Satyaprakash Sethy, M. A(UGC NET)

Others

5.0  

Satyaprakash Sethy, M. A(UGC NET)

Others

ଚନ୍ଦକାରେ ଗୋଟେ ରାତି (ଭାଗ 10)

ଚନ୍ଦକାରେ ଗୋଟେ ରାତି (ଭାଗ 10)

6 mins
527


ପୂର୍ବ ଉତ୍ତାରୁ ... ବୃଦ୍ଧଙ୍କ ବୟାନ... ଅଶ୍ରୁଳ ଅଭିବ୍ୟକ୍ତି 

କୌଣସି ଗୋଟେ ଜରୁରୀ କାମ ପଡିବାରୁ ପୋଲିସ୍ ଅଧିକାରୀ କୁଆଡ଼େ ଚାଲି ଯାଇଥିଲେ। 

ସନ୍ଧ୍ୟା ପାଞ୍ଚଟା ବେଳକୁ ପୁଣି ଫେରି ଆସିଥିଲେ- ଥାନାକୁ। ସେତେବେଳକୁ ବୃଦ୍ଧ ଖାଇପିଇ ଟିକେ ସୁସ୍ଥ ହୋଇ ସାରିଥିଲେ। କିଛିଟା ବିଶ୍ରାମ ମଧ୍ଯ ନେଇ ଯାଇଥାନ୍ତି । ପୋଲିସ୍ ଅଧିକାରୀ କହିଲେ - "ଦୁଇ କପ୍ ଚା "। ବୃଦ୍ଧଙ୍କୁ ପାଖରେ ବସାଇ ଖୁବ୍ ଆପ୍ୟାୟିତ କଲେ। ସାଙ୍ଗ ହୋଇ ଚା ପିଇଲେ। ସେ ବେଶ୍ ସହଜ ଓ ସରଳ ହୋଇ ବୃଦ୍ଧଙ୍କ ସହିତ କଥା ହେଉଥିଲେ। ଆଶ୍ୱସନା ମଧ୍ୟ ଦେଉଥାନ୍ତି। ଆପଣାର ମଣିଷଟି ପରି ବ୍ୟବହାର କରୁଥାନ୍ତି। ବୃଦ୍ଧ ସିନା ଖୁବ୍ ଦୁର୍ବଳ ଦିଶୁଥାନ୍ତି, ହେଲେ କିଛିଟା ପ୍ରସନ୍ନତା ପ୍ରକଟ କରୁଥାନ୍ତି। ପୁଣି କେତେବେଳେ ଶଙ୍କା ଓ ଆଶଙ୍କାରେ ଚିତ୍ତ ଚାଞ୍ଚଲ୍ୟତା ସୃଷ୍ଟି ହେଉଥାଏ, ସେ ତେଣୁ ଏଣୁତେଣୁ ଗପୁଥାନ୍ତି। କଥୋପକଥନ ଜରିଆରେ କିନ୍ତୁ ପୋଲିସ୍ ଅଧିକାରୀ ବେଶ୍ ଚତୁରତା ସହକାରେ ସବୁକଥା ପଚାରି ବୁଝୁଥାନ୍ତି ଆଉ ବୃଦ୍ଧ ଧୀରେ ଅଥଚ ଗୋଟିଗୋଟି ମନେ ପକାଇ ସବୁ କଥା କହୁଥାନ୍ତି। ସାନ ଟୋକାଟାକୁ ନ୍ୟାୟ ମିଳିବା ଦରକାର ବୋଲି ହେଲେ ସେ ଖାଲି ଜୋହର୍ ଦେଉଥାନ୍ତି ଆଉ ଅଧିକାରୀ ଜଣଙ୍କ ଭରସା ଦେଇ ପ୍ରେରଣା ଯୋଗାଇ ଦେଉଥାନ୍ତି।


