Dr Jagatabandhu Mohapatra

Others

5.0  

Dr Jagatabandhu Mohapatra

Others

କାହାଣୀ ଦୁଇଟି ଷ୍ଟେସନର

କାହାଣୀ ଦୁଇଟି ଷ୍ଟେସନର

2 mins
7.3K


ଡାଃ ଜଗତବଂଧୁ ମହାପାତ୍ର

ଟ୍ରେନରେ ଯାତ୍ରା କରୁଥାଏ, ଗୋଟିଏ ଷ୍ଟେସନରେ ଟ୍ରେନ ଅଟକିଲା I ୧୬/୧୭ ବର୍ଷ ବୟସର ଛାତ୍ରଟିଏ ଟ୍ରେନରେ ଚଢି ମୋ ସାମନାରେ ଆସି ବସିଲା, ତା’ ଆଖି ଛଳ ଛଳ I ସେହି ଛଳ ଛଳ ଆଖିରେ ସେ ଅନାଇ ରହିଛି, ଟ୍ରେନର ଝରକା ସେପଟକୁ , ସେପଟେ ତାର ମା’, ତାଙ୍କ ଆଖିରେ ଲୁହର ଧାର I

ଏତିକିବେଳେ ଶୁଣାଗଲା, ତାଳିର ଏକ କଟାକ୍ଷ ଶବ୍ଦପୁଞ୍ଜ I ଦଳବଳ ନେଇ ସେମାନେ ପହଞ୍ଚିଗଲେ, ସେଠାରେ I ହାତରେ ଦଶଟଙ୍କିଆ ନୋଟ ଧରି, ସେମାନେ ମାଗି ଚାଲିଥାନ୍ତି, ସମସ୍ତଙ୍କୁ I ତା’ ଭିତରେ ଟ୍ରେନର ସାଇରନ ବାଜିଲା, ଟ୍ରେନଟି ଧୀରେ ଧୀରେ ଛାଡିବାକୁ ଆରମ୍ଭ କଲା I ମା’ ଟି ସେପଟୁ ତା’ ପୁଅକୁ ଦେଖିବା ପାଇଁ ବିକଳ I ଟିକେ ଘୁଞ୍ଚ, ଟିକେ ଘୁଞ୍ଚ କହିଲେ ବି ଶୁଣିବାକୁ କେହି ବି ପ୍ରସ୍ତୁତ ନଥିଲେ I

ସେହି ମା’ ଓ ପୁଅଟିର ବିଦାୟ ସମୟରେ ବାଧା ସୃଷ୍ଟି କରୁଥିବା ସେହି ଦଳ ପ୍ରତି ମୋର ପ୍ରବଳ ରାଗ ଆସିଲା I ସତରେ ଏମାନେ କ’ଣ ଜାଣିବେ, ମା’ ର ସ୍ନେହ !!!

ଟ୍ରେନ ଚାଲିଲା, ଆଗକୁ ଆଗକୁ I ତାଳି ମାରୁଥିବା ସେହି ଦଳ ଆମ ବଗିରୁ ଚାଲିଯାଇଥାନ୍ତି I ମନ ଭିତରେ ସେମାନଙ୍କ ପ୍ରତି ପ୍ରବଳ ଘୃଣା ଧରି ରଖିଥିବାବେଳେ, ମୋତେ ଓହ୍ଲାଇବାକୁ ଥିବା ଷ୍ଟେସନଟି ଆସି ପହଞ୍ଚିବା ପହଞ୍ଚିବା ହେବାରୁ, ମୁଁ ବଗିର ଗେଟ ଆଡକୁ ବାହାରିଲି I ହଠାତ୍ ଦେଖିଲି, ବଗିର ବେସିନ ପାଖରେ ସେହି ଦଳର ଜଣେ ସଦସ୍ୟ, ନିଜର କିନ୍ନର ବେଶ ପରିବର୍ତ୍ତନ କରି , ଗୋଟିଏ ମହିଳା ହୋଇଗଲେ I ତା’ର ଜଣେ ସହଯୋଗୀ, କାନ୍ଦୁଥିବା ପିଲାଟିକୁ ଆଣି ତାକୁ ଧରାଇ ଦେଲା I ମହିଳାଟି ମା’ ପରି ଛୁଆଟିକୁ ବୁଝାଉଥାଏ, “କାନ୍ଦେନି, ମୋର ସୁନାଟା ପରା, ଭୋକ ହେଲାଣି, ହେଇ ତ ଷ୍ଟେସନ ଆସିଯିବ, ଗାଡି ରହିବ, ଆମେ ଓହ୍ଲାଇବା ଆଉ ତା ପରେ, ମୁଁ ତୋ ପାଇଁ ବିସ୍କୁଟ କିଣିଦେବି” I

ଟ୍ରେନଟି ରହିଲା I ତର ତର ହୋଇ ପଳାଇଗଲା ସେ, ଷ୍ଟେସନରେ ଥିବା ବିସ୍କୁଟ ଦୋକାନକୁ I ଗୋଟିଏ ବିସ୍କୁଟ ପ୍ୟାକେଟ କିଣି ଛୁଆକୁ ଦେଲା I ପାଟିରେ ଖଣ୍ଡେ ବିସ୍କୁଟ ପୁରାଇ ଓ ହାତରେ ବିସ୍କୁଟ ପ୍ୟାକେଟ ଧରିବାରୁ ଛୁଆର କାନ୍ଦ ବନ୍ଦ ହୋଇଗଲା I

ଘଟଣାଟିକୁ ମୁଁ ପୁରା ବୁଝିଗଲି I ନିଜ ଛୁଆକୁ ଭୋକରୁ ବଞ୍ଚାଇବା ପାଇଁ ମା’ ଟିକୁ ତାର ବେଶଭୁଷା ପରିବର୍ତ୍ତନ କରି କିନ୍ନର ବେଶ ହେବାକୁ ପଡୁଥିଲା I ପୂର୍ବ ଷ୍ଟେସନର ସେହି ମା’ ଟିର ସ୍ନେହ ଓ ଆବେଗ ଅପେକ୍ଷା ବେଶଭୁଷା ପରିବର୍ତ୍ତନ କରିଥିବା ଏହି ମା’ ଟିର ସ୍ନେହ ଓ ଆବେଗ ମୋତେ ବେଶୀ ଓଜନିଆ ଜଣା ପଡୁଥିଲା I ସେମାନଙ୍କ ଉପରେ ରାଗି କରି ସେହି ମା’ ଟିକୁ କିଛି ଟଙ୍କା ଦେଇନଥିବାରୁ ମନେ ମନେ ନିଜକୁ ମୁଁ ଧିକ୍କାର କରୁଥିଲି I

ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ,


Rate this content
Log in