Rajalaxmi Mohanty

Others

3  

Rajalaxmi Mohanty

Others

ହଜିଲା ବସନ୍ତ

ହଜିଲା ବସନ୍ତ

7 mins
128


ରାତି ପାହିବାକୁ ଆଉ ଘଡିଏ ରହିଲା ଜମା।ତା ମାନେ ସାରା ରାତି ବିନିଦ୍ରାରେ କଟିଗଲା!ଏ ରାତି କେତେବେଳେ ପାହିବ ବୋଲି ସେ ଅପେକ୍ଷାକରି ଛଟପଟ ହେଉଥିଲା ।ଅଥଚ ଏବେ ରାତି ପାହିଯିବ ଜାଣି ମନ ଟା ବ୍ଯସ୍ତ ହେଉଛି କାହିଁକି କେଜାଣି।ସେ ଯେଉଁ ଆଶା ନେଇ ରାତି ପାହିବାକୁ ଅପେକ୍ଷା କରି ରହିଛି ସେ ଆଶା କେବଳ ଗୋଟେ ମିଛ ମରିଚିକା ଜାଣିମଧ୍ଯ ସେ ସପନ ଦେଖୁଛି ଚେଇଁ ଚେଇଁ।ବାହାରେ ଆଉ ଯେଉଁ ଟିକକ ଅନ୍ଧାର ଲାଗି ରହିଥିଲା ସେତକ ବି ହଟିଗଲା।ସଫା ଆଲୁଅରେ ଏବେ ସକାଳଟା ଝଲସୁଥିଲା।ଉଠିକି ନିଜର ନିତ୍ଯ କର୍ମ ଆରମ୍ଭ କଲା ମହେଶ।ମନ ଯେତିକି ଅସ୍ଥିର ପାଦ ସେତିକି ଚଞ୍ଚଳ।ନିଜ ହାତରେ ଘର ସଫାଠାରୁ ଆରମ୍ଭ କରି ଠାକୁର ପୂଜା ପର୍ଯନ୍ତ ସବୁ କାମ ସାରିଲା।ଯେତେ ଯାହା ହେଲେବି ଏଇ ସବୁ କାମ ସେ ନିଜ ହାତରେ କରିବାକୁ ଭଲପାଏ।କାହାକୁ ସାହାଯ୍ଯ ପାଇଁ ରଖେନି।ପୂଜା ସରିଲା ପରେ ରୋଷେଇ ଘରକୁ ପଶି ନିଜପାଇଁ ଜଳଖିଆ ତିଆରି କଲା।ଅତି ବଢିଆ ଭାବରେ ଖାଇବାକୁ ବାଢେ ମହେଶ।ଭୋକ ନହେବା ଲୋକର ବି ଖାଇବା ଦେଖି ଲୋଭ ହେବ ଖାଇବାକୁ।ଟିକେ ହଇରାଣ ଖାଲି ଯାହା ହୁଏ।ମଝିରେ ମଝିରେ ତା ବୋଉ ଆସି ଆଠ ଦଶ ଦିନ ରହି ଯାଆନ୍ତି।ସେତିକିରେ କ'ଣ ତା ଭାଗ୍ଯ ବଦଳି ଯିବ କି?ପରେ ପୁଣି ଯେଉଁକଥାକୁ ସେଇ କଥା।ଘରୁ ବାପାଙ୍କର ଫୋନ ଆସେ ଘନଘନ।ବୋଉ ପୁଣି ବାହାରେ ଗାଁକୁ ଯିବାକୁ।ଗଲାପୂର୍ବ ରାତିରୁ କାନ୍ଦୁଥାଏ ଯେ କାନ୍ଦୁଥାଏ ବସ୍ ରେ ବସିବା ଯାଏ।ସବୁବେଳେ ବୋଉର ସେଇ ଗୋଟିଏ ଅଭିଯୋଗ।ପୁଅଟା ତା'ର ଅଭିଆଡ ରହିଗଲା।ତା ସାଙ୍ଗର ସମସ୍ତେ ବାହାସାହା ହେଇ ପୁଅଝିଅର ବାପା ହେଲେଣି।ସେ ଏକା ରହିଗଲା ଅଭିଆଡ ହେଇ।ଗାଁରେ କିଏ କେତେ ପ୍ରକାର ମିଛସତ ଯୋଡିଯାଡି କହୁଛନ୍ତି।