ଘର ବାହୁଡା
ଘର ବାହୁଡା
ଏକ ଘରୋଇ ହସପିଟାଲ୍ ର ଆଇସିୟୁ. ରେ ମୃତ୍ଯୁ ସହ ସଂଗ୍ରାମ କରୁଛନ୍ତି ସହରର ନାମକରା ଧନୀ ବ୍ଯବସାୟୀ ବିଶ୍ବଜିତ୍ ମହାନ୍ତି। ଦୁରାରୋଗ୍ଯ ବ୍ଲଡ୍ କ୍ଯାନସର। ଲକ୍ଷ ଲକ୍ଷ ଟଙ୍କା ପାଣି ପରି ଖର୍ଚ୍ଚ କରି ସାରିଛନ୍ତି। ଦୁଇ ପୁଅ ରୋଶନ ଓ ରୋହନ ହସପିଟାଲ୍ ୱଟିଙ୍ଗ ରୁମ୍ ରେ ବସିଛନ୍ତି। ବୟସ କୋଡିଏ ଓ ଅଠର। ବ୍ଯସ୍ତ ବିବ୍ରତ ବାପାଙ୍କ ସ୍ବାସ୍ଥ୍ଯକୁ ନେଇ। ପଢାପଢି ସରିନି। ଆଗକୁ ଚାକିରୀ ନ ହେଲେ ବି ବାପାଙ୍କର ବିଜିନେସ୍ ରେ ସାମିଲ୍ ହେବେ। ଏବେ କଛି ଜ୍ଞାନ ନାହିଁ ବିଜିନେସ୍ ବିଷୟରେ। ମାଆ ତ ଦୁଇ ବର୍ଷ ତଳୁ ଏହି କ୍ଯାନସର୍ ରେ ଏମାନଙ୍କୁ ଛାଡି ଚାଲି ଯାଇଛନ୍ତି। ଆଜି ବାପା ଏଇ ଅବସ୍ଥାରେ। ମୁଣ୍ଡକୁ ବୁଦ୍ଧି ପଶୁନି କଣ କରିବେ ଦୁଇ ଭାଇ।
ନୂତନ କରି ସେହି ହସପିଟାଲ୍ ରେ ଯୋଗ ଦେଇଛନ୍ତି ଡକ୍ଟର ମନିଷା ମହାନ୍ତି। ଫରେନ୍ ରୁ ସ୍ବତନ୍ତ୍ର ଭାବେ କ୍ଯାନସର ଉପରେ ଦୁଇବର୍ଷ ଗବେଷଣା ପାଠ ସାରି ଫେରିଛନ୍ତି। ଲମ୍ବା ଗୋରା ଚେହେରା। ମୁହଁରେ ଚମକ୍।ବୟସ ପଚିଶି କି ଛବିଶି। କାର୍ଯ୍ଯ କରିବାରେ ତତ୍ପରତା। ଲିଫ୍ଟରୁ ବାହାରି ପଶିଗଲେ ଆଇସିୟୁ ଭିତରକୁ। ପ୍ରଥମ ଡ୍ଯୁଟି ଆଜି ଆଇସିୟୁ ରେ। ସାଙ୍ଗରେ ଜଣେ ସହ ଡାକ୍ତର। ରୋଗୀଙ୍କର ରୋଗର ହିଷ୍ଟ୍ରି ଦେଖିବାକୁ ବାହିରିଲେ। ଚମକି ପଡିଲେ ରୋଗୀଙ୍କର ନାମ ପଢିଦେଇ। ବିଶ୍ବଜିତ୍ ମହାନ୍ତି।ଏଇ ନାମଟି ପ୍ରତି ତାଙ୍କର ପ୍ରବଳ ଦୁର୍ବଳତା।ଆପେ ଆପେ ହୃଦୟ ଭିତରୁ କେମିତି ଗୋଟେ ଆପଣାପଣ ବାହାରି ଆସେ ଏଇ ନାମଧାରୀ ବ୍ଯକ୍ତି ମାନଙ୍କୁ ଦେଖିଲେ।ଆଜି ପୁଣି ସେଇ ବିଶ୍ବଜିତ୍ ନାମ ତା ସହିତ ସାଙ୍ଗିଆ ବି ମହାନ୍ତି। ହୃଦୟ ଭିତରଟା ଘାଣ୍ଟି ଚକଟି ହେଇଗଲା।ସେଇଠି ଛିଡାହେଇ ମନରେ ମନରେ ହିସାବ କିତାବ କରିପକେଇଲେ।ସବୁ ମେଳ ଖାଇଯାଉଛି।କେବଳ ଯାହା ଚେହେରା ଟା ତାଙ୍କର ମନେ ନାହିଁ।କେମିତି ମନେ ରହିବ ଯେ,ସେ ତ ମାତ୍ର ଗୋଟେ ବର୍ଷର ହେଇଥିଲେ।ରଙ୍ଗ, ରୂପ ,ସ୍ବାସ୍ଥ୍ଯ , ଉଚ୍ଚତା ଓ ବୟସ ସବୁ ମିଶୁଛି।ଚଟାପଟ ନିଜ ସ୍ମାର୍ଟ ଫୋନରେ ଫଟୋ ଗୋଟିଏ କ୍ଳିକ୍ କରି ସେ ନିଜ କାମରେ ଲାଗିଲେ।ହସପିଟାଲ କାମ ସାରି ଘରକୁ ଫେରିଲେ ମନୀଷା ରାତିରେ।ମା ବୈଜୟନ୍ତି ଦେବୀ ଅପେକ୍ଷା କରି ବସିଥିଲେ ଝିଅର ଫେରିବା ବାଟକୁ।ଆସୁ ଆସୁ ଝିଅକୁ ଫ୍ରେସ୍ ହେବାପାଇଁ ବାଥ ରୁମ୍ ପଠେଇ ଖାଇବା ପାଇଁ ବଢାବଢି କଲେ ସେ। ଖାଇବାକୁ ବସିଲେ ମା ଝିଅ ।କାହିଁ କେତେଦିନ ପରେ ଝିଅ ତାଙ୍କର ଓଡିଶା ଫେରିଛି ।ନିଃସଙ୍ଗ ଜୀବନରେ ଟିକେ ଖୁସି ଉଇଁଛି ତାଙ୍କର।ଝିଅ ସହ କଥା ବାର୍ତ୍ତା ଆରମ୍ଭ କରିବାକୁ ଗଲାବେଳେ ଲକ୍ଷ୍ଯ କଲେ ଝିଅ ଟିକେ ବିବ୍ରତ ଲାଗୁଛି।ହୁଏତ ମେଡିକାଲରେ କିଛି ସିରିଅସ ପେସେଣ୍ଟ କୁ ନେଇ ସେମିତି ଥିବ ଭାବିଲେ ବୈଜୟନ୍ତୀ ଦେବୀ।ଝିଅର କ୍ଯାନସର ବିଭାଗ।କ୍ଯାନସର ରୋଗ ମାନେ ମୃତ୍ଯୁର ଦୂତ।ତେଣୁ ଝିଅ ତା ରୋଗୀ ପାଇଁ ଚିନ୍ତିତ ରହିବା ସ୍ବାଭାବିକ କଥା।ଖାଇସାରି ଶୋଇବାକୁ ଗଲେ ବୈଜୟନ୍ତୀ ଦେବୀ।ମନୀଷା ବି ତାଙ୍କ ପଛେପଛେ ତାଙ୍କ ଶୋଇବା ଘରକୁ ପଶିଲା।ଅନେକ ଦିନ ହେଲାଣି ପାଠପଢା ପାଇଁ ମାଆ ଠାରୁ ଦୂରେଇ ରହିଲାଣି।ଆଜି କାହିଁକି ଭାରି ଇଚ୍ଛା ହେଉଛି ମାଆର କୋଳରେ ମୁହଁ ଗୁଞ୍ଜି ଶୋଇବାକୁ।ବୈଜୟନ୍ତୀ ଦେବୀ ହସିଦେଲେ ଝିଅର ପିଲାଳିଆମି ଶୁଣି।ସେ ବି ସେଇଆ ଚାହୁଁଥିଲେ।ସାଙ୍ଗେ ସାଙ୍ଗେ ଝିଅକୁ କୋଳକୁ ଆଉଜେଇ ନେଲେ।ମାଆଙ୍କ ମନ ଖୁସି ଅଛି ଦେଖି ଏଇଟା ହିଁ ପ୍ରକୃଷ୍ଟ ସମୟ ଭାବି ମୋବାଇଲ ରୁ ଫଟୋ ଟି ବାହାର କରି ଦେଖେଇଲେ ଡକ୍ଟର ମନୀଷା।ଆଶ୍ଚର୍ଯ୍ଯ ହେଇ ଝିଅ ମୁହଁକୁ ଚାହିଁଥିଲେ ବୈଜୟନ୍ତି ଦେବୀ।ଏ ଫଟୋ ତୁ କେଉଁଠୁ ପାଇଲୁ ମା?
ତମେ ଆଗ କୁହ ତମେ ଜାଣିଛ ୟାଙ୍କୁ?