ଏଥର ବୃଦ୍ଧ କହି ଚାଲିଲେ, ମଝିରେ ମଝିରେ ତଣ୍ଟି ଲାଖି ଯାଉଥିବାରୁ ବା କୋହ ଆସୁଥିବାରୁ ସେ ଯାହା ଟିକିଏ ଖାଲି ଅଟକି ଯାଉଥାନ୍ତି।

-ସାନ ପିଲାଟା ମୋର ସୁନା ମୁଣ୍ଡାଟେ। ସମସ୍ତେ ତାକୁ ଭଲ ପାଅନ୍ତି। କାହାରି ସେ କିଛି କ୍ଷତି କରେ ନାହିଁ। ଗାଁଠାରୁ ବନ୍ଧୁବାନ୍ଧବ ଯାଏଁ ସମସ୍ତଙ୍କର ସେ ଆପଣାର। ଏ ବଡ଼ ଟୋକାଟା ବି ଖରାପ ନଥିଲା ଆଜ୍ଞା! ଆଗ କେତେ ଶାନ୍ତ ସୁଧାର ଥିଲା। ପାଞ୍ଚ ପଦରେ ପଦେ କହେ ନାହିଁ, ଭାରି ଚୁପ୍ ଚାପ। ହେଲେ ସହର ଆସିଲାଠୁଁ ସେ ପୂରା ବଦଳି ଗଲା। ଏପରିକି ତା'ର ଅତୀତ, ବାପା ମା, ଭାଇ ଭଉଣୀ ଓ ଘର ଦ୍ଵାର - ସବୁ କିଛି । ସେ ଭୁଲି ଗଲା। ପାଠ ପଢି ସାରି ବି ସହରରେ ରହିଲା। କହିଲା - "ଚାକିରୀ ଖୋଜୁଛି, ଚାକିରୀ ପାଇଗଲେ ଆମର ସବୁ ସ୍ଵପ୍ନ ସାକାର ହୋଇଯିବ। ୟାରି ପାଇଁ ବାବୁ! ସେ ସାନ ଟୋକାଟାର ଇଚ୍ଛା ଥିଲେ ବି ସେ ଆଉ ଅଧିକ ପଢି ପାରିଲା ନାହିଁ। ବାଧ୍ୟ ହୋଇ ଗାଁ ଜମିଜମାକୁ ନେଇ ଚାଷବାସରେ ଲାଗିଗଲା। ଆଗ ଆମ ପରିସ୍ଥିତି ସେତେ ସ୍ଵଚ୍ଛଳ ନଥିଲା। ମାତ୍ର୍ ସାନ ଦାୟିତ୍ଵ ନେଲା ପରଠୁଁ ସେଇ ଚାଷ ଜମି କେଇ ଖଣ୍ଡକୁ ବେଶ୍ କର୍ଷଣ କରି ଭଲ ଦି ପଇସା ରୋଜଗାର କଲା । କିନ୍ତୁ ଏ ବଡ଼ଟା ଘରୁ ବୋହି ନେଇ ସବୁ ଉଜାଡି ଦିଏ। ଶେଷରେ ଗୋଟେ ଚାକିରୀ କରିଛି ବୋଲି କହିଲା ଯେ, ଆମେ ଭାବିଲୁ ଯାହା ହେଉ, ଜୀବନ ସାର୍ଥକ ହେଲା। ହେଲେ ଏବେ ତା' ପାଖରେ ରହିଲାଠୁଁ ସବୁ କଥା