକଟିକୁ ବଢେଇଦେଲା ।ସିଏ ତାର ପରି ନଇଁ ପଡି ଚାଲିଗଲା ।ସେତିକି ଭିତରେ ଆଉ ଜଣେ ଆସି ମିଠା ପାନମଧୁରୀ ଗିନା ଥୋଇଗଲା ।ଏବେ ସେ ଝିଅଟି କଡକୁ ପୁଅଟିଏ ବସିଥାଏ ।ଖାଇବା ବୋଧେ ତାଙ୍କର ଅଧା କି ଆରମ୍ଭ ରେ ଥାଏ ।ମତେ ଆଉ ସିଏ ଦିଶୁନଥାଏ ସ୍ପଷ୍ଟ ।ହେଲେ ମୁଁ ଜାରି ହଉଥାଏ, " କୋଉଠି ଦେଖିଛି, କୋଉଠି ଦେଖିଛି ।"

ସେ ପୁଅଟି କଣ ପାଇଁ ପୁଣି ଉଠିକି ଯାଇଥାଏ କେଣିକି ।

ଆମେ ଲେଉଟିବାକୁ ବାହାରୁଛୁ କି ମୋ ନଜର ପଡିଲା ସେ ଝିଅଟି ଶୁଖିଲା ପତ୍ର ଡାଳରୁ ଖସିଲା ପରି ଚେତା ବୁଡେଇ ଖସିପଡୁଛି ।ଏଇ ତିଳେ କରେ ତଳେ ପଡିବ ।ମୁଁ ଉଡିଯାଇ ଧରିପକେଇଲି ।ଅଭିଭାଇର ମୋର ହଡବଡେଇଗଲୁ ।ସିଏ ମୋ ବାହୁରେ ଅଚେତା ।କଣ ହେଲା ।ପାଣି ସିଞ୍ଚି ପକେଇଲୁ ।ଗାଲ ଥାପଡେଇଦେଲୁ ।ଆଖି ନ ଫିଟେଇଲା ।ଲୋକ ଅନ୍ଯ ଟେବଲରୁ ଉଠି ଆସିଲେଣି ।ଡୁଙ୍ଗିଲେଣି ।ଟୁପୁଟାପ ହେଲେଣି ।

ସିଏ ଆଖି ମେଲୁନି ।ତା ସାଙ୍ଗରେ ଥିବା ବନ୍ଦା ଆସିଲା ଏକ ରକମ ଧାଁପଡପଡ ହେଇ ।ଆଉ ଝିଅ ଟିକୁ ବେହୋଶ୍ ଦେଖି ମଧ୍ୟ ନିରାସକ୍ତ ରହିଲା ପରି ମତେ ଲାଗିଲା ।ମୋ ବାହୁରୁ ତା କୋଳକୁ ତୋଳି ନେଲା ଆଉ ଘେରିଥିବା ଗହଳିକୁ ଚାହିଁ ସ୍ମିତଟେ ପିନ୍ଧି କହିଲା, " ଏମିତି ହୁଏ ତାର ।କିଛି ବ୍ଯସ୍ତ ନାହିଁ ।ଏଇ ଲାଗେ ଲାଗେ ଉଠିବ ।ପବନ ପାଇଁ ବାଟ ଦିଅନ୍ତୁ ।"

ମୁଁ ଆଶ୍ଚର୍ଯ୍ୟ ଥିଲି ।ଲୋକେ ବି ।

ଲୋକେ ଫିଟିଗଲେ ।ଅଭିଭାଇ ମତେ ଏକ ରକମ ଟାଣିଆଣିଲା ।ଝିଅଟିର ଚେତା ବୋଧେ ଫେରୁଥିଲା ।ସିଏ ହାତ ମୁହଁ ହଲଉଥିଲା ।ମୁଁ ପଛକୁ ଫେରି ଚାହିଁ ଦେଖିଥିଲି ।

ବାଟରେ ମନ ପଡିଲା ।ମୁଁ ପଚାରିଲି, " ଅଭିଭାଇ ସେ ଝିଅଟା ଯୋଉ ଅଚେତା ହେଇଗଲାନି ନା ,ତାର ବାଁ ପଟ କାନ ତଳ ଗାଲକୁ ଗୋଟେ କଳାଯାଇ ଥିଲା କି ।ମତେ କାଇଁ ଦେଖିଲା ଭଳିଆ ଲାଗିଲା ।ତମେ ଦେଖିଲ କି ? "

ଆକାଶ କୁ ଚାହିଁ ଅଭିଭାଇ କହିଲା, " ହେ ନିଜ କାମରେ ମନ ଦେ । ଚାଲ ରାସ୍ତାକୁ ଚାହିଁ ।"


Rate this content
Log in