Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ଚନ୍ଦକାରେ ଗୋଟେ ରାତି part 5

ଚନ୍ଦକାରେ ଗୋଟେ ରାତି part 5

7 mins
480


ଆଜି ତ ହାତରେ ବିଶେଷ କିଛି କାମ ନଥାଏ, ତେଣୁ ସମସ୍ତେ ଡେରିରେ ଉଠିଥାନ୍ତି। ତଥାପି ଅଳସେଇ ଭିଡ଼ି ହେଉଥିଲା – ଦେହ। ତେଣୁ ଡାକରା ପଡିଲା – “ଟିକେ ଚା”। ଏଇ ସୁଯୋଗରେ ଦୁଇ ବନ୍ଧୁ ମଧ୍ୟରେ ଟିକିଏ ମଧୁର ଆଳାପ ବା ବାକ୍ ବିନିମୟ – ତେଣିକି ଯାହା କୁହନ୍ତୁ ଆପଣମାନେ । ଏଇଟା ତ ସେମାନଙ୍କର ପୁରୁଣା ଅଭ୍ୟାସ। ଆଜି ତ ତାଙ୍କର ଆଉ ଅନ୍ୟ କିଛି କାମ ନାହିଁ – ଖାଲି ଆଶ୍ରମ ବ୍ୟତୀତ। ଦୁଇ ତିନି ଦିନ ହେବ ସେମାନେ ଆଶ୍ରମ ଯାଇନାହାଁନ୍ତି। ଆଶ୍ରମରେ ନିଶିକାନ୍ତ ବାବୁ ଭାରି ବ୍ୟସ୍ତ ହେଉଥିବେ। ଏମାନଙ୍କୁ ତ ଦିନେ ନଦେଖିଲେ ତାଙ୍କ ମୁଣ୍ଡ ବାୟା।ସେ ଭାରି ଅପ୍ ସେଟ୍ ହୋଇଯାଇଥିବେ। କ’ଣ କରିବେ ବୁଢ଼ା ଲୋକ ତ ନିଜ ଦାୟିତ୍ଵ ନିଜେ ନେଇ ପାରୁନାହାଁନ୍ତି। ସେଇଥିରେ ପୁଣି ସବୁ ଦାୟିତ୍ଵ ତାଙ୍କରି ଉପରେ । ଆଶ୍ରମ ଚଳେଇବାଠୁଁ ଅନ୍ତେବାସୀଙ୍କର ଦାୟିତ୍ଵ ମାନେ internal administration.

