STORYMIRROR

Binaya Bhusan Panigrahi

3  

Binaya Bhusan Panigrahi

ଏକ ଅସମାହିତ ପ୍ରଶ୍ନ

ଏକ ଅସମାହିତ ପ୍ରଶ୍ନ

2 mins
1.1K


ରାଜଧାନୀ ରେଲୱେ ଷ୍ଟେସନ ପଛ ଗେଟ ପାଖ ଲୁହାବାଡ଼ ପାଖରେ ଦୁଇ-ତିନି ଦିନର ପିଲାଟିଏ ଖଣ୍ଡେ ସିମେଣ୍ଟ ବୁରା ଉପରେ ପଡି ଚିଡିଚିଡା ଚିତ୍କାର କରି କାନ୍ଦୁଥିଲା। ଆଖପାଖରେ ପିଲାଟାର ମା ଭଳି ଚେହେରାର କୌଣସି ସ୍ତ୍ରୀ ଲୋକ ନ ଥିଲେ।

କେହିଜଣେ ସହୃଦୟ ବ୍ୟକ୍ତି କିମ୍ବା ନିଜକୁ ସହୃଦୟ ତଥା ସମ୍ବେଦନଶୀଳ ମଣିଷଟିଏର ପରିଚୟ ପ୍ରଦାନ କରି ମହାନ ହେବାକୁ ଚାହୁଁଥିବା ବ୍ୟକ୍ତିଟିଏ କୌଣସି ଏକ ଦେୟମୁକ୍ତ ଦୁରଭାଷ କ୍ରମାଙ୍କକୁ ଯୋଗାଯୋଗ କରିଦେଲା ସମ୍ଭବତଃ।

ଷ୍ଟେସନ ପାଖର ଲୋକ,ପୁଲିସ ଓ ସାମ୍ବାଦିକ ମାନଙ୍କର ଭିଡ ସବୁଦିଗରୁ ପିଲାଟିକୁ ବାକି ଦୁନିଆରୁ ପୃଥକ କରିଦେଲା ପରେ ସ୍ବେଛାସେବୀ ସଂଗଠନରୁ ଆସିଥିବା ସଦସ୍ୟା ଜଣଙ୍କ ମାଇକ୍ରୋଫୋନ ବାଗେଇ ଧରି ପିଲାଟାର ଦୁର୍ବଳ ଚେହେରା ଉପରେ ଆଖି ବୁଲେଇ ଆଣି କିଛି କହିବାର ଉପକ୍ରମ କରିବା ଭିତରେ ତେର-ଚଉଦ ବର୍ଷର ଜୀର୍ଣ୍ଣ ଶୀର୍ଣ୍ଣ ଚେହେରାର ଅପ୍ରାପ୍ତ ବୟସ୍କା ବାଳିକାଟିଏ ଭିଡ଼ ଆଡେଇ ଆଗକୁ ଆସି ସିଧା ପିଲାଟି ପାଖକୁ ଯାଇ କୋଳକୁ ଉଠେଇ ନେଲା। ପିଲାଟା ବହୁମାତ୍ରାରେ ଆଶ୍ୱସ୍ତ ବୋଧ କଲା ବୋଧହୁଏ । କାନ୍ଦ ଟିକେ କମିଗଲା କିନ୍ତୁ ପୁରା ବନ୍ଦ ହେଇ ନ ଥିଲା ତଥାପି।

ବିନା ଲାଜରେ ବାଳିକାଟି ତାର ଅର୍ଦ୍ଧାବୃତ ଛାତିରୁ ଲୁଗା ଆଡେଇ ଦେଇ ପିଲାଟା ମୁହଁରେ ତା'ର ଅର୍ଦ୍ଧବିକଶିତ ବକ୍ଷୋଜର ଭାତୁଡି ସଦୃଶ ଭୁଣ୍ଡିଟି ଗେଂଜିଦେବା ମାତ୍ରେ ଏକବାର ତୁନି ପଡିଗଲା ପିଲାଟା। ବାଳିକାଟି ଏଥର ବାଁ ହାତରେ ଧରିଥିବା ପାଉଁରୁଟିଟିକୁ ଖାଇବାରେ ଧ୍ୟାନ ଦେଲା।

ଏଇ ଭିତରେ ଭିଡ଼ ଟିକେ କମିଯାଇଥିଲା। ସ୍ବେଛାସେବୀ ସଂଗଠନର ସଦସ୍ୟା ଜଣଙ୍କ ବାଳିକାଟି ପାଖକୁ ଆସି ବସିପଡ଼ି ଖୁବ ଶାନ୍ତ ଭାବରେ ପଚାରିଲେ," ଝିଅ, ତୋ ନାଆଁ କଣ?"

- "ଗୁଲାପି ।"

- "ପୁରା ନାଆଁ?"

- "ଜାଣିନି ।"

- "ଏ ପିଲା କାହାର?"

- "ମୋ ପିଲା।"

- "ତୋ ପିଲା ଯେ ,ତା'ର ବାପା କିଏ?"

- " ତାଆର ବାପା କେହି ନାହିଁ ।" କହିସାରି ଉଠିଯାଉଥିଲା ଝିଅଟି।

- " ଘରକୁ ଯିବୁ?"

- " ଆମ ଘର ତ ଏଇଟା।"

- " ଆଛା କହିଲୁ, ତୋ ସାଙ୍ଗରେ କେହି ପୁଅପିଲା କେବେ........?"

- "ହଁ, "

-"ଆରେ ବୋକି, ସେଇ ହଉଚି ତୋ ପିଲାର ବାପ।ଏବେ କହ ସେ କିଏ ଆଉ କେଉଁଠି ରହୁଛି।"

- " ସେତେବେଳେ ଅନ୍ଧାର ଥିଲା,ମୁଁ ତାକୁ ଦେଖିନାହିଁ। ଜାଣିନି ସେ କୋଉଠି ରହେ।"

ମହିଳାଙ୍କ ଓଠ ଯୋଡିକ ଯୋଡି ହେଇଗଲା । ଆଉକିଛି ପଚାରିବା ପାଇଁ ଚାହୁଁଥିଲେ ସେ-ପ୍ରଶ୍ନ ପ୍ରସ୍ତୁତି ପାଇଁ ଶବ୍ଦ ଖୋଜି ପାଉ ନଥିଲେ ସମ୍ଭବତଃ।

ଟ୍ରେନ ଆସିବାର ଶବ୍ଦ ଶୁଣାଗଲା। ଝିଅଟି ତା'ର ପିଲାକୁ ଗୋଟେଇନେଇ ପାଦ ବଢ଼େଇଲା ଷ୍ଟେସନ ଭିତରକୁ।

ମହିଳା ଜଣଙ୍କ ସେଇଠି ସେମିତି ବସିରହି ମନେମନେ ପିଲାଟିର ବାପାକୁ ଖୋଜି ଚାଲିଥିଲେ ବେଶ କିଛି ସମୟ ପର୍ଯ୍ୟନ୍ତ।।

----------©-----------

©ବିନୟ ଭୂଷଣ ପାଣିଗ୍ରାହୀ

ନୀଳାଦ୍ରି ବିହାର, ଭୁବନେଶ୍ୱର-୨୧

୯୪୩୮୬୭୦୧୨୦/୯୯୩୭୫୪୮୪୩୧

-----------------------------------

ହରସିଂ ପୁର,ପିରହାଟ ବଜାର,ଭଦ୍ରକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