କାଠୁଆ
କାଠୁଆ


ମୁନାର ସାଙ୍ଗମାନେ ନିଜ ନିଜ କ୍ରିକେଟ ବ୍ୟାଟ ଧରି ଆସି ମୁନାକୁ ଖୋଜିଲା ବେଳକୁ ମୁନା ଦୁଇ ଆଣ୍ଠୁ ଭିତରେ ମୁଁହଁ ଲୁଚାଇ କାନ୍ଦୁଥିଲା ତ ସାଙ୍ଗମାନେ କାରଣ ପଚାରି ବସିଲେ ତ ମୁନା ଆହୁରି ଆହୁରି କାନ୍ଦୁଥିଲା କୋହ ଲୁହ ସରସର ହୋଇ ତ ଶେଷକୁ କେବଳ କହିଥିଲା ବିଲେଇଟାକୁ ଶେଷକୁ ପାଣିରେ ପକେଇ ମାରିଦେଲି. ସାଙ୍ଗମାନେ ପଚାରିଲେ କାହିଁକି ଏମିତି କଲୁ ତ ମୁନା କହୁଥିଲା ସେ ସବୁଦିନ ଲୁଚି ଲୁଚି ଆମ ଘରକୁ ଆସି କ୍ଷୀରରେ ମୁଁହଁ ମାରେ, ଛକିକି ମାଛ ଭଜା ଉଠେଇ ନିଏ. ଏସବୁ ପାଇଁ ମାଆ ଖୁବ ହଇରାଣ ହେଉଥିଲେ. ଶେଷରେ ଲୁଣ ରହୁଥିବା କାଠୁଆରେ ପରିସ୍ରା କରିବା ସହ ଝାଡା କରିଦେଉଥିଲା. ଯେତେ ଦୁଆର ଦେଇ ଅଲଗା ଅଲଗା ଜାଗାରେ ଲୁଚେଇ ରଖୁଥିଲେ ଲୁଣ କାଠୁଆଟିକୁ ମଧ୍ୟ ସେ ବିଲେଇ କେମିତି କେତେବେଳେ ସେ ଘରେ ଲୁଚି ରହି କାଠୁଆ ଖୋଜି ପାଇଯାଉଥିଲା ତ ହଠାତ ଅନ୍ୟ ଲୁଣ ଆଣିନପାରି ଲଷ୍ମଣ ନାୟକ ଅଲଣା ଜାଉ ଖାଇବା ପରି ଆମ ପରିବାର ମଧ୍ୟ ପଡୋଶୀ ଘରୁ ସବୁବେଳେ ଲୁଣ ଧାର ଆଣି ନପାରି ଅଲଣା ଖାଉ ଅନେକ ଥର.
ସାଙ୍ଗମାନେ କହୁଥିଲେ ହଁରେ ସାଙ୍ଗ ଏ ପାରିକୁଦର ନୂଆପଡା ଗ୍ରାମରେ ଏ କଲୋନୀରେ ଥିବା ଆମେ ସମସ୍ତ ପରିବାରର ଲୋକେ ଡ଼ଙ୍ଗାରେ ବାଲୁଙ୍ଗାରୁ ମାସିକ ସଉଦା ଆଣି ଚଳୁଥିବାରୁ ହଠାତ କୌଣସି ସଉଦା ସରିଗଲେ ହଇରାଣ ହେବାକୁ ପଡେ ସେଇଥିପାଇଁ ତୁ ବିଲେଇକୁ ପାନେ ଦେବାକୁ ଭାବି ନଈରେ ପକେଇ ଦେଇଛୁ. ହଉ କିଛି ଭାବେନା ଆସ ଖେଳିବା. ମୁନା କହୁଥିଲା ନାହିଁ ସରୋଜ, ଆଜି ମୋର ଜମା ଖେଳିବାକୁ ଇଛା ନାହିଁ. ଚଣ୍ଡୀ ମନ୍ଦିରର ପୂଜକ ଜେଜେ କହୁଥିଲେ ତାଙ୍କୁ ଏମିତି ଗୋଟେ ବିଲେଇ ଖୁବ ହଇରାଣ କରିବାରୁ ଅର୍ଥାତ ମାଆ ହରଚଣ୍ଡୀଙ୍କ ପାଇଁ ରଖିଥିବା ଭୋଗ କ୍ଷୀର, ଛେନାରେ ମୁଁହଁ ମାରି ଭୋଗ ହେବା ପୂର୍ବରୁ ଅଇଁଠା କରୁଥିଲା ବିଲେଇଟି ତ ବାଳଭୋଗ କରିବାରେ ବିଶୃଙ୍ଖଳା ସହିତ ଦ୍ବିପହର ଧୂପରେ ଲାଗୁଥିବା ଗୋଟା ମାଛବଳିକୁ ମଧ୍ୟ ଅଇଁଠା କରୁଥିଲା ତ ଶେଷକୁ ଜେଜେ ବିଲେଇକୁ କୌଶଳ କ୍ରମେ ଧରିନେଇ ତା ଲାଙ୍ଗୁଡ଼ରେ ତାଳଫୋଟକା ବାନ୍ଧି ନିଆଁ ଲଗେଇ ଦେଲେ ତ ଢ଼ୋ କରି ଯୋଉ ଶବ୍ଦ ହେଲା ସେହି ଶବ୍ଦରେ ସେ ବିଲେଇ କୁଆଡେ ଗଲା ଯେ ଆଉ ଫେରିନି ଏଯାଏଁ. ତାଙ୍କ ଠାରୁ ଏକଥା ଶୁଣି ମୋ ବାପା ହସି ହସି ଗଡ଼ିଥିଲେ ଓ କହିଥିଲେ ମଉସା ତାଳଫୋଟକା କାହିଁକି ଝୁରୁଝୁରା ବାଣ ବାନ୍ଧି ନିଆଁ ଲଗେଇଦେଲେନି!ସେକଥା ଶୁଣି ମୁଁ ମଧ୍ୟ ସେତେବେଳେ ଖୁବ ହସିଥିଲି ହେଲେ ସେପରି ନକରି ବିଚରା ପାଣିକୁ ଘୃଣା କରୁଥିବା ବିଲେଇଟାକୁ ନଈରେ ଭସେଇ ଦେଇ କଷ୍ଟ ପାଉଛିରେ ସାଙ୍ଗ. କାହା ଜୀଵନ ରକ୍ଷା କରିବା ବଦଳରେ ନିଜେ ଯମ ସାଜି କାହାର ଜୀଵନ ନେଇଗଲି ପୁଣି କଷ୍ଟ ଦେଇ.
ସରୋଜ ଓ ସୁପ୍ରିୟ ତଥା ଅନ୍ୟ ସାଙ୍ଗ ମାନେ ମୁନାର ଏତେ ଦୁଃଖରେ ମଧ୍ୟ ହସୁଥିବା ଦେଖି ମୁନା ଖାଲି ଆଶ୍ଚର୍ଯ୍ୟ ନୁହେଁ ବରଂ କାନ୍ଦି ପକେଇଲା. ତାକୁ କେବଳ ବିଲେଇଟିର କାତର ଦୃଷ୍ଟି ସହ ଜୀଵନ ବଞ୍ଚେଇବା ପାଇଁ କୂଳକୁ ଆସିପାରିବା ସଂଘର୍ଷ କଥା ମନେପଡୁଥିଲା. ଏହି ସମୟରେ ମ୍ୟାଉଁ ମ୍ୟାଉଁ ଶବ୍ଦ ସାଙ୍ଗକୁ ସାଙ୍ଗମାନଙ୍କର ଠୋ ଠୋ ହସ ମୁନାକୁ ସ୍ତବ୍ଧ କରିଦେଲାବେଳେ, ସରୋଜ କହୁଥିଲା ଦେଖିଲୁ ମୁନା ଏଇ ବିଲେଇଟା ତ ସିଏ!