ରାସନ ବଗେରା ସରି ଆସିବନି। ଆଜି ଆଗ ଆଶ୍ରମ ବୁଲି ଦେଖିବେ ତା’ ପରେ ଯାଇ ଯେଉଁ କଥା। ଅନ୍ତେବାସୀ ମାନଙ୍କର ସୁବିଧା ଅସୁବିଧା ପୁଣି ପଚାରି ବୁଝିବାକୁ ହେବ। ସୌଦାପାତି କିଛି ନଥିବ। ସବୁ କିଣି ଦେଇ ଆସିବାକୁ ହେବ। କ’ଣ ଜଣେ ଅଧେ ହୋଇଛନ୍ତି କି? ବୁଢ଼ାବୁଢ଼ୀ ମିଶିକିରି ପରା 75 ଜଣ କୁଟୁମ୍ବ ହେବେ । ପୁଣି ଦୁଇଟି section। ଗୋଟେ ବୃଦ୍ଧାମାନଙ୍କ ପାଇଁ ଓ ଅନ୍ୟଟି ବୃଦ୍ଧମାନଙ୍କର। ଏତେ ପ୍ରାଣୀ କୁଟୁମ୍ବକୁ ସମୟ ନଦେଲେ କିଏ ଦେବ କହୁ ନାହାଁନ୍ତି? ଘରୁ ପିଲାମାନଙ୍କଠାରୁ ତଡା ଖାଇ ତ ଏମାନେ ଶରଣାଗତ ହୋଇଛନ୍ତି, ସେମାନଙ୍କ ପ୍ରତି ଯତ୍ନବାନ ନହେଲେ ଅକାଳରେ ପ୍ରାଣବାୟୁ ସିନା ଉଡ଼ିଯିବ କିଛି ଲାଭ ହେବ ନାହିଁ। ତେଣୁ ଶୀଘ୍ର ଯାଇ ସେଠାରେ ପହଞ୍ଚିବାକୁ ହେବ। ଆହୁରି କେତେ ଜଣ ନୂଆ ଅତିଥି ମଧ୍ଯ ଆସିବାକୁ ଅଛି। ଖବର ଦେଇଛନ୍ତି। ସେମାନଙ୍କ ସମ୍ପର୍କରେ ତଥ୍ଯ ସଂଗ୍ରହ କରି କାଗଜାତ ସବୁ ପ୍ରସ୍ତୁତ କରିବାକୁ ହେବ। ଆଜିକାଲି ତ ଯେଉଁ critical ଯୁଗ, ଖାଲି କ’ଣ ବୃଦ୍ଧାଶ୍ରମ ଖୋଲିଦେଲେ ହେବ କି ? ସରକାରଙ୍କର ସବୁ କଟକଣା ମାନିବାକୁ ହେବ। ପୂରା ବାୟୋ ରଖିବାକୁ ପଡ଼ିବ । ତେଣୁ ଲେଖାପଢ଼ାଟା ଠିକସେ ନହେଲେ ସମସ୍ୟା ଅନେକ। ଆଇନଗତ ବ୍ୟବସ୍ଥାଟା ପରା ଭାରି ଅଡ଼ୁଆ।ସେଗୁଡାକ ସବୁ ମୁଣ୍ଡ ଲଗେଇ ପାରିଲେ ଭଲ। ଏ ଦୁଇଟିଯାକ ପ୍ରାଣୀ ଅହରହ ପରା ସେଇଥିରେ ଘାଣ୍ଟି ହେଉଛନ୍ତି। ଦଣ୍ଡେ ବିଶ୍ରାମ ନେବାକୁ ବି ତର ମିଳୁନାହିଁ। ପ୍ରତିଦିନ କୌଣସି ନା କୌଣସି ଗୋଟେ କାମରେ ବ୍ୟସ୍ତ। ଟିକିଏ ଫୁରୁସତ୍ ପାଇଲେ ପୁଣି ସେଇ ଜରାଶ୍ରମ। ସେଇ ସେମାନଙ୍କର ବସାଘର ଓ ସ୍ଵପ୍ନର ଅମରାବତୀ । ଭୋକ ଶୋଷ ଭୁଲି ସେଇଠି ସେମାନେ ସମୟ ଦିଅନ୍ତି।

