ଗର୍ଭଣା ସଙ୍କ୍ରାନ୍ତି
ଗର୍ଭଣା ସଙ୍କ୍ରାନ୍ତି
ରଥଚକ ପରି ସମୟ ଗଡି ଚାଲିଛି ବଢି ଚାଲିଛି ଅନବରତ ।ବିନା ବିଶ୍ରାମ ନେଇ ଆଗକୁ ଆଗକୁ ଡେଇଁ ଚାଲିଛି । ନୀଳକଣ୍ଠ ମିଶ୍ର , ମିଶ୍ର ସାରଙ୍କୁ ଆଜି ଆଦୌ ଭଲ ଲାଗୁନି । ଏକେତ ଶିତୁଆ କୋହଲା ପାଗ ।ପୁଣି ସକାଳୁ ସକାଳୁ ଘନ କୁହୁଡିର ଆସ୍ତରଣ । କିଛି ଦେଖାଯାଉନି । ବାୟୁମଣ୍ଡଳକୁ କୁହୁଡିର ଚାଦରିଆ ଆସ୍ତରଣ ଘେରିରହିଥିବା ଭଳି, ମିଶ୍ର ସାରଙ୍କୁ ଅଳସୁଆମୀର ହାଲକା –ପୁଲକା ନିଶା କେମିତି କେମିତି ଘେରି ରହିଛି ।
ମିଶ୍ର ସାର ନବୋଦୟ ବିଦ୍ୟାଳୟ ,ମୁଣ୍ଡୁଳି ,କଟକରେ କାର୍ଯ୍ୟରତ । ସାମାଜିକ ବିଜ୍ଞାନ ପଢାନ୍ତି । ମାତ୍ର ଆଜି ଭଳିଆ କୁହୁଡିଆ –ଅଳସୁଆମୀ ଦିନରେ ପାଠ ପଢେଇବାକୁ ବିଲକୁଲ ମୋଡ଼ ହେଉନି । ତେଣୁ କ୍ଳାସରେ ସେଲ୍ଫ ଷ୍ଟାଡି । ଇତିହାସର ଭାଷଣ ନାହିଁ କି ଭୂଗୋଳର ଗ୍ରାଫିକାଲ ଏକ୍ସ-ପ୍ଲାନେସନ ବି ନାହିଁ କି ପଲିଟିକାଲ ସାଇନ୍ସର ସାମ୍ବିଧାନିକ ଚର୍ଚ୍ଛା ବି ନାହିଁ । ଷ୍ଟାଫ କମନରୁମରେ ପୁରା ଚୁପଚାପ । ବହୁତ କ୍ଳାନ୍ତ ଲାଗୁଛନ୍ତି ।ନିରସିଆ ନିସ୍ତେଜିଆ ବେମନୁଆ ଦେଖାଯାଉଛନ୍ତି ।
ଟି-ବ୍ରେକ ହେଲା । ଚା’ କପର ଉଷ୍ମତା ବି ମୋଡରେ କିଛି ବଦଳେଇ ପାରିଲାନି ।କାଣିଚାଏ ବି ଅଳସୁଆମୀ ଦୋହଲି ପାରିଲାନି । କ’ଣ କରିବା ।କିଂ କରିସ୍ୟତି ?
କ’ଣ କରିବା ? କ’ଣ କରାଯାଇ ପାରେ ? ଏମିତି ଦୋ-ଛକିରେ ହରଡ ଘଣାରେ ପଡି ମୋବାଇଲରେ ଗାଁର ବାଲ୍ୟବନ୍ଧୁ ତ୍ରିଲୋଚନ ପରିଡା ଊରଫ କିତିକା ସହିତ ଟିକିଏ କପୋଥ-କଥନ ହେଲେ କୁଆଡେ ଭାରାକ୍ରାନ୍ତ ମନଟା ସଜାଡି-ସଳଖି ବସନ୍ତା , କାଳେ ପରାସ୍ତ –ତ୍ରସ୍ତ କୁହେଳିକାମୟ ଅମା-ଅନ୍ଧାରର କାଳିମାବୋଳା କଳାବାଦଲ ମନ ମଗଜର ଦିଗବଳୟରୁ ଦୂରେଇଯାନ୍ତା ଛତ୍ରଭଙ୍ଗ ଦିଅନ୍ତା ଯେମିତି ସକାଳର ବାଲାରୁଣ ଆକାଶର ଅଗଣା ଛୁଇଁଲେ କୁହୁଡି ମିଳେଇଯାଏ ଲାଙ୍ଗୁଡ ଜାକି ଛାଡିପଲାଏ ।
“ହେଲୋ !----- କିତିକା ଭାଇ । ଜୟ ଜଗନ୍ନାଥ । ମୁଁ ନୀଳକଣ୍ଠ ମିଶ୍ର କଟକରୁ କହୁଛି ।”
“ କି’ଏ ---ଆଶୁଆ କି ---ହେ-ହେ—ହେ—“।
“କ’ଣ ଚାଲିଛି ଭାଇ ? ପିଲା –ଝିଲା –ପରିବାର କଥା କ’ଣ ?”
