ଚନ୍ଦକାରେ ଗୋଟେ ରାତି ଭାଗ 8
ଚନ୍ଦକାରେ ଗୋଟେ ରାତି ଭାଗ 8


ପୂର୍ବ ଉତ୍ତାରୁ.. . ଭାଗ 8..କଙ୍କାଳ ଉଦ୍ଧାର
ଆଜି ମନଟା କାହିଁକି ଭାରି ଗୋଟେ ଗୋଳେଇ ଘାଣ୍ଟି ହେଉଥାଏ। ସେପଟେ ଆଶ୍ରମବାସୀ ସବୁ କଥାରେ ଖାଲି ବ୍ୟସ୍ତ , ଏପଟେ ଯୁବକଟିର ଚିନ୍ତା ମଧ୍ଯ ମନକୁ ଘାରୁଥାଏ । କାଲି ରାତିରେ ଯୁବକଟି ବୋଧେ ଆସିଥିଲା। ଝରକା ସେପଟରେ ରହି କ’ଣ ତ ଗୋଟେ ଅସ୍ପଷ୍ଟ କହୁଥିଲା। ରାମହରି ବାବୁଙ୍କୁ ବି ଭାରି ନିଦଟା ଘୋଟି ଆସିଥାଏ। ତେଣୁ ସେ ତା’ କଥାଟାକୁ ସେତେଟା ଧ୍ୟାନପୂର୍ବକ ଶୁଣି ପାରୁନଥିଲେ। ଖାଲି ନିଦଟାରେ ବୃଥା ସିନା ହୁଁ ହାଁ ମାରୁଥାନ୍ତି, ହେଲେ କିଛି କାହିଁ ଠିକ୍ସେ ତ ଶୁଭୁନଥିଲା । ନଶୁଣି ପାରିଛନ୍ତି, ବରଂ ଭଲ ହୋଇଛି। ମଣିଷର ଆଉ କିଛି ବ୍ୟକ୍ତିଗତ କାମଧନ୍ଦା ଅଛିନା ନାହିଁ, ନା ଖାଲି ୟାଙ୍କରି କଥା ଶୁଣୁଥିବ? ତେବେ ସେ କିଛି ଗୁରୁତ୍ଵପୂର୍ଣ କଥା କହୁ ନଥିଲା ତ? ହଁ ତ, ତା’ ବାପା କଥା କ’ଣ ଗୋଟେ କହୁଥିଲା। ଦୁଇ ତିନି ଥର’ ବାପା’ ଶବ୍ଦଟାକୁ ଉଚ୍ଚାରଣ କରୁଥିଲା । ତାହେଲେ ତା ବାପାଙ୍କର ଜୀବନ ପ୍ରତି କ’ଣ କିଛି ବିପଦ ଅଛି ? “ବାପା ରକ୍ଷା” , “ବାପା ରକ୍ଷା” – ଏମିତି କିଛି ସେ କାହିଁକି ବାରବାର ଉଚ୍ଚାରଣ କରୁଥିଲା? ହୋଉ ଦେଖିବା! ଆଜି ଆଶ୍ରମ ସଂକ୍ରାନ୍ତୀୟ କିଛି ନଥିପତ୍ର ଖେଳେଇବାକୁ ଅଛି। ନିଶାନ୍ତ ଆସିଲେ ସେସବୁ ଘଣ୍ଟା ହେବ। ଲେଖାଲେଖି କାମ ବି କିଛି କମ୍ ବାକି ନାହିଁ । କାଗଜପତ୍ର କାମ ସବୁ ନକଲେ ମୋଟା ହୋଇ ରହିଯିବ । ଆଗ ଏ କାମ ସରୁ, ତା’ପରେ ଆସନ୍ତା କାଲି ସେ ସମ୍ପର୍କରେ ଭାବିବା।
ଦିନଟା ସାରା ଆଜି ନିଶାନ୍ତ ସାଙ୍ଗରେ ପଢ଼ାଲେଖାରେ ଗଲାଣି। ମୁଣ୍ଡଟା କାହିଁ ଭାରି ଦିକଦିକ୍ ହୋଇ ବିନ୍ଧୁଛି। ଶାରୀରିକ ବଳ ପ୍ରୟୋଗଟା ସେତେ କିଛି କଷ୍ଟ ନୂହେଁମ! କିନ୍ତୁ ମାନସିକ ବଳ ପ୍ରୟୋଗ କରି ଭାବିଚିନ୍ତି ଲେଖିବାଟା ଭାରି କଷ୍ଟପ୍ରଦ। ତେଣୁ ଥକାନ ଆସିବାଟା ସ୍ୱାଭାବିକ। କହିଲେ – “ସୁରେଖା କ’ଣ ଦିଟା ଦେଲ! ମୁଁ ଟିକେ ଖାଇକି ଜଲଦି ଶୋଇପଡେ ” । ସୁରେଖା କହିଲେ – “ବେଶୀ ଛୋପରା ହୁଅ ନାହିଁମ! ଏହି ପରା ଚା ଜଳଖିଆ ଦେଇଥିଲି?ଛୁଆ ପିଲା କେହି ଖାଇ ନାହାଁନ୍ତି, କ’ଣନା ମୋତେ ଆଗ ଦିଅ, ମୁଁ ଖାଇକି ଶୋଇ ପଡିବି। ତୁମେ ତ ଏକା ଖଟୁଛ, ଆମେ ଆଉ କଣ ଖଟୁଛୁ କି ” ।
ଠିକ୍ ଏତିକି ବେଳକୁ ବାହାରୁ କବାଟଟା ଠକ୍ଠକ୍ ହେଲା। ଗାଡିଟିଏ ବି ବ୍ରେକ୍ ଦେଲା ପରି ଲାଗିଲା। କବାଟ ଖୋଲି ଦେଖିଲା ବେଳକୁ, ପୋଲିସ୍ ଅଧିକାରୀ ସାଧା ଡ୍ରେସ୍ ରେ। କହିଲେ -” sorry, ଆପଣଙ୍କୁ ଅସମୟରେ disturb କଲୁ। କାରଣ ଯୋଜନାଟା ଅନ୍ୟ ପ୍ରକାର ଥିଲେହେଁ ହଠାତ୍ ବଦଳିବାଯିବାରୁ ବାଧ୍ୟ ହୋଇ ରାତିରେ ଆସିଲୁ। ନିହାତି ଜରୁରୀ ନଥିଲେ ଆସିନଥାନ୍ତୁ। ହୋଉ, ସେସବୁ କଥା ପରେ କହିବି। ହେଲେ ଭାଉଜଙ୍କ ହାତରୁ ଚା ଟିକିଏ ହେଉ ? ରାମହରି ବାବୁ କହିଲେ -” ୟା ଗୋଟେ କଥା ନା । ଆଗ ଘର ଭିତରକୁ ଆସନ୍ତୁ”। ଏକଥା ନ ସରୁଣୁ ସୁରେଖା ଚା ପିଆଲା ଧରି ଆସି ହାଜର।
ପୋଲିସ୍ ଅଧିକାରୀ କହିଲେ – “ପ୍ଲିଜ୍ ଭାଉଜ! ରାଗିବେ ନାହିଁ। ଗୋଟେ କଥା କହିବି? ଅନୁମତିଟା ନିହାତି ଲୋଡ଼ା। ଆମେ ଟିକିଏ ରାମହରି ବାବୁଙ୍କୁ ସାଙ୍ଗରେ ନେଇଯାଇଥାନ୍ତୁ। ରାତି ପାହିଲେ ପୁଣି ଆଣି ଛାଡ଼ି ଦେଇଯିବୁ।କ’ଣ କହୁଛନ୍ତି? ହେଲେ କିଛି ଡରିବାର ନାହିଁମ! ସେ ଖାଲି ଟିକିଏ ସେଇ ଜାଗାଟିକୁ ଚିହ୍ନଟ କରି ଦେଇ ଆସିବେ। ଆଉ ତାଙ୍କର ବିଶେଷ କିଛି କାମ ନାହିଁ। ହଠାତ୍ ଯୋଜନାଟା ପ୍ରସ୍ତୁତ ହେବାରୁ ରାତିରେ ଆସିବାକୁ ପଡ଼ିଲା। ପୁଣି ଦିନରେ କାଳେ କଥାଟା ପ୍ରଘଟ ହୋଇଯିବ ସେଇଥିପାଇଁ..। ପ୍ଲିଜ୍ ଭାଉଜ! ମନା କରନ୍ତୁ ନାହିଁ। ନହେଲେ ଏଡ଼େ ବଡ଼ ଯୋଜନାଟା ସବୁ ପଣ୍ଡ ହୋଇଯିବ। ସୁରେଖା “ହଁ ନାହିଁ” ହେଉଥିଲେ, ପୋଲିସ୍ ଆତ୍ମିକତା ଯୋଡି ବେଶୀ ଜିଦ୍ କଲାରୁ ମନା କରି ପାରିଲେ ନାହିଁ। କହିଲେ – “ହୋଉ ଯେ, କିନ୍ତୁ ନିଶାନ୍ତ ସାଙ୍ଗରେ ଯାଆନ୍ତୁ, ନହେଲେ ମୋତେ ଡର ଲାଗିବ ।