… ହେଲେ କାହିଁକି ମଣିଷ ଆଜି ଏତେ ନିରାଶ୍ରୟ ହୋଇ ପଡୁଛି? ତା’ର ସୁଖ ସମୃଦ୍ଧି କେଣେ ଲୁଟି ହୋଇଯାଉଛି?? ଏହା ହିଁ ଏକ ବିରାଟ ଅସମାଧିତ ପ୍ରଶ୍ନ। ଏହି ଅସମାହିତ ପ୍ରଶ୍ନର ହେତୁ ନିରୂପଣ ସକାଶେ ସମସ୍ତେ ସିନା ଚିନ୍ତିତ, ହେଲେ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ କାହିଁ କେହି ସେତେ ଆଗ୍ରହ ଦେଖାଉ ନାହାଁନ୍ତି। ଆଜି କାଲି ଯୁଗରେ ମଣିଷ କାହିଁକି ଏତେ ସ୍ୱାର୍ଥପର ହୋଇଯାଉଛି କେଜାଣି। ଯେଉଁଠି ଦେଖିବ ଘର ଘରକା କଳି। ଘରେଲୁ ହିଂସା ବା ପାରିବାରିକ ସମସ୍ୟା। ଯାହା ଆଜି ଉତ୍କଟ ରୂପ ଧାରଣ କରି ପାରିବାରିକ ସମ୍ପର୍କକୁ ପୋଡି ଖାଇଲାଣି। ମଣିଷକୁ ଏଠି ମଣିଷ ଚିହ୍ନିବା ସତରେ କଷ୍ଟକର ନୂହେଁ ଭାରି କାଠିକର ପାଠ ହେଲାଣି। ସେ କାଚ ନୂହେଁ କାଠର ଚଷମା ପିନ୍ଧି ଦୁନିଆଟାକୁ ଦେଖୁଛି। ତେଣୁ ତାକୁ ଭଲ ଜିନିଷ ଭେଲ ଦେଖାଯିବା ସ୍ୱାଭାବିକ। ସ୍ୱାର୍ଥାନ୍ଧ ମଣିଷ ଆଜି ସ୍ୱାର୍ଥସର୍ବସ୍ଵ ହୋଇଉଠିଛି। ମାୟାମମତା, ସ୍ନେହଶ୍ରଦ୍ଧା, ଆନ୍ତରିକତା ଓ ପରୋପକାରୀ ସେବାଗୁଣ ପରି ସୁଗୁଣାବଳୀ ଆଜି ଦୁଷ୍ପ୍ରାପ୍ଯପ୍ରାୟ ହୋଇ ଗଲାଣି। ଏବେକାର ସମସ୍ୟା ଗୋଟେ ହୋଇ ଆଉ ରହିନାହିଁ, ଅନେକ ଓ ବହୁବିଧ ତା’ର ରୂପ। ତେଣୁ ତା’ ର ହେତୁ ନିରୂପଣ କରିବାଟା କାହା ପକ୍ଷେ ଏତେଟା ସହଜ ହେଉନାହିଁ। ପରନ୍ତୁ ନିତ୍ୟ ନୂତନ ସମସ୍ୟା ସୃଷ୍ଟି ହୋଇଚାଲିଛି। ଆଜି ଭାଇ ଭାଇ ଭିତରେ କଳି, ଗାଁ ଗାଁ ଭିତରେ କଳହ ଓ ସମାଜ ସମାଜ ଭିତରେ ସଂଘର୍ଷ – ଏହିଭଳି ସମସ୍ୟା ବିବିଧ ଓ ବିଚିତ୍ର ବର୍ଣ୍ଣାଳୀରେ ବର୍ଣ୍ଣାଢ୍ୟ। ଗୋଟିଏ ସମସ୍ୟାର ସୀମା ସରହଦ ଶେଷ ହେବା ପୂର୍ବରୁ ଅନ୍ୟ ଏକ ସମସ୍ୟାର ପ୍ରାରବ୍ଧ ପରା ଟାଣି ହେଇଯାଉଛି ବା ଗୋଟିଏ ସମସ୍ୟାରୁ ନିସ୍କୃତି ମିଳିବା କ୍ଷଣି ଅନ୍ୟ ଗୋଟେ ସମସ୍ୟା ମୁଣ୍ଡ ଟେକୁଛି। ଫଳରେ ସେ ଏକଦମ୍ ନିରୁତ୍ସାହିତ ଓ ହତୋତ୍ସାହିତ ହୋଇ ପଡିବା ବ୍ୟତିରେକେ ତା’ ପାଖରେ ଅନ୍ୟ କିଛି ଉପାୟ ବା ବାଟ ରହୁନାହିଁ। ଲୋକ ଲୋକକୁ ଏଠି ପୋକ ମାଛି ପରି ମନେ କରୁଛନ୍ତି। ଘୃଣା, ବିଦ୍ୱେଷ, ପରଶ୍ରୀକାତରତା, ଓ ଅସହିଷ୍ଣୁ ପଣିଆ ତା’ର ଭେକ ପାଲଟିଛି। ଯାହା ତା’ର ଜୀବନ ପରିବୃତ୍ତ ଭିତରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇ ରହୁଛି। ସେଥିରୁ ସେ ମୁକୁଳି ପାରୁନାହିଁ ବା ମୁକୁଳିବାକୁ ମଧ୍ୟ ଚେଷ୍ଟା କରୁନାହିଁ।ଶେଷକୁ ସେସବୁ ମଣିଷ ସମାଜଟାକୁ ଗୋଟା ପୁଣି ଚଳୁ କରି ରଖି ଦେଲାଣି । ସ୍ୱାର୍ଥ ଲୋଲୁପତାର ଅଶରୀରି ଆତ୍ମା ତାକୁ ଗ୍ରାସ କରୁଛି। ଏତେବେଳେ ସେ ହିତାହିତ ଜ୍ଞାନ ହରାଇ, ସବୁ ଅସାମାଜିକ କାର୍ଯ୍ୟ କଳାପରେ ଲିପ୍ତ ରହୁଛି।” ମୁଁ ବଡ଼”ର ଆତ୍ମ ପ୍ରଚାର ଜୋହର୍ ଧରୁଛି ଓ ବଡ଼ ଲୋକ ଦେଖେଇ ହେବାର ସ୍ଵପ୍ନ ତାକୁ ଅବାସ୍ତବ ପରିକଳ୍ପନା ଭିତରକୁ ଠେଲି ଦେଉଛି। ସେ ଭୁଲି ଯାଇଛି ଯେ ବାସ୍ତବତା ହେଉଛି, ମଣିଷ ପଣିଆ। ମଣିଷକୁ ମଣିଷ ଭଲ ନପାଇ ପାରିଲେ, ଏତେ ବଡ଼ ଦୁନିଆରେ ତା’ର ପରିଚୟ କ’ଣ ଯେ ? ଏଇ ପ୍ରଶ୍ନ ବାରବର ସେ ନିଜକୁ ପଚାରୁ ନାହିଁ। ସେ ବୁଝୁ ନାହିଁ ମଣିଷ କୂଳରେ ତା’ର ଏଇଥିପାଇଁ ଜନ୍ମ ନୂହେଁ ଯେ, ସେ କେବଳ ପତି /ପତ୍ନୀ ଓ ପିଲା ଛୁଆଙ୍କୁ ନିଜର କରି ବଞ୍ଚିବ, ପରନ୍ତୁ ଏଇଥି ପାଇଁ ସେ ମଣିଷ କି, ସମଗ୍ର ଦୁନିଆକୁ ଆପଣାର କରି ଗଢି ତୋଳିବ। ନହେଲେ ବହୁ ଜନ୍ମ୍ ପରେ ମଣିଷ ଜନ୍ମ ପାଇ ତା’ର ସାର୍ଥକତା କ’ଣ?

