ଚନ୍ଦକାରେ ଗୋଟେ ରାତି (ଭାଗ 14)
ଚନ୍ଦକାରେ ଗୋଟେ ରାତି (ଭାଗ 14)


ପୂର୍ବ ଉତ୍ତାରୁ....
ଭାଗ 14. . କୋର୍ଟ ଚାଲାଣ..
ଫେରିଲା ବେଳକୁ ଦ୍ବିପ୍ରହର। ଭାବିଲେ- ଆସାମୀମାନଙ୍କୁ ତ ଆଉ ଅଠଚାଳିଶ ଘଣ୍ଟାରୁ ଅଧିକ ଥାନା ହାଜତରେ ଅଟକେଇ ରଖି ହେବନାହିଁ। ତେଣୁ ଆଗ ଏମାନଙ୍କୁ କୋର୍ଟ ଚାଲାଣ କରିବାକୁ ହେବ। ତେଣିକି ଯାହା। ପୁଣି ଚଗଲାକୁ ମଧ୍ୟ ଏକାବେଲକେ ପଠେଇ ଦେଲେ ଯାଏ, ନହେଲେ ଏଭଳି criminalକୁ ଏଠି ଅଟକେଇ ରଖିଲେ ଅଧିକ ବିପଦ। କାରଣ କେତେବେଳ ହାଜତ ଭାଙ୍ଗି ଖସି ପଳେଇଯିବ-ତାହା କହି ହେବ ନାହିଁ । ବରଂ ପରେ ରିମାଣ୍ଡରେ ଆଣିବେ। ତେଣୁ forwarding letter ଲେଖାଗଲା-
ମାନନୀୟ!
ଏସ୍. ଡି. ଜି. ଏମ୍.... କୋର୍ଟ,.....
ବିଷୟ :ଭାରତୀୟ ପିଙ୍ଗଳ କୋଡର ଧାରା, ଉପଧାରା ଓ ଦଫା:_ହତ୍ୟା - 302, ଅପହରଣ - 366,ଅପରାଧିକ ଷଡଯନ୍ତ୍ର - 120, ଅବକାରୀ - 4 ଏନ୍. ଡି. ପି. ସି ଆକ୍ଟ, 3 ଅଫ୍ ଇମମୋରାଲ ଟ୍ରାଫିକେରିଙ୍ଗ ଆକ୍ଟ ଓ ପବ୍ଲିକ୍ ଗାମଲିଙ୍ଗ ଆକ୍ଟ ଅନୁଯାୟୀ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଗଲା।
1-ଚଗଲା ଦାସ, ବୟସ -55,ପି :.. ସା /ପୋ -...., ଥାନା..., ଜି....
2-ସବିତା ରାଣୀ ଦାସ, ବୟସ 40,ସ୍ୱା :ସୁକୁଟା, ସା /ପୋ.... ଥାନା..., ଜି...
3 - ସୁକୁଟା ବେହେରା, ବୟସ :50, ପି :.. ସା /ପୋ.. ଥା :.. ଜି :..
ମହାଶୟ!
ନିବେଦନର କାରଣ ଏହିକି, ମୁଁ ଏଥି ସହିତ ଶ୍ରୀ ରାମହରି ଲାଲ ଗୋସ୍ଵାମୀ, ବୟସ 47, ପି :ମନୋହରି ଲାଲ, ସା /ପୋ :କୋଠାସାହି,ଥାନା : ଜି :କଟକଙ୍କ ଅଭିଯୋଗକୁ ଆଧାର କରି ଉପର ଲିଖିତ ଅଭିଯୁକ୍ତମାନଙ୍କୁ ଆପଣଙ୍କ କୋର୍ଟକୁ ଚାଲାଣ କରୁଛି।ଅଭିଯୋଗ ପତ୍ର ଓ ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି କି, ଏହା ଏକ ଜଘନ୍ୟ ଷଡଯନ୍ତ୍ରମୂଳକ ଅପରାଧିକ ମାମଲା।