Rajalaxmi Mohanty

Others

3  

Rajalaxmi Mohanty

Others

ଜହର ଛୁଆଁ

ଜହର ଛୁଆଁ

3 mins
185


ସ୍କୁଲରୁ ଆସି ମୁହଁ ଶୁଖେଇ ବସିଛି ଲିନୁ। ସରିତା ଦେଖିକି ଅଣଦେଖା କରିଚାଲିଗଲା। ସେ ଜାଣେ, ତା ଝିଅର ଗୁଣ ।

କିଛି ଗୋଟେ ଡିମାଣ୍ଡ ଥିଲେ ସେ ଏମିତି ଆଗରୁ ଟିକେ ରୋଲ୍ କରିଦିଏ। ଲିନୁର ଜେଜେ ହେରିକେ ତିନି ଭାଇ। ତା ବାପା ହେରିକେ ଛଅ ଭାଇ। ସମସ୍ତଙ୍କ ଠାରୁ ବଡ ଲିନୁର ବାପା। ଲିନୁ ସେମାନଙ୍କର ପ୍ରଥମ ସନ୍ତାନ। ସମସ୍ତଙ୍କ ଆଖିର ତାରା। ଗଳାର ମାଳା।ତିନି ଜେଜେମାଆଙ୍କର ନୟନ ପିତୁଳୀ। ଜେଜେମାନଙ୍କର ବି ଅନ୍ଧର ଲଉଡି। ବାପା ଦାଦାଙ୍କର ତ ଗେଲୁ,ଧନ,ସୁନା ସ୍ୱିଟୀ, ପରୀ, ରାଣୀ ଏମିତି କେତେ କ'ଣ। ସମସ୍ତଙ୍କ ଠାରୁ ଗେହ୍ଲା ଆଦର ପାଇ ସମସ୍ତଙ୍କ ମୁଣ୍ଡରେ ବସେ ସିଏ। ସେଥିପାଇଁ ଯେତେବେଳେ ଯାହା ବରାଦ କରେ ସାଙ୍ଗେସାଙ୍ଗେ ଆସି ହାଜର ହେଇଯାଏ ତା ପାଖରେ। ଏକା ସରିତା ଏସବୁକୁ ପ୍ରଶୟ ଦିଏନି। ନିଜ ଝିଅର କିଏ ବା ଭଲ ନଚାହେଁ। ଏତେ ସବୁ ଦାବୀ ଝିଅର ଆଜିଠାରୁ ପୂରଣ କଲେ ଭବିଷ୍ୟତରେ ଝିଅ ଜିଦିଆ ହୋଇଯିବାର ସମ୍ଭାବନା ଅଛି।ସେଇ ଭୟରେ ସେ ଟିକେ ଆତଙ୍କିତ ହେଇଯାଏ। ତା ଛଡା ଏତେ ଜଣ ତ ଅଛନ୍ତି ଲିନୁର ଦାବୀ ପୂରଣ କରିବାକୁ। ସେ ବା କାହିଁକି ଅଯଥା ଟେନସନ ନେବ। ସେଥିପାଇଁ ଲିନୁର ମୁହଁ ଶୁଖେଇବାକୁ ଦେଖି ମଧ୍ୟ ନଦେଖିଲା ପରି କେବଳ ସ୍କୁଲ ଡ୍ରେସ୍ ବଦଳେଇ ଦେଇ ସେଠୁ ଚାଲିଗଲା ସରିତା ।


ଦିନ ଯାଇ ରାତି ଆସିଲା। ତଥାପି ଲିନୁର କୁନି କୁନି ଓଠରେ ହସ ଝଲସିଲା ନାହିଁ। ସନ୍ଧ୍ୟା ବେଳେ ସରିତା ବସିଲା ଝିଅକୁ ପାଠ ପଢେଇବାକୁ। ଗୋଟେ ଜିନିଷ ଲକ୍ଷ୍ୟ କଲା ଲିନୁର ମନ ଏବେବି ଉଦାସ ଅଛି।ଏତେ ଛୋଟ ପିଲା ମନର କଥା ଏତେ ସମୟ କେବେବି ଚାପି ରଖିପାରିବା କଥା ନୁହେଁ। କ'ଣ ହେଇଛି ବୋଲି ପଚାରିଲା ସରିତା।ତଥାପି ଲିନୁ କିଛି ଉତ୍ତର ଦେଲାନାହିଁ। ହୁଏତ ସ୍କୁଲରେ କେଉଁ ସାଙ୍ଗ ସହିତ ମନାନ୍ତର ହେଇଥିବ ଭାବି ସରିତା ବି କଥାକୁ ବେଶି ଗୁରୁତ୍ବ ଦେଲାନି। 


