Abhiram Mandal

Others

3  

Abhiram Mandal

Others

ଗୁରୁ ଦକ୍ଷିଣା

ଗୁରୁ ଦକ୍ଷିଣା

7 mins
316


-" may I come in?"

ପରଦା ଫାଙ୍କରୁ ଭାସି ଆସିଲା ତାର କଣ୍ଠସ୍ୱର । ଅଫିସ ଭିତରୁ ମୁଁ ଜବାବ ଦେଲି-"କିଏ ରୀନା..? ଭିତରକୁ ଆସ..।"

ସେ ଧୀର ପଦକ୍ଷେପରେ ମୋ ଟେବୁଲ ପାଖରେ ଆସି ଠିଆ ହେଲା । ପଚାରିଲା-" ସାର, ମତେ ଡକେଇ ପଠେଇଥିଲେ ?" ମୁହଁରେ ସ୍ମିତ ହାସ୍ୟ ଖେଳାଇ ମୁଁ ଜବାବ ଦେଲି-"ହଁ, ତମ ପାଖରେ ଏକ କାମ ଥିଲା..., ଆରେ ତମେ ଏ ଯାଏ ଠିଆ ହେଇ ରହିଛ ? ବସ ।" ପାଖରେ ପଡିଥିବା ଏକ ଚେୟାରରେ ବସି ପଡି ସେ ମୋ ଆଡେ ଅନୁସନ୍ଧିତ୍ସୁ ଦୃଷ୍ଟିରେ ଚାହିଁ ରହିଲା ।


ଏଇ ଝିଅଟି ମୋ student, ରୀନାରାଣୀ ମହାନ୍ତି । ଖୁବ ମେଧାବୀ । ତା ବାପାଙ୍କର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନଥିଲା । ସେ ଏଇ ସହରର କୋଉ ଏକ ଅନାମଧ୍ୟେୟ କମ୍ପାନୀରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ ବି ଝିଅର talent କୁ ଭଲ ଭାବରେ ହୃଦୟଙ୍ଗମ କରି ପାରିଥିଲେ । ତେଣୁ ତାକୁ ଭଲ ଶିକ୍ଷା ଦେବା ପାଇଁ ଯେତେବେଳେ ଏଇ ସ୍କୁଲକୁ ଆଣି ଆସିଥିଲେ, ସେତେବେଳେ ସ୍କୁଲର ଅଧ୍ୟକ ହିସାବରେ ତାଙ୍କୁ ବୁଝାଇଥିଲି, ଏଠାରେ ପାଠ ପଢିବା ପାଇଁ ବହୁତ ଖର୍ଚ୍ଚ ହୁଏ, ଯାହାକୁ ସେ ହୁଏତ ବହନ କରି ନପାରନ୍ତି । କାହିଁକି ନା ସ୍କୁଲଟି ଏ ସହରର ଏକ ନାମୀ ଶିକ୍ଷାନୁଷ୍ଠାନ, ତେଣୁ ଏହାର donation ଆଉ fees ବହୁତ ଅଧିକ । ସେ ମୋଠୁ ସବୁ ଶୁଣି ସାରିବା ପରେ ବି ନିଜର ସିଦ୍ଧାନ୍ତ ବଦଳାଇ ନଥିଲେ । ତାଙ୍କର ଆର୍ଥିକ ଦୁରବସ୍ଥା ପାଇଁ ସେ ଝିଅର ଭବିଷ୍ୟତକୁ ନଷ୍ଟ ହେବାକୁ ଦେବେନି ବୋଲି କହିଥିଲେ ।


ତା ବାପାଙ୍କର ସବୁ କଥା ଶୁଣି ସାରିବା ପରେ ମୁଁ ରୀନାର admission କରାଇ ଥିଲି । ଧୀରେ ଧୀରେ ରୀନା ସ୍କୁଲର ସବୁ teacher ମାନଙ୍କର ପ୍ରିୟ ଛାତ୍ରୀ ହୋଇ ଉଠିଲା । ପ୍ରତି ପରୀକ୍ଷାରେ ସେ ଟପ କରୁଥିଲା । କୌଣସି ବି ପରୀକ୍ଷାରେ ସେ ୯୯% ରୁ କମ ମାର୍କ ରଖୁନଥିଲା । ତା result ଦେଖି ଷ୍ଟାଫ ମାନେ କହୁଥିଲେ ଏ ଝିଅ ଦିନେ ନିଶ୍ଚୟ ସ୍କୁଲର ନାଁ ରଖିବ ଆଉ all india topper ହେବ । ହେଲେ ଭଗବାନଙ୍କର ହୁଏତ ଅନ୍ୟ ଇଛା ଥିଲା । ସେ standard 9 ରେ ଥିବା ବେଳେ ତା ବାପା ଶଯ୍ୟାଶାୟୀ ହେଲେ । ତା ଘରର ମୁଖ୍ୟ ଆମଦାନୀ ସ୍ରୋତ ବନ୍ଦ ହେଇଗଲା । ତା ସହ ବନ୍ଦ ହେଇଗଲା ରୀନାର ସ୍କୁଲ ଆସିବା ।


ସେ କିଛି ଦିନ ସ୍କୁଲକୁ ନ ଆସିବାରୁ ମୁଁ ମୋର ଜଣେ ଷ୍ଟାଫକୁ ନେଇ ତା ଘରକୁ ଗଲି । ତା ବାପା ଆମକୁ ଦେଖି ଆଖିରୁ ଲୁହ ଗଡ଼ାଇ କହିଲେ-"ମୋର ସ୍ୱପ୍ନ, ସ୍ୱପ୍ନରେ ହିଁ ରହିଯିବ । ମୁଁ ରୀନା କୁ ଆଉ ପଢାଇ ପାରିବି ନାହିଁ ।" ମୁହଁରେ ତାଙ୍କର ହତାସାର ଭାବ ସ୍ପଷ୍ଟ ଦିଶୁଥିଲା । ମୁଁ ତାଙ୍କୁ ବୁଝାଇଲି-"ରୀନା ଭଳି ଜଣେ talented student ଯେ ଅର୍ଥାଭାବରୁ ପାଠ ପଢି ପାରିବନି, ଏଇଟା ଠିକ ନୁହେଁ । ତାର ପାଠ ପଢ଼ାର ସମସ୍ତ ଖର୍ଚ୍ଚ ମୁଁ ବହନ କରିବି ।" ମୋ ଉତ୍ତର ଶୁଣି ରୀନା ବାପାଙ୍କର ଆଖି ଦିଓଟି ଚମକି ଉଠିଲା । ସେ ହାତ ଯୋଡି କହିଲେ-" ଆପଣ ମୋ ରୀନା ପାଇଁ ସ୍ୱର୍ଗର ଦେବତା । ଆପଣଙ୍କ ପାଖରେ ମୁଁ ଚିର ଋଣୀ ହେଇ ରହିଥିବି ।"

-"ଆରେ ନା ନା ମୁଁ ଦେବତା ନୁହେଁ, ମୁଁ ଜଣେ ସ୍ୱାର୍ଥନ୍ୱେଷୀ ମଣିଷ । ଆପଣଙ୍କ ଝିଅର ଦାୟିତ୍ୱ ନେଇ ମୁଁ କୌଣସି ମହାନ କାମ କରିନି, ବରଂ ଏଥିରେ ମୋର ସ୍ୱାର୍ଥ ଜଡିତ ।"

-"ମାନେ ?"

-"ମାନେଟା ହେଲା, ଆପଣଙ୍କ ଝିଅ ଜଣେ talented student । ମୁଁ ଜାଣିଛି ସେ board exam ରେ topper ହେବ । ଆଉ ସେ topper ହେଲେ ମୋ ସ୍କୁଲର ନାଁ ବଢ଼ିଯିବ । ତେଣୁ ସେ ନପଢିଲେ ମୋର କ୍ଷତି ନା... ।"

-"କାରଣଟା ଯାହା ବି ହେଉ, ମୋ ଝିଅ ପାଇଁ ଆପଣ କିନ୍ତୁ ମହାନ ହେଇ ରହିବେ ।"

ଏହାପରେ ଆମେ ସେଠାରୁ ଫେରି ଆସିଥିଲୁ । ତା ପର ଦିନଠୁ ରୀନା ପୁଣି ସ୍କୁଲକୁ ଆସିବାରେ ଲାଗିଲା ।

-"ସାର, କହିଲେନି କଣ ପାଇଁ ଡାକିଥିଲେ ?" ରୀନାର ପ୍ରଶ୍ନରେ ମୁଁ ପ୍ରକୂସ୍ଥିତ ହେଲି ।

-" ବାପା କେମିତି ଅଛନ୍ତି?"

