Narendra Prasad Behera

Others Children Stories

3  

Narendra Prasad Behera

Others Children Stories

ଦଶରଥଙ୍କ ଯଜ୍ଞ

ଦଶରଥଙ୍କ ଯଜ୍ଞ

3 mins
727



*ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞରେ ପୌରୋହିତ୍ଯ କରିବା ପାଇଁ ଋଷ୍ଯଶୃଙ୍ଗ କାହିଁକି ରାଜି ହେଲେ ଓ ସେ ଯଜ୍ଞ କେଉଁଠି ହୋଇଥିଲା*


    ବଶିଷ୍ଠଙ୍କ ମୁଖରୁ ମହର୍ଷି ଋଷ୍ଯଶୃଙ୍ଗଙ୍କ କଥା ଶୁଣି ରାଜା ଦଶରଥ ସୈନ୍ଯସାମନ୍ତ ଘେନି ଅଙ୍ଗ ଦେଶକୁ ଯାତ୍ରା କଲେ । ଦଶରଥ ଚମ୍ପାବତୀ ନଗରରେ ପହଞ୍ଚିଲାମାତ୍ରେ ଏହା ଜାଣି ପାରି ରାଜା ଲୋମପାଦ ଧାଇଁଆସି ବାଟ ମଝିରୁ ଦଶରଥଙ୍କୁ ପାଛୋଟି ନେଲେ । ଦଶରଥଙ୍କୁ ଉତ୍ତମ ଗୃହରେ ରଖାଇ ତାଙ୍କୁ ଚର୍ଚ୍ଚା କରିବାରେ ଲାଗିପଡିଲେ । ଉଭୟ ରାଜା ପରସ୍ପର ସହିତ ପରସ୍ପରକୁ କୁଶଳ ସମାଚାର କଥାବାର୍ତ୍ତା ହେଲେ ।


ଲୋମପାଦ ଦଶରଥଙ୍କୁ ଆସିବାର କାରଣ ପଚାରନ୍ତେ ଦଶରଥ କାନ୍ଦିପକାଇଲେ । ପୁତ୍ର ନ ଥିବାରୁ ତାଙ୍କର ଘୋର ମନୋବେଦନା ପ୍ରକାଶ କଲେ । ଋଷ୍ଯଶୃଙ୍ଗମୁନିଙ୍କ ପୌରୋହିତ୍ଯରେ ପୁତ୍ରେଷ୍ଟିଯଜ୍ଞ କଲେ ଦଶରଥଙ୍କର ପୁତ୍ର ଜାତ ହେବ । ସେଥିପାଇଁ ଋଷ୍ଯଶୃଙ୍ଗମୁନିଙ୍କୁ ଏଠାରୁ ଅଯୋଧ୍ୟା ନେବା ପାଇଁ ସେ ଲୋମପାଦଙ୍କ ପାଖକୁ ଆସିଛନ୍ତିବୋଲି କହିଲେ । ସଙ୍ଗେ ସଙ୍ଗେ ଦଶରଥଙ୍କୁ ସଙ୍ଗରେ ନେଇ ଲୋମପାଦ ରାଜା ମହର୍ଷି ଋଷ୍ଯଶୃଙ୍ଗଙ୍କ ପାଖରେ ଉପସ୍ଥିତ ହେଲେ । ଦଶରଥ ଋଷ୍ଯଶୃଙ୍ଗଙ୍କ ପାଦତଳେ ପଡିଗଲେ । ପାଦତଳୁ ଉଠି ପରମ ଭକ୍ତିରେ ହାତଯୋଡି ମୁନିଙ୍କ ପାଖରେ ଛିଡା ହେଲେ । ଋଷ୍ଯଶୃଙ୍ଗ ଦଶରଥଙ୍କୁ କଲ୍ଯାଣ କଲେ ଓ ଆସିବାର କାରଣ ପଚାରିଲେ । ସଙ୍ଗେ ସଙ୍ଗେ ଲୋମପାଦ କହିଲେ -ଏ ହେଉଛନ୍ତି ଅଯୋଧ୍ୟାର ରାଜା । ଏହାଙ୍କ ନାମ ଦଶରଥ । ଏହାଙ୍କ ଜନ୍ମ ସୂର୍ଯ୍ୟବଂଶରେ । ମୋର ଯେଉଁ ଝିଅ ଶାନ୍ତାଙ୍କୁ ଆପଣ ବିଭା ହୋଇଛନ୍ତି ସେହି ଶାନ୍ତା ହେଉଛନ୍ତି ଏହାଙ୍କର ଜନ୍ମିତ କନ୍ଯା । ମୁଁ ତାକୁ ଝିଅକରି ଆଣି ପାଳିଥିଲି ।