ଇଏ ଯେଉଁ ହାଉଳା ଲୋକ, ଏକୁଟିଆ ଗଲେ ମୋ ମନ ଦକଦକ ହେବ। ଖାଇବା କଥା ପଡିବାରୁ ପୋଲିସ୍ ଅଧିକାରୀ କହିଲେ -” ଆମେ ବି ତ ଭାଉଜ କେହି ଖାଇ ନାହୁଁ, ତେଣୁ ଆମ ସମସ୍ତଙ୍କୁ ଦିଅନ୍ତୁ, ନହେଲେ ଆମେ ଆଜି ଦିନକ ସମସ୍ତେ ସାଙ୍ଗ ହୋଇ ବାହାରେ ଖାଇ ନେବୁ। ବ୍ୟସ୍ତ ହୁଅନ୍ତୁ ନାହିଁ” । ଯାହା ହେଉ ସେୟା ହେଲା। ସମସ୍ତେ ସୁରେଖାଠାରୁ ଅନୁମତି ନେଇ ଜିପରେ ବସିଲେ – ଚନ୍ଦକା ଅଭିମୁଖେ ଯାତ୍ରା। ବାଟରେ ଗୋଟେ ଢାବା ପଡିଲା। ସେଇଟି ସେମାନେ ସମସ୍ତେ ଖାଇ ଆଗକୁ ବଢ଼ିଲେ । ପୋଲିସ୍ ଅଧିକାରୀ ଜାଣିଜାଣି ସମୟଟା ଟିକିଏ ଗଡାଉଥାନ୍ତି।ଏମାନଙ୍କ ଚାଲ ବୁଝିବା କଷ୍ଟ। ରାମହରି ବାବୁ କହିଲେ – “ଦିନରେ ଆସିଥିଲେ କ’ଣ ଚଳିନଥାନ୍ତା? ଘରେ ସୁରେଖା ଥିଲା ବୋଲି ମୁଁ ବେଶୀ କିଛି ପଚାରି ପାରିଲି ନାହିଁ ।ହେଲେ ଯୋଜନାଟା କ’ଣ ମୋତେ ଟିକିଏ ଖୋଲିକି କହୁ ନାହାଁନ୍ତି ? ପୋଲିସ୍ ଅଧିକାରୀ କହିଲେ -” ନାହିଁମ! ସେତେ କିଛି ବଡ଼ ରକମର ଯୋଜନା ନାହିଁ। ଘଟଣାସ୍ଥଳରେ ପହଞ୍ଚିଗଲେ, ବଳେ ସବୁ କିଛି ବୁଝିଯିବେ ନାହିଁକି?
ଏତେବେଳକୁ ସାମନ୍ୟ ଟିକିଏ ଢୁଳ ପଳେଇ ଆସୁଥିଲା। ଆଖି ଲାଗି ଯାଉଥିଲା। ଗାଡି ଅଭିଲିପ୍ସିତ ରାସ୍ତା ପାରି କରିଯାଉଥିଲା। ହଠାତ୍ ଶୀତଦିନେ ବି ବର୍ଷାଦିଟାରେ ମୁହଁ ଢାଙ୍କି ହୋଇ ଓ ଶରୀରଟିକୁ ପୂର୍ଣ୍ଣମାତ୍ରାରେ ଆଚ୍ଛାଦିତ କରି କେହି ଗୋଟେ ରାସ୍ତା ଉପରକୁ ଧସେଇ ପଶି ଆସିଲା। ହଠାତ୍ ବ୍ରେକ୍ ଦେଉ ଦେଉ, ଗାଡିଟା ଯାଇ କୁଟି ହୋଇଗଲା ତାଠେଇଁ। ଲୋକଟା ଛିଟିକି ଯାଇ ଉଡ଼ି ଉଡ଼ିକା ଅନତି ଦୂରରେ ଗୋଟେ ପଥର ହୁଡ଼ା ଉପରେ ପଡିଗଲା – ଏକଥା ସମସ୍ତେ ଦେଖିଛନ୍ତି। ଡ୍ରାଇଭରର ଏପ୍ରକାର ବ୍ରେକ୍ ରେ ଗାଡିଟା ଅଟକିଯାଇ, ଷ୍ଟାର୍ଟ ଓ ଲାଇଟ୍ ସବୁ ବନ୍ଦ ହୋଇଗଲା।ସେତେବେଳକୁ ରାତି ବାର ବାଜିଲାଣି।
