ଡ଼ଙ୍ଗା
ଡ଼ଙ୍ଗା
ସତରେ କଣ ସମୟ ବଦଳି ଯାଇଛି ? ଆଜି ବି ଏହି ଉକ୍ତିଟି ଏକ ପ୍ରଶ୍ନ ହୋଇ ରହିଛି ବିନୟ ବାବୁଙ୍କ ମନ ଭିତରେ । ଅତ୍ୟନ୍ତ ଈଶ୍ୱରବିଶ୍ୱାସୀ, ଧାର୍ମିକ, ପରୋପକାରୀ, ନିରାମିଷାଶୀ ବିନୟ ବାବୁଙ୍କ ପାଇଁ କାର୍ତ୍ତିକ ମାସ ସବୁଠାରୁ ପ୍ରିୟ । ବିଶେଷ କରି କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ସେ ବେଶ୍ ଉତ୍ସାହିତ । ନିଜ ପିଲାଦିନେ ଶୀତୁଆ ପାହାନ୍ତି ସକାଳୁ ଉଠି ନିତ୍ୟକର୍ମ ସାରି “ ଆ କା ମା ବୈ----- ” ଗୀତର ତାଳେ ତାଳେ କଦଳୀ ପାଟୁକା ଡ଼ଙ୍ଗା ଭସାବାର ନିଆରା ଅନୁଭୂତି ଏବେ ବି ପୁରା ତାଜା ହୋଇରହିଛି ବିନୟ ବାବୁଙ୍କ ମନ ପଲଙ୍କରେ । ପିଲାଦିନେ ନିଜ କଦଳୀ ପାଟୁକାର ଡ଼ଙ୍ଗାକୁ ନେଇ ବିନୟ ବାବୁ ଘରେ ଖୁବ୍ ଅଳି କରୁଥିଲେ । ଅନ୍ୟ ସାଙ୍ଗସାଥିମାନଙ୍କର ରଙ୍ଗୀନ୍ ସୌଖୀନ୍ ସୋଲର ଡ଼ଙ୍ଗାକୁ ଦେଖି ବଜାରରୁ ଡ଼ଙ୍ଗା କିଣିବା ପାଇଁ ସେ ଘରେ ବହୁତ ଜିଦ୍ ଧରୁଥିଲେ, ହେଲେ ନିଜର ଆର୍ଥିକ ଅଭାବକୁ ଲୁଚାଇବାକୁ ଯାଇ ବିନୟ ବାବୁଙ୍କ ବାପା କହୁଥିଲେ,“ ଇଏ ପରା ଆମ ଐତିହ ପରମ୍ପରା ” । ଆଜି କିନ୍ତୁ ଆଉ ସେ ସମୟ ନାହିଁ କି ସେମିତି ପରିସ୍ଥିତି ବି ନାହିଁ । ସହରୀ ଜୀବନରେ ବିନୟ ବାବୁ ଏବେ ଖୁବ୍ ପ୍ରତିଷ୍ଠିତ । ଧନ ସମ୍ପତ୍ତିର ଅଭାବ ନାହିଁ ତାଙ୍କ ପାଖରେ । ନିଜ ସୁଉଚ୍ଚ ଆପାର୍ଟମେଣ୍ଟର ଛାତ ଉପରୁ ସାରା ସହରଟା ଆଜି ବହୁତ ଛୋଟ ବିନୟ ବାବୁଙ୍କ ପାଇଁ । ଆରି ଭିତରେ ଦିନ ଗଣୁ ଗଣୁ ପାଖେଇ ଆସିଲା ତାଙ୍କର ପ୍ରିୟ କାର୍ତ୍ତିକ ପୂର୍ଣ୍ଣିମା । ପିଲାଦିନର ସେହି ଅଭୁଲା ସ୍ମୃତିକୁ ମନେ ପକାଇ ବିନୟ ବାବୁ ପାହାନ୍ତି ସକାଳୁ ଉଠି ନିଜର ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇ ବାହାରି ପଡିଲେ ଡ଼ଙ୍ଗା ଭସାଇବା ପାଇଁ ହେଲେ ଆଜିର ଏହି ସ୍ମାର୍ଟସିଟିରେ ପିଲାଦିନର ସେଇ କଦଳୀ ପାଟୁକାର ଡ଼ଙ୍ଗା ମିଳିବ କେଉଁଠୁ ? ସବୁଆଡେ ଖାଲି ଭଳିକି ଭଳି ରଙ୍ଗୀନ୍ ସୌଖୀନ୍ ସୋଲର ଡ଼ଙ୍ଗା ମାଳ ମାଳ ହେଇ ଝୁଲୁଛି । ଶେଷରେ ବହୁତ ଖୋଜାଖୋଜି ପରେ ବିନୟ ବାବୁ କଦଳୀ ପାଟୁକାର ଡ଼ଙ୍ଗା କିଣିବା ପାଇଁ ଏକ ଦୋକାନରେ ପହଞ୍ଚିଲେ । ଆଖିକୁ ବେଢ଼ଙ୍ଗିଆ ଦିଶୁଥିଲେ ମଧ୍ୟ କିଣିବାର ଲୋଭ ନେଇ ବିନୟ ବାବୁ ବେଶ୍ ଉତ୍ସୁକତାର ସହିତ ଡ଼ଙ୍ଗାର ଦାମ୍ ପଚାରିଲେ ? ଦୋକାନୀ ଜଣକ ବିନୟ ବାବୁଙ୍କୁ ଚାହିଁ ବଡ଼ ପାଟିରେ ଉତ୍ତର ଦେଲା,“ ବାବୁ କଦଳୀ ପାଟୁକା ଡ଼ଙ୍ଗା ଖଣ୍ଡକୁ କୋଡିଏ ଟଙ୍କା ଆଉ ସୋଲ ଡ଼ଙ୍ଗା ଦଶ ଟଙ୍କା ” । ବିନୟ ବାବୁ ଟିକେ ଆଶ୍ଚର୍ଯ୍ୟ ହୋଇ ଦୋକାନୀକୁ ଚାହିଁବାରୁ ଦୋକାନୀ ଜଣକ ପୁଣି କହିଉଠିଲା, “ ବାବୁ ତିରିଶି ଟଙ୍କାରେ ବିକୁଥିଲି ଏବେ କୋଡିଏରେ ଦଉଛି, ଆଜି କାଲିର ଏଇ କଂକ୍ରିଟ ଜଙ୍ଗଲରେ କଦଳୀ ଗଛ ବିରଳ ହେଲାଣି ଆଉ ଯାହା କିଛି ବି ଥିଲା ବନ୍ୟା, ବାତ୍ୟା ସବୁ ସାରିଦେଲା ନିଜର ଫଳନ୍ତି ଗଛକୁ କାଟି ଡ଼ଙ୍ଗାକରି ଆଣିଛି ” । ମନକୁ ମାନୁ ନଥିଲେ ବି ନିଜ ଅତୀତର କିଛି ଅଭୁଲା ସ୍ମୃତିକୁ ପୁଣିଥରେ ସାଉଁଟି ଧରିବା ପାଇଁ ଶେଷରେ ଅନନ୍ୟୋପାୟହୀନ ହୋଇ ବିନୟ ବାବୁ କଦଳୀ ପାଟୁକା ଡ଼ଙ୍ଗା ଖଣ୍ଡକ କିଣିବାକୁ ବାଧ୍ୟ୍ୟ ହେଲେ । ପାଖ ମନ୍ଦିର ପୋଖରୀରେ ଡ଼ଙ୍ଗାଟିକୁ ଧରି ଭସେଇବା ବେଳେ ବିନୟ ବାବୁ ଅନ୍ୟମନସ୍କତାର ସହିତ ଗୁଣୁ ଗୁଣାଉ ଥିଲେ ସେହି ପାରମ୍ପରିକ ଗୀତ “ ଆ କା ମା ବୈ----- ” ର କେଇଟା ପଦକୁ ଏବଂ ମନେ ମନେ ଭାବୁଥିଲେ, “ ଆଜି କାଲି ଆଗ ଭଳି ଆଉ ସେ କାର୍ତ୍ତିକ ମାସର ହାଡ଼ଭଙ୍ଗା ଶୀତ ନାହିଁ କି କଦଳୀ ପାଟୁକାର ଡ଼ଙ୍ଗା ବି ନାହିଁ ତା’ ସହିତ ବି ହଜିଯାଇଛି ସେଇ ସମ୍ମିଳିତ ଭାବଭକ୍ତି ପୂର୍ଣ୍ଣ ସୁର ତାଳର ଗୀତ “ ଆ କା ମା ବୈ----- ”। ଆଧୁନିକତାର ନାଁରେ ଆମର ଐତିହ ସଂସ୍କୃତି ଓ ପରମ୍ପରାର ମୂଲ୍ୟବୋଧ ଲୋପ ପାଇବାକୁ ବସିଛି । ସେ ଯାହାବି ହେଉ ସତରେ ସମୟ ବହୁତ ବଦଳି ଯାଇଛି ” ।
