ଏଥର ଖୁସି
ଏଥର ଖୁସି


ତ୍ରାହିମାମ୍.. ତ୍ରାହିମାମ.. ଡାକରେ ଆଖି ଖୋଲି ଦେଖିଲେ ଶ୍ରୀହରୀ..ହାତ ଯୋଡ଼ି ସ୍ତୁତି କରୁଥିଲେ ବ୍ରହ୍ମା, ଯମ ଏବଂ ଚିତ୍ରଗୁପ୍ତ..!!
"ପ୍ରଭୁ.."ଉଦବିଗ୍ନ ହୋଇ ବ୍ରହ୍ମା କହିଲେ "ଯମଦେବ ଭୁଲ୍ କରି ପକାଇଛନ୍ତି ପ୍ରଭୁ..!!"
"ଆସନ୍ତା କାଲି ଯାହା ଆୟୁଷ ସମାପ୍ତ ହେବ ତାକୁ ଆଜି ମର୍ତ୍ତରୁ ଆଣି ଦେଇଛନ୍ତି.."
ଅଳ୍ପ ହସି ବିଷ୍ଣୁ କହିଲେ..
"ଆପଣଙ୍କୁ କଣ ଅଜଣା ପ୍ରଭୁ"
କହିଲେ ବ୍ରହ୍ମଦେବ..
ଯମଦେବ ଏକ ରକମ କାନ୍ଦି ଆସୁଥିଲେ।କିନ୍ତୁ ବିଷ୍ଣୁ ତାଙ୍କୁ ଧୈର୍ଯ୍ୟ ଦେଇ ସେହି ଅଭିଯୁକ୍ତ ଆତ୍ମାଙ୍କୁ ଆଣିବାକୁ କହିଲେ। ଯମ ନେଇ ଆସିଲେ ବିଶିଷ୍ଟ ଶିଳ୍ପପତି ସର୍ବଦମନ ବାବୁଙ୍କ ଆତ୍ମାକୁ..
ତାଙ୍କୁ ସବୁ ବିଷୟ ବିସ୍ତାର କରି ବୁଝେଇ ବିଷ୍ଣୁ କହିଲେ " ଏଭଳି ଅନିଚ୍ଛାକୃତ ଦୈବୀ ତ୍ରୁଟି ପାଇଁ ଆମେ ସମସ୍ତେ ଦୁଃଖିତ।କିନ୍ତୁ ସମାଧାନ କିଛି ନିଶ୍ଚୟ ଖୋଜି ବାହାର କରିବାକୁ ହେବ।ତୁମର ମହୀପୃଷ୍ଠରେ ଆଉ ଗୋଟିଏ ଦିନ ବାକି ଅଛି।ଅତଏବ ତୁମେ ନିଜ ପସନ୍ଦର ଜୀବନ ଏହି ଦିନଟିରେ ବଞ୍ଚି ପାରିବ।ଯଦି ତୁମେ ଚାହଁ ତେବେ ତୁମକୁ ସେହି ପରିବାର ଓ ପରିବେଶ ମିଳିବ ନ ହେଲେ ଯଦି କିଛି ଭିନ୍ନ ଇଚ୍ଛା ଅଛି ତାହା ମଧ୍ୟ ତୁମେ ବ୍ୟକ୍ତ କରିପାର.."
ବିଷ୍ଣୁଙ୍କ ମୁହଁରୁ ଏମିତି ଶୁଣି ସର୍ବଦମନ ଭାବିଲେ ଯଦି ସେ ସେହି ପୁରୁଣା ଶରୀର ନିଅନ୍ତି ତେବେ ଲାଭ ଅପେକ୍ଷା ନଷ୍ଟ ହିଁ ହେବ।ଧନ ଦୌଲତ ଭାଗବଣ୍ଟା ନେଇ ମାରପୀଟ ବି ହୋଇ ପାରେ।ଗୋଟିଏ ଦିନରେ ସେ ନା କାହାକୁ ଉତ୍ତରାଧିକାରୀ କରି ପାରିବେ ନା ସେମିତି ଛାଡ଼ି ଆସି ପାରିବେ..ଆଉ ଭାନୁମତୀ..!!