ଯେଉଁ ସମୟରେ କି ଭୂତପ୍ରେତ ଚିରିଗୁଣୀ ଆଦି ଖେଳେଇ ହୋଇ ରାସ୍ତାରେ ଖେଳି ବୁଲନ୍ତି। ଏମାନେ ପରା ରାତ୍ରିଚର ।ଏମାନଙ୍କୁ ରାତିଟା ଭାରି ପ୍ରିୟ। ରାତି ଆସିଲେ ଏମାନେ ଖାଲି କିଳିକିଳା ରାବ ଦିଅନ୍ତି, ନହେଲେ ହିଁ ହିଁ ହୋଇ ବା ପୁଣି କେତେବେଳେ ଠୋ ଠୋ ହସିଉଠି ରାତିଟାକୁ ଭାରି ଭୟଙ୍କର କରି ଗଢି ତୋଳନ୍ତି। ରାତ୍ରିର ନିଶାଗର୍ଜନ ସହିତ ଏମାନଙ୍କର ଗୋଟେ ଅନ୍ତରୀଣ ଭାବସତ୍ତା ବୋଧହୁଏ ଯୋଡି ହୋଇଯାଇଥାଏ। ତେଣୁ ତା’ର ସେହି ସ୍ଵର ସହିତ ସ୍ଵର ମିଳାଇ ବେଶ୍ ଗର୍ଜି ଉଠନ୍ତି। ଝିଙ୍କାରୀର ଝିଁ ଝିଁ ଶବ୍ଦଟା ମଧ୍ଯ ହୃଦୟରେ ଭିତ୍ତି ସଞ୍ଚାର କରିଥାଏ ଓ ରାତ୍ରିର ଅନ୍ଧକାରଟାକୁ ଆହୁରି ଗାଢରୁ ଗାଢତର କରିଦିଏ। ସେଇଥିପାଇଁ ତ ମଣିଷପିଲା ରାତିରେ ଘରୁ ବାହାରେ ନାହିଁ କି ଘରଠାରୁ ଦୂରରେ ବୁଲାବୁଲି କରେ ନାହିଁ । ସଞ୍ଜବତୀ ନଇଁଲା କ୍ଷଣି ସେ ଯୁଆଡେ ଯାଇଥାଉନା କାହିଁକି ଘରକୁ ଫେରିବାକୁ ତରବର ହୁଏ।ସତେକି , ଏଇ ଘରଟା ତା ପାଇଁ କେବଳ ଏକମାତ୍ର ନିରାପତ୍ତା ଆଶ୍ରୟସ୍ଥଳୀ ଓ ନିରାପଦ ସ୍ଥାନ। ଚଢେଇ ଛୁଆ ବି ତ ତା ନୀଡକୁ ଫେରି ଆସି ରାତିରେ ବିଶ୍ରାମ ନିଏ। କିନ୍ତୁ ପୁଣି ତ କେତକ ଜୀବ ଜନ୍ତୁ ଅଛନ୍ତି ଯେଉଁମାନେ କି ରାତି ହେଲେ ଘୂରି ବୁଲି ଖାଦ୍ୟ ଅନ୍ୱେଷଣ କରିଥାନ୍ତି ଓ କାମଧନ୍ଦା ସବୁ କିଛି। ଏମାନଙ୍କର ତାହେଲେ ରାତି ଓ ଅଶରୀରୀ ମାନଙ୍କ ସହିତ କ’ଣ ନିବିଡ଼ ସମ୍ପର୍କ , ଯେଉଁଥି ପାଇଁକି ଏମାନେ କାହାକୁ ନଡରି ନିଝୁମ୍ ରାତିରେ ବି ବଡ଼ ନିର୍ଭୟରେ ହୋଇ ବୁଲନ୍ତି? ଛୋଟ ଶିଶୁ କିନ୍ତୁ ଝରକା ଖୋଲି ରାତିରେ ବାହାରକୁ ଝାଙ୍କି ଦେଖେ ନାହିଁ। ତାକୁ ଭାରି ଡର ଲାଗେ। ସେ ମାଆ କୋଳକୁ ଘୁଞ୍ଚି ଆସି ନିଘୋଡ଼ ନିଦରେ ଶୋଇପଡେ। ଏଇ ରାତ୍ରି କାଳଟା ତେଣୁ ବିଶ୍ରାମର ସମୟ। ଏତେବେଳେ ତେଣୁ କେଉଁ ମାନବ ଶିଶୁ ରାସ୍ତାରେ ଖେଳଣା ଗଦେଇ କଣ୍ଢେଇ ବାହାଘର କଥା ଭାବି ଖେଳେ ନାହିଁ କି ଲୋକ ମାନେ ବିଶେଷ କିଛି କାମ ଧନ୍ଦା ରଖନ୍ତି ନାହିଁ, କେବଳ ବିଶେଷ କିଛି ଜରୁରୀ କାଳୀନ ଜରୁରତକୁ ଛାଡିଦେଲେ।
