STORYMIRROR

Rajalaxmi Mohanty

Others

3  

Rajalaxmi Mohanty

Others

ଘରଭଙ୍ଗା ମନ୍ତ୍ର

ଘରଭଙ୍ଗା ମନ୍ତ୍ର

6 mins
139

ମନ ଚାହୁଁଛି ଆଉ ଟିକେ ବିଶ୍ରାମ ନିଅନ୍ତି କି।ସମୟ ଧରା ଦେଉନି।ଏଇନା ଏଇନା ଖାଇସାରି ବାସନ ସବୁ ଉଠେଇ ନେଇ ମଜାମଜି ସାରି ଗଡି ପଡିଲା ବେଳକୁ ବାହାରେ ପାଟି ଶୁଭିଲା ଶାଶୁଙ୍କର "ଆଲୋ ରୀମା ,ଶୋଇପଡିଲୁ କି?ହେଇଟି ପିଉସୀ ଆସିଲେଣି ।ଆଆ ..ପାଣି ଢାଳେ ଆଣିକି ।ଗୋଡ ଧୋଇଦେଇ ଘରକୁ ଡାକିକି ନେ"। ଆଖିପତା ଟିକେ ବୁଜି ହେଇ ଆସିଥିଲା କି ନାହିଁ ପୁଣି ତରବର ହେଇ ଉଠି ବସିଲା ରୀମା।ପାଦ ତଳେ ଲଗେଇ ହେଉନଥାଏ। ଦେହ ଭାରି ଲାଗିଆସିଲାଣି।ଛଅ ପୂରି ସାତ ଚାଲୁଛି ଏବେ।ଏତେବଡ ପେଟକୁ ସମ୍ଭାଳି କାମ କରିବା ଭାରି କଷ୍ଟକର ହେଉଛି ଆଜିକାଲି।ତଥାପି ସେଇଥିରେ ସବୁକିଛି କରିବାକୁ ପଡୁଛି।ଖଟକୁ ଧରି ଟିକେ ଛିଡାହେଇ ନିଜକୁ ସମ୍ଭାଳିଲା ପରେ ଧିରେଧିରେ ସେ ବଖରାରୁ ବାହାରି ଆସିଲା ରୀମା। ଘର ବାହାରେ ନଳକୂପରୁ ପାଣି ଢାଳେ ଆଣି ଆସିଲା ଦାଣ୍ଡକୁ।ସେତେବେଳ ଯାଏ ପିଉସୀଙ୍କୁ ବାହାରେ ଛିଡାକରେଇ ଥାନ୍ତି ରୀମାର ଶାଶୁ ଅହଲ୍ଯା।ରୀମାକୁ ଦେଖି ଚିଡିଚିଡି ହେଇକହିଲେ "ପିଉସୀଟା କେତେବେଳୁ ଆସିଲେଣି ତୁ ଏତେବେଳକୁ ହଲିଝୁଲି ଆସୁଛୁ ।ପାଢି ଢାଳେ ଆଣିକି ଆସିବାକୁ ତୋତେ କେତେ ସମୟ ଲାଗୁଛି କି?ଆମରି ବାଡି ନଳକୂପରରୁ ଆଣିଲୁ ପାଣି ନା ଗଙ୍ଗା ପଳେଇଥିଲୁ ବା"।ଶାଶୁଙ୍କ କଥାର କୌଣସି ଉତ୍ତର ନଦେଇ ପିଉସୀଙ୍କ ଆଡକୁ ଚାହିଁ ହସିଦେଇ ତାଙ୍କ ଗୋଡ ଧୋଇଦେଲା ରୀମା।ତା ପରେ ତାଙ୍କ ଗୋଡରୁ ନେଇ ଜୁହାର ହେଇ ହାତଧରି ଘର ଭିତରକୁ ନେଇ ଆସିଲା।ଖଟ ଉପରେ ବସିଲେ ରୀମାର ପିଉସୀ ଶାଶୁ କନକ ।ଅହଲ୍ଯା ବି ତାଙ୍କ ପାଖରେ ସେଇଠି ବସିପଡି ରୀମାକୁ ବରାଦ କଲେ "ଯା , ବାଡିପଟ ଲେମ୍ବୁ ଗଛରୁ ଲେମ୍ବୁ ଗୋଟେ ଛିଡେଇ ଆଣି ଲେମ୍ବୁ ସରବତ ଟିକେ କରି ପିଉସୀଙ୍କୁ ଦେ"।ରୀମା ଶାଶୁଙ୍କ କଥା ଶୁଣି ବାଡିପଟୁ ଲେମ୍ବୁ ଆଣିବାକୁ ଗଲା।ସେ ଗଲାପରେ ଅହଲ୍ଯା କନକ ଙ୍କ ଆଡକୁ ଚାହିଁ ହସିହସି କହିଲେ "ପକା ଠାପେଇଟା। ଯେତିକି କହିବ ସେତିକି କରିବ।ମନରୁ କିଛି କରିବନି"।କନକ ବି ଭାଉଜ କଥା ଶୁଣି ସାମାନ୍ଯ ହସିଦେଲେ।ସେ ତାଙ୍କ ବାପ ଘରକୁ ପୁତୁରା ବାହାଘର ବେଳେ ଆସିଥିଲେ ଯେ ଯାଇ ଏବେ ଆସୁଛନ୍ତି ଦେଢବର୍ଷ ପରେ।କେବଳ ବୋହୂଟାକୁ ଭଲ ମନ୍ଦ କିଛି ଖୁଆଇବା ପାଇଁ।ନହେଲେ ସେ କେଉଁ ଏଠିକି ଏତେ ଭଲପାଆନ୍ତି କି ଆସିବାକୁ।ସେଇଟା ପୁଣି ଏଇ ଭାଉଜ ପାଇଁ।ଏଇନା ଭାଉଜର ଗୋଡ ତଳେ ଲାଗୁନି ତାଙ୍କୁ ଦେଖି ବୋଲି  ଆଶ୍ଚର୍ଯ୍ଯ ହେଉଛନ୍ତି କନକ। କଥା କ'ଣ ଜାଣିବାକୁ ତ ପଡିବ।


