କ'ଣ କଲା ସେ
କ'ଣ କଲା ସେ
ଇଏ ସବୁ ଏଇ ଆମ ବୋଉ ର କାମ ।ଦୁନିଆ ଯାକର କାମ ତା ମୁଣ୍ଡରେ, କାଣିଚାଏ ହାତ ବଟେଇବାକୁ କୁହେନାହିଁ..... ତା'ପରେ ପୁଣି ଏ ସବୁ ଧନ୍ଦା ନିଜେ ଆରେଇଛି ।କାହାର ଖୁଦିଚାଉଳ, କାହାର ବାସି ରୁଟି,କାହାର ଖିର ଗିନାଏ କି ଭଜା ମାଛ ଗୋଳା ଭାତ ମୁଠେ, କାହାର ଉଷୁମୁ ପେଜତୋରାଣୀ ଗଳା ,କାହାକୁ ଚିନି ମୁଠାଏ.....ଏତକ ପରେ ପୁଣି ଆମର ସବୁ ହରେକ ବରାଦ ଅଲଗା ଅଲଗା ।ବାପା ଙ୍କର ଥାଳି ଚାରିପଟେ ଛତୁଅଣ ନ ଭଜା ନହେଲେ ନ ଚଳେ ଆଉ ଜେଜ ତ ପ୍ରତି ଚାରିଦିନରେ ବୋହୁକୁ କିଛି କହିବେନି ବୋଲି ତାଙ୍କ ନିତିଦିନିଆ ଭଜନ ଖାତା ଯୋଉଟାରେ ସିଏ ନିଜ ଗଢା ଭଜନ ସବୁ ଟିପନ୍ତି ଆଉ ପଛଆଡୁ ଘର କଥାରେ ତାଙ୍କ ର ପସନ୍ଦ ନାପସନ୍ଦ ଲେଖନ୍ତି ଡାଇରୀ ପରି, ଆରେ ସେଇଖାତା ଟା ବା ଯୋଉଟା ଆମ ଇସ୍କୁଲୁ ବିଜ୍ଞାନ ସାରେ ଗୁରୁଦିବସରେ ଜେଜ ତାଙ୍କ "ଆପଣେ " ଥିଲେ ଚାହାଳୀରେ ବୋଲି ଉପହାରରେ ଦେଇଥିଲେ ଆଉ ଜେଜ ସେଇଟା ନିଶ ସାଉଁଳେଇ ଘରସାରା ସମସ୍ତଙ୍କୁ ଡାକି ଏକାଠି ବସେଇ ଦେଖେଇଥିଲେ ସେଇଟା ...... ଯୋଉଟା ସିଏ ବାପା ପଢନ୍ତୁ ବୋଲି ଚାହିଁ ଥିବେ ସେଠି ଗୋଟେ ମୟୁର ଚୂଳ ହାତ ଟେକିଥିବ ....... ସେଇଠି ଲେଖିଥିବେ ,
ତା ୬୵୦୩୵୮୨,ରିଖ
ଏକ ପକ୍ଷ ଉତ୍ତାରେ ସର୍ସା କଷି ନଡିଆ ଗୁଡ ପୁର ଦିଆ ସରୁଚକୁଳି ଟିଏ ପାଟିରେ ବାଜିନି ।
ତା୧୫୵୦୩୵୮୨ ,ରିଖ
ଚୂନାମାଛ ମହୂର ଟିର ବାସନା ବାଜୁଛି ।
ତା୨୮୵୦୩୵୮୨ରିଖ
ଚାଉଳ ବାଟଣ ଦିଆ ଫୁଲବରା ,ଆଉ ପୋଇପତରରେ ବେସର ଦେଇ ନଈଚୁଙ୍ଗୁଡି ପୋଡା କି ମୁଣ୍ଡ ଛେଞଡା ଯୋଡେ କୁ ମନ ।
ଆଦି, ଆଦି, ଆଦି
ଅଗତ୍ଯା ସେଇଦିନ ସେଇଓଳି ହି ଗରମ ପାଣିରେ ବିରିଚାଉଳ ଭିଜନ୍ତି ଆଉ ଶିଳରେ ଘାସ,ବଟା ହୁଅନ୍ତି ।
ତା ୨୭୵୦୪୵୮୩ରିଖ,
