Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Bismita Sahoo

Others


5.0  

Bismita Sahoo

Others


ଦ୍ଵିତୀୟ ଈଶ୍ୱର

ଦ୍ଵିତୀୟ ଈଶ୍ୱର

7 mins 533 7 mins 533

ମୁଁ ଜଣେ ଲେଖକ। ମୋ ଲେଖନୀ ମୂନରେ ଜନ୍ମ ହୁଅନ୍ତି ଅନେକ ଚରିତ୍ର। ମୁଁ ଚାହିଁବାକ୍ଷଣି ରାଜା ପାଲଟି ଯାଏ ରଙ୍କ, ରଙ୍କ ବସିପାରେ ବିକ୍ରମାଦିତ୍ୟର ବତ୍ରିସ ସିଂହାସନରେ। ମୁଁ ନିଜେ ସୃଷ୍ଟିକର୍ତ୍ତା, ସଂହାରକର୍ତ୍ତା ବି। ମୋ ହାତରେ ଚିତ୍ରଗୁପ୍ତ ପାଞ୍ଜି। ମୋ ଇଚ୍ଛା ଅନୁଯାୟୀ ମୋ ଚରିତ୍ର ମାନଙ୍କୁ ଆୟୁଷ ବାଣ୍ଟେ। ମୋ ପାଇଁ ନଥାଏ କିଛି ବାଧାବିଘ୍ନ। ସୁନ୍ଦରୀ ରାଜଜେମାକୁ ମୁଁ କେତେବେଳେ ବାହା କରିଦିଏ କୁତ୍ସିତ କଦାକାର ରାକ୍ଷସ ସହିତ ତ କେତେବେଳେ ଦାନ୍ତୁରି, ବାନ୍ଦେରି ପାଇଁ ଯୋଖିଦିିଏ ଗୋରା ତକତକ ରାଜକୁମାର। ମୋ ହାତରେ ମୁଁ ଜୀବନ ଗଢ଼େ, ଭାଙ୍ଗେ ମଧ୍ୟ। ମୋ ପାଇଁ ସର୍ବଗୁଣ ସମ୍ପନ୍ନା ନାରୀ ମଧ୍ୟ ସ୍ଥଳବିଶେଷରେ ପାଲଟି ଯାଏ କୈକେୟୀ। ପୁତନା ସାଜି ନିଜ କ୍ଷୀରରେ ବିଷ ମିଶେଇ ବାଳୁତ ଶିଶୁକୁ ମାରିବାକୁ ଚେଷ୍ଟା କରେ ତ ଆଉ କେତେବେଳେ ସର୍ବସଂହା ଧରିତ୍ରୀ ସାଜି ମଥା ପାତି ସହିନିଏ ଅନ୍ୟାୟ ଅତ୍ୟାଚାର। ମୁଁ ସତରେ କଣ ଛାର ଲେଖକଟିଏ? ନା ମୁଁ ଦ୍ବିତୀୟ ଈଶ୍ୱର। ମୋ ଦ୍ୱାରା ସୃଷ୍ଟ ଚରିତ୍ରମାନେ ମୋତେ କେବେ କୈଫିୟତ ମାଗନ୍ତିନି। ମାଗିବେନି ମଧ୍ୟ। କାରଣ ସେମାନେ ମୋ ହାତରେ ଗଢ଼ା ଗୋଟିଏ ଗୋଟିଏ ପିତୁଳା। ବୁଦବୁଦ ଯେମିତି ଜଣେନି ତାର ଆୟୁଷ କେତେ ସେପରି ମୋ ଦ୍ୱାରା ସୃଷ୍ଟ ଚରିତ୍ରମାନେ ଜଣନ୍ତିନି ତାଙ୍କର ପରିଣାମ କଣ ହେବ। 

