Kanan Bala Nayak

Others

3  

Kanan Bala Nayak

Others

~~~ହୋଲି ର ରଙ୍ଗ~~~

~~~ହୋଲି ର ରଙ୍ଗ~~~

5 mins
177



   ବାପା ମୋ ସାଙ୍ଗ ଅନିମେଶ କହୁଥିଲା ଦୋଳରେ ତାଙ୍କ ଗାଆଁକୁ ଯିବ। ତାଙ୍କ ଗାଆଁରେ କୁଆଡେ ବହୁତ ସୁନ୍ଦର ଦୋଳ ଉତ୍ସବ ମନା ଯାଏ‌। ବାପା ଆମର ବି ତ ଗାଆଁ ଅଛି। ହେଲେ ତୁମେ ଆମକୁ କେବେ କାହିଁ ଆମକୁ ଗାଆଁକୁ ନେଉନ। ଆମ ଗାଆଁରେ କଣ ଦୋଳ ଉତ୍ସବ ମନା ଯାଏନି? ଚାଲୁନ ଏ ଥର ଦୋଳରେ ଆମେ ବି ଆମ ଗାଆଁକୁ ଯିବା। ସେଠାରେ ସମସ୍ତଙ୍କ ସହିତ ମିଶି ଏ ରଙ୍ଗର ଉତ୍ସବକୁ ମନାଇବା। ଅନେକ ଦିନ ହେଲାଣି ରମେଶ ଗାଆଁକୁ ଯାଇନି। ଚାକିରୀ କରିବା ପରଠାରୁ ଗାଆଁକୁ ଯିବା ତାର ପ୍ରାୟ କମି ଗଲାଣି। ପୁଅର କଥା ଶୁଣି ରମେଶର ମଧ୍ୟ ଇଚ୍ଛା ହେଲା ଦୋଳ ପୂର୍ଣ୍ଣିମାରେ ସପରିବାରେ ଟିକେ ଯାଇ ଗାଆଁ ଆଡେ ବୁଲି ଆସନ୍ତା। ବହୁତ ଦିନ ହେଲା ସେ ଗାଆଁକୁ ଯାଇନି‌।


  ତାଙ୍କ ଗାଆଁର ଦୋଳ ମେଲଣ ସେ ଅଞ୍ଚଳ ସାରା ପ୍ରସିଦ୍ଧ।ଦୋଳ ଠାକୁର ବିମାନରେ ସଜା ହୋଇ ଗାଆଁ ଗାଆଁ ବୁଲନ୍ତି।କି ଧନୀ କି ଗରିବ ସମସ୍ତେ ବର୍ଷ ତମାମ ଅପେକ୍ଷା କରି ଥାଆନ୍ତି ଦୋଳ ଠାକୁର କେବେ ତାଙ୍କ ଘରକୁ ଆସିବେ ଓ ତାଙ୍କ ଠାରୁ ପ୍ରସାଦ ଗ୍ରହଣ କରିବେ। ତାପରେ ତିନି ଖଣ୍ତ ଗାଆଁର ଠାକୁର ତାଙ୍କ ଗାଆଁ ଶେଷ ମୁଣ୍ଡରେ ଥିବା ପଡିଆରେ ଏକତ୍ରିତ ହୁଅନ୍ତି।ମେଳା ବସେ । ଦୂର ରାଇଜରେ ବିବାହ କରିଥିବା ଗାଆଁର ଝିଅ-ଝିଆଣିମାନେ ସମସ୍ତେ ଏଇ ସମୟରେ ଗାଆଁକୁ ଆସନ୍ତି। ସମଗ୍ର ଗାଆଁଟି ହସ ଖୁସିରେ ଭରିଯାଏ।ଫଗୁ ଖେଳ ଦିନର କଥା ତ ପୁରା ନିଆରା। ଗାଆଁ ଦାଣ୍ଡରେ ସାଇ ସାରା ସବୁ ଲୋକ ରୁଣ୍ଡ ହୁଅନ୍ତି। ଗୋଟିଏ ବଡ଼ ହାଣ୍ଡିରେ ରଙ୍ଗ ଗୋଳା ହୁଏ।ଆଉ ଗାଆଁ ସାରା ଲୋକ ସମସ୍ତେ ସମସ୍ତଙ୍କୁ ରଙ୍ଗ ଵୋଳନ୍ତି। ସମସ୍ତେ ମିଶି ଗାଆଁ ଶେଷ ମୁଣ୍ଡ ପୋଖରୀରେ ଗାଧାନ୍ତି। ତା ପରେ ଆରମ୍ଭ ହୁଏ ଭୋଜି । ଗାଆଁର ସମସ୍ତ ଲୋକଙ୍କ ଘରୁ ସେଥିପାଇଁ ଚାନ୍ଦା ଉଠାଯାଇ ଥାଏ। ଆଉ ରାତି ହେଲେ ଗାଆଁ ପିଲାମାନେ ସମସ୍ତେ ମିଶି ଯାତ୍ରା କରନ୍ତି। ଯାହା ପାଇଁ ସେମାନେ ବହୁତ ଦିନରୁ ଅଭ୍ୟାସ କରି ଥାଆନ୍ତି। ଏମିତି ଲାଗେ ସତେ ଯେମିତି ଏ ଉତ୍ସବ ଆଉ ସରନ୍ତା ନାହିଁ।