ମୁଗଜାଇ ରଗଡା କମ ପାଇଛି ।
ତା'୩୦୵୦୪୵୮୨ରିଖ
ଗୋଲ ସାନ ଆଳୁ ଖାଇ ସମ୍ମାନ ହାନୀ ।
ରୁଟି ଟା ଜଳଖିଆରେ ଯାଏ ।
ସକାଳ ଜଳଖିଆ ରେ ଗଜାମୁଗ ମୁଠେ କୁ ଆଶା ।
ଆଦି, ଆଦି, ଆଦି
ବୋଉ ସବୁ କରେ ।କିଛି ଓଲଟାଇ କୋଉଦିନ ଜବାବସୁଆଲ କରେନି ।ସବୁ ସମୟ ଅନୁସାରେ ସଜାଡି ରଖେ ..... ତାଙ୍କ ଚିତାତିଳକ, ପୁରାଣ ବହି, ସଫା ଇସ୍ତ୍ରୀ କରା ଗଙ୍ଗାଯମୁନା ଧୋତି ଚଦର .... ହସେ, କହେ ,ସିଏ ବା ମୋ ବାପା ।ପୁରୁବ ପୁରୁଷ ଶାନ୍ତି ହେଲେ ମୋ ପିଲେ ସୁଖେରେ ରହିବେ ଚାରିଯୁଗକୁ ।ଟିକେ ମନ ମାରେନି କୋଉଦିନ କି ଜେଜ ତାକୁ ମୁହଁ ରେ ନ କହି ଲେଖନ୍ତି କାଇଁ ଯେ ।ଯିଏ ପଢିବ ଗୋଟେ କଣ ଭାବିବ ! ଜେଜ କୁଆଡେ ତା ବଡ ପୁଅ ।।କହିବ ପିଲାଙ୍କ କଥା କଣ ଧରନ୍ତି ମନରେ ।ନା ।
ଜେଜ କିନ୍ତୁ ଦାଣ୍ଡ ଆଗନ୍ତୁକ ଙ୍କ ଆଗରେ ବଖାଣନ୍ତି, ମୋ ବୋହୁପିଲା ସାକ୍ଷାତ ଅନ୍ନପୂର୍ଣା ।ଏତେ ବିଦ୍ଯା ଜଣା ସବୁ ଗୁଣକୁ ।ଦେଖିଲେ କିଏ କହିବ ସିଏ ସହରରେ ବଢିଛି ଏତେ ପାଠ ପଢିଛି ! ମୁହଁ ରେ ପ୍ରଶଂସିଲେ ଅହଂ ଟା ଚେରାଏ ତ ..........
ବୋଉ ଟା ବି ସେମିତି ଶ୍ରୀଅକ୍ଷର ବିବର୍ଜିତ ପରି ବୁଲୁଥାଏ, ଖଟୁଥାଏ ।କହିଲେ କହିବ,ମଲା ମୋର ମୋ ସଂସାର ସୁଖି ହେଲେ ସେଇ କେଡେ କଥା ।ଆଉ ସେ ସବୁ କଣ ହବ ଲ ।
ହେଇ ଆସିଲା ତୋ ବଡ ପୁଅ ଯା ।
ଗଅଁ, ଗଁଅଅ, ଗଁଅଅ..... ।
ପିଠିରେ ଧଳାଚାନ୍ଦ କୁଜଟି ,ତିଳକଚିତା କାଟିଲା ପରି,କଳାମଚମଚ ଦେହ କୁ ଭାରି ମାନେ ।ଶାନ୍ତ ସୁଧାର ବୋଲକରା ।ସେମିତି ଠିଆ ହେଇଥିବ ଭୋର ପହରୁ ଆସିକି ଦାଣ୍ଡ ରେ ।
ରାତି ନ ପାହୁଣୁ ଘଣ୍ଟା ଦେଖିଲା ପରିଆ ଦୁଆରେ ଆସି ଗଁ... ଗଁଅଅ.... ଗଁ ।
