ଚନ୍ଦକାରେ ଗୋଟେ ରାତି ଭାଗ 11
ଚନ୍ଦକାରେ ଗୋଟେ ରାତି ଭାଗ 11
ପୂର୍ବ ଉତ୍ତାରୁ.... ଭାଗ 11- ଜେରା...
ରାତି ନଅଟା ବାଜିଲାଣି। ତେଣୁ ଥାନା ପରିସରରେ ଆଉ ବେଶୀ ଗହଳି ନଥାଏ କି କେହି ଲୋକବାକ। ଗହଳ ଚହଳ ବି ଧୀରେ କମି ଆସିଲାଣି। କିଏ କେତେ ରକମର ଅଭିଯୋଗ ନେଇ ଦିନରୁ ଆସିଥିଲେ। ସବୁ ଯେଝା ଯେଝା କାମ ନିପଟେଇ ଫେରି ଗଲେଣି। ଥାନା ବାବୁ ଚେୟାରଟାରେ ବସିବସି ଏକା ଏକା ଝୁଲୁଥାନ୍ତି। ଆଉ କେହି ବା ରୁମ୍ କୁ ଆସିଲେ ବଡ଼ ବିରକ୍ତ ହେଉଥାନ୍ତି। ଆସିଲେ ମଧ୍ୟ ଥାନା ବାବୁ ଦେଖା ଦେଉ ନଥାନ୍ତି ।ସେକଣ୍ଡ ଅଫିସରକୁ ଡାକି କହିଲେଣି - "କହି ଦିଅ ଆଉ କାହା ସହିତ ଆଜି ଦେଖା ହୋଇ ପାରିବ ନାହିଁ।କୁହ, ଆଉ ଯାହାର ଯାହା କାମ ଅଛି ଆସନ୍ତା କାଲିକୁ ଆସିବେ" । ଏହି ସମୟରେ ବସାରୁ ବୋଧେ ଗୋଟେ ଫୋନ୍ ଆସିଲା। କହିଲେ - "ପେଟ୍ରୋଲିଂରେ ଯିବାକୁ ହେବ, ତେଣୁ ଘରକୁ ଆଉ ଯାଇ ହେବ ନାହିଁ, ବରଂ ଚୌକିଆ ହାତରେ ଟିଫିନ୍ କ୍ୟାରିଅରରେ ଦୁଇ ଖଣ୍ଡ ରୁଟି ଓ ଟିକିଏ ସନ୍ତୁଳା ପଠେଇ ଦେଇ, ଶୋଇ ପଡ଼। ମଉସାଙ୍କର ଟିକିଏ ଯତ୍ନ ନେଉଥିବ, ଯେମିତି ତାଙ୍କର କିଛି ଅସୁବିଧା ନହୁଏ"। ଅନ୍ୟ ଷ୍ଟାଫ୍ ମାନଙ୍କୁ ମଧ୍ୟ କହିଲେ -" ଖାନାପିନା ଜଲଦି ସାରି ଫେରି ଆସ। - କାମ ଅଛି"। ଲେଡିଜ ଷ୍ଟାଫ୍ ମାନଙ୍କୁ ମଧ୍ୟ ସେଇ ଏକା ନିର୍ଦ୍ଦେଶ। ଆଉ କେତୋଟି ଫୋନ୍ ଯୋଗେ-ଟିକେ ଯୋଗାଯୋଗ । କିଛି ଗୋଟାଏ ବଡ଼ ମିଶନ ଥିଲା ପରି ମନେ ହେଉଥିଲା।
ଏଥର ଚେୟାରରୁ ଉଠିଲେ। କହିଲେ କଏଦୀ ଦୁଇ ଜଣଙ୍କୁ ହାଜର କର।ସୁକୁଟା ପ୍ରଧାନ ଓ ତା ସ୍ତ୍ରୀକୁ ପ୍ରଥମେ ଏକା ଏକା ପୁଣି ଦୁଇ ଜଣଙ୍କୁ ସାଙ୍ଗରେ ଏକାଠି ସାମ୍ନାସାମ୍ନି ବସେଇ ଜେରା କଲେ। ପୋଲିସବାଲା ତ ପ୍ରଥମେ ନରମ, ପୁଣି ଦରକାର ପଡିଲେ ତେଡା ହୁଅନ୍ତି। ଆରାମସେ ଓ ବେଶ୍ ଶାନ୍ତ ହୋଇ କହିଲେ _"ଦେଖ! ଘଟଣାଟା ଲୁଚେଇ ଆଉ ଲାଭ ନାହିଁ। କାରଣ ସବୁ କଥା ଜଣା ପଡ଼ିଗଲାଣି। ତୁମ ବାପା ବି ନିଜେ ସାକ୍ଷ୍ୟ ଦେଇ ସାରିଛନ୍ତି । ଶବର ଠିକଣାଟା ମଧ୍ୟ ମିଳିସାରିଛି। ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠା ଯାଇଛି, ରିପୋର୍ଟ ଆସିଲେ ଆହୁରି ସବୁ କଥା ସ୍ପଷ୍ଟ ହୋଇଯିବ। ତେଣୁ ତୁମେ କିଛି ନକହିଲେ ବି ବିଶେଷ କିଛି ଫରକ୍ ପଡ଼ିବ ନାହିଁ। ତେବେ ମୁଁ ଚାହୁଁଛି, ସତ କଥାଟା ତୁମ ମାନଙ୍କ ମୁହଁରୁ ବାହାରୁ, କାରଣ ହୁଏତ ମୁଁ ତୁମକୁ କିଛିଟା ସାହାଯ୍ୟ କରିପାରେ। ନହେଲେ ତୁମକୁ ଫାଶି ହୋଇଯିବ। ଫାଶି"।
ଏତକ କହି ଦେଇ ସେ ତାଙ୍କ ଭାବାବେଗ ସବୁ ନୀରବରେ ନିରୀକ୍ଷଣ କରୁଥାନ୍ତି। କିନ୍ତୁ ଏ କଥାର ବିଶେଷ କିଛି ପ୍ରଭାବ ସେମାନଙ୍କ ଉପରେ ନ ପଡିବାରୁ ସେ ଆଉ ଗୋଟିଏ methord apply କଲେ। କହିଲେ -" ତୁମେ ଭାରି ନୀରିହ ଲୋକ ଗୁଡ଼ା। ତେଣୁ ମୁଁ ଚାହୁଁ ନାହିଁ ତୁମେମାନେ ଅଧିକ ଦଣ୍ଡ ଭୋଗ କର। ଅବଶ୍ୟ ଏଟା ସତ କଥା, ଏ କେସ୍ ରୁ ତୁମେମାନେ ସହଜରେ ମୁକୁଳି ପାରିବ ନାହିଁ। ହେଲେ ସଜା ତ କୋହଳ ହୋଇ ପାରିବ। ମୁଁ ଚାର୍ଜ ଫ୍ରେମ୍ କଲା ବେଳେ ଟିକିଏ ଚାର୍ଜ କମ୍ କରିଦେବି। ଦଫା କମି ଗଲେ ଦଣ୍ଡ ବି କମି ଯିବ। ହେଲେ ତୁମମାନଙ୍କୁ ସହଯୋଗ ମନୋବୃତ୍ତି ଦେଖେଇବାକୁ ପଡ଼ିବ। ସବୁ କଥାଗୁଡ଼ାକ ସତସତ କହିବାକୁ ହେବ। ମୁଁ ଚାହୁଁଛି ସତ୍ୟ ପଦାକୁ ଆସୁ"।ପୁଣି ଟିକିଏ ରହି -
" ଦେଖ! ଯେଉଁମାନେ ଏ ଚକ୍ରବ୍ୟୁହ ରଚନା କରିଛନ୍ତି ସେମାନେ ସମସ୍ତେ ଧରା ପଡନ୍ତୁ। ତୁମେ ତ ଗାଉଁଲି ମଣିଷ, ତୁମେ କାହିଁକି ବା ନିଶା କାରବାର କରିବ। ତା ଛଡ଼ା ମୁଁ ତୁମର ପୂର୍ବ (past) ରେକର୍ଡ ସବୁ ଦେଖିଛି । ସେମିତି ତ କିଛି ଅପରାଧିକ ପୃଷ୍ଠଭୂମି ନାହିଁ। ତେଣୁ ହତ୍ୟା ପରି ଏତେବଡ଼ ଜଘନ୍ୟ ଅପରାଧ ତୁମେ ଏକାଏକା କରି ପାରିବ ନାହିଁ। ସତ କଥାଟା କହିଦିଅ! ତୁମ ସହିତ ଆଉ କିଏ କିଏ ସବୁ ଥିଲେ"?