ଏତିକିବେଳେ ରୀମା ଦୁଇଟି ଗ୍ଳାସରେ ଲେମ୍ବୁ ସରବତ ଆଣିକି ଆସିଲା।ଗୋଟେ ପିଉସୀଙ୍କ ହାତକୁ ଓ ଆଉ ଗୋଟେ ଶାଶୁଙ୍କ ହାତକୁ ଦେଲା।କନକ ସରବତ ପିଇସାରି ରୀମାକୁ ପାଖରେ ବସିବାକୁ କହିଲେ।ଅହଲ୍ଯା ସାଙ୍ଗେସାଙ୍ଗେ ପ୍ରତିବାଦ କରି କହିଲେ "ନାଁ ନାଁ, ତୁ ଯା ପିଉସୀ ପାଇଁ ଚା ଟିକେ ବସା।ଏତେବାଟ ବୁଢୀଲୋକ ତୋ ପାଇଁ ସାଦ ଧରିକରି ଆସିଛନ୍ତି"। ରୀମା ମନେମନେ ଭାବୁଥାଏ ଏ ସାଦ ଖାଇବା ଠାରୁ ଭଲ ବରଂ ସେ ଟିକେ ବିଶ୍ରାମ ନେଇଥାନ୍ତା। କିନ୍ତୁ କହିପାରୁଛି କେଉଁଠି।କନକ ବାରମ୍ବାର କରି ମନାକରୁଥାଆନ୍ତି ସେ ଏବେ ଚା ପିଇବେନି ବୋଲି।କିନ୍ତୁ ଅହଲ୍ଯା ଛାଡୁନଥାନ୍ତି।ଆଖିରେ ଇସାରା କରି ରୀମାକୁ ପଠଉଥାନ୍ତି।ରୀମାବି ସେଠୁ ଉଠି ଚାଲିଗଲା  ଚା ବସେଇବାକୁ।ଚା ଆଣି ପିଉସୀଙ୍କ ହାତକୁ ଦେଲା ବେଳକୁ ତା ଶାଶୁ ପୁଣିଥରେ ବରାଦ କଲେ "ଗଲୁ ପିଉସୀ କ'ଣ ସବୁ ଆଣିଛନ୍ତି ସେ ବ୍ଯାଗରେ ଦେଖିକି ଗୋଟେ ପ୍ଳେଟରେ ସଜାଡି ଆଣିବୁ। ଘରୁ କେତେବେଳୁ ଆସିବେଣି।ଭୋକ ହେଉଥିବ। କନକ ଏଥର ବି ଯେତେ ମନାକଲେ ବି ତାଙ୍କ କଥା ଲୁଣୁ ନଥାନ୍ତି ଅହଲ୍ଯା।ରୀମା ବାଧ୍ଯ ହେଇ ଗଲା ସେଇ କାମଟିକୁ କରିବାକୁ। ଗୋଟିଏ ପ୍ଳେଟ୍ ରେ ସବୁ ସଜାଡି ଆଣି ଅହଲ୍ଯା ଓ କନକ ମଝିରେ ରଖିଦେଲା।ଅହଲ୍ଯା ନିଜେ ପାଟିକୁ ଗୋଟେ ଗୋଟେ ପକେଇଦେଇ ବଢିଆ ହେଇଛି ବୋଲି ପ୍ରଶଂସାରେ ପୋତି ପକଉଥାନ୍ତି କନକ ଙ୍କୁ।କନକ ସେକଥାକୁ ନଶୁଣି ରୀମାକୁ ସେ ସବୁରୁ ଟିକେ ଟିକେ ଖୋଇଦେବାକୁ ବାହାରିଲା ବେଳକୁ ତା ଶାଶୁ କହିଲେ "ସେ କ'ଣ ଖାଇବ ତମ ସାଥିରେ ,ତା ଅଇଁଠା ତମେ ଖାଇବ ବଡ ହେଇକି।ସେ ପଛରେ ନେଇ ଖାଇବନି।ଯା , ସବୁଥିରୁ ଟିକେ ଟିକେ କାଢିନେଇ ଗୋଟେ ବ୍ଯାଗରେ ପଶେଇ ବାପାଙ୍କୁ ଦେବୁ ନେଇ ଅପା ଘରେ ଦେଇଆସିବେ। ଗୋଟିଏ ଗାଁରେ ଘର।ପିଲାଟା ଶୁଣିବ କେଉଁଠୁ ଯଦି ଏତେ ଜିନିଷ ତା ପିଉସୀ ଆଣିଥିଲେ ବୋଲି ତା ମନ ସେଇଠି ରହିଥିବ"।ଆଶ୍ଚର୍ଯ୍ଯ ହେଇ ଅହଲ୍ଯା ଙ୍କ ମୁହଁକୁ ଚାହିଁଥିଲେ କନକ।ଇଏ ତାହେଲେ ଯେମିତି ଥିଲେ ଏବେବି ସେମିତି ଅଛନ୍ତି।କେବଳ ନିଜକୁ କାମ କରିବାକୁ ପଡୁନି ବୋଲି ଏତେ ଆଦର ଯତ୍ନ ।ନହେଲେ ଯେଉଁ କଥା କୁ ସେଇ କଥା।