ଚୋରି, ରାହାଜାନୀ, ନିଶା, ଜୁଆ ଓ ବେଶ୍ୟାବୃତ୍ତି ଧନ୍ଦା ଆଦି ମଧ୍ଯ ସମ୍ପୃକ୍ତ, ଯାହା ଅଧିକ ତଦନ୍ତ ହେଲେ ଜଣାପଡ଼ିବ। ଷଡଯନ୍ତ୍ର, ଅପହରଣ, ହତ୍ୟା, ନିଶା ଓ ଜୁଆ ଓ ବେଆଇନ୍ ଭାବେ ବେଶ୍ୟାଳୟ ଚଳେଇବା ପରି ବହୁ ଅଭିଯୋଗ ଓ ଅଭିଯୋଗକୁ ଭିତ୍ତି କରି କିଛି ତଥ୍ୟ ପଦାକୁ ଆସିଛି। ଏବେ ଏହି ତିନି ଜଣ ଅପରାଧୀ ଧରା ପଡିଥିଲେ ମଧ୍ଯ ଆହୁରି ଅନେକ ଧରା ପଡ଼ିବାକୁ ବାକି ଅଛନ୍ତି। ସାକ୍ଷ୍ୟ ଓ ପ୍ରମାଣ କିଛିଟା ହାତକୁ ଲାଗିଥିଲେ ହେଁ ଆହୁରି ଅନେକ କିଛି ମିଳିପାରି ନାହିଁ ।
ଏଣୁ ପ୍ରାର୍ଥନା କରୁ ଅଛୁକି, ଅଭିଯୁକ୍ତମାନଙ୍କୁ ଏବେ ବେଲରେ ନ ଛାଡ଼ି ସେମାନଙ୍କୁ ଜେଲ କଷ୍ଟୋଡିକୁ ପଠାଯାଉ। ଆହୁରି ମଧ୍ୟ ନିମ୍ନ୍ କେତୋଟି ଭିତ୍ତି ଭୂମିକୁ ଆଧାର କରି ଆପତ୍ତି କରୁଛିକି, ଅଭିଯୁକ୍ତ ମାନଙ୍କର ବେଲ ପିଟିସନ୍କୁ ଖାରଜ କରାଯାଉ-
1-ଅଭିଯୁକ୍ତମାନେ ଅତି ପ୍ରଭାବଶାଳୀ ଓ ଧନୀକ ଗୋଷ୍ଠୀର ହୋଇଥିବାରୁ ତଦନ୍ତ ପ୍ରକ୍ରିୟାକୁ ପ୍ରାଭାବିତ କରି ପାରନ୍ତି।
2-ଅଭିଯୁକ୍ତ ମାନେ ଜେଲ୍ ବାହାରେ ରହିଲେ ପ୍ରମାଣ ମଧ୍ୟ ନଷ୍ଟ କରି ଦେଇପାରନ୍ତି।
3 - ଅପରାଧୀ ମାନଙ୍କୁ ଖୁଲମ୍ ଖୋଲା ଛାଡିଦେଲେ ସେମାନେ ପୁନଃ ସେମାନଙ୍କର ଅପରାଧିକ ସାମ୍ରାଜ୍ୟ ବିସ୍ତାର କରି ପାରନ୍ତି ବା ସକ୍ରିୟ ରହି ପାରନ୍ତି ।
4-ଅଭିଯୁକ୍ତମାନେ ସାକ୍ଷୀମାନଙ୍କୁ ଜୀବନରୁ ମାରି ଦେବା ଓ ଧମକାଇବାଦିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କ୍ଷତି ମଧ୍ଯ ପହଞ୍ଚାଇ ପାରନ୍ତି।
5-ଅପରାଧୀମାନେ ଫେରାର୍ ମଧ୍ଯ ହୋଇଯାଇ ପାରନ୍ତି।
6-ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜାଇ ପାରନ୍ତି।
ଅନ୍ୟାନ୍ୟ ସବିଶେଷ ତଥ୍ଯ ପାଇଁ ଅଧିକ ତଦନ୍ତ ଜାରି ରହିଛି, ହୁଏତ ତାହା ସମୟ ସାପେକ୍ଷ ହୋଇପାରେ । ଏଥିପାଇଁ ଅଧିକ ସମୟ ଲୋଡ଼ୁଛୁ।
ତେଣୁ ନିମ୍ନୋକ୍ତ ଅଭିଯୋଗରେ ଅଭିଯୁକ୍ତ କରାଯାଇ ସେମାନଙ୍କୁ ଆପଣଙ୍କ ବିଚାର ଓ ବିହିତ ପଦକ୍ଷେପ ନିମନ୍ତେ ପଠାଗଲା।
