କବିର ମୃତ୍ୟୁ
କବିର ମୃତ୍ୟୁ
ସନ୍ଧ୍ୟାରେ ଚେଙ୍ଗବାବୁ ସଜବାଜ ହୋଇ ବାହାରି କ'ଣ ଗୋଟେ ଖୋଜାଖୋଜିରେ ବ୍ୟସ୍ତ ଥିଲେ । ଡାକ ଛାଡ଼ିଲେ, ହେଇଟି ଶୁଣୁଚ ମୋ ଚଷମା ଆଉ ପାନବଟୁଆଟା ପାଉନି । ଟିକେ ଖୋଜି ଦେଲ ।
ଚେମି ମାଡାମ୍ ତରତର ହୋଇ ରୋଷେଇ ଘରୁ ବାହାରି ଆସି ପଚାରିଲେ, ଏମିତି ଚଇନିଚିକଣ ହୋଇ କୁଆଡେ ବାହାରିଲ କି ??? ତମର ଖାଲି ସବୁ ଜିନିଷ ହଜି ଯାଉଛି । ସେ ସବୁ ତମ ସହ ଲୁଚକାଳି ଖେଳୁଚନ୍ତି ବା । କୋଉଠିକୁ କୁ କରୁଥିବେ ଦେଖୁନ ।
ଦେଖ ତମର ଥଟ୍ଟା ତମ ପାଖରେ ରଖ । ମୋର ସେଆଡେ ଡେରି ହେଉଛି । ଜଲଦି ଖୋଜ ! ଆଜି ପରା ହୋଲି ପାଇଁ କମ୍ୟୁନିଟି ହଲରେ ମିଟିଙ୍ଗ ଅଛି । ତମକୁ ପା ସକାଳେ କହିଥିଲି ।
ହଉ ହଉ ! ତମର ଚଷମା ଆଉ ବଟୁଆ ଦିଟା ଯାକ ଦାଣ୍ଡ ଘର ଟେବୁଲ୍ ଉପରେ ରେଡ୍ଡି ହେଇ ହାତ ଧରାଧରି ହେଇ ବସିଛନ୍ତି। ନେଇଯାଅ ସାଙ୍ଗରେ ।
ହଲରେ ଆଗରୁ ସବୁ ପହଞ୍ଚି ସାରିଥାନ୍ତି । ପ୍ରଥମେ ସୋସାଇଟିର ସେକ୍ରେଟାରୀ ଦାସବାବୁ କହିଲେ, ଏଥର ହୋଲି ସନ୍ଧ୍ୟାରେ ପ୍ରଥମେ ଭଜନ କାର୍ଯ୍ୟକ୍ରମ ହେବ, ତାପରେ ହାସ୍ୟକବିତା ପାଠ ହେବ ପରେ ଛୋଟ ପିଲାଙ୍କ ଫ୍ୟାନସିଡ୍ରେସ୍ ହେବ । ହାସ୍ୟ କବିତା ଶୁଣି ଚେଙ୍ଗବାବୁ ସଳଖି ବସିଲେ, ସତେକି ବିଲେଇ ଆଗରେ କିଏ ଇଲିସି ମାଛ ଖଣ୍ଡେ ରଖିଦେଲା କି ଆଉ । ଏତେ ଦିନ ପରେ ସୁଯୋଗ ଆସିଛି କବିତା ପାଠର । ଆଜିକାଲି ସେ ସୁଯୋଗ ମିଳୁଛି କେଉଁଠି ??? ତାଙ୍କ ପ୍ରତିଭା ଅସ୍ତ ହେବାକୁ ବସିଲାଣି ।
ଠିକ୍ ଏତିକି ବେଳେ ପଛ ପଟୁ ଘୋ ଘା ପାଟି ଶୁଭିଲା । ଯେମିତି ଅଣଚାଶ ପବନ ବୋହି ଆସିଲା । ଚେୟାର ଉପରେ ଠିଆ ହେଇ ଅଣ୍ଟାରେ ହାତ ରଖି ଗୋଟେ ଗଜା ଟୋକା କହିଲା, ଆମେ ଯୁବଗୋଷ୍ଠୀ ଏଥିରେ ସହମତ ନୋହୁ । ଦାସ ବାବୁଙ୍କ ହାଲୁକ ଶୁଖିବା ଅବସ୍ଥା ତଥାପି ଗଳାକୁ ଟିକେ ସଫାକରି ପଚାରିଲେ, କାହିଁକି ବାବା ?? ତମ ମାନଙ୍କର କିଛି ପ୍ରସ୍ତାବ ଅଛି କି ??? ଜଣାକଥା ଯୁବଗୋଷ୍ଠୀଙ୍କ ସହଯୋଗ ବିନା ପତ୍ରଟିଏ ବି ହଲିବନି । ତେଣୁ ସେମାନଙ୍କର ସହମତି ନେବା ନିହାତି ଆବଶ୍ୟକ ।
ହଁ ଅଛି, ଡିଜେ ନାଇଟ ହେବ । ସେ ପୁରୁଣା କାଳିଆ ମାନ୍ଧାତା ଅମଳର ଭଜନ କବିତା ଆଉ ଚଳିବନି । ଚେଙ୍ଗବାବୁ ମନେମନେ ଭାବିଲେ ଯଦି ବାପା ମଉସା ମାନ୍ଧାତା ଲାଗୁଛନ୍ତି, ଜେଜେ ଆଜାମାନଙ୍କୁ ବାନର ବୋଲି ମଣିବ ତୁମେ ମାନେ । ସେକାଳ ପଖାଳର ମଜା ତୁମେମାନେ କ'ଣ ବୁଝିବ ??