କିଛିଦିନ ଅନ୍ତରରେ ପୁଣି ଥରେ ସେଇ ଘଟଣାର ପୁନରାବୃତ୍ତି ଘଟିଲା। ସେଦିନ ବି ସେମିତି ସ୍କୁଲରୁ ଫେରି ମୁହଁ ଶୁଖେଇ ବସିଲା ଲିନୁ। ଏମିତି ଘଟଣା ବାରମ୍ବାର ଘଟିବାରୁ ସରିତା ମନରେ ଟିକେ ସନ୍ଦେହ ଆସିଲା।କେବଳ ଏଇ ସ୍କୁଲରୁ ଫେରି ପିଲାଟି ଏମିତି ବିଚଳିତ ହେଇପଡୁଛି କାହିଁକି। ଥରେ ସେମିତି ହେଲାପରେ ପ୍ରାୟ ତିନି ଚାରିଦିନ ତାକୁ ଲାଗି ଯାଉଛି ସ୍ୱାଭାବିକ ହେବାପାଇଁ। ଛୁଆଟି ଏତେ ବଡ ବି ନୁହେଁ ନୁହେଁ ଯେ ଅନ୍ୟ କିଛି ପାପ ଚିନ୍ତା ମନକୁ ଆସିବ। ମାତ୍ର ସାତ ପୂରି ଆଠ ଚାଲୁଛି ଝିଅକୁ। କ'ଣ, କାହିଁକିର ପ୍ରଶ୍ନ ସରିତାର ମନରେ। 


ତାଙ୍କର ବହୁତ ବଡ ପରିବାର। ବନ୍ଧୁ ବାନ୍ଧବ ମଧ୍ୟ ବହୁତ। ସମସ୍ତଙ୍କର ନିଜ ନିଜର ବ୍ୟବସାୟ।ସମସ୍ତେ ନିଜ କାମରେ ବ୍ୟସ୍ତ ରୁହନ୍ତି ଦିନ ସାରା। ଲିନୁର ବାପା ଅଶୋକ ନିଜେ ଲିନୁକୁ ନେଇ ସ୍କୁଲରେ ଛାଡନ୍ତି। ଆଣିବା ସମୟରେ ବେଳେବେଳେ କାର୍ଯ୍ୟ ବ୍ୟସ୍ତତା ପାଇଁ ତାଙ୍କର ସାନ ଦାଦାଙ୍କ ଶଳାଙ୍କୁ କହିଦିଅନ୍ତି। ସେ ଲିନୁର ଜେଜେ ହେବେ। ବୟସ ଲିନୁର ସାନ ଜେଜେଙ୍କ ପାଖାପାଖି। ସେଇ ପଚାଶ କି ପଞ୍ଚାବନ ହେବ। ସେ ବି ଆଗରୁ ଅନେକ ଥର ସେମାନଙ୍କ ଘରକୁ ଆସିଛନ୍ତି।ଲିନୁକୁ ବହୁତ ଭଲ ପାଆନ୍ତି। କାଖ କରି ଗେଲ କରନ୍ତି।ମିଠା ମିଠା ଚୁମା ଅନେକ ତା ଗାଲରେ ଦିଅନ୍ତି।ଲିନୁ ବି ତାଙ୍କୁ ଚୁମା ଦିଏ। ସମସ୍ତଙ୍କର ସେ ଅଲିଅଳୀ ନାତୁଣୀ ଥିଲା। ସେଥିପାଇଁ ଯେଉଁଦିନ ଅଶୋକ କୌଣସି କାମରେ ଠିକ୍ ସମୟରେ ସ୍କୁଲକୁ ଯାଇ ନପାରନ୍ତି ଲିନୁକୁ ଆଣିବାକୁ ସେଦିନ ତାଙ୍କର ସେଇ ମାମୁଁଙ୍କୁ କୁହନ୍ତି ଲିନୁକୁ ଆଣି ପାଖରେ ରଖିବାକୁ। ସ୍କୁଲରେ କାଳେ ପିଲାଟି ଏକା ଏକା ରହି ଡରିଯିବ ଏଇ ଆଶଙ୍କାରେ ।ପୁଣି ଦଶ ପନ୍ଦର ମିନିଟ୍ ପରେ ସେ ଯାଇ ତାଙ୍କ ମାମୁଁଙ୍କ ପାଖରୁ ଝିଅକୁ ନେଇ ଆସନ୍ତି।ମାମୁଁଙ୍କର ଦୋକାନ ସେଇ ସ୍କୁଲ ପାଖା ପାଖି ଥିଲା ।ସେଥିପାଇଁ ଅଶୋକ କେବଳ ସେଇ ମାମୁଁଙ୍କ ଉପରେ ନିର୍ଭର କରନ୍ତି।  