ଭାରତୀୟ ପିଙ୍ଗଳ କୋଡର ଧାରା, ଉପଧାରା ଓ ଦଫା, ହତ୍ୟା - 302, ଅପହରଣ - 366,ଅପରାଧିକ ଷଡଯନ୍ତ୍ର - 120, ଅବକାରୀ - 4 ଏନ୍. ଡି. ପି. ସି ଆକ୍ଟ, 3 ଅଫ୍ ଇମମୋରାଲ ଟ୍ରାଫିକେରିଙ୍ଗ ଆକ୍ଟ ଓ ପବ୍ଲିକ୍ ଗାମଲିଙ୍ଗ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଗଲା।
ସଂଳଗ୍ନ ଆପଣଙ୍କର ବିଶ୍ୱସ୍ତ
1.ଏକ କିତା ଏଫ୍. ଆଇ. ଆର୍
2.ସାକ୍ଷୀଙ୍କ ବୟାନ
3. ଅଭିଯୁକ୍ତଙ୍କ ବୟାନ
4.ପ୍ରାଥମିକ ତଦନ୍ତ ରିପୋର୍ଟ
ଏଣିକି ଖାଲି ଅପେକ୍ଷା ରାମହରି ବାବୁଙ୍କୁ। ସେ ଆସିଲେ ବୃଦ୍ଧଙ୍କୁ ତାଙ୍କ ଜିମା ଦେଇଦେଲେ ଗୋଟେ ଦାୟିତ୍ୱରୁ ମୁକ୍ତି। ତା'ପରେ ଏମାନଙ୍କୁ ନେଇ ଯିବି କୋର୍ଟ ଓ ସେଠୁ ଆଦେଶ ହେଲେ ଜେଲରେ ନେଇ କଏଦୀଙ୍କୁ ହସ୍ତାନ୍ତର କରିବାକୁ ହେବ। ଏହି ଚିନ୍ତାରେ ବସିଥାନ୍ତି ପୋଲିସ୍
କ୍ରମଶଃ... ଭାଗ 15
ଅନ୍ୟପଟେ.....
ଗତ ପରଦିନର ରାତିଅନିଦ୍ରା ଓ କ୍ଳାନ୍ତି ଯୋଗୁଁ, ସମସ୍ତେ କ୍ଲାନ୍ତ ହୋଇଯାଇଥାନ୍ତି। ଆଜିଯାଏଁ ବି ଦେହ ଦୁର୍ବଳ ଲାଗୁଛି ଓ ମନରେ ଥକାନ ଭରି ରହିଛି। ଭାରି steadious journey ଓ frightening night ଥିଲା ।ଏଯାଏଁ ଦେହ ବି ଅଳସେଇ ଭିଡ଼ି ହେଉଛି। ସେବେଠୁଁ ତ ନିଶାନ୍ତ ଯାଇଛି ଯେ ଯାଇଛି। କାହିଁ ରାତିକୁ ବି ଆସିଲା ନାହିଁ ତ? ଏହି ନିଶାନ୍ତଟା ଘଡିଏ ନ ଆସିଲେ ମନ ଭଲରହେ ନାହିଁ, ଆଉ କୌଣସି କଥାକୁ ବି ଆଗ୍ରହ । ସତେ କି ତାଙ୍କ ଜୀବନଟା ନିଶାନ୍ତ ନିର୍ଭରଶୀଳ ହୋଇଯାଇଛି। ରାତିକୁ ତ ରାମହରି ବାବୁ ଫୋନ୍ କରିଥିଲେ, କିନ୍ତୁ ସେ କାହିଁ ସେତେ ସରାଗରେ କଥା ହେଲା ନାହିଁ। ଭାରି ଚିଡିମିଡି ହେଉଥିଲା। ରାତିରେ କିନ୍ତୁ ପୋଲିସ୍ ଅଧିକାରୀ ଫୋନ୍ କରିଥିଲେ। କହୁଥିଲେ-" ଅପରାଧି ଧରା ପଡିଛନ୍ତି ଓ ଯୁବକଟିର ବାପାଙ୍କୁ ମଧ୍ଯ ଉଦ୍ଧାର କରାଯାଇଛି। ସେ ଏବେ ଥାନାରେ ଅଟକି ରହିଛନ୍ତି। ତୁରନ୍ତ କାଲି ଭିତରେ ଆସି ତାଙ୍କୁ ନେଇ ଯାଆନ୍ତୁ। ଆପାତତଃ ବିଚାର ସରିବା ଯାଏଁ ସେ ଆପଣମାନଙ୍କ ହେପାଜତରେ ଆପଣଙ୍କ ଆଶ୍ରମରେ ରହିବେ"।