ମହେଶ ସିନା ଗାଁରୁ ଆସି ବାହାରେ ରହୁଛି ବୋଲି କିଛି ତା କାନରେ ପଡୁନି,ସେମାନେ ତ ଗାଁରେ ରହୁଛନ୍ତି ।ସବୁ ଶୁଣୁଛନ୍ତି।ଜୋକ ମୁହଁରେ ଲୁଣ ଦେଲା ଭଳି ରହୁଛନ୍ତି।ଆପଣା ସୁନା ତ ଭେଣ୍ଡି ।କହିବେ କାହାକୁ।ଯେତେ ପ୍ରକାର ବୁଝେଇ ସୁଝେଇ କହିଲେ ବି ଶୁଣୁନି ସେ।କାରଣ ଟା ବି କ'ଣ କିଛି କହୁନି।ଯେଉଁ ଘର ଝିଅ ହେଲେବି ସେମାନେ ବୋହୂ କରିବାକୁ ରାଜି ବୋଲି ଜଣେଇଲେ ମଧ୍ଯ ମହେଶ ତା ଜିଦିରେ ଅଟଳ।କେବଳ କାନ୍ଦିବା ଛଡା ତା ବାପା ବୋଉଙ୍କର ଆଉ କିଛି ଉପାୟ ନାହିଁ ।ପୁଅ ଏତେ ହଇରାଣ ହେଇ ରୋଷେଇ କରି ଅଫିସ ଯାଉଛି ବୋଲି ମନ ବୁଝେନି ମହେଶ ବୋଉର।କିଛିଦିନ ପାଇଁ ତା ବାପାଙ୍କୁ ବୁଝାସୁଝା କରି ଏଠିକୁ ଚାଲିଆସେ।ପୁଣି ସେଠି ବାପା ହଇରାଣ ହେଲେ ସେଠିକୁ ଏମିତି କାନ୍ଦି ବୋବେଇ ଯାଏ।ମଝିରେ ପଡି ହଇରାଣ ହେଉଛି ବୋଲି ରାଗେ।ଜୀବନ ଟା ଛାଡି ଯାଆନ୍ତା କି ଏତେ କଥା ଦେଖିବାକୁ ପଡନ୍ତାନି ବୋଲି ନିଜକୁ ଅଭିଶାପ ଦିଏ।ତଥାପି ମହେଶ ଉପରେ କିଛି ପ୍ରଭାବ ପଡେନି। ଆଉ ଏବେ କିଛିଦିନ ହେଲା ବୋଉ ଆସିନି।ମହେଶ ନିଜ କାମ ନିଜେ କରୁଛି।ବୋଉ ଉପରେ ସବୁବେଳେ ନିର୍ଭର କରି ଚଳିହେବନି।ଗାଁରେ ସାନ ଭାଇର ସ୍ତ୍ରୀ ର ଡେଲିଭରୀ ପାଇଁ ବୋଉ ଆସିପାରିଲାନି ପ୍ରାୟ ବର୍ଷେ ପର୍ଯନ୍ତ।ତା ପରେ ସାନ ଭଉଣୀ ବି ତା'ର ଡେଲିଭରୀ ପାଇଁ ଆସିକି ଅଛି।ସେଥିପାଇଁ ବୋଉ ଆଉ ଆସିପାରୁନି।ସେଇଠି ରହି କେବଳ ଛଟପଟ ହେଉଛି ଜଳ ବିହୁନେ ମୀନ ଭଳି।ଜୀଇଁ ଥାଉଥାଉ କେଉଁ ମାଆ ପୁଅର ଏଭଳି ଦୁର୍ଦ୍ଦିନ ଦେଖି ସହି ପାରିବ।କେଉଁ ମାଆ ଚାହେଁ ତା ପୁଅ ହାତରେ ଝାଡୁଧରି ଘର ଝାଡୁକରୁ।କେଉଁ ମାଆ ଚାହେଁ ତା ପୁଅ ହାତରେ ଅଇଁଠା ବାସନ ମାଜୁ।କେଉଁ ମାଆ ଚାହେଁ ତା ପୁଅ ସବୁ ରବିବାରରେ ବିଶ୍ରାମ ନନେଇକି ଅଖାଏ ଲୁଗାପଟା ସଫାକରି ନେଇ ଛାତ ଉପରେ ଶୁଖାଉ।ସେଇଠି ଛାତ ଉପରେ ଅନ୍ଯ ଘରର ସ୍ତ୍ରୀ ଲୋକ ମାନେ ଶୁଖଉଥିବା ବେଳେ ଏକା ତାଙ୍କରି ପୁଅ ସେଠି ଜଣେ ପୁରୁଷ ଲୋକ ନେଇ କପଡା ଶୁଖାଉଥାଏ।