କ'ଣ ଉତ୍ତର ଦେବେ ବୈଜୟନ୍ତୀ ଦେବୀ ଏବେ ଝିଅକୁ।ଯେଉଁ ଅତୀତକୁ ଦୀର୍ଘ ପଚିଶ ବର୍ଷ ହେଲା ପଛରେ ପକେଇ ସେ ଆଗକୁ ଚାଲିଆସିଛନ୍ତି,ଆଜି ପୁଣି ସେଇ ଅତୀତ ବୁଲିବୁଲି ଆସି ତାଙ୍କ ସାମ୍ନାରେ ଛିଡା ହେଲାଣି।ସବୁବେଳେ ଝିଅଠାରୁ ତା'ର କରୁଣ ଇତିହାସଟିକୁ ଲୁଚେଇ ଆସିଛନ୍ତି ସେ।
ଆଜିବି ମନେ ପଡେ ସେଇ ରାତି କଥା।ନୂଆ ହେଇ ବାହାହେଇ ବିଶ୍ବଜିତ ବାବୁଙ୍କ ଘରକୁ ଆସିଥିଲେ ବୈଜୟନ୍ତୀ ଦେବୀ।ବିଶ୍ବଜିତ ବାବୁଙ୍କ ବାପା ଓ ବୈଜୟନ୍ତୀ ଦେବୀଙ୍କ ବାପା ପିଲାଦିନର ସାଥି ଥିଲେ।ନିଜର ବନ୍ଧୁତ୍ବକୁ ସୁଦୃଢ କରିବା ପାଇଁ ଭବିଷ୍ଯତରେ ନିଜ ନିଜର ପୁଅଝିଅକୁ ବାହା କରି ପରସ୍ପର ସମୁଦୀ ହେବାପାଇଁ ଇଚ୍ଛା କରିଥିଲେ।ବାପାଙ୍କର ଆଜ୍ଞାଧିନା ଝିଅଟେ ଭଳି ବୈଜୟନ୍ତୀ ଦେବୀ ମନ ଆନନ୍ଦରେ ବାପାଙ୍କର ନିଷ୍ପତ୍ତିକୁ ମାନିନେଇଥିଲେ।କିନ୍ତୁ ମାନି ନେଇନଥିଲେ ବିଶ୍ବଜିତ ବାବୁ। ତା ପୂର୍ବରୁ ସେ ମନ ଦେଇସାରିଥିଲେ ଆଉ କାହାକୁ। ତାଙ୍କ ସହିତ ପାଠ ପଢୁଥିବା ଶୈଳଭାମା ରୂପରେ ଥିଲେ ଅନିନ୍ଦ୍ଯ ସୁନ୍ଦରୀ।ଯେ କେହି ହେଲେ ତାଙ୍କ ପ୍ରେମରେ ପଡିବାକୁ ଚାହିଁବ।ଅନେକ ବନ୍ଧୁ ମାନଙ୍କ ସହିତ ପ୍ରତିଯୋଗିତା କରି ବିଜୟୀ ହେଇଥିଲେ ବିଶ୍ବଜିତ ବାବୁ। ତା ସହିତ ବୈଜୟନ୍ତୀ ଦେବୀ ଗାଁରେ ରହୁଥିବା ସାଧାସିଧା ଝିଅଟେ ଥିଲେ।ଅବଶ୍ଯ ଉଚ୍ଚ ଶିକ୍ଷିତା ଥିଲେ।କିନ୍ତୁ ଶୈଳଭାମା ଜନ୍ମରୁ ସହରରେ ବଢିଥିବା ଆଧୁନିକା ଝିଅ ଥିଲେ।ବିଶ୍ବଜିତ ବାବୁଙ୍କ ବାପା ସେଥିପାଇଁ ଶୈଳଭାମା ଅପେକ୍ଷା ବୈଜୟନ୍ତୀ ଦେବୀଙ୍କୁ ବୋହୂ କରିବାକୁ ଆଗଭର ଥିଲେ।ଘରେ ପ୍ରଚଣ୍ଡ ପ୍ରତିବାଦ କରିବା ସତ୍ବେ ବିଶ୍ବଜିତ ବାବୁଙ୍କ ଇଚ୍ଛାକୁ ଅଣଦେଖା କରି ବୈଜୟନ୍ତୀ ଦେବୀ ଙ୍କୁ ତାଙ୍କ ଘରକୁ ବୋହୂ କରି ଆଣିଲେ ତାଙ୍କ ବାପା।ସେକଥା ନା ବୈଜୟନ୍ତୀ ଦେବୀ ଙ୍କୁ ଜଣାଥିଲା ନା ତାଙ୍କ ବାପାଙ୍କୁ।ମନରେ ଅନେକ ଆଶା ଓ ସ୍ବପ୍ନ ର ପସରା ଧରି ସେହି ଘରେ ପାଦ ଦେଲେ ବୈଜୟନ୍ତୀ ଦେବୀ।ତାଙ୍କର ସବୁ ସ୍ବପ୍ନ ଭାଙ୍ଗିଗଲା ସେଇ ପ୍ରଥମ ରାତିରେ।ଯେଉଁ ରାତି ପ୍ରତ୍ଯେକ ନବବିବାହିତା ଝିଅ ମାନଙ୍କର ବହୁ ଅଭିଳଷିତ ରାତି।ପ୍ରଚୁର ମଦ୍ଯ ପାନ କରି ବାସର ଶେଜକୁ ଆସିଲେ ବିଶ୍ବଜିତ ବାବୁ।ମନ ଭିତରେ ଯାହା ବିଷ ଥିଲା ଉଦ୍ଗାରିଦେଲେ ବୈଜୟନ୍ତୀ ଦେବୀଙ୍କ ଆଗରେ।