Rajalaxmi Mohanty

Others

3  

Rajalaxmi Mohanty

Others

ଏମିତି ବି ହୁଏ

ଏମିତି ବି ହୁଏ

4 mins
168



ରାତି ଆସି ବାରଟା ବାଜିଲାଣି। ଅନ୍ଯ ଭାଇ ଭଉଣୀ ମାନେ କିଏ କୁଆଡେ ଶୋଇଗଲେଣି। ଏକା ଶୋଇନି ପ୍ରଜ୍ଞା। ଶୋଇବ କେମିତି ଯେ , ଆଉ ମାତ୍ର ପନ୍ଦର ଦିନ ରହିଲା ମ୍ଯାଟ୍ରିକ ପରୀକ୍ଷା। ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡୁଛି ତାକୁ। ଦିନର ପରିଶ୍ରମ ପାଠପଢାକୁ ନେଇ ନୁହେଁ। ଘର ଦାୟିତ୍ବ ପାଇଁ। ଏବେ ଫସଲ ଅମଳ ସମୟ। କାମ ମିଳିଯାଉଛି ସବୁଦିନ ବାପା ବୋଉକୁ। ଖରା ବି ବଢିଲାଣି। ସେଥିପାଇଁ ବଡି ଭୋରରୁ ଉଠି ତା ବାପା ବୋଉ ପଖାଳ କଂସାଏ ଲେଖା ଖାଇଦେଇ କାମରେ ବାହାରି ଯାଆନ୍ତି।ସେମାନେ ଗଲାପରେ ଘରର  ଦାୟିତ୍ବ ସବୁ ପ୍ରଜ୍ଞା ଉପରେ। ଭାଇ ଭଉଣୀ ତିନିଜଣଙ୍କୁ ନିଦରୁ ଉଠେଇବା। ସେମାନଙ୍କୁ ଦାନ୍ତ କାଠିଦେଇ କୂଅରୁ ପାଣି ଆଣି ଦାନ୍ତ ଘଷିବାକୁ ଦେବା। ବାସି ବିଛଣା ଭାଙ୍ଗିସଜାଡି ରଖିବା।ଘରେ ଝାଡୁଦେବା।ସେତକ ସରିଲାପରେ ବାରିପଟକୁ ଯାଇ ସଜନାଶାଗ କି ଖଡା ଶାଗ ଯେତେବେଳେ ଯାହା ମିଳିଲା ଆଣି ଭାଜି ପଖାଳ ଖାଇବାକୁ ଦେବା। ସେମାନେ ଖାଇସାରିଲା ପରେ ପୁଣିଥରେ ବାସନ କୁସନ ଧୋଇସାରି ଦୁଇପ୍ରହର ପାଇଁ ରୋଷେଇ ଆରମ୍ଭ କରିବା।ସେଇ ଚୁଲିମୁଣ୍ଡେ ବସିବସି ବି ବହି ଟିକେ ଟିକେ ଲେଉଟେଇ ଦେଉଥାଏ ପ୍ରଜ୍ଞା।ରୋଷେଇ ସରିଲା ପରେ ଦିନ ବାରଟା ବେଳକୁ ଆସନ୍ତି ବାପା ବୋଉ। ଏଥର ପ୍ରଜ୍ଞାର ଛୁଟି। ପାଠ ପଢାରେ ବସିଯାଏ ସେ। କେବଳ ଖାଇବା ପିଇବା ସମୟକୁ ଛାଡିଦେଲେ ସେମିତି ବହି ଭିତରେ ମୁହଁ ଗୁଞ୍ଜି ବସିଥାଏ । ମଝିରେ ମଝିରେ ତା ବୋଉ ଗୋଟିଏ ଗୋଟିଏ କାମ ବରାଦ କରୁଥିବ, ଛେଳିଟା ଆସିଲାଣି ଗଲୁ ବାନ୍ଧିଦେଇ ଆସିବୁ। ବାଛୁରୀଟା କାହିଁକି ହମ୍ବାଳୁଛି ଗଲୁ ଘାସ ମୁଠାଏ ପକେଇଦେଇ ଆସିବୁ। ଏମିତି ଆହୁରି କେତେ କ'ଣ। ସେ ବଡ ଝିଅ ।ବୋଉର ଡାହାଣ ହାତ।ତା ଉପରେ ବୋଉର ଭାରି ଭରସା।ଆଉ କହିବ କାହାକୁ। ଭାଇ ଭଉଣୀ ଗୁଡା ବହୁତ ସାନ ଅଛନ୍ତି।ତେଣୁ ସେ ଏସବୁ କରିବାକୁ ବାଧ୍ଯ। ତା ଛଡା ତା ବାପା ବୋଉ ନିରକ୍ଷର। ପାଠପଢାର ମହତ୍ତ୍ବ ତାଙ୍କ ପାଇଁ କିଛି ନାହିଁ। କେବଳ ସେମିତି ଶ୍ରେଣୀ ଉତ୍ତୀର୍ଣ୍ଣ ହେଇଗଲେ ଗଲା। ବାହାଘର ଖୋଜିବାକୁ ଆଉ ଭିଡ ପଡବନି।ସେଥିପାଇଁ ପ୍ରଜ୍ଞା କିଛି ନକହି ବୋଉକୁ ସବୁ କାମରେ ସହଯୋଗ କରେ। ରାତି ଅନେକ ଯାଏ ପାଠପଢା ଜାରିରଖେ। ଆଗରୁ ଲାଇଟ୍ ଲଗେଇ ପଢିଲେ ବାପା ରାଗୁଥିଲେ ଅଧିକ ବିଜୁଳି ଭଡା ଆସିବ ବୋଲି। ଏବେ ଯାହାହେଉ ସେ ସମସ୍ଯାଟି ନାହିଁ ସରକାରଙ୍କ ତରଫରୁ ବିପିଏଲ ବିଜୁଳି ଯୋଗାଣ ହେବା ପରଠାରୁ। 