କେଉଁ ମାଆକୁ ବା ଏକଥା ଭଲ ଲାଗିବ।ଦିନସାରା ଖଟିଖଟି ଆସି ତା ପୁଅ ନିଜେ ସସ୍ ପ୍ଯାନ ବସେଇ ଚା'ଛାଣିନେଇ ପିଇବା ବେଳେ ମହେଶ ଫୋଉଙ୍କର ଆଖି ଓଦା ହେଇଯାଏ।ସେ ପାଚରେ ଥାଆନ୍ତି ବୋଲି ସିନା ହାତରୁ ଛଡେଇନେଇ ନିଜେ ଚା'ବସାନ୍ତି।ସେ ନଥିଲା ବେଳେ?ଆଖି ଆଗରେ ସେଇ ଦୃଶ୍ଯ ନାଚି ଯାଏ।ସେଇଠି ଗାଁରେ ଥାଇକି ବି ମନ ଦୁଃଖରେ ଝାଉଁଳିଯାଏ।କିଏ ବା ଏହାର ପ୍ରତିକାର କରିପାରିବ।ଯିଏ କରିବା କଥା ସେ ତ ଶୁଣୁନି। ନିଜକାମ ନିଜେ କରୁଛି ପଛେ ବାହା ହେବା ନାଁ ଧରୁନି।ସାନ ଭାଇତ ବାହା ହେଇଛି ।ବଂଶ ରକ୍ଷା ପାଇଁ ପୁଅଟେ ହେଇଛି।ଆଉ ବାହାଘର କ'ଣ ଦରକାର ବୋଲି କଥା କାଟିଦେଉଛି।


ଖାଇବା ସରିଲା ମହେଶ ର। ଆଲମିରାରୁ ସବୁଠୁ ଭଲ ଆଉ ସୁନ୍ଦର ଦେଖା ଯାଉଥିବା ଡ୍ରେସ ଟି ବାହାର କରି ପିନ୍ଧିଲା। ଆଇନା ଆଗରେ ଛିଡାହେଇ ନିଜକୁ ବହୁତ ସମୟ ଯାଏ ଦେଖିହେଲା।ସବୁଠିକ୍ ଅଛି।ତା ସାଙ୍ଗ ମାନଙ୍କର ଚୁଟି ଉପୁଡି କେତେଜଣ ଚନ୍ଦା ହେଇଗଲେଣି।ତା'ର ସେ ସମସ୍ଯା ହେଇନି।ଆଉ କେତେଜଣଙ୍କର ଚୁଟି ପାଚିକି ଦାଢି ପାଚିଲାଣି।ତା'ର କିନ୍ତୁ ଆଜିଯାଏ ଚୁଟି ସେମିତି ଘନ କଳା ହେଇ ଅଛି।ସକାଳ ନଅଟା ବାଜି ସାରିଥିଲା।ଆଜି ରବିବାର ଅଫିସ ଛୁଟି।ଆଜିଦିନକୁ ସମସ୍ତେ ବାଛି ଛନ୍ତି ସମସ୍ତଙ୍କୁ ସୁବିଧା ହେବ ବୋଲି।ଏବେ ନଅ ଟାରେ ବାହାରିଲେ ତାକୁ ତିନିଘଣ୍ଟା ଲାଗିବ ବୁଲେଟ ନେଇ ଗଲେ।ବାରଟାରେ ପହଞ୍ଚିବ।ଚଳିବ।ଗାଡି ବାହାର କରି ଷ୍ଟାର୍ଟ କଲା ମହେଶ ।ଗାଡି ଗଡୁଥିଲା ଯେତିକି ବେଗରେ ମନ ଉଡୁଥିଲା ତାଠାରୁ କାହିଁ କେତେ ବେଗରେ। ମନ କଳନା କରି ନେଉଥିଲା ସେଠିକାର ଦୃଶ୍ଯ।ଆଜି ନିଶ୍ଚୟ ସେଠିକି ଆସିଥିବ ଶ୍ଯାମଳୀ। ତା'ସହିତ ଦେଖାହେବ ନିଶ୍ଚୟ।ଚିହ୍ନି ପାରିବ କି ନାହିଁ କେଜାଣି ସେ।ସମୟ କିଛି କମ୍ ନୁହେଁ।ଏଇ ଭିତରେ ବିତି ସାରିଲାଣି କୋଡିଏ ବର୍ଷ।କୋଡିଏଟି ମୂଲ୍ଯବାନ ବସନ୍ତକୁ ହରେଇ ସାରିଛି ମହେଶ କେବଳ ଶ୍ଯାମଳୀର ଜିଦି ପାଇଁ।ତା ଜିଦିକୁ ଚ୍ଯାଲେଞ୍ଜ କରି ମହେଶ ଚାହିଁ ରହିଛି ସେମିତି ହତାଶ ପ୍ରେମିକଟେ ସାଜି।


