ଖେଳ
ଖେଳ
ତଳେ ଜ୍ୟୋତି, ପ୍ରିୟା, ମେହକ୍, କଣ୍ଢେଇ,ଅରବିନ୍, ଡୁଗୁ, ସୁବୁ ଖେଳୁଥିଲେ।ସଭିଙ୍କ ବୟସ ପାଞ୍ଚରୁ ଦଶ ବର୍ଷ ବୟସ ଭିତରେ।
କିଛି ଦିନ ହେଲାଣି ଦେହ ଖରାପ କିଛି ଲେଖି ପାରୁନି।ଅଣ୍ଟା ପେନ୍ ,ବସି ପାରୁନଥିଲି ନା।ଆଜି ଟିକେ ଭଲ ଲାଗୁଛି।ମୋ ନିର୍ଦ୍ଦିଷ୍ଟ ଲେଖା ଜାଗାକୁ ଗଲି।ସେଇ ଜାଗାରୁ ପିଲାଙ୍କ ଖେଳ ମୋତେ ଦିଶୁଥିଲା।ଅନେକ ଦିନ ପରେ ମୋତେ ଖୁସି ଲାଗିଲା।ମନ ଦେଇ ଖେଳକୁ ଉପଭୋଗ କରିବାକୁ ଚାହିଁଲି।
ଖେଳଟି ଶୁଣିବାକୁ ଓ ଦେଖିବାକୁ ଭାରି ମଜା ଦେଉଥିଲା। ମୁଁ ଭଲ ଭାବେ ଝରକା ଖୋଲି ଦେଲି।ହଁ ଏବେ ସମ୍ପୂର୍ଣ୍ଣ ପିଲା ମାନଙ୍କ ଖେଳକୁ ଦେଖି ପାରୁଛି।ମୁଁ ବି ମୋ ବୟସ ଚାଦରକୁ ଫିଙ୍ଗି ଦେଲି କିଛି କ୍ଷଣ।ସେଇ ପିଲାଙ୍କ ବୟସକୁ ଓହ୍ଲେଇ ଗଲି।ଓଃ ପିଲା ମେଳରେ ମୁକୁଳା ଜୀବନର ନିରୁତା ଆନନ୍ଦ ମୋତେ ଟିକେ ଫ୍ରେସ୍ ଫ୍ରେସ୍ କରିଦେଲା।
ଜଣେ ଯେମିତି ଆକ୍ସନ କରି ବୋଲୁଥିଲେ ଅନ୍ୟମାନେ ଅବିକଳ ତାକୁ ଅନୁସରଣ କରି ଆକ୍ସନ ସହ ବୋଲୁଥିଲେ:
କୁନି ଯେତେବେଳେ ଜନ୍ମ ହେଲା ଏମିତି ଏମିତି କରୁଥିଲା।
କୁନି ଯେତେବେଳେ ପିଲା ଥିଲା ଏମିତି ଏମିତି କରୁଥିଲା।
କୁନି ଯେତେବେଳେ ସ୍କୁଲ ଗଲା ଏମିତି ଏମିତି କରୁଥିଲା।
କୁନି ଯେତେବେଳେ କଲେଜ ଗଲା ଏମିତି ଏମିତି କରୁଥିଲା।
କୁନି ଯେତେବେଳେ ବାହା ହେଲା ଏମିତି ଏମିତି କରୁଥିଲା।
କୁନି ଯେତେବେଳେ ମା ହେଲା ଏମିତି ଏମିତି କରୁଥିଲା।
ଏଇ ଯାଏ ଖେଳଟି ଏତେ କୌତୁହଳ ଥିଲା ଯେ ମୋ ଚାକପ୍ ଟି ସରବତ ହୋଇ ଯାଇ ଦାନ୍ତ ନିକୁଟି ହସୁଥିଲା।ବହୁତ ଦିନ ପରେ ଛୁଆଙ୍କ ଖେଳ ଦେଖି ଆନନ୍ଦ ଭାଵରେ ମୁଁ ଗାଧୋଇ ପଡୁଥିଲି ନିଜ ପିଲା ଦିନ ମନେ ପକେଇ।ଅନେକ ସ୍ମୃତି ମୋଟର ଛୁଇଁ ଛୁଇଁ ଯାଉଥିଲେ।ପ୍ରତି ଗୀତର ପଦ ଆକ୍ସନ ଏତେ ଚମତ୍କାର ଅଙ୍ଗଭଙ୍ଗୀ ସହ କରୁଥିଲେ ଯେ ଅଭିଭୂତ ହେବା ଥୟ।କିନ୍ତୁ ସେମାନଙ୍କ ଅଲକ୍ଷେ।ଯଦି କାହାକୁ ଦେଖୁଥିଲେ ଲାଜରା ହୋଇ ପାଟିରେ ହାତ ଦେଇ ଚୁପ୍ ହୋଇ ଯାଉଥିଲେ।ଏଇ ଛୁଆ ଗୁଡାକ ଜୀବନର ପ୍ରତି ଅବସ୍ଥାକୁ ଏତେ ନିଖୁଣ ଭାବେ ଫୁଟାଇ ପାରନ୍ତି ; ଭାବି ମୁଁ ବିସ୍ମିତ ହେଲି।
ତାପରେ ସେମାନେ ଯେତେବେଳେ ବୋଲିଲେ କୁନି ଯେତେବେଳେ ବୁଢ଼ୀ ହେଲା ଏମିତି ଏମିତି କରୁଥିଲା।
ଖେଳ ଶେଷରେ କୁନି ଯେତେବେଳେ ମରିଗଲା: ଅନ୍ୟ ମାନେ ଏକ ସ୍ୱରରେ କହିଲେ : କେମିତି କେମିତି କରୁଥିଲା?