ବାସ୍ ଏଇଆ ଥିଲା ବୈଜୟନ୍ତୀ ଦେବୀଙ୍କର ପ୍ରଥମ ଉପହାର ତାଙ୍କ ଜୀବନ ସାଥି ଠାରୁ।ତଥାପି ନିଜକୁ ବୁଝେଇ ଦେଇ ହସିହସି ସକାଳୁ ଉଠି ଶାଶୁଘରେ ନିଜର କର୍ତ୍ତବ୍ଯ କରିବାରେ ହେଳା କରିନଥିଲେ ସେ।ତା ସହିତ ନିଜର ପଥହୁଡା ସ୍ବାମୀକୁ ବାଟକୁ ଆଣି ନିଜର କରିବାକୁ ବହୁତ ଚେଷ୍ଟା କରିଥିଲେ।ସବୁଥିରେ ଅସଫଳ ହେଇଥିଲେ ସେ।ଘରେ ଶାଶୁ ଶ୍ବଶୂର ତାଙ୍କୁ ନିଜର ଝିଅଠାରୁ ଅଧିକ ସ୍ନେହ ଶ୍ରଦ୍ଧା ଦେଲାବେଳକୁ ନିଜ ସ୍ବାମୀଙ୍କର କାଣିଚାଏ ଭଲ ପାଇବା ତାଙ୍କ ଭାଗ୍ଯରେ ନଥିଲା।ଦିନକୁ ଦିନ ସ୍ଥିତି ଅସହ୍ଯ ହେଉଥିଲା।ବାପା ମାଆଙ୍କ ଆଗରେ ଏସବୁ କଥା ଖୋଲିକହିବାକୁ ବହୁତ ଖରାପ ଲାଗୁଥିଲା ବୈଜୟନ୍ତି ଦେବୀଙ୍କୁ। ବିଶ୍ବଜିତ ବାବୁଙ୍କ ବାପାଙ୍କର କଡା ନିର୍ଦ୍ଦେଶ ଅନୁସାରେ ନିଜର ଶୋଇବା ଘରେ ବୈଜୟନ୍ତୀ ଦେବୀଙ୍କୁ ସ୍ଥାନ ଦେଇଥିଲେ ବିଶ୍ବଜିତ ବାବୁ ସତ, କିନ୍ତୁ ସ୍ବାମୀର ଅଧିକାରରୁ ବଞ୍ଚିତ ରଖିଥିଲେ ତାଙ୍କୁ।ତଥାପି ବୈଜୟନ୍ତୀ ଦେବୀଙ୍କ ଅପୂର୍ବ ରୂପ ସମ୍ଭାର ଆଗରେ ଅନେକ ଥର ବିବଶ ହୋଇପଡିଥିଲେ ବିଶ୍ବଜିତ ବାବୁ।ମଦ ନିଶାରେ ନିଜର ପୁରୁଷତ୍ବକୁ ଜାହିର କରି ବସନ୍ତି ସେଇ ଅନ୍ଧାର ରାତିରେ ବିନା ସୋହାଗ ଆଦରରେ।ପରିଣାମ ସ୍ବରୁପ ବାହାଘରର କିଛିଦିନ ପରେ ବୈଜୟନ୍ତି ଦେବୀ ଅନୁଭବ କଲେ ସେ ବୋଧେ ମାଆ ହେବାକୁ ଯାଉଛନ୍ତି।ଖୁସିରେ ତାଙ୍କ ଆଖିର ଲୁହ ବୋଲ ମାନୁନଥାଏ।କେବଳ ସେ ଏକା କାହିଁକି ତାଙ୍କ ଶାଶୁ ଶ୍ବଶୂର ମଧ୍ଯ ସେଇ ଖୁସିକୁ ବୋହୂର ମୁହଁ ଦେଖି ଠଉରେଇ ଦେଇପାରିଲେ।ସମସ୍ତଙ୍କ ମନ ସେଦିନ ଖୁସି ରେ ଭରିଥାଏ।କେବଳ ଅପେକ୍ଷା ଥାଏ ଜଣଙ୍କୁ।ସେ ଆସିବେ।ଖୁସି ଖବର ଶୁଣିବେ।ତାଙ୍କ ସହିତ ଖୁସିରେ ସାମିଲ ହେବେ।ଏ ଘରୁ ସବୁ ଦୁଃଖର କାଳିମା ଦୂର ହେଇଯିବ।ବଦଳରେ ସୁଖର କିରଣ ଝଲସି ଉଠିବ।କେତେ ଆଗ୍ରହରେ ଅପେକ୍ଷା କରିଥିଲେ ବୈଜୟନ୍ତି ଦେବୀ ନିଜର ସବୁ କାମ ସାରି ଅପେକ୍ଷା କରି ବସିଥିଲେ ବିଶ୍ବଜିତ ବାବୁଙ୍କ ଫେରିବା ବାଟକୁ।ବିଶ୍ବଜିତ ବାବୁ ଫେରିଲେ ନିଶାରେ ଢଳିଢଳି।ସବୁ ଶୁଣିଲେ।ମଦ ନିଶାରେ କରିଥିବା ତାଙ୍କର ସବୁ କର୍ମକୁ ସେଇ ମଦ ନିଶାରେ ଟାଳିଦେଲେ।ଅସ୍ବୀକାର କଲେ ସେ ନିଜର ପିତୃତ୍ବକୁ।ନିଜର ରକ୍ତକୁ ଚିହ୍ନି ପାରିଲେନି।ପୁଣି ଥରେ ଘରେ ସୃଷ୍ଟି ହେଲା ଝଡ।କେବଳ ସେଇ ଦିନେ ନୁହେଁ ସବୁଦିନ ସବୁରାତି ସେଇ ଝଡ ଘରେ ତାଣ୍ଡବ ରଚିଲା।ତା'ରି ଭିତରେ ମନୀଷାର ଜନ୍ମ।ବିଶ୍ବଜିତ ବାବୁଙ୍କ ବିନା ସହଯୋଗରେ ବିଚାରୀ ଦୁନିଆ ଦେଖିଲା।ଜେଜେ ଜେଜେମାଙ୍କ ମନ କାହିଁରେ କେତେ ଖୁସି।କିନ୍ତୁ ସବୁଠୁ ଅଧିକ ଯିଏ ଖୁସି ହେବା କଥା ସେ ସେଠି ଅନୁପସ୍ଥିତ ଥିଲେ।ଜନ୍ମରୁ ବାପାଙ୍କ ସ୍ନେହ ଆଦର କ'ଣ ସେ କିଛି ଜାଣିଲାନି।ଜେଜେ ଜେଜେମାଙ୍କ ଆଦର ଯତ୍ନରେ ସେ ବଢୁଥିଲା।ବୈଜୟନ୍ତୀ ନିଜେ ମନୀଷାର ବାପା ଆଉ ମାଆର ଭୂମିକା ନିଭେଉଥିଲେ।ସେମିତି ସେମିତିରେ ଗୋଟେ ବର୍ଷ ଚଳିଗଲା।କିନ୍ତୁ ତା ପରେପରେ ପରିସ୍ଥିତି ବହୁତ ଅସହ୍ଯ ହେଲା ବୈଜୟନ୍ତୀ ଦେବୀଙ୍କ ପାଇଁ।ବିଶ୍ବଜିତ ବାବୁ ଖୋଲାଖୋଲି ଶୈଳଭାମା ଦେବୀଙ୍କ ସହ ମିଶୁଥିଲେ।ଘରକୁ ପ୍ରାୟ ଆସୁନଥିଲେ।ସ୍ବାମୀ ଥାଇ ବି ବୈଧବ୍ଯ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବୈଜୟନ୍ତୀ ଦେବୀ।କେବଳ ତାଙ୍କରି ପାଇଁ ଯେ ତାଙ୍କ ଶାଶୁ ଶ୍ବଶୂର ବି ପୁତ୍ର ସୁଖରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅନୁଭବ କରିଲା ପରେ ଗୋଟେ ଦିନ ବହୁତ ବଡ ନିଷ୍ପତ୍ତି ନେଇ ଘରୁ ପାଦ କାଢି ଆସିଲେ।ବଞ୍ଚିବାର ସାହାର ଥିଲା କେବଳ କୁନି ଝିଅ ମନୀଷା।ଏତେବଡ ଦୁନିଆରେ କେମିତି ନିଜେ ଜୀଇଁ ଝିଅକୁ ଗୋଟେ ଭଲ ଜୀବନ ଦେବେ ସେଇ ଚିନ୍ତା ବାଟସାରା କରିକରି ସେ ଆସି ଏଇ ସହରରେ ପହଞ୍ଚିଲେ ।ଉପରେ ପଡିଲେ ସମସ୍ତେ ବଜେଇ ଶିଖନ୍ତି ଭଳି ଗାଉଁଲି ଝିଅ ଟେ କହି ବିଶ୍ବଜିତ ବାବୁ ଅନେକଥର ତିରସ୍କାର କରିଥିବା ବୈଜୟନ୍ତୀ ଦେବୀ ନିଜେ ନିଜର ଚେଷ୍ଟା ଦ୍ବାରା କଲେଜରେ ଅଧ୍ଯାପିକା ଟିଏ ହେଇପାରିଲେ।ଏଥର ପେଟ ପାଇଁ ଚିନ୍ତା ଆଉ କରିବାର ନଥିଲା।କେବଳ ଚିନ୍ତା ଥିଲା ବାପା ନଥିବା ଝିଅଟିକୁ କେମିତି ସମାଜର କୂଟିଳ ନଜରରୁ ବଞ୍ଚେଇ ରଖିବେ।ତା ସହିତ ସେ ନିଜେ ବି ଜଣେ ଯୁବତୀ।ଏବେବି ଅନେକ ଆଖି କଟାସ ଭଳି ତାକୁ ଚାହିଁରହିଛନ୍ତି ସୁଯୋଗ ପାଇଲା ମାନେ ଝୁଣି ଖାଇଦେବାର ଚେଷ୍ଟା ମନରେ ରଖି।ସେମାନଙ୍କ କବଳରୁ ନିଜକୁ ଅତି ସତର୍କତାର ସହ ବଞ୍ଚେଇ ଆସିଛନ୍ତି ସେ।