Lopamudra Parida

Others

3  

Lopamudra Parida

Others

ଦିନଦୟାଲ

ଦିନଦୟାଲ

16 mins
130


ଆମ ବସ ପହଞ୍ଚି ସାରିଥିଲା ନାସିକ ର ପବିତ୍ର ଭୂମିରେ । ମୋ ଦେଶର ତ ଦିଗବିଦିଗ ପାବନ ହି।

ମୁଁ " ତନୁ " । ତନୁଜା । ଘରେ ଥିଲା ବେଳେ ଦାଣ୍ଡ ଦୁଆର ମୁହଁ ଦେଖି ନଥିବା ମୁଁ , ପାଠ ପଢାରେ ଆଗକୁ ଉଚ୍ଚ ଶିକ୍ଷା ପାଇଁ ବମ୍ୱେ ଆସି ଏଇ ସହରରେ ପଢା ସାରି ଜୀବନର ପ୍ରଥମ ଚାକିରୀଟି ପାଇବା ଆଉ କ୍ୟାଲେଣ୍ଡରରେ ନୂଆ ହେଇ ନାହିଁ । ଘରଟେ ମଧ୍ୟ କିଣିଛି ୟା' ଭିତରେ । ଆଉ ଏଠିକା ବାସିନ୍ଦା ହବା ଗୁଡେ ବର୍ଷପୁରାଣି ସାରିଛି ଘଣ୍ଟା କଣ୍ଟା ସହ ତାଳ ମିଳେଇ । ଜୀବନ କୋଉ ଅଟକେ ! ସମୟ ପଛରେ ରହିଯାଏ। ରେଳ ଯାତ୍ରା ବେଳେ ଗଛ ଲତା, ଘର ବାଡି ସବୁ ପଛକୁ ପଛ ଅଣନିଶ୍ବାସୀ ହେଇ ଧାଁଇଲା ଭଳି ।

ଆଉ ସ୍ମୁତି! ସିଏ ତ ହାତ ଧରି ଚାଲେ ଧରାବନ୍ଧା ରୁଟିନ ଘୋରଣାରେ ପେଶି ହେଇ..... ତୁମ ସହ। ସେଇଥିପାଇଁ ତ ସାଇତା ହୁଏ ହୃଦ ଆଇନା ରେ " ସ୍ମୃତିଲେଖା " ହୋଇ ।

ଆଜି ବାହାରିଛି ମୁଁ ମୋର ଦ୍ଵିତୀୟ ଭାଗ ଜୀବନକୁ ଟିକେ ସମୟଠୁ ଭିଡ଼ି ଧରିବାକୁ । ସଞ୍ଚି ଥିବା ଦରମା ପଇସାରେ ସୋଲ ଏକ୍ସପ୍ଲୋର ଭ୍ରମଣରେ , ଯୋଉଥିରେ ଜଣେ ନିଜେ ନିଜ ସହ ସହଯାତ୍ରୀ। ସତରେ ବି ତ ନିଜ ଠୁ ବେଶି କିଏ କଣ କାହାର ସହଯାତ୍ରୀ ସାଜିପରେ! ନିଜକୁ ନିଜେ ଆମେ ଯେତେ ଚିଁହ୍ନଉ ଆଉ ବା କିଏ ଜାଣେ !

ଅନେକ ନୂଆ ଅନୁଭୂତି, ନୂଆ ଅନୁଭବ ସାଉଁଟି ବାର ଅରଖ ନୂଆ ବାଟଟିଏ ଏଇ ଅକଲା ଭ୍ରମଣ ଯାତ୍ରା । ଲୁଣି, ଅଲଣା, ସୁଆଦ, ଆସୁଆଦ ମିଶା ଜୀବନ ଥାଳିରେ ମିଠା ପରଶା ପରି ଏ ଯାତ୍ରା।

"ଯଦି ତୋର ଡ଼ାକ ଶୁଣି କେଉ ନା ଆସେ, ତବେ ଆକଲା ଚଳୋ ରେ " ବିଶ୍ଵ କବି ଗାଇଲେ ପରା । ମୋକ୍ଷ ପଥେ, ଶ୍ମଶାନେ ଓ ସିଂହାସନରେ ଜଣେ ଏକା ହି ଚିର କାଳ।

ପାଖ ସହର ନାସିକ। ଦେଖି ଆସେ। ଜଳଖିଆ ଆଉ ଶୌଚାଳୟ ବ୍ୟବହାର ପାଇଁ କୋଡିଏ ତିରିଶ ମନିଟ ଦେଇଥାଏ ବସ ବାଲା। ସେଇଠୁ ସିଏ ଆମକୁ ଦେଖେଇ ନବ କୋଣ କୋଣ ରେ ଥିବା ରାମକଥା ।

" ଜଗତର ସ୍ବାମୀ ହେ ଅନ୍ତର ୟାମି..... ମେ ତୁଝ ସେ କ୍ୟା ମାଙ୍ଗୁ... ରୋମ ରୋମ ମେ ବସନେ ବାଲେ ରାମ।" ଗାଉଥାଏ ରେଡିଓ ବସ ରହିଥିବା ଭୋଜନାଳୟର ଗ୍ରାହକ ମାନଙ୍କ ମନକୁ ଆକର୍ଷିତ କରିବା ପାଇଁ ଯଥା ସମ୍ଭବ ସଜେଇ ହେଇଥିବା କାନ୍ଥ ଥାକ ରୁ ।

ଓଡ଼ିଶାର ରକ୍ଷଣଶୀଳ, ମଧ୍ୟବିତ୍ତ ପରିବାରରୁ ବାହାରି ଆସି ଏଠି ତିଷ୍ଟିବା ଏକ ଜିତ ନିଶ୍ଚିତ ଏବେ ବୟସର ଆନମନା ସନ୍ଧ୍ୟାରେ ମନ ଜିଦ୍ କରି ନିଜକୁ ବାହାବା ଦିଏ ।

ଏ ସବୁ ହେଇ ପାରିଛି ମୋର ବୋଉ ଯୋଗୁ , ଯିଏ ମୋ ପଢା ନେଇ ଏତେ ଦମ୍ଭ ଦେଖେଇଲା ସେବେ ଯେ , ଜେଜେ ବି କହିବାକୁ ବାଧ୍ୟ ହେଲେ ," ତନୁ ଯାଉ। ପଢ଼ି ଘରର ଟେକ ରଖୁ।" ମୁଁ ସେଇ ତନୁ, ଯିଏ ଘରର ଏରୁଣ୍ଡି ଡେଇଁ ବିଦେଶ କୁ ଆସିଥିବା ଆମ ଘରର ପ୍ରଥମ ଝିଅ ଥିଲି । ଅନ୍ୟ ସବୁ ସାନ ସାନ ଭାଇ ଭଉଣୀଙ୍କ ପାଇଁ ତାଙ୍କ ଉନ୍ନତି ପଥ ର କୁଞ୍ଚି କାଠି । ଦିଗବାରେଣି , କି ଦୀପ । ଏବେ ଏମିତି ସବୁରେ ଜେଜେ ଡାକୁଥିଲେ ମତେ । ବୋଉ କହେ," ପ୍ରଥମ ଥର ପାଇଁ ଅନେକ କିଛି କରିବାକୁ ହୁଏ। ସାହାସ ରଖିବୁ। ନିଜ ଉପରେ ଭରସା ରଖିବୁ। ଆଉ ଆଗେଇବୁ। ତେବେ ନିଷ୍ପତି ପ୍ରତିଥର ନେବା ଆଗରୁ ଶହେ ଥର ବିଚାର କରିବୁ। ସବୁ ବେଳେ ଉଚିତ୍ ଏବଂ ସତ୍ୟ ପଥ ହିଁ ବାଛିବୁ। ହୋଇପାରେ ଅନେକ ଥର ସେଇ ରାସ୍ତାରେ ତୁ ନିଜକୁ ଏକା, ଏକାବେଳକେ ଏକା ଠିଆ ହୋଇଥିବା ପାଇପାରୁ.... ହୋଇପାରେ ରାସ୍ତା ସାରା କଣ୍ଟା ଝଟା ଭରିଥିବ କିନ୍ତୁ ପରିଶେଷେ ବିଜୟ ଧର୍ମ, ନ୍ୟାୟର ହି ହୁଏ। ଏମିତି ଚାଲୁଥିବା ମଣିଷର ହାତ ଇଶ୍ଵର ଧରିଥାନ୍ତି ମାଆ, ଏ ବିଶ୍ୱାସକୁ ପଥରର ଗାର ମାନି ଚଳେ। ସୀତା ମାଆଙ୍କ ପରି ।"