ତଥାପି ସେମାନେ ନୀରବ। ଖାଲି ତଳକୁ ମୁହଁ ହାଣି ଯାହା ନୀରିହ ଅଭିନୟ କରୁଥାନ୍ତି ନହେଲେ ଗୋଡ କାଟି ଗାର କାଟୁଥାନ୍ତି। formula no 1-ଡରେଇବା, formula no- 2 ବୁଝେଇବା ଓ ପରେ formula no 3-ତେଲେଇବା ବା ଗେହ୍ଲେଇବା apply କଲେ। ମୁଖ ମଣ୍ଡଳକୁ ବେଶ୍ ପ୍ରସନ୍ନ ରଖି, ଧୀର ଅଥଚ ନମ୍ର ଗଳାରେ କହୁଥାନ୍ତି -" ଏହି ନିଶାଗ୍ରସ୍ତ ହେଲ ବୋଲି ସିନା, ତୁମେ ନିଶା ସେବନ କରି ଭୁଲ ବାଟକୁ ଚାଲିଗଲ ଓ ନିଶା କାରବାର ତଥା ହତ୍ୟା ପରି ଜଘନ୍ୟ ଅପରାଧରେ ସାମିଲ ହୋଇଗଲ, ନହେଲେ ତୁମ ଭଳିଆ ପିଲା କି ଏ ଭୁଲ କରିପାରେ? ମୁଁ ତୁମ ମୁହଁରୁ ଭଲକି ସବୁ କଥା ବୁଝି ପାରୁଛି ଯେ, ତୁମେମାନେ ଖୁବ୍ ଭଲ ପିଲା। ହେଲେ ସତ କଥାଟା କହି ଦିଅନ୍ତ ନାହିଁ - ଏହାର ମାଷ୍ଟର ମାଇଣ୍ଡ କିଏ? କିଏସେ, ଏ ସହରରେ ନିଶା ସାମ୍ରାଜ୍ୟ ବିସ୍ତାର କରି ବାଦଶାହା ହୋଇ ବସିଛି ଆଉ ତୁମକୁ ସବୁ ତୁମ ଦରିଦ୍ରତା ଓ ଦୁର୍ବଳତାର ସୁଯୋଗ ନେଇ ତା' ବୁଢିଆଣୀ ଜାଲରେ ଫସାଉଛି? ଦେଖ! ସତ କଥାଟା କହିଲେ, ମୁଁ ତୁମକୁ ରାଜ ସାକ୍ଷୀ କରିଦେବି। ତୁମେମାନେ ଖସିଯାଇ ପାରିବ ବା ତୁମମାନଙ୍କର ସଜା ବି କୋହଳ ହୋଇପାରେ। କିନ୍ତୁ ସତ କଥାଟା ନକହିଲେ, ମୁଁ ନାଚାର। ମୋ ପାଖରେ ଆଉ କିଛି ଉପାୟ ରହିବ ନାହିଁ ଯେ, ମୁଁ ତୁମକୁ ସାହାଯ୍ଯ କରିପାରିବି। ତେଣୁ ତୁମକୁ ଆଜୀବନ କାରାଦଣ୍ଡ ବି ହୋଇଯାଇପାରେ।ହେଲେ ସବୁ ମାନିଗଲେ ମୁଁ ତୁମକୁ ବ୍ୟକ୍ତିଗତ ମୁଖଚାଲିକାରେ ଛାଡି ଦେଇ ପାରେ। ନହେଲେ କୋର୍ଟ ଚାଲାଣ କରିବାକୁ ବାଧ୍ୟ ହେବି। ତା ଛଡା ତୁମେ କାହାକୁ ଡରୁଛ କି? କାହାକୁ ଡରିବା ଦରକାର ନାହିଁ।କଥା ଦେଉଛି, ପୋଲିସ୍ ତୁମକୁ protection ଦେବ। ସେମାନେ ତୁମର କିଛି ବି କରି ପାରିବେ ନାହିଁ। ତୁମେ ଖାଲି ସେମାନଙ୍କର ନାଁଟା କହିଦିଅ। ମୁଁ ଗୋଟା ଗୋଟା ସେମାନଙ୍କୁ ବାନ୍ଧି ଆଣି ଜେଲରେ ଠୂଙ୍କି ଦେବି। ଏକାଥରକେ ଜେଲରେ ପଶି ଚକି ପେଷୁଥିବେ ଯେ, ପେଶୁଥିବେ। ଆଉ ମୁକୁଳି ପାରିବେ ନା କାହାର କିଛି କ୍ଷତି କରି ପାରିବେ "। ପୁଣି କେତେବେଳେ ପିଠିକୁ ଥାପୁଡେଇ ଦେଇ, ତା' ଜଙ୍ଘକୁ ଟିକେ ହାଲକା ଭାବେ ପିଟିଦେଇ - "ବାବୁ କହ! ତୁ ଆମର ଭଲ ପିଲାଟା, କିନ୍ତୁ ବୋକାଟା। ତୋତେ ସେମାନେ ଢ଼ାଲ କରି ଏତେ କିଛି କରିଗଲେ, ତୁ କିନ୍ତୁ କିଛି ବୁଝି ପାରିଲୁ ନାହିଁ। ଭୋଲାଟା ବୋଲି ସିନା , ସେମାନେ ତୋତେ ଠକି ଦେଇ ତୋ ପଛପଟେ ଏତେ ବଡ଼ ଖେଳଟା ଖେଳି ଦେଲେ, ତୁ କିଛି ବୁଝି ପାରିଲୁ ନାହିଁ। ହେଲେ ତା ନାଁଟା ଖାଲି କହିକି ଦେଖ ତ ମୁଁ କେମିତି ତା ମଜା ଚଖଉଛି। କହ! କହ!! ବାବୁ କହ!!! ତୋ ମୁହଁ କହୁଛି ପରା ତୁ ନିର୍ଦ୍ଦୋଷ , ନିହାତି ଓଲୁଟା।
ଏହିପରି ଏକ ଦୀର୍ଘ କସରତ ପରେ ବି ପୋଲିସ୍ ଅଧିକାରୀଙ୍କ ମୁହଁରେ ନଥିଲା ଅଧୈର୍ଯ୍ୟର ସ୍ମାରକୀ, ତିଳେ ମାତ୍ର୍ ବିରକ୍ତିର ଛାପ। କାରଣ ସେ ଚାହୁଁଥାନ୍ତି କଳେବଳେ ବା ଛଳେ ହେଉପଛେ ତା ପାଖରୁ ସବୁ ସତ କଥାଟା ହାସଲ କରି, ଓଡ଼ିଶାର ରାଜଧାନୀ ଭୁବନେଶ୍ବର ପରି ଏକ ସମ୍ବେଦନାଶୀଳ ସହରରୁ ଯେଉଁଠି କି ସମସ୍ତ VIP ମାନେ ରହୁଛନ୍ତି, ସେଠୁ ଏ ଅପରାଧୀ ମାନଙ୍କୁ ଚିହ୍ନଟ କରି ତାହାର ମୂଳ ଉତ୍ପାଟନ କରିବା।ତେଣୁ ସେ କେତେବେଳେ ସ୍ନେହବୋଳା କଥା ତ କେତେବେଳେ ଧମକପୂର୍ଣ୍ଣ ଉକ୍ତି ବାଢୁଥାନ୍ତି। ପୁଣି କେତେବେଳେ ହୃଦେ ରଖି କଠୋର ଭାବ ମୁହଁରେ ବଡ଼ ଅନୁକମ୍ପା ଓ ଗଳାରେ ନରମ ବାଣୀ କଥା କହିଥାନ୍ତି। ଆଉ କେତେବେଳେ ବି ଲୋଭ ଦେଖାଉଥାନ୍ତି, ସଜା କୋହଳ ବା ରାଜ ସାକ୍ଷୀ କରିବାର ମିଥ୍ୟା ଅଭିପ୍ରାୟ ରଖି।
ହେଲେ ଏଗୁଡାକର ବିଶେଷ କିଛି ପ୍ରଭାବ କାହିଁ ପଡୁନଥିଲା - ସେମାନଙ୍କ ଉପରେ। କାରଣ ଏମାନେ ବଡ଼ ପେଶାଦାର ଅପରାଧୀ ଭଳି ପୂରା TRAINED ହୋଇଥିବା କାହିଁକି ପ୍ରତୀତ ହେଲେଣି। ସେମାନେ ବାରମ୍ବାର ଚେଷ୍ଟା କରୁଥାନ୍ତି, ମୁଖ୍ୟ ପ୍ରସଙ୍ଗଠାରୁ ଦୂରେଇ ଯାଇ କିପରି ଭିନ୍ନ୍ ପ୍ରସଙ୍ଗ ଓ ବିଷୟବସ୍ତୁ ପ୍ରତି ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବେ। ଭାରି ନୀରିହ ଆଉ ନିରିମାଖିର ଅଭିନୟ -' ଧେତ୍ ଅପେରା' ପାର୍ଟିର କଳାକାର ପରି ।
