Satyabati Swain

Children Stories

3  

Satyabati Swain

Children Stories

ଜୟର ଗଣେଶ ପୂଜା

ଜୟର ଗଣେଶ ପୂଜା

4 mins
11



ବାପା ବୋଉକୁ କହୁଥିଲେ "ହଁ ରାତି ଦିନ ଖାଲି ଟିଭି ଦେଖ ଓ ଫୋନ୍ ରେ ଗପ।ଖାଇବା ପିଇବା ବନ୍ଦ ହେବ ପଛେ ଟିଭି ଦେଖା ବନ୍ଦ ହେବ ନାହିଁ। କି ଫୋନ୍ କାନରୁ ଛଡା ହେବନାହିଁ।ଜାଣିଛ ସଞ୍ଜୁ!ଏହାର ପ୍ରଭାବ "ଜୟ" ଉପରେ କିପରି ପଡୁଛି?ଏବେ ତ ସେ ତା ସ୍କୁଲରେ ସବୁ ପିଲାଙ୍କୁ କହୁଛି" ଏ, ବି, ସି, ଡ଼ି ,ଇ ଏଫ; ତୁ ମୋ ଗାର୍ଲ ଫ୍ରେଣ୍ଡ ମୁଁ ତୋ ବି, ଏଫ" ବୋଲି ପ୍ରଧାନ ଶିକ୍ଷକ ମୋତେ ଡାକି କହିଛନ୍ତି।ଭାରି ବାଙ୍ଗୁଳାମି ,ଦୁଷ୍ଟାମୀ କରୁଛି।ହେଲେ ବାବୁ ପାଠ ଘରେ ଶୁନ!!


ଆଜିକାଲି ତ ପାସ ଫେଲ ନାହିଁ।ଦ୍ଵିତୀୟ ଶ୍ରେଣୀରେ ବାବୁଙ୍କ ନାମ ;ମାତ୍ର ଅ ରୁ ହ କ୍ଷ ହେଲା ନାହିଁ।ଏବେ କଣ ଗୋଟେ ଉଜ୍ଜ୍ୱଳ ପିଲା ଭାବେ ସେ ଗଣା। ଗୋଟିଏ ବୋଲି ପୁଅ ଆମର ସେ କଣ ପାଠ ନ ପଢି ମୋରି ପରି ମୂଲ ମଜୁରି ଖଟିବ? ସଞ୍ଜୁ ତମେ ପା ପଞ୍ଚମ ଯାଏ ପଢିଛ ? ଅ ରୁ କ୍ଷ ଶିଖାଇ ପାରିବ ନାହିଁ ?


ମା ଚିହିଁଙ୍କି ଉଠିଲେ।ମୋରି ଟିଭି ଦେଖା ତ ତୁମ ଆଖିକି ଦେଖା ଯାଉଛି।ଫୋନ୍ ରେ କଣ ଟିକେ କଥା ହେଉଛି ଯେ ଯାଉନି ତୁମ ଦେହରେ।ଘର ଗୋଟାକ ଯାକ କାମ କରିବି।ବାହା ହେଲା ଦିନୁ ତ କେଉଁ ଦିନ ସିନେମା ଘର ଦୁଆର ମୁହଁ ମଡ଼ାଇନ। ଟିଭି ଟିକେ ଦେଖୁଛି ବୋଲି କଣ ହେଉଛନ୍ତି ଅନା !!!କାଇଁ ତମେ ପରା ସପ୍ତମ ଯାଏଁ ପଢିଛ ମୋଠାରୁ ଅଧିକ।ତମେ ପଢଉନ? ନାଇଁ ସିଏ ଗୋଟିଏ କଥା......ସନ୍ଧ୍ୟାରେ ଘରେ ରହିଲେ ଛକ ପଲିଥିନ ନାଲି ପାଣି କାନ୍ଦିବେ ନାହିଁ? ଗଞ୍ଜେଇ ଧୂଆଁ ଖୋଜିବ "କୁଆଡେ ଗଲେ ମୋ ପ୍ରିୟତମ ରଘୁ ବାବୁ....


