ଡକାୟତି
ଡକାୟତି


ରାତ୍ରୀ ପ୍ରାୟ ଗୋଟାଏ ପାଖାପାଖି।ଘର ସାମ୍ନା ଗ୍ରୀଲ ଖୋଲି ବାହାର ପିଣ୍ଢା କୁ ପରିଶ୍ରା କରିବାକୁ ବାହାରିଲି।ପରିଶ୍ରା ସାରି ଫେରୁଫେରୁ ହଟାତ ପାଖରେ ଗୋଟିଏ ବମ ଫୁଟିବାର ଶବ୍ଦ ଶୁଣିବାକୁ ପାଇଲି।ଭୟରେ ମୋ ଶୋଇବା ଘରକୁ ପଶିଆସିଲି। ଶୀତଦିନ, ଅନ୍ଧାର ରାତ୍ରୀ।କିଛିଲୋକ ଦୌଡ଼ିଆସି ଗ୍ରୀଲ ଫିଟେଇବାର ଶବ୍ଦ ଶୁଭିଲା।ଅସ୍ପଷ୍ଟ ଭାଷାରେ କଥା ବାର୍ତା ହେବାର ଶୁଣିବାକୁ ପାଇଲି।ମତେ ବୁଝିବାକୁ ସମୟ ଲାଗିଲା ନାହିଁ। ଜାଣିଲି ନିଛେ ଡକାୟତି କରିବାକୁ ସେମାନଙ୍କ ପ୍ରୟାସ।ସେତେବେଳେ ଏପରି ଭୟଭୀତ ଅବସ୍ଥାରେ ଥିଲି, ଭୁଲରେ ମୋ ସୋଇବାଘର କବାଟ ନଦେଇ ଚୁପଚାପ ଖଟ ଉପରେ ଆସି ସୋଇପଡି ଚଦର ଟିଏ ଗୋଡ଼ରୁ ମୁଣ୍ଡପର୍ଯ୍ୟନ୍ତ ଘୋଡେଇ ହୋଇ ପରବର୍ତୀ ଅବସ୍ଥାକୁ ଅନୁଧ୍ୟାନ ଭୟରେ କରୁଥିଲି। ମୁଁ ନିଶ୍ଚିତ ହୋଇଯାଇଥିଲି ଯେ ଡକାୟତ ମାନେ ମତେ ପ୍ରଥମେ ଧରିବେ।ଛୁରୀରେ ଆଘାତ କରିବେ କି ଆଉକିଛି ହୋଇପାରେ।କାରଣ ଘରଭିତରକୁ ପଶିଲେ ପ୍ରଥମ ବାମ ପଟ ଡ୍ରଇରୁମ ରେ ମୁଁ ଥିଲି।ମୋ କୋଠରୀ କଡ ଦେଇ ଘର ଭିତରକୁ ପଶିବାକୁ ପଡେ। ଅବଶ୍ୟ ମୋ କୋଠରୀ ସହିତ ସଂଲଗ୍ନ ଘରଭିତରକୁ ବାଟ ନାହିଁ। କିନ୍ତୁ ଗ୍ରୀଲର ସାମ୍ନା ଘରଭିତରକୁ ଯିବାକୁ ହୁଏ। ମଝିରେ ବି ଦୁଇଟି କବାଟ ଲାଗିଥିବା କୋଠରୀ ଅଛି। ହେଲେ ସେ କୋଠରୀର କବାଟ ମେଲାଥିଲା। ଯେହେତୁ ମୁଁ ଏପଟେ ଶୋଉଥିଲି ତେଣୁ ମଝି ଘର କବାଟ ମେଲା ଥିଲା। ଘର ଭିତରକୁ ପଶିଲେ ବାମ ପଟରେ ଥିବା କୋଠରୀଟି ଷ୍ଟୋର ରୁମ। ତାର କଡ଼କୁ ଲାଗି ବାମ ପଟର କୋଠରୀରେ ବଡଭାଇ ଓ ଭାଉଜ ଥିଲେ। ଆଗକୁ ବାମକଡ ଦେଇ କୋଠରୀରେ ବାପା ସୋଇଥିଲେ। କୋଠା ଘର କୁ ସଂଯୋଗ ହୋଇଥିବା ପୁରୁଣା ଚାଳ ଘର ଭିତରେ କକେଇ ଓ ତାଙ୍କ ପିଲାମାନେ ସୋଇଥିଲେ। ବୋଉ ଓ ମୋର ଜଣେ ବିଧବା ପିଉସୀ ଚାଳଘର ବାମ ପଟ ଆଟୁଘରେ ଶୋଉଥିଲେ। ଆମେ ସମସ୍ତେ ଘରେ ସେଦିନ ପ୍ରାୟ ବାର ପନ୍ଦର ଜଣ ଲୋକ ଥିଲୁ। ମୋର ତିନି ଭାଇ ଓ ମୁଁ ମଧ୍ୟ । ମତେ ପ୍ରାୟ ଚବିଶ ପଚିଶ ବୟସ ହେବ ।
ଡକାୟତ ମାନେ ଗ୍ରୀଲ ଭାଙ୍ଗି ପଶିଲା ବେଳେ କୌଣସି ଉପାୟ ନଦେଖି ଚଦର କୁ ମୁହଁ ପର୍ଯ୍ୟ ଘୋଡେଇନ୍ତ ଘୋଡେଇ ହୋଇ ମନେ ମନେ ଈଶ୍ୱରଙ୍କୁ ସ୍ମରଣ କରି ଗାୟତ୍ରୀ ମନ୍ତ୍ର ଜପୁଥିଲି।ମୁଁ ଜାଣିଛି ଯେ ନିଶ୍ଚୟ ଡକାୟତ ମାନେ ମତେ କାବୁ କରିବେ କି ମୋଉପରେ ଆଘାତ କରି ଅନ୍ୟମାନଙ୍କୁ ଆୟତ କରିବେ। କିମ୍ବା ସମସ୍ତଙ୍କୁ ଆୟତ କରି ଡକାୟତି କରିବେ। କିମ୍ବା ଗୋଟିଏ ଘରେ ସମସ୍ତଙ୍କୁ ପୁରେଇ ବାହାରୁ ତାଲାଦେଇ ସୁଭିଧାରେ ଟଙ୍କା ସୁନାରୁପା ଲୁଟିନେବେ।ଡକାୟତ ମାନେ ଘରଭିତରକୁ ପଶିଗଲେ ତାଙ୍କର ସାହସ ବଢିଯାଏ। ଡକାୟତ ଙ୍କ ସର୍ଦ୍ଦାର ବାହାରେ ରହି ପରିସ୍ଥିତି କୁ ଅନୁଧ୍ୟାନ କରି ସଂକେତ ଦିଅନ୍ତି। ଏହି ସଂକେତ ହେଲା ହୁସିଲ। ତିନଟି ହୁଇସିଲ ଫୁଙ୍କିବା ସର୍ଦ୍ଦାର କାମ। ପ୍ରଥମ ଘରଭିତରକୁ ପ୍ରବେଶ ଦ୍ଵିତୀୟ ଡକାୟତି ତୃତୀୟ ପ୍ରସ୍ଥାନ।
ଏହି ତୃତୀୟ ହୁଇସିଲ ବାଜିଲେ ଯେଉଁମାନେ ଡକାୟତି କରିବାପାଇଁ ଘର ଭିତରେ ଥିବେ ସେମାନଙ୍କୁ ସଂକେତ ଦିଆଯାଏ ପରିସ୍ଥିତି ଅଣ ଆୟତ ଯଥାଶୀଘ୍ର ବାହାରି ପଳେଇ ଆସିଲେ ଭଲ। ନଚେତ ବିପଦ ଅଛି। ଏସବୁ ସର୍ଦ୍ଦାର ର କାମ। ତେବେ ଡକାୟତ ମାନେ ଯେଉଁଘରକୁ ତାଙ୍କର ନିଶାନ ରଖିବେ ସେମାନେ ନିଶ୍ଚୟ ସେଇ ଗ୍ରାମ ବା ପଡ଼ା କୁ ଦିନବେଳେ ଆସି ଅଲକ୍ଷରେ ସମସ୍ତ ପରିବେଶକୁ ଅନୁଧ୍ୟାନ କରି ଯିବେ। କେତେ ଲୋକ, ଘରଟା ଗାଁ ମଝିରେ କି ବାହାରେ। କେତୋଟି ବାହାରକୁ ଆସିବା ଦ୍ୱାର। ଲୋକ ମାନେ ସାହସୀ କି ନୁହେଁ, ଇତ୍ୟାଦି।ପ୍ରତେକ ଡକାୟତ ମୂଳରେ ନିଜ ପଡିଶା କି ଗ୍ରାମଲୋକ ଙ୍କ ଭିତରୁ ଜଣକର ପରୋକ୍ଷ ଭାବରେ ହାତ ଥାଏ । ଡକାୟତ ମାନେ ବିଶେଷ କରି ଅନ୍ଧାର ରାତ୍ରୀକୁ ଡକାୟତି ପାଇଁ ପସନ୍ଦ କରନ୍ତି।ପ୍ରାୟତଃ ରାତ୍ରିର ତୃତୀୟ ପ୍ରହରକୁ ତାଙ୍କର କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ।ଏମାନେ ସେଦିନ ରାତ୍ରୀ ପ୍ରଥମ ପ୍ରହର ରେ ବାଉଁଶ ବୁଦା ବା ପାଖରେ ଥିବା ନଦୀଵାଲା ବା ଛୋଟ ଜଙ୍ଗଲରେ ବିଶ୍ରାମ ନିଅନ୍ତି।ଗୋଟିଏ ଦଳରେ ଦଳପତି ବା ସର୍ଦ୍ଦାର କୁ ମିଶାଇ ଆଠ ଜଣରୁ ପନ୍ଦର ଜଣ ପଯ୍ୟନ୍ତ ରୁହନ୍ତି। ସମସ୍ତେ ବସି ମଦ୍ୟ ପାନ କରନ୍ତି। କେତେକ ବମ ଭିଡନ୍ତି, ସାଙ୍ଗରେ ହତିଆର ଛୁରୀ ଭୁଜାଲି ବା କତା ଶାବଳ ଆଦି ଆଣିଥାନ୍ତି। ବନ୍ଧୁକ ବି ବ୍ୟବହାର କରନ୍ତି ଦେହ ସାରା ଜଡାତେଲ ବୋଲି ହୁଅନ୍ତି।ମୁଣ୍ଡ ସହିତ ମୁହଁକୁ କଳା ଗାମୁଛାରେ ଆବୃତ ରଖନ୍ତି। ଦେହସାରା ଆବୃତ ନରଖି କେବଳ ସରୁଗାମୁଚା କୁ ଭିଡି ଅଣ୍ଟାରେ ବାନ୍ଧିଥାନ୍ତି। କେବଳ ଆଖି ଯୋଡିକ ଛାଡି ମୁହଁ ଘୋଡେଇ ଡକାୟତି କରନ୍ତି। ଡକାୟତି କରିବା ପୂର୍ବରୁ ତାଙ୍କର ଇଷ୍ଟ ଦେବୀ କୁଁ ପୂଜା ବି କରନ୍ତି ଓ ନାଲି ସିନ୍ଦୁର ମସ୍ତକରେ ମାଖିହୋଇ କାର୍ଯ୍ୟକ୍ଷେତ୍ର କୁ ଆସନ୍ତି।