Bismita Sahoo

Others

5.0  

Bismita Sahoo

Others

ଢେଉ

ଢେଉ

3 mins
694



ଆଜି ସାବିତ୍ରୀ ଅମାବାସ୍ୟା। ସଧବାନାରୀ ମାନଙ୍କ ପାଇଁ ଏକ ପବିତ୍ର ଦିନ। ସେ ହେଇଥାନ୍ତୁ ସତୁରୀ ବର୍ଷର ବୁଢ଼ୀ ଅବା ଅଠର ବର୍ଷର ନବବିବାହିତା। ନିଜ ସ୍ୱାମୀଙ୍କ ଶୁଭ ମନାସିବାକୁ ପ୍ରତି ବର୍ଷ ଏହି ଦିନକୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଥାନ୍ତି।

 

    ରାମୁର ମା ମଧ୍ୟ ନିଜର ପ୍ରସ୍ତୁତି ପର୍ବ ଆରମ୍ଭ କରି ଦେଇଥିଲା। ଘର ଲିପା ପୋଛା ସହିତ ଦୁଇ ଦିନ ହେଲା ବହୁ ଜାଗା ବୁଲି ବୁଲି ଏକୋଇଶ ପ୍ରକାର ଫୁଲ ଫଳ ସଂଗ୍ରହ କରିଥିଲା। ସବୁଦିନର ଅଝଟିଆ ରାମୁ ମା'ର ମୁହଁକୁ ବିକଳରେ ଅନେଇଲା। ବିଚରାର ମନ ବୁଝିବା ଓ ଅବୁଝାର ମନ ମଧ୍ୟରେ ଲହଡ଼ି ଭାଙ୍ଗୁଥିଲା। ସବୁଦିନ ପରି ଆଜିବି ସକାଳ ହେଲା। ସୂର୍ଯ୍ୟ ଉଇଁଲା। କୁକୁଡ଼ା ଡାକିଲା। ଚଢ଼େଇଦଳ ଫରଫର ହେଇ ଆକାଶରେ ଉଡିଲେ। ଚଷା ଭାଇଏ ଲଙ୍ଗଳ ଧରି କ୍ଷେତକୁ ଗଲେ। କାଇଁ କିଛି ବି ବଦଳିନି ତ? ତେବେ ମା କାହିଁକି ଅନି ନାନୀ ଘରକୁ କାମ କରିବାକୁ ନ ଯାଇ ତାଙ୍କ ଘରକୁ ଲିପି ପୋଛି ଚମକାଉଛି। କେତେବେଳେ ମୁରୁକି ମୁରୁକି ହସୁଛି ତ ଆଉ ଟିକିଏ ପରେ ଗୁଣୁଗୁଣେଇ ଗୀତ ଗାଉଛି। ସବୁଦିନର ବୀରସ ମୁହଁରେ ଆଜି ଚେନାଏ ହସ ଲାଗି ରହିଛି।


    ମା ସେତେବେଳୁ କାମରେ ଲାଗିଛି। ଆଜି ଦିନଟା ଏପରି କଣ ଯେ ସବୁକିଛି ବଦଳିଲା ପରି ଲାଗୁଛି। ବାଳୁତ ରାମୁ କିଛି ବୁଝିପାରିଲାନି। ସେ ସାଙ୍ଗଘରକୁ ଖେଳିବାକୁ ଚାଲିଗଲା। ହେଲେ ଏଠିବି ସେଇ ଏକା କଥା ଦେଖିଲା। ତା ସାଙ୍ଗ ଗୋପାଳର ବଡ଼ ଦିଦି ବୁଝାଇଲେ ଆଜି କୁଆଡ଼େ ସାବିତ୍ରୀ ଅମାବାସ୍ୟା। ସବୁ ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ଲମ୍ବା ଆୟୁଷ ପାଇଁ ଠାକୁରଙ୍କୁ ପୂଜିବେ ପୁଣି ସେଠୁ ଫେରି ନିଜ ସ୍ୱାମୀଙ୍କୁ। ସ୍ୱାମୀ ହେଉଛି ସ୍ତ୍ରୀର ଆରାଧ୍ୟ ଦେବତା। ତେଣୁ ତାଙ୍କୁ ପୂଜାକଲେ ସ୍ତ୍ରୀ ପୁଣ୍ୟବତୀ ହେବ।


     ହେଲେ, ମା ତାର ବାପାଙ୍କୁ କଣ ପାଇଁ ପୂଜା କରିବ? ଦିନେ ବି ବାପା ମା'କୁ ଗେଲରେ କଥା ଦି ପଦ କହେନି କି ସେମାନଙ୍କୁ ନେଇ ବୁଲିବାକୁ ଯାଏନି। ମଦ ପିଇ ଦାଣ୍ଡ ଖଟିଆଟାରେ ପଡ଼ି ରୁହେ। ନିଶା ଛାଡ଼ିଲେ ମା'ର କାନି ଟାଣି ଓଟାରି ଯାହା ପଇସା ଥାଏ ସବୁ ନେଇ ପୁଣି ପିଇକି ଆସେ। ମା ଯଦି ପଇସା ଦେବା ପାଇଁ ମନାକରେ ତେବେ ତାକୁ ନିଧୁମ୍ ପିଟେ। 