  ପପୁର କଥା ଶୁଣି ରମେଶ କହିଲା ହଉ ଯାଆ ତୋ ମାମାକୁ କହିବୁ ସେ ଗାଆଁକୁ ଯିବା ପାଇଁ ପ୍ରସ୍ତୁତ ହେବ। ତୁ ମଧ୍ୟ ରେଡ୍ଡୀ ହୋଇ ଯାଆ‌। ଆଜି ସନ୍ଧ୍ୟା ବେଳକୁ ଆମେ ସମସ୍ତେ ମିଶି ଗାଆଁକୁ ଯିବା। ସନ୍ଧ୍ୟା ବେଳେ ସମସ୍ତେ ମିଶି ଗାଆଁକୁ ବାହାରି ଗଲେ। ହେଲେ ଗାଆଁରେ ପହଞ୍ଚି ସେ ହଠାତ୍ ତା ଗାଆଁକୁ ଚିହ୍ନି ପାରିଲା ନାହିଁ।ୟେ କ'ଣ ତା ଗାଆଁ ଆରମ୍ଭରେ ଥିବା ଝଙ୍କାଳିଆ ବରଗଛଟା ଆଉ ନାହିଁ। ଗାଆଁକୁ ଯାଇଥିବା ଅଣ ଓସାରିଆ କଚ୍ଚା ସଡ଼କଟା ପକ୍କା ସଡ଼କରେ ପରିଣତ ହୋଇ ଯାଇଛି। ଗାଆଁରେ ତିନି ଚାରୋଟି ଦୋକାନ ମଧ୍ୟ ଖୋଲି ଯାଇଛି। ଗାଆଁର ଏ ପରିବର୍ତ୍ତନ ଦେଖି ରମେଶ ମନେ ମନେ ଖୁସି ହେଲା ଯାହା ହେଉ ତା ଗାଆଁ ମଧ୍ୟ ସମୟ ସହିତ ତାଳ ଦେଇ ଉନ୍ନତି ପଥରେ ଆଗକୁ ଆଗଉଛି।ସେ ଦିନ ରାତି ଆଉ ରମେଶ‌କୁ ନିଦ ହେଲାନି। କେମିତି ସକାଳ ହେବ ଓ ସେ ହୋଲିର ରଙ୍ଗରେ ନିଜକୁ ରଙ୍ଗିନ କରିବ ଖାଲି ସେଇ କଥା ଭାବିଲା। ହେଲେ ଏଇ କଣ ସକାଳ ଯାଇ ଦ୍ୱିପ୍ରହର ହେଲାଣି ଠାକୁର ବାହାରି ଗାଆଁ ଦାଣ୍ଡରେ ବୁଲିବା ତ ଦୂରର କଥା ଗାଆଁରେ କିଛି ଶୋର ଶବ୍ଦ ମଧ୍ୟ ଶୁଣାଯାଉନି। ପପୁ ଆସି ଦୁଇ ଥର ପଚାରିଲାଣି । ବାପା ଠାକୁର କେତେ ବେଳେ ଭୋଗ ଖାଇବାକୁ ଆସିବେ? 