ଶ୍ଯାମଳୀ ,ଶ୍ଯାମଳୀ ମହାନ୍ତି।ନବମ ଶ୍ରେଣୀର ଛାତ୍ରୀ ଥିଲା ସେତେବେଳେ।ମହେଶର କ୍ଳାସମେଟ୍।ଦୁହେଁ ଶ୍ରେଣୀରେ ଭଲ ପଢନ୍ତି।ଆଗ ପଛ ହେଇ ପୋଜିସନ ପାଆନ୍ତି।କେବେ ମହେଶ ପ୍ରଥମ ହୁଏ ତ କେବେ ଶ୍ଯାମଳୀ ପ୍ରଥମ ହୁଏ।ଏଇଭଳି ପରିସ୍ଥିତିରେ ପ୍ରାୟ ସାଙ୍ଗ ମାନଙ୍କ ମଧ୍ଯରେ ପ୍ରତିଯୋଗିତା ମନୋଭାବ ଆସିଯାଏ।କିନ୍ତୁ ସେମିତି ଭାବନା ମହେଶର ମନକୁ ଆଦୌ ଆସିନଥିଲା।ସେ କେବେ ଶ୍ଯାମଳୀ ପ୍ରଥମ ହେଲେ ମନ ଦୁଃଖ କରେନି।ବରଂ ଖୁସି ହୁଏ।ଶ୍ଯାମଳୀ ବି କେବେ ମନ ଦୁଃଖ କରେନି।ସେ ବି ଆସି ନିଜ ଆଡୁ ମହେଶକୁ ଅଭିନନ୍ଦନ ଜଣାଏ।ସେମିତିରେ କେଉଁ ଅଧିକ ନମ୍ବରର ଦୂରତା ଥାଏ ଯେ।ଏଇ ଗୋଟେ କି ଦୁଇ ନମ୍ବର କଥା ତ।ଭଲ ପଢୁଥିବା ଦୁଇ ସାଙ୍ଗ ଭିତରେ ପରସ୍ପର ପ୍ରତି ସମ୍ମାନ ତ ରହିବ ନିଶ୍ଚୟ।ସେମିତି ହେଇଥିଲା ଦୁଇ ଜଣଙ୍କ କ୍ଷେତ୍ରରେ।ଦୁହେଁ ଦୁଇଜଣଙ୍କୁ ଭଲ ସାଙ୍ଗ ଭାବେ ମାନି ନେଇଥିଲେ।କିନ୍ତୁ ସେଇ ଭାବନା ପ୍ରଥମେ ବଦଳିଗଲା ମହେଶର ଯେତେବେଳେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସରିଲା ।ଏବେଯାଏ ଯେଉଁ କଥାକୁ ସେ ଏତେ ଗୁରୁତ୍ବର ସହ ନେଇନଥିଲା ଏବେ ସେଇ କଥାଟି ତା ମନକୁ ବାରମ୍ବାର ଆନ୍ଦୋଳିତ କରୁଥିଲା।ଆଜି ଶେଷ ଦିନ ପରୀକ୍ଷାର।ପରୀକ୍ଷା ହଲ୍ ରୁ ବାହାରିଲେ ଯିଏ ଯାହା ଘରକୁ ଚାଲିଯିବ।କିଏ କେଉଁ କଲେଜରେ ପଢିବ ଜଣାନାହିଁ।ଆଉ କେବେ କେଉଁଠି ଦେଖା ସାକ୍ଷାତ ହେବ ତା ବି ଜଣାନାହିଁ।ସାଙ୍ଗ ମାନଙ୍କ ଠାରୁ ଦୂରେଇ ରହିବା କଥା ଭାବିଲେ ବହୁତ କଷ୍ଟ ଲାଗୁଛି।ସବୁଠୁ ବେଶି ଲାଗୁଛି ଶ୍ଯାମଳୀ ଠାରୁ ଦୂରେଇ ରହିବା କଥା ଭାବିଲେ।କାହିଁକି?ସମସ୍ତେ ତ ସାଙ୍ଗ।ତାହେଲେ ଶ୍ଯାମଳୀ କ୍ଷେତ୍ର ରେ ଏମିତି କାହିଁକି ଲାଗୁଛି?