ଶାଶୁଙ୍କ କଥା ଶୁଣି ରୀମା ସେଇଆ କଲା।ଏବେ ଯାଏ ତା ପାଇଁ ଆସିଥିବା ସାଦ ତା ପାଟିରେ ବାଜିନି।ବଡ ନଣନ୍ଦଙ୍କ ଘରକୁ ସବୁ ସଜାଡି ଦେଇ ସାରି ନିଜ ଶ୍ବଶୁର ,ଦିଅର ନଣନ୍ଦଙ୍କୁ ବି ନିଜେ ଆଣି ଗୋଟିଗୋଟି କରି ବାଢିକି ଦେଉଥାଏ।ସମସ୍ତେ ତା ହାତରୁ ପ୍ଳେଟ ନେଇ ଖାଇବାରେ ଲାଗିଥାନ୍ତି।କେହିଜଣେ ବି କହୁନଥାନ୍ତି କି ତୁ ଖାଇଦେ ବୋଲି।କନକ ଙ୍କ ମନଟି ଶୁଖି ଆସିଲାଣି ସେତେବେଳକୁ।ବୋହୂଟା ପାଇଁ କେତେ ଶ୍ରଦ୍ଧାରେ ସେ କେତେ ପିଠାମିଠା ସଜାଡି ଆଣିଥିଲେ,ଦେଖିଲା ବେଳକୁ ସେ ଏଯାଏ ନଖାଇକି ସମସ୍ତଙ୍କୁ ଖୁଆଇବାରେ ଲାଗିଛି।ଭାଉଜଙ୍କୁ ବି ଭରସି କରି କିଛି କହିପାରୁନଥାନ୍ତି।ତାଙ୍କ ଗୁଣ ସହ ସେ ଆଗରୁ ପରିଚିତ।ସେଥିପାଇଁ ତ ନିଜ ବାହାଘର ପରେ ସେ କେଉଁ ଦୁଇତିନି ବର୍ଷକୁ ଥରେ ଆସନ୍ତି ନହେଲେ ନାହିଁ।ନିଜେ ଅହଲ୍ଯା କିନ୍ତୁ ବର୍ଷକୁ ତିନିଚାରିଥର ତାଙ୍କ ବାପାଙ୍କ ଘରକୁ ବୁଲିବାକୁ ଯାଆନ୍ତି।ସେଥିରେ ପୁଣି ବହୁତ ମନ କଷ୍ଟ ଯେ କୁହନ୍ତି ଏ ଘରେ ଗୋଡ ଦେଲାଦିନୁ କାମ କରି କରି ତାଙ୍କ ବାପଘର ସୁଖ ଭୁଲିଗଲେଣି । ସେଥିପାଇଁ କନକ ଙ୍କ ବୋଉ ବଞ୍ଚିଥିବା ଯାଏ ସବୁ କାମରେ ସହଯୋଗ କରନ୍ତି ଅହଲ୍ଯାଙ୍କୁ।ଘରେ ଅନ୍ଯ ମାନେ ବି ଯଥା ସମ୍ଭବ ସାହାଯ୍ଯ କରନ୍ତି।ତଥାପି କେହି କିଛି କରୁନ ବୋଲି ଅଭିଯୋଗ କରିବାକୁ ପଛାନ୍ତିନି ସେ।