ଆମେ ବି ତ ଟିକେ ମଜା କରିବୁ ନା ନାହିଁ ?? ଆଠଟା ପର୍ଯ୍ୟନ୍ତ ଯାହା କରୁଚ କର, ତାପରେ ଡିଜେ ନାଇଟ ହେବ । ଆଜିକାଲିକା ପିଲା, ତାଙ୍କ ସହ ପଙ୍ଗା ନେବ କିଏ ?? ବାପଧନ କହି ହାତରେ ରଖିବାକୁ ପଡିବ । କାନମୁଣ୍ଡ ଆଉଁସି ସେମାନଙ୍କ କଥାରେ ସହମତ ହେଲେ ସବୁ ।
ହୋଲି ଦିନ ସନ୍ଧ୍ୟାରେ ଚେଙ୍ଗବାବୁ ସିଲ୍କ ଧୋତି ସହ ସୁନେଲି ସୂତାରେ କମକରା ପଞାବୀ, ତା ସହିତ କାନପୁରି ଜରିଦିଆ ଚପଲ ଆଉ କାଶ୍ମୀର ସାଲ୍ କାନ୍ଧରେ ପକେଇ ରେଡି ହେଲେ । ଏତିକିରେ ଚେମି ମାଡାମ୍ ଫୁଲ୍ ସ୍କାନ୍ କଲାପରି ଚେଙ୍ଗବାବୁଙ୍କ ଉପରୁ ତଳ ପର୍ଯ୍ୟନ୍ତ ଚାରି ଥର ଦେଖିଲେ । କବିତା ପଢିବ ବୋଲି ଏତେ ସଜ... ମଲି ଢପ ଲୋ । ଆଉ ଟିକେ ଅତର ମାରିଲନି ବୋଲି କହି, ମେଞ୍ଜେ ସ୍ପ୍ରେ କରିଦେଲେ ଉପରେ । ଟିକେ ଲାଜେଇ ଗଲେ ଚେଙ୍ଗବାବୁ କ'ଣ ବେଶୀ ହେଇ ଗଲା କି ?? ହେଲେ ଚେମି ମାଡାମ୍ ଯେତେବେଳେ ତୟାର ହେଲେ, ବରହମପୁରି ପାଟକୁ ଫୁଲ ଗଜରା । ତା ସହ ଗଦାଏ ଗହଣା ପୁଣି ତିନି ପରସ୍ତ ମେକଅପ୍ । ଓଜନ ସତୁରୀରୁ ନବେ ପହଞ୍ଚି ଯାଇଥିବ ନିଶ୍ଚେ । ବୟସ ପଚାଶରୁ ତିରିଶିକୁ ଆସିଲା ପରି ଲାଗୁଥାଏ ।
କିହୋ ଆସୁନ ସରିଲା ଯଦି, ଯିବା ! ନ ହେଲେ ଡେରି ହେଇ ଯିବ ଯେ ।
ନା ନା ମୁଁ ପରେ ଲେଡିଜମାନଙ୍କ ସହ ଯିବି । କିଏ ଯାଇ ସେଠି ଭଜନ ଆଉ କବିତା ଶୁଣିବ । ବୁଢ଼ାବୁଢ଼ୀଙ୍କ ଭଳି ଯାଇ ଭଜନ ଶୁଣିବ ହ଼ଃ ! କବିତା ଶୁଣିଲେ ତ ନିଦ ଆସିଯିବ ।
ତା ମାନେ କେହି ଲେଡିଜ୍ ଏବେ ଆସିବେନି ?? ଚେଙ୍ଗବାବୁଙ୍କ ଅଧା ଉତ୍ସାହ ଏଇଠି ହିଁ ମରିଗଲା । କେତେ ଭାବି ଭାବି ରାତି ଅନିଦ୍ରା ହେଇ କବିତା ଲେଖିଥିଲେ । ଭାବିଥିଲେ ଲେଡିଜମାନଙ୍କର ତାଳିରେ ହଲ୍ ଫାଟି ପଡିଥାନ୍ତା । ସେମାନେ ଆସି ମୋର ପ୍ରଶଂସା କରିଥାନ୍ତେ ଓଃ ! ଆପଣ କ'ଣ ଲେଖୁଛନ୍ତି ?? ଖୁବ୍ ଚମତ୍କାର । ସବୁ ସ୍ୱପ୍ନ ଫସର ଫାଟିଗଲା । ମୋ ନିଜ ସ୍ତ୍ରୀ ତ ନାକ ଟେକୁଛନ୍ତି ଆଉ କାହା କଥା କହିବି କ'ଣ ??
