ଦୋସ୍ତ ର ପ୍ରତିଦାନ
ଦୋସ୍ତ ର ପ୍ରତିଦାନ
"ଭାଇ ଆମେ କେତେବେଳେ ଘରକୁ ଫେରିବା" ସମିନା ପଚାରିଲା ସଫିକ୍ କୁ
"ଟିକେ ରହ , ଅମ୍ମି କହିଛି, ସେ ଆସିଲେ ଯିବା। ଅବୁଙ୍କୁ ଚାରିଦିନ ହେଲା ଜର । କିଛି ଖାଇବା ନେଇକି ଆସିଲେ ଘରକୁ ସାଙ୍ଗ ହେଇ ଫେରିବା। ପୁଣି ଔଷଧ ଦୋକାନରୁ ଅବୁଙ୍କ ପାଇଁ ଔଷଧ ଆଣିବାକୁ ଅଛି"
ସଫିକ୍ ବି ଅପେକ୍ଷା କରୁଥିଲା କିଏ ଯଦି ଯୋତା ପାଲିସ୍ କରିବାକୁ ଆସିବ, ତେବେ ତାକୁ ଦି ପଇସା ମିଳିଯିବ। ବର୍ଷା ଝିପ୍ ଝିପ୍, ତେଣୁ ସେଦିନ କେହି ଜଣେ ବି ଆସିଲେନି। ବିଚରା ସମିନା ଟା ସାନ ପିଲାଟେ ସକାଳୁ ଦିଖଣ୍ଡ ବିସ୍କୁଟ ଖାଇଛି। ଗୋଟେ ୫ ଟଙ୍କିଆ ଟାଇଗର ବିସ୍କୁଟ୍ କୁ ଚାରିଜଣ ଖାଇଲେ ନାଲି ଚା ସହିତ ।ସମିନା ଖାଲି ବସି ବସି ବିରକ୍ତ ହେଇ ଯାଉଥାଏ। ଛିଣ୍ଡା ଜରିଖୋଳ ରେ ପୁରୁଣା ଯୋତାର ଫିତା ଗୁଡେ଼ଇ ଗୁଡେ଼ଇ ବଲ୍ ଟେ ତିଆରି କରୁଥାଏ ହାତରେ। କହିଲା "ଚାଲ୍ ଭାଇ ବଲ୍ ଖେଳିବା।" ସେଦିନ ସଫିକ୍ ର ଖେଳିବାକୁ ଜମା ମନ ନଥିଲା । ସେ ଆନମନା ଥିଲା, ସେ ତା ଭଉଣୀ କୁ ବୁଝେଇବାକୁ ଭାବିଲା ବେଳେ ଦେଖିଲା ବିଜୟ ସାହେବଙ୍କ ପୋଷା ଜ୍ଯାକି ଆସୁଛି। ତାର ଚେନ୍ ଧରିଛି ତାଙ୍କ ଡ୍ରାଇଭର୍। ଜ୍ଯାକି କୁ ଦେଖି ଦୁଇ ଭାଇ ଭଉଣୀଙ୍କ ମୁହଁ ଉଜ୍ଜ୍ବଳ ହେଇ ଉଠିଲା। ଜ୍ଯାକି ବି ଯେତେବେଳେ ଏମାନଙ୍କ ଦେଖିଲା ଦୌଡ଼ିବାକୁ ଲାଗିଲା ସେମାନଙ୍କ ଆଡ଼କୁ। ଡ୍ରାଇଭର୍ ତା ଦୌଡ଼ାରେ ଟାଣି ହେଇଯାଉଥାଏ। ଜ୍ଯାକି ଆସି ସଫିକ୍ ଓ ସମିନାଙ୍କ ଉପରେ ଚଢ଼ିଗଲା ଓ ଖେଳିବାକୁ ଇଛ୍ଛା କଲା।
