ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ଖଣ୍ତା ବୁଲିଲା ଖଣ୍ତାଧାରରେ-ଅଂଶ ୩

ଖଣ୍ତା ବୁଲିଲା ଖଣ୍ତାଧାରରେ-ଅଂଶ ୩

4 mins
278



ଖଣ୍ତାଧାରରେ ପହଞ୍ଚିବା ପରେ ବସ୍ ରୁ ସମସ୍ତ ରୋଷେଇ ସରଞ୍ଜାମ କଢାଯାଇ ଏକ ଭଲସ୍ଥାନ ଚିହ୍ନଟକରି ସେଇଠି ରୋଷେଇ ଆରମ୍ଭ କରାଗଲା l ଗୋଟେ ଛୋଟ ପୋଲ ସେଇ ଝରଣା ଉପରେ ଥାଏ l ପୋଲର ଆରପଟେ ଆମେ ରୋଷେଇ କରୁଥାଉ l ବସ୍ କିନ୍ତୁ ସେଇ ପୋଲର ଅପର ପାଶ୍ୱରେ ରହିଥାଏ l ରୋଷେଇ ଆରମ୍ଭ ହେବାପରେ ପିଲା ମାନଙ୍କୁ ସେଇଠି ଦୁଇଟି ବଡ ଦରୀ ପକାଯାଇ ଜଳଖିଆ ଖାଇବାକୁ ଦିଆଗଲା l କିଛି ପିଲା ଭଡାରେ ନେଇଥିବା ସାଉଣ୍ତ୍ ସିଷ୍ଟମ୍ କୁ ବେଟ୍ରି ସହିତ ଯୋଡି ଗୀତ ବଜାଇବାକୁ ଉଦ୍ୟମ କରୁଥାନ୍ତି l 


ଜଳଖିଆ ଖାଇସାରି ପିଲାମାନେ ପାହାଡ ଚଢି ଉଚ୍ଚରୁ ପାଣି ପଡୁଥିବା ଝରଣାକୁ ଦେଖିବା ନିମନ୍ତେ ଜଣ ଜଣ କରି ଚାଲି ଯାଉଥାନ୍ତି l ମୁଁ ସମସ୍ତଙ୍କୁ ଉଚ୍ଚ ସ୍ୱରରେ ସାବଧାନ ହୋଇ ପାହାଡ ଉପରକୁ ଯିବାପାଇଁ ଉପଦେଶ ଦେଉଥାଏ l ରୋଷେଇଆ ଓ ଗୌରାଙ୍ଗ ରୋଷେଇରେ ବ୍ୟସ୍ତ ଥା'ନ୍ତି l ଆମ ପରେ ଆଉ ୪ଟି ପରିବାର ଉକ୍ତ ସ୍ଥାନରେ ପହଞ୍ଚି ଆମଠାରୁ ଅନତି ଦୂରରେ ତାଙ୍କର ରୋଷେଇ ଆରମ୍ଭ କଲେ l 


ଖଣ୍ତାଧାରରେ ଛୋଟ ଛୋଟ ପରିବାର ରୋଷାଇ କରିବାକୁ ବଢିଆ ସୁବିଧା କରା ଯାଇଥାଏ l ଦୁଇ ପାଖରେ ଦୁଇଟି ସିମେଣ୍ଟ୍ ବେଞ୍ଚ୍ ଓ ମଝିରେ ଦୁଇଟି ଛୋଟ ଚୁଲା ଥାଏ l ଏମିତି ପାଖା ପାଖି ଗୋଟେ ଲାଇନ୍ ରେ ୧୨ ଟା ଖଣ୍ତେ ପରିବାର ରୋଷେଇ କରି ପିକ୍ ନିକ୍ ର ମଜା ନେବା ବ୍ୟବସ୍ଥା କରା ଯାଇଥାଏ l


ସେଦିନଟି ଶନିବାର ଥିବାରୁ ଏବଂ ଛୁଟିଦିନ ହୋଇ ନଥିବାରୁ ଅଧିକ ପିକ୍ ନିକ୍ ଦଳ ସେଠାକୁ ଆସି ନଥାନ୍ତି l ସେଇ ୪ଟି ପରିବାର ଓ ଆମେ ଏତିକି ହିଁ ସେଇ ସ୍ଥାନରେ ସେଦିନ ପିକ୍ ନିକ୍ କରୁଥାଉ l ସେଠି କିଛି ଉଠା ଦୋକାନି ମଧ୍ୟ କିଛି ଜଙ୍ଗଲଜାତ ଜିନିଷ ବିକ୍ରି କରୁଥାନ୍ତି l ସେଇ ଜିନିଷ ଗୁଡିକ ମଧ୍ୟରେ ଯାହା ମୋର ଅଧିକ ଦୃଷ୍ଟି ଆକର୍ଷଣ କରୁଥିଲା ତାହା ହେଉଛି ଛୋଟ ଛୋଟ ପ୍ଲାଷ୍ଟିକ୍ ବୋତଲରେ ବିକ୍ରି ହେଉଥିବା ମହୁଲି ମଦ l ଠାଆକୁ ଠାଆ ସେଇ ମଦକୁ ଧରି ଲୋକମାନେ ବସିଥାନ୍ତି l 