ରାତି ବାରଟା ହେଇଗଲା। ଶୋଇଲେ ପୁଣି ସକାଳୁ ଉଠିବାକୁ ପଡିବ ଭାବି ଶୋଇବାକୁ ଗଲା ସେ। ଏତିକିବେଳେ ଆରପଟ ବଖରାରେ ବାପା ବୋଉଙ୍କ ବାର୍ତ୍ତାଳାପ ତା କାନରେ ପଡିଲା। ବାପା କହୁଥିଲେ "ଭଲ ଘର ଭଲ ବର। ଜମିବାଡି ଅଛି ବର୍ଷକ ଖାଇଲା ଭଳିଆ। କ'ଣ କହୁଛୁ"। ବୋଉ କହୁଥିଲା "ମୁଁ ଆଉ କ'ଣ କହିବି।ଏହା ଠାରୁ ଭଲ ଘରେ କ'ଣ ଆମେ ବସି ପାରିବା। ତାଙ୍କୁ କୁହ ଦେଖାଚାହାଁ କରନ୍ତୁ । ଝିଅର ପରୀକ୍ଷା ସରିଗଲେ  ବାହାଘର ହେବ। ଆମକୁ ସବୁ ଯୋଗାଡ କରିବାକୁ ସମୟ ତ ଲାଗିବ"।ପ୍ରଜ୍ଞା କାନ ମୁଣ୍ଡା ଝାଇଁ ଝାଇଁ କରିଦେଲା। ଇଏ କ'ଣ ଶୁଣୁଛି ସେ। ବାହାଘର???ପ୍ରତିବାଦ କରିବାକୁ ଗରିବ ଝିଅର ବଳ କାହିଁ। ବାପାଙ୍କ ଅସହାୟତା ପାଖରେ ନିଜର ସ୍ବପ୍ନକୁ ବଳିଦାନ ଦେଲା ସିଏ। କେତେ ସ୍ବପ୍ନ ଦେଖିଥିଲା ସେ କଲେଜରେ ପାଠ ପଢିବ। ତାଙ୍କ ସ୍କୁଲର ମାଡାମଙ୍କ ଭଳି ପାଠପଢି ଚାକିରି କରିବ ।ନିଜ ରୋଜଗାରରେ ମାଡାମଙ୍କ ଭଳି ଗାଡି କିଣି ଚଢିବ। ସ୍ବପ୍ନ ସବୁ ଭାଙ୍ଗିଗଲା ବୋଧେ ଏଇଠି। 