     ହା -----ହା-----ହା----

ମୁଁ ଦ୍ଵିତୀୟ ଈଶ୍ୱର। ହଁ ମୁଁ ଦ୍ଵିତୀୟ ଈଶ୍ୱର। ଏ ନଶ୍ୱର ଦେହବହି ମୁଁ ଜଣେ ଈଶ୍ୱର। ହଠାତ୍ ପାଗଳ ପରି ପ୍ରଳାପ କରି ଉଠିଲେ ନରୋତ୍ତମ ବାବୁ। କାଗଜ ଉପରୁ କଲମଟି କାଢ଼ିଦେଲେ। ସତରେ ଯଦି ତାଙ୍କ ଦ୍ୱାରା ସୃଷ୍ଟ ଚରିତ୍ର ମାନେ ସତ୍ୟ ହେଇଯାନ୍ତେ ତେବେ କିପରି ହୁଅନ୍ତା? ସତରେ ଚମତ୍କାର ଘଟନ୍ତା।


   ଫୋନ୍ ର ଘଣ୍ଟି ବାଜି ଉଠିଲା। ନରୋତ୍ତମ ବାବୁ ନିଜ ଚିନ୍ତନ ଉପରେ ନିଜର ଗେଲ୍ହି ଝିଅ ଶ୍ଵେତାକୁ ସମ୍ୟକ୍ ସୂଚନା ଦେଲେ। ବାପାଙ୍କର ଏହି ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ରୂପେ ସମର୍ଥନ କଲା ଶ୍ଵେତା। ଶ୍ଵେତା 'ଜଗନ୍ନାଥ ଦର୍ଶନ' ଉପରେ ଗବେଷଣା କରୁଛି। ଯଦି ହାତ ନଥାଇ ଜଗନ୍ନାଥ ମହାପ୍ରଭୁ ଦାସିଆ ବାଉରୀ ହାତରୁ ନଡ଼ିଆ ଟାଣିନେଲେ, ଗୋଡ ନଥାଇ ଘୋଡା ଚଢ଼ି କାଞ୍ଚି ଅଭିଯାନରେ ସାମିଲ ହୋଇ ରାଜା ପୁରୁଷୋତ୍ତମଙ୍କୁ ପଦ୍ମାବତୀଙ୍କ ସହିତ ବିବାହ କରିବାରେ ସାହାଯ୍ୟ କରିପାରିଲେ ତେବେ ତାଙ୍କ ବାପା ପରମ ଜ୍ଞାନୀ ବିଚକ୍ଷଣ ପ୍ରତିଭାଧାରି ଯିଏ କି ନିଜର ସାହିତ୍ୟ କୃତି ପାଇଁ ଅନେକ ପୁରସ୍କାର ପାଇଛନ୍ତି ସେ ନିଜ ଦ୍ୱାରା ସୃଷ୍ଟ ଚରିତ୍ର ଗୁଡିକୁ ଜୀବନ୍ତ କରିପାରିବେନି? 


ଝିଅ ଶ୍ଵେତାର ଆଗ୍ରହ ରେ ନରୋତ୍ତମ ବାବୁ କେଉଁ ଚରିତ୍ର କୁ ଜୀବନ୍ତ କରିବେ ତାହା ଭାବିଲେ। ଗଳ୍ପ 'ଅନନ୍ୟା' ପାଇଁ ଅନେକ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଥିଲା। ସେ ଅନନ୍ୟା କୁ ଜୀବନ୍ତ କରିବେ କି? ନା--- ନା। ଅନନ୍ୟା କିପରି ଜୀବନ୍ୟାସ ପାଇବ। ନରୋତ୍ତମ ବାବୁ ତା ପାଇଁ ଯାହାବି କରିବେ ସବୁ ବାହାଦୁରୀ ଅନନ୍ୟା ନିଜ ମୁଣ୍ଡ ଉପରକୁ ନେଇଯିବ। ଲୋକେ ତାର ସୁକର୍ମ ପାଇଁ ଅନନ୍ୟା କୁ ବାହା ବା ଦେବେ । ହେଲେ ତାଙ୍କୁ କେହି କାଣିଚାଏ ବି ପଚାରିବେନି। 