ହେଲେ ନିଶାନ୍ତର ତ କାହିଁ ଦେଖା ନାହିଁ।ସେଦିନ ତ କଙ୍କାଳ ଉଦ୍ଧାର କାର୍ଯ୍ଯକ୍ରମରେ ଦୁଇବନ୍ଧୁଯାକ ଯୋଗଦେଇ ସେମାନଙ୍କର ମଜା ବାହାରି ଯାଇଛି। ରାତିସାରା ଅନିଦ୍ରାକୁ ଅନିଦ୍ରା, ପୁଣି ଡରରେ ଅବସ୍ଥା ବେହାଲ୍। ସାଙ୍ଘାତିକ ପରିସ୍ଥିତି। ନିଶାନ୍ତ ତ ମୁହଁ ହାଣ୍ଡି କରି ରହିଛି। ଡାକିଲେ ଆଉ ଶୁଣୁ ନାହଁ। କହିଲା -" ଭାଇ! ମୋତେ ତୁମର ଏ ଫାଲତୁ କାମରେ ଆଉ ସଂଶ୍ଲିଷ୍ଟ କରିବ ନାହିଁ। କଲେ ବି ମୁଁ ଆଉ ଯିବି ନାହିଁ, ମୋର ଆଶ୍ରମ ଭଲ ତ ମୁଁ ଭଲ" । ସୁରେଖା ଫୋନ୍ କରି କହିଲାଠୁଁ - "ଏ ନିଶାନ୍ତ! ତୁମେ ରାଗ ନାହିଁ। ମୁଁ ଜାଣିଛି ପରା, ଏଇ ଲୋକଟାର ଏଇଆ କାମ। ନିଜେ ତ ଶାନ୍ତିରେ ରହିବେ ନାହିଁ, କି ଆଉ କାହାକୁ ଶାନ୍ତିରେ ବି ରଖେଇ ଦେବେ ନାହିଁ।ହେଲେ ତୁମେ ସାଙ୍ଗରେ ନଥିଲେ ସେ କ'ଣ କୁଆଡ଼େ ଯିବେ? ପୂରା କାମ ଠପ୍ କରି ବସି ପଡିବେ। ତା ଛଡ଼ା ଇଏ ତ ସେଇ ଆଶ୍ରମ କାମ ନା! ପୋଲିସ୍ ବାବୁ ଖବର ଦେଇଛନ୍ତି, ବୃଦ୍ଧ ଜଣକ ଆଶ୍ରମ ଆସିବେ। ତୁମେ ପ୍ଲିଜ୍! ଆସ ନିଶାନ୍ତ "।ନିଶାନ୍ତ କହିଲେ - "ମୋର ଟିକେ କାମ ଅଛି ଭାଉଜ! ତେବେ ବନ୍ଧୁଙ୍କୁ କୁହନ୍ତୁ!ବ୍ୟସ୍ତ ହେବେ ନାହିଁ, ଆମେ ସେକେଣ୍ଡ୍ ହାଫ୍ ରେ ବାହାରିବୁ। ମୁଁ ଠିକ୍ ସମୟରେ ଯାଇ ପହଞ୍ଚିବି। ଆଉ ଫୋନ୍ କରିବା ବି ଦରକାର ନାହିଁ । ସେ ପ୍ରସ୍ତୁତ ଥାଆନ୍ତୁ"।
ସେୟା ହେଲା ସେମାନେ ଖାଇପିଇ ବାହାରିଲେ।
ଭୁବନେଶ୍ବରରେ ଯାଇ ଗାଡି ପହଞ୍ଚିଲା। ଥାନା ବାରଣ୍ଡାରେ ପହଞ୍ଚୁ ପହଞ୍ଚୁ ପୋଲିସ୍ ଅଧିକାରୀ କହିଲେ - "ଆସନ୍ତୁ! ମୁଁ ତ ଆପଣମାନଙ୍କୁ ଅପେକ୍ଷା କରିଥିଲି, ପ୍ଲିଜ୍ ଟେକ୍ ସିଟ୍ "। ବୃଦ୍ଧଙ୍କ ଆଡ଼କୁ ଇଶାରା କରି - "ପ୍ଲିଜ ଭେଟନ୍ତୁ! ଇଏ ହେଉଛନ୍ତି ଯୁବକଙ୍କର ବାପା। ଆପଣଙ୍କର ନୂଆ ଅତିଥି, ଯାହାଙ୍କ ପାଇଁ ଭବ୍ଯ ସମ୍ବର୍ଦ୍ଧନା ଅପେକ୍ଷାରେ ଆଶ୍ରମବାସୀ"। ପରିଚୟ କରେଇଦେଲେ। ଦୁଇ ବନ୍ଧୁ ହାତ ଯୋଡ଼ି ପ୍ରଣାମ କଲେ - "ମଉସା! ନମସ୍କାର"। ସେ କିନ୍ତୁ ନିରୁତ୍ତର, ବିଷର୍ଣ୍ଣ ତାଙ୍କର ମନ।