ପରୀକ୍ଷା ପରେପରେ ବାହାଘର ଦିନ ଧାର୍ଯ୍ଯ କରାଗଲା। ରଜ ସଂକ୍ରାନ୍ତି ଥିବ ପାଞ୍ଚଦିନ ସେଇଦିନକୁ ଭଲ ଯୋଗେଇଲା। ଆହାଃ, ଏବର୍ଷ ଆଉ ରଜଦୋଳି ଖେଳିପାରିବନି ସେ।ଆଖିରୁ ଦୁଇଟୋପା ଲୁହ ଧାର ବୋହି ଆସିଲା। ବାହାଘର ଦିନ ଠିକ୍ ବର ବରଣୀ ସମୟରେ କିଛି ପୋଲିସ ଆସି ପହଞ୍ଚିଲେ। ସମସ୍ତେ ଆଶ୍ଚର୍ଯ୍ଯ ହେଇ ଚାହିଁ ରହିଲେ। ପୋଲିସ ସହ ନିଜେ ତହସିଲଦାର ବାବୁ ଓ ଆଉ କିଛି ସରକାରୀ କର୍ମଚାରୀ ଚାଇଲ୍ଡ ହେଲ୍ପ ସେଣ୍ଟରର। ଜଣେ ନାବାଳିକା ଝିଅକୁ ବାହା ଦେବା ଅପରାଧ ରେ ଓ ବାହାହେବା ଅପରାଧରେ ପ୍ରଜ୍ଞା ର ବାପାବୋଉ ଙ୍କ ସହ ପ୍ରଜ୍ଞା ର ଭାବୀ ବର ସମସ୍ତଙ୍କୁ ଥାନାକୁ ଉଠେଇନେଲେ। ସେମାନଙ୍କ ସହିତ ପ୍ରଜ୍ଞା କୁ ମଧ୍ଯ। ପ୍ରଜ୍ଞା ବୋଉ କାନ୍ଦୁଥାଏ ଝିଅଟି ତା'ର ମଙ୍ଗୁଳା ହେଇ ରହିଗଲା ବୋଲି। ପ୍ରଜ୍ଞା ସେ ସବୁର କିଛି ଅର୍ଥ ବୁଝୁନଥାଏ ।ଏତିକି ଜାଣି ଖୁସି ହେଉଥାଏ ସେ ଯେ ଏ ବାହାଘର ଆଉ ହେଇପାରିବନି। 


ଥାନାରେ ଆପୋଷ ସମାଧାନ ଭିତ୍ତିରେ ଘଟଣାଟିର ସମାଧାନ ହେଇଗଲା। ପୁଅ ଘର ତରଫରୁ କ୍ଷମା ମାଗି ଆଉ ଏଭଳି ଭୁଲ କରିବେନି କହି ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇ ଆସିଲେ। ଝିଅର ବାପା ବୋଉ ବି ଝିଅ ସାବାଳିକା ନହେବାଯାଏ ବାହାଘର କରିବେନି ବୋଲି ଲିଖିତ ପ୍ରତିଶ୍ରୁତି ଦେଇ ଆସିଲେ। ଘରେ ଆସି ପହଞ୍ଚି ପ୍ରଜ୍ଞା ବୋଉର କାନ୍ଦ ବୋବାଳି ତା ସାଙ୍ଗକୁ ଗାଳି ଗୁଲଜ ଚାଲିଥାଏ। କିଏସେ ଗୋଟେ ହିଂସାରେ ଏମିତି କାମ କରିଛି ବୋଲି ସେମାନେ ଭାବିନେଇଛନ୍ତି। ପ୍ରଜ୍ଞା ଲକ୍ଷ୍ଯ କରିଛି ଗୋଟେ କଥା ଯେ ପୋଲିସ ସାଙ୍ଗରେ ତାଙ୍କ ଗାଁର ଅନିକେତ ଭାଇ ବି ଆସିଥିଲେ। ଅନିକେତ ତାଙ୍କଗାଁର ପୁଅ।ସହରରେ ରହି ପାଠ ପଢନ୍ତି। ମଝିରେ ମଝିରେ ଗାଁକୁ ବୁଲି ଆସନ୍ତି।ଗାଁର ସବୁ ଲୋକ ଏହି ଘଟଣାରେ ବ୍ଯସ୍ତ ବିବ୍ରତ ହେଉଥିବା ବେଳେ ସେ ସ୍ଥିର ହେଇ ଦେଖୁଥିଲେ ସବୁ। ମଝିରେ ମଝିରେ ପୋଲିସ ସହିତ କଥା ବି ହେଉଥିଲେ। ଏହି ଘଟଣାରେ ଦୋଷୀକୁ ଜେଲ୍ ଦଣ୍ଡ ମିଳିପାରେ ବୋଲି ତା ବାପା ବୋଉ ସିନା ଜାଣନ୍ତିନି, ହେଲେ ସେ ଭଲ କରି ଜାଣିଛି ।କିନ୍ତୁ ସେମାନଙ୍କୁ ପୋଲିସ ଛାଡିଦେଇଛି। କଥା କ'ଣ? 


