ହେଲୋ ମିଷ୍ଟର୍ ନାରାୟଣ
ହେଲୋ ମିଷ୍ଟର୍ ନାରାୟଣ


" ସତ କହିବାକୁ ଗଲେ ଆପଣଙ୍କୁ ନମସ୍କାର କରିବାକୁ ଉଚିତ ମନେ କରିଲିନି।କାରଣ ଏମିତି ହାତ ଯୋଡ଼ି ନମସ୍କାର କରିବା ମୋ ସଂସ୍କାର ବିରୁଦ୍ଧରେ ଯାଏ।ସମ୍ମାନସ୍ପଦ ବ୍ୟକ୍ତିଙ୍କୁ ଏପରି ନମସ୍କାର କରାଯାଏନି।କିନ୍ତୁ ଦଣ୍ଡବତ ପ୍ରଣାମର ଯୁଗ ମଧ୍ୟ ଆଉ ନାହିଁ।ଆଉ ଆପଣ ତ ମୋ ସାଙ୍ଗ କି ବନ୍ଧୁ ହୋଇ ନାହାଁନ୍ତି ଯେ ଆପଣଙ୍କୁ ଦେଖି କରମର୍ଦ୍ଦନ କରିବାକୁ ହାତ ବଢାନ୍ତି କି ଆଲିଙ୍ଗନ କରି ପକାନ୍ତି ତେଣୁ କେବଳ ହେଲୋ କହି ସମ୍ବୋଧନ କରିବାକୁ ଉଚିତ ମନେ କରୁଛି।ଧୃଷ୍ଟତା ମାର୍ଜନା କରିବେ..
ଆପଣଙ୍କୁ ଫୋନ୍ କରିଥାନ୍ତି ହେଲେ ଆଜିକାଲି ନେଟୱର୍କ ଉପରେ ମୋର ବିଶ୍ବାସ ନାହିଁ।କଥା ମଝିରେ ଯଦି ସମ୍ପର୍କ ବିଚ୍ଛିନ୍ନ ହୋଇଯାଏ ହେଲେ..?କିମ୍ବା ଯଦି ରଂ ନମ୍ବର ଲାଗିଯାଏ ? ତେଣୁ ଭାବିଲି ଚିଠି ପତ୍ର ନା ତା ମଧ୍ୟ ପୁରୁଣା ହୋଇଗଲାଣି।ତେବେ ଇ ମେଲ୍ କରିଥାନ୍ତି ଯେ ଆପଣ ଇଂରାଜୀ ବୁଝିବେ କି ଆଉ କି ଭାଷା ସେ ନେଇ ମଧ୍ୟ ଦ୍ବିଧାରେ ପଡ଼ିଗଲି।ତେଣୁ ଭାବିଲି ଏ ଉପାୟରେ ସିଧା କଥାବାର୍ତ୍ତା କରିବା ଉଚିତ ହେବ।ମନୁଷ୍ୟ ଜଣଙ୍କ ସହିତ ଭାବ ଆଦାନ ପ୍ରଦାନ କରିବା ସମୟରେ ହୃଦୟର ଭାଷାକୁ ଗୁରୁତ୍ବ ଦେବା ଭୁଲି ଗଲାଣି।କିନ୍ତୁ ଆପଣ ତ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ।ତେଣୁ..।
ହଁ..ମୋ ବିଷୟରେ ଆପଣ ନିଶ୍ଚୟ ଜାଣିଛନ୍ତି।ତଥାପି ସୌଜନ୍ୟତା ଦୃଷ୍ଟିରୁ ଟିକେ ପରିଚୟ ଦେଇଦିଏ ଅତି ବେଶୀ ଧନ ସଂପତ୍ତି ନ ଥିଲେ ମଧ୍ୟ ମାସକୁ ପାଞ୍ଚ ଅଙ୍କରୁ ଛ ଅଙ୍କ ପର୍ଯ୍ୟନ୍ତ ଆଦାୟ ଟିକେ ହୋଇଯାଏ।ବେଳେବେଳେ ଟିକେ କମିଯଇଥାଏ ତଥାପି ସଂସାର କହିଲେ ପୁଅ ଝିଅ ସହ ବନ୍ଧୁ ବାନ୍ଧବ ସବୁ ଅଛନ୍ତି। କିନ୍ତୁ ଏସବୁ ତ ଲୋକ ଦେଖାଣିଆ ! ମାନେ ଘର ସଂସାର ଭିତରେ ସବୁବେଳେ କିଛି ଅଭାବ କାହିଁକି କେଜାଣି ଲାଗିରହେ ମିଷ୍ଟର୍ ନାରାୟଣ ? ଏଇ ଯେମିତି ପୁଅ ପାଇଁ ବାଇକ୍ କିଣିଦେଲା ପରେ ତାର ବାରମ୍ବାର ଆକ୍ସିଡେଣ୍ଟ କିମ୍ବା ଝିଅ ପାଇଁ ନୂଆ ମୋବାଇଲ କିଣିବା ପରେ ଅହେତୁକ ଭାବେ ପୁରୁଷ ବନ୍ଧୁ ବୃଦ୍ଧି..କିମ୍ବା ଘର ପାଇଁ କିଛି ନୂତନ ଆସବାବପତ୍ର କିଣିଲେ ପଡୋଶୀଙ୍କ କୁଦୃଷ୍ଟି..!!ନୂଆ ଗାଡି କିଣିବା ପରେ ବନ୍ଧୁଙ୍କ ଟାହି ଟାପରା... ଓଃ !!ଆଉ ସହି ହେଉନି ସତ କହୁଛି।ଆଉ କାନ୍ଧରେ କନ୍ଧ ମିଶାଇ ଚାଲି ଯେତେ ଯାହା କଲେ ମଧ୍ୟ ତାଙ୍କର ଏ ଯେଉଁ ଇଗୋ ପ୍ରୋବ୍ଲେମ୍..!!