ପାଖା ପାଖି ଦିନ ୧୨ଟା ସୁଦ୍ଧା ୩ଟି ବାଇକ୍ ରେ ୮ ଜଣ ଯୁବକ ରୋଷେଇ ବାସ ସାମଗ୍ରୀ ପତ୍ର ସହିତ ସେଠି ପହଞ୍ଚିଲେ l ସେମାନେ ଝରଣାର ଠିକ୍ ଅପରପାଶ୍ୱରେ ଆମ ସିଧା ରୋଷେଇ ଆରମ୍ଭ କଲେ l ତାଙ୍କ ତାଙ୍କ ଭିତରେ ଖୁବ୍ କଦର୍ଯ୍ୟ ଭାଷାରେ କଥାବାର୍ତ୍ତା ହେଉଥାନ୍ତି l ବେଶଭୁଷାରୁ ଶିକ୍ଷିତ ଓ ଭଦ୍ର ଳାଗୁଥାଆନ୍ତି କିନ୍ତୁ କଥାବାର୍ତ୍ତାରୁ ସମ୍ପୂର୍ଣ୍ଣ ଅସଭ୍ଯ ବୋଲି ଜଣା ପଡୁଥାଆନ୍ତି l ସେମାନେ ତାଙ୍କ ଭିତରେ ଯାହା ହେଉଛନ୍ତି ହୁଅନ୍ତୁ ଆମର କଣ ଅଛି ଚିନ୍ତାକରି ସେ ଦିଗକୁ ଆଉ ଦୃଷ୍ଟିଦେବା ଠିକ୍ ହେବନି ବୋଲି ଭାବିନେଲି l ପରଜାଗା ଆଉ ଖୁବ୍ ଦୂର ବି ତେଣୁ ଏମିତି ସବୁ ଦୃଷ୍ୟକୁ ଅଣଦେଖା କରିଦେଲେ ଯାଏ l 


ଏ ଭିତରେ ମୋ ପିଲାମାନେ ପାହାଡ ଉପରୁ ପାଣି ଝର ଦେଖିସାରି ଦଳ ଦଳ ହୋଇ ଫେରୁଥାନ୍ତି l ସମସ୍ତେ ଫେରିବା ପରେ ସେଇ ପାଣି ଝରକୁ ଦେଖିବା ଆଶାରେ ଦୁଇ ଜଣ ପିଲାଙ୍କୁ ସାଙ୍ଗରେ ଧରି ମୁଁ ପାହାଡ ଉପରକୁ ଚଢିବା ଆରମ୍ଭ କଲି, କିନ୍ତୁ ୨୦ ମିନିଟ୍ ଧରି ପାହାଡ ଚଢିବା ପରେ ମଧ୍ୟ ଝର ସ୍ଥାନରେ ପହଞ୍ଚି ନ ପାରିବାରୁ ସେଇ ଦୂରରୁ ପଡୁଥିବା ପାଣିଝରକୁ ଦେଖି ମନକୁ ବୁଝାଇ ତଳକୁ ଫେରି ଆସିଲି l