ଜ୍ଯାକି, ସଫିକ୍ ଓ ସମିନାଙ୍କ ବେଶ୍ ଭଲ ସାଙ୍ଗ । ସାମ୍ନା ବଡ଼ ରାସ୍ତା କଡ଼ରେ ବିଜୟ ସାବ୍ ଙ୍କ ଭିଲା। ସେ ରାସ୍ତା ସାମ୍ନାରେ ପଡିଆ ଆଉ ସେ ପଡିଆ କଡର ଗଳିମୁଣ୍ଡ ରେ ସଫିକ୍ ବାପା ବସନ୍ତି। ଯୋତା ମରାମତି ଓ ପଲିସ କରିବାର ତାଙ୍କର ଉଠା ଦୋକାନ ଟିଏ । ଅବୁଙ୍କ ସହିତ ସଫିକ୍ ଓ ସମିନା ବି ବେଳେ ଆସିଥାନ୍ତି ଏଇଠିକୁ। ସଫିକ୍ ତା ବାପା ଙ୍କୁ ସାହାଯ୍ୟ କରେ। ଏଇ ୩/୪ ଦିନ ହେବ ବାପା ଆସିପାରୁ ନଥିବାରୁ ସଫିକ୍ ଏକା ଆସୁଛି। ଏଠିକି ଆସିବା ଭିତରେ ଜ୍ଯାକି ସହ ଦେଖା ଓ ପରିଚୟ ଓ ସମ୍ପର୍କର ଆରମ୍ଭ। ଜ୍ଯାକି ସବୁଦିନ ବିଜୟ ସାବ୍ ଙ୍କ ଡ୍ରାଇଭର ସହିତ ଏଇ ପଡିଆ କୁ ବୁଲିବାକୁ ଆସେ। ଆଉ ସେଇଠି ଦେଖାସାକ୍ଷାତ, ତାପରେ ବନ୍ଧୁତା।
ଏବେ ଜ୍ଯାକି ପଛେ ପଛେ ବିଜୟ ସାବ୍ ବି ଆସୁଥିବା ଦେଖି ପିଲା ଦିଜଣ ଠିଆ ହେଇଗଲେ। ବିଜୟ ସାବ୍ ତାଙ୍କ ଆଡ଼କୁ ଆସୁଥିବା ଏବଂ ତାଙ୍କ ଡ଼୍ରାଇଭର ଏମାନଙ୍କ ଆଡ଼କୁ ହାତ ଦେଖେଇ କଣ କହୁଥିବା ଦେଖି ସମିନା ଟିକେ ଡରି ଯାଇଥିଲା। ତାପରେ, ସେମାନେ ପିଲାମାନଙ୍କ ପାଖକୁ ଆସି ତାଙ୍କ ନାଁ ପଚାରିଲେ। ତାପରେ ସେ ନିଜ ପକେଟରୁ କଣ ବାହାର କରି ସଫିକ୍ ର ହାତ ପାପୁଲିରେ ଧରେଇଦେଇ ତା ହାତମୁଠାକୁ ବନ୍ଦ କରିଦେଲେ । ସଫିକ୍ ମୁଠା ଖୋଲି ଦେଖିଲା ନୂଆ ପାଞ୍ଚଶହ ଟଙ୍କିଆ ନୋଟ୍ ଦୁଇଟି। ସେ କିଛି ନ ବୁଝି ପାରି ବଲ ବଲକରି ଚାହିଁଲା ବିଜୟ ସାବ୍ ଙ୍କ ମୁହଁ କୁ, ପୁଣି ପ୍ରଶ୍ନିଳ ଦୃଷ୍ଟି ରେ ତାଙ୍କ ଡ଼୍ରାଇଭର ଆଡ଼କୁ। ଡ଼୍ରାଇଭର ବୁଝାଇବାକୁ ଲାଗିଲା। ତୁମେମାନେ ଜ୍ଯାକିର ଜୀବନ ରକ୍ଷା କରିଥିଲେ ତ , ସେଥିପାଇଁ ବାବୁ ତୁମକୁ ପୁରସ୍କାର ଦେଉଛନ୍ତି।