ତା ପରଦିନ ବାଡିପଟେ ଛିଡା ହେଇଥିବା ବେଳେ ଅନିକେତ ଭାଇ ତା ପାଖକୁ ଆସିଲେ। ତା ହାତକୁ ଗୋଟେ ଚାରିଭାଙ୍ଗ ହେଇଥିବା କାଗଜ ଟେ ଧରେଇଦେଇ କହିଲେ ଏକୁଟିଆ ପଢିନେବୁ। ତା ପରେ ହସିହସି ସେଠୁ ଚାଲିଗଲେ। ଆଶ୍ଚର୍ଯ୍ଯ ହେଲା ପ୍ରଜ୍ଞା। ଏ ଅନିକେତ ଭାଇଙ୍କ ପାଦ ଯେଉଁଠି ପଡିବ ପ୍ରଜ୍ଞା କିମ୍ବା ତା ବାପା ବୋଉଙ୍କ ମୁଣ୍ଡ ସେଠି ପଡିବନି। ସେ ପୁଣି ପ୍ରଜ୍ଞାକୁ ଏ ଚିଠି ରେ କ'ଣ ଲେଖିଛନ୍ତି। ସେ ଆଗରୁ ଅନେକ ଥର ପ୍ରଜ୍ଞା ଆଡକୁ କଣେଇ କଣେଇ ଚାହିଁବାର ପ୍ରଜ୍ଞା ନଜରରେ ପଡିଛି। ଆଜି ପୁଣି ସିଧା ସଳଖ ଏ ଚିଠି??କ'ଣ ଅଛି ଏଥିରେ। ଘରକୁ ନେଲେ ଅନ୍ଯ ମାନେ ଜାଣିଯିବେ। କେଉଁଠି ପଢିବ ତାହେଲେ। ବୋଉ କହିଛି ବାହାରକୁ ନଯିବା ପାଇଁ। ଲୋକେ ଦେଖିଲେ ହସାହସି ହେବେ ବୋଲି। କୁଆଡେ ଯିବ ତାହେଲେ? ହଁ ଗଡିଆ କୂଳକୁ।ସେଇଠିକୁ ଚାଲିଗଲା ପ୍ରଜ୍ଞା। ଖୋଲିଲା ଅନିକେତ ଭାଇ ଦେଇଥିବା ଚିଠି ଟିକୁ। 


ପ୍ରଜ୍ଞା, 

     ମୋର ସ୍ନେହ ନେବୁ। ମୋ ଉପରେ ରାଗିବୁନି ଦୟାକରି ସତ ଜାଣିଗଲା ପରେ। ତୋତେ ଲୁଚେଇ ବି ପାରୁନି ମୁଁ। ସତ କଥା ହେଲା ମୁଁ ହିଁ ଚାଇଲ୍ଡ ହେଲ୍ପ ସେଣ୍ଟରରେ ତୋ ବାହାଘର କଥା ଜଣେଇଥିଲି।ମୁଁ ଚାହୁଁନଥିଲି ତୁ ଏତେ ଶୀଘ୍ର ବାହାହେଇ ଯାଇ ବନ୍ଧନ ଭିତରେ ରହି ତୋ ସ୍ବପ୍ନକୁ ଅଧୁରା ରଖ ବୋଲି। ସନାତନ ଦାଦା କିମ୍ବା ପ୍ରତିମା ଖୁଡୀ ସିନା ତୋ ପ୍ରତିଭା ବିଷୟରେ ଅଜଣା ଅଛନ୍ତି।ମୁଁ ନୁହେଁ। ଭଲକରି ମୁଁ ଜାଣିଛି ତୁ ପଙ୍କ ପୋଖରୀରେ ପଦ୍ମ ଫୁଲଟିଏ। କୌଣସିମତେ ତୋତେ ଅଠର ବର୍ଷ ଯାଏ ନିଜକୁ ସୁରକ୍ଷିତ ରଖି ପାଠପଢା ଜାରିରଖ, ତା ପରେ କଥା ଦେଉଛି ଆଗକୁ ତୋର ସବୁ ଦାୟିତ୍ବ ମୋର। ଏବେବି ଚାହିଁଲେ ମୁଁ ତୋତେ ଆର୍ଥିକ ସାହାଯ୍ଯ କରିପାରିବି ।କିନ୍ତୁ ତୁ ଗ୍ରହଣ କରିବୁନି। ତେଣୁ ଛୋଟଛୋଟ ପିଲା ମାନଙ୍କୁ ଟ୍ଯୁସନ କରି ପାଠ ପଢା ଜାରିରଖିବାକୁ ଅନୁରୋଧ କରୁଛି। 