ଏଠି ବି ଲୋକବାକ ନାହିଁ। ସବୁ ନିରୋଳା। ଭାରି ଶୂନ୍ଶାନ୍ ଥିଲା ରାସ୍ତାଘାଟ।ଗୋଟେ ‘ସିକ୍ରେଟ ମିଶନ ‘ଯୋଜନା କାର୍ଯ୍ୟକରୀ କରିବା ପାଇଁ ପୋଲିସ୍ ବୋଧେ ଚାହୁଁଥାନ୍ତି। ତେଣୁ ଆଗରୁ ବେଶୀ କିଛି ଖୋଲିକି ତଥ୍ଯ ଦେଉ ନଥାନ୍ତି। ଗାଡିଟା ସେଇଠି ଅଟକି ଯିବାରୁ ରାମହରି ବାବୁ କହିଲେ – “ଏହି ସେଇ ଜାଗା। ତେଣୁ ସମସ୍ତେ ଓହ୍ଲାଇ ପଡିଲେ। ଗାଡ଼ିରେ ଡ୍ରାଇଭର଼୍, ଏ ବନ୍ଧୁ ଦୁଇଜଣ ଓ ଥାନା ଅଧିକାରୀ ସମେତେ ମୋଟ ଆଠ ଜଣ। ଉଦ୍ଦେଶ୍ଯ ସ୍ଥାନଟିକୁ ପରଖି ନିରେଖି ଦେଖିବେ ଓ
ଶବଟାକୁ ଖୋଳିକି ବାହାର କରିବେ। ଯଦି କେଉଁଠି କିଛି ମିଳିଗଲା, ତେବେ ଡି. ଏନ୍. ଟେଷ୍ଟ ପାଇଁ ହେଉ ବା ଆଉ କିଛି ପାଇଁ ପଠେଇବେ, ସେକଥା ସେ ପୋଲିସ୍ ବିଭାଗକୁ ବେଶ୍ ଜଣା। ସେ ଯାହା ବି ହେଉ, ଟର୍ଚ୍ଚ ପକାଇ ଦେଖିବାରୁ ରାସ୍ତା ଉପରେ ଓ ସେ ପଥର ହୁଡ଼ାଟା ଉପରେ କଞ୍ଚା ରକ୍ତ ପରିବର୍ତ୍ତେ ଶୁଖିଲା ରକ୍ତଛିଟା ଦାଗ ଖାଲି ଲାଗିଥାଏ, ହେଲେ ସେ ଲୋକଟା ତ କାହିଁ ସେଠି ନଥାଏ କି ତାହାର ଚିହ୍ନବର୍ଣ୍ଣ କିଛି । ଟର୍ଚ୍ଚଟା ବି ଥିଲାଥିଲା, ଏତିକି ବେଳକୁ ହାତରୁ ଖସି ପଡ଼ି ଆଉ ଜଳିବାକୁ ନାଁ ନେଉ ନଥାଏ। ପେଟ୍ରୋଲମାକ୍ସ ଲାଇଟ୍ ଟା ମଧ୍ଯ ଆସିଥାଏ। କେଉଁ ଏକ ବିଶେଷ କାମରେ। ସେଟା ବି ଜଳୁ ନଥାଏ। କାରଣ ଦିଆସିଲ୍ ଗୁଡ଼ାକ ଫୁସଫାସ୍ ହୋଇ ପବନରେ ଲିଭି ଯାଉଥାଏ। ଏଇମିତି ସମସ୍ତଙ୍କୁ ବିରକ୍ତି ଓ କେତେକଙ୍କୁ ଭୟ। କାରଣ ଚାରିପଟେ ଖାଲି ପକ୍ଷୀ ଉଡ଼ିଲା ପରି ଫଡଫାଡ, ପତ୍ର ଝଡିଲା ପରି ଖଡଖାଡ, ଡାଳପତ୍ର ଭାଙ୍ଗିଲାପରି ରସରସ ଭାଙ୍ଗିବା ଶବ୍ଦ ଓ ଚେମିଣିଆ ବୋବେଇଲା ପରି ଚିଁଚିଁ କିଏ ଗୋଟେ ହେଉଥିଲା। ମନ – ଭ୍ରାନ୍ତି ବା ପରିବେଶ ଦୃଷ୍ଟିରୁ ଭୟ ପାଉଥିଲା।