'ଅହଲ୍ୟା' ଗଳ୍ପ ପାଇଁ ତାଙ୍କୁ ଲେଖକ ପରିଚିତି ମିଳିଥିଲା। ଅହଲ୍ୟା ଦେହରେ ଜୀବନ ସ୍ଥାପିଲେ କିପରି ହୁଅନ୍ତା? ସବୁ କଥାରେ ମୁଣ୍ଡ ହଲେଇ ସମ୍ମତ୍ତି ପ୍ରଦାନ କରୁଥିବା ଝିଅ ଏଥିରେ ଅରାଜି ହେଇଥିଲା। ତା କହିବା ଅନୁଯାଇ ଅହଲ୍ୟାକୁ ମୁକ୍ତି ମିଳିଲେ ସେ ସ୍ୱଚ୍ଛନ୍ଦରେ ନିଜ ଜୀବନ ଅତିବାହିତ କରି, ନରୋତ୍ତମ ବାବୁଙ୍କର ବଦାନ୍ୟତା ପାଇଁ ତାଙ୍କୁ ପୂଜିବ ବୋଲଇ କହିହବନି। ସେ ତ ଏକବିଂଶ ର ଅହଲ୍ୟା। 


ବହୁତ ତର୍କ ବିତର୍କ ପରେ 'ଏ ଯୁଗର ବାଲ୍ମୀକି' ଗଳ୍ପର ନାୟକ ରତ୍ନାକରକୁ ଜୀବନ୍ତ କରିବାକୁ ପ୍ରଚେଷ୍ଟା କରାଗଲା। ଏଥିପାଇଁ ପ୍ରତିଦିନ ଘରୁ ବାହାରିଲା ପରେ ନରୋତ୍ତମ ବାବୁ ରତ୍ନାକରର ସନ୍ଧାନରରେ ରହିଲେ। ଜାଣିଶୁଣି ନିଜ ପର୍ସକୁ ପାର୍କରେ ପ୍ରାତଃ ଭ୍ରମଣ କଲାବେଳେ ପ୍ୟାଣ୍ଟର ପଛ ପକେଟରେ ଏପରି ରଖିଲେ ଯେପରି ସଭିଙ୍କ ନଜରରେ ଆସିବ। 

    ନା ------- କେହିବି ପକେଟମାର ତାଙ୍କ ହାବୁଡ଼ରେ ପଡିଲେନି। ଏକ ବିବାହ ମଣ୍ଡପରେ ନିଜର ଆଇଫୋନଟିକୁ ଖାଇବା ଜାଗାରେ ଛାଡି ଆସିଲେ। ଗୋଟିଏ କୋଣରେ ଛିଡା ହୋଇ ଚୋର ଉପରେ ତୀକ୍ଷ୍ଣ ନଜର ରଖିଲେ। ତଥାପି ସେମିତି ପଡ଼ି ରହିଲା ମୋବାଇଲ ଟି। ତା ଉପରେ କେହି ଟିପ ବି ମାରିଲେନି। 


   ରାସ୍ତାରେ ଚାଲିବା ବେଳେ ୫00 ଟଙ୍କିଆ ଦୁଇଟି ନୋଟ ପକେଟରୁ ବାହାର କରି ନଜାଣିଲା ପରି ତଳେ ପକେଇ ଦେଲେ, ହେଲେ ତାଙ୍କ ଭାଗ୍ୟ ଖରାପ। ଛୋଟ ପିଲାଟିଏ ଆସି ଟଙ୍କା ତଳୁ ଗୋଟାଇ ହାତରେ ଦେଇ ଗଲା। 


       ନରୋତ୍ତମ ବାବୁ ହାରିବା ଲୋକ ନୁହନ୍ତି। ଘଣ୍ଟା ଘଣ୍ଟା ଧରି ଝିଅ ସହିତ ଫୋନରେ ପରାମର୍ଶ କଲେ। ତା ପରଦିନ ସକାଳୁ ସକାଳୁ ନୂଆ ଜୋତାଟିଏ ପିନ୍ଧି ପୂଜା କରିବା ପାଇଁ ମନ୍ଦିରରେ ହାଜର ହେଲେ। ମନ୍ଦିରରେ ପୂଜା ସାରି ଭୋଗ ଧରି ଜୋତା ରଖିଥିବା ଜାଗାକୁ ଗଲେ। ଦେଖିଲେ ଜୋତାଟି ତାଙ୍କୁ ଜଳଜଳ କରି ଅନେଇଛି। ଯୋଉ ବାଗରେ ତାକୁ ଛାଡ଼ି ମନ୍ଦିର ଯାଇଥିଲେ ଠିକ ସେଇ ବାଗରେ ପଡ଼ି ରହିଛି। ଏଇ ଆଇଡ଼ିଆଟା କାଟ ଖାଇଗଲା ବୋଲି ଫୋନ କରି ଶ୍ଵେତାକୁ ବହେ ଶୋଧିଲେ। 