ବାରମ୍ବାର ସେଇ କଥା ମୁଣ୍ଡ ଭିତରେ ତା'ର ଚାଲିଛି।ପରୀକ୍ଷା ରେ ମନ ଲାଗୁନି।ଯାହା ହେଉ ସବୁ ମୁଖ୍ଯ ବିଷୟ ଗୁଡିକ ଆଗରୁ ସରି ଯାଇଛି।ନହେଲେ ଏବେ କ'ଣ କରିଥାନ୍ତା।ଏ ମନ ତ ପୂରା ଅଣାୟତ୍ତ ହେଇ ଯାଉଛି।ରହିରହି ତାକୁ ସତର୍କ କରିଦେଉଛି, ତୋତେ ଲାଗୁନି କି ତୁ ଶ୍ଯାମଳୀର ପ୍ରେମରେ ପଡି ଯାଇଛୁ ବୋଲି?ସବୁତକ ଲକ୍ଷଣ ତ ସେଇ ଭଳି ଲାଗୁଛି।ମନାକରିବାକୁ ବାଟ କାହିଁ?ଜଲଦି ଏ କଥାକୁ ସ୍ବୀକାର କରିନେ ।ହାତରେ ଆଉ ବେଶି ସମୟ ନାହିଁ ତୋର।ଶ୍ଯାମଳୀ ଆଗରେ ତୋର ମନର କଥା ଖୋଲି କହିଦେ। ହୁଏତ ଶ୍ଯାମଳୀ ବି ତୋ ଠାରୁ ଏହି କଥାଟି ଶୁଣିବାକୁ ଅପେକ୍ଷା କରିରହିଥିବ।ଡେରିକଲେ ପସ୍ତେଇବୁ ଯେ। ନିଜ ମନର କଥାକୁ ଗ୍ରହଣ କରିନେଲା ମହେଶ।ହଁ, ସେ ତା ମନର କଥା ସବୁ କହିବ ଶ୍ଯାମଳୀ ଆଗରେ ସ୍କୁଲରେ ପହଞ୍ଚି ସାରି।ନିଜକୁ ପ୍ରସ୍ତୁତ କରିନେଲା ସେ।ପରୀକ୍ଷା ସରିଲା ପରେ ଉତ୍ତର ଖାତା ସାର୍ ଙ୍କ ହାତକୁ ଦେଇସାରିଲା ପରେ ପ୍ରଶ୍ନ ପତ୍ରର ଶେଷ ପୃଷ୍ଠାରେ ବଳିଥିବା ଟିକିଏ ଶୂନ୍ଯସ୍ଥାନରେ ନିଜର ମନର କଥା ଲେଖିଦେଇଥିଲା ଚାରି ପାଞ୍ଚ ଲାଇନ ରେ। କେବଳ ସୁଯୋଗ ଖୋଜୁଥିଲା ଶ୍ଯାମଳୀ ହାତକୁ ଦେବାପାଇଁ।ସ୍କୁଲରେ ସମସ୍ତ ଛାତ୍ର ଛାତ୍ରୀ ପହଞ୍ଚି ସାର୍ ମାନଙ୍କ ଠାରୁ ମେଲାଣି ଆଣି ସାରି ସବୁ ସାଙ୍ଗ ମାନେ ପରସ୍ପର ସହିତ ହାତ ମିଳେଇ ବିଦାୟ ନେଲାବେଳେ ଶ୍ଯାମଳୀ ହାତରେ ସେଇ କାଗଜଟିକୁ ଗୁଞ୍ଜିଦେଲା ମହେଶ।ଶ୍ଯାମଳୀ ଆଶ୍ଚର୍ଯ୍ଯ ହେଇ ତା ମୁହଁକୁ କିଛିସମୟ ଚାହିଁଲାପରେ ଟଏଲେଟ୍ ଯିବା ବାହାନାରେ ଏକୁଟିଆ ଟିକେ ବାହାରକୁ ଯାଇ ତାକୁ ଖୋଲି ପଢିଲା। ମହେଶ ମନେମନେ ଖୁସି ହେଇ ଅପେକ୍ଷା କରିଥାଏ ।ଶ୍ଯାମଳୀ ଏବେ ଆସିବ ।ମହେଶକୁ ଧନ୍ଯବାଦ ଦେଇ କହିବ ତା ମନର କଥା ପଢି ପାରିଥିବାରୁ।କିଛି ସମୟ ପରେ ଶ୍ଯାମଳୀ ମହେଶର ଅତି ପାଖକୁ ଆସିଲା।ମହେଶ ବି ପ୍ରସ୍ତୁତ ହେଇରହିଥାଏ ଶ୍ଯାମଳୀ ଠାରୁ ପ୍ରତ୍ଯୁତ୍ତର ଶୁଣିବା ପାଇଁ।