ମୁନା ମ୍ୟାଉଁ ମ୍ୟାଉଁ ଆସୁଥିବା ଦିଗକୁ ଚାହିଁ ଆଶ୍ଚର୍ଯ୍ୟ ପ୍ରକାଶ କଲାବେଳେ ସାଙ୍ଗମାନେ କହୁଥିଲେ ତୁ ତାକୁ ପୋଖରୀରେ ପକାଇ ପୁଣି ପାଣି ଛାଟି ଘରକୁ ଚାଲିଆସିବା ପରେ ଆମେ ଆମ୍ବ ତୋଟାରୁ ଆମ୍ବ ସଙ୍ଗେ ଲଙ୍କା ଲୁଣ ଲଗେଇ ଖାଇ ହାତ ଧୋଇବା ସହ ଘରୁ ନେଇଥିବା କାଠୁଆକୁ ଧୋଇଲା ବେଳେ ବିଲେଇକୁ ଭାସୁଥିବାର ଦେଖି କାଠି ସାହାଯ୍ୟରେ ଉଦ୍ଧାର କରିଥିଲୁ. ଏଇ ଦେଖେ ବିଲେଇ କି ଜାଣେ ରାଗ, ରୋଷ କି ଅଭିମାନ!ଉଦ୍ଧାର ପାଇ ସେ କେମିତି ଅଳ୍ପ ଖରାରେ ଶୁଖି ପୁଣି ତୋ ପାଖକୁ ଫେରିଛି. ମୁନା କୁଣ୍ଢେଇ ପକେଇ ଥିଲା ସରୋଜ ଇତ୍ୟାଦି ସାଙ୍ଗମାନଙ୍କୁ. ତା ପରଠୁ କ୍ଷୀର ଭାତ ଦେଇ ବିଲେଇଟିକୁ ପୋଷା ମନେଇ ନେଇଥିଲା ଏମିତି କି ବିଲେଇ କେବେବି କାଠୁଆ ଉପରେ ବା ଭିତରେ ଅସନା କରୁନଥିଲା. ସାଙ୍ଗମାନେ ପରଦିନ ଆସି ଦେଖିଥିଲେ ମୁନା ବିଲେଇକୁ ଗେଲ କରୁଛି.ଏବେ ନୂଆପଡାରେ ମଧ୍ୟ ଛୋଟମୋଟ ଦୋକାନରୁ ଆବଶ୍ୟକୀୟ ସାମଗ୍ରୀ ମିଳିଯାଉଥିବାରୁ ଆଉ ଏତେଟା ଅସୁବିଧା ନାହିଁ ତ ସ୍କୁଲରୁ ଫେରିଲାବେଳେ ମୁନା ବିଲେଇ ପାଇଁ ନେଇଆସେ ବିସ୍କୁଟ ପ୍ୟାକେଟ ଗୋଟେଦିଟା.
ଅତୀତରେ ପିଲାବେଳର ଏଇ ଘଟଣାଟି ଆଜି ବାରମ୍ବାର ମନକୁ ଆସିବାର କାରଣ ଥିଲା ଆଉ ଗୋଟେ ବିଲେଇ. ବଦଳି ହୋଇଯାଇଥିଲା ମୁନା ଓରଫ ମନୋଜବାବୁଙ୍କର ତ ଜିନିଷ ପତ୍ର ପ୍ୟାକ କରି ଖଟ ଭଙ୍ଗା ହୋଇସାରି ସବୁ ଜିନିଷ ପତ୍ର ଟ୍ରକରେ ଲୋଡ଼ ହେଲା ପରେ ଦେଖାଗଲା ପୋଷା ବିଲେଇଟା ବନ୍ଧା ଯାଇଥିବା ଦଉଡ଼ିରେ ଉଠି ଟ୍ରକ ଉପରକୁ ଉଠି ଜିନିଷ ପତ୍ର ଭିତରେ ଲୁଚି ଯିବାର ଦୃଶ୍ୟ ତ ବ୍ୟଥିତ କରୁଥିଲା ମନୋଜ ବାବୁଙ୍କୁ. ଏତିକିବେଳେ ଟ୍ରକର ହେଲପର ବିଲେଇଟିକୁ ଖୋଜି କାଢି ସାରିଥିଲା