ଭାଉଜଙ୍କ କଡା କଥା ଶୁଣିଲେ ପଛେ ଶୁଣିବେ ଭାବି ବୋହୂ ରୀମାର ହାତକୁ ଧରି ଆଣି ପାଖରେ ବସେଇ ନିଜ ହାତରେ ଖୁଆଇଦେଲେ କନକ। ରୀମାର ଶାଶୁ ସେଠୁ ଗରଗର ହେଇ ଚାଲିଗଲେ। ଗଲାବେଳେ କହିଦେଇଗଲେ, ଶୀଘ୍ର ଖାଇକି ଆସିବୁ , ସଞ୍ଜ ବେଳ ହେଇଗଲାଣି।ସଞ୍ଜ ଦେଇସାରି ରୋଷେଇ ବସେଇବୁ।ପିଉସୀ ଜଲଦି ଖାଇଲେ ଶୋଇବେ ଜଲଦି। ଶାଶୁଙ୍କ କଥାରେ ହଁ ମାରିଲା ରୀମା।ତରବର ହେଇ ଖାଇଦେଇ ଉଠି ଚାଲିଆସିଲା ସେଠୁ ।ଲୁଗା ପାଲଟି ସଞ୍ଜ ଦେଲା।ସଞ୍ଜ ଦେଇସାରି ରୋଷେଇ ଘରେ ପଶିଲା।ମେ ମାସର ଅସହ୍ଯ ଗରମ କୁ ସେ ପୁଣି ଅଖଞ୍ଜ ମଣିଷ।ଦେହ ହାତ ଜଳିଗଲା ଭଳି ଲାଗୁଥାଏ ତାକୁ।ସେଇଥିରେ ଗୋଟିଏ ପରେ ଗୋଟିଏ ରୋଷେଇ କରି ଚାଲିଥାଏ ସମସ୍ତଙ୍କ ମନ ଚାହିଁ।ଘରେ ଲୋକ ଚାରିଜଣ ସିନା ବରାଦ ହଜାର ପ୍ରକାର।ସମସ୍ତଙ୍କର ଗୋଟିଏ ଗୋଟିଏ।ସେଇ ପାଖରେ ଅନ୍ଯ ପଡୋଶୀ ମାନେ ରାତିରେ ରୋଷେଇକୁ ଡରି ସଜ ପଖାଳ ଖାଉଥିବା ବେଳେ ଏକା ରୀମା ଏତେସବୁ ରୋଷେଇ ଏକାଏକା କରୁଛି ଦେଖି କନକ ଙ୍କ ଆତ୍ମା ବିଳପି ଉଠୁଥାଏ।ହେଲେ ସେ ବା କ'ଣ କରି ପାରିବେ।ତାଙ୍କ ପାଟିତ ତିରିଶ ବର୍ଷ ତଳୁ ଚୁପ୍ କରାଯାଇଛି ଏଇ ଘରେ।ଏବେ କେମିତି ପାଟି ଖୋଲି ପାରିବେ।ତଥାପି ଟିକେ ସାହସ କରି ରୀମାର ନଣନ୍ଦକୁ ଡାକି କହିଲେ "ଭାଉଜ ସାଙ୍ଗରେ ମିଶି ରୋଷେଇ କରୁନୁ,ଶାଶୁଘରକୁ ଗଲାବେଳକୁ ସବୁ ଶିଖି ଯାଇଥିବୁ"।ଚଟ୍ କରି ସେ ଉତ୍ତର ଦେଲା "ଆଜିକାଲି ପାଖରେ ମୋବାଇଲ ଫୋନ ଥିଲେ କେଉଁ କଥାକୁ ଆଉ ଡର"? ଶେଷରେ ନିଜେ କନକ ଯାଇ ରୀମା ପାଖରେ ଛିଡାହେଇ କହିଲେ "ମା ରେ ,ମୋତେ କହ କ'ଣ ସବୁ ହେବ।ମୁଁ କଟା ବଟାରେ ସାହାଯ୍ଯ କରିଦେବି।"ରୀମା ହସିହସି କହିଲା "ନାଇଁ ପିଉସୀମା ,ମୁଁ ସବୁଦିନେ କରୁଛି ଆଜି ବି କରିଦେବି।ତମେ ଯାଅ ଟିଭି ଦେଖିବ"।