ହଁ ଶରୀର କହିଲେ ସୁନ୍ଦର ମସୃଣ ଉପରି ଚମଡା ଅଛି ହେଲେ ଭିତରେ ଥିବା ବ୍ଲଡ଼ ପ୍ରେସର୍ କି ସୁଗାର ଆଜିକାଲି ଆଉ କାହାର ନାହିଁ କହିଲେ ! ଆପଣଙ୍କ କଥା ଅବଶ୍ୟ ଅଲଗା।କିନ୍ତୁ ମୁଁ ନିଜ ବିଷୟରେ ହିଁ କହି ପାରିବି ନା..ସକାଳୁ ମର୍ଣିଂ ୱାକ୍ କରି ସାଇକଲ ଚଲେଇଲା ବେଳେ ମନେ ପଡେ ଏତେ କଷ୍ଟରେ ମଣିଷ ପାଦ ଚଲା ଓ ସାଇକେଲ ଚଲେଇବାରୁ ଉପରକୁ ଉଠିବା ପାଇଁ ଏତେ ପରିଶ୍ରମ କଲା ହେଲେ ଶେଷରେ ପୁଣି ସେହି ପାଦ ଚଲା ଓ ସାଇକଲ ଚଲା ପାଇଁ ଧନ ବ୍ୟୟ କରି ସାର୍ଥକ କରୁଛି ନିଜ ପରିଶ୍ରମକୁ..କହିଲେ ମିଷ୍ଟର ନାରାୟଣ ଏହା କଣ ଗୁରୁତ୍ବ ସମସ୍ୟା ନୁହେଁ ? ମୋ ସମସ୍ୟା ତା ସହିତ ଆଉ ଟିକେ ଅଧିକା କାରଣ ମୁଁ ଟିକେ ଖାଦ୍ୟଲୋଭୀ।କିନ୍ତୁ ପ୍ରୁଥୁଲତା ମୋତେ ମନ ପୁରେଇ ଖାଇବାକୁ ମଧ୍ୟ ଦେଉନାହିଁ।ଆଉ ଆପଣ ଖାଦ୍ୟ ବିନା ବଞ୍ଚିବା କଷ୍ଟ ଭୋଗିଛନ୍ତି।ଆଶା ମୋ ଦୁଃଖ ଟିକେ ବୁଝି ପାରିବେ।
ଦିନରାତି ବହୁତ ଲୋକଙ୍କ ସଂସ୍ପର୍ଶରେ ଆସୁଛି।ହେଲେ ସତ କହିଲେ କାହାକୁ ଆଖି ବୁଜି ବିଶ୍ୱାସ କାହିଁକି କରିପାରୁନି ? ମିଷ୍ଟର ନାରାୟଣ ଏଇଟା ଏକ ବଡ଼ ସମସ୍ୟା ସତରେ।ଯାହା ସହିତ କଥା ହେବାକୁ ହେଉଛି ଲାଗୁଛି ତାଙ୍କରି ସ୍ବାର୍ଥ ଥିବ ନ ହେଲେ ମୋ ସ୍ୱାର୍ଥ। ଆଛା ବିନା ସ୍ୱର୍ଥରେ କଣ କେହି ଟିକେ ମନଖୋଲା କଥା ଆଉ ହୋଇ ପାରିବେନି ? ଆପଣ ବିଶ୍ୱାସ କରିବେନି ପୂର୍ବ ପରି ଭଲ ପାଇବା ମଧ୍ୟ ଆଉ କାହା ମନରେ ନାହିଁ।ବେଳେବେଳେ ଘର ସଦସ୍ୟ ମାନେ ମଧ୍ୟ ବିନା କାରଣରେ କଥା ବାର୍ତ୍ତା ହେବାକୁ ସମୟ ପାଉ ନାହାନ୍ତି। ଆଛା ସମୟ ହଠାତ୍ ଏପରି କାହିଁକି କମିଗଲା ଟିକେ କହିବେ କି ? ପୂର୍ବରୁ ଏତିକି ସମୟ ଭିତରେ ତ ଆହୁରି ଅନେକ କାର୍ଯ୍ୟ ହୋଇପାରୁଥିଲା ହେଲେ ଆଧୁନିକ ସମାଜରେ ସମୟ ଅଭାବ କାହିଁକି ଏତେ ଅଧିକା ହେଲା ଟିକେ ବିଚାର କରିବେ ପ୍ଲିଜ୍ ।
ଗହଣା ପାଟ ସବୁ ଯଥା ସମ୍ଭବ ଠୁଳ କରି ସାରିବା ପରେ କଣ କହିବି ମିଷ୍ଟର ନାରାୟଣ? ଚୋର ଦୌରତ୍ମ୍ୟ ଗହଣା ପିନ୍ଧେଇ ଦେଉନି ଆଉ ଆଧୁନିକ ପୋଷାକ ପିନ୍ଧିବା ମୋହ ଛାଡ଼ି ହେଉନି..ଆଉ କଣ କହିବି କୁହନ୍ତୁ ?