  ଏତେ ସମୟ ଧରି ଠାକୁର ଗାଆଁ ଦାଣ୍ଡକୁ ନ ଆସିବାର ଦେଖି ରମେଶ ଗାଆଁ ମୁଖିଆଙ୍କ ଘରକୁ ବାହାରିଲା।ମୁଖିଆଙ୍କୁ ପଚାରିବାରୁ ସେ କହିଲେ ତୁ ତ ଦୀର୍ଘ ଦିନ ହେଲା ଗାଆଁକୁ ଆସିନୁ ତୁ କେମିତି ଜାଣିବୁ‌। ଦୀର୍ଘ ସାତବର୍ଷ ହେଲାଣି ପରା ଗାଆଁରେ ଦୋଳ ଉତ୍ସବ ପାଳନ ବନ୍ଦ ହେଲାଣି। ରମେଶ କହିଲା ଯେଉଁ ‌ଦୋଳ ଉତ୍ସବ ପାଳନ ପାଇଁ ସାତ ଖଣ୍ଡ ଗାଆଁ ଲୋକ ଆମ ଗାଆଁକୁ ଆସୁଥିଲେ ସେ ଦୋଳ ଉତ୍ସବ ବନ୍ଦ କାହିଁକି କଲ?ମୁଖିଆ କହିଲେ ସାତ ବର୍ଷ ତଳେ ଏମିତି ଗୋଟେ ଘଟଣା ଘଟିଲା ଯାହା ଗାଆଁ ଲୋକଙ୍କୁ ପରସ୍ପରକୁ ସନ୍ଦେହ ଜାଲରେ ଛନ୍ଦି ଦେଲା।ଆଉ ସେଇ ସନ୍ଦେହ ଯୋଗୁଁ ସମସ୍ତେ ସମସ୍ତଙ୍କୁ ଅବିଶ୍ୱାସ କଲେ। ଆଉ ଅବିଶ୍ୱାସ ଓ ସନ୍ଦେହ କେବେ କୌଣସି ଭଲ ପରମ୍ପରାକୁ ବଞ୍ଚି ରହିବାକୁ ଦିଏନି।


  ରମେଶ ପଚାରିଲା ସେଦିନ ଏମିତି କଣ ଘଟିଲା ଯେ ବାପ ଅଜା ଅମଳରୁ ଚାଲି ଆସୁଥିବା ପର୍ବଟିକୁ ବନ୍ଦ କରି ଦେଲା। ଗାଆଁ ଝିଅ ମାନେ ବର୍ଷ କରେ ଥରେ ତାଙ୍କ ସାଙ୍ଗ ସାଥିଙ୍କ ସହିତ ମିଳିତ ହେଉଥିଲେ ତାକୁ ବନ୍ଦ କରିଦେଲା। ମୁଖିଆ କହିଲେ ତୁ ତ ଜାଣୁ ଆମ ଗାଆଁ ଲୋକମାନେ ବର୍ଷ ବର୍ଷ ଧରି ହର୍ବାଲ୍ ରଙ୍ଗରେ ହୋଲି ଖେଳନ୍ତି କିନ୍ତୁ ସେ ବର୍ଷ କେହି ଜଣେ ଦୁଷ୍ଟ ପ୍ରକୃତିର ଲୋକ ହୋଲି ପାଇଁ ଗୋଳା ହୋଇଥିବା ରଙ୍ଗ ହାଣ୍ଡିରେ ଖରାପ କେମିକାଲ କଣ ମିଶାଇ ଦେଲା। ଫଳରେ ଗାଆଁର ଅଧିକାଂଶ ଲୋକ ଅସୁସ୍ଥ ହୋଇ ପଡିଲେ। ସମସ୍ତେ ହସ୍ପିଟାଲରେ ଆଡ଼ମିଶନ ହେଲେ। ହେଲେ ହରିଆ ସବୁ ଦିନ ପାଇଁ ତାର ଗୋଟିଏ ଆଖି ହରାଇ ବସିଲା। ଅନେକ ଖୋଳ ତାଡ଼ ହେଲା ହେଲେ ଏ ଭଳି ଅମାନବୀୟ କାମ କିଏ କରିଛି କିଛି ଧରା ପଡିଲାନି। ତେଣୁ ସନ୍ଦେହର ଜାଲ ଆଉ ଛିଣ୍ଡିଲାନି।ଫଳରେ ଗାଆଁ ଲୋକ ଆଉ ଦୋଳ ଉତ୍ସବ କରିବାକୁ ରାଜି ହେଲେନି।ସେବେ ଠାରୁ ସବୁ ବନ୍ଦ। 