ସେ ସମୟ ସବୁ ମାଟି କାନ୍ଥରୁ ଗୋବର ସଞ୍ଚା କନାରେ ଖୋଲ, ଗାତ, କଣା ସହ ସବୁ ଚିତା ଝୋଟି ଲିପି ଲିଭି ଗଲା ପରି ପୋଛି ହେଇ ଗଲେଣି ।

"ସୀତା" ନାଁ ଟି ମୋର ବହୁତ ପସନ୍ଦ । ପିଲାଦିନୁ। ମତେ ଲାଗେ ବୋଉ ମୋ ନାଁ ତନୁ ନ ଦେଇ ସୀତା ଦେଇଥିଲେ କେତେ ଭଲ ହେଇ ଥାନ୍ତା ନା ! ଦିବାଲୋକ ପରି ସ୍ପଷ୍ଟ ମନେ ଅଛି ସବୁ ଖାତା ଉପରେ ଖଡ଼ି ମଡେଇଲା ପରି ଗୋଲ ଗୋଲ ଅକ୍ଷର ରେ ଲେଖୁ ଥିଲି," ସୀତା ଦେବୀ ସାମନ୍ତ ସିଂହାର " । ସନ୍ତୁଷ୍ଟି ସେତିକିରେ । ପିଲା ମନ ପରା। ହା ହା। ସବୁଥିରେ ଆନନ୍ଦ। ଅମ୍ଳାନ ଆନନ୍ଦ।

ରାମାୟଣ, ମହାଭାରତ, ଇତିହାସ ଆହୁରି କେତେ କଣରୁ ଗପ ବାଛି ଆଣି ତା କାନି ତଳେ ଘର ତୋଳେଇ ଆକାଶକୁ କାନଭାସ କରି ବୋଉ ଆମକୁ ଖରାବେଳିଆ କଲ୍ପନାର ପୁଟ ଚଢ଼ାଏ । ଆମେ ପଞ୍ଝକ ପେଟେଇ ଗପ ଶୁଣୁ ଶୁଣୁ ସେଇ ଚରିତ୍ର ସବୁରେ ରୂପାନ୍ତରତ ହେଉଥାଉ। ମୁଁ ପ୍ରତିଥର ନାଟକ ଅଭ୍ୟାସ ବେଳେ ଜିଦ୍ କରି ସୀତା ଚରିତ୍ର ହିଁ ନିଏ। ସୀତା ମତେ ଭଲ ଲାଗନ୍ତି। ମତେ ଅନୁପ୍ରାଣିତ କରନ୍ତି। ଏକ ବିଶାଳ ଦମ୍ଭିକତା ଦୃଶ୍ୟମାନ ହୁଏ ତାଙ୍କ ଚରିତ୍ରରେ । ସମ୍ମୋହିତ ହୁଏ ମୁଁ ତାଙ୍କୁ ଶୁଣୁ ଶୁଣୁ, ଆଙ୍କୁଆଙ୍କୁ ମନସ ଚକ୍ଷୁର କଳା ପଟାରେ । ବୋଉ ଅନ୍ୟମନସ୍କ ଆଉ ଲୁହ ବତୁରା ଶୁଭେ ଜାନକୀଙ୍କ ବନାନ ଶଦ୍ଦରେ ବର୍ଣ୍ଣଉ ବର୍ଣ୍ଣଉ। ନାହି ମୁଣ୍ଡ କୋହୋ ଓଠ ସହ ନୟନ ପଟ୍ଟଳରେ ଢଳ ଢଳ ଠୁଳ ହୁଏ ନୈରତ କୋଣୁ ମେଘ ଢଙ୍କେଇ ଆସିଲା ପରି। ଉମଡ ଘୁମଡ। ମତେ ଭାରି ଅଭିମାନ ହୁଏ। କାଇଁ ସୀତା ଏତେ ସହିଲେ? କାଇଁ ଅଗ୍ନି ପରୀକ୍ଷା ଦେଲେ? ଅଯୋଧ୍ୟା ଲୋକେ କେମିତି ଲୋକେ ମ? ସୀତା ଙ୍କୁ ମାଆ କହିବେ, ଆଉ ମାଆ କୁ ସତୀତ୍ୱ ପରୀକ୍ଷା ପାଇଁ ନିଆଁ ରେ ଡେଇଁଆକୁ କହିବେ? ନିଆଁ ରେ କିଏ ପଶେ? ଫୋଟକା ହବନି? ରାମ କାଇଁ ଟାଣେଇକି ମନା କଲେନି ଯେ ନା ସୀତା ଦେବେନି ସେ ଅଗ୍ନି ଫଗ୍ନି ପରୀକ୍ଷା? ସିଏ ପରା ରଜା? କଣ ମଜା ଲାଗିଛି? ଶହେ ଥର ନିଆଁରେ ପଶୁଥିବ ଜଣେ , ଆଉ ରୋକିବେନି କେହି ? ଯଦିଓ ମୁଁ ଏଇ ସବୁ ଢେଉ ପରି ପ୍ରଶ୍ନ ମୋ ଭିତରେ ସାଇତେ ଆଉ ତାରି ସହ ଲଢେ। ଯଦିଓ ଧିରେ ଧିରେ ସମୟ ସହ ସତୀତ୍ୱ ଓ ମର୍ଯ୍ୟାଦା ଆଦି ଭାରି ଭାରି ଶବ୍ଦର ସରଳାର୍ଥ ଖୋଜେ ହେଲେ ବୋଉକୁ ପଚାରିଲେ ଖଟା ତିନ୍ତୁଳି କି ଆମ୍ବିଳା ଆମ୍ବୁଲ ଖଣ୍ଡେ ଜିଭ ଚାଟିଦେଲା ଭଳିଆ ମୁହଁ କରି ଦିଅଁଙ୍କ ପଟିଆ ମୁହଁ କରି ହାତ ଯୋଡ଼ାଏ ମତେ।ଆଉ କହେ ଠାକୁରଙ୍କ କଥା, ଠାକୁରେ ଜାଣିଥିବେ। ତୁ ଖୋଜେ। ବହୁତ ପଢ଼ ପାଇବୁ। କୋଉଠି ତ ଗୋଟେ ଲେଖା ଥିବା ଏଇ ସବୁ କାହିଁକିର ଉତ୍ତର।"

" ଜଲ୍ଦୀ ଆୟୀୟେ ଦିଦି । ବସ ଛୁଟନେ ୱାଲି ହେ।" ମୋ ଭାବନା ରାଜ୍ୟ ରୁ ଝୁଙ୍କି ହେଇ ଆସିଲି ବସ ସହାୟକ ପିଲାଟିର ଡାକରେ। ପାତଳ ନହକା ପିଲାଟେ। ଆଖିରେ ସ୍ବପ୍ନଟେ , ଉଜ୍ଵଳତାଟେ ଅଛି । ଆର୍ଥିକ ସ୍ୱଚ୍ଛଳ ଭଲ ପରିବାର ରେ ଜନ୍ମି ଥିଲେ ଏଇ ବର୍ଷ ଦଶମ ପରୀକ୍ଷା ଦେଇ ଥାନ୍ତା କଣ କରିଥାନ୍ତା। ଏଠି ଗ୍ରୀସ୍ ତେଲ, ନଟବୋଲଟ କଳା ରେ ଗୋଳି ହଉଛି। ମନ ଘୋଳି ହେଇଯାଏ ଏମିତି ପିଲେ ନଜରକୁ ଆସିଲେ କିଛି ନ କରି ପାରିବାର ଦାୟରେ। ବସକୁ ଚଢ଼ି ଆସିଲି ତା ଡ଼ାକ ରେ । ଘୁଞ୍ଚି ଗଲା ସିଏ ମତେ ବାଟ ଦେଇ। ଏତିକି ସମ୍ମାନ ଦେଇ ଶିଖିଛି ଅର୍ଥ ଭଲ ଘରର ପିଲା ନିହାତି। ସଂସ୍କାର ରକ୍ତରୁ ଝଲସେ ।

ଶ୍ରୀରାମ ଏଇ ବୟସ ରେ ତାଡ଼କାର ତାଡନାରୁ ତାରି ଥିଲେ ମହୀମଣ୍ଡଳକୁ। ୟାରି ବୟସରେ ସେତେବଳ ପିଲେ କେତେ ଶୈର୍ଯ୍ୟବାନ ନ ଥିଲେ ସତେ। ନୁହେଁ!