ଆପଣ ନିଶ୍ଚୟ ମନେ କରୁଥିବେ ଏସବୁ ମନ ଖୋଲା କଥା ଆପଣଙ୍କୁ ନ କହି ମାଡମଙ୍କୁ କହିଥିଲେ ଭଲ ହୁଅନ୍ତା।କିନ୍ତୁ ମିଷ୍ଟର ନାରାୟଣ ସ୍ବଜାତି ପର ହିଂଶୃକ.।କାଳେ ମାଡମ୍ ମୋ ଖୋଲା ଖୋଲି କଥା ପସନ୍ଦ କରିବେନି ତେଣୁ ଆପଣଙ୍କୁ କହୁଛି।ସତ କହିଲେ ଆଉ ଏକ ବଡ଼ ସମସ୍ୟା ମଧ୍ୟ ଅଛି। ମଖମଲ୍ ପଲଙ୍କ ଉପରେ ଏୟାର କଣ୍ଡିସନ୍ ଲଗେଇ ଶୋଇଲେ ମଧ୍ୟ ଆଖିକୁ ନିଦ ଆସୁନି..ଟିକେ ଦେଖିବେ କଣ ଅସୁବିଧା ହେଉଛି । ହଠାତ୍ ଏମିତି ନିଦ୍ରା ହୀନତା କାହିଁକି ହେଉଛି।
ମୁଁ ଆପଣଙ୍କ ବିଷୟରେ ବହୁତ ଶୁଣିଛି..ଆପଣ କାଳେ ସବୁ ସମସ୍ୟା ସମାଧାନ କରି ପାରିବେ।ତେଣୁ ଟିକେ ଜଣେଇ ଦେଲି।ଆଉ ଉପାୟ ନ ପାଇ ଆଜି ଆପଣଙ୍କୁ ଦେଖା କରିବାକୁ ଏ ମନ୍ଦିର ଭିତରକୁ ଆସିଗଲି..ବର୍ତ୍ତମାନ ଯାଉଛି।କାରଣ ଏଇଠି ମୋତେ ଏତେ ସମୟ ଆପଣଂକ ସାନିଧ୍ୟରେ ବିତାଇବା ଦେଖିଲେ ଆମ ଦୁଇଜଣଙ୍କ ନାମରେ କୁତ୍ସାରଟନା କରା ଯାଇପାରେ।ଆଜିକାଲି ପାପାରାଜିର ଉଦାହରଣ ବି ବହୁତ୍ ଅଛି।ଗୁପ୍ତ କ୍ୟାମେରା ମଧ୍ୟ ଥାଇ ପାରେ ନା..ଥାଉ..ମୋତେ ଯିବାକୁ ହେବ।
ମୁଁ ଯାଉଛି।କିନ୍ତୁ ଆପଣଙ୍କ ମେମୋରିରେ ମୋ କଥା ନିଶ୍ଚୟ ରଖିବେ ଆଉ ମୋ ସମସ୍ୟା ସବୁ ସମାଧାନ କରିବେ ପ୍ଲିଜ୍।ମୋତେ ମନ ରଖିବା ଏତେ ଅସୁବିଧା ନୁହେଁ।
କାରଣ ମୁଁ ଜଣେ ହାଇ ପ୍ରୋଫାଇଲ୍ ଆଧୁନିକ ଭିକାରୀ ବାସ୍ ଏତିକି ମନେ ରଖିଲେ ହେଲା.."।