ଇର୍ଷା ପାଇଁ ଦୁଃଖ ମିଳେ
ଇର୍ଷା ପାଇଁ ଦୁଃଖ ମିଳେ
ଗୋଟେ ଗାଁରେ ଜଣେ ସ୍ୱାମୀ ଆଉ ସ୍ତ୍ରୀ ରହୁଥିଲେ । ସେମାନେ ବହୁତ ଗରିବ ଥିଲେ । ଦିନରେ ଦୁଇଓଳି ଖାଇବା ତାଙ୍କୁ ମିଳୁନଥିଲା । ସ୍ୱାମୀ ଦିନସାରା ଖୁବ ପରିଶ୍ରମ କରି ଟଙ୍କା ରୋଜଗାର କରୁଥିଲେ ମଧ୍ୟ ସ୍ତ୍ରୀ ଆହୁରି ରୋଜଗାର ପାଇଁ ଆଶା ପୋଷଣ କରୁଥିଲେ । ସ୍ୱାମୀଙ୍କର ରୋଜଗାରର ଅଧା ଟଙ୍କା ସ୍ତ୍ରୀ ନିଜ ପାଇଁ ଲୁଚେଇ ରଖିଦେଉଥିଲେ । ସେଥିପାଇଁ ବାକି ଅଧା ଟଙ୍କାରେ ଘର ଚଳିବା ଖୁବ କଷ୍ଟକର ବ୍ୟାପାର ହେଉଥିଲା । ବେଳେବେଳେ ଦୁଇଓଳି ଦାନା ପାଇଁ ସାହି ପଡିଶାଙ୍କ ଦୁଆରେ ହାତ ପତେଇବାକୁ ପଡୁଥିଲା । ସ୍ତ୍ରୀ ଜଣକ ଖୁବ ଇର୍ଷାପରାୟଣ ଥିଲେ । ପଡିଶା ମାନଙ୍କଠାରୁ ଏତେ ସାହାଯ୍ୟ ପାଇ ମଧ୍ୟ ସେ ସାହି ପଡିଶା ମାନଙ୍କୁ ଖୁବ ଇର୍ଷା କରୁଥିଲେ । ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ସ୍ୱାମୀ ଆଉ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟ ଝଗଡା ହେଉଥିଲା । ଏମିତିରେ କିଛିଦିନ ବିତିଗଲା ।
ଥରେ ସ୍ୱୟଂ ଭଗବାନ ଛଦ୍ମ ବେଶରେ ସେଇ ଗାଁ ଭ୍ରମଣରେ ଆସିଥିଲେ । ସେଇ ଗାଁ ଲୋକଙ୍କ ଦୁଃଖ ଦେଖି ପ୍ରଭୁଙ୍କ ଆଖି ଛଳଛଳ ହେଇଗଲା ।
ସେଇ ଗାଁଟି ଏକ ଅଭିଶପ୍ତ ଗାଁ ଥିଲା । କୌଣସି କାରଣରୁ ଜଣେ ମହର୍ଷି ସେଇ ଗାଁ ଲୋକଙ୍କୁ ଅଭିଶାପ ଦେଇଥିଲେ ଯେ ସେ ଗାଁରେ କାହାର ବି ସନ୍ତାନ ହେବନାହିଁ । ସେଇ ଅଭିଶାପ ହେତୁ ଗାଁରେ ସମସ୍ତେ ନିଃସନ୍ତାନ ଥିଲେ । ସନ୍ତାନ ପ୍ରାପ୍ତିର ଆଶାରେ ଗାଁ ଲୋକେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ।
ପ୍ରଭୁ ଏସବୁ ଦେଖି ଆଉ ସହିପାରିଲେନାହିଁ । ଗାଁ ଲୋକମାନଙ୍କୁ ସେଇ ଅଭିଶାପରୁ ମୁକ୍ତ କରିବାପାଇଁ ଗାଁ ଭିତରକୁ ପଶିଲେ । ଗାଁର ଆରମ୍ଭରେ ଉକ୍ତ ସ୍ୱାମୀ ଆଉ ସ୍ତ୍ରୀଙ୍କ କୁଟୀର ଥିଲା ।
ତେଣୁ ପ୍ରଭୁ ପ୍ରଥମେ ସେଇ ସ୍ୱାମୀ,ସ୍ତ୍ରୀଙ୍କ କୁଟୀର ଭିତରେ ପ୍ରବେଶ କଲେ । ହେଲେ ତାଙ୍କର ଏପରି ଦରିଦ୍ର ଅବସ୍ଥା ଦେଖି ପ୍ରଭୁଙ୍କ ମନରେ ଦୟା ଆସିଲା ।