      ସେ ସିନା ପୁରୁଣା କାଳିଆ ମଣିଷ, ମୁଣ୍ଡରୁ ବୁଦ୍ଧିଗୁଡ଼ା ସରିଗଲାଣି ହେଲେ ଶ୍ଵେତା ,ତା ମୁଣ୍ଡରେ ତ ବୁଦ୍ଧି ଭରି ରହିବା କଥା। ସେଥିରେ ପୁଣି ପି. ଏଚ୍.ଡି କରୁଛି। ଏତେ ପ୍ରଖର ଜ୍ଞାନ ରଖି ଲାଭ କଣ? ବାପଟାକୁ ଟିକିଏ ସାହାଯ୍ୟ କରି ପାରୁନି। 


      ନିଜ ଗଳ୍ପର ଚରିତ୍ରକୁ ଖୋଜି ପାଉନଥିବାରୁ ନରୋତ୍ତମ ବାବୁଙ୍କ ମନ ଘର ଧରୁନଥିଲା। ସେ ସଦାବେଳେ ବ୍ୟସ୍ତ ବିବ୍ରତ ରହିଲେ। ନା ଭଲରେ ଖାଇଲେ, ନା ଭଲରେ ଶୋଇଲେ। ଶ୍ଵେତାକୁ ଫୋନ କରି ତାଙ୍କ ପାଖକୁ ତୁରନ୍ତ ଆସିବାକୁ କହିଲେ। ଯୋଜନା ମୁତାବକ ବାପ ଝିଅ ଦିଜଣ ଚୋରର ସନ୍ଧାନରେ ରହିଲେ। ରତ୍ନାକର ମିଳିଲେ ସିନା ବାଲ୍ମୀକି ହେବ।


 ଝିଅ ଆସିଲାଦିନୁ ବାପା ପୁରା ଖୁସି କିନ୍ତୁ ଝିଅର ଏକା ଜିଦ୍ ସେ ବାପାଙ୍କ ପାଖକୁ ଆସିଛି ବୋଲି ଯେମିତି କେହି ନ ଜାଣନ୍ତି। କାରଣ ସେ ଯେଉଁ ପ୍ରଫେସରଙ୍କ ତତ୍ତ୍ୱାବଧାନରେ ଗବେଷଣା କରୁଛନ୍ତି ଯଦି ଜାଣନ୍ତି ନିଜ ରିସର୍ଚ୍ଚ ୱାର୍କ ଛାଡି ଘରକୁ ଆସିଛନ୍ତି ତେବେ ତାଙ୍କୁ ଆଉ ସାହାଯ୍ୟ କରିବେ ନାହିଁ। ପ୍ରଫେସର ଜଣକ ଅତ୍ୟନ୍ତ କର୍ମନିଷ୍ଠ ବ୍ୟକ୍ତି। ତାଙ୍କୁ ନିଜ କାମରେ ଅବହେଳା କରୁଥିବା ବ୍ୟକ୍ତି ପସନ୍ଦ ନୁହେଁ। 


         ତେଣୁ ଝିଅ ଘରକୁ ଆସିଲେ ନରୋତ୍ତମ ବାବୁ ଘରର ଦରଜା ବନ୍ଦ କରିଦିଅନ୍ତି। ଝିଅ ସହିତ ଆଲୋଚନା କଲାବେଳେ ଜାଣିଶୁଣି ଟିଭିର ଭଲ୍ୟୁମ ବଢ଼େଇ ଦିଅନ୍ତି। ଯେପରିକି ଦୁହିଁଙ୍କ କଥାବାର୍ତ୍ତା କାନ୍ଥ ଆରପଟକୁ ମଧ୍ୟ ଶୁଭିବନି। 