ଗାଡି ଗଡିଲା। ଅଳ୍ପ ବାଟରେ ଝୁଙ୍କେଇକି ବ୍ରେକ କଷିଲା। ଜନତା ନିଜକୁ ଆଉ ବେଗ ପୋଟଳିକୁ ସମ୍ଭାଳିନେଲେ। ସେଇ ସମାନ ଧନକା ପିଲାଟି ମରାଠୀ ମିଶା ହିନ୍ଦୀ ଭାଷା ରେ କହିଲା," ଏଇ ଯୋଉ ସୁନ୍ଦର ଓ ଭବ୍ୟ ମନ୍ଦିର ଦେଖୁଛନ୍ତି ଯାହାକୁ ଏଠି ମୁକ୍ତି ଧାମ କୁହାଯାଏ। ଚାରିଧାମ ଶ୍ରୀ ବିଷ୍ଣୁ ଙ୍କର ଆଉ ବାର ଜ୍ୟୋତିର ଲିଙ୍ଗ ଅଛନ୍ତି। ଫୋଟୋ ଉଠେଇବା ମନା ଭିତରେ। ଚପଲ ଗାଡ଼ିରେ ରଖନ୍ତୁ ନା ହେଲେ ଷ୍ଟାଣ୍ଡ ରେ ଥୋଇବେ। ଏଠି ଭଲ କାଜୁ,କିସମିସ,ଆଖରୋଟ, ଅଞ୍ଜୀର ମିଳେ କିନ୍ତୁ କିଣା କିଣି ରେ ସମୟ ନଷ୍ଟ ନ କରି ବସ କୁ ପନ୍ଦର ମିନିଟରେ ଆସିବେ। ପୁରା ସହର ବୁଲିବାର ଅଛି। ଏଇଟା କେବଳ ଆରମ୍ଭ ଜାଗା।" ଲୋକେ ତାକୁ ପି ଯାଉଥାନ୍ତି ଆଖି କାନ ମେଲେଇ ଯେମିତି ଚାଟଶାଳୀର ଆପଣ ସିଏ ଆଉ ଆମେ ସବୁ ତାର ବାଳୁତ ପଣିକିଆ ଘୋଷା ଛାତ୍ର । ବସ ତୁରନ୍ତ ଖାଲି ଢାଳି ଗଲା ପାଣି ର ମାଠିଆ ପରି। ବହିଗଲେ ଝର ପାରି ସୋର କଟି ଯେଝା ବାଟେ। କିଏ ପେନ୍ଥା ହେଇ ଟ କିଏ ଲଦେଇ ହେଇ। ଏଇ ଗାଇଡ୍ ପିଲେ ଇତିହାସ, ଭୂଗୋଳ ବହିଠୁ ଵି ବେଶି ତଥ୍ୟଧାର।

ମୁଁ ମୋର ସାତ ମିନିଟରେ ବୁଲା ସାରି ଗାଡି ପାଖକୁ ଆସିସାରି ଥାଏ। ଲୋକେ ନିଜ ନିଜ ଲୋକୋଙ୍କୁ ଖୋଜି ଗୋଟେଇ ସାଉଁଟି ଗୁନ୍ଥି ଆସୁଥାନ୍ତି ଗୋଟିଏ ଗୋଟିଏ ପାଦେ ପାଦେ। ଜୀବନ ତ ଏଇ ହଯା ଖୋଜାରେ ସରେ। ପିଲେ ଅଳି ଲଗେଇ ଥାନ୍ତି ଟୋପି, ଝୁମୁ ଝୁମୁ ଝୁମୁକା ଆଉ ପେ଼ଁ ପେ଼ଁ ପେ଼ଁକାଳି ପାଇଁ । କଳା କପଡା ଟେରେ ଗାଡ଼ି କାଚ ପୋଛି କଳା ଧୂଳି ଛଡଉଥାଏ ସେଇ ପିଲା ଟି। ମତେ ଆଗେ ଫେରିବା ଦେଖି ହସିଦେଲା। ମୁଁ ପଚାରିଲି ହିନ୍ଦୀ ରେ," କୋଉଠି ରୁହ? "

- ବସ ରେ ।

ସରଳ ସାବଲଳ ଉତ୍ତର।

ମୋ ଆଖିରେ ଅନ୍ୟ ପ୍ରଶ୍ନଟିଏ ସାପ ପରି ତେଢ଼ିମେଢି ହେଉଥାଏ । କଳା ନାଗ କବରୀ ଫିଟି ପଡ଼ିବ କି । ହେଲେ ଓଠରେ ସଂଭ୍ରମତାର ତାଲା ।

ସିଏ ଠଉରେଇଲା ଆଉ କହିଲା," ବଡ଼ ହେଲେ ଆଷ୍ଟ୍ରୋନଟ ହେବି। ଭାବିଛି। ପଢ଼େ। ରାତିରେ । ତମ ପରି ଦିଦି ଭାଇ ସବୁ ବହି ଯୋଗାନ୍ତି। ଘରେ ଜରୁରତ ବହୁତ । ସରେନି ପରେଶାନୀ । ଦେଖା ଯାଉ। ରାମ ମାଲିକ୍ ର ଇଚ୍ଛା।

ମୁଁ ବସ କୁ ଚଢ଼ିଗଲି। ତାକୁ ବସ ଚାଳକ ଚିଡି ଉଠିଲା କାମ ମଝିରେ ଗପିବା ପାଇଁ। ସିଏ ନୀରବ ରହିଲା।

ପେଟର ଭୋକ ପାଖରେ ଓଠର ସିଲ୍ ମରା ଲୁହା ତାଲା ଥାଏ।

ଲୋକେ ଫେରିଥିଲେ। ଆମ ବସ ଆଗେଇଲା। କର୍କଶ ହର୍ଣ୍ଣ ବାଟ ତିଆରୁ ଥିଲା। ପିଲାଟି ଦୁଆରୁ ଅଧା ବାହାର ଅଧା ଭିତର ହେଇ ଝୁଲୁଥିଲା ଠିକ୍ ତାର ରେ ସୁଖୁଥିବା ଅଧା ଓଦା ଅଧା ଶୁଖିଲା ଶାଢ଼ୀ ଟେ ପରି। ମତେ ଟୁକୁଡ଼ା ଟୁକୁଡ଼ା ସ୍ବପ୍ନ ଯୋଡ଼ା ଫୁଲ କଢ଼ ଲଦା ଗଛଟେ ପରି ଲାଗିବା ଆରମ୍ଭ ହେଇଥିଲା ପିଲାଟି। ଭାବିଲି ଓହ୍ଲାଇଲା ବେଳେ କିଛି ପଇସା ତା ହାତରେ ଦେଇଯିବି। ବହି କିଣିବ । ଖାଲି ତା ସ୍ୱାଭିମାନ କୁ ନ ବଧୁ। ସେତିକି।

ଦଶ ମିନଟକୁ ଥରେ ଲେଖେ ପଡୁଥାଏ ଗୋଟେଏ ଦର୍ଶନୀୟ ତୀର୍ଥ। ପର୍ଯ୍ୟଟକଙ୍କ ଓଲ୍ହା ଚଢ଼ା, ବିକ୍ରୀବଟା, ହଜା ମିଳାର ମେଳା। ଲକ୍ଷ୍ମଣଙ୍କ ତୀକ୍ଷ୍ଣ ତୀର ମୁନର ତିନୋଟି ଗାର, ହନୁମନ୍ତ ଶ୍ରୀ ରାମ ଲଖନ ଭେଟା ଭେଟି ପେଣ୍ଠ, ସୂର୍ପନଖାର କାନନାକ କଟା ଥାନ। କେତେ ସଞ୍ଜମ , ନାରୀ ଜାତି ପ୍ରତି ଅଖଣ୍ଡ ସମ୍ମାନ, ସ୍ଥିରଚିତ୍ତ, ବୁଦ୍ଧିମାନ ଆମ ସେତେବେଳ ତରୁଣ ବୟସ ପିଲେ। ଦାମ୍ପତ୍ୟ ପ୍ରତି ନିଷ୍ଠା, ଏକ ପତ୍ନୀ ବ୍ରତ ଚାରଣ । ଆଉ ସେ ଆସୁରି ଶକ୍ତି ପରି ମାୟାବିନି ତ ଆଜି ବି ଭେଳା ଭେଳା। ରୂପ ଲୋଭ ଦେଖେଇ ଯୁବା ମାନଙ୍କୁ ଏବାଟ କଢ଼େଇ ନବା ୟାଙ୍କ କାମ ।ଆମ ଏବେକା ଯୁବାବର୍ଗ ଯଦି ରାମ ଲକ୍ଷ୍ମଣଙ୍କ ପରି ହୁଅନ୍ତେ କେତେ ମଙ୍ଗଳ ହନ୍ତା ତ ଏ ସମାଜର।