ଟ୍ରକ ଉପରୁ ଓ ଆମେ ସବୁ ଟ୍ରକରେ ଚଢିଲା ପରେ ଗାଡ଼ି ଛାଡିଥିଲା. ସହକର୍ମୀ, କଲୋନୀର ଅନ୍ୟାନ୍ୟ ଲୋକମାନେ ରୁଣ୍ଡ ହୋଇ ବିଦାୟ ଜଣାଇଥିଲେ ଲୁହ କୋହ ଭରା ଆଖି ଓ ହୃଦୟରେ ତ ମନୋଜ ଓ ତାଙ୍କ ପରିବାର ମଧ୍ୟ କାନ୍ଦିପକାଇ ଥିଲେ. ଟ୍ରକ ଏବେ ଉଠିସାରିଥିଲା ରାଜରାସ୍ତା ଉପରକୁ ଓ ଗଡ଼ିବା ଆରମ୍ଭ କରି ସାରିଥିଲା. କିଛି ବାଟ ଅତିକ୍ରମ କଲା ପରେ ରାସ୍ତାରେ ମରିପଡିଥିବା ବିଲେଇଟିକୁ ଦେଖି ମନୋଜଙ୍କ ସମେତ ପରିବାରର ସମସ୍ତେ ଏତେ କାନ୍ଦିଲା ବେଳେ ମନୋଜଙ୍କ ସାନ ପୁଅ ଲିପୁ କାନ୍ଦିନଥିଲା. ମନୋଜ ଭାବୁଥିଲେ ଯାହା ହେଉ ନୂଆ ଜାଗାର ମୋହ ମାୟା ଭିତରେ ଲିପୁ ଭୁଲିଯାଇପାରିଛି ପଛରେ ଛାଡି ଆସିଥିବା ପୋଷା ବିଲେଇଟିକୁ. ଟ୍ରକରେ ଥିବା ଡ୍ରାଇଭର ଓ ହେଲପର ମଧ୍ୟ ଆଉ ନକାନ୍ଦିବାକୁ କହିବା ବେଳେ କହୁଥିଲେ ଏ କୋଉ ନୂଆ କଥା କି ଆଜ୍ଞା! ବସ ଟ୍ରକ ଇତ୍ୟାଦି ଗାଦି ଚକା ତଳେ ପ୍ରତିଦିନ କେତେ ଯେ ବିଲେଇ ଓ କୁକୁର ମରୁଛନ୍ତି ତାର ହିସାବ ନାହିଁ ଆଜ୍ଞା. ନା ନା କଥା କଣ କି ପୋଷା ବିଲେଇଟାକୁ ଛାଡି ଆସିଛୁ ତ ସେଇଥିପାଇଁ ଲୁହ ବୋଲ ମାନୁନି ଜମା. ସବୁ ଜିନିଷ ଅନଲୋଡ଼ ହେଉଥିବା ବେଳେ ସାନପୁଅ ମନୋଜଙ୍କ ସେହି ପିଲାଦିନର କାଠୁଆଟିକୁ ଅତି ଯତ୍ନର ସହିତ ଧରି ଓଲ୍ହେଇ ଥିଲା ଓ ତା ଭିତରୁ ମ୍ୟାଉଁ ମ୍ୟାଉଁ ଶବ୍ଦରେ ଚମକି ଦେଖିଥିଲେ ସମସ୍ତେ ପୋଷା ବିଲେଇ ଝୁମୁରି ଉଠିସାରିଛି ତା ଭିତରୁ ଶୋଇବା ଅବସ୍ଥାରୁ . ସ୍ତ୍ରୀ ଅମୁଲ ଗୋଳାଉଥିଲେ ତ ବଡ଼ପୁଅ ପପୁ ତାପାଇଁ ପେଟି ଠିକ କରୁଥିଲା ଓ ମନୋଜବାବୁଙ୍କ ଆଖିଆଗରେ ଭାସିଉଠୁଥିଲା ପିଲାଦିନର ସେଇ କାଠୁଆ ଓ ବିଲେଇ କଥା.