ଖେଳର ଲିଡ଼ର ଉଦାସ କଣ୍ଠରେ କହିଲା : ଏମିତି ଏମିତି କୋକେଇରେ ଗଲା ; କିଛି ନ କରି ଚୁପ୍ ଚାପ୍।
କିଛି ନ କରି !!
ହଁ ମଲେ କିଏ କଣ କରେ !ଚାଲ ଚାଲ ଖେଳ ଶେଷ କହି ପିଲାମାନେ ଆଉ ଗୋଟେ ନୂଆ 'ଢ଼ିଲୋ' ଖେଳ ରେ ମାତି ଗଲେ।
ପିଲାମାନେ ଚମତ୍କାର ନିଖୁଣ ଅଭିନୟ କରିଥିଲେ।କେହି ପଢେଇନି ତାଙ୍କୁ ଏ କଳା , କେମିତି ବିନା ଟ୍ରେନିଂ ରେ ଏତେ ଏତେ ସୁନ୍ଦର ନିଛକ ଅଭିନୟ କରୁଛନ୍ତି ଭାବି ଭାବି ତନ୍ମୟ ହୋଇ ପଡିଲି ମୁଁ। ଖେଳ ମାଧ୍ୟମରେ ଜୀବ ଜୀବନର ସମସ୍ତ ପର୍ଯ୍ୟାୟକୁ କେତେ ସରଳ , ସହଜ ଓ ଜୀବନ୍ତ ଭାବେ ଫୁଟେଇଲେ ବିନା ଭବାନ୍ତରରେ !
ହୁଏତ ସେମାନେ ବୁଝି ନଥିଲେ ସେମାନେ କଣ କରୁଥିଲେ।
ପିଲାଙ୍କ ସ୍ଵଭାଵ ହିଁ ସେମିତି।କିଛି ଗୋଟେ କଥାକୁ ନେଇ ଧରି ବସନ୍ତି ନାହିଁ କି ଗମ୍ଭୁର ହୁଅନ୍ତି ନାହିଁ।
ଆହା ମନ କହିଲା ହୋଇ ଯାଆନ୍ତି କି ପିଲାଟିଏ !
କିନ୍ତୁ ବୟସର ବା ଅଣ ଲେଉଟା ବା ପାଦ !
ମୁଁ ହୋଇ ଯାଉଥିଲି ସେଇ ପିଲା।ମୋତେ ଦିଶି ଯାଉଥିଲା ଆମ ଗାଁ ଦାଣ୍ଡ।ନଖି, ସକି, ଲୋଚନ,କାଞ୍ଚନ, ପାଗେଳି ଓ ସୁକାନ୍ତି।ଆମେ ଖେଳୁଥିଲୁ ବୋହୁ ବୋହୁ କା ଖେଳ। ମୋତେ ସବୁବେଳେ ପୁଅ କରୁଥିଲେ।ନଖି ବାପା, ଲୋଚନ ବୋଉ ,ସଖୀ ଭାଇ ଇତ୍ୟାଦି।ଦାଣ୍ଡ କୂଅ ମୂଳ।ଲୁଚି ଲୁଚି ବଡ଼ ମାନଙ୍କ ଅଲକ୍ଷ୍ୟରେ ଚାଲୁଥିଲା ଆମ ବୋହୁ ବୋହୁକା ଖେଳ।
ଆଃ କୁଆଡେ ହଜିଗଲା ସେ ଦିନ!!
ମୋ ଭାବନାରେ ବାଧା ଦେଇ ଆଲଫା, ମୋ ପୁଅ କହିଲା, ମାମା ଚା ପିଇନ ଏଯାଏ?
ଆରେ ନାଇଁରେ ଖେଳ ଦେଖୁ ଦେଖୁ ମୁଁ ନିଜେ ମନକୁ ମନ ଘେରାଏ ଖେଳୁ ଖେଳୁ ଚା ଟା ଥଣ୍ଡା ହୋଇଗଲା। ଗରମ କରି ଆଣେ ତ।
ପୁଅ ବିସ୍ମୟ ହୋଇ କହିଲା ତୁମେ ଖେଳୁଥିଲ? ଝରକା ଦାଢ଼ ରେ ବସି!!
ହଁ ପିଲାଦିନକୁ ଫେରିଗଲା ମନଟି।ମନ ପଡିଗଲା ମୋ ପିଲାଦିନ ସାଙ୍ଗ ଓ ଖେଳ ଏ ପିଲାଙ୍କୁ ଦେଖି।
ଓଃ ମାମା ! ତୁମେ ବେଳେବେଳେ କଣ କୁହ ମୁଁ ଠିକ୍ ରେ ବୁଝି ପାରେନି।
କେବଳ ଟିକେ ମୁରୁକୁ ହସା ଦେଇ , କହିଲି ତୋ ବୟସ ହେଲା ବେଳେ ମୁଁ ବି କିଛି ବୁଝି ପାରୁ ନଥିଲି ରେ, ଯାହା ଆଜି ବୁଝୁଛି।
ଆଲଫା ଚା ଟି ଗରମ କରି ଆଣିଦେଲା ଓ ମୁଁ ପିଉ ପିଉ ମନକୁ ମନ କହିହେଲି କି ଜୀବନ ଦର୍ଶନ ପିଲାଙ୍କ ଏଇ ଖେଳରେ ଅଛି !!
ଜୀବନ ଆଉ କଣ କି ଗୋଟେ ଖେଳ ତ !!