ଦୁଇ ବନ୍ଧୁ ଏମିତି ନିରୋଳାରେ ଟିକେ ଏକାଠି ହେଲେ, ଏଭଳି କିଛି ସାମାଜିକ ତତ୍ତ୍ଵ ଉପରେ ବେଶ୍ କିଛି ଆଲୋଚନା କରିଥାନ୍ତି। ଯାହା ସେମାନଙ୍କୁ ଆଗାମୀ ଦିନରେ ପ୍ରକୃଷ୍ଠ କର୍ମ ପ୍ରେରଣା ଯୋଗାଇଥାଏ। ଫଳରେ ସାମାଜିକ ନ୍ୟାୟ ପାଇଁ ଲଢ଼ିବା, ଗରିବକୁ ଥଇଥାନ କରିବା, ନିରାଶ୍ରୟକୁ ଆଶ୍ରୟ ଦେବା, ବୃଦ୍ଧବୃଦ୍ଧାମାନଙ୍କୁ ନିରାପତ୍ତା ଆଶ୍ରୟ ସ୍ଥଳୀ ଯୋଗାଇଦେବା – ସେମାନଙ୍କର ପ୍ରାଥମିକତା ହୋଇଥାଏ।ସେଇ ତାଙ୍କର ସୁଖ, ସେଇଥିରେ ତାଙ୍କର ଶାନ୍ତି। ଏଡ଼େ ବଡ଼ ବୃହତ ଦୁନିଆରେ, ଯେଉଁଠି ସମସ୍ତେ ଆପଣା ହିତେ ବ୍ୟାପୃତ ସେଠି କେହି ତ ଜଣେ ପୁଣି ସାମାଜିକ କର୍ମ ଓ ଧର୍ମକୁ ଧ୍ୟାନରେ ରଖି ସମାଜର ହିତ ସକାଶେ ଭାବିବା ଉଚିତ୍ କି ନୁହେଁ? ତେଣୁ ଜନ ମଙ୍ଗଳ ଓ ଜନହିତୈଷି କାର୍ଯ୍ୟକ୍ରମରେ ନିଜକୁ ନିୟୋଯିତ କରି, ସେମାନେ ଆନନ୍ଦ ପାଆନ୍ତି। ଏଥିସହିତ ସେବା ଯୋଗାଇଦେବା ସକାଶେ ବିଭିନ୍ନ ପ୍ରକାର ଶିବିର ଓ ସଚେତନାତ୍ମକ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ପରା- ଏମାନେ । ରାତିରେ ବସି ଖସଡା ଓ ଚିଠା ପ୍ରସ୍ତୁତ ହୁଏ, ଦିନରେ ତାହାର ସଫଳ ରୂପାୟନ ପାଇଁ ବିଧିବଦ୍ଧ କାର୍ଯ୍ୟପନ୍ଥା ଗ୍ରହଣ କରାଯାଏ।