ଜଣାପଡ଼ିଲା। ଏଟା କୋଉ ଚାକିରୀ ଫାକିରୀ କରି ନାହିଁ ବା। ଚୋରା ଗଞ୍ଜେଇ ଓ ଚରସ ବେପାରୀଙ୍କ ସହିତ ମିଶି ଧନ୍ଦା କରୁଛି। ଦିନ ରାତି ଖାଲି ବୁଲୁଥିବ। କେତେବେଳେ କେମିତି ଘରକୁ ଆସେ। ତା ସାଥୀ ବେପାରୀ ଗୁଡାକ ମଧ୍ଯ ଘରକୁ ଆସନ୍ତି - ମୁଁ ଦେଖିଛି। ସେମାନେ ଭାବନ୍ତି ବୋଧେ - "ଏ ତ ବୁଢ଼ା ଲୋକଟା, କ'ଣଟେ ଜାଣି ପାରିବ ଯେ, ତେଣୁ ସେମାନେ ନିର୍ବିଘ୍ନରେ ସବୁ କଥା ହୁଅନ୍ତି। ମୁଁ କାନେଇ ଶୁଣେ, ଘୁମେଇ ପଡି ରହେ। ହେଲେ ପ୍ରତିବାଦ କରିବାକୁ ଇଛା ଥିଲେ ବି ବୋହୂଟା ଡରେ କିଛି କହେ ନାହିଁ। ପୁଣି ମୋର ତ ଯେଉଁ ଗୋଟାକ ଆଶ୍ରା ବୋଲି ଥିଲା, ସେ ତ ତୁଟି ଯାଇଛି, ଆଉ କାହା ଭରସାରେ ଜୀବନ ବଞ୍ଚେଇବି। ପରିସ୍ଥିତି ଦୃଷ୍ଟିରୁ ସବୁ ଶୁଣେ, ସବୁ ସହେ, ହେଲେ ଚୁପ୍ ରହେ। ପୁଅକୁ କହିଲେ ବା ଶୁଣନ୍ତା? ସେ ତ କିଛି ଶୁଣିବ ନାହିଁ। ଓଲଟା ହେଟ୍ ହାଟ୍ କହି ତୋଡ଼ ଦେଖାଇବ। ସେଟା ନିଶା ପାଣି ଖାଇ ଅମଣିଷ ହୋଇଯାଇଛି ବାବୁ। ତେଣୁ ଭାବିଲି ତାକୁ କହି କିଛି ଲାଭ ନାହିଁ। କାରଣ ସେଟା ଯୋଉ ଅପରାଧିକ ଦୁନିଆରେ ପାଦ ଥାପିଛି, ସେଠୁ ଯେ ସହଜେ ମୁକ୍ତି ପାଇବ-ମୋର କାହିଁକି ଆଶା ଭରସା ପାଉନଥାଏ। ଏ ବୋହୂଟା କଥା ନକହିଲେ ଭଲ। ସେଟା ତ ସାକ୍ଷାତ୍ ରଣଚଣ୍ଡି। କେତେବାର ହୁମୁହୁମୁ ହୋଇ ମୋତେ ମାରିବାକୁ ଆସିଲାଣି। ତା'ର କୌଣସି ଗୁଣ ଭଲ ନୂହେଁ। ସବୁ ପ୍ରକାର ଦୋଷ ସେହି ସ୍ତ୍ରୀ ଲୋକଟା ପାଖରେ ଅଛି।