“ଭାଇ ! ଆସନ୍ତା କାଲି ଖାଡିମାରା । ଗର୍ଭଣା ସଙ୍କ୍ରାନ୍ତି । ତେଣୁ ପନ୍ତାକୁ ଆସିଛି ଖାଡି ଗଣ୍ଡେ କାଟିବାକୁ । ତୁ ତ ଜାଣୁ ଆମର ଅଣଖା ଖାଡି ଦରକାର । ବୁଆଳ ଚଳିବନି । ସନ୍ଦ୍ୟାବେଳେ କଥାହେଲେ ଚଳିବନି। ବାୟ ---ବାୟ ---।”
“ଓକେ ---ବାୟ ---।”
ଖାଡିମାରା ଅର୍ଥାତ ଗର୍ଭଣା ସଙ୍କ୍ରାନ୍ତି କଥାଟା କର୍ଣ୍ଣଗୋଚର ହୁଅନ୍ତେ ମିଶ୍ର ସାର ଜେଜେମା ବୁଢୀମା କଥା ମନେପକେଇଲେ । ଜେଜେମା ବୁଦ୍ଧିମଣୀ ଦେବୀ ଆଜକୁ ଦୀର୍ଘ ୩୦ ବର୍ଷ ତଳୁ ଆରପାରିକୁ ଗଲେଣି ।ମାତ୍ର ଖାଡିମାରା ଦିନ ତା’ର ହାତ ତିଆରି ଖୁକୁଣ୍ଡି ପିଠାର ସୁଆଦ –ମିଠାସ ଆଜି ବି ବାରି ପାରିଲେ । ନିଜ ଅଜାଣତରେ ହାତକୁ ବି କେତେଥର ଶୁଙ୍ଘି ପକେଇଲେଣି ।
ଗର୍ଭଣା ସଙ୍କ୍ରାନ୍ତିର ପୂର୍ବ ଦିନ ରାତିରୁ ବୁଢୀମା ଆଉ ଶୁଇବନି । ଉଆଚାଉଳକୁ ପାଣିରେ ବତୁରି, ଢିଙ୍କିରେ ଚୂନା କୁଟି, ଚାଲୁଣିରେ ଚଳେଇ , ତାଳ ଖୁକୁଣ୍ଡିକୁ ହାଣି , ଶଶ ବାହାର କରି , ଶୀଳରେ ବାଟି , ମାଟି ତାୱାରେ ଗରମ ଗରମ ଚକୁଳି ପିଠା ସକାଳୁ ସକାଳୁ ଆମକୁ ଖାଇବାକୁ ଦେବ । ପିଠା ଖାଇ ବାପା ସାଙ୍ଗରେ ଖାଡିପୂଜା ସ୍ଥଳରୁ ଖଣ୍ଡେ କାନ୍ଧରେ ପକେଇ ଧାନବିଲକୁ ଯାଉ । ସେହି ବାଲ୍ୟ କୈଶୋର ବିଗତ ଦିନର ସ୍ମୃତିସବୁ ଉଙ୍କିମାରିଲା ।
ବୁଢୀମା’ର ବଳେଇ ବଳେଇ ଚକୁଳି ପିଠା ଖୁଏଇବା , ସାଙ୍ଗରେ ନଡିଆ କୋରା ମେଞ୍ଚେ ମେଞ୍ଚେ ଥାଳି ପାଖରେ ପକେଇଦେବାର ନିଆରା ସ୍ନେହ –ବୋଳା ପରଷକୁ ମନେ ମନେ ଅନୁଭବ କରନ୍ତେ ଆଖିକୋଣ ଜକେଇ ଆସିଲା । ଆଖି-ନଦୀରେ ବନ୍ୟା ଆସିବାର ଆଭାସ ଦସ୍ତକ ଦେଲା କିନ୍ତୁ କୂଳ ଲଂଘିବା ଆଗରୁ ମିଶ୍ର ବାବୁଙ୍କ ରୋମାଲ ତା’ ଉଜାଣି ଶ୍ରୋତକୁ ପୋଛି ପକେଇଲା ।