  ରମେଶ ମୁଖିଆଙ୍କୁ କହିଲା ହୋଲି ପରା ପ୍ରେମ ଓ ଭଲ ପାଇବାର ପର୍ବ।ଆମେ ଚେଷ୍ଟା କଲେ କ'ଣ ପୁଣି ଥରେ ଆମ ଗାଆଁର ସେ ନିଆରା ଉତ୍ସବକୁ ଫେରାଇ ଆଣି ପାରିବାନି?ମୋ ପୁଅ ପରା ଆମ ଗାଆଁ ଦୋଳ ଉତ୍ସବ ଦେଖିବ ବୋଲି ମୋତେ ସହରରୁ ଏତେ ଦିନ ପରେ ଗାଆଁକୁ ଆଣିଛି। କାଲି ପାଖରୁ ଶହେ ଥର ପଚାରିଲାଣି। ଚାଲନ୍ତୁ ଆମେ ଗାଆଁ ଲୋକଙ୍କୁ ବୁଝାଇବା ଓ ପୁଣି ଥରେ ଗାଆଁ ଲୋକଙ୍କ ଭିତରେ ପ୍ରେମ ଓ ଭଲ ପାଇବାର ରଙ୍ଗ ବୋଳି ଦେବା‌‌। ମୁଖିଆ କହିଲେ ମୁଁ ଅନେକ ଚେଷ୍ଟା କରିଛିରେ । ହେଲେ କେହି ରାଜି ହୋଇ ନାହାନ୍ତି। ରମେଶ କହିଲା ଆପଣ ଏତେ ଚେଷ୍ଟା କଲେ ମୋତେ ଥରେ ଚେଷ୍ଟା କରିବାକୁ ଦିଅନ୍ତୁ। ରମେଶ ଘର ଘର ବୁଲି ସମସ୍ତଙ୍କୁ ବୁଝାଇଲା‌‌। ହେଲେ କେହି ମଙ୍ଗିଲେ ନାହିଁ।ତାହା ଦେଖି ସେ ମୁଖିଆଙ୍କୁ କହିଲା ଯଦି ଆପଣ ରାଜି ହେବେ ତେବେ କେହି ରାଜି ନ ହେଲେ ମଧ୍ୟ ଆମ ଗାଆଁ ଉତ୍ସବ ଆମ ଗାଆଁକୁ ଫେରିବ‌‌। ଆପଣ ଆପଣଙ୍କ ଘର ଠାକୁରଙ୍କୁ ସଜାନ୍ତୁ‌‌। ଆମେ ତାଙ୍କୁ ଆଜି ଘର ଘର ବୁଲାଇବା । ଯାହାର ଇଚ୍ଛା ହେବ ସେ ଭୋଗ ଦେବ ଯାହାର ଇଚ୍ଛା ନ ହେବ ନ ଦେବ। ଠାକୁର ପ୍ରଥମେ ଆମ ଘରେ ଭୋଗ ଖାଇବେ‌।ତା ପରେ ମୁଖିଆ ଓ ତାଙ୍କ ପରିବାରର ସହଯୋଗରେ ମୁଖିଆଙ୍କ ଘରୁ ଠାକୁର ଘଣ୍ଟ‌ ଘଣ୍ଟି ବଜାଇ ଗାଆଁ ଦାଣ୍ଡକୁ ବାହାରିଲେ‌‌।  