ମନ ତା'ର ଉଚ୍ଚାଟ ହେଇଥାଏ।ଏତିକିବେଳେ ଶ୍ଯାମଳୀ ତା ହାତକୁ ଟାଣିଆଣି ତା'ରି ହାତ ଲେଖା ଚିଠିଟିକୁ ତାକୁ ଧରେଇଦେଇ କହିଲା "ତୋ ଠାରୁ ଏସବୁ କେବେବି ଆଶା କରିନଥିଲି"। କିଶୋର ବୟସରେ ଅବୁଝା ପ୍ରେମିକା କୁ କେମିତି ବୁଝାଇଦିଆଯାଇପାରିବ ସେକଥା ମାଲୁମ ନଥିଲା ମହେଶକୁ। ଚଙ୍ଗ ଚଙ୍ଗ ହେଇ ସିନା ପ୍ରେମ ରେ ପଡିଯାଇଥିଲା।ତାକୁ ନେଇଆଣି ଥୋଇବା ବିଦ୍ଯାଟି ଜଣାନଥିଲା।ମୁହଁ ଲାଜ ଆଉ ଅପମାନରେ ଲାଲ୍ ପଡିଯାଇଥିଲା।ସ୍କୁଲର ଶେଷ ଦିନ ଯେ ତା ପାଇଁ ଏମିତି ନିରାଶାରେ ବିତିବ ସେକଥା ସେ କେବେ ଭାବି ମଧ୍ଯ ପାରୁନଥିଲା।ଆଉ କେତେଜଣ ସାଙ୍ଗ ମାନଙ୍କ ସହ ଦେଖାକରି ବିଦାୟ କ'ଣ ମାଗିବ ସେଇଠୁ ଚାଲିଆସିଥିଲା।ମନ ବିଷାଦ ଓ ନିରାଶାରେ ବେଶ୍ କିଛିଦିନ ରହିଲା।ତା ପରେ ରେଜଲ୍ଟ ବାହାରିଲା।ଭଲ ନମ୍ବର ସେ ରଖିଥିଲା।ଶ୍ଯାମଳୀ ଖବର କିଛି ରଖିନଥିଲା।ତା ସହ ଦେଖା ନହେଉ ବୋଲି ମନେକରି ନିଜ ଜିଲ୍ଲା ଛାଡି ଯାଇ ମାମୁଁଙ୍କ ପାଖରେ ରହି ପଢାପଢି କଲା ସମ୍ବଲପୁରରେ।ସେବେଠାରୁ ଆଗକୁ ଚାଲିଛି ଯେ ଚାଲିଛି।ଆଉ ପଛକୁ ଫେରି ଚାହିଁନି।ଶ୍ଯାମଳୀ ଠାରୁ ପ୍ରତ୍ଯାଖିତ ହେଲା ପରଠାରୁ କେବେ କେଉଁ ଝିଅ ମାନଙ୍କ ସହ କଥା ବି ହେଇନି ଅନେକ ଝିଅ ସେମାନଙ୍କ ତରଫରୁ ବନ୍ଧୁତ୍ବର ହାତ ବଢେଇଥିଲେ ମଧ୍ଯ।ଯେତେ ଯେତେ ଆଗକୁ ଗଲେ ମଧ୍ଯ କେବେକେବେ ଦୁର୍ବଳ ମନ ତାକୁ ପଛକୁ ଫେରେଇ ନେଇଆସେ।ସେଇ ସମୟରେ ଶ୍ଯାମଳୀକୁ ନେଇ ଦେଖିଥିବା ରଙ୍ଗିନ ସ୍ବପ୍ନ ସବୁ ମନେପଡେ।ମନ ଭିଜିଯାଏ।ପୁଣିଥରେ ନିଜକୁ ସଜାଡି ଆଗକୁ ବଢେ। କୋଡିଏ ବର୍ଷ ବିତିଗଲାଣି।ଶ୍ଯାମଳୀ ଏବେ କାହାର ଅର୍ଦ୍ଧାଙ୍ଗିନୀ ସାଜିଥିବ।ଆଉ କାହା ଘରର ଅଗଣା ତା ପାଉଁଜିର ସ୍ବରରେ ଝୁମୁଥିବ।ତା ବିଷୟରେ କାହିଁକି ବା ଭାବି ହେଇ ମିଛ ମରିଚିକା ପଛରେ ଧାଇଁବ।ସେ କେଉଁ ତାକୁ ମନେରଖିଥିବ ନା ତାକୁ ଚିହ୍ନି ପାରିବ।ତଥାପି ମନ କେଉଁ ବୁଝୁଛି।