ଗୋଟିଏ ଛାୟାଚିତ୍ର ମଧ୍ଯ ଖାଲି ଏପଟ ସେପଟ ହୋଇ ପଇଁତରା ମାରୁଥିଲା।କାହାକୁ କେମିତି ଏକଥାଟା ମଧ୍ୟ ଝାପ୍ସା ନଜର ଆସୁଥାଏ। ତେଣୁ କିଏ କେମିତି ହାଉଳି ଖାଇଲେଣି। ବନ୍ଧୁ ବି ଡରୁଥାନ୍ତି, କହିଲେ – “ଆସିଲା ବେଳେ ମୁଁ ନାହିଁ କରୁଥିଲି ନା! ଆମେ ଆଉ ସେଇ ଜାଗାକୁ ଯିବା ନାହିଁ ବୋଲି? ହେଲେ ତୁମେ ଶୁଣିଲନି, ଏଇ ପୋଲିସିଆ ମାନଙ୍କ ବୁଦ୍ଧିରେ ପଡି ଏତେ ରାତିରେ ଆସିଲ।ଭାରି ତ ସାହସୀ ଦେଖେଇ ହେଉଥିଲ, ଏଥର ସମ୍ଭାଳୁଣ? କିଏ ମନା କରୁଛି। ହେଲେ କହି ଦେଉଛି, ଶୁଣି ରଖିଥାଅ, ଏ ଭୂତପ୍ରେତମାନଙ୍କୁ ଆଦୌ ବିଶ୍ବାସ ନାହିଁ। କେତେବେଳେ ଏମାନେ କଞ୍ଚା ଖାଇଯିବେ। ପୋଲିସ୍ ଅଧିକାରୀ ମଧ୍ଯ ଏ ଅସ୍ୱାଭାବିକ ଘଟଣା ପାଇଁ ବ୍ୟସ୍ତ ହେଉଥାନ୍ତି ଓ କିଛି ଗୋଟେ ଭୀତତ୍ରସ୍ତ ନିଶ୍ଚିତ ହେଉଥିଲେ। କିନ୍ତୁ ଅନ୍ୟ କେହି କାଳେ ଡରିଯିବେ ଭାବି ମିଥ୍ୟା ମୁହଁ ଭୂରି ମାରୁଥାନ୍ତି। ସମସ୍ତଙ୍କୁ ବଳ ଦେଉଥିଲେ। ଘଟଣାଟିକୁ ଅନ୍ୟ କେହି ବୁଝୁ ବା ନବୁଝି କିନ୍ତୁ ରାମହରି ବାବୁ ଠିକ୍ ସବୁକଥା ବୁଝି ପାରୁଥାନ୍ତି। ପୋଲିସ୍ ଅଧିକାରୀ ପିସ୍ତଲଟା ଧରି ଏପଟ ସେପଟ ନଜରଟା ଘୂରାଉଥାନ୍ତି। ରାମହରି ବାବୁଙ୍କ କାନ ପାଖକୁ ଭିଡ଼ି ଆସି, କହିଲେ – “ସତକଥା, ଗୋଟେ ଛାୟା ଚାରିପଟେ ଘୂରି ବୁଲିଲା ପରି ମନେ ହେଉଛି। ଆପଣଙ୍କର କ’ଣ ମତ? ।ରାମହରି ବାବୁ କହିଲେ ହଁ ଠିକ୍ କଥା, ସେଇ କଥାଟା ମୁଁ ବି ଟିକେ ଟିକେ ଜାଣି ପାରୁଛି। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ସେ ଆମର କିଛି ବି କ୍ଷତି କରିବ ନାହିଁ। ମୁଁ ପରା ତାକୁ ନିଇତି ଦେଖୁଛି। ହୁଏତ ସେ ନିଜର ନିଜେ ପ୍ରମାଣ ଦେଉଥାଇ ପାରେ, ଯେ ଘଟଣାଟି ସତ, ଆଦୌ ମିଛ ନୂହେଁ । ସେଥିସକାଶେ ସେ କେବଳ ନିଜର ଉପସ୍ଥିତି ଜାହିର କରୁଥାଇ ପାରେ। ଏ କଥାଟି ଯେମିତି ଯୁବକଟି କାନ ଦେଇ ଶୁଣି ପାରିଥିଲା। ଯୁବକଟି କାହାକୁ ଛାୟାଚିତ୍ର