ମାତ୍ର ଏତେ ପରିଶ୍ରମ କଲା ପରେ ବି ଯେତେବେଳେ କିଛି ଫଳ ମିଳିନି, ସେତେବେଳେ ତାଙ୍କ ମୂଖ ମଣ୍ଡଳରେ ଅସ୍ୱାଭାବିକ ପରିବର୍ତ୍ତନର ଝଲକ ନିଜର ଆସିଲା। ବଜର ବଜର ହୋଇହୋଇ, ଏଥର ଧୈର୍ଯ୍ଯର ନଦୀବନ୍ଧ ଭାଙ୍ଗି ଅଧୈର୍ଯ୍ୟର ଲହଡ଼ି ଖେଳୁଥାଏ। ଏଣିକି ଅଧିକାରୀଙ୍କ ଆଖି ରକ୍ତ ବର୍ଣ୍ଣ ଧାରଣ କଲାଣି। ମୁଖ ମଣ୍ଡଳ କୁଞ୍ଚିତ ହୋଇ ବିବର୍ଣ୍ଣ ହେବାକୁ ବି ଲାଗିଲାଣି।
ସେ ରାଗରେ ଦାନ୍ତ କଡ଼ମଡ଼ କରି ଚୂଡ଼ା ଚାଉଳ ଚୋବାଉ ଥାନ୍ତି। ଗୋଟିଏ ଯୋଡ଼ିଏ ଅଶ୍ଲୀଳ ଶବ୍ଦ ମଧ୍ୟ ପାଟିରୁ ଝଡ଼ିପଡିଲାଣି। ଏଥର ଅପଶବ୍ଦ ପ୍ରୟୋଗ କରି ଗର୍ଜି ଉଠିଲେ।ଚେୟାରରୁ ଏତେ ଜୋହର ସେ ଉଠି ପଡ଼ିଲେ ଯେ, ଚେୟାରଟା ଖାଲି ଘିରିଘିରି ହୋଇ ଘୂରିବାକୁ ଲାଗିଲା। ପୁଣି କିଛି ସମୟ ପରେ ଚେୟାରଟା ସେଇଠି ସେଇମିତି ରହି ଖାଲି ଦୋହଲିବାକୁ ଲାଗିଲା ଓ ପରେ ସ୍ତବ୍ଧ ହୋଇଗଲା ସେଇଠି । ଏବେ ସେ ଟେବୁଲ୍ ଉପରେ ଗୋଟେ ଗୋଡ ଅଧା ଟେକି ଦେଇ ଆଉ ଗୋଟେ ଗୋଡ ତଳେ ଲଗାଇ ରଖି କଚାଡ଼ି ହୋଇ ବସି ପଡ଼ିଲେ।ମଝିରେ ମଝିରେ ନିଜ ଜଙ୍ଘଟାକୁ ନିଜେ ବାଡ଼େଇ - "ଆବେ କହବେ!" ପୁଣି ବାଡ଼ିଟାକୁ ହାତରେ ଘୂରେଇ ଘୂରେଇ ବା ଏ ହାତରୁ ସେ ହାତ କରି, ନତୁବା ଉପରକୁ ଉଞ୍ଚେଇ ଧରି - "ଆବେ" ଏଇଲାଗେ ଦେଖିବୁ!" ଆଖି ଦୁଇଟା ତାଙ୍କର ଜଳିବାକୁ ଲାଗୁଥାଏ , ଯେମିତି ଭୂତ ଶବାର ହୋଇ ଯାଇଥାଏ କି କ'ଣ।ଏଥରକ କବଲେଇକି ଆଉ ମାତ୍ର୍ କେଇପଦ ପଚାରିଲେ। ମାତ୍ର୍ ସେତିକିରେ କାମ ନ ମେଣ୍ଟିବାରୁ - ଦେହରୁ ସାର୍ଟଟା ଖୋଲି ଫିଙ୍ଗି ଦେଲେ। ବେଲ୍ଟଟା ମଧ୍ୟ ଟିକେ ଢ଼ିଲା କରିଦେଲେ। ଆରମ୍ଭ ହେଲା ଥାର୍ଡ ଡିଗ୍ରୀ ଟର୍ଚ୍ଚର।