-"ଭଲ ନାହାନ୍ତି ସାର, ଧୀରେ ଧୀରେ ତାଙ୍କର ଜୀବନୀ ଶକ୍ତି କମିବାରେ ଲାଗିଛି । ଡାକ୍ତର କହୁଛନ୍ତି ହସ୍ପିଟାଲରେ admission ପାଇଁ । କିନ୍ତୁ...।" କଥା ମଝିରେ ରହିଗଲା ସେ । ମୁଁ କିନ୍ତୁ ବୁଝିଗଲି ତା କିନ୍ତୁର ମାନେଟା କଣ ।

-" ତମ ପାଇଁ ଗୋଟେ ଅଫର ଅଛି । ଯଦି ସେଇଟାକୁ ତମେ ଗ୍ରହଣ କର, ତେବେ ତମ ଆର୍ଥିକ ପରିସ୍ଥିତି ବଦଳି ଯିବା ସହ ତମ ବାପାଙ୍କର ଚିକତ୍ସା ବି ହେଇ ପାରିବ ।"


ମଳିନ ପଡି ଯାଇଥିବା ରୀନା ର ମୁହଁରେ ହଠାତ ଏକ ଚମକ ଦେଖାଗଲା । ସେ ଉତ୍କଣ୍ଠାର ସହ କହିବାକୁ ଲାଗିଲା-"ସାର, କୁହନ୍ତୁ ସାର, ସେ ଅଫରଟା କଣ ? ମୁଁ ଗ୍ରହଣ କରିନେବି । ମୋ ବାପାଙ୍କ ପାଇଁ ମୁଁ ସବୁ କିଛି କରିବାକୁ ପ୍ରସ୍ତୁତ ।"

-"ତମେ ଏ ସହରର ବିଶିଷ୍ଟ ଶିଳ୍ପ ପତି ଧିରେନ ପଟ୍ଟନାୟକ ଙ୍କୁ ଜାଣ ?"

-"ଧିରେନ ପଟ୍ଟନାୟକ ? ମୋ classmate ରୋଜିର ବାପା ତ ?"

-"ହଁ ରୋଜିର ବାପା ... ସେ ହିଁ ଏ ଅଫର ଦେଇଛନ୍ତି । ତମେ ଜାଣ......ରୋଜି exam ରେ କେତେ percent mark ରଖେ ?"

-"ହଁ ସାର, ଏଇ ପାଖାପାଖି ୫୦% ।"

-"ଠିକ... କିନ୍ତୁ ତା ବାପା ଚାହାନ୍ତି ସେ exam ରେ top କରୁ, ଯାହାଫଳରେ କି ସେ ତାକୁ ଆମେରିକା ପଠାଇ ପାରିବେ ।"

-"କିନ୍ତୁ ଏଇଟା କିପରି ସମ୍ଭବ ?"

-"ତମେ ଚାହିଁଲେ ଏ ଅସମ୍ଭବ ସମ୍ଭବ ହେଇ ପାରିବ ।"

-"କେମିତି ସାର ?"

-"ତମର career exchange କରି ...।"

-"ବୁଝି ପାରିଲିନି ସାର ।"

-"ରୋଜି ପାଇଁ ତମେ exam ଦେବ ଆଉ ତମ ପାଇଁ ସେ...।"

-"ମୋ career ନଷ୍ଟ ହେଇଯିବ ସାର ।"

-"ଦେଖ, ବର୍ତ୍ତମାନ ତମ career ଅପେକ୍ଷା ତମ ବାପାଙ୍କ ଜୀବନ ତମ ପାଇଁ ବଡ଼ ହେବା ଉଚିତ । ଥରେ ଭାବି ଦେଖ,ତମେ topper ହେଲେ ତମ career ତ ଵନିଯିବ, ହେଲେ ତମ ବାପାଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ ହେଇପାରିବନି । ତା ଛଡା ରୋଜି ତ ତମ ପାଇଁ exam ଦେବ, ହୁଏତ ତମେ 2nd class ପାଇ କେଉଁଠି ବି ଚାକିରିଟିଏ ଯୋଗାଡ଼ କରି ନିଜକୁ ପ୍ରତିପୋଷଣ କରି ପାରିବ । ବର୍ତ୍ତମାନ ତମ ଆଗରେ ୨ ଟି ରାସ୍ତା । topper ହେଇ ବାପାଙ୍କ ଜୀବନକୁ ବଳି ଦେବାକୁ ଚାହୁଁଚ ନା ଏଇ ଅଫର ଗ୍ରହଣ କରି ସାରା ଜୀବନ ସୁଖ ଶାନ୍ତିରେ କାଟିବାକୁ ଚାହୁଁଛ ?"

-" କିନ୍ତୁ, ଆପଣଙ୍କ ପ୍ରତିଶୃତି ? ଆପଣ ମୋ ବାପାଙ୍କୁ ପ୍ରତିଶୃତି ଦେଇଥିଲେ, ମୋ career ପାଇଁ ଅର୍ଥ ପ୍ରତିବନ୍ଧକ ରହିବ ନାହିଁ । ମୁଁ ଭଲ ପାଠ ପଢେ, ପରୀକ୍ଷାରେ top କରେ, ଏଇଟା ମୋ ବାପାଙ୍କର ସ୍ୱପ୍ନ । ଯଦି ମୁଁ 2nd class ପାଏ, ମୋ ବାପାଙ୍କର ସେ ସ୍ୱପ୍ନର କଣ ହେବ ? ତାଙ୍କ ସ୍ୱପ୍ନ ଭାଙ୍ଗି ଯିବନି ?"

-"ଦେଖ ରୀନା, ତମ ବାପାଙ୍କୁ ମୁଁ ପ୍ରତିଶୃତି ଏଇଥି ପାଇଁ ଦେଇଥିଲି, କାହିଁକି ନା ମୁଁ ଜାଣିଥିଲି ତମେ exam ରେ top କରିବ, ଯାହା ଫଳରେ ମୋ ସ୍କୁଲର ସୁନାମ ବଢ଼ିଯିବ । କିନ୍ତୁ ତମେ topper ହେବା ଦ୍ୱାରା ଯଦି ମୋ ସ୍କୁଲରେ ତାଲା ପଡେ, ସେଇଟାକୁ ମୁଁ କିପରି ବରଦାସ୍ତ କରିବି?"

-"ସାର, ମୁଁ ବୁଝିପାରୁନି ମୁଁ topper ହେଲେ ସ୍କୁଲରେ ତାଲା କାହିଁକି ପଡିବ?"

-"ଧିରେନ ପଟ୍ଟନାୟକ ମତେ କହି ଯାଇଛନ୍ତି, ଯଦି ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୁଏ, ତେବେ ସେ ତମ ବାପାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ସ୍କୁଲକୁ ୫୦ ଲକ୍ଷ donation ଦେବେ, ନଚେତ ସ୍କୁଲର license cancel କରିଦେବେ । ଏ ସ୍କୁଲକୁ ସହରରେ ପ୍ରତିଷ୍ଠିତ କରିବା ପାଇଁ ମୁଁ ବହୁତ ପରିଶ୍ରମ କରିଛି, ତେଣୁ କୌଣସି ବି ପରିସ୍ଥିତିରେ ମୁଁ ଏ ସ୍କୁଲକୁ କେବେ ବନ୍ଦ ହେବାକୁ ଦେବିନି ।"