ମୋ ମା ଏଠି ଏତେ କଷ୍ଟ କରି ରୋଷେଇ କରିବ ଆଉ ମୁଁ ଗୋଡ ଉପରେ ଗୋଡ ପକେଇ ଟିଭି କେମିତି ଦେଖିବି କହିଲୁ।ଦେ କ'ଣ କାମ ଅଛି ମୋତେ ଦେ।କହିଲେ କନକ ରୀମାକୁ।ରୀମା ପରିବା ବାସ୍କେଟ ରୁ ପରିବା ବାହାର କରି ଆଣି ଦେଉଦେଉ କନକଙ୍କ ହାତକୁ ଅହଲ୍ଯା ଆସି ସେଠି ପହଞ୍ଚି ଗଲେ।କନକଙ୍କ ହାତକୁ ଟାଣିନେଇ କହିଲେ "ସିଏ ଭଲ ରୋଷେଇକରେ ମ।ତାକୁ ଛାଡ।ତମେ ଆସ ତମ ଭାଇ ଡାକୁଛନ୍ତି କଥା ହେବେ ବୋଲି"। କନକ ବାଧ୍ଯ ହେଇ ସେଠୁ ଚାଲି ଆସିଲେ।ଇଏ କି ରକମର ଶାଶୁ।ନିଜର ବୋହୂଟାକୁ ଟିକେ ସମବେଦନା ତ ନାହିଁ,ଆଉ କିଏ ସମବେଦନା ଜଣେଇଲେ ଦେହରେ ଯାଉନି।ତାଙ୍କ ଭଳି ଲୋକଠାରୁ ଆଉ କ'ଣ ବା ଆଶା କରାଯାଏ।


