Madhumita Mishra

Children Stories

3  

Madhumita Mishra

Children Stories

ହାଣ୍ଡିଆ ରାଣୀ ମା

ହାଣ୍ଡିଆ ରାଣୀ ମା

3 mins
450



     ବୀଟୁ ବହୁତ ଖୁସି ହୁଏ । ଖରା ଛୁଟିରେ ନିଜ ବାପାଙ୍କ ପୈତୃକ ଗାଁକୁ ଯିବା ପାଇଁ । ସହର ଚାଲି ଚଳଣି ଭିତରେ ଶ୍ୱାସରୁଦ୍ଧ ହେଉଥିବା ମନୁଷ୍ୟ ଗ୍ରାମ୍ୟ ପରିବେଶରେ ପ୍ରକୃତି କୋଳରେ କିଛି କ୍ଷଣ ଶାନ୍ତି ଲାଭ କରିବା ଏକ ସାଧାରଣ କଥା ହେଲେ ମଧ୍ୟ ବୀଟୁ କ୍ଷେତ୍ରରେ ଏହା ଅସାଧାରଣ । ସେ କେବଳ ପ୍ରକୃତି କୋଳକୁ ଯାଏ ତା ନୁହେଁ ବରଂ ସେ ନିଜ ଜେଜେମା କୋଳକୁ ଯାଏ..ଏହା ଥିଲା ସବୁଠୁ ବଡ଼ ରୋମାଞ୍ଚକର ବିଷୟ ।


     ବୀଟୁ ଦେଖେ..ତା ଜେଜେମା ସତରେ ସେ ଅଞ୍ଚଳର ରାଣୀ । ଦିନରାତି କେତେ ଲୋକ ତାଙ୍କ ପାଖକୁ ଆସନ୍ତି । ବିଭିନ୍ନ ସମସ୍ୟା ନେଇ । ଆଉ ସେ ସହାସ୍ୟ ବଦନରେ ସବୁ ସମସ୍ୟା ଏତେ ସରଳ ଭାବରେ ସମାଧାନ କରି ଦିଅନ୍ତି.. ବୀଟୁ ଆଶ୍ଚର୍ଯ୍ୟ ହୁଏ । ଖାଲି ସେ ଗାଁ ନୁହେଁ ଅପିତୂ ଆଖ ପାଖର ଦଶ ଖଣ୍ଡ ଗାଁ ତାଙ୍କ ଉପରେ ଭରସା କରନ୍ତି । ଏ ସବୁ ଦେଖି ବୀଟୁ ର ବାଳୁତ ମନ କୁଣ୍ଢେମୋଟ ହେଇଯାଏ ।


     ହାଣ୍ଡିଆ ରାଣୀମା.. ତା ପ୍ରିୟ ଜେଜେମା । ସତରେ କୌଣସି ରାଣୀଠୁ କମ ନୁହନ୍ତି । ଏତେ ଜ୍ଞାନ ..ଏତେ ମମତାର ଅପୂର୍ବ ସମନ୍ୱୟ ତାଙ୍କୁ ଅତୀବ ମହନୀୟ କରିଦିଏ ବୀଟୁ ମନରେ..କିନ୍ତୁ ଗୋଟିଏ କଥା ବାରମ୍ବାର ତା ମନକୁ ଆକ୍ତାମାକ୍ତା କରିଦିଏ ଆଉ ସେଇଟା ଏହି ହାଣ୍ଡିଆ ରାଣୀମା ଡାକ । ଜେଜେମାଙ୍କୁ ଏମିତି କାହିଁକି ସମସ୍ତେ ଡାକନ୍ତି ସେ ବୁଝି ପାରିନି । ଥରେ ବାପାଙ୍କୁ ପଚାରିବାରୁ ସେ କହିଥିଲେ ତୁ ସିଧା ତୋ ଜେଜେମାଙ୍କୁ ପଚାର । ସେ ଭଲ ରୂପେ ବୁଝାଇଦେବେ । କିନ୍ତୁ ଵୀଟୁ ର ସାହସ ହୁଏନି ସିଧା ଏକଥା ଉଠେଇବାକୁ । କିନ୍ତୁ ସେଦିନ..