ସିନ୍ଦୁରା ନ ଫିଟୁଣୁ ତା ପାଇଁ ହଳଦୀ ପକା ,କୋଉଦିନ ଅଦା ପକା ,ହରଡ ମୁଠାଏ,ମୁଗ ଆଞୁଳାଏ, କଞ୍ଚା ପରିବା ଦିଟା,ଗୁଆଘିଅ ଚାମଚେ ଏମିତି ଭଳିକି ଭଳି ଖେଚଡି କଣ୍ଟ ମରା ହେଇ ମାଟି ହାଣ୍ଡି ରେ ବସିସାରିଥାଏ ।ବାସେ ବଢିଆ ।ହଳଦୀ ପାଣିରେ ତା ଖୁରା ଧୁଆ ହବ ,ଚନ୍ଦନ ମରା ହବ କପାଳରେ ନିତି ।
ବୋଉ ତା ବେକ ତଳକୁ ଆଉଁସୁଥାଏ ,ବୋଉ ଛଡା ଆଉ ଯିଏ ପାଖକୁ ଗଲେ ସେ ମୁନିଆଁ ଶିଙ୍ଘ ଦିଟା ଖୁନ୍ଚିବାକୁ ହଲାଏ ।ପେନ୍ସିଲ୍ କଟରରେ କଟା ହେଲା ପରି ତା ମୁନ ଟି ।
ଜେଜ ଯିବା ପରଠୁ ଚାରିବରଷ ହେଲାଣି ଦିନେ ତାର ଆସିବାରେ ହେଳା ହେଇନି ।ଝଡିବତାସ କୋଉଥିକୁ ଭୟ ନାଇଁ ,ସିଏ ଆସିବ ମାନେ ଆସିବ ।ବୋଉ ତା ପାଇଁ ଚାହିଁ ଥିବ ....ସିଏ ଖାଇକି ଗଲେ ପୂଜା ସାରିକି ପାଟିରେ ପାଣି ଦବ ।ଆଉ ସିଏ ଯେ ,ସେ ତସଲା ଟାକୁ ଘଣ୍ଟେ କାଳ ଘଡର ଘଡର କରି ଏମୁଣ୍ଡୁ ସେମୁଣ୍ଡ ....ସେମୁଣ୍ଡୁ ଏମୁଣ୍ଡ ଯାଏଁ ଗୋଲୋଉଥିବ ।ପେଟ ପୁରୁନି ଭାବି ତା'ଆର ଦିନୁକୁ ବୋଉ ଆଉ ମୁଠେ ଚାଉଳ ବଢେଇବ ହେଲେ ତାର ଯୋଉ କଥା କୁ ସେଇ କଥା ।
ବାପା ଟାଣେଇକି ନହେଲେ ଟିକେ ବିଜାର ହୁଅନ୍ତି ,କହିବେ ଏତେଟା ମାୟା ଲଗାଅନି ଯେ କାଟିବ ।ବୁଲା ଜନ୍ତୁ ଟା ।ଆସିବ ନ ଆସିବ କ'ଣ ଠିକଣା ଅଛି! ତମେ ତା ବାଟକୁ ତାକୁଛ ।
ଏବେ ବି ବୋଉ ର କିଛି ଜବାବସୁଆଲ ନାଇଁ ।ସିଏ ତାର ନିତିଦିନିଆ ନିଜକୁ ନିଜେ ନିୟୋଜିତ କାମ କୁ ନେଇ ନିଜ ଅବଧି ଭିତରେ ମଜ୍ଜି ଥାଏ ।
ସକାଳୁ ଆଜି ବାପା ଭାରି ଖୁସି ,ତାଙ୍କ କବିତା ଟି ଦୈନଦିନ ଖବର କାଗଜର ସାହିତ୍ୟ ସ୍ରଷ୍ଟା ପୃଷ୍ଠା ମଣ୍ଡନ କରି ତାଙ୍କୁ ଜଶସ୍ବୀ କରିଛି ।ଘିଅ ,ମହୁ, ଦୁଧ ହାଣ୍ଡି ରେ ପାଦ ।ତଳେ ଲାଗୁନି।ସଙ୍ଗାତ କବିଗଣ କେତେ ଶୁଭେଚ୍ଛା ବାଢିସାରିଲେଣି ।ନିଶ ରେ ଆଉ ଟୋପେ ଅଧିକା ତେଲ ମାରି ବାପା ମୋଡି ମୋଡିକା ବୋଉ କହିଲେ ହେଇ ଦେଖ ତମେ ଡବଲ ଏମ୍: ଏ କଲେ କଣ ହବ ???ହେଇ ନାଁ କାହାର ବାହାରିଛି ???