ପୁରସ୍କାର ! ଭାବିଲା ସଫିକ୍। ସାଙ୍ଗକୁ ଉଦ୍ଧାର କରି ପଇସା କଣ ପାଇବ ତାର ପିଲାମନଟା କିଛି ବୁଝୁନଥିଲା। କ୍ଷୁଦ୍ର ମସ୍ତିଷ୍କରେ କିଛି ପଶୁ ନଥିଲା । ସେ ସମିନାକୁ ବି ଚାହିଁଲା, ତାମୁହଁରେ ବି ଅବୁଝା ର ଭାଷା। ମନେପଡିଲା ସଫିକ୍ ର। ପ୍ରାୟ ଦୁଇ ମାସ ତଳର କଥା। ବିଜୟ ସାବ୍ ପରିବାର ସହ ବିଦେଶ ଯାଇଥିଲେ। ତାଙ୍କ ପୋଷା କୁକୁରର ତିନୋଟି ଛୁଆ ହେଇଥିଲା। ସେଥିରୁ ଗୋଟିଏ ଛୁଆ ଜ୍ଯାକି । ବାକି ଦୁଇଟି ଛୁଆ ଅଜଣା ଗାଡ଼ି ତଳେ ଚାପିହେଇ ମରିଯାଇଥିବାରୁ ଇଏ ସମସ୍ତଙ୍କର ନୟନ ପିତୁଳା । ନିଜର ଆବଶ୍ୟକୀୟ କାମଥିବା ଯୋଗୁଁ ନିଜ ଡ଼୍ରାଇଭର ହେପାଜତରେ ଜ୍ଯାକିକୁ ଛାଡି ବାହାରକୁ ଯାଇଥିଲେ ବିଜୟ ଭରଦ୍ୱାଜ।ସଫିକ୍ ଓ ସମିନା ସେଇ ଗଳି ମୁଣ୍ଡରେ ତାଙ୍କ ବାପାଙ୍କ ଦୋକାନକୁ ପ୍ରାୟ ପ୍ରତିଦିନ ଆସନ୍ତି ଓ ସେଇଠି ଖେଳନ୍ତି। ଆଉ ତାଙ୍କର ମୁଖ୍ୟ ସାଥୀ ଜ୍ଯାକି। ଜ୍ଯାକି ବି ଏ ଦୁଇ ଭାଇଭଉଣୀ ଙ୍କ ସହିତ ସାଙ୍ଗ ପରି ଖେଳେ। ଏହିପରି ସେମାନଙ୍କ ସମ୍ପର୍କ । ଦିନେ ନ'ଦେଖିଲେ ଜ୍ଯାକି ମୁହଁ ଶୁଖେଇ ବସେ। ସବୁଦିନ ପରି ସେଦିନ ମଧ୍ଯ ଖେଳୁଥିଲେ ସେ ତିନିହେଁ।ଖେଳୁ ଖେଳୁ ଜ୍ଯାକି ଦୌଡ଼ି ଦୌଡ଼ି ରାସ୍ତା କଡ ମଇଳା ନାଳରେ ପଡିଯାଇଥିଲା। ନାଳଟି ଟିକେ ଗଭୀର ଥିଲା ଓ ଗୋଟେ ଫୁଟ୍ ଉଚ୍ଚତାର ପାଣି ଥିଲା ସେଥିରେ। ଜ୍ଯାକି ଉଠିବାକୁ ଚେଷ୍ଟା କରୁଥିଲା। କିନ୍ତୁ ଶତ ଚେଷ୍ଟା ସତ୍ତ୍ବେ ସେ ଉଠିପାରୁନଥାଏ। ସଫିକ୍ ଓ ସମିନା ଦେଖୁଥାଆନ୍ତି ତାର ଅସହାୟତାକୁ ଆଉ ଶୁଣୁଥାଆନ୍ତି ତାଙ୍କ ସାଙ୍ଗର କୁଁ କୁଁ ବିକଳ କାନ୍ଦଣା।
ସେହି ସମୟରେ ତାଙ୍କ ଡ଼୍ରାଇଭର ବି ପାଖରେ ନଥିଲା। ସନ୍ଧ୍ୟା ହେଇଆସୁଥିଲା। ସୂରୁଜ ଦେବତା ଢଳିବାକୁ ଆରମ୍ଭ କଲେଣି ପଶ୍ଚିମ ଆକାଶରେ। ସଫିକ୍ ଭାବିଲା "ମତେ କିଛି କରିବାକୁ ପଡ଼ିବ"। ସେ କାଳ ବିଳମ୍ବ ନକରି ଡେଇଁ ପଡିଲା ସେ ମଇଳା ପାଣି ନାଳ ଭିତରକୁ ଆଉ ଜ୍ଯାକି କୁ ଦି ହାତରେ ଧରି ଉପରକୁ ଟେକି ଧରିଲା। ସମିନା ଉପରେ ଠିଆହେଇ ହାତ ବଢ଼ାଇ ଚେଷ୍ଟା କଲା ଜ୍ଯାକିକୁ ଉପରକୁ ଆଣିବାକୁ। କିନ୍ତୁ ତା ହାତ ବି ପାଉନଥାଏ। ସମିନା ଏକ ବୁଦ୍ଧି କରି ଦୁଇଟି ଇଟା ଆଣି ନାଳ ଭିତରେ ପକେଇ ଦେଲା। ଏଥର ସେ ଇଟା ଉପରେ ଠିଆ ହେଇ ସଫିକ୍ ଜ୍ଯାକିକୁ ହାତରେ ଉପରକୁ ଟେକି ଧରିଲା। ଏଥର ସମିନାର ହାତ ପାଇଗଲା ଓ ସେ ଜ୍ଯାକି କୁ ଧରି ଉପରକୁ ଉଠାଇ ଆଣିଲା । କିନ୍ତୁ ସଫିକ୍ କିପରି ଉପରକୁ ଉଠିବ ? ସେତେବେଳେ ସିନା ସେ ଡେଇଁ ପଡ଼ିଥିଲା । ଆସ୍ତେ ଆସ୍ତେ ଅନ୍ଧାର ମାଡିଆସୁଥିଲ। ଭୟରେ ସମିନା ଥରିବାକୁ ଲାଗିଲାଣି। ଭାଇକୁ କିପରି ଉଦ୍ଧାର କରିବ ସେ ଚିନ୍ତାରେ ଥାଏ। ଏହି ସମୟରେ ବିଜୟ ସାବ୍ ଙ୍କ ଡ଼୍ରାଇଭରକୁ ଦୂରରେ ଆସୁଥିବାର ଦେଖି ସମିନା ପାଟିକରି ଡାକ ପକେଇଲା। ଡ଼୍ରାଇଭର ଆସି ପହଁଚି ଏ ତିନିଜଣଙ୍କ ଅବସ୍ଥା ଦେଖି ବଡ ହେଇ ବ୍ୟସ୍ତ ହେଇ ପଡ଼ିଲା। ଆଉ ହାତ ବଢ଼େଇ ସଫିକ୍ କୁ ଉଦ୍ଧାର କଲେ। ସଫିକ୍ ଓ ଜ୍ଯାକି ମଇଳା ପାଣିରେ ପୁରା ଲଟର ପଟର, ପୁରା ଭିଜି ଯାଇଥାଆନ୍ତି।
ଅମ୍ମି ଦେଖିଲେ ଗାଳି ଦେବେ । ସେହି ଚିନ୍ତାରେ କାନ୍ଦି ପକେଇଲେଣି ଦିଜଣ। ଏମାନଙ୍କ କାନ୍ଦ ଦେଖି ଡ୍ରଇଭର ଭାଇ ସେମାନଙ୍କୁ ବିଜୟ ସାବ୍ ଙ୍କ ଘର ବାହାର କଳପାଖକୁ ନେଇ ଧୁଆଧୁଇ ହେବାକୁ କହିଲା। ସେମାନେ ସଫା ହେଲାପରେ ତାଙ୍କୁ ନେଇ ତାଙ୍କ ଘରେ ସଫିକ୍ ର ଅବୁ ଓ ଅମ୍ମି ଙ୍କୁ ସବୁକଥା ବୁଝେଇକହି ଛାଡି ଆସିଲା।
ୟାଭିତରେ ପ୍ରାୟ ଦୁଇମାସ ବିତିଗଲାଣି। ବିଜୟ ସାବ୍ ବିଦେଶରୁ ଫେରିଆସିଲେଣି। ସେଇ ଘଟଣା ପରଠୁ ଜ୍ଯାକି କୁ ଆଉ ବେଶୀ ବାହରକୁ ଛଡ଼ା ଯାଉନି। କିନ୍ତୁ ଏ ଦୁଇଜଣ ତାଙ୍କ ଫାଟକ ପାଖରେ ଯାଇ ଜ୍ଯାକିକୁ ଦେଖିଆସନ୍ତି, ସେ ଯେଉଁ ଦିନ ବାହାରକୁ ନଆସେ।