ଯେବେଠୁ ସେ ପୁରୁଣା ସାଙ୍ଗ ମାନଙ୍କ ସହ ଯୋଗାଯୋଗରେ ଆସିଲାଣି ଓ ସେମାନଙ୍କର ପ୍ରଥମ ବ୍ଯାଚଫିଷ୍ଟ ହେଉଛି ବୋଲି ଜାଣିଲାଣି,ସେବେଠୁ ଶୁଷ୍କ ମରୁଭୂମି ପରା ତା ମନଆକାଶରେ କଳାହାଣ୍ଡିଆ ମେଘ ଛାଇଗଲାଣି।ଏଇ ଯେମିତି ବରଷି ଯିବ ସାତଖଣ୍ଡ ମେଘମାଳା ଧରି।ଭାବନାରେ ବୁଡିରହି କେତେବେଳେ ସେ ନିର୍ଦ୍ଧିଷ୍ଟ ଜାଗାରେ ପହଞ୍ଚି ଗଲାଣି ତାକୁ ଜଣାନାହିଁ।ସାଙ୍ଗ ମାନଙ୍କ ପାଟି ତୁଣ୍ଡରେ ହୋସ୍ କୁ ଆସି ଗାଡି ରଖି ସେ ଗାଡିରୁ ଓହ୍ଲେଇଲା।ସବୁ ସାଙ୍ଗ ମାନେ କୋଳାକୋଳି ହେଲେ।ପ୍ରାୟ ସମସ୍ତଙ୍କର ଗୋଟେ ଦୁଇଟି ଛୁଆ ହେଇ ସାରିଥିଲା।କେବଳ ପ୍ରଶ୍ନବାଚୀ ନଜରରେ ସମସ୍ତେ ତାକୁ ଚାହିଁଥିଲେ। ଆଉ କିଏ କିଏ ବାବା ବାବା ବୋଲି ବି ଚିଡେଉଥିଲେ।ପୁଅ ସାଙ୍ଗମାନଙ୍କ ପିଲାଙ୍କ ଠାରୁ ଝିଅ ସାଙ୍ଗମାନଙ୍କ ପିଲାମାନେ ଆଉଟିକେ ବୟସରେ ବଡ ଥିଲେ।ପ୍ରାୟ ଦଶବର୍ଷର ହେଇସାରିଥିଲେ।ସମସ୍ତେ ନିଜନିଜ ସ୍ତ୍ରୀ ଓ ସ୍ବାମୀଙ୍କୁ ନେଇ ମାହୋଲକୁ ଉପଭୋଗ କରୁଥିଲେ।କେବଳ ଏକା ଥିଲା ସେ।ହଠାତ୍ ତା'ର ନଜର ପଡିଲା ସବୁ ଯୋଡି ମାନଙ୍କ ଭିତରୁ ତାକୁ ଛାଡି ଆଉଜଣେ ବି ବାଦ୍ ପଡିଯାଇଛି।ସେ କିଏ ବୋଲି ଜାଣିବାକୁ କୌତହୂଳ ହେଇ ପଚାରିଲା ବେଳକୁ ନରେନ୍ଦ୍ର କହିଲା, ଆରେ ସେ ପରା ଶ୍ଯାମଳୀ।ତୋରି ପରି ସେ ବି ମାତାଜୀ ହେଇ ବୁଲୁଛି।ହାହା ହେଇ ହସିଲା ନରେନ୍ଦ୍ର କହିସାରି। ଚମକି ପଡିଲା ମହେଶ।ଶ୍ଯାମଳୀ ଏଯାଏ ବାହା ହେଇନି କାହିଁକି?ସେଇଟା ତା'ର ବ୍ଯକ୍ତିଗତ ଇଚ୍ଛା।ତୋର ଏତେ କଥାରେ ପଶିବାର ନାହିଁ।ନିଜର ବିବେକ ସତର୍କ କରି କହିଦେଲା ମହେଶକୁ।


ଖାଇବାପାଇଁ ସମସ୍ତେ ଧାଡିହେଇ ବସିଛନ୍ତି।ପ୍ରାୟ ଅନେକ ବର୍ଷ ପରେ ସମସ୍ତେ ଦେଖା ଚାହାଁ ହେଉଛନ୍ତି।ମନ ଭିତରର ଅନେକ ସାଇତା ପ୍ରଶ୍ନ ପରସ୍ପରକୁ ପଚରାପଚରି ହେଉଛନ୍ତି ସେଇ ସୀମିତ ସମୟ ଭିତରେ।କେହିଜଣେ ପଚାରୁଥିଲା ଶ୍ଯାମଳୀକୁ "ତୁ ଏଯାଏ ବାହା ହେଇନୁ କାହିଁକି"?