ରୋଷେଇ ହେଉଥିବା ସ୍ଥାନକୁ ଫେରିବା ପରେ ମୁଁ ଏକ ବଡ ବ୍ୟତିକ୍ରମ ଲକ୍ଷ୍ୟ କଲି l ସବୁପିଲା ଚୁପ୍ ଚାପ୍ ସୁନାପିଲା ପରି ନୀରବରେ ଦରୀ ଉପରେ ବସିଥାନ୍ତି l ସାଙ୍ଗରେ ନେଇଥିବା ସାଉଣ୍ତ ସିଷ୍ଟମ୍ କୁ କେବେ ବି ଫୁର୍ସତ ଦେଉନଥିବା ବେଳେ ସେତେବେଳେ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥାନ୍ତି l ରୋଷେଇ ପ୍ରାୟ ସରି ଆସିଥାଏ l କେବେ ବି ଚୁପ୍ ହୋଇ ବସୁନଥିବା ପିଲାମାନଙ୍କର ଏପରି ଶୃଙ୍ଖଳାଜ୍ଞାନ ଦେଖି ମୁଁ ଆଶ୍ଚର୍ଯ୍ୟ ନ ହୋଇ ରହି ପରୁନଥିଲି l ଆମ କଲେଜ ପରିସରରେ ସେମାନଙ୍କର ଉଦ୍ଭ୍ରାନ୍ତ ଆଚରଣ ପାଇଁ ମୋର କିଛି ସହକର୍ମ୍ମୀ ହଷ୍ଟେଲ୍ ର ପିଲାମାନଙ୍କୁ ଜନ୍ତୁମାନଙ୍କ ସହିତ ତୁଳନା କରି ମୋତେ ଜନ୍ତୁପତିର ଆଖ୍ୟା ଦେଇଥାନ୍ତି l 


ଲଙ୍କାରେ ରାମ ନାମ ଯେପରି ଅସମ୍ଭବ , ମୋ ଜନ୍ତୁମାନେ ପିକ୍ ନିକ୍ ସ୍ଥାନରେ ନୀରବିଯିବା ସେପରି ଅସମ୍ଭବ ଓ ହତବାକ୍ ର ଘଟଣା ଥିଲା l 


ମୁଁ ସେଠାରେ ପହଞ୍ଚିବା ଦେଖି କିଛି ଛାତ୍ର ମୋ ନିକଟକୁ ଆସି ଚୁପ୍ ଚୁପ୍ କରି ଇଶାରାରେ ସେଇ ୮ ଜଣ ରୋଷେଇ କରୁଥିବା ଦିଗକୁ ମୋ ଦୃଷ୍ଟି ଆକର୍ଷଣ କଲେ l ସେତେବେଳେ ସେମାନେ ସେଠି ବସି ଖୋଲାଖୋଲି ମଦ୍ୟପାନ କରୁଥାନ୍ତି l ସେମାନେ ସମସ୍ତେ ପ୍ରାୟ ଅର୍ଦ୍ଧଉଲଗ୍ନ ହୋଇଥିବା ସ୍ଥଳେ ଜଣେ କେବଳ ହାଫ୍ ଚଡିଖଣ୍ତେ ପିନ୍ଧିଥାଏ l 


ମୋତେ ଘେରି ଠିଆ ହୋଇଥିବା ଛାତ୍ରମାନେ ପୂର୍ବରୁ ସେଇ ମଦୁଆ ମାନେ ଘଟାଇଥିବା ଘଟଣା ସବୁକୁ ଗୋଟି ଗୋଟି କରି ବର୍ଣ୍ଣନା କରି କହିଲେ l ସେ ମଦ୍ୟପମାନେ କିପରି ଖଣ୍ତା ଦେଖାଇ ସେମାନଙ୍କୁ ଭୟଭିତ କରି ସାଉଣ୍ତ ସିଷ୍ଟମରେ ଅମକ ହିନ୍ଦି ଗୀତ ଲଗାଅ , ଅମକ ଓଡିଆ ଗୀତ ଲଗାଅ , ତେଲୁଗୁ ଗୀତ ଲଗାଅ ଆଦି କହି ଶେଷକୁ ଅତି ଅସଭ୍ୟ ଭାଷାରେ ଗାଳି ଦେଇ ଆଦୌ ଗୀତ ନ ଲଗାଇବା ସହିତ କୌଣସି ପିଲା ଯେପରି ପୋଲ ଉପରକୁ ନଉଠନ୍ତି ସେଥିପାଇଁ ଧମକ୍ ଚମକ୍ ଦେଇଥାନ୍ତି l 


ଯେଉଁ ୪ଟି ପରିବାର ସେଠାରେ ରୋଷାଇ କରୁଥାନ୍ତି ତାଙ୍କ ଚାରିପଟେ ସେ ଚଡିପିନ୍ଧା ଯୁବକ ବୁଲି ବୁଲି ପରିସ୍ରା କରିବା ସହିତ ଖୁବ୍ ଅଭଦ୍ର ଭାଷାରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଗାଳିଗୁଲଜ କରିସାରିଥାଏ l 


ଟିକେ ଚିନ୍ତା କରନ୍ତୁ l ମୋ ସହିତ କେବଳ ପୁଅ ମାନେ ଥାଆନ୍ତି l କିନ୍ତୁ ସେଇ ୪ଟି ପରିବାରର ସ୍ୱାମୀ, ସ୍ତ୍ରୀ ଓ ପୁଅ ଝିଅ ମାନଙ୍କ ସାମ୍ନାରେ ଏ ମଦୁଆ ଅସଭ୍ଯ ଗୁଡାକ ଯେଭଳି ଆଚରଣ କରିଛନ୍ତି ତାଙ୍କ ମାନସିକ ଅବସ୍ଥା କଣ ହୋଇଥିବ ?