ପରି ପ୍ରତୀତ ହେଲେ ହେଁ, ରାମହରି ବାବୁଙ୍କୁ ଠିକ୍ସେ ଦୃଷ୍ଟି ଗୋଚର ହେଉଥାଏ , ସେ ଆହୁରି ଚୁପିଚୁପି ହୋଇ କହିଲେ – “ଦୁଷ୍ଟାମି ଛାଡ଼! ଆମେ ତୋତେ ସାହାଯ୍ଯ କରିବା ପାଇଁ ଲାଗିଛୁ। ତୋରି ପାଇଁ ଲଢୁଛୁ, ହେଲେ ତୁ ତୋର ନଟଖଟି ଏ ଯାଏଁ ଛାଡୁ ନାହୁଁ” । ଏଥର ସମସ୍ତେ ଦେଖୁଥାନ୍ତି, ଗାଡିଟାର ଆଗ ଢାଙ୍କୁଣିଟା କେମିତି ଆପେ ଆପେ ଉପରକୁ ଉଠିଗଲା, ଯେମିତି ହାତମାରି କିଏ ସଜାଡ଼ୁ ଥିଲା ଓ ଗାଡି ପାଖକୁ ଆସି ଚାବିଟା ମୋଡିଦେଲା, ଗାଡିଟା ଷ୍ଟାର୍ଟ ହୋଇଗଲା। ଲାଇଟ୍ ଟା ବି ଜଳି ଉଠିଲା। ହେଲେ ଡ୍ରାଇଭର୍ ତ ବାହାରେ ଥିଲା। ଏ କଥାଟା କେହି ଲକ୍ଷ୍ୟ କରିଥାଇ ପାରନ୍ତି ବା ନାଇଁ, କିନ୍ତୁ ରାମହରି ବାବୁ ସବୁ ଘଟଣା ଉପରେ ତିକ୍ଷ୍ଣ ନଜର ରଖିଥିଲେ। । ଠିକ୍ ଏହି ସମୟରେ କିଏସେ ଗୋଟେ ସାଏଁକିନା ଚାଲିଗଲା ପରି ଶବ୍ଦ ହେଲା। ସମସ୍ତେ ଚମକି ପଡ଼ିଲେ।ଏ ତା ଉପରେ ସେ ୟା ଉପରେ, ଧକ୍କା ଖାଇ ମଧ୍ଯ କେହି ଜଣ ପଡିଗଲେ। ହେଲେ ଲାଇଟ୍ ଟା ଜଳି ଉଠିବାରୁ , ସମସ୍ତେ କାମରେ ଲାଗି ପଡ଼ିବାକୁ ପୋଲିସ୍ ଅଧିକାରୀ ନିର୍ଦ୍ଦେଶ ଦେଲେ। ଟର୍ଚ୍ଚଟା ବି ଆପେ ଆପେ ସଜାଡି ହୋଇଗଲା ଓ ପେଟ୍ରୋମାକ୍ସ ଲାଇଟ୍ ଟା ବି। ପଥର ଗୁଡାକ ହଟେଇ, ମାଟି ଖୋଳା କାମ ଚାଲିଲା। ପଥୁରିଆ ମୋହରମ ମାଟିଟା ଭାରି ଭିଡ଼ି ଯାଇଥିଲା।ଚୋଟାଏ କୋଦାଳ ମାଟିରେ ପକାଇଲା ବେଳକୁ ଗୋଟାଏ ଉ-ଆଃ ଚିତ୍କାର ଶୁଭୁଥାଏ। ସତେକି କାହା ଶରୀରରେ ଚୋଟା ବାଜି ଯିବାର କଷ୍ଟ ତାକୁ ଭାରି ବ୍ୟଥିତ କରୁଥାଏ। ଏ କଥା ସମସ୍ତେ ଜାଣି ପାରି ମନେମନେ ଡରୁଥାନ୍ତି। ହେଲେ କେହି କାହାକୁ କିଛି ବ୍ୟକ୍ତ କରୁନଥାନ୍ତି। କାରଣ ସେପଟେ ପୋଲିସ୍ ଅଧିକାରୀଙ୍କ ନାଲି ଆଖିର ଡର ମଧ୍ଯ ମନରେ ରହୁଥାଏ। ସେ କର୍ତ୍ତବ୍ୟର ଦ୍ୱାହି ଦେଇ ସମସ୍ତଙ୍କୁ ଆକଟ କରୁଥାନ୍ତି, ରାତି ପାହିବା ପୂର୍ବରୁ ଯେମିତି ହେଲେ ସବୁ କାମ ସାର। ଅନେକ ସମୟର ଅକ୍ଳାନ୍ତ ପରିଶ୍ରମ ଫଳରେ ଶେଷରେ ସେଇ ଗାତ ଭିତରୁ ଗୋଟେ ଯାଗାରେ କୁଢ ହୋଇ ରହିଥିବା ପଟେ ଅସ୍ତି କଙ୍କାଳ ବାହାରିପଡିଲା। ସେଗୁଡିକୁ ଯୋଡି ଦେଖିଲାଠୁଁ ଜଣାଗଲା, ସବୁଗୁଡିକ ଗୋଟିଏ ପୂର୍ଣ୍ଣାଙ୍ଗ ମଣିଷର ଅବୟବ ।