     ସକାଳ ହେଲା ମାତ୍ରେ ବ୍ୟାଗ ଟିଏ ଧରି ପରିବା ମାର୍କେଟରେ ପହଞ୍ଚି ଝିଅ ପସନ୍ଦର ପରିବା ଓ ଫଳମୂଳ କିଣି ଆଣନ୍ତି। ଆଜିକାଲି ବିଭିନ୍ନ ସୁଆଦିଆ ବ୍ୟଞ୍ଜନର ବାସ୍ନା ନରୋତ୍ତମ ବାବୁଙ୍କ ଘରୁ ଆସୁଛି ବୋଲି ହିଂସୁକୁରା ପଡୋଶୀମାନେ କଥା ହୁଅନ୍ତି। ତାଙ୍କ ଖୁସିବାସିଆ ଚେହେରାକୁ ସେମାନେ ଇର୍ଷାତୁର ଆଖିରେ ଦେଖନ୍ତି। କୁହନ୍ତି ନରୋତ୍ତମ ବାବୁ କୁଆଡେ ସେମାନଙ୍କୁ ଭୁଲି ଗଲେଣି। ସଦାବେଳେ ଘରେ ରହୁଛନ୍ତି, ଯଦି କେତେବେଳେ ବାହାରକୁ ବାହାରୁଛନ୍ତି ତେବେ ଫୋନରେ କାନଟିକୁ ଅଠା ପରି ଲଗେଇ ରଖୁଛନ୍ତି।


    ନରୋତ୍ତମ ବାବୁଙ୍କୁ ଏସବୁ ଦେହସୁହା ହେଇଗଲାଣି। ତାଙ୍କୁ ନିଜ ମିଶନ ବ୍ୟତୀତ ଆଉକିଛି ଦୃଶ୍ୟମାନ ହେଉନଥିଲା। ଏବେ ସଂସାର କହିଲେ ସେ, ତାଙ୍କ ଝିଅ ଶ୍ଵେତା ଓ ତାଙ୍କ ମୋବାଇଲ।

    ଝିଅ କେତେବେଳୁ ଶୋଇ ପଡ଼ିଲାଣି। ଘରର ଦରଜା ବନ୍ଦ କରିବାକୁ ନରୋତ୍ତମ ବାବୁ ଭୁଲିଯାଇଛନ୍ତି। ରାତି ଗୋଟାଏ ବାଜିଲାଣି। କେହିଜଣେ ଛପି ଛପି ତାଙ୍କ ଶୋଇବା ଘରେ ହାଜର ହେଲା। ସେ, ଲୋକଟିର ପାଦ ଶବ୍ଦ ଠିକ ଭାବେ ଶୁଣି ପାରୁଥିଲେ ବି ଶୋଇବାର ଅଭିନୟ କରୁଥିଲେ ଓ ମନେ ମନେ ଖୁସି ହେଉଥିଲେ ଯେ ଆଜି ତାଙ୍କ ମିଶନ ସମ୍ପୂର୍ଣ୍ଣ ହେବ। ଭଗବାନ ଡେରିରେ ହେଉ ପଛେ ତାଙ୍କ ଡାକ ଶୁଣିଛନ୍ତି। ରତ୍ନାକର ତାଙ୍କ ହାତରେ ଧରା ପଡ଼ିଛି। ଲୋକଟି ନିଜ ଶାଣିତ ଛୁରୀକୁ ନରୋତ୍ତମ ବାବୁଙ୍କ ବେକରେ ଲଗାଇଲା। ସେ ଆଉ ସମ୍ଭାଳି ପାରିଲେନି। ଉଠିପଡ଼ି ଲୋକଟିର ହାତକୁ ଧରି ପକେଇଲେ। ଏପରି ଅତର୍କିତ ଭାବେ ନରୋତ୍ତମ ବାବୁ ତାକୁ ଧରି ପକେଇବେ ବୋଲି ଚୋରଟି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା। ସେ ଘାବରେଇ ଗଲା। ତା ହାତରୁ ଛୁରୀଟି ତଳେ ପଡ଼ିଗଲା।