"ଜଣଙ୍କର ଭଲପାଇବାକୁ ପାଦରେ ଆଡେଇଦେଇଥିବାରୁ ଆଉ ମୋ ଭାଗ୍ଯରେ ସେହି ଭଲପାଇବା ମିଳିଲାନି।ସେଥିପାଇଁ ରହିଗଲି"।ହସିହସି କହୁଥିଲା ଶ୍ଯାମଳୀ ।ଶ୍ଯାମଳୀର ଠିକ୍ ପଛକୁ ଦୁଇଜଣ ଛାଡି ବସିଥିଲା ମହେଶ।ସେ ସ୍ପଷ୍ଟ ଶୁଣିଥିଲା ଶ୍ଯାମଳୀର ଉତ୍ତର।ତଥାପି ସାହସ ଯୁଟେଇ ପାରିନଥିଲା ପଚାରିବାକୁ ସେଇ ଜଣକ ଆଉ ସେ ନୁହେଁତ?ଖାଇବା ସାରି ସମସ୍ତେ କିଛି ସମୟ ଗପସପରେ ବ୍ଯସ୍ତ ରହିଲେ।କାହିଁ ଦିନ ପରେ ଦେଖା ହେଇଛନ୍ତି ବୋଲି।ମହେଶ କିନ୍ତୁ ଟିକେ ଆଗୁଆ ବାହାରିଲା ଯିବା ପାଇଁ।ତାକୁ ସବୁଠାରୁ ଦୂରକୁ ଯିବାକୁ ପଡିବ ବୋଲି।ସମସ୍ତଙ୍କ ଠାରୁ ବିଦାୟ ନେବାକୁ ଆସିଲା ବେଳକୁ ଶ୍ଯାମଳୀ ସର୍ବ ସମ୍ମୁଖରେ ତା ହାତକୁ ବଢେଇଦେଇଥିଲା ଚିଠିଟିଏ ଠିକ୍ ସେଇଆ ଲେଖିକରି ଯାହା ସେଦିନ ମହେଶ ଲେଖିଥିଲା ତାକୁ। ଆଶ୍ଚର୍ଯ୍ଯ ହେଇଗଲା ମହେଶ ।ଶ୍ଯାମଳୀ ପୁଣି ସର୍ବ ସମ୍ମୁଖରେ ତାକୁ...।ସାଙ୍ଗ ମାନଙ୍କର ମିଳିତ କରତାଳିରେ ଭୋଜିସ୍ଥାନ କମ୍ପୁଥିଲା।ଶ୍ଯାମଳୀ ମୁହଁରେ ଲାଜର ଓଢଣୀ ଢାଙ୍କି ହେଇଯାଇଥିଲା। ମହେଶ ଦେହ ଓ ମନରେ ଫଗୁଣର ଫଗୁ ବୋଳି ହେଇଯାଉଥିଲା।ତାକୁ ଲାଗୁଥିଲା "ହଜିଲା ବସନ୍ତ" ଆଉଥରେ ଲେଉଟି ଆସିଛି। ସେ ବି ସମସ୍ତଙ୍କ ସାମ୍ନାରେ ଶ୍ଯାମଳୀର ହାତକୁ ଧରି ତାକୁ ସମ୍ମତି ପ୍ରଦାନ କରିଥିଲା।



Rate this content
Log in