ଦେଖ!ମୋତେ ରଗାନା କହୁଛି ସଞ୍ଜୁ।।ନହେଲେ ମୋ ମୁଣ୍ଡକୁ ପିତ ଚଢି ଗଲେ କଥା ଭଲ ହେବନି, ହଁ.. ଅ ..ଅ।

 

କଣ ଆଉ କରିବ ପୁରୁଷ ପଣିଆଁ ଜାହିର କରିବାକୁ ଦି ଟା ଥାନ ଅଥାନରେ ଥୋଇ ଦେବ।ଆଉ କଣ ଦେଇଛ ବାହା ଦିନଠାରୁ ଏଇ ମାଡ଼ ବ୍ୟତୀତ ବା!!


ଏମିତି ପ୍ରାୟତଃ ନିତି ଦିନିଆ ଘଟଣା ଜୟ ଘରେ।କେବଳ ଜୟ ପଢା ନେଇ।ଜୟ କୁ ଏସବୁ ଭଲ ଲାଗେନି।ହେଲେ କଣ କରିବ ଯେତେ ଚେଷ୍ଟା କଲେ ବି ଅକ୍ଷର ଗୁଡିକ ତା ସଙ୍ଗେ ଲୁଚକାଳି ଖେଳନ୍ତି ମୂଷା, ଠେକୁଆ,ପାରା ଏସବୁ ରଖି ପାଳିବାକୁ,ଖାଇବାକୁ ଦେବାକୁ,ତାଙ୍କ ସଙ୍ଗେ ଖେଳିବାକୁ ତାକୁ ଭଲ ଲାଗେ।

 

ବେଶୀ ଭଲ ଲାଗେ ମାଟିରେ ମୂର୍ତ୍ତି ଗଢିବାକୁ। ମାଟି ଟିକେ ଦେଖିଲେ ବସି ଯିବ ତା କଳ୍ପନାର ରୂପ ଦେବାକୁ। ଠିକ ତା ମୂଷା,ଠେକୁଆ, ପାରାଙ୍କୁ ଅବିକଳ ମାଟିରେ ଗଢିଦିଏ।ଜଗନ୍ନାଥ,ଗଣେଶ,ସରସ୍ୱତୀ ମୂର୍ତ୍ତି ସେ ବଢିଆ ଗଢି ପାରେ।


ସାର୍ କହିଛନ୍ତି ଏ ବର୍ଷ ତା ହାତ ଗଢ଼ା ଗଣେଶ ମୂର୍ତ୍ତି ପୂଜା ପାଇବେ।ସାର୍ ରଙ୍ଗ ବି ଆଣି ଦେଇଛନ୍ତି।ଆହୁରି ସାର୍ ବି କହିଛନ୍ତି" ଜୟ!ତୋତେ ଈଶ୍ୱର ଭଲ କଳା ଟିଏ ଦେଇଛନ୍ତି।ମନ ଦେଇ ଟିକେ ପଢିଲେ ଏ କଳା ବିଷରେ ପଢି ଦିନେ ତୁ ବଡ଼ କଳାକାର ଟିଏ ହୁଅନ୍ତୁ"ଦୁଷ୍ଟାମୀ ଛାଡି ପଢ଼ାରେ ଟିକେ ମନ ଦେରେ ଜୟ।


ଜୟ ମନ ପ୍ରାଣ ଢ଼ାଳି ଗଣେଶ ଠାକୁର ନିଜ କୁନି ହାତରେ ଗଢ଼ିଛି।ଆଜି ଗଣେଶ ଠାକୁରଙ୍କ ପୂଜା।ମୂର୍ତ୍ତି ଦେଖି ସମସ୍ତେ ବାଃ ବାଃ କରୁଥିଲେ,ସାର୍ ପିଲା ଓ ଦେଖେଣା ହାରି ମାନେ।


ହେଲେ ସମସ୍ତେ ସେଇ ଗୋଟିଏ କଥା କହୁଥିଲେ"ଯାହା ହେଲେ କଣ ହେବ ଜୟ ଟା ସୁଦୁ ବାଳୁଙ୍ଗା!!ଚାଲି ଗଲା ଶଗଡ଼ରେ ହାତ ଦେଉଛି। ଆଜିଯାଏ ଅ, ଆ ,କି ଏକ,ଦୁଇ,ହେଲା ନାଇଁ"।


ପ୍ରଶଂସା ଶୁଣି ଖୁସି ଅପେକ୍ଷା ଜୟ ବେଶୀ ମନ ଦୁଃଖ କରୁଥିଲା।କି ଫାଜିଲି ଅକ୍ଷର ଗୁଡା ମୋଟେ ଭଲ ପାଉ ନାହାଁନ୍ତି ତାକୁ----