ସେଦିନ ସରିତା ଝିଅକୁ ସ୍କୁଲ ପଠେଇବା ସମୟରେ ଝିଅକୁ ମୋଜା ପିନ୍ଧଉ ପିନ୍ଧଉ କହିଲା "ଆଜି ବାପାଙ୍କର ସ୍କୁଲ ଯିବା ଟିକେ ଡେରି ହେଇଯିବରେ ମା, ତୁ ଜେଜେଙ୍କ ସାଙ୍ଗରେ ଯାଇ ତାଙ୍କ ପାଖରେ ଥିବୁ ।ବାପା ଯାଇ ନେଇଆସିବେ ତୋତେ। ବାପା ଜେଜେଙ୍କୁ କହିଦେଇଛନ୍ତି ଫୋନ୍ କରି। ଚଟ୍ କରି କୁନି ଝିଅ ଲିନୁ ସରିତାର କାନ୍ଧ ଉପରେ ମୁଣ୍ଡ ଥୋଇ କାନ୍ଦି କାନ୍ଦି ଜିଦି କଲା ସେ ଜେଜେଙ୍କ ସାଥିରେ ସେ ଆସିବନି ବୋଲି।କାରଣ କ'ଣ ବୋଲି ଯେତେ ପଚାରିଲେ ଥଙ୍ଗ ଥଙ୍ଗ ହେଲା ପଛେ ଭଲରେ କିଛି କହିପାରିଲାନି।ଛୋଟ ପିଲାଟି ଠିକରେ ଜାଣିନି ଯେ ତା ସହ ହେଉଛି କ'ଣ। ଅଶୋକ ଓ ସରିତା ବହୁତ ବୁଝେଇଲା ପରେ ଏତିକି କହିଲା "ସେ ଜେଜେ ମୋତେ ବହୁତ ଜୋରରେ ପପି ଦେଉଛନ୍ତି । ମୋ ଓଠକୁ କାମୁଡି ଦେଉଛନ୍ତି ପପି ଦେଲାବେଳେ। ବହୁତ କାଟୁଛି ମୋତେ। ତାଙ୍କ ଚକୋଲେଟ୍ ମୋର ଦରକାର ନାହିଁ। ସବୁ ଫେରେଇଦେବି"।ଚମକି ପଡିଲେ ଅଶୋକ ଓ ସରିତା। ଝିଅକୁ କହିଲେ "ତୁ ତାଙ୍କୁ ମନା କଲୁନୁ ଏସବୁ ନକରିବା ପାଇଁ"। ଲିନୁ କହିଲା "ସେ ମନା କଲେବି ଶୁଣନ୍ତିନି।ଜୋରରେ ଧରି ପକାନ୍ତି ଯେ ସେ ସେଠୁ ବାହାରି ଆସି ପାରେନି"।

ମୁଣ୍ଡ ଘୂରେଇ ଦେଉଥିଲା ଅଶୋକ ଓ ସରିତାର। ଯେଉଁ ଲୋକର ସ୍ନେହ ଭଲ ପାଇବାକୁ ସେମାନେ ମିଠା ଭଲ ପାଇବା ବୋଲି ଭାବୁଥିଲେ ତା'ର ଛୁଆଁ ଯେ ଏତେ ବିଷାକ୍ତ ସେମାନେ ଭାବି ପାରୁନଥିଲେ। ଘରର ଅଲିଅଳୀ ଝିଅ ଜେଜେ, ମାଆମାନଙ୍କର ଆଖିର ତାରା, ଦାଦା ପିଉସୀ ମାନଙ୍କର ହୃଦୟ ହୀରା। ମାମୁଁ ମାଇଁ ମାନଙ୍କର ଦୁଃଖ ପାସୋରା ସୁଖ ପସରା ସେ ଆଜି ଆଉ କାହା ଦ୍ୱାରା ଶୋଷିତ ହେଉଛି। ଅଶୋକ ଓ ସରିତା ମନେମନେ ଭାବୁଥିଲେ ତାଙ୍କର ସମସ୍ତ ପରିବାରର ସମ୍ପତ୍ତିରର ମୂଲ୍ୟ କୋଟିକୋଟି ଟଙ୍କାରୁ କମ୍ ହେବନି। ତାଙ୍କ ଝିଅର ମୂଲ୍ଯ ସେହି ସମ୍ପତ୍ତି ଠାରୁ ଢେର୍ ଅଧିକ। ଅଥଚ ସେଇ ସମ୍ପତ୍ତିର ଦେଖା ଚାହାଁ କରିବା ପାଇଁ ନିଜର ବହୁମୂଲ୍ୟ ସମ୍ପତ୍ତିକୁ ଆଉ କାହା ଦାୟିତ୍ୱରେ ଛାଡିଦେଲେ କେମିତି। ଏମିତି ଭୁଲ କଲେ କେମିତି। ଏଇଭଳି 'ଜହର ଛୁଆଁ'ଠାରୁ ଝିଅକୁ ଦୂରେଇ ରଖିବାର ଶପଥ ନେଇ ନିଜେ ସ୍କୁଲ ଛାଡିବାକୁ ଆଉ ଆଣିବାକୁ ଗଲେ ଲିନୁର ବାପା ଅଶୋକ। 



Rate this content
Log in