ଆଖିରୁ ମେଣ୍ଡିଆ ଏଯାଏଁ ଭଲକି ଲିଭି ନଥାଏ, ଆଉ ଦେହରୁ ମଳିନତା ମଧ୍ଯ। ବଡ଼ ଉଦାସ ଥିଲା ତାଙ୍କର ଚେହେରା। ତାଙ୍କର ଜୀବନ ବୋଧେ ତୋଳି ପାରୁ ନଥିଲା ବିଶେଷ କିଛି ନୂତନତାର ସମ୍ଭାବନା, ଖାଲି ପରିସ୍ଥିତି ଦୃଷ୍ଟିରୁ ପରିଣତିକୁ ଅପେକ୍ଷା କରିବା ବ୍ୟତୀତ। ଏକ ହତାଶାବୋଧର କାଳିମା ଛାଇ ଯାଇଥିବାର ସ୍ପଷ୍ଟ ନଜର ଆସୁଥିଲା - ଚେହେରାରୁ। ଶରୀର ତ ଜରାଜୀର୍ଣ୍ଣ, ହୃଦୟରେ ବେଦନାର ମହା ଭାର ।ମନ ନିସ୍ତରଙ୍ଗେ କାହିଁ ତରଙ୍ଗାୟିତ ହେଉନଥିଲା କିଛି। କେଉଁ ଘଟଣା ପ୍ରତି ନଥିଲା ସେତେ ଆଗ୍ରହ । ଗୋଟିଏ କୋଣରେ ଚୁପ୍ଚାପ୍ ବସି ପଡିଥାନ୍ତି। ହେଲେ କାହାକୁ କିଛି କହୁ ନଥାନ୍ତି। କେବଳ ଚିଡ଼ିଆଖାନାର ଜୀବ ଭଳିଆ ଆଖି ମିଟିମିଟି କରି ଚାହିଁ ରହିଥାନ୍ତି, ନହେଲେ କାହାକୁ କେମିତି ଟିକେ କଣେଁଇ ଦେଖୁଥାନ୍ତି। ଅନ୍ୟପକ୍ଷେ ହାଜତ ଭିତରେ ଗୋଟିଏ ସେଲରେ ପୁରୁଷ ସ୍ତ୍ରୀ କି ହଳେ ଥିଲେ। ସେଇମାନେ ବୋଧେ, ହୋଇପାରନ୍ତି ଯୁବକଟିର ଭାଇ ଓ ଭାଉଜ। ଦୁଇ ଜଣଯାଙ୍କୁ ପୋଲିସ୍ ହୁଏତ ରାତି ତମାମ ଜେରା କରିଥିବ। ମୁହଁ କାନ ତ ଶୁଖି କଳାକାଠ ପଡ଼ିଯାଇଛି। ହଁ - ପୋଲିସ୍ ଅଧିକାରୀ ତ କହୁଥିଲେ, ସେମାନେ ଧରା ପଡି ସବୁ ହାଜତରେ ଅଛନ୍ତି ବୋଲି ।ଆଉ ଏ କଥା ମଧ୍ଯ କହୁଥିଲେ - "କାଗଜ ପତ୍ର କାମ ପ୍ରସ୍ତୁତ ଚାଲିଛି। ସରିଲେ ନେଇ କୋର୍ଟରେ ହାଜର କରିବେ"। ହେଲେ ତାଙ୍କ ପାଖ ସେଲରେ ଏ କାଳିଆ ଲୋକଟା କିଏ ? ଭାରି ମୋଟାସୋଟା। ବଳିଲା ବଳିଲା ଚେହେରା। ବ୍ରହ୍ମ ରାକ୍ଷସ ପରି ଭାରି ମୁଚ୍ଛବାଲା। ନିଶଟା ଗୋଟେ ହୋଇଛି। ବଳଦ ଦୌଡ଼ି ଭଳିଆ ମୋଟା ନିଶୁଆ।ବାନ୍ଧିଲେ ହଳେ ବଳଦ ପରା ସେଇଥିରେ ବାନ୍ଧି ହୋଇଯିବେ ।