ଏଇଠି କାଗଜ ଟା ରଖିଲି ଆଲମାରୀରେ ସାଇତି ରଖ , ଗାଧେଇ ଆସେ ।ଭଲକି ଆଜି ରନ୍ଧା ବଢା କର ।
ଆଜି ଏତେ ବେଳ ହେଲାଣି ସିଏ ଆସିନି, ଛ'ଟା ବାଜିବଣି ।କଣ ହେଲା, କାଇଁ ଆସିନି ବୋଲି ବୋଉ ବ୍ଯସ୍ତ ।ତା 'ଖେଚଡି ଥଣ୍ଡା ହଉଛି ।ତା'ଭିତରେ ତାର କାମ ସାରୁଛି ,ଶହେ ଥର ଯାଇ ଫାଟକ ଠି ଉଣ୍ଡି ଆସିଲାଣି ।ବାରିପଟକୁ ଶାଗ ମୁଠେ ତୋଳିବାକୁ ଚାଲିଗଲା ।
_ ହେ ହେ ହେ ..... ଭାଗ୍, ଭାଗ୍ ଭାଗ୍ ଭାଗ୍......ହେଇ ହୁସ୍ ।
ପାଣି ମଗେ ନେଇ ଛାଟିଦେଲେ ତା ପିଠିକୁ ।
ହେଇ ଆସ ,ଦେଖ ତମ ଇତର ଜୀବ ପ୍ରେମ କଣ କଲା ଦେଖ ,ସବୁ ସାରିଦେଲା ।ମୁଁ କଣ କରିବି ଏଇନା ଶୁଣେ ଟିକେ ।ରାଗିକି ପାଟି କରୁଥାନ୍ତି ବାପା ।ସିଏ ତାର ଚାକୁଳି ଚାଲିଥାଏ ବାପା ଙ୍କ ଛପାଅକ୍ଷରର କୃତିତ୍ବ ତକ ନିର୍ଦ୍ବନ୍ଦ ରେ ପିଣ୍ଢା ଉପରକୁ ଚଢିଆସି ଦାଣ୍ଡ ଘର ମେଜ ଉପରୁ ନୂଆ ଛପା ବାସ୍ନା କୁ ଧରିରଖିଥିବା ଆଜିର ସମ୍ବାଦ କାଗଜ ଟି।
ପାଟି ଶୁଣି ବାରିଆଡୁ ଦଉଡି ଆସି ବୋଉ ସବୁ ଦେଖି ସବୁ ବୁଝି ବି ଗଲା ।ଓଲଟା କହିଲା
_
କେତେ ଥର କହିଛି ପଶୁ ପକ୍ଷୀ ଙ୍କୁ ପାଣି ଛାଟିବନି ବୋଲି ,ତାଙ୍କ ଦେହ ଥରିବ ।ଆଉ ଏତେ ଜୋର ରାଗୁଛ କଣ, ମୋ ପାଇଁ ତମର ଟିକିଏ ଚିନ୍ତାଦକ ନାହିଁ ଦେଖୁଛି ।
_ ଆଉ କଣ କଲା ସେ ???? ତମ ବଡ ଗେଲବସର??? ସେଇଟା????
ଜେଜ ଫଟୋ ରୁ ହସୁଥିଲେ ।
ବୋଉ ତାର ପରିବା କାଟିଆରେ ମନ ଦେଲା ।ତାର ସବୁ ତରକାରୀ ର ପରିବା ଅଲଗା ପ୍ରକାର କଟା ହୁଏ ,ତେବେ ଯାଇ ସେ ଜିନିଷ ଟି ସୁଆଦିଆ ହୁଏ ବୋଲି ସିଏ କହେ ।ପରିବା ସମାନ କିନ୍ତୁ ତରକାରୀ ନାଁ ତ ଭିନ୍ନ ନା ,ଆଉ ସୁଆଦ ବି ।
