ଜିଜ୍ଞାସା
ଜିଜ୍ଞାସା
ଭଗବାନ ଶ୍ରୀବିଷ୍ଣୁଙ୍କୁ ଦର୍ଶନ କରିବାର ଅଭିଳାଷା ନେଇ ଦେବର୍ଷି ନାରଦ ଯାତ୍ରା କରୁଥାନ୍ତି ବୈକୁଣ୍ଠପୁରୀକୁ । ସହସା ତାଙ୍କର ଦୃଷ୍ଟି ପଡିଲା,ରାସ୍ତା କଡରେ ପଡିଥିବା ଏକ ଗାଈର ଖପୁରୀ ଉପରେ । କୌତୁହଳବଶତଃ ନାରଦ ସେଇ ଖପୁରୀ ପାଖକୁ ଯାଇ ଦେଖିଲେ- ଗାଈର କପାଳଦେଶରେ ସାଙ୍କେତିକ ଭାଷାରେ ଦୁର୍ବୋଧ୍ୟ ଅକ୍ଷରରେ କିଛି ଲେଖା ହୋଇଛି । ପରନ୍ତୁ ଶତ ଚେଷ୍ଟା କଲେ ମଧ୍ୟ ସେ ବୁଝିପାରିଲେନି କପାଳରେ ଲେଖା ହୋଇଥିବା ସେହି କ୍ଲୀଷ୍ଟ ଭାଷାର ଅର୍ଥ । ଅତଏବ ସମସ୍ତ ଚେଷ୍ଟା ବୃଥା ହେବା ପରେ ନିଜର ଜିଜ୍ଞାସାକୁ ଚରିତାର୍ଥ କରିବାକୁ ଯାଇ ସେ ସ୍ୱହସ୍ତରେ ଗାଈମୁଣ୍ଡକୁ ଧରି ଯାତ୍ରା କଲେ ଗୋଲକପୁରୀ । ମହାପ୍ରଭୁ ଶ୍ରୀବିଷ୍ଣୁ ନୂତନ ଇନ୍ଦ୍ର ଭାବରେ କୌଣସି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି କରିବାକୁ ଇନ୍ଦ୍ରପୁରୀ ଯାଇଛନ୍ତି ବୋଲି ମାତା ଲକ୍ଷ୍ମୀଙ୍କ ପାଖରୁ ଶୁଣିଲେ ଦେବର୍ଷି । କାଳବିଳମ୍ବ ନ କରି ଦେବର୍ଷି ନାରଦ ଗାଈମୁଣ୍ଡ ଧରି ଇନ୍ଦ୍ରପୁରୀ ଅଭିମୁଖେ ଗମନ କଲେ । ପରନ୍ତୁ ଇନ୍ଦ୍ରପୁରୀର ଦ୍ୱାରରକ୍ଷୀମାନେ ମହାପ୍ରଭୁଙ୍କ ବିନା ଅନୁମତିରେ ଭିତରକୁ କାହାକୁ ଯିବାର ଅନୁମତି ନାହିଁ ବୋଲି ଦେବର୍ଷିଙ୍କୁ ବିନମ୍ର ଭାବରେ ଅବଗତ କରାଇଲେ । ନିଜ ଜିଜ୍ଞାସାର ସମାଧାନ ନିମନ୍ତେ ବ୍ୟାକୁଳିତ ନାରଦ ଦ୍ୱାରପାଳଙ୍କ କଥାକୁ ଭ୍ରୁକ୍ଷେପ ନ କରି ଭିତରକୁ ଯିବାକୁ ଉଦ୍ୟତ ହୁଅନ୍ତେ, ଦ୍ୱାରପାଳଙ୍କ ମୁଷ୍ଟିଘାତରେ ହେଲେ ଭୂପତିତ । ନାସାରୁ ତାଙ୍କର ଅବିରତ ଭାବରେ ବହୁଥାଏ ରୁଧିର । ଅସହ୍ୟ ଯନ୍ତ୍ରଣାରେ ଜର୍ଜରିତ ନାରଦ ବ୍ୟାକୁଳ ଚିତ୍ତରେ ମହାପ୍ରଭୁଙ୍କୁ ସ୍ମରଣ କରନ୍ତେ,ତତକ୍ଷଣାତ୍ ସେଠାରେ ଆର୍ବିଭାବ ହେଲେ ଗୋଲକ ବିହାରୀ ଶ୍ରୀବିଷ୍ଣୁ । ନାରଦଙ୍କ ଏଭଳି ଅବସ୍ଥା ଦେଖି ସେ ତାଙ୍କର ଉପଯୁକ୍ତ ଉପଚାର କରି ଆସିବାର କାରଣ ପଚାରିଲେ । ନାରଦ ଗାଈମୁଣ୍ଡର ଖପୁରୀକୁ ମହାପ୍ରଭୁଙ୍କ ଆଡକୁ ଦେଖାଇ କପାଳ ଦେଶରେ ଲେଖାଥିବା ସାଙ୍କେତିକ ଭାଷାର ଅର୍ଥ କଣ ବୋଲି ପଚାରିବାରୁ ମହାପ୍ରଭୁ ଶ୍ରୀବିଷ୍ଣୁ ସ୍ମିତହାସ୍ୟ କରି କହିଲେ- "ଦେବର୍ଷି! ଗାଈର କପାଳଦେଶରେ ଲେଖା ହୋଇଥିବା ଭାଷାର ଅର୍ଥ ହେଲା- ସତ୍ୟ ଓ ନିର୍ଭୀକ ଖବର ପରିବେଷଣ କରୁଥିବା ନାରଦମାନେ ଯେ ପର୍ଯ୍ୟନ୍ତ ସଂଗଠିତ ହୋଇ କାର୍ଯ୍ୟ କରି ନାହାନ୍ତି, ସେପର୍ଯ୍ୟନ୍ତ ଶାସକ ଗୋଷ୍ଠୀ ଦ୍ୱାରା ଏଭଳି ନିର୍ଯ୍ୟାତିତ ଓ ନିଷ୍ପେସିତ ହେଉଥିବ, ଏହାହିଁ ଧ୍ରୁବ ସତ୍ୟ ଅଟେ ...।" (କଳ୍ପିତ)