ମିଲିଟାରୀ ଚାକିରୀରୁ ଇଚ୍ଛାଧୀନ ଅବସର ଘୋଷଣା କରି, ମେଜର ସାହେବ ଯେଉଁଦିନ ଘରେ ପହଞ୍ଚି ଥିଲେ, ସେଦିନ ପ୍ରଥମ କରି ତାଙ୍କୁ ଏହି ମନ୍ତ୍ର ଦେଇଥିଲେ ବନ୍ଧୁ ନିଶାନ୍ତ । ତେଣୁ ସେ ex serviceman କୋଟାରେ ପୁନଃ ନିଯୁକ୍ତିନେଇ ଆଉ ଚିନ୍ତା ନକରି, ଏପରି ଏକ ସମାଜହିତକର କାର୍ଯ୍ୟରେ ମନ ବଳାଇଛନ୍ତି। ଲକ୍ଷ୍ୟ ସମାଜରୁ କଳୁଷ ରୂପକ ଅନ୍ଧକାର ଦୂରୀଭୂତ କରି ଏକ ନୂତନ ଆଲୋକରେ ସମସ୍ତଙ୍କୁ ଉଦ୍ଭାସିତ କରିବା।ଯହିଁ ନଥିବ “ତୁ – ମୁଁ “ର ଭେଦ ଭାବ, ଥିବ ଖାଲି “ଆମେ”ର ଭାବ ସର୍ବସ୍ଵ ।ସେଠି ସ୍ୱାର୍ଥର କଳୁଷ ନାଶ ଯାଉଥିବ ଖାଲି ଆତ୍ମିୟତାର ଆଲୋକେ। ସ୍ନେହ, ପ୍ରୀତି ଓ ମୈତ୍ରୀର ବାର୍ତ୍ତାବହି ଧରା ଅବତରୁ ଥିବ, ନୂତନ ମାନବ ସମାଜ।ତହୁଁ ସିନା ପ୍ରଗତିର ଡାକ ଶୁଭି ଯାଆନ୍ତା ସକଳ ଅନ୍ତରେ। ତେଣୁ ଲକ୍ଷ୍ୟ – ପାରସ୍ପାରିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଫେରି ଆସନ୍ତା କି? ଯେଉଁଠି ସମାଜ ଛିଡା ହୋଇଥିବ କେବଳ ତ୍ୟାଗପୂତ ମହିମା ମଣ୍ଡିତ ମହାନୀୟତା ଉପରେ । ମଣିଷକୁ ମଣିଷ ଭଲ ପାଇବାର ମହାମନ୍ତ୍ରେ ଅଭିମନ୍ତ୍ରିତ ହୋଇଥିବେ- ସକଳ ଜନତା। ଏହି ବିରାଟ ମାନବ ସମାଜ ସେଇ ମୁନିରୁଷିମାନଙ୍କର ଗୌରବାବହ ପରମ୍ପରାକୁ ଆପଣେଇ ନେଇ ସମଗ୍ର ବିଶ୍ୱକୁ ଅପଣାର କୁଟୁମ୍ବର ପରିକଳ୍ପନା ଭିତରେ ବାନ୍ଧି ରଖନ୍ତା କି? ଦେଖନ୍ତେ ସମସ୍ତେ କିପରି ମାନବ ସମାଜଟା କେତେ ସରସ ସୁନ୍ଦର ହୋଇ ଗଢି ନ ଉଠୁଛି ସତେ।