ପିଲାମାନଙ୍କ ଠାରୁ ଏସବୁ ଶୁଣି ରାଗରେ ମୋ ମୁଣ୍ତ କାମ କରୁନଥାଏ l ମୁଁ ଜାଣିଥାଏ ମୋ ପିଲାମାନଙ୍କ ଭିତରେ କିଛି ଖୁବ୍ ଦୁଷ୍ଟାମି କରିବା ପିଲା ବି ମହଜୁଦ୍ ଅଛନ୍ତି l ସେମାନେ ଏଇ ୮ ଜଣ ମଦୁଆଙ୍କ ଆତଙ୍କରାଜକୁ ଏମିତି ନିରବରେ ସହିବା କଥା ଆଦୌ ନୁହେଁ l ପାରଦୀପର କିଛି କମର୍ସ ପିଲା ମାଡ ମାରିବାରେ ଖୁବ୍ ପାରଙ୍ଗମ l ଯଦି ହଷ୍ଟେଲ ଓ ବାହାର ପିଲାଙ୍କ ଭିତରେ କିଛି ଗଣ୍ତଗୋଳ ହେଲା ଏମାନେ ଆଗ ମାଡ ବସାଇଦିଅନ୍ତି l ବୋଧହୁଏ ଗତକାଲି ସଂଧାରେ ସେଇ ଫକିରପଡା ଘଟଣାରେ ଡରିଯାଇ ଚୁପ୍ ହୋଇ ରହି ଏଇ ମଦୁଆଙ୍କ ପାଦୁର୍ଭାବ ଏଯାଏ ସହି ସମ୍ଭାଳି ରହିଛନ୍ତି l


ଇତିମଧ୍ୟରେ ମୋ ପିଲାମାନେ ସେ ମଦ୍ୟପଙ୍କ ଆଡକୁ ଇଶାରାକରି ମୋତେ କ'ଣ କହୁଥିବାର ଲକ୍ଷ୍ୟ କରି ସେମାନଙ୍କ ମଧ୍ୟରୁ ଦୁଇଜଣ ଅତି ଉଚ୍ଚସ୍ୱରରେ ତଥା ଅତ୍ୟନ୍ତ ଉତ୍କଟ ଭାଷାରେ ଗାଳିକରିବା ଆରମ୍ଭ କଲେ l ସେ ଭାଷା ଗୁଡିକ ସବୁ ମା' ଓ ଭଉଣୀ କେନ୍ଦ୍ରିକ ଥିଲା, ଯାହା ପ୍ରକାଶ କରିବା କୌଣସି ଶିକ୍ଷିତ ପକ୍ଷରେ ଏକବାରେ ଅସମ୍ଭବ l ସେମାନଙ୍କର ପ୍ରତିଟି ଶବ୍ଦରେ ମୋ କାନମୁଣ୍ତା ଝାଇଁଝାଇଁ ହୋଇ ଯାଉଥାଏ l 


ପ୍ରକୃତରେ ସହିବାର ଏକ ସୀମା ଥାଏ l ସେ ସୀମା ସରହଦ୍ ପାର୍ ହୋଇଗଲେ ମଣିଷ ଆଉ କୌଣସି ଜିନିଷକୁ ଭ୍ରୂକ୍ଷେପ କରେ ନାହିଁ କିମ୍ୱା ଭୟ ମଧ୍ୟ କରେ ନାହିଁ l ମୋତେ ଅତ୍ୟନ୍ତ ଅସହ୍ୟ ହେବାରୁ ମୁଁ ମୋ ପାଖରେ ଠିଆ ହୋଇ ମୋତେ ସମସ୍ତ ଘଟଣା ବର୍ଣ୍ଣନା କରୁଥିବା ପିଲାଙ୍କୁ ପୋଲ ଉପରକୁ ମୋ ପଛେ ପଛେ ଆସିବାକୁ କହି ପୋଲ ଆଡକୁ ଚାଲିବା ଆରମ୍ଭ କଲି l


( କ୍ରମଶଃ ........)


*************


Rate this content
Log in