ଗାଡି ଅଟକିଲା ଗୋଦାବରୀ ତଟେ। ଦକ୍ଷିଣ ର ଗଙ୍ଗା ବୋଲାଉଥିବା ଚିରସ୍ରୋତା ଗୋଦାବରୀ। "ମାଆ" ବୋଲି ସମ୍ବୋଧିତା ତା କିନାରାର ସାନ ବଡ଼ ସବୁ ଗଢି ଉଠିଥିବା ସଭ୍ୟତା ପାଖେ। ଯୋଡ଼ ହସ୍ତେ ବସିଥାନ୍ତି ଯଜମାନେ। ବଢା ହେଉଥାଏ ପିଣ୍ଡ। ମନ୍ତ୍ରୋଉଚ୍ଚାରଣେ ପ୍ରକମ୍ପିତ ଜଳ ଧାରା। କୁଳ ରେ ଅର୍ଦ୍ଧ ନାରୀଶ୍ୱର। ପାହାଚ ଓସାର। ତହିଁ ଉପରେ ପିନାକୀ ହସ୍ତ ସେବକ ବୃଷଭ ନନ୍ଦୀ ମହାରାଜ ଓ ଆଶୁତୋଷ ଲିଙ୍ଗ। ଶ୍ଵେତ ଓ କୃଷ୍ଣ ଉଭୟ। ଅଞ୍ଜୁଳିରେ ଜଳ ଭରି ହରଲିଙ୍ଗେ ଅର୍ପଣ କରିବାର ତୃପ୍ତି ଅତୁଲ୍ୟ। ଉପରେ ଆଖି ଝଲସା ସୂର୍ଯ୍ୟ ତଳେ ଆନନ୍ଦମୟୀ ଶିତଳା ଗୋଦାବରୀ। ଅପୂର୍ବ। ଛୋଟ ଖଲି ଦନାଟିଏରେ ଦୀପ, କିଛି ଝୁରା ଫୁଲ ଆଉ ଅଳ୍ପ ଅକ୍ଷତ ଭରି ବଢେଇ ଦେଲା ଦଶ ବାର ବର୍ଷର ସାନ ଝିଅଟିଏ। ଝୁଡ଼ିଏ ସମାନ ଖଲି ପ୍ରସ୍ତୁତ କରି ରଖିଥାଏ ପ୍ରତିଟି ଆଗନ୍ତୁକର ମନୋବାଞ୍ଛା ପୂର୍ଣ୍ଣ କରିବାର ପବିତ୍ର ଦାୟୀତ୍ୱଟିଏ କୁ ବହନ କରି କୁନି ପାପୁଲିରେ। ଆଉ ତାର ମନ? କେଉଁ ଥିରେ। ବୋଧେ ଗୋଦାବରୀ ବୁଝେ ତାର ପେଟ ପୁରେଇବାର ଆଉ ତନ ଘୋଡେଇବାର ବ୍ୟବସ୍ଥା। ଆଂଶିକ ହେଉ ପଛେ ଶିବ ଶମ୍ଭୁ ବି ଚାହିଁଥାନ୍ତି ତାର ଗଢି ହେଉଥବା ଅନିଶ୍ଚିତ ଭବିଷ୍ୟତ ଦିଗକୁ । ତାର ସେବା ବୋଧେ ତାର ଭବିତବ୍ୟ ନିର୍ଣ୍ଣୟର ଆଧାର ହୋଇପାରେ। ଏମିତି ଅସଂଖ୍ୟ କାଢି ନିତି ନିତି ଆମ ଦୃଷ୍ଟିକୁ ଆସି ପୁଣି ଅଢୁଆଳ କରି ଚାଲିଯାଉଥାନ୍ତି ଆମ ନିଷ୍କ୍ରିୟତାକୁ ଆଖି ଠାର ମାରି। ଦୃଷ୍ଟିକୋଣ ଆଦି ଏବେ ଖାଲି ଭାଷଣ।

ଏଇ ସେଇ ଜାଗା ଯୋଉଠି ଆକାଶରୁ ହସ୍ତ ପ୍ରସାରି ଦିବଂଗତ ସୂର୍ଯ୍ୟବଂଶୀ ରାଜା ଦଶରଥ ସ୍ବର୍ଗରୁ ଅବରୋହଣ କରି ସୁପୁତ୍ର ଶ୍ରୀ ରାମଙ୍କ ଶ୍ରୀହସ୍ତ ରୁ ଶ୍ରଦ୍ଧା ଭରା ଶ୍ରାଦ୍ଧ ଗ୍ରହଣ ଗ୍ରହଣ କରିଥିଲେ। ବାଲି ତଣ୍ଡୁଳକୁ ମଧ୍ଯ ମହାପ୍ରସାଦ ସମ ପାଇଥିଲେ। କେତେ ସନ୍ତାନ ବତ୍ସଳତା ,ସ୍ନେହ , ଭକ୍ତିର ପରାକାଷ୍ଠା ସ୍ପଷ୍ଟ କରେ ଆମ ପୁରାଣ ଆମ ଲୋକ ଚରିତ୍ର ଗଠନ ରେ , ନୁହେଁ ! ମତେ ଶାନ୍ତି ଶାନ୍ତି ଲାଗୁଥିଲା ସେଇ ପାଣି ଭିତରେ ଠିଆ ହେଇ କି ଦୂରରୁ କିଏ ଦଳେ କହିବା ପରି ଶୁଭିଲା," ଆବେ କେତେ ମୋଟିଟା ବେ। ନଈର ସବୁ ପାଣି ଏଇଲେ ବାହାରକୁ ଛାଲକି ଆସିବ। ନଈ ପୁରା ଖାଲି। ପିଲି ହାତୀଟା ବେ । ହୁକ ପକେଇହବନି । ଚାଲ୍ ଚାଲ୍। " ଉଦଣ୍ଡ ଫେଁ ଫେ ହସ ମାନେ ଆଟ୍ଟହାସ୍ୟ ତୋଳୁ ଥିଲେ କେକଶି ପୁତ୍ର ରାବଣ ପରି। ସେଇ ମାନଙ୍କ ନଜର କୁ ଅନୁସରଣ କରି ଦେଖିଲି ମୋ ଠୁ ବୟସ ରେ ଅପେକ୍ଷକୃତ ସାନ ଦିଶୁଥିବା ସୁନ୍ଦର ବିଦେଶିନୀ କନ୍ୟାଟିଏ। ହୋଇପାରେ ଅଶାଳିନତା ର ଭାଷା ତାଙ୍କୁ ବୁଝା ପଡିନଥିବ , ମାତ୍ର ଅନ୍ତର ନିହିତ ଆକ୍ଷେପ, ଉଦ୍ଦେଶ୍ୟ ବୁଝିବାକୁ ଝିଅଟିଏକୁ ଭାଷା ର ସାହାରା ଲାଠି ଲୋଡା ପଡ଼ିବନି କେବେ। ଏହା ତାର ଇଶ୍ଵରଦତ୍ତ ଶକ୍ତିର ଏକ ପ୍ରାଚୁର୍ଯ୍ୟ ଦିଗ ମାତ୍ର। ଝିଅଟିର ଗୋରା ମୁହଁ ରଙ୍ଗା ପଡ଼ି ସାରିଥାଏ। କଣ ଭାବିବ ସିଏ ମୋ ଦେଶ ଓ ତାର ସଂସ୍କୃତି ବିଷୟରେ , ଯାହାକୁ ପଢ଼ି ଶୁଣି ସିଏ ଏତେ ବାଟ ଧାଇଁ ଆସିଛି ମୋ ଦେଶ ଦେଖିବାକୁ!

ସିଏ ସେଇ ଭାରାକ୍ରାନ୍ତ ମନ ନେଇ ତାର ଜୋତା ଗଳଉ ଥିଲା କି ମୁଁ ତାର ପାଖରେ ପହଞ୍ଚି ତ କନ୍ଧରେ ଆସ୍ତେ କରି ଟିପ ଦେଲି । ସିଏ ବୁଲି ଚାହିଁଲା। ଏତେ ବେଳକେ ମୁଁ ତାର କିଶୋର, ଏବଂ ତରୁଣ୍ୟ ମଝା ମଝି ବୟସର ଚିକ୍ ମିକ୍ ଝଲକ ଦେଖିପାରିଲି। ଜହ୍ନ ପରି ସ୍ୱଚ୍ଛ।

ଆଉ ଦେଖିଲି ତା ଭିତରର ଅଳ୍ପ ମୁଁହ ଫୁଲେଇଥିବ ଅଲିଅଳି ଶିଶୁଟିକୁ । ସିଏ ଆଶ୍ଚର୍ଯ୍ୟ ଓ ଭୟ ମିଶା ଚାହାଣି ରେ ଚାହିଁଥିଲା।

ମୁଁ ସିଏ ବୁଝିବା ପରି ଇଂରାଜୀ ରେ କହିଲି ," ମୁଁ ତନୁ। ଓଡ଼ିଶା ରୁ। ଏଇଠି ଚାକିରୀ କରେ। ସୋଲୋ ଟ୍ରାଭେ ଲିଂ । ଆଉ ତମେ?