ବୁଢୀ ମା’ର ହସ ହସ ମୁଁହ –ପାନଖିଆ ପାଟି –ରୂପା ପରି ଚକଚକ ଦାନ୍ତ ସବୁ – ଆକାଶିଆ ଉଢଣାରେ ଢଙ୍କା ତା’ର ଗୋରା ଗୋରା ତକତକ ହସିଲା ପୁରିଲା ମୁଁହକୁ ଯେମିତି ସେ ଦେଖିପାରିଲେ । ବାଲ୍ୟ ଜୀବନର ପେଡି ଖୋଲିଗଲା ପରି କେତେ କଥା-ନଥା ସବୁ ଧାଡି ଧାଡି ହୋଇ ଆଖି ଆଗରେ ଚାଲି ବୁଲିଲେ ।
ସ୍ନେହ କାଙ୍ଗାଳି ମିଶ୍ରବାବୁ ! ଆଜିର ଏ ମହରଗ ବସ୍ତୁବାଦୀ ବଜାରମାର୍ଗୀ ଦୁନିଆରେ ସବୁ କିଣିଲେ ମିଳେ । କେବଳ ମିଳିବନି ଜେଜେମାର ବୁଢୀମାର ଆକାପଟ୍ୟ ସ୍ନେହିଳ ପରଶ , ଅମୃତ ଧାରାସମ ଆଶୀର୍ବାଦର କଳସ , ବଳେଇ ବଳେଇ ଖୁଆଇବାରେ ସରସ , କିଛି ନ ମାଗି ସବୁ ଦେଇଦେବାରେ ସହର୍ଷ .........।
ହଠାତ ସ୍କୁଲ ଛୁଟିର ଘଣ୍ଟି ବାଜିଉଠିଲା ଟିଙ୍ଗ-- ଟିଙ୍ଗ – ଟିଙ୍ଗ । ଉଦ୍ଧବ ଭାଇ ତାଙ୍କର ଚିରାଚରିତ ଢଙ୍ଗରେ ଘଣ୍ଟି ବଜେଇଦେଇ ପିଲାମାନଙ୍କ ହସୁଆ-ଖୁସିଆ ଚେହେରାକୁ ଦେଖୁଥିଲେ ଆଉ ନିଜେ ଆପେ ଆପେ ନିଜ ଅଜାଣତରେ ବି ଟିକେ ମୁରୁକି ଦେଉଥିଲେ ।
ମିଶ୍ର ବାବୁ ମଧ୍ୟ ହସ ହସ ଲାଗୁଥିଲେ । ସକାଳର ଅଳସୁଆମୀ ଗର୍ଭଣା ସଙ୍କ୍ରାନ୍ତି ଆଉ ବୁଢୀମା’ର ସରୁ ଚକୁଳି ପିଠାର ମିଠାସ ଆଗରେ କୁଆଡେ ମନ-ମଗଜରୁ ଉଭାନ ଫେରାର ।
ସାର ବିଦ୍ୟାଳୟର ମୁଖ୍ୟ ଫାଟକ ପାଖରେ ପହଞ୍ଚିଲେ। ବଉଳ ଗଛର ଗହଳିଆ ପତ୍ରରେ ସକାଳିଆ କାକରବିନ୍ଦୁ ସୂର୍ଯ୍ୟ-ରଶ୍ମି ସହିତ ଦୋସ୍ତିରେ ମିଶି ଖାଲି ସୁବର୍ଣ୍ଣ ଆଭାର ବିକିରଣ କରୁଥିଲା ଆଉ ସମୀରଣର ମୃଦୁ ହିଲ୍ଲୋଳରେ ଖୁସି-ମସ୍ତିର ମୂର୍ଚ୍ଛନା ମିଶ୍ର ବାବୁଙ୍କୁ ବି ବେଶ ମତୁଆଲା କରୁଥିଲା ।