Binay Mohapatra

Others

3  

Binay Mohapatra

Others

ଗଙ୍ଗାଜଳ

ଗଙ୍ଗାଜଳ

3 mins
276


ସମସ୍ତେ ପୂଜାରେ ବସି ସାରିଲେଣି, ହଠାତ ପୁରୋହିତେ କହିଲେ ଗଙ୍ଗାଜଳ କାଇଁ, ଗଙ୍ଗାଜଳ ବୋତଲଟା ତ ନଜର ଆସୁନି, ବିନା ଗଙ୍ଗାଜଳରେ ପୂଜା କେମିତି ହେବ? କଳଶ ପାଣିରେ ଦି ଟୋପା ଗଙ୍ଗାଜଳ ନପଡିଲେ କଳଶ ସ୍ଥାପନା ହୋଇ ପାରିବନି, ପୂଜା ଗଡୁରେ ଦି ଟୋପା ଗଙ୍ଗାଜଳ ବିନା ଠାକୁରଙ୍କ ସ୍ନାନ ଆଚମନ କେମିତି ହେବ ? ସେତିକି ବେଳକୁ ବଡ ଭାଉଜ ପାଟିଟାଏ କରି କହିଲେ, ସାନକୁ କହିଥିଲିପା ଠାକୁରପୂଜାର ସାମଗ୍ରୀ ସବୁ ଜୋଗାଡ କରିବାକୁ, କିଛି ଅସୁବିଧା ହେଲେ ମଝିଆଣିକୁ ପଚାରି ନେବୁ, ନହେଲେ ମୋତେ କହିବୁ ! ହେଲେ ଆଜି କାଲିକା ଝିଅ ତ ସବୁ ଭାରି ସିଆଣୀ କାହାକୁ କିଛି ପଚାରିବାକୁ ସରମ ଆସେ । ହଠାତ ମାଆ ଶାନ୍ତ ସ୍ୱରରେ କହିଲେ, ଆରେ ସୁଲୋଚନା, (ସୁଲୋଚନା ବଡ ଭାଉଜଙ୍କ ନାଆଁ), ୟାକୁ ତାକୁ ଦୋଶ ଦେଇ କଣ ହେବ, ସିଏତ ନୂଆ ବୋହୁଟା, ଏ ଘରର ରୀତି ନୀତି ଶିଖିବାକୁ ତାକୁ ସମୟ ଲାଗିବ, ସେ କଣ ଜାଣିଛି ଏ ଘରର କୋଉ ଜିନିଷ କୋଉଠି ଥାଏ ? ତମେ ତ ସବୁ ବାହାରେ ରହିଲ, କୁଣିଆ ପରି ଦି ଚାରି ଦିନ ପାଇଁ ଘରକୁ ଆସିବ, କେମିତି ଜାଣିବ କୋଉ ଜିନିଷ କୋଉଠି ରହେ ? ଯାଆ ଦେଖ, ଠାକୁର ଘର ଉପର ଥାକରେ ଗଙ୍ଗାଜଳର ସେଇ କାଚ ବୋତଲଟାରେ ଅଛି ଗଙ୍ଗାଜଳ, ଯଦି କମ୍ ହୋଇ ଯାଇଥିବ ସେଥିରେ ଗିନାଏ ପାଣି ମିଶାଇ ଦେବୁ । ସେ ବି ଗଙ୍ଗାଜଳ ହୋଇଯିବ ।