- " ମୁଁ ବି "

ଛୋଟ ଉତ୍ତରଟିଏ ରଖିଥିଲା ସିଏ ଢାଙ୍କି ଥିବା ଅପମାନିଆ ମେଘକୁ ଲୁଚାଇବା ଚେଷ୍ଟା ରେ ତଳ ମୁହାଁ ହେଇ।

ମୁଁ ପୁଣି କହିଲି," ଯଦି ତୁମକୁ ବିଶେଷ ଅସୁବିଧା ନ ହୁଏ, ତେବେ ଆମେ ସାଙ୍ଗ ହେଇ ବୁଲି ପରିବା। ହଁ ଯଦି ତୁମେ ଚାହଁ ତେବେ ହି।"

ତା ମୁହଁ ରେ ହସଟେ ଥିଲା, ଭରସାର ହସ । ଯାହା ସିଏ ଭାରତ ମାଟିରୁ ଆଶା ରଖିଥିଲା।

ଅବଚେତନର ଏଇ ଅହମ ପ୍ରବଣ ଲଙ୍କେଶ ମାନଙ୍କ ପାଇଁ ବିବେକର ରାମ ଙ୍କୁ ଜାଗ୍ରତ କରିରଖିବାକୁ ହୁଏ। ବେବକ ପ୍ରଳାପକୁ ପ୍ରାଧାନ୍ୟ ଦେବା ଅର୍ଥ ନିଜ ପ୍ରତି ହିନିମନ୍ୟତା କୁ ସହମତି ଦେବା। ଆଉ ଦୁଷ୍ଟ ଶକ୍ତି ର ପ୍ରତ୍ୟୟ ବଢେଇବା। ନୁହେଁ କି? ତେବେ ତାକୁ ଅଣ୍ଟିରେ ପୁରେଇବହି କାହିଁକି ! ନଳା ପାଣି ନଳା କୁ ଯାଉ, ମୋ ସିଲଟ ଶୁଖି ଥାଉ ।

ସିଏ କହିଥିଲା ତା ନାଁ ଜେନିଫର୍। ସିଏ ଉତ୍ତର ଇଟାଲି ସବୁ ଠାରୁ ସୁନ୍ଦର ସହର "ମିଲନ" ରୁ ଆସିଛି ପୃଥିବୀର ସବୁଠୁ ସୁନ୍ଦର ଓ ସଂସ୍କୃତି ସଂପନ୍ନ ଦେଶ ଭାରତ ଦେଖିବାକୁ।

ଏବେ ଆମେ ସାଙ୍ଗ ହେଇ ସାରିଥିଲୁ । ଭାବ ଆଦାନ ପ୍ରଦାନ ହୃଦୟ ସହ ଅଙ୍ଗାଙ୍ଗୀ ସଂଶ୍ଳିଷ୍ଟ। ଏଠି ଭାଷାର ଗୁରୁତ୍ଵ ଏତେ ମହତ୍ତ୍ୱ ରଖେନି। ତାର ଇଟାଲିଆନ ମିଶା ଇଂରାଜୀ ମୋ ଦେଶୀ ଇଂରାଜୀକୁ ଖୁବ ମେଳ ଖାଇଲା। ଏବେ ଏହା ଡୁଏଟ୍ (ପଟେ ରୁ ହଳେ କୁ ରୂପାନ୍ତର ) ପରିଭ୍ରମଣ ଗପ ଗଢି ହେଲା।

ଛୋଟିଆ ବଜାର ଟିଏ ଯାକ ଭଳିକି ଭଳି ହସ୍ତ ଶିଳ୍ପ କାରିଗରୀ ଚିଜ ସବୁର ଭେଳା। କାଠ ଖେଳନା ତକ ବେଶୀ ଆକର୍ଷକ । ପାଖ ଗାଆଁର ମଣିଷ ସବୁ ବୋଧେ।ଅନେକ ସ୍ତ୍ରୀ ଲୋକଙ୍କ ମାଲିକାନା ଥିବା ବାଜାର ।ତେବେ ୟାଡିକା ଲୋକେ କାଇଁ ମଳିନ ଦିଶୁଥାନ୍ତି। ରୁକ୍ଷ କଠିନ ଚେହେରା ଅନେକଙ୍କର। ଲୁଗାପଟାରେ ମଧ୍ୟ ସାଧାରଣ ଔଜଲ୍ୟ ନ ଥିଲା ପରି ଲାଗୁଥାଏ। ଗୋଦାବରୀର ପ୍ରଶସ୍ତ ଛାତି ରେ t ଅନେକ ରଜକ ବସ୍ତ୍ର ଧଉତ ବ୍ୟବସ୍ଥା ସହ ପଲ୍ଲା ପକାଇଥିବା ଦେଖିଲି। ନଦୀର ଅପେକ୍ଷକୃତ ସରୁ ଧାର ବିଶିଷ୍ଟ ପଥୁରିଆ କୁଳରେ ଗଦା ଗଦା ଲୁଗା ଧୁଆ ଶୁଖା ଚାଲିଥାଏ ସ୍ରୋତସ୍ଵିନି ନଦୀର ସ୍ରୋତ କୁ ସାବୁନ୍ ଫେଣରେ ଫେନିଳ କରାଇ। ଜଳ ସମ୍ପଦ ପ୍ରାକୃତିକ। ତେଣୁ ମନ ଇଚ୍ଛା କାରବାର। କହିବାକୁ ବୋଲିବାକୁ କଣ ସ୍ଵୟଂ ନଦୀ ଦେବୀ ଉଭା ହେବେ ଆଉ କହିବେ," ପିଲେ ମୋ ପେଟକୁ ଅସନା କରନି ରେ ! ପେଟରେ ପରା ପେଟେ ଜଳ ଜୀବ ତିଷ୍ଠିଛନ୍ତି।" ଧେତ୍। ଏ ମଣିଷଙ୍କର ଖାଲି ଦୃଶ୍ୟମାନ କାନ ହଳେ ନା, କଣ ପ୍ରକୃତ ରେ ସେ ହଳକ କାମ କରେ?

ସରୁ ପାହାଚରୁ ଧାରେ ଉର୍ଦ୍ଧଗାମୀ ନଦୀଟିଏ ପରି । ଏତେ ଅଣ ଓସାର ଯେ ଧରି ଧରି ଚଢ଼ିବାକୁ ହବ, ନୋହିଲେ ଭୁ ପତିତେ କେହି କମ୍ପାନୀ ଦାୟୀ ନୁହେଁ। ହା ହା।

ପାହଚ ମଝାମଝି ଆମ ପୁରୀ ପଟ ଭଙ୍ଗୁଆ ପରି ଦିଶୁଥିବା ଲୋକଟିଏ ପରି ଜଣେ ଲୋକ ଝୁମିଲା ଆଖିରେ ଟିଣର ତ୍ରିଶୂଳ ଆକାର ଟିକୁ ଆମ ଦୁହିଁଙ୍କ ମଥା ରେ ଥାପି ଦେଲା। ତା ବେକ ର ସହସ୍ର ମାୟା ଭ୍ରମ ତିଆରୁ ଥିବା ଗୋଛାୟେ ରୁଦ୍ରାକ୍ଷ ମାଳକୁ ଜେନିଫର୍ ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାୟେ। ୟା ଭିତରେ ଲୋକ ଟି ଆମକୁ ତିଳକ ଚିତାରେ ସଜେଇ ପୁରା ଶୈବ ଭେଷ କରି ସାରି ଥାଏ। ଅପୂର୍ବ ଉର୍ଜା ସଂଚାର ହେଉଥାଏ ଏଇ ଗେରୁ, ପାଉଁଶିଆ ବିଭୂତି, ଗୋଚନ୍ଦନ ଆଦିର ତିନି ଆଙ୍ଗୁଳିର ଗାର ମଥାରେ ନାଇ।

ଗୋରଚନ ତିଳକ ରାଜକୀୟ। ଶତ୍ରୁ ବଶ ହୁଏ ଅବିଳମ୍ବେ। ଯୁଦ୍ଧର ଆବଶ୍ୟକତା ପଡ଼ିବନି। ତରବାରୀ ଅନାବଶ୍ୟକ। ନିଜ ମନକୁ ବଶ କରିବା ସବୁ ଠାରୁ ବେଶି ଦମ୍ଭର କଥା ।