ଏହାଶୁଣି ମହର୍ଷି ଋଷ୍ଯଶୃଙ୍ଗ ଦଶରଥଙ୍କୁ ପାଖରେ ବସାଇ ନାନାଦି କୁଶଳ ପ୍ରଶ୍ନ ପଚାରିଲେ । ଦଶରଥ କାନ୍ଦ କାନ୍ଦ ହୋଇ କହିଲେ -ମୋର କୌଣସିଥିରେ ଅଭାବ ନ ଥିଲେ ମଧ୍ଯ ପୁତ୍ର ଅଭାବ ହେତୁ ମୁଁ ବଡ଼ ଦୁଃଖୀ । ମୋତେ ଆସି ନ ହଜାର ବର୍ଷ ବୟସ ହେଲା । କିନ୍ତୁ ଏ ପର୍ଯ୍ୟନ୍ତ ମୋର ପୁତ୍ରଜାତ ହେଲେ ନାହିଁ । ଆପଣ ମୋ ପ୍ରତି କରୁଣା କରି ଅଯୋଧ୍ୟାକୁ ବିଜେ କଲେ ସେଠାରେ ଆପଣଙ୍କ ପୌରୋହିତ୍ଯରେ ପୁତ୍ରେଷ୍ଟି ଯଜ୍ଞ କରାଇ ପୁତ୍ରଲାଭ କରିବି ବୋଲି ଆଶା କରିଛି । ଆପଣ ସଦୟ ହୋଇ ଅଯୋଧ୍ୟାରେ ସୂର୍ଯ୍ୟ ବଂଶକୁ ରକ୍ଷା କରନ୍ତୁ । 


     ଦଶରଥଙ୍କଠାରୁ ଏହାଶୁଣି ଋଷ୍ଯଶୃଙ୍ଗ ମନେ ମନେ ଧ୍ଯାନସ୍ଥ ହୋଇ ଜାଣିପାରିଲେ ଯେ ସ୍ବୟଂ ନାରାୟଣ ଚତୁର୍ଦ୍ଧାରୂପରେ ଦଶରଥଙ୍କର ପୁତ୍ରରୂପେ ଜନ୍ମଲାଭ କରିବେ । ତହୁଁ ଦଶରଥଙ୍କୁ ସେ କହିଲେ - ହଁ , ମୁଁ ଯିବି । ଅଯୋଧ୍ୟାକୁ ଯାଇ ତୁମ ପାଇଁ ପୁତ୍ରେଷ୍ଟି ଯଜ୍ଞରେ ପୌରୋହିତ୍ଯ କରିବି । ଋଷ୍ଯଶୃଙ୍ଗ ଅନୁମତି ପାଇ ଲୋମପାଦ ସଙ୍ଗେ ସଙ୍ଗେ ରଥ ସଜ କଲେ । ଅଯୋଧ୍ୟା ଯିବା ପାଇଁ ଋଷି ଋଷ୍ଯଶୃଙ୍ଗଙ୍କୁ ସେହି ରଥରେ ବସାଇଲେ । ଲୋମପାଦଙ୍କ ଠାରୁ ବିଦାୟ ନେଇ ଦଶରଥ ରଥରେ ବସିଲେ ଓ ମୁନିଙ୍କୁ ସଙ୍ଗରେ ନେଇ ଅଯୋଧ୍ୟା ଯାତ୍ରା କଲେ । ଅଯୋଧ୍ୟାରେ ପହଞ୍ଚି ଦଶରଥ ଋଷ୍ଯଶୃଙ୍ଗମୁନିଙ୍କ ରହିବା ସକାଶେ ସୁବନ୍ଦୋବସ୍ତ କରିଦେଲେ । ଋଷ୍ଯଶୃଙ୍ଗଙ୍କର ଯେପରି ଟିକିଏ ହେଲେ ଅସୁବିଧା ନ ହୁଏ ସେଥିପାଇଁ ନିଜେ ଉପସ୍ଥିତ ରହି ସମସ୍ତ ଯତ୍ନ ନେଲେ । ଦଶରଥଙ୍କର ପରମଭକ୍ତିରେ ଋଷ୍ଯଶୃଙ୍ଗ ପ୍ରସନ୍ନ ହୋଇ ସେଠାରେ ପରମସୁଖରେ କାଳ ଯାପନ କଲେ । ସମସ୍ତଙ୍କ ପରାମର୍ଶରେ ପରବର୍ତ୍ତୀ ବସନ୍ତଋତୁରେ ଅଯୋଧ୍ୟାରେ ପୁତ୍ରେଷ୍ଟି ଯଜ୍ଞ କରିବା ପାଇଁ କୁଳଗୁରୁ ବଶିଷ୍ଠମୁନିଙ୍କ ସହିତ ପରାମର୍ଶ କଲେ । ବଶିଷ୍ଠମୁନିଙ୍କ ନିର୍ଦ୍ଦେଶରେ ଦଶରଥ ସରଯୂନଦୀ ତୀରରେ ଯଜ୍ଞଶାଳା ନିର୍ମାଣ କଲେ ।