ଜ୍ଯାକି ତାଙ୍କ ଦୋସ୍ତ୍, ଦୋସ୍ତ୍ ର କିଛି ଅସୁବିଧା ହେଲେ ସେମାନେ କିପରି ଶାନ୍ତିରେ ରହିପାରିଥାଆନ୍ତେ। ଆଉ ତାର କଣ ପ୍ରତିବଦଳରେ ଟଙ୍କା ନେବା କଥା। ସଫିକ୍ ର ମନ ଭିତରେ ଆନ୍ଦୋଳନ। ପର ମୂହୁର୍ତ୍ତ ରେ ତାର ମନେପକଡିଗଲା, ଦିଦିନ ହେଲା ସେମାନଙ୍କର ଅଧା ଓପାସ ଓ ଅବୁଙ୍କ ରୋଗାକ୍ରାନ୍ତ ଶରୀର କଥା । ସେ ଟଙ୍କାରେ ହୁଏତ ଅମ୍ମି ଚାଉଳ , ଡାଲି, ଅଟା କିଣିପାରିବ । ଆଉ ଅବୁଙ୍କ ପାଇଁ ଔଷଧ ବି। ହଠାତ୍ ଅମ୍ମିର ଡାକରେ ପ୍ରକୃତିସ୍ଥ ହେଲା।
ସମିନା କହୁଥିଲା "ଅମ୍ମି, କୁଛ ଦୋ ନା, ବଡ଼ି ଭୁକ୍ ଲଗି ହୈ"
ଅମ୍ମି ଙ୍କ ପାଖରେ କିଛି ନଥିଲା ଦେବାକୁ। ବିଜୟ ସାବ୍ ବି ଫେରିଯାଉଥିଲେ ନିଜଘର ଆଡ଼କୁ। ସଫିକ୍ ପଛରୁ ଡାକିଲା 'ସାବ୍ ସାବ୍' ଫେରି ଚାହିଁଲେ ସେ। ସଫିକ୍ ଦୌଡ଼ି ଯାଇ ବଢେଇ ଦେଲା ସେ ପାଞ୍ଚଶହ ଟଙ୍କିଆ ନୋଟ ଦୁଇଟି ତାଙ୍କ ହାତକୁ। ଆଉ କହିଲା "ୟେ ରୁପେୟା ମୈ ନେହିଁ ଲେ ସକତା" ତାପରେ ଫେରି ଆସିଲା ଘରକୁ ଅମ୍ମି ସହିତ।
ଘରେ ଅବୁ ଙ୍କୁ ଚାହିଁ ସଫିକ୍ କହିଲା ଆଜି ବି କିଛି ରୋଜଗାର ହେଲାନି ଅବୁ। ଅବୁଙ୍କ ଆଖିରେ ଲୁହ । ଅମ୍ମି ଯାଇଥିଲା ପଡିଶାଘରୁ ଚାଉଳ ଓ ଅଟା ଆଣିବାକୁ। କିଛି ସମୟ ପରେ ଭଙ୍ଗା ଟିଣ କବାଟ ରେ ଶବ୍ଦ ଶୁଣି ସଫିକ୍ ଭାବିଲା ଅମ୍ମି। କବାଟ ଖୋଲି ଦେଖିଲା ବିଜୟ ସାବ୍ ଙ୍କ ଡ୍ରାଇଭରର। ତା ହାତରେ ଥିବା ପ୍ୟାକେଟ୍ କୁ ବଢେଇ ଦେଲା ସଫିକ୍ ହାତକୁ। ସେଥିରେ ଥିଲା କିରାନା ଜିନିଷ ଓ ବିସ୍କୁଟ। ଆଉ କହିଲା ସାବ କହିଛନ୍ତି ପାପା ଭଲ ହେଲେ ତାଙ୍କୁ ନେଇ ତାଙ୍କ ଘରକୁ ଆସିବାକୁ , କିଛି କାମ ଅଛି।