ଗଙ୍ଗାଜଳ, ଏଇ ଗଙ୍ଗାଜଳ ବହୁତ ପୁରୁଣା, ଯେତେବେଳେ ଜେଜେ ଆଉ ଜେଜେମାଆ ବଞ୍ଚିଥିଲେ ସେବେ ଯାଇଥିଲେ ତୀର୍ଥ କରିବାକୁ, ପୁରା ମାସେ କାଳ ସାରା ଭାରତ ଭ୍ରମଣ କରି ଆସିଥିଲେ । ହରିଦ୍ୱାରରୁ ଆଣିଥିଲେ ବୋତଲେ ଗଙ୍ଗାଜଳ । ସେ ସମୟରେ ଆଜିକାଲିକା ପରି ପ୍ଲାଷ୍ଟିକ ବୋତଲ କି ଜାର ମିଳୁ ନଥିଲା । ସେ ଯୁଗରେ ବୋତଲ କହିଲେ କାଚର ବୋତଲ ସବୁ, କିରୋସିନ୍ ଠାର ଆରମ୍ଭ କରି ରୋଷେଇ ଘରର ଶୋରିଷ ତେଲ ବୋତଲ ହେଉ କି ଗଙ୍ଗାଜଳ ସବୁ କାଚ ବୋତଲ । ଏମତିକି ସ୍ୟାହି ଶିଶିର ଠିପିରେ କଣାଟାଏ କରି ସେଇ ବାଟେ ବଳିତାଟିଏ ଲଗାଇ ଦେଇ ଶିଶିରେ କିରୋସିନ ଭରିଦେଲେ ସେ ହୋଇ ଯାଉଥିଲା ଡିବିରି । ଇଲେକ୍ଟ୍ରିକ ତ ନଥିଲା, ସଂଜ ହେଲେ ଲଣ୍ଠନ କି ଡିବିରି ଖୋଜାହୁଏ । ଆଜି ବି ମନେ ପଡେ ପିଲାଦିନର ସେଇ କଥା ସବୁ, ସେଇ ଡିବିରି ଆଲୁଅରେ ପାଠ ପଢିବା କଥା, ଆଜି କାଲିକା ପିଲେ ଏ ଦେଶୀ ଜୋଗାଡ କଥା ଶୁଣିଲେ ହସିବେ । ଛାଡ, ଗଙ୍ଗାଜଳ କଥା କହୁଥିଲି ନା' । ହଁ ସେଇ ଯୁଗର ସେଇ ଗଙ୍ଗାଜଳ ଆଜି ଯାଏ ବ୍ୟବହାର ହେଉଛି । ସାଇ ପଡିଶାରେ କାହାର କେବେ ପୁଜା ପାଠ ହେଉ କି ମଲା ମଣିଷ ମୁହଁରେ ଟୋପାଏ ଗଙ୍ଗାଜଳ ଦେବାକୁ ଆମରି ଘରୁ ମାଗିନିଅନ୍ତି ଗଙ୍ଗାଜଳ । ଗାଆଁରେ ପ୍ରାୟ ସମସ୍ତଙ୍କୁ ଜଣା, କୋଉଠି ନ ମିଳିଲେ ବି ଆମ ଘରେ ନିଶ୍ଚୟ ମିଳିଯିବ ଗଙ୍ଗାଜଳ । ବଡ ଆଶ୍ଚର୍ଯ୍ୟ ଲାଗେ କୋଉ ଯୁଗର ସେ ଗଙ୍ଗାଜଳ ଆଜିଯାଏ ସେମିତି, ସେତିକି ଅଛି । ସତେବା ଏଇଟା ମାଆ ଲକ୍ଷ୍ମୀଙ୍କର ଶ୍ରୀୟା ଚଣ୍ଡାଳୁଣୀକୁ ଦେଇଥିବା ଅକ୍ଷୟ ପାତ୍ର ! ଯେତେକି ଦରକାର ସେତିକି ମାଗିବୁ, ଦେଖିବୁ କେବେ ଖାଲି ହେବନି ଏ ପାତ୍ର, କେବେ ଯଦି ଲୋଭରେ ଆବଷ୍ୟକତା ଠାରୁ ଅଧିକ କାଢିବୁ ତେବେ ଏ ପାତ୍ର ଶୁନ୍ୟ ହୋଇଯିବ । ଜେଜେ ମାଆ ବି ମାନିଥିଲା ଏ ମନ୍ତ୍ର, ମାଆ ବି ମାନୁଚି ଆଗକୁ ଚାଲି ବୋହୁମାନେ ବି ମାନିବେ ବୋଲି ମାଆ ସବୁବେଳେ ଶିଖାଏ, ସତେବା ଏଇ ବୋତଲଟା ସ୍ୱୟଂ ମାଆ ଗଙ୍ଗା !