ସେ ଦୃଶ୍ୟ ଆହୁରି ଭୟାନକ ହେଉଥିଲା। କିଏ କେତେ ପ୍ରକାର ଉପଲକ୍ଷ ଦେଉଥାନ୍ତି। କେବଳ ଦଳେ ଲୋକ ଥିଲେ ବୋଲି ସମସ୍ତେ ମନରେ ଟିକେ ଦମ୍ଭ ଧରୁଥାନ୍ତି। ମନେମନେ ନିଜ ଇଷ୍ଟ ନିଜେ ସୁମରଣା କରୁଥାନ୍ତି। ଏହିପରି ଶଙ୍କା ଓ ଆଶଙ୍କାରେ ଘଟଣାର ଯବନିକା ଟାଣି ହେଇ ଯାଉଥିଲା। ଝାଳ ନାଳରେ ଆଣ୍ଠୁଏ ହୋଇ ପଡିଥିବା ପୋଲିସ୍ ଅଧିକାରୀ ଜଣଙ୍କ ମୁହଁରୁ ଶେଷରେ ପ୍ରାପ୍ତିର ସ୍ୱୀକରୋକ୍ତି ହସ ଟିକକ ଓଠରୁ ଛିଟିକି ପଡ଼ୁଥିଲା।ମନରେ ଆଶ୍ୱସ୍ତି ଯାହା ବି ହେଲେ ଅସଫଳ ହୋଇ ନାହିଁ – ମିଶନ କଙ୍କାଳ। ନିର୍ଦ୍ଦେଶ ପାଇବା କ୍ଷଣି ଏକା ନିଶ୍ଵାସକେ ଏକ ମୁହାଁ ହୋଇ ସମସ୍ତେ ଧାଇଁଲେ।ସେଇ ସେତକ ଅସ୍ତି ସହ ଆସି ସିଧା ଗାଡ଼ିରେ ବସିଲେ। ଫେରି ଆସିଲା ବେଳକୁ ପଛପଟରୁ କେହି ଯେମିତି କୃତଜ୍ଞାତରେ ଅଶ୍ରୁ ନିଗାଡ଼ୁଥାଏ ଉଁ ଉଁ ସ୍ଵରରେ ବା ତା ବସା ଭାଙ୍ଗି ଯାଇଥିବାରୁ ସେ କାନ୍ଦୁ ଥାଇପାରେ – ବିକଳ ହୋଇ।ପୁଣି ବିରାଟ ଭୟାନକ କୁହାଟଟିଏ ଛାଡ଼ିଲା-ନ୍ଯା…. ୟ.. ୟ.. ୟ.. । ଏମାନେ କିନ୍ତୁ ଯେତେ ନିକଟବର୍ତ୍ତୀ ହେଉଥାନ୍ତି ଗାଡି ପାଖକୁ, ସେତେ ଜୋହରରେ କାନକୁ ଶୁଭ ଥାଏ ଶବ୍ଦଟା ବେଶୀ। ପବନର ସ୍ଵର ସହିତ ଗୁଞ୍ଜରିତ ହେଉଥିଲା ଖାଲି ସେଇ ଏକ ଶବ୍ଦ –ନ୍ୟା.... ୟ.... ୟ... ୟ...., କିନ୍ତୁ ଭାରି ଅସ୍ପଷ୍ଟ ଶୁଭୁଛି ଥିଲା ତା'ର ସ୍ଵର ।ଲୟଟା କିନ୍ତୁ ଲମ୍ବି ଯାଉଥିଲା ସ୍କେଲ୍ ଛିଡ଼େଇ ଢେର ଉପରକୁ। ଯୋଡି ଦେଖିଲେ ସେ ଶବ୍ଦଟା ତ ଥିଲା ନିଶ୍ଚୟ -, ନ୍ୟାୟ । ରାତି ପାହି ଆସୁଥିଲା। ସମସ୍ତେ ବ୍ୟସ୍ତ ଫେରିବାକୁ – ଥାନା ଦପ୍ତର ।
କ୍ରମଶଃ.. ଭାଗ 9(ଖାନତଲାସି )
ଅନୁସରଣ କରନ୍ତୁ....