ଇତି, ଅନିକେତ (ଆଜିଠାରୁ ଭାଇ ନୁହେଁ)


ଚିଠିକୁ ପଢିସାରି ପ୍ରଜ୍ଞା ର ସର୍ବାଙ୍ଗ ଥରିଉଠିଲା। ଇଏ କ'ଣ ସତରେ ସମ୍ଭବ। କାଲି ଯେଉଁ ପ୍ରଜ୍ଞା ସ୍ବପ୍ନ ଭାଙ୍ଗିଗଲା ବୋଲି ଲୁହ ଗଡାଉଥିଲା ଆଜି ତାକୁ ପୁଣି ନୂଆ ସ୍ବପ୍ନ ଦେଖାଇଦିଆଯାଉଛି। ସ୍ବପ୍ନ ଦେଖିବ ନା ନାହିଁ କିଛି ବୁଝି ପାରୁନି ସେ। ସ୍ବପ୍ନ କ'ଣ କିଏ ମନକୁ ଦେଖେ କି। ସ୍ବପ୍ନ ତା'ର ଆପେଆପେ ଆସେ। କିଏ ଚାହୁଁ କି ନଚାହୁଁ। ସେମିତି ହେଲା ପ୍ରଜ୍ଞା ଜୀବନରେ। ସେ ଧିରେଧିରେ ସ୍ବପ୍ନ ରାଇଜରେ ଉଡିଉଡି ଯାଉଥିଲା ବହୁତ ଦୂରକୁ। ଅନିକେତର କଥା ସବୁ ତା ପାଇଁ ବେଦର ଗାର। ଘରେ ଦୃଢ ମତପୋଷଣ କରି ନିଜ ପାଠ ପଢାକୁ ଆଗକୁ ଆଗେଇନେଲା। କଲେଜରେ ପଢିଲା। ଟ୍ଯୁସନ କରି ନିଜ ଖର୍ଚ୍ଚ ଉଠେଇଲା। ସତକୁ ସତ ତିନିବର୍ଷ ପରେ ପୁଣି ଅନିକେତଙ୍କ ସହ ଦେଖାହେଲା। ଅନିକେତଙ୍କ ଘର ଲୋକଙ୍କ ଦୃଢ ପ୍ରତିବାଦ ସତ୍ତ୍ବେ ଅନିକେତ ତାକୁ ଘରକୁ ବଧୂ ବେଶରେ ନେଇଗଲେ। ଏଥର ଆଇନ ସେମାନଙ୍କ ସପକ୍ଷରେ ଥିଲା। ସେମାନେ ଦୁଇଜଣ ସାବାଳକ ଓ ସାବାଳିକା ଥିଲେ ଓ ଅନିକେତ ଜଣେ ସରକାରୀ ଉଚ୍ଚ ପଦସ୍ଥ କର୍ମଚାରୀ ଭାବେ ରୋଜଗାର କ୍ଷମ ଥିଲେ। 

ପ୍ରଜ୍ଞାକୁ ବାହାଘର ପରେ ଅନିକେତ ପାଠ ପଢାରେ ବହୁତ ସାହାଯ୍ଯ କଲେ। ଭୁଲିଗଲେ ଯେ ସେମାନେ ସ୍ବାମୀ ସ୍ତ୍ରୀ ବୋଲି। ଦୁଇ ବନ୍ଧୁ ଭାବେ ରହି ପାଠପଢାରେ ସଂପୂର୍ଣ୍ଣ ସହଯୋଗ କଲେ। ଶେଷରେ ପ୍ରଜ୍ଞାର ସ୍ବପ୍ନ ପୂରଣ ହେଲା। ଅନିକେତଙ୍କର ଚେଷ୍ଟା ସଫଳ ହେଲା। ଆଜି ପ୍ରଜ୍ଞା କଲେଜରେ ଅଧ୍ୟାପିକା।ଯିଏ ଦିନେ କଲେଜରେ ପଢିବାକୁ ବି ସାହସ କରିପାରୁନଥିଲା ଆଜି ସିଏ ହଜାର ହଜାର ପିଲା ମାନଙ୍କୁ ପାଠ ପଢେଇବ। ଆଖିରୁ ତା'ର ଲୁହ ବୋହି ଆସିଲା ଆନନ୍ଦରେ। ସତରେ "ଏମିତିବି ହୁଏ"!!


Rate this content
Log in