Sachidananda Kar

Others

2.5  

Sachidananda Kar

Others

ଡର : ଏଇ ବୋଧେ ଜୀବନ

ଡର : ଏଇ ବୋଧେ ଜୀବନ

2 mins
660


ଡର : ଏଇ ବୋଧେ ଜୀବନ
----------------------

ଏମିତି କିଛି କଥା।
ସେମାନଙ୍କ ଭିତରେ।
କନ୍ୟା ଭ୍ରୁଣ : ଡର ଲାଗୁଛି।କାଳେ ମା' ମୋତେ ପେଟରୁ ସଫା କରିଦେବ।
କନ୍ୟା ସନ୍ତାନ : ମୋତେ ବି ଡର ଲାଗୁଛି।କାଳେ ମୋତେ ନେଇ ଫୋପାଡ଼ିଦେବେ ରାସ୍ତା କଡରେ।ବିଲୁଆ, କୁକୁର ଝୁଣି ଖାଇବେ।
କନ୍ୟା : ଡର ମୋ ମନରେ ବି ଅଛି।ମୋ ମୁହଁ ଉପରେ କାଳେ କିଏ ଏସିଡ୍ ଫିଙ୍ଗିଦେବ।
ଛାତ୍ରୀ : ମୋର କ'ଣ କମ୍ ଡର କି ! ଏଠି ବଳାତ୍କାର ଘଟଣା ଯେମିତି ଘଟୁଛି - ସୁଯୋଗ ପାଇଲେ ଜାନୁଆରମାନେ ଜୋର ଜବରଦସ୍ତି ମୋର ସବୁକିଛି ଲୁଟିନେବେ।
ବିବାହଯୋଗ୍ୟା : ଘରେ ରହିଲେ ବି ମୋତେ ଡରି ଡରି ରହିବାକୁ ପଡୁଛି।ଏବେ ଗୋଟେ ବୋଝ ପାଲଟିଛି ମୁଁ।କାଳେ ଗୋରୁଗାଈଙ୍କ ପରି ହାଟରେ ବିକ୍ରି ହୋଇଯିବି !
ବଧୂ : ଏ ସିନ୍ଦୂର, ଶଙ୍ଖା ପିନ୍ଧିବା ଦିନରୁ ମୋ ମନରେ ବି ବହୁତ ଡର।ଯୌତୁକ ଲୋଭୀ କାଳେ କେତେବେଳେ କିରାସିନି ଢାଳି ମୋତେ ପୋଡିଦେବେ !
ସମସ୍ତେ ନିଜ ନିଜର ଡର କହି ସାରି ପରସ୍ପରକୁ ଚାହିଁଲେ।ଖୁବ୍ ଭୟଭୀତ ଦିଶୁଥିଲେ ସମସ୍ତେ।
ନିରବରେ କିଛି ସମୟ ବିତିଗଲା।
ପୁଣି ଆରମ୍ଭ ହେଲା କଥା।
ବଧୂ : ନା, ଆଉ ଶଙ୍ଖା, ସିନ୍ଦୂର ପିନ୍ଧିବାନି।ସେମିତି ଜୀବନ ବଞ୍ଚିବା।କିଏ ଏତେ ଡରି ମରିବ !
ବିବାହଯୋଗ୍ୟା : ଆଉ ବାହାହେବା ଇଚ୍ଛା ରଖିବାନି।ସାରା ଜୀବନ ଅବିବାହିତା ରହିଯିବା। ଡରିବା କାହିଁକି !
ଛାତ୍ରୀ : ମୁଁ ବି ଏଣିକି ଆଉ ପାଠ ପଢିବାକୁ ଯିବିନି।ଘରେ ରହିଲେ ମୋର ବି ଆଉ ଡର ରହିବନି।
କନ୍ୟା : କେତେ ଡରିବି ! ଏଣିକି ମୁହଁରେ ଲୁଗା ବାନ୍ଧି ବାହାରକୁ ଯିବି।ଯିଏ ଯାହା ଭାବୁଛି ଭାବୁ।
କନ୍ୟା ସନ୍ତାନ : ମୁଁ ଆଉ ଜନ୍ମ ନେବିନି।ମା'ଙ୍କୁ କହିବି ପେଟରୁ ସଫା କରିଦେବେ।ବଢିଆ ହେବ।
କନ୍ୟା ଭ୍ରୁଣର ସେତେବେଳକୁ କାନ୍ଦ କାନ୍ଦ ଅବସ୍ଥା।ସେ କହିଲା : ହେଲେ ମୁଁ କ'ଣ କରିପାରିବି ! ମୋତେ ତ କିଛି ବୁଦ୍ଧି ଦିଅ।ଗର୍ଭଧାରଣର ଇଚ୍ଛା ଠାରୁ ଦୂରେଇ ରହିପାରିବକି ନାରୀଟିଏ ! ଅତଏବ ମୁଁ ଆସିବି ହିଁ ଆସିବି।
ପୁଣି ନିରବତା। ବିମର୍ଷ ଓ ଚିନ୍ତାଶୀଳ ସମସ୍ତେ।
କିଛି ସମୟ ପରେ......
କନ୍ୟା ସନ୍ତାନ : ତା'ହେଲେ ମୁଁ ଜନ୍ମ ନେବି ହିଁ ନେବି।
କନ୍ୟା : ମୁଁ ବାହାରକୁ ଯିବି ହିଁ ଯିବି।
ଛାତ୍ରୀ : ମୋତେ ପାଠ ପଢିବାକୁ ହେବ ହିଁ ହେବ।
ବିବାହଯୋଗ୍ୟା : ମୁଁ ବାହା ହେବି ହିଁ ହେବି।
ବଧୂ : ମୁଁ ତ ବଧୂ ହୋଇସାରିଛି।ନିର୍ଯ୍ୟାତନା ପାଇବି ହିଁ ପାଇବି।
ଡରୁଥିବା,ମରୁଥିବା,ସବୁକାମ କରୁଥିବା - ଏଇ ବୋଧେ ଆମ ଜୀବନ।
ଶେଷରେ ସମସ୍ତଙ୍କ ମୁହଁରେ ଏଇକଥା ଫୁଟି ଉଠିଲା।
ଡର ଓହ୍ଲେଇଗଲା।


Rate this content
Log in