ଚେଙ୍ଗବାବୁ କବିତା ଖଣ୍ଡକ ମନମାରି ପକେଟରେ ପୁରେଇ ବାହାରି ଗଲେ । ସେଠି ପହଞ୍ଚି କେବଳ 6/7 ଜଣ ପାକଲା ବୁଢା ଲୋକଙ୍କୁ ଦେଖି ମନଟା ପୁରା ଆମ୍ବିଳା ହେଇଗଲା । ମନେ ମନେ ଭାବିଲେ ସବୁ ପରିଶ୍ରମ ଶୁଖୁଆ ପୋଡାରେ ଗଲା । ଘୋଷଡା ବଳଦ ପରି ଅନିଚ୍ଛାରେ ଷ୍ଟେଜ୍ ଉପରକୁ ଯାଇ ଗଡ ଗଡ କବିତା ପଢିଦେଲେ । ଟାକରା ପାଟିରେ କିଛି ହେଁ ହେଁ ହସିଲେ ଆଉ ଦୁଇ ଚାରିଟା ତାଳି ବାଜିଲା ।
ଆଠଟା ପରେ ଦୃଶ୍ୟ ପୂରା ବଦଳି ଗଲା ହଲ୍ ଖଚା ଖଚ୍ ଭର୍ତ୍ତି । ଡିଜେ ଢାଉଁ ଢାଉଁ ବାଜିଲା । ବିଛୁଆତି ଲାଗିଲେ ଯେମିତି ଛାଟିପିଟି ହୁଅନ୍ତି, ସବୁ ସେମିତି ଛାଟିପିଟି ହେଲେ । ଆଉ ୟାକୁ ହିଁ କୁହାଯାଉଛି ଆଜିକାଲିକା ନାଚ । ଖାଲି କ'ଣ ଟୋକାଟୋକି ମାଇପିମାନେ ବି ଡେଇଁ ପଡିଲେ ଗୋଡ ହାତ ଛାଟିବା ପାଇଁ । ଏଥିରେ କି ମାଧୁର୍ଯ୍ୟ ଆଉ ଆନନ୍ଦ ଅଛି ଚେଙ୍ଗବାବୁ ବୁଝିପାରିଲେ ନାହିଁ । ଦେଖିଲା ବେଳକୁ ଚେମି ବି ସେଇ ନାଚରେ ସାମିଲ୍ ହେଇ ହାତଗୋଡ ଛାଟୁଥାଆନ୍ତି।
ହୟ, ଇୟେ କଉ ଝୁଲନ୍ତା ସଭ୍ୟତା, ନା ଏମାନେ ଏ କୂଳକୁ ହୋଉଚନ୍ତି ନା ସେ କୂଳକୁ, ତ୍ରିଶଙ୍କୁ ପରି ଝୁଲିଚନ୍ତି । ଏମାନେ କ'ଣ ସତରେ ସେଇ ଆର୍ଯ୍ୟାବର୍ତ୍ତର ଦାୟାଦ ???? ଏମାନଙ୍କ ହାତରେ ଆମର ସଂସ୍କୃତି ସତରେ କ'ଣ ସୁରକ୍ଷିତ ???? ଏମାନେ ଏମିତି ଏକ ଅମୁହାଁ ସଭ୍ୟତା ଆଡେ ଅଣନିଃଶ୍ୱାସୀ ହେଇ ଦୌଡ଼ୁଛନ୍ତି ସେଠୁ ଫେରି ଆସିବାର ବାଟ ନାହିଁ । ୟା ଭିତରେ ଅନେକ ବହୁମୂଲ୍ୟ ପରମ୍ପରା ପେଶି ହେଇ ନିଶ୍ଚିହ୍ନ ହେଇଯିବ, ସେଥିରେ ସନ୍ଦେହ ନାହିଁ । ଯେମିତି ଆଜି ଏକ କବିର ମୃତ୍ୟୁ ହେଲା !! ଆମେ ହିଁ ତ ଦାୟୀ ଏଇ ସବୁ ପାଇଁ ...….। ଚେଙ୍ଗବାବୁ ଧୀରେଧୀରେ ଘର ମୁହାଁ ହେଲେ ।।।।।।