     ନରୋତ୍ତମ ବାବୁ ଲାଇଟ ଲାଗେଇବାରୁ କୋଠରୀ ଟି ଆଲୋକିତ ହୋଇ ଉଠିଲା। ଚୋରଟି ଡରିଯାଇ ବାଥରୁମରେ ପଶିବାକୁ ଯାଉଥିଲା ହେଲେ ନରୋତ୍ତମ ବାବୁ ତାକୁ ହସି ହସି ଖଟ ଉପରେ ବସେଇ ଦେଲେ। ସେ ଯେପରି ଘରୁ ବାହାରକୁ ଯାଇ ପାରିବନି ତେଣୁ ରୁମ ଟିକୁ ବାହାରୁ ତାଲା ପକେଇ ଦେଲେ। ଏବେ ନିଶ୍ଚୟ ନରୋତ୍ତମ ବାବୁ ପୋଲିସକୁ ଡାକିବାକୁ ଯାଇଥିବେ। ପୋଲିସର ରୁଲ୍ ବାଡ଼ି ମାଡ଼ କଥା ମନେପକେଇ ଚୋରଟିର ଶରୀର ଭୟରେ ପ୍ରକମ୍ପିତ ହେବାକୁ ଲାଗିଲା। ମାତ୍ର ପନ୍ଦର ମିନିଟ ମଧ୍ୟରେ ନରୋତ୍ତମ ବାବୁ ହାତରେ ଖାଇବା ଥାଳି ଧରି ସୁସ୍ୱାଦୁ ଭୋଜନ ପରଶି ଦେଲେ ଚୋରର ସାମନା ରେ। ବାପ ପଣିଆ ଦେଖାଇ ତାକୁ ଖାଇବାକୁ କହିଲେ। ଚୋରର ମୁଣ୍ଡରେ କିଛି ବୁଦ୍ଧି ଜୁଟୁ ନଥିଲା। ନରୋତ୍ତମ ବାବୁଙ୍କ ଏତାଦୃଶ ବ୍ୟବହାର ତା ମଗଜରେ ପଶୁନଥିଲା କିନ୍ତୁ ଭୋକରେ ଥିବାରୁ ଗପାଗପ୍ କରି ସବୁ ଖାଦ୍ୟକୁ ଉଦରସ୍ଥ କରିଦେଲା। 

      ନରୋତ୍ତମ ବାବୁ ତାକୁ ଡ୍ରଇଂ ରୁମ୍ କୁ ଆସିବାକୁ କହିଲେ। ତାକୁ ବାରମ୍ବାର ରତ୍ନାକର କହି ସମ୍ବୋଧନ କରିବା ଚୋରର ମୁଣ୍ଡକୁ ଆହୁରି ବିଗାଡ଼ି ଦେଉଥିଲା। 


ସେ କେବେଠୁ ଚୋରି କଲାଣି? 

କାହିଁକି ଚୋରି କରୁଛି?

ଚୋରି କଲେ ତାକୁ କିପରି ଲାଗେ?

ଚୋରି ପଇସାରେ ସେ କଣ କରେ?

ଏପରି ଗୋଟିଏ ଗୋଟିଏ ପ୍ରଶ୍ନ ତାକୁ ପଚାରିଲେ। ଶେଷରେ କହିଲେ


- ରତ୍ନାକର ଆର ରୁମ୍ ରେ ମୋ ଝିଅ ଶୋଇଛି। ତୁ ତାକୁ ଉଠେଇ କହିବୁ ମୁଁ ରତ୍ନାକର ଆସିଛି। ଆପଣ ଓ ଆପଣଙ୍କ ବାପା ମିଶି ଏବେ ବାଲ୍ମୀକିକୁ ଜୀବନ୍ତ କରିବା ସମୟ ଆସିଯାଇଛି। ଡେରି କରନ୍ତୁନି। ଜଲ୍ଦି ଆସନ୍ତୁ। 