ପାଠ ଟା ଅତି ଅବଗିଆ ଟା ଠିକ ମୋରି ପରି ଜମା ସାଙ୍ଗ ହେଉନି ତାର---- ଜୟ ମନେ ମନେ ଗୁଡ଼ାଏ ଗାଳି କରୁଥିଲା ଅ ,ଆ, ଏକ, ଦୁଇଙ୍କୁ।


ପୂଜା ଆରମ୍ଭ ହେଲା। ନନା ହୋମ କଲେ ।ସାର୍ କହିଲେ ପିଲାଏ ଆଖି ବୁଜି ଗଣେଶ ଠାକୁରଙ୍କୁ ଏକାଗ୍ର ଚିତ୍ତ ରେ ଡାକ। ସେ ପାଠ ଦେବେ,ବୁଦ୍ଧି ଦେବେ,ଭଲ ମଣିଷ କରିବେ।


ଜୟ କାନ୍ଥ କୁ ଆଉଜି କଣରେ ବସିଥିଲା।ତାର କୋମଳ ଜିଜ୍ଞାସା----ମାଟିରେ ସେ ଯାହାଙ୍କୁ ଏଇ ହାତରେ ଗଢ଼ିଛି ତାଙ୍କର ଏତେ କରାମତି!!!ସେ କେଡେ ବୋକାଟା!!!ଦି ଚାରିଡା ଏମିତି ମୁର୍ତ୍ତି ଗଢି ସେ ବି ଏକାଗ୍ର ଚିତ୍ତ ରେ ଡାକିବ।ତାର ବି ପାଠ ହେବ।ତା ପାଇଁ ଆଉ ବାପା ବୋଉ କଳି ହେବ ନାହିଁ।କି ବୋଉ ନିତି ତା ଯୋଗୁଁ ମାଡ଼ ଖାଇବ ନାହିଁ।


ହେଲେ ସବୁ ଭାବନା ଅଡ଼ୁଆ ତଡୁଆ ହୋଇଗଲା।ଆରେ-- ଆରେ-- ସାର୍ କହିଲେ ଏକାଗ୍ରତା!


ସେଇଟା କଣ!! କେଉଁଠୁ ପାଇବ ସେଇଟାକୁ।ସିଏ କଣ ଗୋଟେ ଚକଲୋଟ୍? ହଁ---ହେଇଥିବ....ଏ ଗଣେଶ ଠାକୁର ପେଟୁଆ ଟା।ଲଡୁ କୁଆଡେ ୟାଙ୍କର ଭାରି ପ୍ରିୟ।ବହୁତ ମିଠା ଖାଉଥିବ।


ହଉ ହେ ଲାଞ୍ଚୁଆ ପେଟୁଆ ଗଣେଶ! ପଛେ ମାମୁଁ ଯେଉଁ ଦଶ ଟଙ୍କା ଦେଇ ଯାଇଥିଲେ ସେଥିରେ ମୁଁ ଜମା କୁର୍କୁରି ରି ଖାଇଵ ନାହିଁ।ସତ କହୁଛି, ଵିଦ୍ୟା ରାଣ, ସବୁ ଯାକ ପଇସା ରେ ତୁମକୁ ଚକଲୋଟ ଦେବି ହୋ ମୋ ହାତ ଗଢ଼ା ଗଣେଶ ଠାକୁର ମୋତେ ପାଠ ଦିଅ----।ତୁମ ଘରେ ଯଦି ଏତେ ପାଠ ମୋତେ ଟିକିଏ ଦେଲେ କଣ ତୁମର ସବୁ ସରିଯିବ?ନା ତୁମେ ଆମ ଗାଁ ନଟ ବାବୁ ପରି କଞ୍ଜୁସ, କାହାକୁ କିଛି ଦେବାକୁ ଭଲ ପାଅନା??ମୋ ସାଙ୍ଗ ଫେଲୁକୁ ତ ଦେଇଛ।ସେ ତ ବଢିଆ ପଢୁଛି।ମୋତେ ଦେଲା ବେଳକୁ ତୁମ ପାଖେ ନାହିଁ?ସମସ୍ତଙ୍କୁ ପାଠ ସିନା ଦିଅନ୍ତି !