ଏହିଭଳି ଗପର ଖିଅ ଏମାନଙ୍କର ଥରେ ଆରମ୍ଭ ହେଲେ ସହଜରେ ଛିଡ଼େ ନାହିଁ। ଯେମିତି ଦୁନିଆଟା ସଚିତ୍ର ହୋଇ ଏମାନଙ୍କ ଆଖି ସାମ୍ନାରେ ନାଚି ଉଠେ। ପତ୍ନୀ ସୁରେଖା ରୋଷେଇ ଘରୁ ଉଠିଆସି ବିରକ୍ତ ହେଲେ – “ତୁମ ଭଳି ଗପୁଡା ଲୋକ ମୁଁ କାହିଁ ଦେଖିନାହିଁ? କିଏ କମ୍ କି? ଦୁହିଁଙ୍କୁ ଦୁହେଁ ଜୁଟିଲେ ପରା ସବୁ କାମ ଅଧାପନ୍ତରିଆ ହୋଇ ରହିବ। ଯାଅ! ଯାଅ!! ଶୀଘ୍ର ଯାଅ। ସେପଟେ ବୁଢ଼ା ମଣିଷ ଗୁଡାକ ଉପବାସ ଭୋକରେ ଥିବେ। ତୁମେ ସେମାନଙ୍କ କଥା ନ ବୁଝିଲେ, ଆଉ କିଏ ବୁଝିବ କହିଲ!

ଏତେବେଳେକୁ ସେମାନଙ୍କର ଧ୍ୟାନ ଭଗ୍ନ ହେଲା। ବସିଲା ଜାଗାଠୁଁ ତତ୍କ୍ଷଣାତ୍ ଉଠି ସିଧାହେଲେ। ଚାଲିଲେ ଆଶ୍ରମକୁ। ବାଟରୁ ଯାହା ପାଇଲେ ଫଳମୂଳ ଓ ସୌଦାପାତି ସବୁ କିଣିଲେ। ସାମାନପତ୍ର ଓ ବାକି ଆସବାବପତ୍ର ମଧ୍ଯ କିଛି ଖରିଦ କଲେ। ଦୁଇ ତିନି ଦିନର, ନିଜ ଅନୁପସ୍ଥିତି ପାଇଁ ନିଜକୁ ବହୁତ ଦାୟୀ କରୁଥିଲେ-ମନେମନେ । ଆଶ୍ରମରେ ପହଞ୍ଚି ଦେଖିଲା ବେଳକୁ କାହାରି ମନରେ ସେତେ କିଛି ସରସତା ନାହିଁ। ସମସ୍ତଙ୍କ ମୁହଁ ହାଣ୍ଡି। ନିଶିକାନ୍ତ ବାବୁ ତ ମୁହଁ ଓହଳାଇ ବସିଥାନ୍ତି। ପଦୁଟିଏ ହେଲେ ତ କାହିଁ ଆଗ କଥା ହେଲେନି? ପାଖରେ ଯାଇ ଘସିନେସି ହେଲାଠୁଁ ପରେ କହିଲେ – “ତୁମେ ଦୁହିଁଙ୍କୁ ଦୁହେଁ କେହି ଆସିଲନି, ଜାଣିଛ ତ କେତେ ସମସ୍ୟା? ମୁଁ ଏକଲା ଏଡ଼େ ବଡ଼ ଅନୁଷ୍ଠାନର ଦାୟିତ୍ଵ କେମିତି ସମ୍ଭାଳିଥାନ୍ତି? ଯାଅ ଦେଖିବ! କାଲି ରାତିଠାରୁ କେହି ଖାଇ ନାହାଁନ୍ତି। ସମସ୍ତେ ହରତାଳ କରିଛନ୍ତି। ମୋ କଥା କେହି ଶୁଣିଲେ ନାହିଁ। ଓଲଟା କହିଲେ -” ରାମହରି ବାବୁଙ୍କୁ ନ ଦେଖିଲା ଯାଏଁ ଆମେ କେହି ଖାଇବୁ ନାହିଁ” ।ସମସ୍ତଙ୍କର ଭାଳେଣି – “ସେ କାହିଁକି ଆସିଲେ ନାହିଁ, ତାଙ୍କର କ’ଣ କିଛି ଅସୁବିଧା ହୋଇଛି କି “? ମୁଁ ତ ସହଜେ ନିଜେ ବୁଢ଼ା ଲୋକ, ନିଜକୁ ସମ୍ଭାଳିବା କଷ୍ଟ। ପୁଣି କ’ଣ କହି ସେମାନଙ୍କୁ ଶାନ୍ତ୍ୱନା ଦେଇଥାନ୍ତି ଯେ? ରାମହରି ବାବୁ ପରିସ୍ଥିତିଟାକୁ ଆୟତ୍ତ କରି ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ନିଜସ୍ଵ ଢଙ୍ଗରେ ଭାବାବେଗରୁ ପଦେ ଗାଇଉଠିଲେ –