ଚୋର ଭାବିଲା ତାକୁ ଏ ବୁଢ଼ା ଡାକ୍ତର ଭାବିଲା କି ଯେ କୋଉ ବାଲ୍ମୀକିକୁ ବଞ୍ଚେଇବାକୁ କହୁଛି। ତଥାପି ସେ ନରୋତ୍ତମ ବାବୁଙ୍କ କହିବା ମୁତାବକ ସେଇ ରୁମ୍ ରେ ପଶିଲା। କୋଠରୀରୁ ମଲ୍ଲୀ ଫୁଲର ସତେଜ ବାସ୍ନା ଚତୁର୍ଦିଗକୁ ମହକେଇ ଦେଉଥିଲା। ସେ ବାସ୍ନାରେ ତା ମନ ତାଜା ହେଇଗଲା। ଅତି ସୁନ୍ଦର ମୂଲ୍ୟବାନ ବସ୍ତୁରେ ପ୍ରକୋଷ୍ଠଟି ସଜା ହେଇଥିଲା। ସେ ଚାରିଆଡେ ଚାହିଁଲା। କାହିଁ କେଉଁଠି ବୁଢ଼ାର ଝିଅ ଦିଶୁନି ତ? ଖଟରେ ତ କେହି ନାହାନ୍ତି। ଭଲ ହେଲା। ସେ ନିଜ ପକେଟରେ ଚଉତି ରଖିଥିବା କନାର ବ୍ୟାଗ୍ ଟିଏ ବାହାର କରି ତା ଭିତରେ ଗୋଟି ଗୋଟି କରି ସବୁ ମୂଲ୍ୟବାନ ବସ୍ତୁଗୁଡ଼ିକୁ ଭର୍ତ୍ତି କଲା। ବୋଧେ ବୁଢ଼ାର ଝିଅ ଗାଧୁଆଘରେ ଅଛି। ଏହାଭାବି ଧୀରେ ସେ ଜାଗାରୁ ପ୍ରସ୍ଥାନ କରିବାକୁ ଚେଷ୍ଟା କଲା ବେଳେ ନରୋତ୍ତମ ବାବୁ ତାକୁ ପଛ ପାଖରୁ ଭିଡ଼ି ଧରି କହିଲେ


- ରତ୍ନାକର ତୁମେ ମୋତେ ଛାଡି ଯାଅନି। ପ୍ଲିଜ ରତ୍ନାକର ତୁମ ବିନା ମୋର ସୃଷ୍ଟି ଅସମ୍ଭବ ହେଇଯିବ।

 

ଚୋର ଚିଲ୍ଲେଇଲା- ଆବେ ବୁଢ଼ା ତୋ ଆଖିକୁ ଦିଶୁନି କି? ମୁଁ କୋଉ ରତ୍ନାକର ଫତ୍ନାକର ନୁହେଁ। ମୁଁ ଗୋଟେ ଖାଣ୍ଟି ଚୋର। ମୋତେ ତୁ ଛାଡ଼ିଦେ ନଚେତ ତୋତେ ମାରିଦେବି।


ଏହାକହି ଟେବୁଲରେ ଥିବା ଫଳ କଟା ଛୁରୀଟିକୁ ଆଣି ନରୋତ୍ତମ ବାବୁଙ୍କ ପେଟରେ ଲଗେଇଲା। ନରୋତ୍ତମ ବାବୁ ହସି ହସି କହିଲେ,


- ମୁଁ ଜାଣେ, ତୁମେ ଜଣେ ଚୋର। ହେଲେ ମୁଁ ତୁମକୁ ରତ୍ନାକରରୁ ବାଲ୍ମୀକି କରିଦେବି। ତୁମର ଗୋଟିଏ ଆଖିରେ ହିଂସ୍ରତା ଜଳୁଥିଲା ବେଳେ ଅନ୍ୟ ଆଖିରେ ଭୀତତ୍ରସ୍ତ ହରିଣୀକୁ ଦେଖିପାରୁଛି। କୁହ କଣ ପାଇଁ ଚୋରି କରୁଛ? କଣ ତୁମ ମା କ୍ୟାନ୍ସରରେ ପୀଡ଼ିତ? ତାଙ୍କ ଚିକିତ୍ସା ପାଇଁ ତୁମ ପାଖେ ପଇସା ନାହିଁ ନା ଅର୍ଥର ଅଭାବ ଯୋଗୁଁ ତୁମ ଭଉଣୀ ବାହା ହୋଇ ପାରୁନି? ତେଣୁ ଚୋରି ଟଙ୍କାରେ ତୁମେ ତାର ବିବାହ କରିବ।