      ହାଣ୍ଡିଆ ରାଣୀମା ନିଜ ନାତି ସହ ବଗିଚାରେ ବୁଲୁଥିଲେ । ବିଭିନ୍ନ ଗଛଲତା ଫୁଲ ଫଳ ବିଷୟରେ ପଚାରୁ ପଚାରୁ ବୀଟୁ ପଚରିଦେଲା ତାଙ୍କ ଏହି ଅସାଧାରଣ ନାମ ବିଷୟରେ । ଆଉ ହାଣ୍ଡିଆ ରାଣୀମା ଗଛ ଛାଇରେ ବସି ସବୁ ରହସ୍ୟ ଉନ୍ମୋଚନ କରିଥିଲେ..


     " ତୋ ପରି ଛୋଟ ପିଲା ବୟସରୁ ଦେଶ ସେବା ଆଉ ଅନ୍ୟାୟ ବିରୁଦ୍ଧରେ ଲଢେଇ କରିବା ମୋର ଅଭ୍ୟାସ ଓ ସଉକ ହୋଇ ଯାଇଥିଲା । ଆମ ଗାଁ ଛୋଟ ହେଲେ ମଧ୍ୟ କିଛି ଭଲ ଓ ଖରାପ ସାମାଜିକ ଚଳଣିର ଗନ୍ତାଘର ଥିଲା । ସେ ସମୟରେ ସବୁଠୁ ବଡ଼ ସମସ୍ୟା ଥିଲା ଦେଶୀ ମଦ କାରବାର । ଆଞ୍ଚଳିକ ଭାଷାରେ ତାକୁ ହାଣ୍ଡିଆ କହନ୍ତି । ପୁରୁଷ ମାନେ ଦିନତମାମ୍ ଖଟି ଆସି ରାତିରେ ହାଣ୍ଡିଆ ପିଇ ଦିଅନ୍ତି ଓ ତା ପରେ ଆରମ୍ଭ ହୋଇଯାଏ ପୈସାଚିକ ପ୍ରବୃତ୍ତି..ଯେତେ ଚେଷ୍ଟା କଲେ ,ଯେତେ ବୁଝାଇଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଦିନେ ମୋ ବିଦ୍ରୋହୀ ମନ ଉତ୍ତ୍ୟକ୍ତ ହେଇ ଉଠିଲା ଓ ପାଞ୍ଚ ଜଣ ସାଙ୍ଗ ସହ ଦିନରେ ବୁଲି ବୁଲି ଠେଙ୍ଗା ଧରି ଗାଁ ସାରା ଯେତେ ହାଣ୍ଡିଆ ତିଆରି ସରଞ୍ଜାମ ଥିଲା ଓ ମହଜୁଦ ହାଣ୍ଡିଆ ଥିଲା ସବୁ ଭାଙ୍ଗି ଦେଇଥିଲି । ଅବଶ୍ୟ ଏଥି ପାଇଁ ମଦ୍ୟପ ଲୋକମାନେ ପାଟିତୁଣ୍ଡ କଲେ କିନ୍ତୁ ଗାଁର ସବୁ ମହିଳା ଓ ବିଜ୍ଞ ବ୍ୟକ୍ତି ମୋ ସହ ଠିଆ ହୋଇଥିଲେ । ସେ ଦିନରୁ ମୋତେ ସମସ୍ତେ ହାଣ୍ଡିଆ ମା କହି ଡାକିଲେ । "


     ଅଳ୍ପ ହସି ଦେଇ ପୁଣି ସେ କହିଲେ"ବିବାହ ପରେ ଏଇ ଗାଁ କୁ ଆସିବା ପରେ ମୋ ସ୍ଵଭାବ ସେହିପରି ଥିଲା । ସାମାଜିକ ସୁଧାର କାର୍ଯ୍ୟ ଓ ପରୋପକାର ଯୋଗୁଁ ସମସ୍ତେ ଏ ଅଞ୍ଚଳର ରାଣୀ ବୋଲି ମୋତେ ମାନନ୍ତି । ତୋ ଜେଜେ ଥିଲା ବେଳେ ମଧ୍ୟ ଗାଁ ଲୋକଙ୍କର ସବୁ ସୁଖ ଦୁଃଖ ବିପଦ ଆପଦକୁ ଆମେ ନିଜର ଭାବି କାମ କରି ଆସିଛୁ । ଆଉ ସେ ପିଲା ବେଳର ନାମ ସହିତ ଯୋଡ଼ି ସମ୍ମାନରେ ସମସ୍ତେ ମୋତେ ହାଣ୍ଡିଆ ରାଣୀମା ଡାକନ୍ତି..."