ସାର୍ କହୁଥିଲେ ପିଲାଏ ନନାଙ୍କ ସହ ଶ୍ଳୋକ ବୋଲ।ଜୟ କୁ କିଛି ଶୁଭୁ ନଥିଲା ସେ ଖୋଜୁଥିଲା ସାର୍ କହିଥିବା ଚିତ୍ତକୁ ।


ହଁ ଚିତ୍ତ!!ସେଇଟା କଣ?


ସିଏ କେଉଁ ଦୋକାନରେ ମିଳେ।ସେ କଣ ମଣିଷ ଟିଏ କି?ତାକୁ ଡାକିବ କେଉଁ ନାଆଁ ରେ?ଶୁଣିବା ପାଇଁ ତାର କାନ ଥିବ ତ!!


ସାର୍ ପୁଣି କହିଲେ ଗଣେଶ ହେଲେ ବିଦ୍ୟା ଦାତା।ତାକୁ ମନ ଧ୍ୟାନ ରେ ଡାକ ପିଲେ--ସେ ବୁହୁତ ବିଦ୍ୟା ଦେବେ।


ଓ ହୋ ସବୁ ଗୋଳମାଳ ହେଇ ଯାଉଥିଲା ଜୟର।କଣ ଯେ ସାର୍!! ଦିଇଟା ଜିନିଷ ଏଯାଏ ପାଇନି,ପୁଣି ମନ,ଧ୍ୟାନ କହିଲେଣି! ମନ ଟି କେମିତି କା ଚିଜ!


ହଁ ବୋଉ କୁହେ" ମୋ ମନ ହଉଚି ସୁନା ଚେନ୍ ଟିଏ ପିନ୍ଧିବାକୁ।ମୋ ମନ ମାଂସ ତରକାରୀ ଟିକେ ଖାଇବାକୁ"।ବାପା ବି କୁହନ୍ତି "ଗୋଟିଏ ଫଟ୍ ଫଟିଆ ଗାଡି କିଣିବାକୁ ଭାରି ମନ"। ତାହେଲେ ମନଟା କଣ?ବୋଧେ ବହୁତ ଦାମିକା ଜିନିଷ ହେଇଥିବ...।ବାପା ବୋଉ ଯାହା କିଣି ପାରୁ ନାହାନ୍ତି ସେ କଣ ତାକୁ ପାଇବ??


ଭାରି ଅସହାୟ ଲାଗୁଥିଲା ଜୟକୁ।ଧ୍ୟାନ କଥା ଆଉ ଚିନ୍ତା କରିବାକୁ ତାକୁ ଇଛା ହେଲାନି।ହେ--- ଏଗୁଡ଼ାକ ସେ କେଉଁଠୁ ପାଇବ ନା ତାର ପାଠ ହେବ?

ହୋମ ଧୂଆଁରେ ଆଖି ମଳି ମଳି ତା ମୂଷା,ଠେକୁଆ,ପାରା ଖାଇଲେଣି ନା ନାହିଁ ସେ କଥା ଭାବୁଥିଲା।କାଲି ସାର୍ କହୁଥିଲେ ଛୁଟି ନୂଆଖାଇ ପାଇଁ।ଭାରି ମଜା ହେବ ଦିନ ତମାମ ଖେଳିବ ତାଙ୍କ ସାଙ୍ଗେ।

  

ଏତିକି ବେଳେ ସାର୍ କହିଲେ ପିଲାଏ ଠିଆ ହୁଏ ପୁଷ୍ପାଞ୍ଜଳି ଦେବ,ନଡ଼ିଆ ଭାଙ୍ଗିବ।ସବୁ ପିଲା ଧଡ଼ ପଡ଼ ହୋଇ ଠିଆ ହେଲେ ପୁଷ୍ପାଞ୍ଜଳି ଦେବା ପାଇଁ।।କେବଳ ଜୟ କୁ ଛାଡି ।


ଜୟ ଢୁଳାଉ ଥିଲା କଣରେ କାନ୍ଥକୁ ଆଉଜି......ମୁଣ୍ଡ ବାଡେଇ ହୋଇଗଲା ଢୋ।ପିଲାମାନେ ଠୋ ଠୋ ହୋଇ ହସି ଉଠିଲେ।ମୁଣ୍ଡ ଆଉଁସୁ ଆଉଁସୁ ଜୟ ଅତି ଅସହାୟ ହୋଇ ଚାହିଁଥିଲା ଗଣେଶ ଠାକୁରଙ୍କୁ।



Rate this content
Log in