  ଠିକ୍ ଏଇ ସମୟରେ ଆଉ ଗୋଟେ ଅଦ୍ଭୁତ ଘଟଣା ଘଟିଲା। ଗାଆଁ ଶେଷ ମୁଣ୍ଡରେ ରହୁଥିବା ଦନେଇ ସ୍ୱାଇଁ ଦଉଡ଼ି ଦଉଡ଼ି ଆସିଲା ଓ ମୁଖିଆଙ୍କ ପାଦ ତଳେ ପଡିଗଲା । କହିଲା ମୋତେ କ୍ଷମା କରି ଦିଅନ୍ତୁ।ସାତ ବର୍ଷ ତଳେ ମୁଁ ମନ୍ଦ ବୁଦ୍ଧିର ବଶବର୍ତ୍ତୀ ହୋଇ ହୋଲିର ରଙ୍ଗ ହାଣ୍ଡିରେ କେମିକାଲ ମିଶାଇ ଦେଇ ଥିଲି‌।ତାର ଫଳ ମୋତେ ଭଗବାନ ଦେଇ ସାରିଛନ୍ତି।ଦେଖୁନ ମୋର ଦୁଇଟି ହାତ କେମିତି କାମ କରୁନି। ରମେଶ ତାକୁ ତଳୁ ଉଠାଇ କହିଲା ଦାଦା ଆପଣଙ୍କ ମନ୍ଦ ବୁଦ୍ଧି ଯୋଗୁଁ ପ୍ରେମର ପର୍ବରେ ପରସ୍ପର ମଧ୍ୟ ଘୃଣା ଜାତ ହୋଇ ଗଲା। ତୁମେ ଯଦି ସେ ଦିନ ତୁମ ଭୁଲ୍ ସ୍ୱୀକାର କରି ନେଇ ଥାଆନ୍ତ ଆଜି ଗାଆଁ କୋଳାହଳରେ ଭରି ଉଠି ଥାଆନ୍ତା।ତା ପରେ ସେ ଦନେଇ ସ୍ୱାଇଁଙ୍କ ମୁହଁରେ ଟିକେ ଅବିର ବୋଳି ଦେଇ କହିଲା, ଯୁଗ ଯୁଗ ଧରି ମନ୍ଦ ଉପରେ ଭଲର ବିଜୟ ହୋଇଛି ।ନ ହେଲେ ଏତେ ବର୍ଷ ପରେ ତୁମେ ତୁମର ଭୁଲ୍ ସ୍ୱୀକାର କରିବାକୁ ଆଗେଇ ଆସି ନଥାନ୍ତ। ଗାଆଁର କିଛି ଲୋକ ଯେଉଁ ମାନେ ଘଣ୍ଟ ଘଣ୍ଟି ଶବ୍ଦ ଶୁଣି ବାହାରକୁ ବାହାରି ଆସିଥିଲେ ସେମାନେ ଏ ଦୃଶ୍ୟ ଦେଖି ନିଜ ତରଫରୁ ସହଯୋଗର ହାତ ବଢ଼େଇବା ପାଇଁ ଆଗକୁ ବାହାରି ଆସିଲେ। ଅନ୍ୟ ଲୋକ ମାନେ ଯେଉଁ ମାନେ ବିମାନ ଆଣୁ ଥିଲେ ସେମାନେ ମଧ୍ୟ ତାଙ୍କ ବିମାନ ସଜାଇବାରେ ଲାଗି ପଡ଼ିଲେ। ଗାଆଁ ପୁଣି ଥରେ ଉତ୍ସବ ମୁଖର ହୋଇ ଉଠିଲା।ଯାତ୍ରା ସିନା ପୂର୍ବ ପ୍ରସ୍ତୁତି ନାହିଁ ବୋଲି ହୋଇ ପାରିବ ନାହିଁ, ହେଲେ ସମୂହ ଭୋଜି ତ ହୋଇ ପାରିବ ରମେଶ ମୁଖିଆଙ୍କୁ କହିଲା। ତା ପରଦିନ ଗାଆଁରେ ସମୂହ ଭୋଜି ହେଵା ସ୍ଥିର ହେଲା। ହୋଲିର ରଙ୍ଗରେ ପୁଣି ଥରେ ସାରା ଗାଆଁ ରଙ୍ଗାୟିତ ହୋଇ ସାରିଥିଲା। 


 ମାଆମାନେ ଝିଅମାନଙ୍କୁ ତା ପରଦିନ ଭୋଜିରେ ସାମିଲ୍ ହେବା ପାଇଁ ଗାଆଁ ଆସିବାକୁ କହିବା ପାଇଁ ଫୋନ୍ ଲଗାଉ ଥିଲେ।



Rate this content
Log in