-"ଦେଖନ୍ତୁ ସାର, ଆପଣ ଯେମିତି ଅନେକ ପରିଶ୍ରମ କରି ଏ ସ୍କୁଲକୁ ଗଢ଼ିଛନ୍ତି, ଆଉ ଏହାର କୌଣସି କ୍ଷତି ଆପଣ ବରଦାସ୍ତ କରିପାରିବେନି, ଠିକ ସେମିତି ମୁଁ ଅନେକ ପରିଶ୍ରମ କରି ମୋ career ବୃକ୍ଷକୁ ବଢ଼ାଇଛି । ଏବେ ସେ ବୃକ୍ଷରେ ଫଳ ଧରିଲା ବେଳକୁ ଆପଣ କହୁଛନ୍ତି, ତାକୁ ଆଉ କାହାକୁ ଦାନ କରିଦେବା ପାଇଁ...ନା ସାର...ମୁଁ ପାରିବିନି...ମୁଁ ପାରିବିନି...।"


ରୀନାର ଆଖି ଲୁହ ଛଳ ଛଳ ହେଇଗଲା । ମୁଁ ତାର ଲୁହକୁ ଦେଖି ପାରୁଥିଲେ ମଧ୍ୟ ମୋର ସ୍ୱାର୍ଥ ଆଚ୍ଛାଦିତ ହୃଦୟରେ କୌଣସି ପରିବର୍ତ୍ତନନ ଘଟିଲା ନାହିଁ । ମୁଁ ମୋର ଗଳାକୁ ଟିକେ ଚଢା କରି କହିଲି-"କେଉଁ career କଥା ତମେ କହୁଛ ?standard 9ରୁ ତମ ପାଠ ପଢ଼ାରେ ଡୋରି ବନ୍ଧା ହେଇ ସାରିଥିଲା । ମୋରି ଅନୁଗ୍ରହରୁ ଆଜି ତମେ board exam ଦେବାକୁ ଯାଉଛ । ମୁଁ ଅନୁଗ୍ରହ ବନ୍ଦ କରିଦେଲେ ତମେ topper କଣ ହେବ exam ବି ଦେଇ ପାରିବନି କାହିଁକି ନା form fill-up ପାଇଁ ଯେତିକି ଟଙ୍କା ଆବଶ୍ୟକ ସେତକ ମଧ୍ୟ ତମ ପାଖରେ ନାହିଁ । ମୋ କଥା ମାନି ଏ ପ୍ରସ୍ତାବରେ ରାଜି ହେଇ ଯାଅ, ଭାବି ନିଅ ଏ ତମର ଗୁରୁ ଦକ୍ଷିଣା ।"

-"ସାର, ଗୁରୁ ଦ୍ରୋଣ ଏକଲବ୍ୟ କୁ ପାଠ ନ ପଢାଇ ବି ଗୁରୁ ଦକ୍ଷିଣା ବାହାନାରେ ତାର ସବୁ ବିଦ୍ୟା ହରଣ କରିବାର ବ୍ୟବସ୍ଥା କରିଥିଲେ । ସେଇଭଳି ଆପଣ ବି କିଛି ଅନୁଗ୍ରହ କରି ମୋ ଜୀବନର ସବୁ ପୁଞ୍ଜିକୁ ହରଣ କରିବାକୁ ଚାହୁଁଛିନ୍ତି । ଆଉ ତାକୁ ଗୁରୁଦକ୍ଷିଣାର ଚମକିଆ ଖୋଳରେ ଲୁଚାଇ ବାହାବା ନେବାର ଯୋଜନା କରୁଛନ୍ତି । ବାଃ ରେ ଗୁରୁ...ବାଃ ରେ ଗୁରୁ ଦକ୍ଷିଣା ।...... ଠିକ ଅଛି ସାର ମୁଁ ଆପଣଙ୍କ ପ୍ରସ୍ତାବକୁ ଗ୍ରହଣ କରୁଛି ।" କଥା ଶେଷ ହେଲା ବେଳକୁ ତା ଆଖିର ଦୁଇଧାର ଲୁହ ଓଠକୁ ଛୁଉଁ ଥିଲା । ମନେ ମନେ ମୁଁ ଭାବିଲି ଯାହା ହେଉ ଏତେ ବଡ଼ ସମସ୍ୟାର ସରଳ ସମାଧାନ ହେଇଗଲା ।


କିଛିଦିନ ପରେ.....