ସମାଜର ଅନେକ ସାମାଜିକ ଅନୁଷ୍ଠାନକୁ ଯିବା ପାଇଁ ସେ ଡରନ୍ତି। ନାରୀଟିଏ ହେଇମଧ୍ଯ ବେଶଭୂଷା ହେବାକୁ ଭୟ କରନ୍ତି। ସ୍ବାମୀ ପରିତ୍ଯକ୍ତା ହେଇ ମଧ୍ଯ ହାତରେ ପୁଳାଏ ଚୁଡି ମଥାରେ ବଡ ସିନ୍ଦୂର ଟୋପାଟେ ଲଗାନ୍ତି।କେହି ଯେମିତି ତାଙ୍କୁ ପ୍ରଶ୍ନ ପଚାରିବାର ସୁଯୋଗ ନପାଇବ।ଗୋଟିଏ ସହରରେ ଅଧିକ ଦିନ ରହି ପାରନ୍ତିନି ଏଇଥିପାଇଁ ଯେ ନୂଆ ମୁହଁ ସବୁ ପୁରୁଣା ହେଲେ ପୁରୁଣା କଥା ସବୁ ପଚାରିବାକୁ ଲାଗିବେ ବୋଲି।ପ୍ରତି ଦୁଇ ତିନି ବର୍ଷରେ ଟ୍ରାନ୍ସଫର ହେଇ ସହର ବଦଳାନ୍ତି ସେ ସେଥିପାଇଁ।ଯେଉଁ ଶିକ୍ଷା ପାଇଁ ସେ ଆଜି ନିଜକୁ ସୁରକ୍ଷିତ ରଖିପାରିଛନ୍ତି ସେଇ ଶିକ୍ଷା ସେ ଝିଅକୁ ଭରପୂର କରି ଦିଅନ୍ତି।କେବଳ ପାଠପଢା ବ୍ଯତୀତ ଆଉ କେଉଁଥିରେ ମନ ନଥାଏ ମନୀଷାର।ମନ ଯଦି ଥାଏ କେବଳ ଗୋଟିଏ କଥାରେ।ସବୁବେଳେ ଅହରହ ତା ମନ ପଚାରୁଥାଏ ତାକୁ "ଏ ଯେଉଁ ସାର୍ଟିଫିକେଟରେ ତୋର ଲେଖା ଯାଉଛି ବାପାଙ୍କ ନାମ ପାଖରେ ବିଶ୍ବଜିତ ମହାନ୍ତି ,ତାଙ୍କୁ କେବେ ଦେଖିଛୁ"? କିଛି ଉତ୍ତର ପାଏନି ନିଜଠାରୁ।ଦୌଡି ଆସେ ମାଆଙ୍କ ପାଖକୁ।ମାଆଙ୍କ ହାତକୁ ଧରି ହଲେଇ ହଲେଇ ପଚାରେ ମାଆ,ମୋ ବାପା କିଏ? ସେ କେଉଁଠି ଅଛନ୍ତି ?ସେ କେବେ ଆସିବେ ଆମ ପାଖକୁ? ସେ କାହିଁକି ଆସୁନାହାଁନ୍ତି ?ଏମିତି ଅନେକ ପ୍ରଶ୍ନ ବାଣରେ ଆହତ କରେ ମନୀଷା ବୈଜୟନ୍ତୀ ଦେବୀଙ୍କୁ।ଆହତ ହୁଅନ୍ତି ବୈଜୟନ୍ତୀ ଦେବୀ ସେଇ ପ୍ରଶ୍ନ ବାଣରେ।ଆଖିରୁ ଲୁହ ଧାର ଧାର ହେଇ ବହି ଆସେ।ସେ ଲୁହକୁ ଦେଖି ମନୀଷା ଆଉ ଆଗକୁ ନପଚାରି ଚୁପ୍ ରହେ।
ସବୁଦିନ ମନୀଷାଠାରୁ କଥା ଲୁଚେଇ ରଖିବା ସମ୍ଭବ ନଥିଲା।କାରଣ ମନୀଷା ଦିନକୁ ଦିନ ବଡ ହେଉଥିଲା।ତା ମନରେ ହୁଏତ ତା ମାଆ ପ୍ରତି ଭୁଲ ଧାରଣା ଆସିପାରେ।ସତ କହିଲେ ବାପା ପ୍ରତି ଭୁଲ ଧାରଣା ଆସିବ।କ'ଣ କରିବେ କିଛି ବୁଝି ପାରୁନଥିଲେ ବୈଜୟନ୍ତି ଦେବୀ।ବାଧ୍ଯ ହେଇ ଦିନେ ସବୁ ସତ କଥା କହିଦେଇଥିଲେ ଝିଅ ଆଗରେ।ସେଇ ଦିନରୁ ମନୀଷା ମନେମନେ ଖୋଜେ ତା ବାପାଙ୍କୁ।ଥରେ ଆଖି ସାମ୍ନାରେ ପାଇଲେ ଜବାବ ମାଗିବ ବୋଲି ।କିନ୍ତୁ ସେ ସୁଯୋଗ ତାକୁ ବୈଜୟନ୍ତି ଦେବୀ ଦେଇନାହାଁନ୍ତି କେବେ।ଆଜି ହଠାତ୍ ନିଜେ ନିଜେ ବିଶ୍ବଜିତ ବାବୁ ମନୀଷାର ଆଖି ସାମ୍ନାରେ।କ'ଣ କରିବ ମନୀଷା ସବୁ ଜାଣିଲା ପରେ କେଜାଣି।ଭୟରେ ଥରହର ବୈଜୟନ୍ତୀ ଦେବୀ।