ଋଷିମାନଙ୍କ ରହିବା ପାଇଁ ଯଜ୍ଞଶାଳା ମଧ୍ଯରେ ସୁଗମ୍ଯ କୁଟୀରମାନ ନିର୍ମାଣ କଲେ । ସେଠାରେ ବଶିଷ୍ଠମୁନିଙ୍କ ରହିବା ପାଇଁ ମଧ୍ଯ କୁଟୀର ଗଢାହେଲା । ପୁତ୍ରେଷ୍ଟି ଯଜ୍ଞରେ ଯୋଗଦେବା ପାଇଁ ଦଶରଥ ନାନା ଦେଶର ରାଜାମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ରାଜାମାନେ ହେଲେ ମିଥିଳାର ରାଜା ଜନକ,କାଶୀ ଦେଶର ରାଜା ମଲ୍ଲ , ଅଙ୍ଗଦେଶର ରାଜା ଲୋମପାଦ , ମତ୍ସ୍ୟଦେଶର ରାଜା ଜୟସେନ ତଥା ବଙ୍ଗ, କନୌଜ, କାଶ୍ମୀର, ନେପାଳ, ଭୂପାଳ, ତୈଲଙ୍ଗ,ମଗଧ ପ୍ରଭୃତି ଦେଶର ନୃପତିଗଣ । ଏମାନେ ଦଶରଥଙ୍କଦ୍ବାରା ନିମନ୍ତ୍ରିତ ହୋଇ ମୂଲ୍ୟବାନ୍ ଭେଟିଦ୍ରବ୍ଯମାନ ଘେନି ଅଯୋଧ୍ୟାରେ ଉପସ୍ଥିତ ହେଲେ ଓ ସେହିସବୁ ଦ୍ରବ୍ଯ ଦଶରଥଙ୍କୁ ଭେଟି ସ୍ବରୂପ ଦେଲେ । ଅଗସ୍ତ୍ଯ, ପୁଲସ୍ତ୍ଯ, ପୁଲୋହ, ପୁଲୋମ, ଆତ୍ରେୟ, ବୈଶମ୍ପାୟନ,ଦୁର୍ବାସା,ଗୌତମ,ମରୀଚ, କୌଣ୍ଡିନ୍ଯ, ଜୈମିନି, ଭରତ,ମାର୍କଣ୍ଡେୟ, ପରାସର, ଦଧିଚି,ଗର୍ଗ,ଭୃଗୁ, ଦକ୍ଷ,ଭରଦ୍ବାଜ, ସନକ, କପିଳ, ଶତାନନ୍ଦ, ଶୌଭରି, ଵିଭାଣ୍ଡକ, ଯାଜ୍ଞିକ, ଅଷ୍ଟାଵକ୍ର, ଶରଭଙ୍ଗ, ରୁଚିକ ଓ ବାଲ୍ମୀକି ପ୍ରମୁଖ ବହୁ ଋଷି ରାଜା ଦଶରଥଙ୍କଦ୍ବାରା ନିମନ୍ତ୍ରିତ ହୋଇ ଦଶରଥଙ୍କ ପୁତ୍ରେଷ୍ଟି ଯଜ୍ଞରେ ଯୋଗ ଦେଇଥିଲେ । 



Rate this content
Log in