ଅଫିସରେ ଆଜି ମତେ ଫୋନ ରିସିଭ କରିବାକୁ ତର ନଥାଏ । କଲ ପରେ କଲ....ସମସ୍ତେ ଵଧାଇ ଦେବାରେ ବ୍ୟସ୍ତ, କାହିଁକି ନା ଆଜି board exam ର result ପ୍ରକାଶ ପାଇଛି, ଆଉ ମୋ ସ୍କୁଲର student ରୋଜାଲିନ ପଟ୍ଟନାୟକ all India level ରେ top କରିଛି । ମୁଁ ଅଧ୍ୟକ ହିସାବରେ ଵଧାଇର ପାତ୍ର । ସତରେ କଣ ମୁଁ ଵଧାଇର ପାତ୍ର ? ହଁ..କାହିଁକି ନୁହେଁ...? ସେ ରୋଜି ହେଉ କି ରୀନା..ମୋରି ସ୍କୁଲ ର student ତ ? ହେଲେ ରୀନା ଜୀବନରେ ଯେଉଁ ଘଟଣା ଘଟିଗଲା, ସେଇଟା କଣ ଠିକ୍ ? ମୋର ବା ଚାରା କଣ ଥିଲା ? ରୀନାକୁ ବଂଚେଇଥିଲେ ମୋ ସ୍କୁଲରେ ତାଲା ପଡିଥାନ୍ତା । ତା ଛଡା ରୀନାକୁ ତ ମୁଁ ଠକି ଦେଇନି । ମୁଁ ତାକୁ ତାର ଉଚିତ ପ୍ରାପ୍ୟ ଦେଇଛି । ଅବଶ୍ୟ ଏଇଟା ଅଲଗା କଥା ଯେ, ଡାକ୍ତର ମାନେ ଅନେକ ଚେଷ୍ଟା କରି ମଧ୍ୟ ତା ବାପାଙ୍କୁ ବଂଚେଇ ପାରି ନଥିଲେ । ସେମାନେ ବା ଆଉ କଣ କରିପାରିଥାନ୍ତେ ? ତା ବାପାଙ୍କର ସମୟ ସରିଯାଇଥିଲା । କିନ୍ତୁ ରୀନା...ସେ ଏବେ କଣ କରୁଥିବ ? ତା ବାପାଙ୍କର ମୃତ୍ୟୁ ପରେ ସେ ଏକଦମ ଏକୁଟିଆ ହେଇଯାଇଥିବ ନା ?


ମୋ ଭାବନାରେ ପୂର୍ଣ୍ଣଛେଦ ପକାଇ ପିଅନ ନିଉଜପେପରଟା ଆଣି ଟେବୁଲ ଉପରେ ରଖିଲା । ପେପର ଉପରେ ମୁଁ ଆଖି ବୁଲାଇ ଆଣିଲି । ପ୍ରଥମ ପୃଷ୍ଠାରେ ରୋଜାଲିନ topper ହେବା ଖବର ବଡ଼ ବଡ଼ ଅକ୍ଷରରେ ଛପା ହେଇଥିଲା । ପୃଷ୍ଠା ଓଲଟାଇ ଅନ୍ୟ ଖବର ଦେଖି ଚାଲିଲି । ତୃତୀୟ ପୃଷ୍ଠାର ଗୋଟିଏ କୋଣରେ ଛପା ହେଇଥିବା ଏକ ଖବର ଉପରେ ମୋ ଆଖି ଅଟକିଗଲା । ଖବରଟି ଏଇ ପରି-


"ପରୀକ୍ଷାରେ କମ ମାର୍କ ରଖିବା କାରଣରୁ ମାନସିକ ଭାରସାମ୍ୟ ହରାଇ ରୀନାରାଣୀ ମହାନ୍ତି ନାମ୍ନୀ ଯୁବତୀଙ୍କ ଆତ୍ମହତ୍ୟା ।"


ପେପରଟି କାହିଁକି କେଜାଣି ହାତକୁ ଓଜନିଆ ଲାଗିଲା । ମୋର ମନେ ହେଲା ରୀନାର ଗୁରୁଦକ୍ଷିଣା ଭାରରେ ମୁଁ ଯେମିତି ମାଟି ଭିତରକୁ ଧସି ଯାଉଛି....।



Rate this content
Log in