ପାଖରେ ନରହି ବି ତାଙ୍କରି ପ୍ରଦତ୍ତ ଶଂଖା ଆଉ ସିନ୍ଦୂର ପାଇଁ ସେ ନିଜକୁ ସୁରକ୍ଷିତ ରଖିପାରିଛନ୍ତି ଅନେକ ପ୍ରତିକୂଳ ପରିସ୍ଥିତିରେ।କେମିତି ତାଙ୍କର ଅମଙ୍ଗଳ କାମନା କରି ପାରିବେ ସେ।ଥରଥର ହାତରେ ମନୀଷା ର ହାତକୁ ଧରି କହିଲେ ବୈଜୟନ୍ତି ଦେବୀ " ଯଦି ତୋ ମାଆର ଋଣ ଶୁଝିବାକୁ ଚାହୁଁଛୁ ମୋ ଶଂଖା ସିନ୍ଦୂରକୁ ବଞ୍ଚେଇ ଦେ ମାଆ।ଆଉ କିଛି ଏ ଜୀବନରେ ତୋ ଠାରୁ ଆଶା ରଖିବିନି"।
ମାଆ, ମୁଁ ପ୍ରଥମେ ଜଣେ ଡାକ୍ତର।ମୋର ପ୍ରଥମ କର୍ତ୍ତବ୍ଯ ହେଲା ମୋର ପେସେଣ୍ଟକୁ ବଞ୍ଚେଇବା।ତା ପରେ ମୋର ବ୍ଯକ୍ତିଗତ କଥା। ପେସେଣ୍ଟ !ତା ମାନେ ତୋ ବାପା ଏବେ ତୋର ପେସେଣ୍ଟ?ତା ମାନେ ତାଙ୍କୁ କ୍ଯାନ୍ସର?କହୁକହୁ ସେଇଠି ବେହୋସ ହେଇଗଲେ ବୈଜୟନ୍ତୀ ଦେବୀ।ମାଆକୁ ହୋସ୍ କୁ ଆଣି ବୁଝେଇଲା ମନୀଷା।ଯେତେ ବିଦ୍ଯା ସେ ଆଜି ପର୍ଯ୍ଯନ୍ତ ହାସଲ କରିଛି ଦେଶ ବିଦେଶରେ ,ସବୁ ବିଦ୍ଯା ଉପଯୋଗ କରି ସେ ତା ବାପାଙ୍କୁ ବଞ୍ଚେଇବ।ଏତେଦିନ ପରେ ଯେଉଁ ସୁଖ ଟିକକ ସେ ପାଇବାକୁ ଯାଉଛି ସେଥିରୁ କେବେବି ବଞ୍ଚିତ ହେବନି।
ରାତିଟା ବହୁତ କଷ୍ଟରେ ବିତିଲା ବୈଜୟନ୍ତିଙ୍କର।ସକାଳୁ ସେ ମନୀଷା ଆଗରୁ ପ୍ରସ୍ତୁତ ହେଇସାରିଥିଲେ ମେଡିକାଲ ଯିବା ପାଇଁ।ମନୀଷା ବୈଜୟନ୍ତି ଦେବୀଙ୍କୁ ଧରି ପହଞ୍ଚିଲା ମେଡିକାଲରେ।ବିଶ୍ବଜିତ ବାବୁଙ୍କର ଅବସ୍ଥା ଦେଖି ନିଜକୁ ସମ୍ଭାଳି ପାରିଲେନି ବୈଜୟନ୍ତୀ ଦେବୀ।ସେଇଠି ଭୋଭୋ ହେଇ କାନ୍ଦି ପକେଇଲେ।ଆଇସିୟୁ ଭିତରେ ଏମିତି ହେବା ଉଚିତ୍ ନୁହେଁ କହି ସେଠୁ ବାହାରକୁ ନେଇ ଆସିଲା ମନୀଷା ବୈଜୟନ୍ତୀ ଦେବୀଙ୍କୁ।ବାହାରେ ବସିଥିଲେ ବିଶ୍ବଜିତ ବାବୁଙ୍କ ଦୁଇ ପୁଅ।ତାଙ୍କ ବାପାଙ୍କ ପାଇଁ ଆଉଜଣେ ଅପରିଚୀତା ସ୍ତ୍ରୀ ଲୋକ କାନ୍ଦୁଥିବାର ଦେଖି ଆଶ୍ଚର୍ଯ୍ଯ ହେଇଗଲେ ଦୁହେଁ।ସେମାନେ ଯେ ବିଶ୍ବଜିତ ବାବୁଙ୍କ ଦୁଇ ପୁଅ ଜାଣିଲା ପରେ ସେମାନଙ୍କୁ କୋଳକୁ ଆଉଜେଇ ଆଣିଲେ ବୈଜୟନ୍ତୀ ଦେବୀ।ସେମାନଙ୍କ ଠାରୁ ଶୈଳଭାମାଙ୍କ ବିଷୟରେ ସବୁ ଶୁଣି ଆହୁରି ଦୁଃଖରେ ଭାଙ୍ଗି ପଡିଲେ।ତାହେଲେ ବିଶ୍ବଜିତ ବାବୁ ଏବେ ଏକୁଟିଆ ହେଇପଡିଛନ୍ତି ଏଇ ବୟସରେ!!ବୈଜୟନ୍ତୀ ଦେବୀଙ୍କ ଆପଣା ପଣରୁ କିଛି ଠଉରେଇପାରିଲେ ରୋଶନ ଓ ରୋହନ।ଆପଣ କ'ଣ ବୈଜୟନ୍ତୀ ମାଆ?ପଚାରିଲେ ଦୁହେଁ।
ତମେ ଦୁଇଜଣ କେମିତି ମୋ ନାଁ ଜାଣିଲ?