ପ୍ରଭୁ ଉକ୍ତ ସ୍ୱାମୀ,ସ୍ତ୍ରୀଙ୍କୁ କହିଲେ - ତୁମର ଅବସ୍ଥାର ସୁଧାର ପାଇଁ ମତେ ଗୋଟେ ବର ମାଗିପାର । ଯାହା ମାଗିବ ମୁଁ ଦେବି ହେଲେ କେବଳ ଗୋଟିଏ ବର ମାଗିପାରିବ ତାହା ପୁଣି କେବଳ ପୁରୁଷ ଜଣକ ହିଁ ମାଗିପାରିବ । ସ୍ତ୍ରୀ ଏସବୁ ଶୁଣି ତାଙ୍କ ସ୍ୱାମୀଙ୍କୁ କହିଲେ - ସ୍ୱାମୀ ତୁମେ ତ ଜଣେ ପୁରୁଷ ତେଣୁ ତୁମେ ହିଁ ବର ମାଗିପାରିବ । ଆମ ଆର୍ଥିକ ପରିସ୍ଥିତିର ସୁଧାର ପାଇଁ ସୁନା,ରୁପା ,ଟଙ୍କା ଆଉ ଐଶର୍ଯ୍ୟ ପ୍ରାସାଦ ସବୁ ମାଗିପକାଅ ।
ସ୍ୱାମୀ ଜଣକ ଖୁବ ଚାଲାକ ଏବଂ ପରୋପକାରୀ ଥିଲେ । ସେ ସଙ୍ଗେ ସଙ୍ଗେ ପ୍ରଭୁଙ୍କୁ ହାତ ଯୋଡି ସାରା ଗାଁଲୋକଙ୍କ ସନ୍ତାନ ପ୍ରାପ୍ତି ପାଇଁ ବର ମାଗିଲେ । ପ୍ରଭୁ ସ୍ୱାମିଜଣଙ୍କର ଏପରି ନିର୍ଲୋଭ ଆଉ ଅନ୍ୟ ପାଇଁ ଚିନ୍ତା କରୁଥିବାର ସ୍ୱଭାବ ଦେଖି ଖୁବ ଖୁସି ହେଇଗଲେ ଆଉ ସଙ୍ଗେ ସଙ୍ଗେ ତଥାସ୍ତୁ ବୋଲି କହି ଚାଲିଗଲେ । ଯିବା ପୂର୍ବରୁ ସ୍ୱାମିଜଣଙ୍କ ଉପରେ ଖୁସି ହେଇ ତାଙ୍କୁ ଧନ ,ରତ୍ନ ,ପ୍ରାସାଦ ଆଦି ବହୁତ କିଛି ଦେଇଗଲେ ଉପହାର ସ୍ୱରୂପରେ ।
ପ୍ରଭୁଙ୍କର ଯିବାର କିଛି ସମୟ ପରେ ସ୍ତ୍ରୀ ଜଣକ ସ୍ୱାମୀଙ୍କୁ କହିଲେ ତୁମେ ଗାଁ ଲୋକଙ୍କ ପାଇଁ ବର ମାଗିବା କଣ ଦରକାର ଥିଲା ? କେବଳ ଆମ ପାଇଁ ମାଗିଥାନ୍ତ । ଏସବୁ ଶୁଣି ସ୍ୱାମୀ
ଜଣକ ଉତ୍ତର ଦେଲେ - ତୁମେ ତ ଯାହା ଚାହୁଁଥିଲ ପାଇଲ ତା ସହିତ ସନ୍ତାନ ସୁଖ ବି ପାଇଲ ତେବେ ପୁଣି ଦୁଃଖ କଣ ପାଇଁ ?
ସ୍ତ୍ରୀ କହିଲେ - ଅନ୍ୟମାନଙ୍କ ପାଇଁ ସନ୍ତାନ ମାଗିବା କଣ ଦରକାର ଥିଲା ? ଆମେ ଆମ ଖୁସି ଦେଖିଥାନ୍ତେ । ବର ତ ଆମକୁ ମିଳିଥିଲା ନା ।
ସ୍ୱାମୀ ଉତର ଦେଲେ - ଆମ ଚତୁର୍ପାର୍ଶ୍ୱରେ ରହୁଥିବା ଲୋକମାନେ ଯଦି ଦୁଃଖରେ ରହିବେ ତେବେ ଆମେ କଣ ଖୁସିରେ ରହିପାରିବା । ତେବେ ସମସ୍ତେ ଖୁସିରେ ରହିଲେ ହିଁ ଖୁସି ବଢେ। ତୁମକୁ ଏତେ ସବୁ ଐଶର୍ଯ୍ୟ ମିଳିଲାପରେ ବି ତୁମେ ଦୁଃଖୀ ଅଛ କାରଣ ତୁମେ ଅନ୍ୟ ମାନଙ୍କ ଖୁସିରେ ଖୁସି ନହେଇ ତାଙ୍କୁ ଇର୍ଷା କରୁଛ ବୋଲି । ତୁମ ମନ ଭିତରର ଇର୍ଷା ପାଇଁ
କେବଳ ତୁମେ ସବୁକିଛି ପାଇ ବି ଦୁଃଖୀ ଅଛ । ମନରେ ଇର୍ଷା ଭାବନା ରହିଲେ ମଣିଷ କେବେ ବି ଖୁସି ପାଏନି । ତେଣୁ ଇର୍ଷା କେବଳ ଦୁଃଖ ଦିଏ । ଇର୍ଷା କଲେ ଦୁଃଖ ମିଳେ ।