ବମ୍ ଭୋଲେ, ବମ୍ ବମ୍ ଭୋଲେ।।

ଆମେ ଉପରକୁ ପୁରା ପହଞ୍ଚି କରୁଣାମୟ ଲୋକନାଥ ଙ୍କୁ ଦର୍ଶନ କଲୁ। ଜେନିଫର୍ କଥା ରୁ ସ୍ପଷ୍ଟ ଅନୁମେୟ ଯେ ସିଏ ଆମ ଦେଶ, ତାର ଇତିହାସ, ପୁରାଣ ଆଦି ବିଷୟରେ ବହୁତ ପଢା ପଢ଼ି କରି ହିଁ ଆସିଛି। ସେପଟ ଦେଶ ସବୁ ରେ ପିଲେ ଅନେକ ଆଗୁଆ ଏମିତି ସବୁ ଶିଖିବା, ଦେଖିବା ଓ ବଢିବାରେ । ସେତେଵେଳୁ ଅନବରତ ମିଲନ, ଇଟାଲୀ, ନନ୍ଦୀ, ଗଜାନନ ସବୁ ଗପୁଥାଏ। ତା ବିଦେଶୀ ଉଚ୍ଚାରଣରେ ମୋ ଦେଶର କଥା ମତେ ନୂଆ ଓ ମିଠା ଲଗୁଥାଏ ଶୁଣିବାକୁ । ପିଲାଙ୍କ ଦରୋଟି ଆବୁଲ ତାବୁଲ ଗୁଲ୍ ଗୁଲ କଥା ପରି ଶ୍ରୁତି ମଧୁର ତା କଥା।

ତଥାପି ମୁଁ ତାକୁ ଈଶ୍ୱର ପାର୍ବତୀଙ୍କର ଗପ କହୁଥାଏ ମୋ ମନର ଶାନ୍ତି ପାଇଁ ଓ ସିଏ ମନ ଦେଇ ଶୁଣୁ ବି ଥାଏ ଆଉ ଟିପି ରଖୁଥାଏ ମଧ୍ଯ ତାର ଟିପା ଡାଇରୀଟିଏରେ ସାଗ୍ରହେ ।

ଛୋଟ ବଜାର ଦେଇ ଆମେ ପୁଣି ଯାଇ ଆମ ବସ ଧରିଲୁ। ସେଇ ସମାନ ବସରେ ଯେ ଜେନିଫର ଥିଲା ଓ ମୁଁ ଆଗରୁ ଲକ୍ଷ୍ୟ କରିପାରି ନଥିଲି ଜାଣି ହସ ଲାଗିଲା। ଈଶ୍ଵର ଆମକୁ ଏକାଠି ବୁଲିବାର ଗୁପ୍ତ ଯୋଜନା ଆଗରୁ କରି ରଖିଥିଲେ। ଏବେ ଆମେ ପାଖା ପାଖି ବସିଲୁ। ମୁଁ ସକାଳୁ ଗୁଗଲରେ ଦେଖି ବୁଝି ଥିଲି ଯେ ଆମର ଏହି ଯାତ୍ରା ତାଲିକା ରେ ଜ୍ୟୋତିର୍ଲିଙ୍ଗ ଶ୍ରୀତ୍ରୟମ୍ବକେଶ୍ଵର ମହାଦେବ ଦର୍ଶନ ମଧ୍ଯ ଅନ୍ତର୍ଭୁକ୍ତ। ତେଣୁ ଦରଶନ ଅନ୍ତେ ଭୋଜନ କରିବି ବୋଲି ମନସ୍ତ କରିଥିଲି। କିନ୍ତୁ ଏ ଯୋଉ ଝିଙ୍କ ଛଡେଇଦେଲା ପରି ମାରାତ୍ମକ ଓ ଜିଦିଆ ଖରା ତହିଁ ରେ ମୋର ଜୀବନ ଟଳମଳ ଓ ପେଟ ଗଳ ଗଳ ଶଦ୍ଦ କରି ଚେତେଇ ଦେଲେ , " ଯେ କିଛି ଖା, ନହେଲେ ଏଇ ଶିବଧାମ ରୁ ସିଧା ସଳଖ କୈଳାଶ ପର୍ବତେ ଆରୋହଣ କରିବାର ଦୁଃସାଧ୍ୟ ପଥ ପାରି କରିବା ତୁରିତେ ପୂର୍ଣ୍ଣ ହେବ।ହା ହା। " ପଚାରି ବୁଝିଲି ଆଜିର ଶେଷ ଗନ୍ତବ୍ୟ ଶ୍ରୀତ୍ରୟମ୍ବକେଶ୍ୱର। ଆଗରେ ଯୋଉଠି ବସ ରହିଲା ଏବଂ କୁହାଗଲା କି ," ଏଇଠୁ ଗୋଦାବରୀ କୋଳରୁ ପ୍ରତକ୍ଷ୍ୟ ପ୍ରାପ୍ତ ହୋଇଥିବା କଳା ରାମ, ଗୋରା ରାମ, ଶ୍ରୀ ରାମ ଚନ୍ଦ୍ରଙ୍କ ଦ୍ଵାରା ରୋପିତ ସେଇ ପାଞ୍ଚୋଟି ବରଗଛ ଯିଏ ସମୟର ପ୍ରବହାମାନତା ସତ୍ତ୍ୱେ ଅକ୍ଷୁଣ୍ଣ ଜଗି ରହିଛନ୍ତି ବେଦବତି କନ୍ୟା ସବୁଜ ପ୍ରକୃତି ବନାନୀ ଦେବୀ ଜାନକୀଙ୍କୁ ସସମ୍ମାନେ......ପଞ୍ଚବଟି ବଣ, ସୀତା ଗୁମ୍ଫା ଯୋଉଠି ସୁବର୍ଣ୍ଣ ମାୟା ମୃଗ ପଛରେ ଧାଇଁ ଗଲା ବେଳେ ଦେବୀ ଆଶ୍ରିତ ଥିଲେ । ଯାହା ଭିତରକୁ ଯିବାର ଓ ବାହାରିବାର ପଥ ଖୁବ୍ ସଂକୀର୍ଣ୍ଣ । ଅଣଓସାରିଆ। ଅନ୍ଧାର। ଯୋଉଠି ରହିଛି ତିନୋଟି ବଖରା । ଗୋଟିଏରେ ତ୍ରେତୟାରେ ଜାନକୀଙ୍କ ଦ୍ଵାରା ପୂଜିତ ଶିବ ଲିଙ୍ଗ ସ୍ଥାପିତ ,ଅନ୍ୟ ଟିରେ କଛପପୂଜା ପ୍ରତିମା , ଏବଂ ମଝିଟିରେ ବୋଧ ହୁଏ ବିଶ୍ରାମ ତଥା ଧ୍ୟାନ ଧାରଣା ପାଇଁ ଦିଟି ଶିଳାପଲଙ୍କ ଆଦି ଦେଖି ପଇଁଚାଳିଶି ମିନିଟ ଭିତରେ ସହର୍ଷେ ଲେଉଟି ଆସନ୍ତୁ । ବାହାରିବା । ଡେରି କରିବେନି ।"

ବାଧ୍ୟ ମନ ମତେ ବୁଝେଇ ଶୁଖେଇ କିଛି ଖୁଏଇ ହି ଦେଲା। ଅର୍ଥାତ୍ ଜିଆଁଇ ରଖିଲା। ମନ ସବୁବେଳେ ଅମାନିଆ ନୁହେଁ ମ! ଜେନି ର ମୋର ମିଶିକି ଖାଇଲୁ। ଅନ୍ନମୟୀ ପିଣ୍ଡ ନବ ଖଣ୍ଡ ହେବାରୁ ବର୍ତ୍ତିଗଲା। ଏବେ ପେଟରେ ଦାନା ଥିବାରୁ ପାଦ ବଢ଼ିଲେ।

ଅନ୍ଧକାରର ଗଳିରୁ ଆଲୋକର ବିସ୍ତିଣ୍ଣ ଅଗଣାକୁ ପହଞ୍ଚି ବାର ପଥ ସଦକାଳେ ସଂକୀର୍ଣ୍ଣ ହି ।ଆମେ ଆଲୋକ ଦିଗକୁ ଭକ୍ତି ଓ ବିଶ୍ବାସର ଅମୃତ ଛାୟା ତଳେ ଆଗଉଥିଲୁ।