ବାପାଙ୍କ ଦେହ ଖରାପ ହେଲା ବେଳକୁ ସେ ଆପଣଙ୍କୁ ବହୁତ ଖୋଜୁଥିଲେ।ଆପଣଙ୍କ ଠାରୁ କ୍ଷମା ଚାହୁଁଥିଲେ। ଆମେ ପଚାରିବାରୁ ସବୁ ସତ କହିଲେ।ଏହା ଛଡା ମନୀଷା ଅପାଙ୍କ ବିଷୟରେ ବି କହିଲେ।ଜୀବନରେ କେବେ ଅପାଙ୍କ ସହ ଦେଖା କରି ତାଙ୍କ ହାତରୁ ରାକ୍ଷୀ ପିନ୍ଧିବାକୁ ବି କହିଛନ୍ତି ବାବା।ଖୁସୀରେ ଦୁଇ ପୁଅକୁ କୋଳକୁ ନେଇ କହିଲେ ବୈଜୟନ୍ତୀ ଦେବୀ "ତମ ବାବାଙ୍କର ଚିକିତ୍ସା କରୁଥିବା ଡାକ୍ତର ମନୀଷା ହିଁ ତମ ମନୀଷା ଅପା।ତମର ଏଥର ଆଉ ଚିନ୍ତା କରିବା ଦରକାର ନାହିଁ।ତମ ବଡ ଭଉଣୀ ଅଛି ସେସବୁ ଚିନ୍ତା କରିବାକୁ"।ରୋହନ ଓ ରୋଶନ ମାଆ କୋଳରେ ଥାଇ ଆତ୍ମହରା ହେଉଥିଲେ। ବହୁତ ଦିନର ଚେଷ୍ଟା ପରେ ଓ ଡାକ୍ତର ମନୀଷାଙ୍କର ଅକ୍ଳାନ୍ତ ପରିଶ୍ରମ ପରେ ରୋଗ ମୁକ୍ତ ହେଲେ ବିଶ୍ବଜିତ ବାବୁ।ହସପିଟାଲରୁ ଡିସ୍ ଚାର୍ଜ ହେବାଦିନ ତାଙ୍କୁ ନେବାକୁ ଆସିଥିଲେ ବୈଜୟନ୍ତୀ ଦେବୀ ନିଜେ।ନିଜ ଆଖିକୁ ବିଶ୍ବାସ କରି ପାରୁନଥିଲେ ବିଶ୍ବଜିତ ବାବୁ ,ବୈଜୟନ୍ତୀ ଏଠି?ପୁଣି ରୋଶନ ଓ ରୋହନ ଙ୍କ ସାଥିରେ?ରୋଶନ ଓ ରୋହନ ବାବାଙ୍କୁ କୁଣ୍ଢେଇ ଧରି କହିଲେ ବାବା ,ଆମେ ଏବେ ଏକା ନୁହଁ,ଆମ ସାଙ୍ଗରେ ଆମ ବଡ ଭଉଣୀ ମନୀଷା ଅପା ବି ଅଛନ୍ତି।ଯିଏକି ତୁମକୁ ଆମ ପାଖକୁ ଫେରେଇ ଆଣିଛନ୍ତି।ବିଶ୍ବଜିତ ବାବୁଙ୍କ ଆଖିରେ ଅନୁତାପର ଲୁହ।ଦିନେ ସେ ଏଇ ଝିଅର ଜନ୍ମକୁ ଅସ୍ବୀକାର କରି ବୈଜୟନ୍ତୀ ଦେବୀଙ୍କ ମାତୃତ୍ବକୁ ଅପବାଦ ଦେଇଥିଲେ।ସେଇ ଝିଅ ଆଜି ତାଙ୍କ ଜୀବନ ବଞ୍ଚେଇଛି ।ବାବାଙ୍କ ଆଖିରୁ ଲୁହ ପୋଛି ତାଙ୍କୁ ସାନ୍ତ୍ବନା ଦେଉଥିଲା ମନୀଷା। ଡ୍ରାଇଭର ଗାଡି ପହଞ୍ଚି ସାରିଥିଲା । ଗାଡିରେ ବସିବାକୁ ନାରାଜ ବିଶ୍ବଜିତ ବାବୁ।ଘରକୁ ଆଉଥରେ ନୂଆ ଜୀବନ ନେଇ ଫେରିବିତ ମୋର ସଂପୂର୍ଣ୍ଣ ପରିବାର ନେଇ ଫେରିବି।ନହେଲେ କୁଆଡେ ଯିବିନାହିଁ। ଶେଷରେ ତାଙ୍କରି କଥା ରହିଲା। ଘରକୁ ଫେରିଲେ ପୂରା ପରିବାର। ବାବା ,ମାଆ ଓ ଭାଇ ଭଉଣୀ।ଅନନ୍ଯ ଥିଲା ଏଇ "ଘର ବାହୁଡା"।