ମନେ ପଡିଗଲାରୁ ଲେମ୍ବୁ ଖାଇଲା ପରି ମୁହଁଟା ହୋଇଗଲା ତାଙ୍କର।ନିଜ ଆସନ୍ନ ମୃତ୍ୟୁ କଥା ନା ସେ ସ୍ତ୍ରୀଙ୍କୁ କହି ପାରିବେ ନା ରହି ପାରିବେ..!!??
ଆଉ ତା ଛଡା ଜୀବନରେ ଏମିତି କାହାକୁ କେବେ ମଉକା ମିଳେ ଯେ ନିଜେ ନିଜ ଇଚ୍ଛାରେ ମଣିଷ ବଞ୍ଚି ପାରିବ..!!ହେଲେ ଏତେ ସବୁ ଦିଅଁ ସାମନାରେ ଅଛନ୍ତି..!!ମନ ଗହନ କଥା କେମିତି କହି ପାରିବେ ସର୍ବଦମନ..!!??
ତାଙ୍କ ଦ୍ଵନ୍ଦ ବୁଝି ପାରି ଶ୍ରୀବିଷ୍ଣୁ ତାଙ୍କୁ ଅଭୟ ଦେଇ ମନ କଥା ପ୍ରକାଶ କରିବାକୁ କହିଲେ..
ଦୁଇ ହାତ ମଳି ମଳି ତଳକୁ ମୁହଁ କରି ଲାଜୁଆ ହୋଇ ସର୍ବଦମନ କହିଲେ.."ମହାପ୍ରଭୁ..!!ଯଦି ସୁଯୋଗ ମିଳେ ହେଲେ ଦିନଟିଏ ଟିକେ ଫିଲ୍ମ୍ ହିରୋଇନ୍ ମଲ୍ଲିକା ସହିତ ବଞ୍ଚି ଯାଆନ୍ତି..!!ସକାଳୁ ସେ ମୋ ମୁହଁ ଦେଖି ଉଠନ୍ତା..ମୁଁ ତା ସହ ଖାଆନ୍ତି ପିଅନ୍ତି ଆଉ..ଆଉ ନାଚନ୍ତି ମଧ୍ୟ।ଆଉ ଯେତେବେଳେ ମରନ୍ତି ତା ହାତରେ ମରନ୍ତି କି..!!??"ଏତିକି କହି ପାଟି ଉପରେ ହାତ ଦେଲେ ସର୍ବଦମନ..କହୁ କହୁ କଣ କଣ ସବୁ କହି ପକେଇଲେ..!!??
କିନ୍ତୁ ଅବିଚଳିତ ହୋଇ ମୁଦ୍ରିତ ନୟନ ଧାରୀ ଶ୍ରୀବିଷ୍ଣୁ କହିଲେ.."ତଥାସ୍ତୁ.."
ଏ କଥା ଶୁଣି ଦେବୀ ମହାଲକ୍ଷ୍ମୀ କିନ୍ତୁ ଅସନ୍ତୁଷ୍ଟ ହୋଇ ଅଚାନକ ଅନନ୍ତ ଉପରୁ ଉଠି ଚାଲିଯାଇଥିଲେ..!!ଆଉ ଯାଉ ଯାଉ ଅସ୍ପଷ୍ଟ କହିଗଲେ.."ହଁ..ଯାହାକୁ ଯାହା ଦରକାର୍ ଆଗପଛ ନ ଭାବି ଦେଇ ଦିଅନ୍ତୁ.."
