ହେୟାର ଷ୍ଟାଇଲ
ହେୟାର ଷ୍ଟାଇଲ


"ଛୁଆ ଥିଲା ବେଳେ ସିନା ତେଲ ଲଗାଇ ମୁଣ୍ଡ କୁଣ୍ଡାଉଥିଲି..ଏବେ ଆଉ କଣ ସେମିତି କଲେ ଚଳିବ..!!??"
ହଁ..ସତ କଥା ତ ! ତେବେ ତେଲ ନ ଲଗେଇଲେ ଚୁଟି ଖରାପ୍ ହେବନି?କିନ୍ତୁ. ଜଣେ ନ ବୁଝିଲେ ଆଉ କଣ କରା ଯାଇପାରେ?
"ନୂଆ ଜେଲ୍ ଆସିଛି ମାର୍କେଟକୁ। ହେୟାର ଷ୍ଟାଇଲ ପାଇଁ ଆବଶ୍ୟକ।ନିହାତି ଆଣିବାକୁ ପଡ଼ିବ…"
ହଁ..ସତ କଥା ତ ! ଆଜିକାଲି ନୂଆ ଟ୍ରେଣ୍ଡ ଚାଲିଛି।ସେଇୟା ସମସ୍ତେ କରୁଛନ୍ତି।ଏଥିରେ ଆଉ କଣ କରା ଯାଇପାରେ?
"ହେଲମେଟ ପିନ୍ଧିବିନି କହି ଦେଉଛି। ମୋ ଚୁଟି ଖରାପ୍ ହେଇଯିବ।ଯଦି ନିହାତି ଆବଶ୍ୟକ ହେଲେ ବିକଳ୍ପ ପାଇଁ କାର ହିଁ କିଣା ଯାଉ…".
ହଁ..ସତ କଥା ତ! ହେଲମେଟ ନ ପିନ୍ଧି ବାଇକ୍ ଚଳେଇବା ଅନୁମତି ତ ଦେଇ ହେବନି।ଅଗତ୍ୟା କାର ହିଁ କିଣା ଯାଉ।ଆଉ କଣ କରା ଯାଇ ପାରେ?
"ଟେନସନ୍ ବହୁତ୍ ବଢି ଗଲାଣି।ଚୁଟି ଝଡି ଯାଉଛି। ୱିଗ୍ ପିନ୍ଧିବାକୁ ହେବ। ନ ହେଲେ ହେୟାର ଟ୍ରିଟମେଣ୍ଟ.."
ହଁ..ସତ କଥା ତ ! କିଛି ବ୍ୟବସ୍ଥା କରିବାକୁ ହିଁ ପଡ଼ିବ।ଏମିତି ଯେ ଝଡୁଛି ଚୁଟି..ଆଉ କଣ କରା ଯାଇପାରେ?
"ନା..ଆଉ କିଛି କରି ହେବନି..ମୁଣ୍ଡ କୁଣ୍ଡେଇ କୁଣ୍ଡେଇ ଫଳି ଗଲାଣି।ବିରକ୍ତ ଲାଗିଲାଣି। କଣ କରିବି?ଭାବୁଛି..ଲଣ୍ଡା ହୋଇଯିବି…"
ହଁ..ସତ କଥା ତ ! କେତେ ଆଉ ସମ୍ଭାଳି ହେବ?ଏ ଚୁଟି ଯୋଗୁଁ ହନ୍ତସନ୍ତ ହେବା ଠାରୁ ଭଲ ତାକୁ ବିସର୍ଜନ କରିବା ।ଏଥିରେ ଆଉ କଣ କରା ଯାଇପାରେ?
"ହେଃ..ଲଣ୍ଡା ମୁଣ୍ଡ ଦେଖିଲେ ଭଲ ଲାଗୁନି।ଏ ଚୁଟି ଜନ୍ମ ସମୟରେ ତ ନ ଥିଲା।ଆଉ ଏବେ ବି ନାହିଁ.. ବଡ଼ କଥା କଣ??କିନ୍ତୁ ମଝି ସମୟଟା ତା ଅବସ୍ଥିତି ଏତେ ଆପଣା ଲାଗିଲା କାହିଁକି..!!..ତୁ କହ ମୋ ମନ..ମୁଁ ପୁଣି କେଉଁଠାରୁ ଆଉ କେମିତି ତାକୁ ଫେରି ପାଇବି??"