ଏପ୍ରିଲ ର ଚାଇଁ ଚକ୍ ଖରା ସତ୍ତ୍ୱେ ଆମେ ଓ ଅନ୍ୟ ସମସ୍ତ ପରିବ୍ରାଜକ ପାଦରେ ଆନନ୍ଦରେ ଚାଲିଥାନ୍ତି। ଗହଳି ଉଜାଣି। ଲୋକେ ସବୁ ଗଗନୁ ଭୂ ଯାଏ ନିରୀକ୍ଷଣ କରୁଥାନ୍ତି। କେତେ ଭାବାବେଗରେ ଭାସମାନ ଆଉ କେତେ ବର୍ତ୍ତମାନରେ ଚଳମାନ । ଆମେ ବି ଗହଳି ଭାଙ୍ଗି ଢେଉ କାଟୁଥାଉ।ଠିକ୍ କଲୁ ଯେ ଆଗେ ସୀତା ଗୁମ୍ଫା ଦେଖି ଆସିବା ପରେ ଆଉ ସବୁ ଦର୍ଶନ କରିବା । ଭାରତ ତଥା ଆମ କୁଆଁ ମେଲି ଥିବା ଅରଖ ନୂଆ ବନ୍ଧୁତ୍ୱର ସ୍ମୃତି ସ୍ୱରୂପ କିଛି ଗୋଟେ କିଣିବି ବୋଲି ମୁଁ ମନେ ମନେ କୁନି ସୁନ୍ଦର ଉପହାରଟିଏ ଖୋଜୁଥିଲି ଜେନିଫର ପାଇଁ । ଭାବୁଥାଏ କଣ ଦେଲେ ପିଲାଟିର ମନକୁ ଯିବ ଆଉ ସିଏ ଖୁସି ହବ। ଉପହାର ସବୁବେଳେ ପାଇବା ଲୋକର ଖୁସିକୁ ଦେଖି ଦେବା କଥା, ତେବେ ଉପହାର ସବୁବେଳେ ସ୍ଵତନ୍ତ୍ର। ଯାହାକୁ ମୂଲ୍ୟାଙ୍କନ କରିହୁଏନି କୌଣସି ଚିଜର ପ୍ରତିବଦଳ ବା ତୁଳନା ଦେଇ। ଉପହାର ମନର ଭାବକୁ, ଶ୍ରଦ୍ଧାକୁ ପରିପ୍ରକାଶ କରେ। ଘାସ ଫୁଲଟେ ହେଉ ନା କାହିଁକି ତାହା ଅମୂଲ୍ୟ। ଦେବା ଲୋକର ଭାବ ହି ତାର ବାସ୍ନା। ତାର ମହକ। ଜେନିଫର୍ ତାର ମତେ କେତେ ବୋଲି କେତେ କଥା ପଚାରୁ ଥାଏ ଆଉ କହୁ ବି ଥାଏ। ଆମ ଭିତରକୁ ଗଙ୍ଗା, ଅହଲ୍ୟା, ଅନୁସୁୟା, ଶବରୀ, କେଉଟ, ମାରିଚ, ବଶିଷ୍ଠ, ବିଶ୍ଵାମିତ୍ର, ବିଭୀଷଣ, ଅଙ୍ଗଦ, ଜମ୍ବାବନ୍ତ, କୈକଇ, ସୁବର୍ଣ୍ଣ ମିରିଗ, ଭରତ, ଖର ଦୂଷଣ, ପରଶୁରାମ, ଲକ୍ଷ୍ମଣ ରେଖା, ସୁଷେଣ, ନାଗଫାଶ, ଇନ୍ଦ୍ରଜିତ୍, ମନ୍ଦୋଦରୀ, କୁମ୍ଭକର୍ଣ୍ଣ, ତ୍ରିଜଟା ଆଦି ଆଦି ଅନେକ ଚରିତ୍ର ପ୍ରବେଶ ପ୍ରସ୍ଥାନ କରୁଥାନ୍ତି । ରାମାୟଣ ନାଟ୍ୟ ଆମେ ପରିକଳ୍ପନା କରୁଥାଉ ଚରିତ୍ରରେ ମଜ୍ଜି। ଖୁସିର ମୁହୂର୍ତ୍ତ ସବୁ।

ମୁଁ ଭାବ ବିହ୍ବଳ ହେଇ ଭାବୁଥାଏ ,"ଏଇଠି କୋଉଠି ସେ ଅକ୍ଷମଣୀୟ ଘଟଣା ଘଟିଥିବ ନା। ଏହି ସେଇ ଆରଣ୍ୟକ ଯିଏ ତମ ରୋଦନରେ ଅସମୟେ ପତ୍ର ଝଡ଼ା ଦେଇଥିବେ। ଏହି ସେଇ କଣ୍ଟକିତ ଅଧ୍ୟାୟ ରଚିଥିବା ଅଞ୍ଚଳ ଯିଏ ଦଶାନନର ଷଡ଼ଯନ୍ତ୍ରର ମୁକ ସାକ୍ଷୀ। ବିଦିର୍ଣ୍ଣ ହୋଇଯାଇଥିବ ଏ ମାଟିର ଛାତି ସେଦିନ। ବନ ପକ୍ଷୀ ଶାବକ ଭୟଭୀତ ଥିବେ। ଗୀତ ଗାଇ ନ ଥିବ ଝରଣା। କ୍ରୁର, ନିଷ୍ଠୁର ମେରୁ ସମ ରାକ୍ଷସ ଯେବେ ବୃଷସ୍କନ୍ଧ ବଳେ କର୍ଷଣ କରିଥିବ ତୁମ କୋମଳ ପଦ୍ମକଢି ସମ କଚଟିକୁ କେତେ କଷ୍ଟ ହେଇଥିବ ନା। ଆହା। ଯେବେ ଯେବେ ମାନସେ ରୋମନ୍ଥନ ହୁଏ ଶୀତେଇ ଯାଏ ଦେହ। ଆଉ ଯେବେ ପ୍ରଭୁ ଲେଉଟି ତୁମକୁ ପାଇନଥିବେ, ତାଙ୍କ ଶ୍ୟାମଳ ସୁନ୍ଦର ମୁଖ ରଙ୍ଗା ପିଙ୍ଗଳ ଦିଶିଥିବ ନା। ଝାଉଁଳି ପଡ଼ିଥିବେ ଦେବ।

ବିରହ ବ୍ୟଥା ସେ ବ୍ୟଥିତ ଦ୍ରବିତ ହୋ

ବନ୍ ବନ୍ ଭଟକେ ରାମ ।

କାହା ଆଖି ଏ ସୃଷ୍ଟି ରେ ଅଛି କଣ ଯିଏ ରାମାୟଣ ଶୁଣି ନ କାନ୍ଦିଛି!

ସତରେ ନା! କେତେ ଦମ୍ଭ ତୁମର। ସାହସିକତା, ପବିତ୍ରତା, ସମର୍ପଣ, ନିଷ୍ଠା, ବଳିଦାନ, ଶକ୍ତି, ସାମାଜିକ ଜ୍ଞାନ, ଆତ୍ମ ସମ୍ମାନ ରକ୍ଷା, ତ୍ୟାଗ,ଭକ୍ତି କୋଉଥିରେ କିଏ ତମକୁ ବଳି ଯିବ ଅବା! ତୁମେ ଆଶିଷ ମାନଙ୍କୁ ଜନ୍ମ ଦିଅ। ସମୃଦ୍ଧି, ଉର୍ବରତା, କୃଷି, ଜ୍ଞାନ, ବିଦ୍ୟା, ସବୁ ତ ତୁମରି କରୁଣା। ଏ ସୃଷ୍ଟିର ସର୍ଜନ, ପାଳନ, ତଥା ବିନାଶ ତ ତୁମ ଇଚ୍ଛା ମାତ୍ରକେ ସମ୍ଭବ। ତୁମେ ଦିବ୍ୟା, ଆଲୌକିକା, ଅତୁଳନିୟା । ନିରବତା ଦେଇ କେତେ ଯେ ଅସାଧ୍ୟ ସାଧ୍ୟ ସମ୍ଭବ ତାହା ତୁମଠୁ ଶିଖିବା କଥା। ତୁମ ଚାରିତ୍ରର ଉଜ୍ଵଳତା ଅନିସନ୍ଧିତ୍ସୁ, ଜିଜ୍ଞାସୁ, ଆଶ୍ଚର୍ଯ୍ୟ କରି ରଖିଥିବ ଅନନ୍ତ ପୀଢ଼ିକୁ।ହେ ପୃଥୀନନ୍ଦିନୀ! ମଣିଷ ଜାତି ଯୁଗେ ଯୁଗେ ତୁମକୁ ଆଦର୍ଶ ମାନୁଥିବ । ତୁମଠୁ ଶିଖିଥିବ । ପଥ ନିର୍ଦ୍ଧାରଣ କରୁଥିବ । ଦୋଷୀ ଯେତେ ପ୍ରଖର ହେଉ ଦଣ୍ଡ ଯେ ଅନିବାର୍ଯ୍ୟ ଏ ବିଶ୍ଵାସ ବୀଜ ତୁମେ ରୋପିତ କରିଛ ସମୟ ଚକ୍ରର ଅମାପ ବକ୍ଷରେ।"