ଆଃ.. କି ନିର୍ମମ ପ୍ରହାର? ଚୋର ଚଣ୍ଡାଳ ବି ତ ସହିବ ନାହିଁ - ସେ ପ୍ରହାରର ଭୀଷଣତାକୁ। ବଡ଼ କଠୋର ଅନୁଶାସନର ନମୁନା - ଇଏ। ସେଇଥିପାଇଁ ବୋଧେ କୁହଯାଏ - "ମାମୁଘରକୁ ଯିଏ ଥରେ ଯାଇଥିବ ଆଉଥରକୁ ନ କରିବ ମନ" । ଗୋଡଠୁଁ ପାଦ ଯାଏଁ ଆଉ କୋଉ ଜାଗା ଛାଡିଲେ କି? ଚାରିଆଡ଼େ ପାହାର ପରେ ପାହାର, ପାହାରର ଭୁଣ୍ଡାଭୁଣ୍ଡା ଦାଗ। ଥୁଲୁକା ଥୁଲୁକା ଫଟା ମାଂସ ଗୁଡାକ ଖାଲି ଦୁଲୁକୁ ଥାଏ । ମଝିରେ ମଝିରେ "ବୋଉଲୋ! ମାଆଲୋ! ମରିଗଲି"ର ବୁକୁ ଫଟା ଆର୍ତ୍ତନାଦ। ପିଟି ପିଟି ବାଡ଼ି ଥକି ଯାଉଥାଏ । ଶେଷରେ ଭାଙ୍ଗି ଦୁଇ ଖଣ୍ଡ ହୋଇ ଯିବାରୁ, ପୁଣି ବେଲ୍ଟରେ ଚାଉଁ ଚାଉଁ ଶବ୍ଦ କର୍ଣ୍ଣ ଗହ୍ଵର ଭେଦି ଭିତର ପରଦାକୁ କ୍ଷତ କରୁଥାଏ।
ସେପଟେ ବି ଆହୁରି" ଆହୁରି ମାର, ସତ କଥାଟା ନ ବାହାରିଲା ଯାଏଁ ଛାଡ଼ ନାହିଁ" ବୋଲି ଲେଡିଜ କନଷ୍ଟେବଲକୁ ନିର୍ଦ୍ଦେଶ ଦିଆ ଯାଉଥାଏ। ସିଏ ବି ଅନୁରୂପ ପ୍ରହାର କରୁଥାଏ - ସ୍ତ୍ରୀ ଲୋକଟା ଉପରେ। ଆଉ ଯେମିତି ହେଲେ ସତ କଥାଟା ସେମାନଙ୍କଠାରୁ ଉଗାଳିବାକୁ ଚେଷ୍ଟା କରୁଥାନ୍ତି। ଏଥର ହୁଏତ ପ୍ରେତାତ୍ମା ଟିକେ ଖୁସି ହେଉଥିବ ବୋଲି ମନେ ମନେ ଭାବୁଥାନ୍ତି। ଆଉ ସେମାନେ ବୋଧେ ଭାବୁଥିବେ - "ବାପରେ ବାପ୍ ପୋଲିସ୍ ମାଡ ଏତେ ଟାଣ? ମଣିଷ ତ ମୂତି ପକେଇବ" । ସତକୁ ସତ ସ୍ତ୍ରୀ ଲୋକଟା ତ ଚର୍ ଚର୍ କରି ମୂତି ପକେଇଲା ନା କ'ଣ? ହଁ, ପୋଲିସ୍ ଅଧିକାରୀ ମୁହଁଟାକୁ ବୁଲେଇ ନେଲେ ତ।
ଏବେ ସମସ୍ତେ ଟିକେ ହୋସ୍ ନେଲେ। ଏମାନେ ଏତେ ମାଡ ଖାଇଲେଣି, ତଥାପି ସତ କଥା ଗୁଡ଼ାକ ପାଟିରୁ ବାହାରୁ ନଥାଏ।ସୁଦ ଅଜରା। ଅକାଲୁଆଗୁଡା। ପୋଲିସ୍ ବାଲାଙ୍କର ମାଡ ଦେଇ ଦେଇ ହାୱା ଢ଼ିଲା ହୋଇ ଗଲାଣି, ଝାଳନାଳରେ ପୂରା ଗୋଟା ପୁଣି ସଢସଢ, ହେଲେ ଏମାନେ ମାଡ ଖାଇ ମଧ୍ୟ ଚେତୁ ନଥାନ୍ତି।ତେଣୁ ଯିଏ ନାହିଁ ସେ ତ ରାଗିବ, ଆଉ ପୋଲିସ୍ ବାଲା କ'ଣ ସରଗରୁ ଛିଡିଲେ କି, ୟାଙ୍କୁ ଖାଲି ଦୟା ଦେଖେଇବେ। ତେଣୁ ଏଥର ତ final round ନିଶ୍ଚୟ ଆରମ୍ଭ ହେବ... ଆଃ.. ଉଃ.. ଠାଏ.. ଠାଏ..