ମର୍ତ୍ତ୍ୟଲୋକରେ ତା ପରଦିନ ସକାଳେ ଅଭିନେତ୍ରୀ ମଲ୍ଲିକା ନିଜ ମଖମଲୀ ଶେଯରେ ଶୋଇ ରହିଥିଲେ..!!ସୁଖ ସ୍ବପ୍ନ ଭିତରେ ଏକ ମଶକର ଗୁଞ୍ଜନ ତାଙ୍କୁ ବିଚଳିତ କରି ଦେଲା..!!ଅତଏବ ସେ ନିଦରୁ ଉଠି ଯାଇଥିଲେ..
ସେଦିନ ସେ ଗ୍ରହଣ କରୁଥିବା ସୁସଜ୍ଜିତ ଜୁସ୍ ଗ୍ଲାସ୍ ଠାରୁ ଆରମ୍ଭ କରି ବ୍ରେକଫାଷ୍ଟ୍,ଲଞ୍ଚ, ଡିନର ସବୁବେଳେ ସେହି ମଶକର ଉପସ୍ଥିତି ଉପଲଭ୍ଦି କରି ପାରୁଥିଲେ..!!ସେଦିନ ସେ ନୃତ୍ୟ କରିବା ଅବସ୍ଥାରେ ମଧ୍ୟ ମଶକ ଟି ତାଙ୍କ ଚତୁର୍ପାଶ୍ୱରେ ରହି ତାଙ୍କ ଏକାଗ୍ରତା ଭଙ୍ଗ କରୁଥିଲା।ଶେଷରେ ସେ ରାତ୍ରିର ଆଗମନରେ ସୁନିଦ୍ରା ଯିବାକୁ ଉଦ୍ୟତ ହେଲା ବେଳେ ମଧ୍ୟ ସେହି ଅପ୍ରୀତିକର ଗୁଣୁ ଗୁଣୁ ଶବ୍ଦରେ ବିରକ୍ତ ହୋଇ ଅତି ଧ୍ୟାନ ସହକାରେ ନିଜ ଗୋଲାପି ଗୋଲାପି ପଦ୍ମ କମଳ ସଦୃଶ ପାପୁଲି ଦୁଇଟିରେ ସେହି କ୍ଷୁଦ୍ର ମଶକକୁ ଦଳି ଦେଇ ତାର ପ୍ରାଣ ନେବାରେ ସକ୍ଷମ ହୋଇ ଶାନ୍ତିରେ ନିଃଶ୍ୱାସ ମାରିଲେ..!!??
ଏକଥା କହିବା ବାହୁଲ୍ୟ ଯେ ସେ ମଶକ ଶରୀର ଧାରୀ ମହାନୁଭବ ଜଣକ ଭାଗ୍ୟବାନ ସର୍ବଦମନ ବାବୁ ହିଁ ଥିଲେ ଯେ ନିଜ ଇଚ୍ଛା ଅନୁଯାୟୀ ଦିନସାରା ମଲ୍ଲିକା ସହ ସମୟ ଅତିବାହିତ କରି ଶେଷରେ ତାଙ୍କ ହାତରେ ହିଁ ମୃତ୍ୟୁ ପାଇ ସମ୍ପୂର୍ଣ୍ଣ ମୃତ ଘୋଷିତ ହୋଇ ପାରିଥିଲେ..!!
ସର୍ବଦମନ ବାବୁଙ୍କ ଆତ୍ମା ସ୍ୱର୍ଗକୁ ଫେରି ଆସିଯିବା ପରେ ଶ୍ରୀବିଷ୍ଣୁଙ୍କୁ ପ୍ରଣିପାତ କରିବା ବେଳେ ସେମିତି ଆଖି ବନ୍ଦ କରି ଜଗତରକ୍ଷକ ପଚାରିଲେ..
"ତୁମ ଇଚ୍ଛା ପୂର୍ଣ୍ଣ ହେଲା..
….ଏଥର ଖୁସି ତ.."