କାଳିଆ ବିଲିବଢ଼ିଲା ଚେହେରା। ଗାରେଡେଇକି ଖାଲି ଚାହୁଁଥାଏ। ଥାନା ବାବୁ କହୁଥାନ୍ତି - "ଏଇଟା ତାଙ୍କର ସହଯୋଗୀ,ଯିଏ ଏ ଘଟଣାର ମୁଖ୍ୟ ଖଳନାୟକ।କୁଆଡେ ସୁକୁଟା ପ୍ରଧାନ ସ୍ତ୍ରୀର ପୁରୁଣା ପ୍ରେମିକା, ଯାହା ସହ ସେ ପ୍ରତ୍ୟେହ ସୁକୁଟା ଅନୁପସ୍ଥିତିର ସୁଯୋଗ ନେଇ ପ୍ରେମଲୀଳା ରଚନା କରିଥାଏ । ରାତିରେ ଏମାନଙ୍କ ଉପରେ ଉତ୍ତମ ମାଧ୍ୟମ ଦିଟା ବସିଲା ପରେ ଭଳଭଳ ହୋଇ ସବୁ ସତ କଥାଗୁଡ଼ାକ ପରା ବାନ୍ତି କରି ଦେଇଥିଲେ। ତେଣୁ ଆପଣ ଆସିବାର କିଛି ସମୟ ଆଗରୁ ଆମେ ଜନ୍ତୁଟାକୁ ଧରି ଆଣି ହାଜତରେ ରଖିଛୁ। ଆପଣ ଆଗ ମଉସାଙ୍କୁ ନେଇ ଆଶ୍ରମ ଯାଆନ୍ତୁ, ତା 'ପରେ ଆସନ୍ତା କାଲିର ସମସ୍ତ ଘଟଣା ମୁଁ ଆପଣଙ୍କୁ ଅବଗତ କରିବି। ଅପରାଧିକ ଦୁନିଆରେ ଏଇ ବାଦଶାହାମାନଙ୍କର ମଧ୍ଯ ସବୁ କଳା କାରନାମା ଜଣାପଡ଼ି ଆସିଲାଣି । ଆପଣ ନିଶ୍ଚିତ ରହନ୍ତୁ ଦୋଷୀକୁ ଦଣ୍ଡ ଓ ପ୍ରେତାତ୍ମାକୁ ନ୍ୟାୟ - ଏହା ଏଘଟଣାରୁ ଆପତତଃ ସ୍ପଷ୍ଟ ହୋଇଛି। ୟାଙ୍କ ପାଖରୁ ଆଉ ଅବଶିଷ୍ଟ ସତ କଥା ବାହାର କଲା ପରେ ଆଜି କୋର୍ଟ ଚାଲାଣ କରିବି। ଦରକାର ପଡିଲେ ପୁଣି ରିମାଣ୍ଡରେ ନେବି ପଛେ ହେଲେ ଦୋଷୀ କେମିତି କଠୋରରୁ କଠୋର ଦଣ୍ଡ ପାଇବ ତା'ର ବ୍ୟବସ୍ଥା ମୁଁ ନିଶ୍ଚୟ କରିବି। ଏମିତି ଆଛାଖାସା କରି ଚାର୍ଜ ସିଟ୍ ଲେଖିବି ଯେ, ଯେମିତି ମଝିରେ ଆଉ ଜେଲରୁ ମୁକୁଳି ପାରିବେ ନାହିଁ କି ଆଉ କିଛି ଦୁର୍ଘଟଣା ଘଟାଇ ପାରିବେ ନାହିଁ। ଏକାଥରକେ ସଜା ଶୁଣିବେ,ଖାଲି ସଜା। ସେ ପର୍ଯ୍ୟନ୍ତ ଜେଲ ହାଜତରେ ରହି ଚକି ପେଷୁଥାନ୍ତୁ।
ଠିକ୍ ଅଛି, ଏଥର ମଉସାଙ୍କୁ ଆପଣମାନେ ନେଇଯାଇ ପାରନ୍ତି। ଆସନ୍ତୁ! ପରେ ଆମେ ସବୁ କଥା ହୋଇ ପାରିବା"। ରାମହରି ବାବୁ ଧନ୍ୟବାଦ ଦେଇ ବୃଦ୍ଧଙ୍କୁ ସାଙ୍ଗରେ ଧରି ଫେରି ଆସୁଥାନ୍ତି।
ବୃଦ୍ଧ କହୁଥାନ୍ତି - "ମୋତେ କୁଆଡ଼େ ନେଇ ଯାଉଛ! ଏ ପୁଅ ବୋହୂ ଦିଟା ହାଜତରେ ରହିଲେ। ସେ ଦିଟା ଆଉ ଘରକୁ ନ ଫେରେନ୍ତେ କି? ସାନ ଟୋକାଟା ତ ଗଲା। ଏ ପାପୀ ପାପିନୀ ଦିଟା ଜେଲରେ ସଢ଼ନ୍ତୁ। ହେଲେ ମୁଁ କେଉଁଠି ରହିବି, କ'ଣ ଖାଇବି" ?