ଯାଇ ଯେମିତି ଭଲମନ୍ଦ କି ଗୋଟେ ପ୍ରକାର ଚାଲିଥିଲା। ସେଦିନ ପୁଅ ଅନୁପସ୍ଥିତିରେ ତା' ଧରମ ଭାଇ ଆସିଥିଲା। ଲୋକଟାର ଚାଲି ଚଳନୀ ମୋତେ ଆଦୌ ଭଲ ଲାଗୁ ନଥିଲା। ଘରଟା ଭିତରେ ପଶି ଯାହା ହେଁ ହାଁ ହେଉଥିଲା ନା, ଭାରି କଷ୍ଟ ହେଉଥିଲା। ପୁଣି ତାଙ୍କର ନିଇତି ରାସଲୀଳା ଚାଲେ। ଏଗୁଡାକ ଦେଖି ଦେଖି ମୋର ଦେହ କାଠ ହୋଇଗଲାଣି। ଜିଭରେ ହାଡ଼ ବା ଶରୀରରେ ଜୁ' ନଥାଏ। ଯାଇ ଗଣ୍ଡେ ଖାଇବାକୁ ମିଲୁଛି, ସେତକ ବି କେତେବେଳେ ବନ୍ଦ କରିଦେଇ ପାରନ୍ତି ଭାବି, କହି ପାରୁ ନଥାଏ। ତଥାପି ଏଥିରେ ମୁଁ ଟିକିଏ ମୋର ଅସନ୍ତୋଷ ବ୍ୟକ୍ତ କରିବା ଆଳରେ ଖାଲି ବାରମ୍ବାର ଖଣ୍ଡି କାଶ ମାରି ଓ କଡ଼ ଲେଉଟାଇ ମୋ ଉପସ୍ଥିତି ଜାହିର୍ କରୁଥାଏ। ପୁଣି "ବୋହୂମା! ପାଣି ଟିକିଏ ଦିଅନି" , "ଚା ଟିକିଏ ଦିଅନି" - କହି, ସେମାନଙ୍କ କାର୍ଯ୍ୟରେ ବାଧା ଉପୁଜାଉ ଥାଏ। ସେମାନେ ବା କାହିଁକି ଶୁଣିବେ? ଓଲଟା କହୁଥାନ୍ତି - "ୟା ସାନ ପୁଅଟାକୁ ଯେମିତି ମାରିକି ଅଖାରେ ପୂରାଇ, କାରରେ ନେଇ ଚନ୍ଦକା ଜଙ୍ଗଲରେ ପୋତି ଦେଲେ,ଠିକ୍ ସେହି ପ୍ରକାର ବୁଢ଼ା ତଣ୍ଟିରେ ରଡ଼ ପକାଇ ଖଟ ତଳକୁ ମାଡ଼ି ଦେଲେ, ଏକାଥରକେ ଶେଷ ହୋଇ ଯାଆନ୍ତା। ସବୁବେଳେ ଗୋଟେ ରାଉରାଉ ହେଉଛି। କେଉଁଦିନ ଏହି ବୁଢ଼ାଟା ମରନ୍ତା କି? ଯାଆନ୍ତା ଏକା ଥରକେ କଳଙ୍କ ହଟି"। ଏକଥାଟା ଶୁଣି ମୋ ପାଦ ତଳୁ ମାଟି ଖସି ଯାଉଥିଲା। ଦେହରୁ ପ୍ରାଣବାୟୁ ଅଧା ଉଡି ଯାଇଥିଲା। ମନେମନେ ସନ୍ତାପ କରୁଥିଲି -" ହେ ଭଗବାନ! ତୁମର ମୁଁ କି ଦୋଷ କରିଥିଲି ଯେ, ଶେଷରେ ମୋତେ ଆଣି ମୋ ପୁତ୍ରହନ୍ତା ପାଖରେ ପକାଇଲ"? ଏକଥା କହିଲା ବେଳକୁ ବୃଦ୍ଧଙ୍କର ନୟନରୁ ଦୁଇ ଧାର ହୋଇ ବୋହି ଆସୁଥିଲା ଲୋତକର ଗାର। ସେ ଆଉ କୋହ ସମ୍ବରଣ ନକରି ପାରି ଭୋ ଭୋ ହୋଇ କାନ୍ଦି ପକେଇଲେ । ଛାତିକୁ ବାଡ଼େଇ ଓ କପାଳ ଉପରେ ହାତ ବୁଲାଇ ନିଜ କପାଳକୁ ଖାଲି ନିନ୍ଦୁଥାନ୍ତି - "ହାଇରେ କପାଳ "। ପୋଲିସ୍ ଅଧିକାରୀ ଇସାରାରେ, କେହି ପାଣି ପିଇବାକୁ ଦେଲେ। ପୋଲିସ୍ ଅଧିକାରୀ ମଧ୍ୟ ବେଶ୍ ସମ୍ବେଦନଶୀଳ ହୋଇପଡ଼ି ବୃଦ୍ଧଙ୍କୁ ଶାନ୍ତ୍ୱନା ଦେଉଥାନ୍ତି।