ଏ ଗଙ୍ଗାଜଳ ବୋତଲ କେବେ ବି ଶୁନ୍ୟ ହୁଏନି ? ଜେଜେମାଆ ଯେତେ ବେଳେ ହରିଦ୍ୱାରରୁ ଏ ଜଳ ଆଣିଥିଲା ସେତେବେଳେ ଜଣେ ସାଧୁ କହିଥିଲେ, ଝିଅ, ଯେତେବେଳେ ବୋତଲ ଅଧା ହୋଇଯିବ ଏଥିରେ ଆଉ କିଛି ପରିଷ୍କାର ପାଣି ମିଶାଇ ପୁଣି ବୋତଲ ଭରି ନେବୁ । ଟୋପାଏ ଗଙ୍ଗାଜଳ ସାରା ସମୁଦ୍ରର ଜଳକୁ ବି ଗଙ୍ଗାଜଳ କରିଦେଇ ପାରେ । ମାଆ ଗଙ୍ଗା କଲ୍ୟାଣମୟୀ ପାପ ନାଶିନୀ, ତୋର ଏ ଗଙ୍ଗାଜଳ ବୋତଲ କେବେ ଖାଲି ହେବନି, ମାଆ ଗଙ୍ଗାର ଆଶିର୍ବାଦ ତୋ ସାଙ୍ଗରେ ଅଛି । ସେଇ ଫର୍ମୁଲାରେ ଜେଜେମାର ବୋତଲ କେବେ ଖାଲି ହୋଇ ନଥିଲା, ମାଆର ବୋତଲ ବି ଖାଲି ହୋଇନି, ଆଶା ବୋହୁ ମାନଙ୍କ ଅମଳରେ ବି ଏଇ ଅକ୍ଷୟ ବୋତଲ କେବେ ଖାଲି ହେବନି ସତେବା ଏଇ ବୋତଲଟାରେ ମାଆ ଗଙ୍ଗା ସ୍ୱୟଂ ବିଜେ କରିଛନ୍ତି ।

ବେଳେ ବେଳେ ମନେ ହୁଏ ସତେବା ଏଇ ବୋତଲ ଗୋଟିଏ ଅକ୍ଷୟ ପାତ୍ର ଅଥବା ସ୍ୱୟଂ ମାଆ ଗଙ୍ଗା ଏଇ ବୋତଲ ଭିତରେ ବିରାଜମାନ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ, ଆସ୍ଥା ଓ ବିଶ୍ୱାସ କେତେ ମଝଭୂତ ସତେ । କାଠ ପଥରରେ ସିନ୍ଦୁର ବୋଳି ଆଜି ବି ଆମେ ଆମର ଇପ୍ସିତ ବରଦାନ ପାଇଁ ପ୍ରାର୍ଥନା କରୁଛୁ, ଭଣ୍ଡ ସାଧୁ ସନ୍ୟାସୀଙ୍କ ଚରଣ କମଳରେ ସାରା ଜୀବନ ଉତ୍ସର୍ଗ କରି ଦେଉଛୁ, ଏହାର ନାଆଁ କଣ ଆସ୍ଥା ଆଉ ଭଗବାନ ? ହଁ, କହନ୍ତି ମନ ନିର୍ମଳ, ଆସ୍ଥା ଶୁଦ୍ଧ ଓ ବିଶ୍ୱାସ ଦୃଢଥିଲେ ସବୁ ସମ୍ଭବ, ଗୋବର ଗାଡିଆ ବି ଗଙ୍ଗା ପାଲଟି ଯାଏ । ବିଶ୍ୱାସ ଓ ଆସ୍ଥା ହିଁ ଭଗବାନ, ଆଉ ସେଇ ଭରଷାରେ ତ ଦୁନିଆ ଚାଲିଛି ।


***$***


Rate this content
Log in