ସେଦିନ ରାତିରେ ସମସ୍ତେ ଖାଇସାରି ଶୋଇଲା ପରେ ସବୁ କାମ ସାରି ଖାଇ ବସିଲା ରୀମା।ସମସ୍ତଙ୍କ ବାସନ କୁସନ ଧୋଇସାରି ଶାଶୁ ଶ୍ବଶୂରଙ୍କର ଗୋଡ ବି ଘଷି ଦେଲା।ଶୋଇବାକୁ ଗଲାବେଳକୁ ଶାଶୁ କହିଲେ ପିଉସୀଙ୍କ ଗୋଡ ଘଷି ଦେ ବୋଲି ନକହିଲେ ତୁ ବୁଝିବୁ ନାହିଁ ,ନୁହେଁ।ପୁଣିଥରେ ଫେରିଆସି ପିଉସୀଙ୍କ ଗୋଡ ଘଷିବାକୁ ବସିଲା ରୀମା।କନକ ମିଛଟାରେ ଓଃ ଆଃ କରି ପାଟିକଲେ।ସେସବୁ ଅଭ୍ଯାସ ତାଙ୍କର ନାହିଁ।ଗୋଡରେ ହାତ ଦେଲେ କାଟୁଛି କହି ରୀମାକୁ ଶୋଇବାକୁ ପଠେଇଦେଲେ ସିନା ନିଜେ ସାରା ରାତି ଶୋଇପାରିଲେନି।ଅତୀତଟା ତାଙ୍କ ସାମ୍ନାରେ ଥିଲା।


ଇଏ ଅହଲ୍ଯା ଭାଉଜ  ତାହେଲେ ବୋହୂ ଥିଲାବେଳେ ଯାହାଥିଲେ ଶାଶୁ ହେଲାପରେ ବି ସେଇଆ। ବୋହୂ ଥିଲାବେଳେ ତାଙ୍କ ଶାଶୁଙ୍କ ଶ୍ବଶୂରଙ୍କ ଭଳି ଦେବପ୍ରତିମ ଲୋକ ଙ୍କୁ ସବୁଠାରୁ ଖରାପ ଶାଶୁ ଶ୍ବଶୂର ବୋଲି କହିବାକୁ ପଛେଇ ନାହାଁନ୍ତି।ଗୋଟିଏ ବୋଲି ନଣନ୍ଦ କନକଙ୍କୁ ଦେଖି ସହି ପାରନ୍ତିନି।ଭାଇଙ୍କ ଆଗରେ ମିଛସତ ସବୁବେଳେ ଯୋଡିଯାଡି କୁହନ୍ତି।ବର୍ଷକୁ ଅଧାଦିନ ବାପଘରେ ବିତାନ୍ତି।କନକ ବାହାଘରେ ପରେ ଥରେ ବି ତାଙ୍କୁ ବାପ ଘରକୁ ବୁଲି ଆସିବାକୁ ଡାକନ୍ତିନି।ଯଦି ବା କେବେକେବେ ବାପା ମାଆଙ୍କୁ ଦେଖିବାକୁ ସେ ଆପେଆପେ ଆସନ୍ତି ଘରର ଯାବତୀୟ କାମ ତାଙ୍କ ଦ୍ବାରା କରାନ୍ତି।ସେଥିରେ ପୁଣି ଆସିକି ବୋଝ ହେଇ ବସିଛି ବୋଲି କହିବାକୁ ପଛାନ୍ତିନି।ରୋଷେଇ କରିବାକୁ ଶାଶୁଙ୍କ ସାଙ୍ଗରେ ବାଦ କରି କାମ ବି ବାଣ୍ଟିଛନ୍ତି।ନଣନ୍ଦ ଘରକୁ କେବେ କେମିତି ବର୍ଷକୁ ଥରେ ଅଧେ ବି ତାଙ୍କ ଭାଇକୁ ପଠେଇନାହାଁନ୍ତି। ଅହଲ୍ଯାଙ୍କର ପ୍ରଥମ ଛୁଆ ବେଳକୁ ତ କନକ ବାହାହେଇ ନଥିଲେ,ତେଣୁ ଘରର ସବୁ କାମ କରନ୍ତି ମନ ଆନନ୍ଦରେ ଭାଉଜର ପିଲାଟିଏ ହେଇଛି ବୋଲି।କିନ୍ତୁ ଦ୍ବିତୀୟ ଓ ତୃତୀୟ ସନ୍ତାନ ବେଳକୁ କନକଙ୍କୁ ଶାଶୁଘରୁ ଡାକି ଆଣି ବି କାମ କରନ୍ତି।ନିଜର ଛୁଆ ଛୋଟ ଥାଇବି ସବୁ କାମ କରନ୍ତି କନକ।ସେଥିରେ ପୁଣି ପଛରେ ନିନ୍ଦା ଶୁଣନ୍ତି।ସବୁ ପରେ ବି ନିଜ ବାପା ମାଆ ଥିବା ଯାଏ ସେ ଏଇ ଘରକୁ କେହି ନଡାକିଲେ ବି ଆସୁଥିଲେ।ବାପା ମାଆଙ୍କ ପରେ ଆଉ କେବେ ଆସନ୍ତିନି କି କେହି ଆସନ୍ତିନି।ପୁଣିଥରେ ଆସିବାର ସୁଯୋଗ ମିଳିଥିଲା ବଡ ପୁତୁରାର ବାହାଘର ବେଳକୁ।ଏବେ ଆସିଛନ୍ତି ସେଇ ବୋହୂର ପିଲାପିଲି ହେବ ବୋଲି ସାଦ ଖୁଆଇବାକୁ।ଏଇଠି ଆସି ଅଚାନକ ଦେଖୁଛନ୍ତି ସବୁ ବଦଳି ଯାଇଛି।ସ୍ନେହ ଶ୍ରଦ୍ଧା ସବୁ ଆବଶ୍ଯକ ଠାରୁ ଅଧିକ ଅଜାଡି ହେଇ ପଡୁଛି।ଏସବୁ କେବଳ ବୋହୂ ରୀମାକୁ ଅଧିକ ବ୍ଯବହାର କରେଇବାପାଇଁ ସିନା ଆଉ କିଛି ନୁହେଁ।ଦରକାର ନାହିଁ ତାଙ୍କର ସେ ଅବାଞ୍ଛିତ ସ୍ନେହ ଶ୍ରଦ୍ଧା।ଯେଉଁଟା ଅନ୍ଯପାଇଁ ଭାରି ପଡୁଛି।କାଲି ସକାଳୁ ସେ ଚାଲିଯିବେ ନିଜ ଘରକୁ।ଯେଉଁଠି ସୁଖ ଶାନ୍ତିର ବୈତରଣୀ ବହୁଛି।ସେ ନିଜେ ଯେମିତି ଶାଶୁଟିଏ ପାଇଥିଲେ ସେମିତି ଶାଶୁଟିଏ ହେଇଛନ୍ତି।ସିଏ ନିଜେ ଯେମିତି ବୋହୂଟିଏ ହେଇଥିଲେ ସେଇଭଳି ବୋହୂଟିଏ ପାଇଛନ୍ତି। ଘରେ ସୁଖ ହିଁ ସୁଖ।ଆଉ ଅନ୍ଯକୁ କନ୍ଦେଇ ସୁଖ ପାଇବାରେ କି ଆନନ୍ଦ?