ରାମ ହରି ବାବୁ କହିଲେ - "ଏ ବୟସରେ ଆପଣ ଆଉ ଏତେ କିଛି ଚିନ୍ତା କରନ୍ତୁ ନାହିଁ। ଖାଲି କେମିତି ଶାନ୍ତିରେ ଗଣ୍ଡେ ଖାଇ ବଞ୍ଚିବେ ସେତିକି..। ଭଗବାନଙ୍କ ରାଇଜରେ କେହି ଏକଲା ନୂହେଁ। ସମସ୍ତଙ୍କ ପାଇଁ ସେ କିଛି ନା କିଛି ବ୍ୟବସ୍ଥା କରିଛନ୍ତି।ଆମେ ଆପଣଙ୍କୁ ସେବାମୁକ୍ତି ଜରାଶ୍ରମକୁ ନେଇ ଯାଉଛୁ। ସେଇଠି ଅନେକ ସାଙ୍ଗ ସାଥୀ ଅଛନ୍ତି। ଶାନ୍ତିରେ ରହିବେ। ପରସ୍ପର ସହ ସୁଖଦୁଃଖ ବାଣ୍ଟୁବାଣ୍ଟୁ ସମୟ ସରି ଯାଇଥିବ, ବେଳ ବି ଉଚ୍ଛର ହୋଇଯାଇଥିବ । ସମସ୍ତେ ଶାନ୍ତିରେ ଶୋଇଯିବେ "।ତାଙ୍କୁ ବୋଧେ କଥାଟା ଭାରି ମନକୁ ପାଇଲା, ସେ ଦାନ୍ତଟାକୁ ନିକୁଟେଇ ଦେଇ ପ୍ରସନ୍ନତା ପ୍ରକଟ କଲେ।
ଗାଡ଼ି ଯାଇ ପହଞ୍ଚିଲା ଆଶ୍ରମରେ, ସମସ୍ତ ଅନ୍ତେବାସୀ ଦୌଡ଼ି ଆସିଲେ। ନୂଆ ଅତିଥିଙ୍କୁ ପାଛୋଟି ନେଲେ। ଆରମ୍ଭ ହେଲା ଅଭ୍ୟର୍ଥନା, ଅତିଥି ସତ୍କାର ଓ ସ୍ଵାଗତ ସମ୍ବର୍ଦ୍ଧନା। ଆଶ୍ରମର ନିୟମାନୁଯାୟୀ ଆଗ ବୃଦ୍ଧଙ୍କୁ ପରିଷ୍କାର ପରିଚ୍ଛନ୍ନ କରି ସଫା ସୁତର କରି ଦିଆଗଲା। ଖାଇବାକୁ ଦିଆଯାଇ ଆଶ୍ରମର ନିୟମ କାନୁନ୍ ସବୁ ବୁଝେଇ ଦିଆଗଲା। ସେଠି ସେ ସମଦଶାସମ୍ପନ୍ନ ଅନେକ ସାଥୀ ସହଯୋଗୀଙ୍କୁ ଦେଖି ଜୀବନର ସମସ୍ତ ଦୁଃଖକୁ ଧୀରେ ଧୀରେ ଭୁଲିବାକୁ ଲାଗୁଥାନ୍ତି । ବିଶ୍ରାମର ସମୟ ହେଲାରୁ ପୂର୍ବ ପ୍ରସ୍ତୁତ ତାଙ୍କ ପ୍ରକୋଷ୍ଠ ତାଙ୍କୁ ଦେଖାଇ ଦିଆଗଲା, ଯାହା ନିଶିକାନ୍ତ ବାବୁଙ୍କ ପାଖରେ ପଡିଥିଲା। ନିଶିକାନ୍ତ ବାବୁ କହୁଥାନ୍ତି - "ଆଜି ଠାରୁ ମୋ ସହିତ ମିଶି ଆପଣ ଏଇ ଆଶ୍ରମର ଦାୟିତ୍ଵ ସମ୍ଭାଳନ୍ତୁ। ଦେଖିବେ! ଜୀବନ ବହୁତ ହାଲକା ହୋଇଯିବ ଆଉ ବୋଝ ହୋଇ ଆପଣା ଉପରେ ମାଡ଼ି ପଡ଼ିବ ନାହିଁ। ବୃଦ୍ଧ ସମ୍ମତି ଜଣାଇ ସ୍ମିତ ହସିଲେ। ଶାନ୍ତିରେ ଶୋଇଗଲେ ।