     ପରୀ କାହାଣୀ ପରି ଲାଗୁଥିଲେ ବି ବୀଟୁ ଏ ସତ୍ୟ କଥା ସହଜରେ ଗ୍ରହଣ କରିଥିଲା । ତଥାପି ତା ମନର ସଂଶୟ ଥିଲା .. ଏପରି ନାମ ଯୋଗୁଁ ଜେଜେମାଙ୍କୁ କଷ୍ଟ ହୁଏ କି ନା..ଲାଜ ମାଡ଼େ..କି..ନା..!!??


     ହାଣ୍ଡିଆ ରାଣୀମା ହସି ଦେଲେ ଆଉ କହିଲେ.."ଧନରେ ମୋ ଭାରତ ମାତା କୁ ତୁମେ ସବୁ ଇଣ୍ଡିଆ କହୁଛ । ବିଦେଶୀ କବଳରୁ ମୁକ୍ତ କରିଲ ବୋଲି ସ୍ଵାଧୀନତା ଦିବସ ପାଳନ କରୁଛ ହେଲେ ବିଦେଶୀ ନାମ ଧରି ଡାକିଲା ବେଳେ ମୋ ମା କୁ କେତେ କଷ୍ଟ ହେଉଥିବ,ଲାଜ ଲାଗୁଥିବ.. ସେକଥା କେବେ ଭାବିଛ..!!??ତା କୋଳରେ ଜନ୍ମ ନେଇ ତା ପାଣି ପବନରେ ବଡ଼ ହୋଇ ତାକୁ ମା ବୋଲି ମଣୁଛ ହେଲେ ବାହାର ଲୋକ ଯାହା ଡାକିଦେଲେ ତୁମେ ସେହି ନାମ ନିଜ ମା କୁ ଦେଇ ଗର୍ବ କରୁଛ.!!??ମୋ ନାମ ତ ମୋ ଗାଁ ଲୋକ ..ମୋ ନିଜ ଲୋକ ଦେଇଛନ୍ତି..!!??ଭାରତ ମାତା ର ଦୁଃଖ ଆଉ ବିବଶତା ଯେତେବେଳେ ମୁଁ ଭାବେ..ମୋ ନାଁ ମୋତେ ଖୁସି ଲାଗେ..କମ୍ ସେ କମ ମୋ ପାଖରେ ଦେଶୀ ନାଁଟି ତ ଅଛି..ମୋ ଭାରତ ମା ତ ଆଜିବି ପରାଧୀନ..ବିଦେଶୀ ପରିଚୟ ଆଗରେ.."!!??


      ଆଖିରେ ଲୁହ ମନରେ କୋହ ଭର୍ତ୍ତି ହେଇଯାଇଥିଲା ହାଣ୍ଡିଆ ରାଣୀମା ଙ୍କର..ସେ ଆଉ କିଛି କହି ପାରିନଥିଲେ.. ବୀଟୁ ମଧ୍ୟ ନିଶବ୍ଦ ହୋଇ ଯାଇଥିଲା । ଜେଜେମା ଙ୍କ ଅଦ୍ଭୁତ ଅସାଧାରଣ ନାମର ଦୁଃଖ ତାକୁ ବିବ୍ରତ କରୁଥିଲା ନା ଦେଶ ମାତୃକାର ବିଦେଶୀ ନାମ ପାଇଁ ତା ବାଳୁତ ମନ କାନ୍ଦୁଥିଲା ବୁଝି ନ ପାରି ଲୁହ ପୋଛି ବଗିଚାରୁ ଘର ଆଡ଼କୁ ଆଗେଇ ଗଲା ।


      ଗଲା ବେଳେ ଦେଖିଲା ଗାଁର କିଛି ଲୋକ ଯୋଡ ହସ୍ତରେ ଫାଟକ ପାଖରେ ଠିଆ ହୋଇଥିଲେ..ନିଜ ଦୁଃଖ ଅସୁବିଧା ଜଣେଇବାକୁ..ଗୁହାରି କରିବାକୁ..ଭେଟିବାକୁ ଆସିଥିଲେ..ତାଙ୍କ ଅତି ପ୍ରିୟ..ଅତି ଆପଣାର..ହାଣ୍ଡିଆ ରାଣୀମାଙ୍କୁ....।



Rate this content
Log in