ଉପସ୍ଥିତ ଅନ୍ୟ ସମସ୍ତ କର୍ମଚାରୀ ତଟସ୍ଥ ହୋଇ ସମଗ୍ର ଘଟଣାଟିକୁ ଶୁଣୁ ଥିଲେ, ଯେପରି କାହାରି ଧୈର୍ଯ୍ୟ ନାହିଁ, ଆଉ ଆଗକୁ ଏ କରୁଣ କାହାଣୀ ଶୁଣିବା ପାଇଁ। କିନ୍ତୁ ପୋଲିସ୍ ଅଧିକାରୀ ନିର୍ଦ୍ଧିଷ୍ଟ ବିରାମ ଟାଣି, ପୁଣି ଉତ୍ସାହିତ କରି କହିଲେ - "ମଉସା! ହଁ ଏଥର କୁହନ୍ତୁ, ତା'ପରେ କ'ଣ ହେଲା? ସେମାନଙ୍କୁ ତ ମୁଁ ସଜା ଦେବା କଥା ନିଶ୍ଚିତ ଦିଆ କରିବି, ଆଉ ଆପଣଙ୍କର ମଧ୍ୟ ରହିବାର ସୁବନ୍ଦୋବସ୍ତ ନିଶ୍ଚିତ କରିବି। ତେଣୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ କି କାହାକୁ ଡରିବାର ନାହିଁ । ହେଲେ ମୋତେ ଖାଲି କୁହନ୍ତୁ! ଏମାନେ ଆପଣଙ୍କୁ ଗ୍ଯାରେଜ ଘରେ ନେଇ ଶିକୁଳି ପକେଇ ବାନ୍ଧି ପକେଇଲେ କାହିଁକି" ?