    ବିଚାରୀ ମା ପରଘରେ କାମ କରି ପଇସା ଆଣେ ଓ ଘର ଚଳାଏ। ମା ତ ସବୁଦିନ ବାପାଠୁ ମାଡ଼ ଖାଉଛି। ଦେବତା ମାନେ କେବେ ମାରନ୍ତି କି? ଯଦି ନୁହେଁ ତେବେ ମା ବାପାର ପୂଜା କରିବ କଣ ପାଇଁ? ବାପା ମା'କୁ ଟିକିଏ ବି ସୁଖ ଦେଉନି ତେବେ ତା ଲମ୍ବା ଆୟୁଷ ପାଇଁ ମା ପୂଜିବ କଣ ପାଇଁ? 


   ରାମୁର ମୁଣ୍ଡ ଗୋଳ ମାଳ ହେଇ ଯାଉଥିଲା। ସେ ଚୁପଚାପ ଖଟରେ ଶୋଇ ପଡ଼ିଲା। ହଠାତ ଦୁମଦାମ ଶବ୍ଦ ଶୁଭିଲା। ସେ ଦୌଡିଯାଇ ଦେଖିଲା ସବୁଦିନ ପରି ତା ମାକୁ ବାପା ବାଡ଼ଉଛି ଓ ମା ମରିଗଲି ମରିଗଲି ବୋଲି ଚିତ୍କାର କରୁଛି। ମା ର ମୁଣ୍ଡ ଫାଟି ରକ୍ତ ଝରଝର ହେଇ ଝରି ଯାଉଛି। ମା ରଖିଥିବା ଟଙ୍କା ନେଇ ବାପା ମଦ ପିଇବାକୁ ଚାଲିଗଲା। 


    ମା ଘରର ଗୋଟିଏ କଣରେ ଗୁମ୍ ମାରି ବସି ରହିଲା। ଆଖିର ଲୁହ ଶୁଖିବାର ନାଁ ଧରୁନଥାଏ। ସେ ମାର ଦୁଃଖ ସହିପାରିଲାନି। ମା କୋଳରେ ବସି ତାକୁ କେତେ ଗେଲ କଲା। ତୁଳାରେ ତା ରକ୍ତ ପୋଛି ଔଷଧ ଲଗେଇଦେଲା। ସୁରେଇରୁ ଥଣ୍ଡା ପାଣି ଆଣି ପିଇବାକୁ ଦେଲା ହେଲେ ମା ପିଇଲାନି। ଯେତେ ବୁଝାଇଲେ ବି ପାଣି ଟୋପାଏ ପିଇଲାନି। ସେମିତି ବସି ଆଖିରୁ ଲୁହ ଝରାଉଥାଏ।


   ରାମୁ ରାଗିଯାଇ ସାଙ୍ଗ ଘରକୁ ଖେଳିବାକୁ ଗଲା। ଭୋକ ଲାଗିବାରୁ ଘରକୁ ଆସି ଦେଖେତ ମା ବାପାଙ୍କ ପ୍ରିୟ ଖାଇବା ସବୁ ରୋଷେଇ କରି ପିଢ଼ା ପକେଇ ବାପାଙ୍କ ଆସିବା ବାଟକୁ ଅନେଇଛି। ପାଖରେ ପୂଜାଥାଳି ଥୁଆ ହେଇଛି। ଥାଳିରେ ଫାଳେ ନଡ଼ିଆ, ଚୋପା ଛଡ଼ା କଦଳୀ କେତେ ପ୍ରକାର ଫଳ। ଥାଳିର ଗୋଟେ କଣରେ ନାଲି ଶଙ୍ଖା ଓ ଅଳତା ଜରି ଗୁଡ଼େଇ ରଖା ହେଇଛି। 


    ଏତେ ଘଟଣା ଘଟିଗଲା ପରେ ବି ମା ବାପାର ମଙ୍ଗଳ ମନାସିବାକୁ ମନ୍ଦିର ଯାଇଥିଲା ଓ ସେଠୁ ଫେରି ନଖାଇ ନ ପିଇ ବାପାଙ୍କୁ ଅନେଇ ବସିଛି, ଏକଥା ରାମୁ ବୁଝି ପାରିଥିଲା। ତାର ମନେପଡ଼ିଲା ଇସ୍କୁଲରେ ସାର କହୁଥିଲେ ସମୁଦ୍ରର ଢେଉ ଥରକୁ ଥର କୂଳକୁ ମାଡ଼ିଆସେ। ପ୍ରତିଥର କିଛି ନା କିଛି ଅଳିଆ ଫେରିଲା ବେଳେ ସାଥିରେ ନେଇ ଯାଏ। ଢେଉ ଜାଣିଥାଏ କୂଳକୁ ଗଲେ ତା ସହିତ ଅଳିଆ ଆସିବ, ତଥାପି କୂଳକୁ ଛୁଇଁବାର ମୋହକୁ ତ୍ୟାଗ ନ କରି ପାରି ଆଗକୁ ମାଡ଼ି ଚାଲେ। ତା ମା ଏଇ ଢେଉ ନୁହେଁ ତ?


    


Rate this content
Log in