"ହା ହା ହା...ଏଇଟା ସତ କଥା ନୁହେଁ।ସବୁବେଳେ ତ ତୋ କଥାରେ ମୁଁ ହଁ ଭରିଛି।ତୁ କିନ୍ତୁ ତୋ ଚୁଟି ସହ ଜୀବନର ପରିବର୍ତ୍ତିତ ଅଧ୍ୟାୟ ଥରେ ଦେଖିଛୁ..!!??"
"ପରିବର୍ତ୍ତିତ ଅଧ୍ୟାୟ..?ସେ ପୁଣି କଣ??"
"ତେଲ ଲଗା ଚୁଟି ପସନ୍ଦ ନ ଆସିବା ଅର୍ଥ ନିଜ ପିଲାଳିଆମିଠାରୁ ଦୂରେଇ ଯିବା।ଜୀବନ ପ୍ରଥମ ଥର ପାଇଁ ସେତେବେଳେ ଏକ ପସନ୍ଦ ନାପସନ୍ଦ ସ୍ତରକୁ ଆସିଥିଲା..
ଜେଲ୍ ଦ୍ଵାରା ସଜେଇ ହେବା ଜଣେଇ ଦେଲା ଅନ୍ୟ ଆଖିରେ ନିଜକୁ ଦେଖିବାର ଅକୁହା ପ୍ରୟାସ..ଯାହା ଥିଲା ତୋର ଆଦ୍ୟ ଯୌବନର ସ୍ପର୍ଶ…
ହେଲମେଟ ତ୍ୟାଗୀ ଆଗେଇ ଆସି କାର କିଣିବାକୁ ନିଷ୍ପତ୍ତି ନେବା ଦେଖେଇ ଥିଲା ନିଜ ସୁଖ ସ୍ଵାଛନ୍ଦ୍ୟକୁ ବାଛିବା..ନିଜ ପାଇଁ ଧନ ଉପଯୋଗ କରି ପରିପକ୍ଵତା ର ପରିଚୟ ଦେବା…
ୱିଗ ପିନ୍ଧି ନିଜ ଦୁର୍ବଳତା ଲୁଚାଇ ଆଦ୍ୟ ପ୍ରୌଢ଼ ଅବସ୍ଥା ସ୍ଵୀକାର କରିବାକୁ ଅସହଜତା ପ୍ରକାଶ ପାଇଥିଲା ତୋର…
ଆଦ୍ୟ ବୃଦ୍ଧାବସ୍ଥା ଏବେ ଏ ଲଣ୍ଡିତ ମସ୍ତକ ସହ ଆସିଛି।ତଥାପି ତୋ ଆତ୍ମା ତାକୁ ସ୍ବୀକାର କରୁନି..
ପ୍ରକୃତରେ ତୁ ଖୋଜୁନୁ ତୋ ମସ୍ତକର ଲୁପ୍ତ କେଶ..ତୁ ଖୋଜି ହେଉଛୁ ସେ ଗତ ଜୀବନଟାକୁ।ଯାହା ଧୀରେ ଧୀରେ ହାତଛଡ଼ା ହେଉଛି ବୋଲି ବୁଝି ପାରୁଛୁ…ଆଉ ତୁ ମଧ୍ୟ ଜାଣୁ..କେବେ ତାହା ଫେରି ଆସିବା ସମ୍ଭବ ହିଁ ନୁହେଁ..!!"
ମନର କଥା ବୁଝି ମଧ୍ୟ ଅବୁଝା ହେବାକୁ କାହିଁକି କେଜାଣି ଇଚ୍ଛା ହେଲା । ଲଣ୍ଡା ମୁଣ୍ଡ ଆଉଁସି ଆଉଁସି ଆଗେଇ ଗଲି କିନ୍ତୁ ବହୁତ କିଛି ପଛରେ ରହିଗଲା । ଆଉ ମୁଁ କେବେ ମଧ୍ୟ ଫେରି ପାଇଲିନି ସେ ବିଗତ ସମୟ । ସେ ବିଲୁପ୍ତ ପ୍ରିୟ ହେୟାର ଷ୍ଟାଇଲ..!!