ବୃଦ୍ଧ ହୋସ୍ ନେଇ ପୁଣି ଆରମ୍ଭ କଲେ-ଏଇ ଘଟଣାରେ ମୁଁ ଏମିତି ହୋଇଯାଇଥିଲି ଯେ, ମୋ ଆଖିକୁ ଆଉ ନିଦ ଆସୁନଥିଲା କି ପେଟକୁ ଭୋକ। ନା ଶକ୍ତି ପାଉଥାଏ ବିଛଣାରୁ ଉଠିବାକୁ ନା ବଳ ପାଉଥାଏ କିଛି କଥା କହିବାକୁ। ପୁଅ ରାତିକୁ ଫେରିଲା ପରେ ସୁଯୋଗ ଦେଖି ପାଖକୁ ଡାକି କହିଲି - "ଆରେ! ଆମ ସାନ ଟୋକାକୁ କ'ଣ ତୋ ସ୍ତ୍ରୀ, ସେ ଚଗଲା ଦାସ ସହ ମିଶି ସତରେ ମାରି ଦେଇଛି? ତୁ ଏକଥା ଜାଣିଛୁ ନା ନାହିଁ " ? ଏଥିରେ ସେ ହତ ଚକିତ ହୋଇଗଲା। କହିଲା - "ଆପଣଙ୍କୁ କିଏ କହିଲା ଆମେ ମାରିଛୁ ବୋଲି" ? ଚୋର ମନ ତ ଚୋର ଗାଣ୍ଠିଲିରେ, ତେଣୁ ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ, ସେହିପରି ତା' ପାଟିରୁ ବାହାରି ପଡିଲା " ଆମେ "ଶବ୍ଦ। ଏକଥା ଶୁଣି, ସେଦିନ ମୁଁ ସ୍ତବ୍ଧ ହୋଇ ଯାଇଥିଲି। ଆଉ ଆଗକୁ କିଛି କହି ପାରି ନଥିଲି।ଖାଲି' ହଁ ନାହିଁ 'ହୋଇ କଥାଟାକୁ ବାଆଁରେଇବାକୁ ଚେଷ୍ଟା କଲି। ହେଲେ ନିଜ ଭାଇର ମୃତ୍ୟୁରେ ନିଜ ଭାଇର ସମ୍ପୃକ୍ତି କଥା ଜାଣି, ମୋ ପାଦ ତଳୁ ଅତଡା ଖସିଯାଇଥିଲା। କିନ୍ତୁ ସେମାନେ ଛାଡିଲେନି। ବୋହୂକୁ ପୁଅ ଡାକ ପକେଇଲା। ଆରମ୍ଭ ହେଲା ଜୁଲମ୍,ମାଡଗାଳି ସବୁ। ବୋହୂ ଚାହୁଁଥିଲା- ମୋତେ ମାରି ଦେବାକୁ। ହେଲା ଟୋକାଟା କହିଲା - "ନା ଅଧିକ ସମସ୍ୟା ବଢିଯିବ। ଶବଟା ବି ଲୁଚାଇ ପାରିବା ନାହିଁ। ଗାଁ ଲୋକ ଓ ବନ୍ଧୁବାନ୍ଧବ ସନ୍ଦେହ କରିବେ। ଆମେ ସନ୍ଦେହ ଘେରକୁ ଆସିଯିବା ଓ ସବୁ ଘଟଣାର ପର୍ଦ୍ଦାଫାସ ହୋଇଯିବ । ତେଣୁ ଗୋଟେ କାମ କର! ୟାକୁ ଆକଟରେ ରଖ ଏବଂ ଜଗିକି ରୁହ। ତେଣିକି ଦେଖାଯିବ ପରିସ୍ଥିତି କ'ଣ ହେଉଛି। ଦିନେ ପୁଣି ଖସି ପଳାଇ ଯିବାକୁ ଚେଷ୍ଟା କରୁଥିଲି। ପୁଅବୋହୂଙ୍କ ହାବୁଡ଼ରେ ପଡିଗଲି। ସିଧା ଆଣି ଗ୍ୟାରେଜ ଘରେ ରସି ପକାଇ ବାନ୍ଧି ପକାଇଲେ।