ଯାଇଥିଲି ଆଜି ବୃଦ୍ଧାଶ୍ରମକୁ ତ

ଦେଖିଲି ଅନାଥ କେତେ

ନୟନୁ ଗଡିଲା ଲୋତକର ଧାର

ଭାରି କଷ୍ଟ ହେଲା ମୋତେ।।

କାହିଁକି ଈଶ୍ଵର ଏମିତିକା କରେ

ସୁଖ ନେଇ ଦୁଃଖ ଦେଲେ

କ’ଣଟେ ଯେ ମିଳେ ସେଇ ଏକା ଜାଣେ

ହୃଦ ବିଦାରିତ କଲେ।।

ବଧାଇ ଦେବି ମୁଁ ପରିଚାଳକଙ୍କୁ

ସ୍ନେହ ଶ୍ରଦ୍ଧା ପାରାବାରେ

ପାଳିଛନ୍ତି ଯିଏ ଅନାଥ ଜନଙ୍କୁ

ଅତି ଯତ୍ନ ସହକାରେ।।

ସମସ୍ତ ଅନ୍ତେବାସୀ ଧାଇଁ ଆସି ଏକା ସ୍ଵରରେ ତାଙ୍କ ସ୍ଵର ସହିତ ସ୍ଵର ମିଳାଇ ଗାଇଉଠିଲେ। ସମସ୍ତଙ୍କ ଆଖିରୁ ବହୁଥିଲା ଲୋତକରଧାର ଝରଝର ଲୁହ । ପରସ୍ପରେ ପରସ୍ପର କୋଳାକୋଳି ହୋଇ, ଦଣ୍ଡେ ବାଣ୍ଟିଥିଲେ ସୁଖ ଦୁଃଖ – ମିଶି। ପରିବେଶରେ ଭରି ଉଠୁଥିଲା ଭାବୁକତା। ଆତ୍ମିକତା ରଜ୍ଜୁରେ ସମସ୍ତେ ବାନ୍ଧି ହୋଇଗଲେ – କ୍ଷଣକେ ।

କୁଆଡ଼େ ଯାଇଥିଲ କାହିଁକି ଆସି ନଥିଲ ପ୍ରଶ୍ନର ଉତ୍ତରରେ ଆଗତ ହେଲା ଯୁବକଟିର କାହାଣୀ। ସମସ୍ତେ ସମ୍ବେଦନଶୀଳ ହୋଇ ଉଠୁଥିଲେ। କହିଲେ – “ହଁ ଆମେ ସମସ୍ତେ ମିଶି ନ୍ୟାୟ ଦେବା। ଶୀଘ୍ର ଯାଇ ନେଇ ଆସ ଆମର ନବାଗତ ଅତିଥି – ଯୁବକଟିର ବାପା।

କ୍ରମଶଃ.. Part 6..ଅନୁସରଣ କରନ୍ତୁ....


Rate this content
Log in