ସକାଳୁ ସକାଳୁ କନକ ବାହାରିଲେ ନିଜ ଘରକୁ ଯିବାପାଇଁ।ଅହଲ୍ଯା ସହଜେ ରାଜି ହେଉନଥିଲେ।କିନ୍ତୁ କନକ ଜିଦିକରି ବାହାରିଲେ।ବଡ ପୁତୁରାକୁ ଛାଡିଦେବାକୁ ଅନୁରୋଧ କଲେ।ବଡ ପୁତୁରା ଗାଡି ବାହାର କଲା ।କନକ ଗାଡିରେ ବସିଲେ।ବାଟସାରା ପୁତୁରା କାନରେ ଫୁଙ୍କି ଚାଲିଥିଲେ କିଛି ମନ୍ତ୍ର,ଯେଉଁଟା ପୁତୁରା ଆଖିରେ ଆଗୋଚର ଥିଲା।ହେଉପଛେ "ଘରଭଙ୍ଗା ମନ୍ତ୍ର"କାହାପାଇଁ, ଆଉ ଜଣଙ୍କ ପାଇଁ ତ ଜୀବନ ରକ୍ଷା ମନ୍ତ୍ର ହେବ ନା।ପୁତୁରା ବି ଖୁସିରେ ଗ୍ରହଣ କରି ନେଇଥିଲା ସେଇ ମନ୍ତ୍ର ଟିକୁ।



Rate this content
Log in