ଅଜାତଶତୃ ହାତରେ ବିନ୍ଦୁସାର ବନ୍ଦୀ ହୋଇ ରହିଗଲା ସବୁଦିନ ପାଇଁ। ଅନେକ ଦିନ ହେବ ମୁଁ କାହା ସହ କଥା ହୋଇ ନାହିଁ। ନିଜକୁ ନିଜେ ବରବର ହୋଇ ଖାଲି କିଛି କହିବା ବ୍ୟତୀତ। ରାତିଟା ଘୋଟି ଆସିଲେ ମୁହଁକୁ ମୁହଁ ଦିଶେ ନାହିଁ। ଆଖିଟା କିନ୍ତୁ ମୋର ଅହରହ ଜଳି ରହିଥାଏ। ଆଖିକୁ ମୋଟେ ନିଦ ଆସେ ନାହିଁ। ସେହି ବହଳ ଅନ୍ଧକାରର ଘନ ପଟଳ ଚିରି କିନ୍ତୁ କେହି ଜଣେ ଆସେ। ମୋ ପାଖରେ ବସେ। ମୁଁ ଯେତେ ଯାହା ପଚାରେ, କିଛି କହେ ନାହିଁ। କିନ୍ତୁ ଭାରି ମନକଷ୍ଟ କରେ । କେତେବେଳେ କେମିତି ମୁଁ କାନ୍ଦିଲେ ସିଏ ବି କାନ୍ଦେ। ଖାଲି ଉଁ ଉଁ ହୋଇ ଦୁଃଖୀ ହୋଇ ଦୁଃଖ ପ୍ରକାଶ କରେ। ମୁଁ ପଚାରେ - "ତୁ କାହିଁକି କାନ୍ଦୁଛୁ, ତୋର କ'ଣ ହୋଇଛି କି? ତଥାପି ସେ ନିରୁତ୍ତର ରହେ। କିଛି କହେ ନାହିଁ। ସେ କିନ୍ତୁ ଥିଲେ ମୋତେ ଭାରି ଭଲ ଲାଗେ। ମୋତେ ଲାଗେ ଯେମିତି ମୋ ସାନ ପୁଅ ମୋ ପାଖରେ ଅଛି । ମୋ ଭଲ ମନ୍ଦ ପଚାରି ବୁଝିବା ପାଇଁ ମୋ ଚାରିପଟେ ଯେମିତି ଲଣ୍ଡଭଣ୍ଡ ହେଉଛି । କିନ୍ତୁ ଭାଇଭାଉଜ ଡରେ କିଛି କହୁ ନାହିଁ। ବେଳେବେଳେ ମଧ୍ୟ ସେ ଅନୁପସ୍ଥିତ ରହେ। ସେଦିନ ମନେମନେ ମୁଁ ତାକୁ ବହୁତ ଖୋଜେ। କିନ୍ତୁ ରାତି ପାହିବା ଆଗୁ ସେ କେଉଁଆଡ଼େ ଉଠି ଚାଲିଯାଏ। ମୁଁ ଖୋଜି ଆଦୌ ପାଏ ନାହିଁ। ମନ ଭାରି ଦରାଣ୍ଡି ହୁଏ। ଯେଉଁ ଦିନ ମୁଁ ନିଘୋଡ଼ ନିଦରେ ଶୋଇ ଯାଏ, ସେଦିନ ସେ ସ୍ଵପ୍ନରେ କିଛି କହୁଥାଏ-ବାପା ଆମକୁ କ'ଣ ନ୍ୟାୟ ମିଳିବ ନାହିଁ "? ମୁଁ କିଛି ବୁଝି ପାରେ ନାହିଁ। ହେଲେ ଅଫିସର! ମୋ ପୁଅ କ'ଣ ସତରେ ଆଉ ନାହିଁ? ଯଦି ନାହିଁ, ମୁଁ ତେବେ ତା'ର ଉପସ୍ଥିତି ସବୁବେଳେ କେମିତି ଉପଲବ୍ଧି କରୁଛି? ପୋଲିସ୍ ଅଧିକାରୀ କିଛି ଉତ୍ତର ରଖିବାକୁ ଅକ୍ଷମତା ପ୍ରକାଶ କରୁଥାନ୍ତି । ବୃଦ୍ଧଟି କିନ୍ତୁ ଆହୁରି ଜୋହରରେ ବୁକୁ ଫଟାଇ କାନ୍ଦୁଥାଏ -" ମୋ ସୁଦାମରେ! ତୁ କେଉଁଠି ଅଛୁ" ? ଏ କ୍ରନ୍ଦନର ସ୍ଵର ଗଛ ଡାଳରେ ବସିଥିବା ଗୋଟେ ବଡ଼ ଅଜଣା ପକ୍ଷୀର ସ୍ଵର ସହିତ ମିଶି ଯେମିତି ପ୍ରତିଧ୍ଵନି ତୋଳୁଥିଲା। ସମଗ୍ର ଥାନା ପରିବେଶ ଶୋକାଭିଭୂତ ହୋଇଯାଉଥିଲା। ଥାନା ଅଧିକାରୀ ଆଉ ବୟାନ ରେକର୍ଡ କରିପାରିଲେ ନାହିଁ। ତାଙ୍କ ହାତରୁ କଲମ ଖସି ପଡୁଥିଲା। ସେ ଥକି ପଡୁଥିଲେ। ହଠାତ୍ ଉଠି ସେ ବାହାରକୁ ଚାଲିଗଲେ। ଗଲା ବେଳେ କହିଗଲେ - "ମଉସାଙ୍କୁ ନେଇ ଆତିଥ୍ୟ ଦେଇ ମୋ ଅତିଥି ଶାଳାରେ ଛାଡ଼ି ଦେଇ ଆସ"।

କ୍ରମଶଃ... ଭାଗ 12 ପୋଲିସିର 3rd ଡିଗ୍ରୀ...ପିଟାଇ ତ ନିଶ୍ଚୟ ହେବ ହେଲେ କେତେ ଭୟଙ୍କର ହେବ ଦେଖିବାକୁ ବାକି.....


Rate this content
Log in