- ବୁଢ଼ା ବେଶି ବକବକ ହେଇ ମୋ ମୁଣ୍ଡ ଖରାପ କରନା। ମୋ ମୁଣ୍ଡ କୁ ପିତ୍ତ ଚଢ଼ିଗଲେ ମୁଁ କାହାର ନୁହେଁ।


ଏହା କହି ଚୋର ବାହାରକୁ କୁ ଯିବାକୁ ଉଦ୍ୟତ ହେଲା। ନରୋତ୍ତମ ବାବୁ ଚୋରର ଗୋଡ ତଳେ ପଡିଗଲେ। କହିଲେ 


- ତୁ ମୋ ଗଳ୍ପର ନାୟକ। ମୁଁ ଜାଣେ ତୁ ଦସ୍ୟୁ ରତ୍ନାକର। ପରିସ୍ଥିତି ଚକ୍ରରେ ପଡ଼ି ଦସ୍ୟୁ ସାଜିଛୁ। ହେଲେ ତୋର ଏ ପାପକର୍ମର ଭାଗିଦାର କେହି ହେବେନି। ତୁ ନିଜ ଅନ୍ତରାତ୍ମାକୁ ଚିହ୍ନ। 


- ଯା ବେ ବୁଢ଼ା ପାଗଳ କେଉଁଠିକାର। ନିଜେ ତ ପାଗଳ ତା ସହିତ ମୋତେ ବି ପାଗଳ କରିଦେବ। ମୁଁ ମୋ ନିଜ ଇଚ୍ଛା ପୂର୍ତ୍ତି ପାଇଁ ଚୋରି କରୁଛି। ମୁଁ ଚୋର ଥିଲି, ଚୋର ହିଁ ରହିବି।

ଏହାକହି ନରୋତ୍ତମ ବାବୁଙ୍କୁ ଠିଆ ଗୋଇଠା ମାରି ନିଜ ଚୋରି ଜିନିଷ ଧରି ଚାଲିଗଲା। ନରୋତ୍ତମ ବାବୁ ଧଡାମ କରି ତଳେ ପଡ଼ିଲେ। ତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତତକ୍ଷଣାତ ପହଞ୍ଚି ଗଲେ। ସେ ଲହୁ ଲୁହାଣ ହେଇ ତଳେ ପଡ଼ିଥାନ୍ତି। ସେମାନେ ତାଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କଲେ କିନ୍ତୁ ନରୋତ୍ତମ ବାବୁ ଝିଅକୁ ଫୋନ ରେ କହୁଥାନ୍ତି

- ଶ୍ଵେତା ମୋ ରତ୍ନାକର ଚାଲିଗଲା। ମୋର ଦ୍ଵିତୀୟ ଈଶ୍ୱର ହେବାର ଆଶା ମାଟିରେ ମିଶିଗଲା। 


      ହେଲେ କହିବା ବାହୁଲ୍ୟ ନରୋତ୍ତମ ବାବୁଙ୍କ ତଥାକଥିତ ଝିଅ ଶ୍ଵେତାକୁ ଆଜିଯାଏ କେହି ଦେଖି ନାହାନ୍ତି। ନରୋତ୍ତମ ବାବୁ ନିଜ ଗଳ୍ପର ନାୟକକୁ ଜୀବନ୍ତ କରିବାର ପ୍ରଚେଷ୍ଟାରେ ଏବେ ବି ଲାଗିଛନ୍ତି। ସତରେ ସେ ଦ୍ଵିତୀୟ ଈଶ୍ୱର ହେଲେ କି ନାହିଁ ତାହା କେବଳ ସେ ଜାଣନ୍ତି କିନ୍ତୁ ନିଜ ଝିଅ ଶ୍ଵେତା ସହିତ ଏବେ ବି ରତ୍ନାକର ବିଷୟରେ କଥା ହୁଅନ୍ତି। ତାଙ୍କ ଘରୁ ଏବେ ବି ସୁସ୍ଵାଦୁ ବ୍ୟଞ୍ଜନର ବାସ୍ନା ଆସେ କିନ୍ତୁ ଚାକରାଣୀ କୁହେ ଖାଇବା ଟେବୁଲରେ ଦ୍ଵିତୀୟ ଥାଳି ସେ କେବେ ବି ଦେଖିନି। 

 

         


Rate this content
Log in