ଏବେ ସେମାନଙ୍କୁ ଢୋକେ ଢୋକେ ପାଣି ଦିଆଗଲା ଓ ସାମନ୍ୟ ବିଶ୍ରାମ ମଧ୍ୟ। ଦ ପୁଣି ଅକଥନୀୟ ଅତ୍ୟାଚାରର ପୁନରାବୃତ୍ତି ହେଲା। ମଣିଷ ସହିବ ସହିବ ବୋଲି ଆଉ କେତେ ଯେ ସହିବ? ପୁଣି ଗୋଟେ ସହିବାର ସୀମା ଅଛି ନା? ତେଣୁ ସେ ଯେମିତି ହେଲେ ସତ କଥାଟା କହିବ। ପୋଲିସ୍ କନେଷ୍ଟବଲ ଦିଟା ଦ୍ଵାର ପାଳ ଭଳିଆ ଥାନା ଦ୍ଵାର ମୁହଁରେ ଜଗିରହି ଅହରହ ନିଜ ନିଜ ଭିତରେ ମଝିରେ ମଝିରେ ଏଭଳି ରହସ୍ୟ (ହାସ୍ୟ) କରୁଥାନ୍ତି ।
ଏଥରକ ପୋଲିସ୍ ଅଧିକାରୀ ଏମିତି ଭୟଙ୍କର ରାଗିଗଲେ ଯେ - ତା ଦି କଳପାଟି ମଝିରେ ରୋଲ୍ ବାଡ଼ିଟାକୁ ଥୋଇଦେଇ ଦୁଇ ପଟକୁ ଏଡ଼େ ଜୋହରରେ ଚାପି ଧରିଲେ ଯେ,ତା ପାଟିଟା ଯେମିତି ବକା ପାଟି ପରିକା ଦୁଇ ଫାଳ ହୋଇ ଚିରିଯିବ। ଏପଟେ ଗୋଡ ଉଠାଇ ମଧ୍ୟ ନାତ ପରେ ନାତ ତା ବିଶ୍ୱାସ ଘରକୁ ଦେଖି ନାଦୁଥାନ୍ତି। ଆଉ ପାଟିରୁ ବାହାରୁ ଥାଏ - "କହ! କହ!! ସତ କଥାଟା କହ, ନହେଲେ ମାରୁମାରୁ ମାରିଦେବି"। ଏତେବେଳକୁ ଯାଇ ସତ କଥାଟା ପାଟିରୁ ବାହାରି ପଡିଲା। କହିଲା - "ଆଜ୍ଞା! ମରି ଯିବୁ... ଆଉ ମାରନ୍ତୁ ନାହିଁ.. ଆମକୁ ଛାଡ଼ି ଦିଅନ୍ତୁ.. ଆମେ ସତ କଥାଟା କହୁଛୁ.." ।କହିଲା ବେଳେ ଧଇଁସଇଁ ଓ ଅଣନିଶ୍ଵାସୀ ତ ହେଉଥାନ୍ତି। ଅଫିସର କହୁଥାନ୍ତି ତେଣେ, ଖତେଇ ବିଗୁଲେଇ ହୋଇ _" ହଁ.. କହ! କହ..!! ନହେଲେ କୋଉ ଛାଡ଼ୁଛି କି, ଆହୁରି ମାରିବି।
ସତ ବାହାରିଲା, ସତ ବିକି ଦେଲା - ଅନୁଗତ । କହିଲା - "
କ୍ରମଶଃ ଭାଗ.. 12.. 3rd ଡିଗ୍ରୀର ପ୍ରଭାବ ... କାହାଣୀରେ twist..ନୂଆ ତଥ୍ଯ ପଦାକୁ ଆସିଲା..