ମନେମନେ କହୁଥିଲେ ସେଇ ଏକା କଥା -" ଇଶ୍ଵର ସମସ୍ତଙ୍କ ପାଇଁ କିଛିନା କିଛି ବ୍ୟବସ୍ଥା କରିଛନ୍ତି"। ଏଠାକାର ସବୁ କଥା ଜାଣି ସାରିଲା ପରେ, କୃତଜ୍ଞତା ଓ ଆଶ୍ରୀବଚନରେ ପୂରି ଉଠୁଥିଲା ବୃଦ୍ଧଙ୍କର ହୃଦୟ - ରାମହରି ଲାଲ ବାବୁଙ୍କ ପ୍ରତି ।
ଘରକୁ ଫେରି ଆସି ରାମହରି ବାବୁ ଶାନ୍ତିରେ ଶୋଇ ପଡ଼ିଲେ- ନିଘୋଡ଼ ନିଦରେ ।ମନକୁ ବଡ଼ ଆଶ୍ୱସ୍ତି, - ଯାହା ହେଉ ଯୁବକ ଓ ଯୁବକଙ୍କ ବାପା ପ୍ରତି ସେ କରି ପାରିଛନ୍ତି କାଣିଚାଏ ହେଲେ ବି କର୍ତ୍ତବ୍ୟ। ଆଉ ଯୁବକଙ୍କୁ ଦେଇଥିବା ପ୍ରତିଶ୍ରୁତି ନ୍ୟାୟ ପ୍ରଦାନର ହୋଇ ହୋଇପାରିଛି କିଞ୍ଚିତ୍ ହେଲେ ହେଁ ଫଳବତୀ, ଯଦିଓ ଏଯାଏଁ ହୋଇ ପାରି ନାହିଁ ତା'ର ଅନ୍ତିମ ଫଳଶୃତି।ସେଇ ନିଦ ଅନ୍ଧାର ଭିତରେ ସେ ଦେଖୁଥାନ୍ତି - ସାଏଁକିନା ପବନର ବେଗରେ ଖୋଲିଗଲା ଝରକାର କବାଟ ଦୁଇଟି ଦୁଇ ପଟକୁ ମେଲା ହୋଇ ।କିଏ ଗୋଟେ ଅନ୍ଧାରରେ ଛିଡା ହୋଇ ମୁରୁକି ହସୁଥିଲା। ରାମହରି ବାବୁଙ୍କର ଦୃଷ୍ଟିଟା ତା' ଉପରେ ପଡିବା କ୍ଷଣି ଅଚାନକ ତା ମୁହଁରୁ ହସ ଟିଳକ ଉଡି ଯାଇ ଅଶ୍ରୁ କେଇ ବୁନ୍ଦା ପୁଣି ନିଗିଡି ପଡ଼ିଲା। ହସକାନ୍ଦର ଲୁଚକାଳି ଭିତରେ ସେ କହିଥିଲା ମାତ୍ର୍ କେଇପଦ - "ନହେଉ ପଛେ ଘଟଣାର ଅନ୍ତିମ ଫଳଶ୍ରୁତି ତଥାପି କୃତଜ୍ଞତା ପ୍ରକଟ କରିବାକୁ ମୁଁ ବାଧ୍ୟ। ଖାଲି ଶେଷ ଅନୁରୋଧ - ଦଶ କର୍ମ ହୋମାଦି କରି, ଦେବେ ଟିକେ ମୋ ଆତ୍ମାକୁ ଶାନ୍ତି।
କ୍ରମଶଃ
ବାସ୍ତବରେ ଏ ତ ଗଲା tailor, ଏଯାଏଁ ଆସିନାହିଁ କାହାଣୀର ମୁଖ୍ୟ ଭାଗ। ତେବେ ବିଚାର କ'ଣ ସହଜେ ଆସେ। ଯାହା ହେଲେ ବି ସମୟ ସାପେକ୍ଷ ନା। ସେଯାଏଁ ଅପେକ୍ଷା କରିବା।