ଅଲିଅଳି ସାନ ଜିଜ୍ଞାସୁ ଜେନିଫର ତା କ୍ୟାମେରାରେ ଚାରିପଟର ଛବି ତୋଳୁ ତୋଳୁ ପଚାରିଲା," ଆପଣ ସୀତାଙ୍କୁ କେମିତି ଦେଖନ୍ତି? ମାନେ ଏଇ ବିରାଟ କିମ୍ବଦନ୍ତୀର କେବଳ ଏକ ମୁଖ୍ୟ ନାରୀ ଚରିତ୍ର ନା ଆଉ କିଛି? " ମୁଁ କିଛି ଉତ୍ତର ଫେରିବାକୁ ଯାଉଛି କି ସିଏ ହି ହଠାତ କଥା ମଝିରେ ଝୁଣ୍ଟି ପକେଇ ଗଲା ପରି ଦୌଡ଼ି ଗଲା । ଏମିତି ଶବ୍ଦ କଲା କିଛି ଅମୂଲ୍ୟ ଧରଣୀ ବାହାର ଚିଜ ପାଇଗଲା କି ଦିଶିଗଲା ଯେମିତି ତାକୁ। ଆଚମ୍ବିତ ହେଲି ମୁଁ।ଆଉ ଖୁସି ବି । ତା ଭିତରର ପିଲାଲିଆମି ମୋ ଭିତରକୁ ସଂଚରି ଆସିଲା। ଏକ ଅଭିନବ ଦୃଶ୍ୟ ପ୍ରତି ମୋର ଦୃଷ୍ଟି ଆକର୍ଷିତ ହେଲା। ମୁଣ୍ଡରେ ହାତେ ଓଢ଼ଣା ଟାଣିଥିବା ଅବଗୁଣ୍ଠନବତୀ ନାରୀ ଜଣେ ବଡ଼ ସ୍ନେହୀ ସ୍ନେହୀ ଭଙ୍ଗୀରେ ବିରାଟ ଏକ ଜରଦଗବ ସମ ମର୍କଟକୁ ସ୍ଵହସ୍ତରେ ବଢେଇ ଦେଉଛନ୍ତି କିଛି ଫଳ। ହାତ ପ୍ରସାରି କପିବର ଅତୀବ ଆନନ୍ଦେ ଫଳ ନେଇ ଖାଉଚନ୍ତି। ଆହା କି ଅପୂର୍ବ କରୁଣା। ଆମ୍ବ, ଅଙ୍ଗୁରୁ, ଓ ଚଉଳିଆ ଭରିଥିବା ଜରିରୁ ଫଳ ଦାତା ହାତ ଫଳ ବାଣ୍ଟୁ ଥାଏ। ଗୋଲାକାରେ ବାନର ଦଳ ସଂଖ୍ୟା ବଢ଼ୁଥନ୍ତି। ବେଢ଼ିଥାନ୍ତି। ତାଙ୍କ ମଝିରେ ଜେନିଫର ବି ସାମିଲ୍। ଏକଠି ମହା ଆନନ୍ଦେ ଫଳ ଖିଆ ପର୍ବ ଚାଲିଥାଏ । ସମସ୍ତେ ଏକଲୟରେ ସେଇ ଅପୂର୍ବାଙ୍କୁ ଚାହିଁଥାନ୍ତି ଆପଲକେ। ହାତ, ପାଟି ଏକାଠି ଚାଲିଥାଏ।

ମୁଁ ସ୍ଵତଃ ଟାଣି ହେଇ ଦେଖିବାକୁ ଇଚ୍ଛା କରୁଥାଏ ସେଇ ନାରୀଟିର ମୁଖଶ୍ରୀକୁ ଯାହାକି ତାଙ୍କର ହାତେ ସରିକି ପଣତ ଟଣା ଯୋଗୁଁ ବଦଲ ପଛେ ଜହ୍ନ ପରି ଲୁଚକାଳି ଖେଳୁ ଥାଏ। କେବଳ ଖରା ପଡି ତାଙ୍କ ସରୁ ସୂକ୍ଷ୍ମ କମକୁଟ କାମ ଅଙ୍କା ହେଲା ପରି ଗୋଲାପି ଦୁଗ୍ଧ ଅଳତା ରଙ୍ଗର ଅତି କୋମଳ ପୟର ଦିଟି ଅଧା ଦିଶି ଅଧା ଲୁଚି ଯାଉଥାଏ ଶାଢ଼ୀର କୁମ୍ଭ ପକା ଧଡ଼ି ଯୋଗେ। ଝିନ ଶାଢ଼ୀ ବେଢ଼ଣ ତଳୁ ଛୁଞ୍ଚି ପରି ତୀକ୍ଷ୍ମ ଆର୍ଯ୍ୟନାକ ଓ ତହିଁର ନାକ ବସଣୀଟି ଅନେକ କୋଟି ବ୍ରହ୍ମାଣ୍ଡର ତେଜ କୁ ଧାରଣ କଲା ପରି ମନେ ହେଉଥାଏ। ହେଲେ ସମ୍ପୂର୍ଣ୍ଣ ମୁହଁଟି ବେହରଣ ତଳୁ ଦିଶୁ ନଥାଏ।

ନ ଦିଶିବା କଥାକୁ ଦେଖିବାର ଆଗ୍ରହ ଅଜନ୍ମେ ମଣିଷ ପାଳେ,ସିଏ ତେଣିକି ଯେତେ ଅପହଞ୍ଚ ହେଉ।

ମୁଁ ସେମାନଙ୍କ ଦିଗକୁ ପାଦ ବଢ଼ାଉଥାଏ ସ୍ୱତଃ ‌। ଆଉ ଅଳ୍ପକେ ମୋ ଦର୍ଶନ ତୃଷ୍ଣା ମେଣ୍ଟିଥାନ୍ତା କି କିଏ ଜଣେ ମତେ ପଛରୁ ଡାକିଦେଲେ। ସୁଦର୍ଶନ ଯୁବା ବ୍ରାହ୍ମଣ ଜଣେ ସ୍ମିତ ହସଟେରେ ଅପରୂପ ଦିଶୁଥାନ୍ତି। ସୂର୍ଯ୍ୟ ନାରାୟଣ ସଶରୀରେ ଉଭା ହେଲା ପରି ପ୍ରତେ ହେଇଥାନ୍ତି ତେଜସ୍ଵୀ। କଦଳୀ ପତ୍ରରେ କିଛି ଫଳ ଓ ମିଠା ସମ୍ଭଳିତ ଖୋଲା ମୁହଁ ପ୍ୟାକେଟଟିଏ ମୋ ହାତକୁ ବଢେଇ ଦେଇ କହିଲେ," ଆଜି ମାଆ ମୈଥିଳିଙ୍କର ଜନ୍ମ ତିଥି। ବୈଦେହୀ ନବମୀ। ପ୍ରସାଦ।" ତାଙ୍କ ଆଖିରୁ ଆଖି ଫେରୁ ନ ଥାଏ ମୋର। ସମୟ ଅଟକି ଯାଇଛି କି ସତେ। ସିଏ ପୁଣି କହିଲେ," ପ୍ରସାଦ " । ସେ କଣ୍ଠ ସ୍ୱର ସେ ମୁଖ ଶୋଭା ମୋହନୀୟ। ମୁଁ ଧରିସରିଥାଏ ଫଳ ମିଠା ତକ ତାଙ୍କ ହାତରୁ କି ମୋ ପଛରୁ ଜେନିଫର ଠିକ୍ ସେତିକି ବେଳେ ମୋତେ କୁଣ୍ଢେଇ ଧରି କହିଲା," ଦେଖିଲେ ଆପଣ ସିଏ କେତେ ସୁନ୍ଦର। ବହୁତ ବହୁତ ବହୁତ ସୁନ୍ଦର ନା! ଆଉ ଜାଣନ୍ତି ତାଙ୍କ ନାଁ ସିଏ କଣ କହିଲେ ! " ସିଆ" । ହଁ, ତାଙ୍କ ନାଁ ଗଡେସ୍ ସୀତାଙ୍କ ସହ ସମାନ ନା। ଗୁଗଲରେ ପଢ଼ିଥିଲି। ସିଆ ଓ ସୀତା ସିନୋନେମସ୍ ନା ! "

ମୁଁ ଆପେ ଉଚ୍ଚାରିଲି ," ହମ୍ ! ମାଆ ! ଦେବୀ ମାଆ । "

ଅଜସ୍ର ଗହଳି। ଲୋକ ମାଳ ମାଳ। ମାତ୍ର........

ମୋର ଚାରିପଟୁ ସମସ୍ତ ବ୍ରହ୍ମାଣ୍ଡ ଅଦୃଶ୍ୟ ବୋଧ ଥିଲା । ମୋହନ ମନୋହର ଅଦିତ୍ୱୀୟ ଦୁଇ ନର ନାରୀ ମୂର୍ତ୍ତୀ ଅବିନବ ଛବି ଆଙ୍କି ହୋଇ ରହି ଥାଏ ପଲକ ରେ ।

ବାକି ନିଶବ୍ଦ।


Rate this content
Log in